Unknown

 

 

 

 

 

 

 

 

 

କାଳକୁ କଜ୍ଜ୍ୱଳ

ଚିତ୍ତରଞ୍ଜନ ଦାସ

 

ସୂଚୀପତ୍ର

 

୧.

ହସି ପାରିବାର ସେହି ମହାନ୍ ଭାଗ୍ୟଟି

୨.

ଅନ୍ଧାରର ପରସ୍ତ ଓ ସମ୍ଭାବନାମୟ ଆତ୍ମା

୩.

ଜାଳ ଜିତେ ନାହିଁ, ମଣିଷ ଜିତେ

୪.

ଏ ସମାଜ ମଣିଷ ଦ୍ଵାରା ତିଆରି

୫.

ମଦାୟୁତ୍ତଂ ତୁ ପୌରୁଷମ୍

୬.

ମୃଗମାନଙ୍କର ତୃଷ୍ଣା

୭.

ଜୀବନ ଓ ମୃତ୍ୟୁ ?

୮.

ଅସଲ ବିନ୍ଦୁଟି ଏଇଠି

୯.

ଏତେ ଆତ୍ମହନୋ ଜନାଃ

୧୦.

ସଙ୍କଟରୁ ସମ୍ମୋଚନ

୧୧.

ସଙ୍କଟରୁ ସମ୍ମୋଚନ (୨)

୧୨.

ସଙ୍କଟରୁ ସମ୍ମୋଚନ(୩)

୧୩.

ଏସବୁ ବଦଳିବ କିପରି ?

୧୪.

ପୃଥବୀ ତଥାପି ବଦଳିଯିବ

୧୫.

ସତ୍ତ୍ୱସ୍ଥା ଉର୍ଦ୍ଧ୍ୱେ ତିଷ୍ଠନ୍ତି

୧୬.

ଦୁଷ୍ଟ ଭଗବାନଟିଏ

୧୭.

ଜଣେ ଲେଖକ ଯାହା ଚାହେଁ

୧୮.

ଠିକ୍ ଗୌତମଙ୍କ ପରି

୧୯.

ଅପେକ୍ଷା ମୋଟେ ଯଥେଷ୍ଟ ନୁହେଁ

୨୦.

ମୃତ୍ୟୁଭୟରୁ ମୃତ୍ୟୁ ଦର୍ଶନ

୨୧.

ପୃଥିବୀର ମିଆଦ ପାଞ୍ଚ ବରଷ

୨୨.

ରାଜନୀତିକ କ୍ଷମତାର ସୀମା

୨୩.

ଦିନେ ଦିନେ ମନେ ହୁଏ

୨୪.

ସାହିତ୍ୟର ଦୁଃଖ

୨୫.

ମୋ' ଘଣ୍ଟା ଯେତେବେଳେ ବାଜିବ

୨୬.

ଯୁଦ୍ଧଟାଏ ହୋଇଯିବା ଭଲ

୨୭.

ହିନ୍ଦୁଧର୍ମ ବିପନ୍ନ ହେଉଛି

୨୮.

ଆଜିର ମଣିଷ ଆଜିପରି

୨୯.

ବଦ୍ଧୋଽସ୍ମ୍ୟର୍ଥେନ କୌରବୈଃ

୩୦.

ନୈତିକ ମୂଲ୍ୟବୋଧ ଆସୁଛି

୩୧.

ଦାରିଦ୍ର୍ୟର ଗବେଷଣା

୩୨.

ଏ କାଳର ଅସଲ କାଳମାନେ

୩୩.

ଦୈତ୍ୟ ଭିତରର ଦୋସରଟି

୩୪.

ଅସ୍ତିତ୍ୱବାଦୀର ବିବାଦ

୩୫.

ଇଂରାଜୀ ମାଡ଼େ କାହାକୁ ?

୩୬.

ମନ୍ଦିରଭିତ୍ତିକ ନାସ୍ତିକତା

୩୭.

ଜୁଆଙ୍ଗମାନେ ନିଜେ କହନ୍ତୁ

୩୮.

ରାଜନୀତି ଓ ସଂସ୍କୃତି

୩୯.

ଭୋଗବାଦୀର ତ୍ରାସ ଓ ତହିଁରୁ ମୁକ୍ତି

୪୦.

ବିନୋଦ କାନୁନ୍‍ଗୋ

୪୧.

ସାଧୁସନ୍ଥଙ୍କର ମନ୍ଦିର ସେବା

୪୨.

ସମନ୍ୱୟ ଦୁଇ ପାହାଚର

୪୩.

ଶୋଚନାର ଯୋଗ୍ୟ ଶୋଚନୀୟ

୪୪.

ସହସ୍ର ହସ୍ତ ସଂକିର

୪୫.

କାଳକୁ କାଳ ଏହି ମତେ

୪୬.

ଗୋଷ୍ଠୀ ଓ ବିବାଦ

୪୭.

ନଶ୍ୱର ମାନବଜୀବନ

୪୮.

ସଂହତି ଏବେ ମଧ୍ୟ ବହୁଦୂର

ପରିଶିଷ୍ଟ

୪୯.

ବିଶ୍ୱଶାନ୍ତି ଲାଗି ରାଷ୍ଟ୍ରସ୍ତରୀୟ ଉଦ୍ୟମ

୫୦.

ସେମାନଙ୍କର ଭାଗ୍ୟରେ ଯାହା ଥିଲା

୫୧.

ବୁଦ୍ଧିଜୀବୀ ଦୁର୍ବୁଦ୍ଧିଜୀବୀ

୫୨.

ଅପରାଧ ବୃଦ୍ଧିର ଅନ୍ୟ କାରଣ

୫୩.

ବିଗଳିତହର୍ଷ ଭାରତବର୍ଷ

୫୪.

ସର୍ବଧର୍ମ-ପ୍ରାର୍ଥନା

୫୫.

ମୁଣ୍ଡବ୍ୟଥାକୁ ଔଷଧ ଅଛି

୫୬.

ବିଶ୍ୱାସରୁ ସାହିତ୍ୟ

Image

 

ହସି ପାରିବାର ସେହି ମହାନ୍ ଭାଗ୍ୟଟି

 

ମହାତ୍ମା ଗାନ୍ଧୀ ଥରେ କହିଥିଲେ, ଯଦି ତାଙ୍କର ହସିଦେବାର କ୍ଷମତା ନଥାନ୍ତା, ତେବେ ସେ କୋଉକାଳୁ ଆତ୍ମହତ୍ୟା କରି ଏହି ସଂସାରରୁ ଚାଲି ଯାଇଥାନ୍ତେ । ଏହି ହସି ପାରିବାର ଯେଉଁ ସାମର୍ଥ୍ୟଟି, ଏଇଟାକୁ କ'ଣ କେହି ଚେଷ୍ଟାକରି ଶିଖେ ? ଯେଉଁମାନେ ନାଟକରେ ଜୋକର ହୁଅନ୍ତି, ହାସ୍ୟରସାତ୍ମକ ସାହିତ୍ୟ ଲେଖି ‘ରସରାଜ’ ବା 'ରସଶେଖର' ପ୍ରଭୃତି ଉପାଧି ପାଆନ୍ତି, ସେଇମାନେ ହସାନ୍ତି ସିନା, ହସାଇ ହସାଇ ମୁତାଇ ପକାନ୍ତି ସିନା, ମାତ୍ର ନିଜେ ହସି ପାରନ୍ତି ନାହିଁ । ପ୍ରତ୍ୟେକ ସାହିତ୍ୟରେ ହାସ୍ୟରସର ଏକ ସ୍ୱତନ୍ତ୍ର ବିଭାଗ ରହିଥାଏ । ଭିତରେ ଆପଣାର କୌଣସି କ୍ଷତକୁ ଭୁଲିବାଲାଗି ଅନେକ ମଣିଷ ବାହାରେ ହାସ୍ୟରସ ସୃଷ୍ଟି କରନ୍ତି, ହାସ୍ୟରସ ଲେଖନ୍ତି । ଭିତରେ ଆପଣାର କୌଣସି ଅପାରଗତାକୁ ଘୋଡ଼ାଇ ରଖିବା ନିମନ୍ତେ ସେମାନେ ଶବ୍ଦଗୁଡ଼ାକୁ ହସରେ ପରିଣତ କରି ବୁହାଇ ଦିଅନ୍ତି । ଏମାନେ ହସି ପାରନ୍ତି ନାହିଁ ସିନା, ଭାରି ହସାଇ ପାରନ୍ତି । ସମ୍ଭବତଃ ହସିପାରନ୍ତି ନାହିଁ ବୋଲି ହିଁ ହସାଇବାରେ କେଡ଼େ ସୁଖ ପାଆନ୍ତି । ସଭାଗୁଡ଼ାକୁ ହସାଇ ହସାଇ ଗଡ଼ାଇ ଦେବା ପରେ ମନ ମାରି ଘରକୁ ଫେରନ୍ତି ।

 

ଜୀବନ ପୋଖତ ହେଲେ ଯାଇ ସତକୁ ସତ ହସି ହୁଏ, ହସିବାଟା ଜୀବନ ବଞ୍ଚିବାର ସର୍ବପ୍ରଧାନ ବାତାୟନରେ ପରିଣତ ହୋଇପାରେ । ଆଦୌ କୌଣସି ହାସ୍ୟରସ ସୃଷ୍ଟି ନକରି ମଧ୍ୟ ହସି ହୁଏ । ଜୀବନ ପାଖରେ ହାରିଯାଇ ଦାନ୍ତ ନିକୁଟି ଦେବା ଓ ତାହାକୁ ହିଁ ହାସ୍ୟରସ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିବା, ସିଏ ଏକ ଏକାବେଳେକେ ଅଲଗା କଥା । ଜୀବନକୁ ସତକୁ ସତ ଅଙ୍ଗେ ନିଭାଇ ପାରିଲେ, ଜୀବନର ସମ୍ମୁଖୀନ ହୋଇପାରିଲେ ଭିତରୁ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଏକ ହସ ଫୁଟି ଫୁଟି ଉକୁଟି ଆସେ, ତାହାହିଁ ଜୀବନକୁ ବଞ୍ଚିବାର ସର୍ବଶେଷ ସନ୍ତକରେ ପରିଣତ ହୋଇଯାଏ; –ମାୟା ଥାଏ, ତଥାପି ମାୟା ନ ଥାଏ, ଡୋର ଲାଗିଥାଏ, ତଥାପି କୌଣସି ପ୍ରକାର ନିର୍ଭରଶୀଳତା ହେତୁ ଡୋର ଲଗାଇ ରହି ବାର ଆଦୌ କୌଣସି ଆବଶ୍ୟକତା ନଥାଏ, ସିଏ ହେଉଛି ଏକାବେଳେକେ ଆଉଗୋଟିଏ ପ୍ରକାରର ଅନୁଭବ । ଏହି ଅନୁଭବକୁ ଜାଲ ପକାଇ ଧରି ହୁଏନାହିଁ । ତଥାକଥିତ ଜୀବନ-ସଂଗ୍ରାମରେ ଜୟଲାଭ କରି ସେହି ଅନୁଭବର ଭାଜନ ହୋଇ ହୁଏନାହିଁ । ସେତେବେଳେ କେବଳ ବାଟ ଚାଲିବାକୁ ହିଁ ଏକମାତ୍ର ଧର୍ମ ବୋଲି ଅନୁଭବ ହୁଏ । ବାଟ ଚାଲିବା ଲୋକପାଇଁ ଉଗ୍ର ହେବାର କୌଣସି ପ୍ରୟୋଜନ ନଥାଏ । ଚାଲିବା ଲୋକ ଉଗ୍ର ହୁଏ ନାହିଁ । ଆପଣାର ତଥାକଥିତ ବଡ଼ ବଡ଼ ଆଖିରେ ସେ କାହାକୁ ହେଲେ ସାନ ବୋଲି ଦେଖିବାର ଆବଶ୍ୟକତା ଅନୁଭବ କରେନାହିଁ । ଅନ୍ୟମାନଙ୍କୁ ସାନ ବୋଲି ଦେଖିଲେ ଯାଇ ଆପଣାକୁ ସତକୁ ସତ ବଡ଼ ବୋଲି ପ୍ରତ୍ୟୟ କରିହେବ, –ସେତେବେଳେ ସେହି ନିର୍ବୋଧତାଟି କଟି ଯାଇଥିବାରୁ ଉଗ୍ର ହେବାର ଆଦୌ ପ୍ରୟୋଜନ ନଥାଏ । ଆଗେ ପଣ୍ଡିତମାନେ ବିଦ୍ୟାରେ ଅନ୍ୟ ପଣ୍ଡିତମାନଙ୍କ ହରାଇବାକୁ ଦିଗ୍‍ବିଜୟ କରି ବାହାରୁଥିଲେ । ଦିଗ୍‍ବିଜୟୀ ହେଉଥିଲେ । ବିଚରାମାନେ ବହୁ ପରାଭବ ମଧ୍ୟରେ ନିଜ ପାଖରେ ଭାରି ସନ୍ତାପିତ ଅପରିତୃପ୍ତ ହୋଇ ରହୁଥିଲେ । କାହାରି ଉପରେ ବିଜୟ ହାସଲ କରିବ ବୋଲି ଆଦୌ କୌଣସି ଗଦା ବୁଲାଇବାକୁ ପଡ଼ୁନଥିବ, ତଥାପି ନିଜକୁ ବୀର ପରି ଅନୁଭବ ହେଉଥିବ, ଏ ହେଉଛି ସତକୁ ସତ ଆଉ ଏକ ଉପଲବଧି ।

 

ବୀରତ୍ୱପୂର୍ଣ୍ଣ କାହାଣୀସବୁ ଲେଖା ହୋଇଥିବା ବହିସବୁ ପଢ଼ିଲେ ମଣିଷ ଯେ ବୀର ହୋଇଯାଏ ନାହିଁ, ସେହି କଥାଟି ଆମ ଚାରିପାଖରେ ସାଲୁ ସାଲୁ ହେଉଥିବା ବଡ଼ମାନଙ୍କୁ ଅନେଇଦେବା ମାତ୍ରକେ ଭାରି ଜଳ ଜଳ ହୋଇ ଧରା ପଡ଼ିଯାଏ । ଏ ବଡ଼ମାନଙ୍କ ପିଲାଦିନେ ଏମାନେ ଉତ୍ତମ ମଣିଷ ହେବା ଲାଗି କେତେ କେତେ ଉପାଦେୟ ଉପଦେଶ ଲାଭ କରିଥିଲେ, ଉପାଦେୟ ବହିଗୁଡ଼ିକୁ ଚର୍ବଣ କରିଥିଲେ । ଏବଂ, ଭୀରୁ ହେଲେ, ଦାମ୍ଭିକ ଭୀରୁ ହେଲେ । ଗୋଟାଏ ଗୋଟାଏ ଉଗ୍ରସେଣ ହୋଇ ମଧ୍ୟ ଭୀରୁ ହେଲେ । ସାହିତ୍ୟ, ରାଜନୀତି, ସଂସ୍କୃତି ପ୍ରଭୃତି କେତେ କ'ଣ କେଡ଼େ ଦର୍ପରେ କଲେ । ଭିତରେ ରାବଣଟାକୁ ଆବୋରି ଧରି ବାହାରେ କେଡ଼େ ଆଡ଼ମ୍ବରରେ ରାବଣପୋଡ଼ି କରାଇଲେ, ଏବଂ ଭୀରୁ ହୋଇ ରହିଲେ । ପ୍ରବଳ ଭୀରୁ ହେଲେ । ମୋଟେ ହସି ପାରିଲେ ନାହିଁ । ଆପଣା ଭିତରେ ଆପଣାକୁ ଆଦରି ନେଇ ପାରିଲେ ନାହିଁ । ଆମ ଦେଶଟାକୁ ଏହିପର ଆଦୌ ହସି ନ ପାରୁଥିବା ମଣିଷମାନେ ଆମ ସମସ୍ତଙ୍କୁ ହସାଇ ହସାଇ ନାକେଦମ୍ କରି ପକାଇଲେ । ହସାଇ ହସାଇ କନ୍ଦାଇ ପକାଇଲେ । ସବୁ ହେଲେ, ପୋଖତ ହୋଇ ପାରିଲେନାହିଁ । ହସି ପାରିଲେନାହିଁ । ମଣିଷର ଦୁଃଖଗୁଡ଼ାକ ଯେପରି ମୋଟେ ଦେଖା ନ ଯିବ, ସେଥିପାଇଁ ଦେଶଟାକୁ କୋଠାମାଳ କରିଦେଲେ ।

 

ସଡ଼କରେ ସିଆଁଇ ଦେଲେ । ନିଜ ଭିତରର କଣାଗୁଡ଼ାକୁ, ଶୂନ୍ୟସ୍ଥାନ ଗୁଡ଼ିକୁ ଲୁଚାଇ ରଖିବେ ବୋଲି ବାହାରେ କେଡ଼େ କେଡ଼େ ଆସନକୁ ମାଡ଼ି ବସିଲେ ଓ କାମୁଡ଼ି ଧରିଲେ । ତଥାପି ବିଚରାମାନେ ମୋଟେ ହସି ପାରିଲେ ନାହିଁ । ଆତ୍ମହତ୍ୟା କଲେ । ନିଜେ ସତକୁ ସତ ଯାହା, ବାହାରକୁ ଠିକ୍‍ ସେହିପରି ଦେଖା ନଯିବେ ବୋଲି କେତେ ଭ୍ରମ ଓ ସମ୍ଭ୍ରମର ଉଆସ ବାନ୍ଧି ରହିଲେ-। ଉଆସଗୁଡ଼ାକୁ ହିଁ ସତେଅବା ମୁଖା ପରି ବ୍ୟବହାର କଲେ । ନିଜର ଅସଲ ମୁହଁଗୁଡ଼ିକୁ ଲୁଚାଇ ରଖିଲେ । ମୁହଁ ଲୁଚାଇ ରଖିଥିବା ମଣିଷ ଆସନ, ବିଜ୍ଞାପନ, ଖ୍ୟାତି ଓ ବହୁ ବଡ଼ତିଗୁଡ଼ାକ ତଳେ ନିଜର ମୁହଁଟିକୁ ଲୁଚାଇ ରଖିବାକୁ । ଅନବରତ ପ୍ରୟାସ କରୁଥିବା ମଣିଷ ମୋଟେ ହସି ପାରେନାହିଁ । ଝାଳନାଳ ଆଣ୍ଠିଏ ହୋଇ ଅନ୍ୟମାନଙ୍କ ପାଇଁ ବହୁ ହାସ୍ୟାସ୍ପଦତାର ନିମିତ୍ତ ହୋଇ ରହିଥାଏ ସିନା, ମୋଟେ ହସି ପାରେନାହିଁ । ବହୁ ରଣ ଲଢ଼ୁଥାଏ, ବହୁ ରଣରେ ଜିତୁଥାଏ ତଥାପି ହସିପାରେ ନାହିଁ । ଭିତରେ ଆପଣାର ଅସଲ ସୋଦରଟିକୁ ସେ ହତ୍ୟା କରି ସାରିଥାଏ ।

 

ସମସ୍ତେ କହୁଛନ୍ତି, ରହିଯାଅ, ତୁମେ ରହିଯିବ ନାହିଁ । ସମସ୍ତେ କହୁଛନ୍ତି, ରାଜାମାନଙ୍କ କଥା ମାନ, ତୁମେ ମାନିବ ନାହିଁ । ସମସ୍ତେ କହୁଛନ୍ତି ଏମିତି ବା ସେମିତି କର, ରାତାରାତି ଧନୀ ହୋଇଯିବ, ଗୁଣୀ ହୋଇଯିବ, କଦର ପାଇବ, ବୁଢ଼ାଦିନେ କନିଆଟିଏ ମଧ୍ୟ ଜୁଟିଯିବ, ତୁମେ ତଥାପି ଏମିତି ବା ସେମିତି କରିବ ନାହିଁ । ସମସ୍ତେ କହୁଛନ୍ତି, ଚାଲ ଦେଉଳକୁ ଯିବା, ଦେଉଳରେ ଦରବାର ବସିଛି, ଚନ୍ଦନକାଠ ଭାଡ଼ି ବନ୍ଧା ହୋଇ ରହିଛି, ନିଜେ ଚନ୍ଦନ ଘୋରିବ, ନିଜେ ବୋଳି ହେବ,–ତୁମେ ସେ ଦେଉଳକୁ ଯିବନାହିଁ । ଯିବନାହିଁ ବୋଲି ସଫା ମନାକରି ଦେବ । ତେବେଯାଇ ହସି ପାରିବ । ତରୁଣ ବୟସରେ ବୁଢ଼ା ହେବାର ପ୍ରମାଦରୁ ତେବେ ଯାଇ ରକ୍ଷା ପାଇ ପାରିବ । ତେବେଯାଇ ନିଜ ଭିତରକୁ ଅନାଇ ପାରିବ । ନିଃଶଙ୍କ ହୋଇ ଅନାଇ ପାରିବ । ଅସଲ ବନ୍ଧୁଟିକୁ ସେଇଠି ଯାଇ ଭେଟିବ । ଅସଲ ସେହି ବନ୍ଧୁଟିକୁ ଭେଟି ପାରିଲେ ଯାଇ ସତକୁ ସତ ହସିପାରିବ । ହସି ହସି ପ୍ରମାଦଗୁଡ଼ାକୁ କାଟି ଚାଲିଯାଇ ପାରିବ, ଗାତରେ ପଶିଥିବା ଫୁଲା ବେଙ୍ଗମାନେ ତମକୁ ଯେତେ ଡାକୁଥିଲେ ମଧ୍ୟ ତୁମେ ତଥାପି ବାଟରେ ଚାଲିଯାଇ ପାରୁଥିବ । ହସି ହସି ଚାଲିଯାଇ ପାରୁଥିବ । ରଜା ହୋଇ ବସିଥିବା ଭୀରୁମାନେ ତୁମକୁ ଆଉ ମୋଟେ ଆକୃଷ୍ଟ କରି ପାରିବେ ନାହିଁ-। ଏହି ଜୀବନଟାକୁ ହିଁ ଏକମାତ୍ର ଜୀବନ ବୋଲି ମଣି ତୁମେ କଦାପି ଜୀବନର ସବୁଯାକ ପରିଣୟକୁ ଏଇଠି ସାରିଦେବାକୁ ମୋଟେ ମନ କରିବ ନାହିଁ ।

୨ । ୧୧ । ୮୯

Image

 

ଅନ୍ଧାରର ପରସ୍ତ ଓ ସମ୍ଭାବନାମୟ ଆତ୍ମା

 

କଳାରଙ୍ଗ ମୋଟେ କୌଣସି ରଙ୍ଗ ନୁହେଁ ବୋଲି ବିଜ୍ଞାନୀମାନେ ମତ ଦିଅନ୍ତି । ଯେଉଁଠି କୌଣସି ରଙ୍ଗ ନଥାଏ, ତାହାହିଁ କୁଆଡ଼େ କଳା ରଙ୍ଗ । ଅର୍ଥାତ୍ ଯାବତୀୟ ରଙ୍ଗର ଅନୁପସ୍ଥିତି, ତାହା ହେଉଛି କଳା । ଅନ୍ଧାରଗୁଡ଼ାକୁ ସମସ୍ତେ କଳା ରଙ୍ଗର ବର୍ଣ୍ଣନା କରିଛନ୍ତି । ସାଧାରଣ ମଣିଷମାନେ ଆଖିରେ ଦେଖି ବର୍ଣ୍ଣନା କରିଛନ୍ତି ଏବଂ କବିମାନେ କଳ୍ପନାର ଆଖିରେ ଦେଖି ବର୍ଣ୍ଣନା କରିଛନ୍ତି । ଭୂତମାନେ କୁଆଡ଼େ ତୁଚ୍ଛା କଳାବର୍ଣ୍ଣ ବୋଲି ଆମ ପିଲାଦିନେ ଆମ ଆଈମାଆମାନେ ଆମକୁ କହୁଥଲେ । ଏହି ଭୂତମାନେ ରାତିରେ ବାହାରନ୍ତି, ଅନ୍ଧାର ହେଲେ ବାହାରନ୍ତି । ଆଲୁଅକୁ ଆଦୌ ଦେଖାଯାଆନ୍ତି ନାହିଁ । କଳା କିଟିକିଟି ଅନ୍ଧାର ଭିତରୁ ହିଁ ଦେଖାଯାଆନ୍ତି । ଏହି ମଣିଷର ମଧ୍ୟ କୋଉଠି କୋଉଠି କେଉଁ କଳାରଙ୍ଗର ସଉକିନୀଟିଏ ଉଭା-ପୋତା ଓ ପୋତା-ଉଭା ହୋଇ ରହିଥାଏ କେଜାଣି, ଅନ୍ଧାର ହୋଇ ଆସିଲା ମାତ୍ରକେ ସିଏ ବାହରେ ମଧ୍ୟ କଳା ଭୁତଗୁଡ଼ାଙ୍କୁ ପ୍ରତ୍ୟକ୍ଷ କରିବାକୁ ଆରମ୍ଭ କରେ ସତେଅବା ନିଜ ଭିତରର କଳାଗୁଡ଼ାକୁ ହିଁ ସିଏ ବାହାରେ ଭୂତରୂପେ ପ୍ରତ୍ୟକ୍ଷ କରୁଥାଏ । ଭୟର ଯଦି ସତକୁ ସତ ଗୋଟାଏ ବର୍ଷ ଥାଆନ୍ତା, ତେବେ ତାହା କେଉଁ ବର୍ଣ୍ଣ ହୋଇଥାନ୍ତା ? ବାହାର ଭୟ, ଭିତର ଭୟ, ଅହେତୁକୀ ଭୟ ଏବଂ ହେତୁ ଆଇ ଭୟ,–ପଣ୍ଡିତମାନେ ଏହିପରି ନାନାଭଳି ଭୟର ତତ୍ତ୍ୱବିଚାର କରିଛନ୍ତି । ଏବେ ମଧ୍ୟ କରୁଛନ୍ତି ।

ମଣିଷ ଯେଉଁଟା ପାଖରୁ ପଳାଇ ଯିବାକୁ ଚାହେଁ, ସେଇଟାର ବର୍ଣ୍ଣ କଳା । ମଣିଷ ଯାହାର ସାମନା କରିବାକୁ ପ୍ରସ୍ତୁତ ହୋଇ ବାହାରିଆସେ, ସେଇଟି ତାକୁ ସଫା ହେଇ ଦେଖାଯିବାକୁ ଆରମ୍ଭ କରେ । ସିଏ ଯାହାସବୁକୁ ବହୁ କାରଣରୁ ଲୁଚାଇ ରଖିବାକୁ ଚେଷ୍ଟା କରୁଥାଏ, ସେଗୁଡ଼ିକ ତାକୁ ଭାରି କଳା ହୋଇ ଦିଶୁଥାନ୍ତି । ଯାହାକୁ ଲୁଚାଇବ ନାହିଁ ବୋଲି ସିଏ ଆପଣାକୁ ବୁଝାଇ କରି କହି ଦେଇପାରେ, ସେଗୁଡ଼ିକ ତା’ ଆଖିକୁ କେତେ ସଫା ହୋଇ ଦିଶିବାକୁ ଲାଗେ । ଏପରିକି, ହୁଏତ ସେହି ଗୋଟିଏ କଥାକୁ ଆମେ ଲୁଚାଇ ରଖିବାର ଚେଷ୍ଟା କରୁଥିବା ପର୍ଯ୍ୟନ୍ତ ତାହା ଆମକୁ କେତେ କଳା ହୋଇ ଦିଏ ପୁଣି ଲୁଚାଇ ରଖିବା ନାହିଁ ବୋଲି ସ୍ଥିର କରିଦେବା ମାତ୍ରକେ ସତେଅବା ତାହାର ରଙ୍ଗ ବଦଳିଯାଏ । ଆମ ଆଖିକୁ, ଆମ ଅନ୍ତସ୍କରଣକୁ ତାହା ଆଉ ଦେଖାଯାଏ ନାହିଁ, ଗୋଟାସୁଦ୍ଧା ସଫା ହୋଇ ଦେଖାଯାଏ । କଳା ଆଉ ଧଳା ଭିତରେ ଆମର ଜୀବନକୁ ନେଇ, ଆମର ଅନୁରାଗ ଓ ବିଭାଗଗୁଡ଼ିକୁ ନେଇ ଏମିତି ନିତ୍ୟ ଲୁଚକାଳି ଖେଳ ଲାଗି ରହିଥାଏ । କଳା ଓ ଧଳା ଉଭୟକୁ ଦେଖିବାର ଏକ ଯୁଗପତ୍ର ପରିପ୍ରେକ୍ଷୀ ଉପରେ ଜୀବନକୁ, –ଆପଣାକୁ ଓ ଅନ୍ୟମାନଙ୍କୁ ଦେଖି ପାରୁଥୁଲେ ଖୁବ୍‌ସମ୍ଭବ ଆମର ଦେଖିବାର ଧାତୁଟା ମଧ୍ୟ ବଦଳି ଯାଉଥାନ୍ତା । କଳା ଓ ଧଳା ବିଷୟରେ ଆମେ ଅଭ୍ୟସ୍ତ ଭାବରେ ଭ୍ରମ କରି ଆସିଥିବା ସଂଜ୍ଞାରେ ମଧ୍ୟ ପରିବର୍ତ୍ତନ ହେଉଥାନ୍ତା ।

ଉପନିଷଦରେ କଳାକୁ, ଅନ୍ଧାରକୁ ଆଲୋକର, ଆତ୍ମାର ବାହ୍ୟାବରଣ ବୋଲି କୁହାଯାଇଛି । ଅନ୍ଧକାର ବା ତମସ୍ ହେଉଛି ଏପରି ଗୋଟିଏ ଖୋଳ, ଯାହାତଳେ ଲୁକ୍‍କାୟିତ ହୋଇ ଆଲୋକ ରହିଛି, ଆତ୍ମା ଲୁକ୍‍କାୟିତ ହୋଇରହିଛି, ଅସଲ ଲୁକ୍‍କାୟିତ ହୋଇରହିଛି । ଅର୍ଥାତ୍, ଅନ୍ଧାରଟାକୁ, କଳାଟାକୁ କେବଳ ତାହାହିଁ ବୋଲି ଭାବି ଦୁଃଖ କରି କଦାପି ଲେଉଟି ଆସିବ ନାହିଁ, କଳାର ଗର୍ଭକୁ ଭେଦ କରିବ, କଳାର ଆବରଣଟାକୁ ବିଦୀର୍ଣ୍ଣ କରିବ, ତେବେ ଅସଲ ପାଖରେ ଯାଇ ପହଞ୍ଚିବ, ଆତ୍ମାକୁ ପାଇବ । ନିଜ ଗର୍ଭରେ ଆଲୋକଟି ରହିଛି ବୋଲି ଅନ୍ଧାର ଜାଣି ନ ଥାଏ-। ନିଜ ଭିତରେ ରତ୍ନ ରହିଛି ବୋଲି ରତ୍ନାକର ଜାଣି ନ ଥାଏ । ଏହି ତରଙ୍ଗଗୁଡ଼ାକର ଉଦ୍‍ବେଳନ ତଳେ ଶାନ୍ତ ଅସଲଟିଏ ଅନୁରାଗମୟ ଏକାନ୍ତଟିଏ କୋଉଠି ଅପେକ୍ଷା କରି ରହିଛି ବୋଲି ତରଙ୍ଗ ମୋଟେ ଜାଣି ନ ଥାଏ । ନୀତିବାଦୀ ପଛଯୁଗମାନଙ୍କରେ ବିଜ୍ଞମାନେ ଅନ୍ଧାରଟାକୁ ଭାରି ଭୟ କରୁଥିଲେ । ଅନ୍ଧାର ନାମରେ ସେମାନେ ତୁଚ୍ଛା ଭୂତମାନଙ୍କୁ ଦେଖୁଥିଲେ; ନିଜ ଭିତରେ ଦେଖୁଥଲେ, ନିଜର ବାହାରେ ମଧ୍ୟ ଦେଖୁଥିଲେ । ଯେଉଁମାନେ ଏହିପରି ବିଭାଜନଗୁଡ଼ିକୁ ତର୍କର ଚରମ ଗାରଗୁଡ଼ିକ ଯାଏ ଦଉଡ଼ାଇ ନେଇ ତ କାଢ଼ୁଥିଲେ, ସେମାନେ ମାୟାବାଦୀ ବୋଲାଉଥିଲେ-। ଏଠି ମାୟା, ସେଠି ବ୍ରହ୍ମ,–ସେମାନେ ଏହିପରି ଦୁଇ ଉଆସରେ ଦୁଇ ରାଣୀଙ୍କ ସହିତ ବାସ କରୁଥିଲେ । ଭାବ ଓ ଅଭାବକୁ ଦୁଇଟି ପୃଥକ୍ ଦ୍ରବ୍ୟ ବୋଲି ଦେଖାଇ ସଂସ୍କୃତ ଭାଷାରେ ମନୋରମ ଶ୍ଳୋକମାନ ରଚନା କରୁଥଲେ, ସଂସାରର ଏହି ତଥାକଥିତ ଅନ୍ଧାର ବା ମୋହଗୁଡ଼ାକ ଉପରେ ମୁଦଗର ପିଟୁଥିଲେ । ଆଧ୍ୟାତ୍ମିକ ବିତର୍କର ରାଜଦରବାରରେ ସେମାନେ ଏକ ରାଜସିକ ସାମନ୍ତବାଦୀ ପାଣ୍ଡିତ୍ୟକୁ ବେଶ୍ କମାଇ ରଖିଥିଲେ । ସେହି ସନ୍ତାନମାନେ ଏବେ ମଧ୍ୟ ଅଛନ୍ତି । ସେମାନେ ଏବେ ମଧ୍ୟ ସଂସାର ଭିତରେ ମାୟାଟାକୁ ବଞ୍ଚୁଛନ୍ତି ଏବଂ ମନ୍ଦିର ଭିତରେ ବ୍ରହ୍ମଦର୍ଶନ କରୁଛନ୍ତି । ଏପାଖରେ ପାପ କରି ସେପାଖକୁ ପାପର କ୍ଷାଳନ କରିବାକୁ ଯାଉଛନ୍ତି ଏବଂ ଭୟଟିକୁ ଏକାଠି ମିଶାଇ ଜୀବନ ନାମକ ସେହି ସମିଶ୍ରଣଟିକୁ ଲୀଳା ବୋଲି କହୁଛନ୍ତି । ସେମାନଙ୍କର ଏହି ଲୀଳାକୁ ଖୋଦ୍ ଭଗବାନ ମଧ୍ୟ ବୁଝି ପାରୁନଥିବେ ।

ନୀତିବାଦୀ ଯୁଗ ପରେ ଜୀବନବାଦୀ ଯୁଗ । ମନୋବିଜ୍ଞାନର ଯୁଗ । ଶାସ୍ତ୍ର ଅନୁସାରେ ଗୋଟିଏ ମାର୍କା ମାରି ନ ଦେଇ ମଣିଷକୁ ବୁଝିବାର ଯୁଗ । ଯାହା ଅଛି ତାହାକୁ ଯଥାସମ୍ଭବ ଏକ ସମଗ୍ରତାର ପ୍ରସ୍ଥ ଦେଇ, ଯାହା ଆମେ ହେବାକୁ ଇଚ୍ଛା କରୁଛୁ, ତାର ଆବେଦନ ଏବଂ ଆହ୍ୱାନଗୁଡ଼ିକୁ ବୁଝିବାର ଯୁଗ । ଖୋଳକୁ ଭେଦ କରି ଅନ୍ତର ଭିତରେ ଯିବାଲାଗି ଆଗ୍ରହୀ ହେବାର ଯୁଗ । ଆମର ଏହି ଆଧୁନିକ ଯୁଗ । ଚେତନର ସ୍ତରଟିକୁ ତଥାକଥିତ ବାହ୍ୟଗୁଡ଼ାକୁ ଭେଦକରି ଅବଚେତନ ମଧ୍ୟକୁ ଆଗ୍ରହୀ ହେବାର ଯୁଗ । ଏହି ଯୁଗର ପ୍ରାଥମିକ ପର୍ଯ୍ୟାୟରେ ଚେତନାକୁ ଅବଚେତନାଠାରୁ ଏକାବେଳକେ ଅଲଗା କରି ଦେଖାଇବାର ଏକ ନୀତିବାଦୀ ବୈଜ୍ଞାନିକତା ଆମକୁ ତଥାପି ଭାରି କାମୁଡ଼ି ଧରିଥିଲା ମନୋବିଜ୍ଞାନ ତଥା ଯାବତୀୟ ବିଜ୍ଞାନ ଭିତରେ ଏକ ତୁଳନାତ୍ମକ ଅଧ୍ୟୟନ-ପଦ୍ଧତିର ପ୍ରବେଶ ଘଟିବା ସଙ୍ଗେ ସଙ୍ଗେ ନୀତିବାଦ ହଟିଗଲା । ଅବଚେତନାର ଆହୁରି ତଳକୁ ଭେଦି ମନୁଷ୍ୟ ଏକ ନିତ୍ୟଚେତନର ପରିଚୟ ଲାଭ କଲା । ଉପରେ ଯାହା, ତାହା ହେଉଛି ଆମର ଅହଂ–କେତେ କିସମର ସାମୂହିକ ଅହଂର ଅଳଙ୍କାରଗୁଡ଼ିକ ପିନ୍ଧି ସିଏ ଏଠି ସଂସାର ନାମରେ କେତେ ନା କେତେ ଦୌରାତ୍ମ୍ୟ କରୁଛି । ଦୌରାତ୍ମ୍ୟଗୁଡ଼ିକୁ ଯଶଃ ବୋଲି କହୁଛି । ଭିତର ପଟରେ ଭୀରୁଟିଏ ହୋଇ ରହିଛି, ନିର୍ଧୂମ ଅବିଶ୍ଵାସୀଟିଏ ହୋଇ ରହିଛି, ମୁଖାଟିଏ ପିନ୍ଧି ବସିଛି । ଆପଣାର ଅବଚେତନଟାକୁ ଭାରି ଡରୁଛି, ତେଣୁ ସେଇଟାକୁ କେତେ ରଙ୍ଗ କାଦୁଅ ଦେଇ ମାଠି ମୁଠି ଶୋଭାମୟ କରି ରଖିଛି । ତା'ର ଏପାଖଟା ଦିନ ହୋଇଥିଲେ ସେପାଖଟାରେ ରାତି ହୋଇଛି । ସିଗ୍‌ମୁଣ୍ଟ ଫ୍ରଏଡ୍ ଏକଦା ଏଇଟିକୁ the night side of life ବୋଲି କହିଥିଲେ । ତାଙ୍କର ନୂଆ ବିଦ୍ୟାକୁ ଖଟାଇ ସିଏ ତାଙ୍କ ଭାଷାରେ ସେହି ରାତିପାଖଟା ଭିତରେ କିଞ୍ଚତ୍ ଖଲ ପକାଇବାକୁ ସାହସ କରିଥିଲେ । ସିଏ ଯେତେ ସାହସ କରି ପାରିଲେ ନାହିଁ, ତାଙ୍କରିଠାରୁ ସୂତ୍ର ନେଇ ପରବର୍ତ୍ତୀମାନେ ତା'ଠାରୁ ଅଧିକ ଭେଦ କରିବାକୁ ସାହସ କଲେ । ସେମାନେ ଅବଚେତନକୁ ଭେଦିଲେ । ସେଠାରେ ରତ୍ନ ଭଣ୍ଡାରର ସନ୍ଧାନ ପାଇଲେ ! ଆମେ ଯାହା ସତକୁ ସତ ହୁଅନ୍ତେ, ତାହା ସେହି ଗଭୀର ଚେତନାର ସ୍ତରରେ ଆମଲାଗି ଅପେକ୍ଷା କରି ରହିଛି,–ତଥାକଥିତ ଉପର ଚେତନା ଓ ଅବଚେତନାକୁ ଭେଦିଲେ ଯାଇ ଆମେ ସେହି ଅକ୍ଷୟ ଭଣ୍ଡାରର ସନ୍ଧାନ ପାଇପାରିବା । ଅନ୍ଧାରର ପରସ୍ତ ତଳେ ଆମ ସମ୍ଭାବନାମୟ ଆତ୍ମାଟିର ସନ୍ଧାନ ପାଇପାରିବା ।

୯ । ୧୧ । ୮୯

Image

 

କାଳ ଜିତେ ନାହିଁ, ମଣିଷ ଜିତେ

 

କଜ୍ୱଳ ହେଉଛି ବର୍ଣ୍ଣରେ କଳା, ମାତ୍ର ତାହା ଅନ୍ୟ ଯାବତୀୟ କଳାରଙ୍ଗ ପରି ଢାଙ୍କି ପକାଏ ନାହିଁ, ତାହା ଉଦ୍‌ଘାଟିତ କରି ଆଣେ । ଆଖିଗୁଡ଼ାକୁ ଆହୁରି ଅଧିକ ଘୋଡ଼ାଇ ପକାଇବାକୁ କେହି ଆଖିରେ କଜ୍ୱଳ ଲଗାନ୍ତି ନାହିଁ, ଆଖିକୁ ଅଧିକ ଉଜ୍ୱଳ କରିବା ଉଦ୍ଦେଶ୍ୟରେ ହିଁ ସମସ୍ତେ କଜ୍ୱଳକୁ ଲୋଡ଼ନ୍ତି । କଜ୍ୱଳ ନାଇଥବା କୌଣସି ଆଖିକୁ ଅନାଇଲେ ସତେଅବା ବଡ଼ ସହଜରେ ଉପରୁ ଭିତରକୁ ଭେଦି ହୋଇଯାଏ । ଖାଲି ଆଖିର ବହୁ ଆବରଣ ଫଳରେ ଯାହା ବାହାରକୁ ଫୁଟି ଉଠିପାରୁ ନଥାଏ, କଜ୍ୱଳ ଲାଗିଲେ ସେହି ଆଖିର କେତେ ଭିତରକୁ ଦେଖି ହେଉଥିଲା ପରି ଲାଗେ ।

 

ଆମେ କାଳର ଆଖିରେ କଜ୍ୱଳ ଲଗାଇ କାଳକୁ ଦେଖିବାକୁ ଚେଷ୍ଟା କରିବା । ନାନା କାରଣରୁ ଆମ କାଳର ଏହି ବହୁବିଧ ବ୍ୟୁହ ମଧ୍ୟରେ ଆମେ ଏପରି ପୋତି ହୋଇ ପଡ଼ିଲୁଣି ଯେ, ତା' ଭିତରେ ନିଜକୁ ଉଚିତ ପରିଚୟରେ ଠଉରାଇ ନେଇପାରିବା ମଧ୍ୟ ଏବେ ଅଧିକାଂଶ କ୍ଷେତ୍ରରେ ସମ୍ଭବ ହେଉନାହିଁ । ସତେ ଯେପରି କାଳ ଯାଇ କୁଆଡ଼େ ହେଲାଣି ଓ ଆମେ ହୁଏତ ଆଉ କୁଆଡ଼େ ଯାଇ ହେଲୁଣି । ସତ ନାମରେ ମିଛମାନେ ରଜାହୋଇ ବସିଲେଣି । ଆମ ବହିଗୁଡ଼ାକରେ ସତ୍ୟମାନେ ଲେଖା ହୋଇ ରହିଛନ୍ତି, ମାତ୍ର ଆମ ଜୀବନର ସତ କ୍ଷେତ୍ରମାନଙ୍କରେ ମିଥ୍ୟମାନେ ରାଜତ୍ଵ କରୁଛନ୍ତି । ମିଥ୍ୟାମାନେ ହିଁ ସତ୍ୟ ବୋଲି ବାହୁସ୍ପୋଟ ମାରୁଛନ୍ତି । ଆମମାନଙ୍କର ପରିପ୍ରେକ୍ଷୀରେ କାଳକୁ ଆଉ ମୋଟେ ଚିହ୍ନି ହେଉନାହିଁ ଅଥବା କାଳର ପରିପ୍ରେକ୍ଷୀରେ ଆମ ନିଜକୁ ମଧ୍ୟ ଚିହ୍ନି ହେଉନାହିଁ । ତଥାପି ସବୁ ଚାଲିଛି । ଏସବୁ କାହିଁକି ଚାଲିଛି ବୋଲି ଆମ ଭିତରୁ ହୁଏତ ମୋଟେ କେହି ନ ଜାଣିଥିଲେ ମଧ୍ୟ ସବୁ ଚାଲିଛି । ଏବଂ, ସେହି ଯାବତୀୟ ଚାଲିବାରେ ଆମେ ସମସ୍ତେ ସତେଅବା ନାୟକ ରୂପେ ଅଭିନୟ କରି ବାହାରିଛି । ଭୂମିଟି ବିଷୟରେ ଆମକୁ ଆଦୌ କିଛି ମାଲୁମ ନ ଥିଲେ ମଧ୍ୟ ତଥାପି ଅଭିନୟରେ ଭୂମିକାମାନେ କେଡ଼େ ଫଟଫଟ ଓ କେତେ ଚହଚହ ହେବାରେ ଲାଗିଛନ୍ତି । ଭୂମିଟିକୁ ନ ଜାଣିଥିବା ମଣିଷମାନେ ହିଁ ପ୍ରାୟ ପନ୍ଦର ଗୁଣ ଅଧିକ ଉତ୍ସାହରେ ଭୂମିକାଗୁଡ଼ିକୁ ଅଭିନୟ କରି ବାହାରିଥାନ୍ତି । ସେମାନେ ଭୂମିକାଗୁଡ଼ିକୁ ସତକୁ ସତ ଗିଳି ଦିଅନ୍ତି । ଭୂମିଗୁଡ଼ିକ କୁଆଡ଼େ ମନ କୁଆଡ଼େ ଅଦୃଶ୍ୟ ହୋଇ ରହିଥାଏ । ଏଥିରୁ ବହୁ ବିଡ଼ମ୍ବନାର ସୃଷ୍ଟି ହୁଏ । କାଳ ବିଡ଼ମ୍ବିତ ହୋଇ ରହି ଥାଏ ।

 

ଭୂମି ନାହିଁ, ଭୂମିକାମାନେ ବଜର ବଜର ହେଉଛନ୍ତି, ବଜାର ଭିତରେ ବର ହୋଇ ବାହାରିଛନ୍ତି । ରାଜନୀତି ନାହିଁ, ରାଜନୀତି ଚାଲିଛି; ସାଧୁତା ନାହିଁ ବଡ଼ ସିଂହାସନରେ କେଡ଼େ କେଡ଼େ ବଡ଼ ଦିଶୁଛନ୍ତି । ବିଦ୍ୟା ନାହିଁ, ବିଶ୍ଵବିଦ୍ୟାଳୟ ଚାଲିଛି; ସାହିତ୍ୟିକ ଲଜ୍ଜା ବୋଲି କୋଉଠି କିଛି ନାହିଁ, ସାହିତ୍ୟିକମାନେ ସଂଘ ଗଢ଼ି, ସାମ୍ମୁଖ୍ୟ ଥାପି ସଭାମାନଙ୍କରେ କେତେ ଅପରସିକତା କରିବାରେ ଲାଗି ପଡ଼ିଛନ୍ତି । ଚେର ବୋଲି କିଛି ନାହିଁ, ତଥାପି କେଡ଼େ ଉଚ୍ଚର ଶାଖାଗୁଡ଼ାକ ଚେର ନଥିଲେ ମଧ୍ୟ ଆକାଶଗୁଡ଼ାକୁ ମାଡ଼ି କରି ରହିଛନ୍ତି । ଏହି କାଳଟିକୁ ଆମେ ସତକୁ ସତ କ’ଣ ବୋଲି କହିବା ? ଆଖିରେ କଜ୍ୱଳ ଲଗାଇ ଦେଖି ନ ପାରିଲେ କାଳ ଭିତରକୁ ଭେଦି ବି ପାରିବା କିପରି ?

 

ପୃଥିବୀଯାକ ପ୍ରାୟ ସବୁଠାରେ ଏବେ ଅଧିକରୁ ଅଧିକ ମଣିଷ ଏକ ଅଲଗା ପ୍ରକାରର ଭବିଷ୍ୟତର ସନ୍ଧାନରେ ବାହାରିଲେଣି, ଆପଣାର ଅସଲ ଚେରଗୁଡ଼ିକୁ ଆବିଷ୍କାର କରିବାକୁ ମନ କଲେଣି । Alterativeର କଥା କହିଲେଣି, ନୂଆ ବିଜ୍ଞାନର ଆଖିରେ ସେମାନେ ସମ୍ପୂର୍ଣ୍ଣ ଏକ ନୂତନ ପ୍ରସ୍ଥ ଉପରେ ମଣିଷର ଜୀବନ ଓ ମୂଲ୍ୟାବେଦନଗୁଡ଼ିକ ବିଷୟରେ ନାନା ନୂତନ ଭାଷ୍ୟ ଲେଖିବାକୁ ବାହାରିଲେଣି । ଉଦ୍‍ବୁଦ୍ଧ ମଣିଷର ଏହି ନୂତନ ଆଗ୍ରହ ପାଖରେ ପରାଭବ ମାନି ରାଷ୍ଟ୍ର ନଇଁ ଆସୁଛି, ବାଦ ନଇଁ ଆସୁଛି, କଂସମାନେ ଏବେ କୋମଳ ହେବାକୁ ନିଷ୍ପତ୍ତି କଲେଣି । ମାତ୍ର, ଭାରତବର୍ଷରେ ସତେ ଅବା ଭୂମିଟିଏ ହେଲେ କୋଉଠି ନାହିଁ । କାହିଁକି ?

 

ଯେଉଁ ଭୂମିଟି ଥିଲା, ଗତ ଚାଳିଶି ବର୍ଷର ବିଶେଷ ଅବଧିଟି ମଧ୍ୟରେ ସେହି ଭୂମିଟି ମଧ୍ୟ ଏକାବେଳକେ ଭାଙ୍ଗି ପଡ଼ିଛି । ଭୂମିଟି ସତକୁ ସତ ରହିଥିଲେ ମଧ୍ୟ ତାହା ବର୍ତ୍ତମାନ ଆମଲାଗି ଖୁବ୍ ବେଶି କାମ ଦେଇ ପାରୁଥାନ୍ତା କି ନାହିଁ, ସେଥିରେ ମଧ୍ୟ ଅନେକ ସଂଶୟ ରହିଛି । ଭୂମି ନାମରେ ଗୁଡ଼ାଏ ଭାବପ୍ରବଣତା ଆମକୁ ପ୍ରାୟ ବେକଯାଏ ଗିଳିକରି ରହିଛି, ଆମର ଯଥାର୍ଥ ଭାବଗୁଡ଼ିକୁ ଅତ୍ୟନ୍ତ ସାଂଘାତିକ ଭାବରେ କାମୁଡ଼ି ଧରିଛି । ଉପରେ ଆମେ କେତେ କେତେ ସାହସିକତା ତଥା ଦୁଃସାହସିକତାର ଭେରୀ ବଜାଇବାରେ ଲାଗିଛୁ, ଜୀବନଗୁଡ଼ାକୁ ଭେଳିକି ଲଗାଇ ବାନ୍ଧି ରଖିଛି; ମାତ୍ର ତେଣେ ଆମ ଭିତରେ ଜଳକା ହୋଇ, ନିଷ୍କ୍ରିୟ ହୋଇ ଅନାଇ ରହିଛି । ଭୀରୁଟିଏ ହେଲେ ଅସାଧୁ ହେବାକୁ ଆଦୌ ବେଶି ବେଳ ଲାଗେ ନାହିଁ । ଅସାଧୁତା ହିଁ ମଣିଷଟାକୁ ଭୀରୁ ହେବା ସକାଶେ ଆବଶ୍ୟକ ରସଦ ଆଣି ଯୋଗାଇ ଦିଏ ଅଥବା, ଆଗ କୌଣସି କାରଣରୁ ଜଣେ ବ୍ୟକ୍ତି ବା ଗୋଟିଏ ସମାଜ ଭୀରୁ ହେବାର ନିଷ୍ପତିଟିଏ ଗ୍ରହଣ କଲେ ତାହା ତାକୁ ଅସାଧୁ ହେବାଲାଗି ବାଧ୍ୟ କରେ, ଭାରତବର୍ଷର ବିଗତ ଚାଳିଶି ବର୍ଷର ସାମ୍ପ୍ରତିକ ଇତିହାସକୁ ଘାଣ୍ଟି କରି ଦେଖିଲେ ଆମକୁ ହୁଏତ ତାହାର ବହୁତ ସୁରାଖ ମିଳିଯାଇ ପାରିବ । ତଥାପି ନିଜ ଭିତକୁ ଅନାଇ ମଧ୍ୟ ସେହି ଭୀରୁଟିକୁ ଆମେ ଅତ୍ୟନ୍ତ ଅନାୟାସରେ ଠାବ କରିପାରିବା ।

 

ଉପରେ କିଏ ରାଜନୀତି କରୁଛି, କିଏ ସଂସ୍କୃତି କରୁଛି, ଶିକ୍ଷା ଭିତରେ କିଏ ଶିକ୍ଷାଧୀଶ ହୋଇ ବସିଛି, ଆଉ କିଏ ସାହିତ୍ୟ ଭିତରେ ଭଣ୍ଡାର ଆବୋରି ବସିଛି, ଭର୍ତ୍ତା ହୋଇଛି, କର୍ତ୍ତା ବୋଲାଉଛି, ଉଚ୍ଚ ଚଉକୀଟିଏ ଦେଖିଲେ ଲାଜ ଭୁଲି ସତେ ଅବା ଭିତରେ ତାକୁ ଭାରି ବିକଳ କରୁଥିବା ପିତ୍ତଟିର ତାଡ଼ନାରେ ସ୍ୱୟଂ ସେହି ଚଉକୀ ଉପରେ ଯାଇ ବସିପଡ଼ୁଛି, ଏବଂ ଭିତରେ ଭୀରୁଟାକୁ କାନ୍ଧରେ ବସାଇଛି ।

 

ଭିତରେ ଭୀରୁ, ବାହାରେ ତୋଷାମଦକାରୀ; ଭିତରେ ହତବଳ, ତେଣୁ ବାହାରେ ଅତି ଉଗ୍ର । ଆମ ସାମୂହିକ ଜୀବନର ଅଳିନ୍ଦଗୁଡ଼ିକ ଏହିସବୁ ବିଡ଼ମ୍ବନା ଓ ମିଥ୍ୟା ପ୍ରବଞ୍ଚନା ଦ୍ଵାରା ଭାରି ବିଡ଼ମ୍ବିତ ହୋଇ ରହିଛି । ବିଡ଼ମ୍ବନାର ଏହି କ୍ରୁର ଗହଳଟି ଭିତରେ ବ୍ୟକ୍ତିଟିଏ ଯେକୌଣସି ପ୍ରକାରେ ଆପଣାକୁ ଖାପ ଖୁଆଇ ତିଷ୍ଠି ରହିବାକୁ ଚେଷ୍ଟା କରୁଛି । ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ ସିଏ ଯେକୌଣସି ପ୍ରକାରେ ତିଷ୍ଠି ରହିବାକୁ ହିଁ ଜୀବନସଂଗ୍ରାମ ବୋଲି କହୁଛି । ମାତ୍ର, ଜୀବନ କହିଲେ କ'ଣ ଖାଲି ଏତିକି ? ଏବଂ ଏତିକି ଭିତରେ ତିଷ୍ଠି ରହିବାର ଆମର ଯେଉଁ ଚେଷ୍ଟା ବା ଅପଚେଷ୍ଟାଗୁଡ଼ିକ, ତାହାହିଁ କ’ଣ ଯଥାର୍ଥ ସଂଗ୍ରାମ ?

 

ଆମେ ଆଖିରେ କଜ୍ୱଳ ଲଗାଇ ପରସ୍ପରକୁ ଦେଖିବାକୁ ଚେଷ୍ଟା କରିବା । ପରସ୍ପରର ଭିତରେ ପ୍ରବେଶ କରିବା । ଆମରି ମାଧ୍ୟମରେ ଆମର କାଳଟିକୁ ନିରୀଖିବାକୁ, ପରଖି ଦେଖିବାକୁ ଚେଷ୍ଟା କରିବା । ଏହି କାଳର ଆଖିଗୁଡ଼ାକରେ ମଧ୍ୟ କଜ୍ୱଳ ଲଗାଇ କାଳ ଭିତରକୁ ଭେଦି ପାରିବାକୁ ଚେଷ୍ଟା କରିବା । ମୂଳତଃ ନିଃସଙ୍ଗ ହୋଇ ରହିବାକୁ ମନ କରୁଥିବା ବ୍ୟକ୍ତିମାନେ କାଳଦ୍ଵାରା ଏମିତି କଉଶଳରେ ଗିଳି ହୋଇ ରହିଥାନ୍ତି ଯେ ସେମାନେ କାଳକୁ କଦାପି ଜିତି ହେବନାହିଁ ବୋଲି ଚାରୁବାକ୍ୟମାନ ଚର୍ବଣ କରିବାରେ ଲାଗିଥାନ୍ତି । ମାତ୍ର, ପୃଥିବୀର ଇତିହାସ କାଳେ କାଳେ କହି ଆସିଛି ଯେ, କାଳ କେବେହେଲେ ଜିତେ ନାହିଁ, ଏହି ମଣିଷ ହିଁ ଜିତେ । ଆପଣା ଭିତରେ ଭୀରୁଟା ଉପରେ ଜୟଲାଭ କରି ମଣିଷ କାଳକୁ ଜିତେ । ନିଃସଙ୍ଗମାନେ ବିଳାପ କରୁଥାନ୍ତି, ଅସଲ ମଣିଷ ସଙ୍ଗୀ ଖୋଜି ବାହାରିଯାଏ ।

୧୬ । ୧୧ ।୮୯

Image

 

ଏ ସମାଜ ମଣିଷଦ୍ଵାରା ତିଆରି

 

ବ୍ୟକ୍ତି କହୁଛି, ସମାଜ ବିଗିଡ଼ି ଗଲାଣି, ତେଣୁ ବ୍ୟକ୍ତିର ଆଉ କିଛିହେଲେ କରିବାର ନାହିଁ-। ଏଇଟା ଏମିତି ଅଧିକରୁ ଅଧିକ ବିଗିଡ଼ି ବିଗିଡ଼ି ଯାଉଥିବ । ଏହାକୁ ଆଉ ଅଟକାଇ ହେବନାହିଁ । ମାତ୍ର, ଏହିପରି ଶେଷକୁ କ'ଣ ହେବ ? ସେକଥା ଆମେ କେହି କହି ପାରିବା ନାହିଁ । ଶେଷକୁ ଭଗବାନ ଯାହା କରିବେ । ଭଗବାନ ଯେ ଅବଶ୍ୟ କିଛି କରିବେ, ସେକଥା ଗୀତାରେ ଲେଖା ହୋଇଛି । ସେତେବେଳେ ଭଗବାନ ଏହି ପୃଥିବୀକୁ ଅବତରି ଆସିବେ । ଏକାବେଳେକେ ଏକ ପୁନଃସଂସ୍ଥାପନା ଲାଗି ସିଏ ପୃଥିବୀକୁ ଆସିବେ । ଆପଣାର ଦଳବଳଙ୍କୁ ନେଇ ସିଏ ସିଆଡ଼ୁ ଆସିବେ ।

 

ଭଗବାନ ଯେ ଆସିବେ, ଏକଥା ଏହି ମଣିଷ ଲେଖିଛି । ଭଗବାନ ଲେଖିନାହାନ୍ତି । କୌଣସି କାରଣରୁ ଯେତେବେଳେ ମଣିଷ ସମସ୍ତ ବିଶ୍ୱାସ ହରାଇବସେ, ବିଚରା ଯେତେବେଳେ ଅତି ଅସହାୟ ଅସମର୍ଥ ଭାବରେ ଖାଲି ସୁଅରେ ଭାସି ଯାଉଥିବା ପରି ଅନୁଭବ କରେ, ସୁଅଟାକୁ ବା ସୁଅଗୁଡ଼ିକୁ ଅଟକାଇବାକୁ ଯେତେବେଳେ ତା’ର ଆଉ ମୋଟେ ବଳ ପାଏନାହିଁ, ଅର୍ଥାତ, ଆହୁରି ସିଧା କରି କହିଲେ, ଯେତେବେଳେ ସୁଅ ବିରୁଦ୍ଧରେ ଯିବାଲାଗି ତା'ର ବଳ ପାଏନାହିଁ ସିଏ ଅଥବା ଇଚ୍ଛା କରେନାହିଁ, ସେତିକିବେଳେ ସିଏ ତା’ର କାମଗୁଡ଼ିକୁ ଭଗବାନଙ୍କ ଉପରେ ଟେକିଦିଏ-। ଭଗବାନ କ'ଣ ଏହି ପୃଥିବୀ ବାହାରେ ଆଉ କେଉଁଠାରେ ଥାଆନ୍ତି ଯେ ମଣିଷଆଡ଼ୁ ଡାକରା ପଡ଼ିଲେ ଯାଇ ପୃଥିବୀକୁ ଆସନ୍ତି ? ସିଏ ଆଉ ଯୁଆଡ଼େ ଥାଆନ୍ତୁ ପଛକେ, ଏହି ପୃଥିବୀରେ ମଧ୍ୟ ଥାଆନ୍ତି । ମଣିଷ ତାଙ୍କୁ ଇଚ୍ଛା କରେନାହିଁ ବୋଲି ସିଏ ତାକୁ ଦୃଶ୍ୟ ହୁଅନ୍ତି ନାହିଁ । ନିଜ ଭିତରେ ଖିଅଟିକୁ ହରାଇ ବସିଥିବା ବିଚରା ଉତ୍ତେଜିତ ଓ ପତିତ ମଣିଷଟିକୁ ଭଗବାନ ମୋଟେ ଦୃଶ୍ୟ ହୋଇ ପାରନ୍ତି ନାହିଁ । ଉତ୍ତେଜିତ ଓ ଖିଅଛିଣ୍ଡା ମଣିଷ ହିଁ ଭଗବାନ ପୃଥିବୀର ବାହାରେ ବୋଲି କହୁଥାଏ, କହି ବଡ଼ ସାରିବା ପାଏ, ନିଜର ଗୋଡ଼ କାଢ଼ି ବାଟ ଚାଲିବାର ବେଳଟିକୁ ଗଡ଼ାଇ ଗଡ଼ାଇ ଚାଲିଥାଏ । ନିଃସଙ୍ଗ ହୋଇ ରହିବାକୁ ପ୍ରାୟ ନିଷ୍ପତ୍ତି କରି ନେଇଥିବା ମଣିଷର ଆଉ ସାଙ୍ଗ ଆସିବ କୁଆଡ଼ୁ ? ମାତ୍ର ସିଏ ହେଉ ଅନ୍ୟ କଥା ।

 

ବ୍ୟକ୍ତି ହୁଏତ ଯାହା କହିବାର କହୁଛି, ମାତ୍ର ସମାଜ କ'ଣ କହୁଛି ? ସମାଜ ବୋଲି କେହି କେଉଁଠି ଅଲଗା ହୋଇ କ'ଣ ବସିଛି ଯେ ସିଏ ତା'ଆଡ଼ୁ ଅଲଗା କରି କିଛି କହି ପାରିବ ? ସମାଜ କହିଲେ ସବୁଦିବେ ଯାହା ବୁଝାଇ ଆସିଥିଲା, ଆଜି ମଧ୍ୟ ଯାବତୀୟ ଅର୍ଥରେ ତାହାହିଁ ବୁଝାଇବ । ସମାଜ, ଅର୍ଥାତ୍ ସମାଜରେ ଚଳି ଆସୁଥିବା ଅର୍ଥାତ୍ ସମାଜକୁ ଚଳାଉଥିବା ଯାବତୀୟ ବ୍ୟବସ୍ଥା,–ଶାସନର ବ୍ୟବସ୍ଥା, ଅର୍ଥନୀତିର ବ୍ୟବସ୍ଥା, ରାଜନୀତିର ବ୍ୟବସ୍ଥା, ଧର୍ମର ବ୍ୟବସ୍ଥା, ଶିକ୍ଷାର ବ୍ୟବସ୍ଥା, ନୀତିଅନୀତିର ବ୍ୟବସ୍ଥା ଓ ସେହିଗୁଡ଼ିକ ସହିତ ସାନବଡ଼ ଆହୁରି ଅନେକ ବୋକଚାରେ ବନ୍ଧା ହୋଇଥିବା ଆହୁରି ଅନେକ ଅନେକ ବ୍ୟବସ୍ଥା । ଏହି ବ୍ୟବସ୍ଥାଗୁଡ଼ିକ କୋଉଠୁ ଆସିଲେ ? ଏହି ବ୍ୟବସ୍ଥାଗୁଡ଼ିକୁ ଅନେକେ ଭଗବାନ ଭିଆଇଛନ୍ତି ବୋଲି ମାନନ୍ତି । ଭଗବାନ ତ କେବଳ ଗୋଟିଏ ବା ପାଞ୍ଚଟା ଦେଶର ବା ସମାଜର ଖବର ବୁଝନାହାନ୍ତି, ସିଏ ଏହି ସମଗ୍ର ପୃଥିବୀର, ଏହି ସମୁଦାୟ ସୃଷ୍ଟିଟାର ଖବର ବୁଝୁଛନ୍ତି । ଯଦି ସିଏ ସତକୁ ସତ ଆମ ପାଇଁ କୌଣସି ବ୍ୟବସ୍ଥା କରିଥାନ୍ତେ, ତେବେ ସଂସାରରେ ସମସ୍ତଙ୍କ ପାଇଁ ହିଁ ଗୋଟାଏଭଳି ବ୍ୟବସ୍ଥା କରିଥାନ୍ତେ । ମାତ୍ର, ଏହି ବ୍ୟବସ୍ଥାରେ ପୁଣି ଦେଶକେ ଫାଙ୍କ୍‍ ଓ ନଈକେ ବାଙ୍କ୍‍ ଭଳି ହେଲା କାହିଁକି ? ଭଗବାନଙ୍କର କେଉଁଠି ଅବା କଚେରୀରେ କ’ଣ ସତକୁ ସତ ଭଳି ଭଳି ସିରସ୍ତା ଓ ଭଳି ଭଳି ବିଭାଗ ରହିଛି, ଯେଉଁଠାରୁ କି ଭିନ୍ନ ଭିନ୍ନ ସମାଜ ଓ ଭିନ୍ନ ଭିନ୍ନ ଦେଶ ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା ଏହି ପୃଥିବୀକୁ ଆସୁଛି ? ମଣିଷର ତଥାକଥିତ ପବିତ୍ର ପୁସ୍ତକଗୁଡ଼ିକ ମଣିଷକୁ ଯେ ପ୍ରକୃତରେ କେଉଁ ଭଉଁରୀରେ ପକାଇ ତାକୁ ବ୍ୟବସ୍ଥା ଭିତରେ ଘଣା ବୁଲାଉଛନ୍ତି, ଏଇଥିରୁ ହିଁ ତାହାର କିଛି ଆଭାସ ମିଳି ପାରିବ-

 

ଏହି ପବିତ୍ର ପୁସ୍ତକଗୁଡ଼ିକୁ କିଏ ଲେଖିଛନ୍ତି ? ଯେକୌଣସି ସମାଜର ମହାନ୍ ପୁରୁଷମାନେ ଏଗୁଡ଼ିକୁ ପ୍ରାୟ ପ୍ରୟୋଜନରେ ପଡ଼ି କାଳେ କାଳେ ଅପୌରୁଷେୟ ବୋଲି କହିଛନ୍ତି । ଏବେ ମଧ୍ୟ ମହାନ୍ ପୁରୁଷମାନେ ଅଛନ୍ତି, ତେଣୁ ଏବେ ମଧ୍ୟ ସେହିପରି କୁହାଯାଉଛି । ଅନେକ ଏଭଳି ମଣିଷ ଥାଆନ୍ତି, ଯେଉଁମାନଙ୍କର ପ୍ରତିଷ୍ଠାବୋଧ ବା ଅହଂକାରଗୁଡ଼ାକ ପୃଥିବୀରୁ ଲଟାଇ ଲଟାଇ ଏକାବେଳକେ ସ୍ଵର୍ଗ ଯାଏ ମାଡ଼ି ଯାଇଥାଏ । ସେହିମାନେ ହିଁ ଏହି ପୃଥିବୀରେ ଲେଖା ହୋଇଥିବା ବହିଗୁଡ଼ାକୁ ଅପୌରୁଷେୟ ବୋଲି କହନ୍ତି ।

 

ଅଯୋଗ୍ୟ ପୃଥିବୀ ନିମନ୍ତେ ପୃଥିବୀ ବାହାରର ଯୋଗ୍ୟ ଅପୁରୁଷମାନେ ବହିମାନ ଲେଖି ଦେଇଛନ୍ତି ଏବଂ ବ୍ୟବସ୍ଥାମାନ ଗଢ଼ି ଦେଇଛନ୍ତି ବୋଲି ସେହିମାନେ କହିଥାନ୍ତି । କେବଳ ଆମର ଏହି ଗୋଟିଏ ଦେଶରେ ନୁହେଁ, ଭଗବାନଙ୍କୁ ମାଡ଼ି ବସିଥିବା ପ୍ରାୟ ପ୍ରତ୍ୟେକ ଦେଶରେ ଆପଣାକୁ ସାଧାରଣ ମଣିଷମାନଙ୍କଠାରୁ ତଥାପି କିଞ୍ଚିତ୍ ଅଧିକ ବା ଉର୍ଦ୍ଧ୍ୱ ବୋଲି ମନେ କରୁଥିବା ବିଶେଷମାନେ ସେଭଳି କହିଥାନ୍ତି । ସେଥିରୁ ସେମାନେ ଭାରି ଲାଭ ପାଆନ୍ତି ।

 

ବହିଗୁଡ଼ିକୁ ମଣିଷମାନେ ତିଆରି କରିଛନ୍ତି । ବ୍ୟବସ୍ଥାଗୁଡ଼ିକୁ ମଧ୍ୟ ମଣିଷମାନେ କରିଛନ୍ତି । ବହିଗୁଡ଼ିକ ଅନୁସାରେ କଦାପି ବ୍ୟବସ୍ଥାଗୁଡ଼ିକୁ କରା ହୋଇନାହିଁ । ବ୍ୟବସ୍ଥାଗୁଡ଼ିକ ଅନୁସାରେ ହିଁ ବହିମାନେ ଲେଖା ହୋଇଛନ୍ତି । ରାଜନୀତି ତଥା ଅର୍ଥନୀତିର ଭାଷାରେ ସେହି ପକ୍ଷଟିକୁ ନ୍ୟସ୍ତସ୍ୱାର୍ଥ ବୋଲି ହିଁ କୁହାଯିବ । ଆପଣାର ନ୍ୟସ୍ତସ୍ୱାର୍ଥଗୁଡ଼ିକର ରକ୍ଷା ପାଇଁ ସେମାନେ ବ୍ୟବସ୍ଥାମାନ କରିଛନ୍ତି । ଗୋଟାଏ ଦେଶକୁ ବା ସମାଜକୁ ଚଳାଇବା ସକାଶେ ରଜ୍ଜୁଗୁଡ଼ିକ ଯାହା ହାତରେ ରହିଥାଏ, ସେହିମାନେ ହିଁ ଆପଣ ହେବାଭଳି କେତେକ ବିଧାନର ଭିଆଣ କରନ୍ତି ଓ ସମାଜ ନାମରେ, ସମାଜର ମଙ୍ଗଳ ନାମରେ ତାହାକୁ ଦେଶ ବା ସମାଜ ଉପରେ ଚଳାଇ ଦିଅନ୍ତି । ଆଗେ ରାଜାମାନେ ଥିଲେ, ଏହିପରି କରୁଥିଲେ । ରାଜାମାନଙ୍କର ସଭାରେ ପୁରୋହିତମାନେ ଥିଲେ ବଂଶଗୁରୁମାନେ ରହିଥିଲେ, ରାଜାଙ୍କର ବୋଲମାନ ବ୍ୟବସ୍ଥାଗୁଡ଼ିକୁ ଲେଖିଦେଉଥିଲେ । ତାହାରି ମୁତାବକ ପ୍ରଜାମାନେ ଚଳୁଥିଲେ । ସେଗୁଡ଼ିକୁ ଏକ ଚମତ୍କାର ପରମ୍ପରାର ନିର୍ଦ୍ଦେଶରେ ଧର୍ମ ସହିତ ଓ ଭଗବାନଙ୍କ ସହିତ ଯୋଡ଼ିଦିଆ ଯାଉଥିଲା; ଅଥବା ଧର୍ମ ଓ ଭଗବାନଙ୍କୁ ଆଣି ସେଗୁଡ଼ିକର ଲାଞ୍ଜରେ ବାନ୍ଧିଦିଆ ଯାଉଥିଲା । ତେଣୁ ନମାନିବାକୁ ଆଉ କୌଣସି ଚାରା ନଥିଲା । ଶୁଳି ଥିଲା, ଫାଶୀ ଥିଲା, ଅନ୍ୟାନ୍ୟ ଶାସ୍ତିମାନ ରହିଥିଲା । ସବା ଉପରକୁ ସ୍ୱର୍ଗ ଓ ନର୍କର ତୁଳନାତ୍ମକ ବିଧାନମାନ ରହିଥିଲା । ଅର୍ଥାତ୍, ଭଗବାନ ମଧ୍ୟ ବ୍ୟବସ୍ଥା ପଛରେ ବନ୍ଧାହୋଇ ରହିଥିଲେ ।

 

ସେକାଳରେ ରଜା ଥିଲେ, ଏକାଳରେ ମଧ୍ୟ ରଜା ଅଛନ୍ତି । ସେକାଳରେ ରଜା ଅଧକ ଦୃଶ୍ୟ ଭାବରେ ରହିଥିଲେ । ଏବେ ହାତୀ ଉପରେ ବସିଥିବା ପରି ଏଡ଼େ ଜଳଜଳ ହୋଇ ଦିଶୁ ନାହାନ୍ତି ସତ, ତଥାପି ଅଛନ୍ତି । ସେମାନଙ୍କ ଉପରେ ଆଗଭଳି ହାତୀଦ୍ଵାରା ସୁବର୍ଣ୍ଣ କଳସ ଢଳା ହେଉନାହିଁ ସତ, ତଥାପି ସେମାନଙ୍କ ମୁଣ୍ଡରେ ସୁବର୍ଣ୍ଣ କଳସ ରଖାହୋଇଛି । ଆମର ଅର୍ଥନୀତି, ରାଜନୀତି, ଶିକ୍ଷା, ସଂସ୍କୃତି, ସଂସ୍କାର, – ସେହିଠାରୁ ହିଁ ସବୁ ନିରୂପିତ ହୋଇ ଆସୁଛି । ତାହାକୁ ହିଁ ଆର୍ଷ ପ୍ରୟୋଗରେ ସମାଜ ବୋଲି କୁହାଯାଉଛି । ସେଠାରେ ସମାଜର ସମସ୍ତେ ଆଦୌ ନାହାନ୍ତି । ପୃଥିବୀର ଅଧିକାଂଶ ଦେଶ ଓ ସମାଜରେ ସେହି ଦେଶ ବା ସମାଜର ଅଧକାଶ ମଣିଷ ସେଠାରେ ମୋଟେ ନାହାନ୍ତି, ଏବଂ ସେହି କାରଣରୁ ହିଁ ଅଧିକାଂଶ ଦେଶରେ ଅର୍ଥନୀତି, ରାଜନୀତି, ଶିକ୍ଷା, ନୈତିକତା, ଶାସନ ତଥା ଶାସ୍ତିବିଧାନର ରଜ୍ଜୁଗୁଡ଼ିକ ସତକୁ ସତ ଅଳ୍ପ ସଂଖ୍ୟକଙ୍କ ପକ୍ଷରେ ରହିଛି-। ସେହିମାନଙ୍କର ଉଆସରୁ ବ୍ୟବସ୍ଥାଗୁଡ଼ିକର ଭିଆଣ ହୋଇ ଆସୁଛି, ଉଆସ ବାହାରେ ଥିବା ଅଣାକୁ ମଣିଷ ତାହାକୁ ହିଁ ମୁଣ୍ଡରେ ବୋହୁଛନ୍ତି । କହିବା ବାହୁଲ୍ୟ, ଏହି ବ୍ୟବସ୍ଥାଗୁଡ଼ିକ ସମସ୍ତଙ୍କୁ ଆଖି ଆଗରେ ରଖି ତିଆରି ହୋଇନାହିଁ । ଆମର ତଥାକଥିତ ମୂଲ୍ୟବୋଧଗୁଡ଼ିକୁ ଦୁର୍ମୂଲ୍ୟ ବୋଲି ଅନୁଭବ କରୁଥିବା ଅଳ୍ପସଂଖ୍ୟକଙ୍କ ଦ୍ୱାରା ହିଁ ସମାଜ ଉପରେ ଚଳାଇ ଦିଆହୋଇଛି । ସମାଜର ସମସ୍ତେ ଯଦି ନିଜର ବ୍ୟବସ୍ଥାଗୁଡ଼ିକ ତିଆରି ହେବା ନେଇଥାନ୍ତେ, ତେବେ ବ୍ୟକ୍ତି ଆଉ ସମାଜ ବୋଲି ଦୁଇଟା ଅଲଗା କଥା କହି ଏପରି ଘାରି ରଖିନଥାନ୍ତା । ଏ ଅନ୍ଧକାର ମଧ୍ୟ ନଥାନ୍ତା ।

୨୩ । ୧୧ । ୮୯

Image

 

ମଦାୟତ୍ତଂ ତୁ ପୌରୁଷମ୍

 

ସେଦିନ ସନ୍ଧ୍ୟାବେଳେ ସାନଭାଇ ମନୋଜ ଆସି ତା’ପାଇଁ ପାଞ୍ଚ ମିନିଟ୍ ସମୟ କଷ୍ଟ କରିବାକୁ କହିଲା । ପାଞ୍ଚ ମିନିଟ୍ କଷ୍ଟ କରିବାର ଅର୍ଥ ହେଉଛି ପାଞ୍ଚ ମିନିଟ୍ ସମୟ ଦେବା । ଆଗାମୀ ସପ୍ତାହରେ ପିଲାମାନଙ୍କର କେଉଁଠାରେ ଏକ ତର୍କ ପ୍ରତିଯୋଗିତା ହେଉଥିଲା । ସେଠାରେ ବିଷୟଟିଏ ଥିଲା ଏବଂ ମନୋଜ ସେହି ବିଷୟରେ କ'ଣ ସବୁ କହିବାକୁ ପଡ଼ିବ, ମୁଁ ତାକୁ ଠିକେଠିକେ କିଞ୍ଚିତ୍ କହିଦିଏ ବୋଲି ଆଶା କରୁଥିଲା ।

 

ମହାମୁନି ବେଦବ୍ୟାସ ଯାହା ମହାଭାରତରେ ଲେଖି ପାରିଲେ ନାହିଁ, ବହୁଶତ ବର୍ଷ ପରେ ଖ୍ରୀଷ୍ଟ ୮ମ ଶତାବ୍ଦୀରେ ଭଟ୍ଟନାରାୟଣ ‘ବେଣୀସଂହାର’ରେ ତାହା ଲେଖିପାରିଲେ । ବ୍ୟାସଦେବଙ୍କ ସମୟର ସମାଜରେ ପୁରୁଷକାର ମଦୟତ୍ତ ଥିଲା କି ନାହିଁ, ସେକଥା ନିର୍ଭୁଲ ଭାବରେ କୁହାଯାଇ ପାରିବ ନାହିଁ । ହୁଏତ ଅରଣ୍ୟମାନଙ୍କରେ କିଞ୍ଚିତ୍ ପରିମାଣରେ କେତେକ ଅବସରରେ ଥିଲା । ଶ୍ରୀଯୁକ୍ତ ଭଟ୍ଟନାରାୟଣଙ୍କ ସମୟରେ ତାହା ମଦାୟତ୍ତ ମୋଟେ ନଥିଲା । ସମ୍ଭବତଃ କାବ୍ୟ ଓ ନାଟ୍ୟକାରମାନେ ମଧ୍ୟ ସେତେବେଳେ ମଦାୟତ୍ତତାର ସ୍ଵପ୍ନ ଦେଖୁନଥିଲେ । ସେତେବେଳେ ସମସ୍ତେ ଅନ୍ୟାୟତ୍ତ ଥିଲେ । ଦୈବାୟତ୍ତ ବୋଲି ଯାହା କୁହାଯାଉଥିଲା, ତାହା ବସ୍ତୁତ ଅନ୍ୟାୟତ୍ତତାକୁ ହିଁ ବୁଝାଉଥିଲା । ଆହୁରି ଉଲ୍ଲେଖଯୋଗ୍ୟ କଥାଟି ହେଉଛି ଯେ ରାଜାର ଆୟତ୍ତ ହୋଇ ରହିବା, ଭାଗ୍ୟ ବା କର୍ମର ଆୟତ୍ତ ହୋଇ ରହିବା, କାଳର ଆୟତ୍ତ ହୋଇ ରହିବା ଏବଂ ଏପରିକି ଭଗବଦାୟତ୍ତ ହୋଇ ରହିବା,–ଚଳନ୍ତି ସାମୁହିକ ଜୀବନରେ ତାହା ପ୍ରାୟ ନିୟମତଃ ଗୋଟିଏ କଥାକୁ ବୁଝାଉଥିଲା । ସମସ୍ତେ ଅନ୍ୟାୟତ୍ତ ହୋଇ ରହିଥିଲେ । ଭଟ୍ଟନାରାୟଣ ନିଶ୍ଚୟ ଏକ ବ୍ୟତିକ୍ରମ ହୋଇଥିବେ । ନିଜ ଜୀବନରେ ସତକୁ ସତ ସେ ସେହିପରି ହୋଇପାରିବେ କି ନାହିଁ କେଜାଣି, ଅନ୍ତତଃ, ଲେଖିବାର ଉତ୍ସାହରେ ଲେଖୁଲେଖୁ ସିଏ ଏପରି ଅଣଆୟତ୍ତ କଥାଟିଏ ଲେଖିପକାଇବେ । କର୍ଣ୍ଣଙ୍କର ମୁହଁରୁ କଥାଟିକୁ କହିପାରି ନିଜର ଅସଲ ଭିତରେ ସିଏ କେଡ଼େ ଉଶ୍ୱାସ ଅନୁଭବ କରିପାରିବେ । ଏହି ଉଶ୍ୱାସ ଅନୁଭବ କରିବାଟାକୁ ସାହିତ୍ୟର ମୁଖ୍ୟ ଅବଦାନ ଏବଂ ଶ୍ଳାଘ୍ୟତମ ଧର୍ମକାର୍ଯ୍ୟ ବୋଲି ସାହିତ୍ୟିକମାନେ କାଳେକାଳେ କହି ଯାଇଛନ୍ତି । ଏବେ ଏକାଳରେ ମଧ୍ୟ କମ୍ କହୁନାହାନ୍ତି ।

 

‘‘ମୋର ପୁରୁଷକାର ମୋ' ଅର୍ଜିତ,’’ ମନୋଜର ବିତର୍କ ପ୍ରତିଯୋଗିତାରେ ଏଇଟି ବିଷୟ ରହିଥିଲା । କଥାଟିକୁ ‘ବେଣୀସଂହାର’ରୁ ଆଣି ପିଲାଙ୍କର ତର୍କାଲୋଚନା ନିମନ୍ତେ ବ୍ୟବହାର କରାଯାଇଥିଲା । ଏପରି ଏକ ବିଷୟ ରଖି ପିଲାମାନଙ୍କର ମୁଣ୍ଡକୁ କିଞ୍ଚିତ୍ ଘାଣ୍ଟିବାକୁ ଚେଷ୍ଟା କରିବା, ହୁଏତ ଏକଥା ମଧ୍ୟ ଏକ ବ୍ୟତିକ୍ରମ । ମୁଣ୍ଡ ଘାଣ୍ଟି ହେଉ ହେଉ ବେଳେ ବେଳେ ହୃଦୟ ଘାଣ୍ଟି ହେବାକୁ ଆରମ୍ଭ କରେ । ହୃଦୟ ଘାଣ୍ଟି ହେଉ ହେଉ ଜୀବନ ବଦଳେ । ଅନ୍ତତଃ କେତେ ଜଣ ସାହସୀଙ୍କର ଜୀବନ ବଦଳିବାକୁ ଆରମ୍ଭ କରେ । ଏହିପରି ଅନେକଙ୍କର ଜୀବନ ବଦଳୁ ବଦଳୁ ଯୁଗ ବଦଳେ, କାଳ ମଧ୍ୟ ବଦଳିଯାଏ । ଏକକ କେନ୍ଦ୍ରଗୁଡ଼ିକ ସମଗ୍ର ବୃତ୍ତ-ଭୂଖଣ୍ଡଟିକୁ ଉଦ୍‍ବେଳିତ କରନ୍ତି, ସଂକ୍ରାମିତ କରିପାରନ୍ତି । ବିବର୍ତ୍ତନ ବିପ୍ଳବଦ୍ୱାରା ତ୍ୱରାନ୍ୱିତ ହୁଏ । ମଣିଷ ଭିତରେ ସତକୁ ସତ ଯେ ଏକ ପୌରୁଷ ରହିଛି, ସେହି କଥାଟି ପ୍ରତିପାଦିତ ହୁଏ । ପୌରୁଷ ଏକ ସମ୍ଭାବନା ରୂପେ ରହିଥାଏ । ବ୍ୟକ୍ତିର ବିଶ୍ଵାସ, ଅନୁରାଗ ଓ ଉଦ୍ୟମ ଦ୍ୱାରା ତାହା ପୁରୁଷାର୍ଥ ରୂପେ ପ୍ରକଟ ହୁଏ, ପ୍ରତିଭାତ କରେ । ଯିଏ ଜୀବନଯାକ ଅନ୍ୟାୟତ୍ତ ହୋଇ ରହିଯାଏ, ସିଏ ବ୍ୟକ୍ତିଟିଏ ହୋଇ ଜନ୍ମଲାଭ କରିପାରେ ନାହିଁ ।

 

ଗୋଟାଏ ଗୋଟାଏ ସମାଜ ଥାଆନ୍ତି, ଯେଉଁମାନେ କି ପୁରୁଷାର୍ଥକୁ ଭୟ କରନ୍ତି, ବ୍ୟକ୍ତିକୁ ଭୟ କରନ୍ତି । ମଣିଷ ଯେ ସତକୁ ସତ ଆପଣାର ଆୟତ୍ତ ହୋଇ ବାଟ ଚାଲିପାରିବ, ସେହି ସବୁ ସମାଜ ସେକଥା ବିଶ୍ୱାସ କରିପାରନ୍ତି ନାହିଁ । ସେହିସବୁ ସମାଜରେ ବାରଶହ ବଢ଼େଇଙ୍କ ପାଇଁ ପୁଅକୁ ହତ୍ୟା କରାଯାଏ, ସେହିସବୁ ସମାଜରେ ବୃଦ୍ଧମାନେ ତାରୁଣ୍ୟ ବିରୋଧରେ ଖଡ଼୍‌ଗହସ୍ତ ହୋଇ ରହିଥାନ୍ତି, ପିଲାଟି ବେଳୁ ମଣିଷକୁ ଅନ୍ୟାୟତ୍ତ କରି ରଖିବାକୁ କେଡ଼େ ସନ୍ତର୍ପଣରେ ଶୃଙ୍ଖଳା ବୋଲି କୁହାଯାଏ । ଶୃଙ୍ଖଳାଗୁଡ଼ିକ ସଂସ୍କାରରେ ପରିଣତ ହୋଇ ଯିବା ସଙ୍ଗେ ସଙ୍ଗେ ମଣିଷମାନେ ବଂଶକୁ, ଭାଗ୍ୟକୁ ଓ ଆହୁରି କେତେ କ’ଣକୁ ଚର୍ମ କରି ପିନ୍ଧିଥାନ୍ତି, ମାନ କରନ୍ତି, ଅଭିମାନ ହୁଅନ୍ତି, ତୁଚ୍ଛା ଅଭିମାନଗୁଡ଼ାକୁ ହିଁ ସ୍ୱାଭିମାନ ବୋଲି କହି ଡିଣ୍ଡିମ ପିଟନ୍ତି, ବଣା ହୋଇ ଯାଆନ୍ତି । ବାହାରକୁ କେଡ଼େ ବଡ଼ କେତେ କ’ଣ ହୋଇ ଦିଶୁଥାଆନ୍ତି; ଯେତିକି ହଜମ କରି ନପାରିବେ, ତାହାଠାରୁ ବହୁତ କ୍ଷମତା ବୋଲି କୁହାଯାଏ, ଧନାଢ଼୍ୟତା ବୋଲି କୁହାଯାଏ । ସେଠି ଭଗବାନ ମଧ୍ୟ କ୍ଷମତା ଓ ଧନାଢ଼୍ୟତାର ଅଧୀନ ହୋଇ ରହିଥାନ୍ତି ଏବଂ, ମଣିଷ ଭିତରେ ରହିଥିବା ବ୍ୟକ୍ତିଟି, ଅସଲ ପୁରୁଷଟି ମାଇଚିଆ ହୋଇ ବସିଥାଏ, କଳଙ୍କି ଲାଗି ଯାଉଥାଏ-। ଭିତରଟାକୁ ନିତାନ୍ତ ଦରିଦ୍ର କରି ରଖି ବାହାରେ ବହୁ ଦର୍ପରେ ଧନର କ୍ଷମତାର ଓ ସେହିପରି ଆହୁରି ଏକାଧିକ ଲଜ୍ଜାହୀନତାର ପ୍ରଦର୍ଶନ ହେଉଥାଏ । ପଣ୍ଡିତମାନେ ଉପରେ ଦେଖଇବାକୁ ଏକାବେଳେକେ କେଡ଼େ ଉଚ୍ଚରେ ଯାଇ ବସିଥାନ୍ତି, ଏକାବେଳେକେ ରାଜାଙ୍କ ପାରୁଶରେ ଯାଇ ବସିଥାନ୍ତି ଏବଂ ତାହାକୁ ହିଁ ନଶ୍ୱର ସଂସାରର ମହାଭାଗ୍ୟ ବୋଲି ମଣୁଥାନ୍ତି । ଭିତରେ ତୁଚ୍ଛା ଗଧଟିଏ ହୋଇ ରହିଥାନ୍ତି । ଜ୍ଞାନ ଅସମର୍ଥ ହୋଇ ରହିଥାଏ, ଧନ ଅସମର୍ଥ ହୋଇ ରହିଥାଏ, ଚତୁର ଅସମର୍ଥତାଗୁଡ଼ିକୁ ଜୀବନର ଯାବତୀୟ କ୍ଷେତ୍ରରେ ରାଜନୀତି ବୋଲି କୁହାଯାଉଥାଏ ।

 

ଆଦିମ ସମାଜମାନଙ୍କରେ ବ୍ୟକ୍ତି ନଥିଲା । ଏବେ ମଧ୍ୟ ବହୁବିଧ କାରଣରୁ ଯେଉଁଠି ମଣିଷମାନେ ଆଦିମ ଅବସ୍ଥାରେ ଅଛନ୍ତି, ସେଠାରେ ସରଳତା ଅଛି, ସହଜାତତା ଅଛି, – ମାତ୍ର ବ୍ୟକ୍ତିଚେତନା ନାହିଁ । ହୁଏତ ପଥରଠାରୁ ସହିଷ୍ଣୁତା ଅଧିକ ପରିମାଣରେ ରହିଛି । ମଣିଷ ଭିତରେ ବ୍ୟକ୍ତିର ଚେତନା, ପୌରୁଷର ଚେତନା ଓ ମଦାୟତ୍ତତାର ଚେତନା ଯେତିକି ପ୍ରକଟତା ଓ ସାକାରତା ଲାଭ କରିଛି, ତା'ର ସମାଜରେ ମଧ୍ୟ ସେତିକି ପରିମାଣରେ ଆଦିମତାର ସ୍ଥାନରେ ଆଧୁନିକତା ସମ୍ଭବ ହୋଇଛି । ମଦୟତ୍ତତାକୁ ଭୟ କରୁଥିବା ସମାଜ କାଳେ କାଳେ ବହୁ ପାହାଚରେ ବିଭକ୍ତ ହୋଇ ରହିଛି, ବହୁ ପ୍ରକାରର ନିର୍ମମତା ଦ୍ଵାରା ହତବୀର୍ଯ୍ୟ ହୋଇ ରହିଛି । ମଦାୟତ୍ତତା ଉପରେ ବିଶ୍ୱାସ ରଖିବା ସମାଜରେ ବ୍ୟକ୍ତି ଆପଣା ପୌରୁଷକୁ ଆପେ କମାଏ, ତେଣୁ ଯଥାର୍ଥରେ ସୃଜନକ୍ଷମ ହୋଇ ରହି ଥାଏ, ଉଦ୍ୟମଶୀଳ ହୋଇ ରହିଥାଏ । ନହେଲେ ତଥାକଥିତ ସଫଳତାମାନେ ଦୈବ, ବଂଶ, ଶ୍ରେଷ୍ଠମାନଙ୍କର ଅନୁଗ୍ରହ, ବହୁବିଧ ପକ୍ଷପାତ ଏବଂ ସ୍ଵାର୍ଥକାମିତା ଉପରେ ଭାରି ଲଜ୍ଜାଜନକ ଭାବରେ ନିର୍ଭରଶୀଳ ହୋଇ ରହିଥାନ୍ତି ।

 

ଯେଉଁ ସମାଜରେ ପୌରୁଷ ମଦାୟତ୍ତ ହୋଇ ରହିଥାଏ, ସେହି ସମାଜରେ ଅହଂ ଏବଂ ଅହଙ୍କାରମାନେ ପ୍ରାୟ କୌଣସି ଉପଦ୍ରବ କରିପାରନ୍ତି ନାହିଁ । ସେଠି ମଣିଷ ମଣିଷକୁ ଈର୍ଷା କରିବା ଲାଗି ଖୁବ୍ ବେଶି ଅବସର ପାଏନାହିଁ । ସେହି ସମାଜର ଧର୍ମ ଆଧ୍ୟାତ୍ମିକତାର ଅଧିକ ନିକଟବର୍ତ୍ତୀ ହୋଇ ରହିଥାଏ । ସେହି ସମାଜରେ ଅଧିକ ବିନୟ ମଧ୍ୟ ସମ୍ଭବ ହୁଏ, ଯଥାର୍ଥ ବିନୟ ମଧ୍ୟ ସମ୍ଭବ ହୁଏ-। ଯଥାର୍ଥ ବିନୟ ଅଭିନୟଗୁଡ଼ାକୁ ଏକାନ୍ତ ଅନାବଶ୍ୟକ କରି ରଖିଥାଏ । ଅସଲ ରାଜା ମଣିଷର ଭିତରେ ରହିଥାନ୍ତି, ନିଜର ଭିତରକୁ ଅନାଇ ହିଁ ମଣିଷ ତା'ର ଅସଲ ମହିମାଗୁଡ଼ାକୁ ଅନୁଭବ କରିଥାଏ । ସେହି ମହିମାଗୁଡ଼ିକ ଆହ୍ୱାନ ରୂପେ ତାକୁ ସଚଳ, ସମର୍ଥ ଏବଂ ସତ୍ୟନିଷ୍ଠ କରି ରଖିଥାନ୍ତି । ନଚେତ୍, ସମାଜ କହିଲେ ସତେବା ଏକ ଦରବାରକୁ ବୁଝଉଥାଏ, ଯେଉଁଠାରେ ଆଦୌ କୌଣସି ପୁରୁଷାର୍ଥ ଲାଗି ନିଜକୁ ଭାଜନ କରିନଥିବା ଉଗ୍ର କ୍ଷୁଦ୍ରମାନେ ଭେଷ ପିନ୍ଧି ରାଜା ହୋଇ ବସିଥାନ୍ତି; ପ୍ରାୟ ସମସ୍ତେ ବଡ଼ମାଛ ବନି ସାନ ମାଛମାନଙ୍କୁ ଖାଇଯିବେ ବୋଲି ବାହାରିଥାନ୍ତି । ଥୋକେ ଅନୁଗ୍ରହ ଦେଖାଉଥାନ୍ତି ଓ ଆଉଥୋକେ ଅନୁଗ୍ରହ ପାଇ ରାତାରାତି ବଡ଼ ହୋଇଯିବେ ବୋଲି ଲଣ୍ଡଭଣ୍ଡ ହେବାରେ ଲାଗିଥାନ୍ତି ।

୩୦ । ୧୧ । ୮୯

Image

 

ମୃଗମାନଙ୍କର ତୃଷ୍ଣା

 

ବୁଦ୍ଧଦେବ ତୃଷ୍ଣାକୁ ହିଁ ଜଗତରେ ସବୁ ଦୁଃଖର କାରଣ ବୋଲି କହିଲେ । ବୁଦ୍ଧଦେବଙ୍କୁ ଏହି ଜଗତବାସୀ ଦେବତାଜ୍ଞାନରେ ସମ୍ମାନ କଲେ, ଆମ ଓଡ଼ିଶାବାସୀ ତ ତାଙ୍କୁ ଏକ ଅବତାରରେ ପରିଣତ କରିଦେଇ ତାଙ୍କୁ ଗୋଟାସୁଦ୍ଧା ଗିଳି ପକାଇଲେ । ବୁଦ୍ଧଦେବ କ୍ରମେ ଠାକୁର ହେଲେ, ତାଙ୍କ ସାଙ୍ଗକୁ ଗଛାଇବ ବୋଲି ତାଙ୍କୁ ପିଣ୍ଡି କରି ଠାକୁରାଣୀମାନଙ୍କର କଳ୍ପନା ହେଲା । ସିଏ ବସିବେ ବୋଲି ପୃଥିବୀରେ ଭଳି ଭଳି ମନ୍ଦିର ତିଆରି ହେଲା । ଅଧିକାଂଶ ସ୍ଥାନରେ ରାଜାମାନେ ହିଁ ଏହିସଠୁ ଭବ୍ୟ ମନ୍ଦିରକୁ ଗଢ଼ାଇଲେ ସିଏ ଦିଶିବେ ବୋଲି ବୁଦ୍ଧଦେବଙ୍କର ମୂର୍ତ୍ତିମାନ ବି ଗଢ଼ାହେଲା । ଆହୁରି ଅନ୍ଧ ବିସ୍ମୟକାରୀ ହୋଇ ଦିଶିବେ ବୋଲି ଜଣେ ଜଣେ ରାଜା ବହୁମୂଲ୍ୟ ଅଷ୍ଟଧାତୁରେ ତାଙ୍କର ମୂର୍ତ୍ତିମାନ ଗଢ଼ାଇଲେ । ବୁଦ୍ଧଦେବ ମୂର୍ତ୍ତିଗୁଡ଼ିକ ଭିତରେ ଠିକ ରାଜା ଭଳି ଦିଶିଲେ । ସତ୍ୟର ସନ୍ଧାନରେ ସିଏ ରାଜା ହୋଇ ମଧ୍ୟ ଘର ଛାଡ଼ିଥିଲେ ବୋଲି କାଳକାଳକୁ ରାଜାର ମର୍ଯ୍ୟାଦାରେ ପୂଜା ପାଇଲେ । ପୃଥବୀର ପ୍ରତିମାତୃଷ୍ଣା ବୁଦ୍ଧଦେବଙ୍କୁ ଗୋଟିସୁଦ୍ଧା ଗିଳି ପକାଇଲା ।

 

ସଂସ୍କୃତ ଭାଷାରେ ସବୁ ପ୍ରାଣୀଙ୍କ ଅର୍ଥରେ ‘ମୃଗ' ଶବ୍ଦଟିର ବ୍ୟବହାର କରାଯାଇଛି । ଏହି ଅର୍ଥରେ କେହି କେହି ମନୁଷ୍ୟକୁ ମୃଗଶ୍ରେଷ୍ଠ ବୋଲି ମଣିଷ ସଭ୍ୟତା ବୋଲି ଆମ ଏକାଳ ଯାଏ ଯାହାକିଛି ଗଢ଼ିଛି, ତାହାର ଇତିହାସ ହେଉଛି ମୂଳତଃ ତା’ଭିତରେ କେଡ଼େ ଶକ୍ତିମାନ୍ ହୋଇ ରହିଥିବା ଏକ ତୃଷ୍ଣାର ଇତିହାସ । ଏହି ତୃଷ୍ଣା ଅନନ୍ତ,–ମନୁଷ୍ୟ ଇଚ୍ଛା କଲେ ତାହା ସତେଅବା ଏକ ଈଶ୍ୱରୀୟ ତୃଷ୍ଣାରେ ମଧ୍ୟ ପରିଣତ ହୋଇପାରେ । ଈଶ୍ଵରଙ୍କ ଲାଗି ତୃଷ୍ଣା ଗୋଟିଏ ଈଶ୍ୱରଙ୍କୁ ଭାଙ୍ଗି ଗେନା ଗେନା କରି ଏକାବେଳେକେ ତେତିଶି କୋଟିରେ ପରିଣତ କରିବାର ତୃଷ୍ଣା,–ଈଶ୍ୱରୀୟ ତୃଷ୍ଣା କହିଲେ ଏସବୁ କଥାକୁ ଆଦୌ ବୁଝାଏ ନାହିଁ । ଆପଣାର ଯାବତୀୟ ତୃଷ୍ଣାକୁ ସଜାଡ଼ି, ଗୁନ୍ଥି, ସତେଅବା ଗୋଟିଏ ଧାରାରେ ପରିଣତ କରି ଏକ ଅଭିନବ ଅନୁରାଗ ସହିତ ତାହାକୁ ଈଶ୍ଵରଙ୍କ ଯାଏ ଉତ୍ତୋଳିତ କରିନେବା,–ସାଧକମାନେ କାଳେକାଳେ ତାହାକୁ ହିଁ ଈଶ୍ଵରୀୟ ତୃଷ୍ଣା ବୋଲି କହିଛନ୍ତି । ଆପଣାର ଅନୁଭୂତିରୁ ହିଁ ସେମାନେ ଏପରି କହିଛନ୍ତି ।

 

ବୁଦ୍ଧଦେବ ଖାଲି ତୃଷାର ବିଲୋପସାଧନ କଥା କହିନଥିଲେ । ସେ ବ୍ରହ୍ମବିହାର କଥା ମଧ୍ୟ କହିଥିଲେ । ଏକ ନକାରାତ୍ମକ ଅର୍ଥଦୃଷ୍ଟିରେ ବୁଦ୍ଧମାର୍ଗରେ ଯାହାକୁ ନିର୍ବାଣ ବୋଲି ଘୋଷଣା କରାଯାଇଛି, ସକାରାତ୍ମକ ଅର୍ଥଦୃଷ୍ଟିରେ ଆମେ ହୁଏତ ତାହାକୁ ହିଁ ବ୍ରହ୍ମବିହାର ବୋଲି କହିପାରିବା । ଏପଟେ ଆପଣାକୁ ଗୋଟାସୁଦ୍ଧା ନିର୍ବାପିତ କରିଦେଇ ପାରିଲେ ଯାଇ ଆମେ ଜୀବନର ଗଭୀର କ୍ଷେତ୍ରରେ, ଚେତନାର କ୍ଷେତ୍ରରେ, ଆମ ଶିଖରଚେତନାର ଆୟତନଟି ନିମନ୍ତେ ଭାଜନ ହୋଇପାରିବା । ସେହି ଶିଖରଚେତନାରେ ଏକ ଅଭିନବ ଅନୁରାଗମୟ ବିସ୍ତାରର ଅଧିକାରୀ ହେବା, ତାହାହିଁ ବ୍ରହ୍ମବିହାର । ଆମର ତୃଷ୍ଣାଗୁଡ଼ିକ ଆମକୁ ଏହି ନିଜ ଗାତଟି ଭିତରେ ବାନ୍ଧି ଛନ୍ଦି ରଖୁଥିବା ପର୍ଯ୍ୟନ୍ତ ଆମ କଦାପି ସେହି ବିସ୍ତାରଟି ଲାଗି ଯୋଗ୍ୟ ହୋଇ ପାରିବା ନାହିଁ । ଆମ ଜୀବନରେ ଏକ ବିସ୍ତାର ପ୍ରସ୍ତୁତ ଅବଶ୍ୟ ରହିଛି । ସେହି ପ୍ରସ୍ଥଟିକୁ ଆବିଷ୍କାର କରିବାକୁ ହୁଏ । ସେହି ଆବିଷ୍କାରଟି ଲାଗି ଆକାଂକ୍ଷା ରଖିବାକୁ ମଧ୍ୟ ହୁଏ । ଖାଲି ସେତିକି ନୁହେଁ, ସେହି ଆକାଂକ୍ଷାକୁ ଆମ ଜୀବନର ଅନ୍ୟ ଯାବତୀୟ ଆକାଂକ୍ଷାର ନିର୍ଦ୍ଦେଶକ ଓ ନିୟାମକ ରୂପେ ସ୍ୱୀକାର କରିନେବାକୁ ହୁଏ । ତେବେଯାଇ ଏହି ତୃଷ୍ଣାଗୁଡ଼ିକର କବଳରୁ ମୁକ୍ତି ମିଳେ । ଅସଲ ମୁକ୍ତି ପାଇବାକୁ ହେଲେ ଏହି ସଂସାର ଭିତରୁ ଆଉ ଅନ୍ୟ କେଉଁଠାକୁ ପଳାଇ ଯିବାକୁ ହୁଏନାହିଁ । ଏହିଠାରେ ହିଁ ମୁକ୍ତ ହୋଇ ଅର୍ଥାତ୍ ଅନୁରାଗଯୁକ୍ତ ହୋଇ ଜୀବନ ବଞ୍ଚିବାକୁ ପଡ଼େ । କୌଣସି ଏକ ଶୈବଶାସ୍ତ୍ରରେ କୁହାଯାଇଛି ଯେ ମୋକ୍ଷର କୌଣସି ଏକ ନିର୍ଦ୍ଦିଷ୍ଟ ବାସସ୍ଥାନ ଆଦୌ ନାହିଁ ତେଣୁ ଏଠା ଛାଡ଼ି ଆଉ କୌଣସି ସ୍ଥାନକୁ ଚାଲିଗଲେ, ଜନବସତି ଛାଡ଼ି କୌଣସି ପାର୍ବତ୍ୟ ବା ଆଟବିକ ଏକାନ୍ତକୁ ଚାଲିଗଲେ, ଅଥବା ଏହି ମର୍ତ୍ତ୍ୟଭୂବନକୁ ଛାଡ଼ି ସ୍ୱର୍ଗ ନାମରେ କଥିତ ହୋଇ ଆସିଥିବା ଆଉ କୌଣସି ଭୁବନକୁ ପଳାଇଗଲେ କଦାପି ମୋକ୍ଷ ମିଳେନାହିଁ । ହୃଦୟ ଭିତରେ ଅଜ୍ଞାନର, ବହୁବିଧ ଅଜ୍ଞାନର ଯେଉଁସବୁ ଗଣ୍ଠି ରହିଛି, ସେହିଗୁଡ଼ିକର ବିନାଶକୁ ହିଁ ମୋକ୍ଷ ବୋଲି ଗ୍ରହଣ କରିବାକୁ ହେବ । ସମ୍ଭବତଃ ଏହି ଦୃଷ୍ଟିରୁ ମଧ୍ୟଯୁଗର ସନ୍ଥ ତୁକାରାମ ବିଦ୍ରୁପ କରି କହିଛନ୍ତି ଯେ ଦେବତାମାନଙ୍କ ହାତରେ ମୋକ୍ଷର ଗଣ୍ଠିଲି ନାହିଁ ଯେ ଆମେ ସେମାନଙ୍କୁ ସ୍ତୁତି କଲାମାତ୍ରକେ ସେମାନେ ସେଥିରୁ ଗୋଟିଏ ଗୋଟିଏ ଆଣି ଆମ ହାତରେ ଧରାଇ ଦେଇଯିବେ ।

 

ଏସବୁ କ’ଣ କେବଳ ଶାସ୍ତ୍ରର କଥା ? ଶାସ୍ତ୍ର ତ ଖତ ହୋଇଯାଏ, କିନ୍ତୁ କଥା କ’ଣ ଖତ ହୋଇଯାଏ ? ଆମେ ଇଚ୍ଛା କଲେ ଗୋଟିଏ ଗୋଟିଏ କଥା ଆମ ଜୀବନକୁ ଲୋଚନ ଆଣି ଯୋଗାଇ ଦେଇପାରେ, ଆମ ଜୀବନରୂପେ ମୂର୍ତ୍ତି ମଧ୍ୟ ହୋଇପାରେ । ଆଗେ ଓଡ଼ିଶାରେ ଶାସ୍ତ୍ରଗୁଡ଼ିକୁ ଗଦା କରି ରଖାଯାଇଥିବା ଥାନଗୁଡ଼ିକୁ ଗାଦୀ ବୋଲି କୁହାଯାଉଥିଲା । ଭାବପ୍ରବଣ ଉତ୍ସାହରେ ଥୋକେ ମଣିଷ ତାହାକୁ ଗାଦୀବ୍ରହ୍ମ ବୋଲି କହିଲେ । ଆପଣ ଘରେ ଗାଦୀଟିଏ ଠୁଳକରି ରଖି ମଣିଷମାନେ ଏଡ଼େ ସରାଗରେ ସ୍ୱୟଂ ବ୍ରହ୍ମ ସେମାନଙ୍କ ଘରେ ଆସି ରହିଛନ୍ତି ବୋଲି ଅନୁଭବ କରିବାକୁ ଆରମ୍ଭ କଲେ । କାଳର କ୍ଷୟପ୍ରକ୍ରିୟାରେ ପୋଥିଗୁଡ଼ିକ କୁଆଡ଼େ ଖତ ହୋଇଗଲେ । ସେହି ପୋଥିଗୁଡ଼ିକ ମଧ୍ୟରେ ସଞ୍ଚିତ ହୋଇ ରହିଥିବା ସତ୍ୟଗୁଡ଼ିକ କୁଆଡ଼େ ଖତ ହୋଇଗଲେ । ସେହି ପୋଥିଗୁଡ଼ିକ ମଧ୍ୟରେ ସଞ୍ଚିତ ହୋଇ ରହିବା ସତ୍ୟଗୁଡ଼ିକ ଏବେ ମଧ୍ୟ ଆମଲାଗି ଆହ୍ୱାନ ହୋଇ ରହିଛନ୍ତି । ତୁଚ୍ଛା ମୃଗସ୍ତରର ଏକପ୍ରାଣୀ ପରି ଆମେ ଆମ ତୃଷ୍ଣାଗୁଡ଼ିକ ଦ୍ୱାରା ପରିଚାଳିତ ହେବା ନା ତୃଷ୍ଠାଗୁଡ଼ିକୁ ଏକ ଈଶ୍ୱରୀୟ ସ୍ତରକୁ ଉତ୍ତୋଳିତ କରିନେଇ ମନୁଷ୍ୟପଦବାଚ୍ୟ ହେବା, ଏକବିଂଶ ଶତାବ୍ଦୀର ଆଗନ୍ତୁକଟି ଆମ ସମସ୍ତଙ୍କ ସକାଶେ ପ୍ରଧାନତଃ ସେହି ଆହ୍ୱାନଟିକୁ ନେଇ ଆସୁଛି ।

 

ମଣିଷର ତୃଷ୍ଠା ମଣିଷକୁ ଖାଇଯାଉଛି । ଅଧିକ ନିର୍ଦ୍ଦିଷ୍ଟ ଭାବରେ କହିଲେ, ଥୋକେ ମଣିଷର ଅତିତୃଷ୍ଣା ଏବେ ଜଗତଯାକର ମଣିଷଙ୍କୁ ଖାଇ ଯାଉଛି । ଯେଉଁମାନଙ୍କ ପାଖରେ କିଛି ନାହିଁ, ସେମାନେ ଭାଗ୍ୟ ଆବୋରି ବଞ୍ଚିତ ହୋଇ ରହିଛନ୍ତି । ଯେଉଁମାନଙ୍କ ପାଖରେ ପ୍ରୟୋଜନରୁ ଅଧିକ ଠୁଳ ହୋଇ ରହିଛି, ସେମାନେ କେତେ ଶାଳୀନ ଭାବରେ ବର୍ବର ହୋଇ ରହିଛନ୍ତି । ବହୁବୁଦ୍ଧିଯୁକ୍ତ ଶାଳୀନ ଭାବରେ ଭଳି ଭଳି ବସ୍ତୁଦ୍ଵାରା ସଜ୍ଜିତ ଓ ଅତିସଜ୍ଜିତ ହୋଇ ଆମର ଦୋକାନଗୁଡ଼ାକ ଯେପରି ବର୍ବର ଦିଶୁଛନ୍ତି, ଆମର ଏହି ସଂସାର ନାମକ ବଜାରଟା ମଧ୍ୟ ପ୍ରାୟ ସେହିପରି ଏକ ସୁଶୋଭନ ଲଜ୍ଜାହୀନ ବର୍ବରତାରେ ପରିଣତ ହୋଇ ରହିଛି । ତୃଷ୍ଣାଗୁଡ଼ାକ ମଣିଷ ଉପରେ ଘୋଡ଼ା ଚଢ଼ି ରହିଛନ୍ତି । ପ୍ରୟୋଜନରୁ ଅଧିକ ଅର୍ଥ, ପ୍ରୟୋଜନରୁ ଅଧିକ ଦ୍ରବ୍ୟ, ପ୍ରୟୋଜନରୁ ଅଧିକ କ୍ଷମତା, ପ୍ରୟୋଜନରୁ ଅଧିକ ପ୍ରଦର୍ଶନ ଓ ପ୍ରଗଳ୍ଭତା, ଦାଣ୍ଡର ରାଜାମାନଙ୍କୁ ଏଗୁଡ଼ାକ ଭାରି ବର୍ବର ମୃଗତୁଲ୍ୟ କରି ରଖିଛନ୍ତି । ଏମାନେ ସମସ୍ତେ କେବେ ଘରକୁ ଫେରି ଆସିବେ କେଜାଣି ? ଆପଣାର ଗାତଗୁଡ଼ିକୁ ଛାଡ଼ି ଏମାନେ ଆପଣା ଭିତରେ ରହିଥିବା ଶିଖରଟିକୁ ସତକୁ ସତ କେବେ ମନ କରିବେ କେଜାଣି ? ଯେଉଁଦିନ ମନୁଷ୍ୟର ଅର୍ଥ, ମନୁଷ୍ୟର ବିଦ୍ୟା, ମନୁଷ୍ୟର ଏହି ଯାବତୀୟ ବସ୍ତୁଭଣ୍ଡାର, ଆମ ରାଜନୀତି, ଆମ ଶାସନ ଓ ସଂଗଠନଗୁଡ଼ିକ ପୃଥିବୀରେ ସେହି ଶିଖରର ସମ୍ବାବନାଟିକୁ ସ୍ୱୀକୃତି ଦେବ, ସେହି ସମ୍ଭାବନାର ଆହ୍ୱାନଗୁଡ଼ିକୁ ସବାଆଗ ଶୁଣିବ, ହୁଏତ ବହୁ ତୃଷ୍ଣା ଦ୍ଵାରା ନିର୍ଯ୍ୟାତିତ ଏବଂ ଉତ୍ପଡ଼ିତ ହୋଇ ରହିଥିବା ଆମର ଜୀବନଗ୍ରାମଟି ମଧ୍ୟ ବ୍ରହ୍ମବିହାରର ଗାରଟିକୁ ସ୍ପର୍ଶ କରିବ, ସେହି ଗାରକୁ ଅନୁସରଣ କରି ପାହାଚ ପାହାଚ ଆଗକୁ ବାହାରିଯାଇ ପାରିବ ।

 

ସେତେବେଳେ ଆମର ସାହିତ୍ୟ ଆମ ଭିତରର ପଳାତକ ଅକର୍ମଣ୍ୟଟାକୁ ହିଁ ପାଞ୍ଚଟା ଉତ୍ତେଜନା ଯୋଗାଇ ଦେବାରେ କଦାପି ନିଜର କାମ ସାରିଦେବ ନାହିଁ, ଆମର କଳା ଓ କଳାସାମଗ୍ରୀମାନ ଆମ ଭିତରର ଅଳସୁଆ ଓ ଅସମ୍ମତ ପଦ୍ମଭୁକ୍‌ଟାକୁ ବହଲାଇ ରଖିବାରେ କଦାପି ଶକ୍ତି କ୍ଷୟ କରିବ ନାହିଁ । ସାହିତ୍ୟିକ ମୃଗମାନେ ମଧ୍ୟ ମଣିଷ ହୋଇ ବାହାରିବେ, ଆମ ସମସ୍ତଙ୍କୁ ସାଙ୍ଗରେ ନେଇ ସେମାନେ ଶିଖରଗୁଡ଼ିକ ଆଡ଼କୁ ବାଟ କାଢ଼ିନେବେ ।

୭ । ୧୨ । ୮ ୯

Image

 

ଜୀବନ ନା ମୃତ୍ୟୁ ?

 

ଜୀବନ ଭିତରେ ମୃତ୍ୟୁ ନା ମୃତ୍ୟୁ ଭିତରେ ଜୀବନ ? ଅର୍ଥ।ତ୍, ଜୀବନ କହିଲେ ମୃତ୍ୟୁ ଭିତରୁ କିଞ୍ଚିତ୍‍ ସମୟ ସକାଶେ କିଞ୍ଚିତ୍‍ ଛୁଟି, ଫାଙ୍କି ଅଥବା ବ୍ୟତିକ୍ରମକୁ ବୁଝାଇବ ନା ମୃତ୍ୟୁ କହିଲେ ଜୀବନ କାମକ ଏକ ଅବିଛିନ୍ନତା ଭିତରେ ହିଁ ଏକ ସାମୟିକ ବିରାମ, ବିରତି ଅଥବା ପରିଚ୍ଛଦ ବଦଳାକୁ ବୁଝାଇବ ? କେଉଁଟା ପ୍ରଧାନ, କେଉଁଟା ଅପ୍ରଧାନ, କୋଉଟା କାହାର ଅଂଶ, ଅସଲ ବା ମୂଳ ସତ୍ୟ କୋଉଟା ଏହି କଥାଟିକୁ ନେଇ ପଣ୍ଡିତମାନଙ୍କ ଭିତରେ କାଳକାଳକୁ ମତଭେଦ ରହିଛି, ଏବେ ମଧ୍ୟ ଆଦୌ କମ୍ ମତଭେଦ ନାହିଁ । ପ୍ରାଚୀନ କାଳରେ ସମାଜର ଆଗୁଆ ଏବଂ ଅନୁଭବୀ ମଣିଷମାନେ ଏହି ବିଷୟରେ କେତେ କଣ ଚିନ୍ତା କରୁଥିଲେ । ପ୍ରଶ୍ନଗୁଡ଼ାକର ଜିରାରୁ ଶିରା କାଢ଼ି ସେମାନେ କେତେ କ’ଣ ଉତ୍ତର ବାହାର କରୁଥିଲେ ଓ ସେହି ଉତ୍ତରଗୁଡ଼ିକୁ ସେମାନେ ତତ୍ତ୍ୱ ବୋଲି କହୁଥିଲେ । ତତ୍ତ୍ୱବିତ୍‌ମାନଙ୍କୁ ସମସ୍ତେ ଭାରି ସମ୍ମାନ କରୁଥିଲେ ।

 

ତାହାର ମୂଳ କାରଣଟି ହେଉଛି ଯେ, ସବୁ ମଣିଷ ମୋଟେ ତତ୍ତ୍ୱ ଭିତରେ ପଶନ୍ତି ନାହିଁ-। ଅଧିକାଂଶ ମଣିଷ ନିତିଦିନର ଜୀବନଟିକୁ ବଞ୍ଚନ୍ତି । କିଛି ଆଶା କରନ୍ତି, କିଛି ସ୍ୱପ୍ନ ଦେଖନ୍ତି, କିଛି ହାରନ୍ତି, କିଛି ଜିତନ୍ତି । ଜିତିବା ଗୁଡ଼ାକୁ ସୁଖ ବୋଲି କହନ୍ତି, ହାରିବାଗୁଡ଼ିକୁ ଦୁଃଖ ବୋଲି କହନ୍ତି । ଏହି ହାରିଯିବା ଓ ଜିତିବାକୁ ନେଇ କବିମାନେ କାବ୍ୟ ଲେଖନ୍ତି । ସେହି କାବ୍ୟ ମଣିଷମାନଙ୍କର ଆଖିରୁ ଲୁହ ଗଡ଼ାଇ ଆଣେ ଓ ଲୁହ ଗଡ଼ାଇବାକୁ କେତେ ଆନନ୍ଦ ଦିଏ । ଧର୍ମଭୀରୁମାନେ ଧର୍ମରେ ଚଳନ୍ତି । ଅଧର୍ମରୁ ହିଁ ପାପ ଓ ଦଣ୍ଡଭୋଗ ଆସେ ବୋଲି ବିଶ୍ୱାସ କରନ୍ତି-। ତେଣୁ, ଜୀବନ ପରେ ବିଶେଷ କରି ଏହି କିସମର ମଣିଷମାନଙ୍କ ଲାଗି ସ୍ୱର୍ଗ ଓ ନର୍କର ବଖାଣ ହୋଇଥାଏ । ଏହି ବଖାଣଗୁଡ଼ିକୁ ଲୋକସତ୍ୟର ପ୍ରତୀତି ଆଣି ଦେବାକୁ ପୁରାଣମାନ ଲେଖାହୁଏ । ମନୁମାନେ ସଂହିତା ଲେଖନ୍ତି ଏବଂ ମୁକ୍ତିମଣ୍ଡପରେ ପଣ୍ଡିତମାନେ ବସି ପୁଣ୍ୟ ଅପୁଣ୍ୟର ବିଚାର କରନ୍ତି । ଧର୍ମଭୀରୁ ମଣିଷମାନେ ବିଶ୍ୱାସରେ ଚଳନ୍ତି । ମୋଟେ ପ୍ରଶ୍ନ ପଚାରନ୍ତି ନାହିଁ । ବିଶ୍ୱାସରେ ସବୁକିଛି ମିଳିଯିବ ବୋଲି ଏହି ମନୁମାନଙ୍କୁ ସେମାନଙ୍କର ମଥାନ ଉପରେ ବସିଥିବା ବୈଦ୍ୟମାନେ କେଡ଼େ ବାଗରେ ବତାଇ ଦେବାରେ ଲାଗିଥାନ୍ତି ।

 

ପ୍ରଶ୍ନ ପଚାରିବା,–ଏଇଟି ହେଉଛି ଏକାବେଳକେ ଆମ ଆଧୁନିକ ଯୁଗର କଥା । ଭାରତବର୍ଷରେ ଅତି ପ୍ରାଚୀନ କାଳରେ ପ୍ରଶ୍ନମାନ ଅବଶ୍ୟ ପଚାର ହେଉଥିଲା, ମାତ୍ର ସେଗୁଡ଼ିକ ପ୍ରଧାନତଃ ଅରଣ୍ୟମାନଙ୍କରେ ପଚରା ହେଉଥିଲା । ଋଷିମାନେ ପ୍ରଶ୍ନ ପଚାରୁଥିଲେ । ଋଷିମାନେ ଅରଣ୍ୟରେ ବାସ କରୁଥିଲେ । ସଂସାର ଭିତରେ ଥାଇ ଆଦୌ କୌଣସି ପ୍ରଶ୍ନ ପଚାରିବାରେ ଲାଜ ବା ପ୍ରୟୋଜନ ନାହିଁ ବୋଲି ସେମାନେ ଅରଣ୍ୟବାସୀ ହୋଇଥିଲେ । ଋଷିମାନେ ସେଇ ପ୍ରଶ୍ନ ଓ ଉତ୍ତରଗୁଡ଼ିକ ଭାରତୀୟ ଶାସ୍ତ୍ରମାନଙ୍କରେ ଲେଖା ହୋଇ ରହିଛି । ସେଗୁଡ଼ିକୁ ଅଧ୍ୟାତ୍ମ ବୋଲି କୁହାଯାଉଛି । ସଂସାରୀମାନେ ଏବେ ମଧ୍ୟ ସେହିସବୁ ଶାସ୍ତ୍ରକୁ ପବିତ୍ର ବୋଲି କହୁଛନ୍ତି, ପବିତ୍ର ମଣି ପୂଜା ବି କରୁଛନ୍ତି । ଭାରତୀୟ ସଂସାରର ବ୍ୟବହାରିକ ଅଧ୍ୟାତ୍ମରେ ଜଗତ୍ ବା ସଂସାରକୁ ମାୟା ବୋଲି କୁହାଯାଇଛି । ମଣିଷରେ ପ୍ରକୃତି ସେହି ମାୟାରେ ପଡ଼ି ଯନ୍ତ୍ରାରୁଢ଼ ହୋଇ ରହିଛି ବୋଲି କୁହାଯାଇଛି । ତେଣୁ ସତ୍ୟ ଏଠି ନାହିଁ, ସତ୍ୟ ସେଠି ଅଛି । ତେଣୁ ଜିଜ୍ଞାସା ବା କାହିଁକି କରିବ ? ଉତ୍ତର ବା କାହିଁକି ଖୋଜିବ ? ଉତ୍ତର ପାଇଲେ ମଧ୍ୟ କ'ଣ କରି ପାରିବ ? ଉତ୍ତର ପାଇ ତୁମେ ଏହି ମାୟାକୁ ମୋଟେ କାଟି ପାରିବ ନାହିଁ । ତେଣୁ ଏକାବେଳେକେ ଦୁଇଟି ଜୀବନ ବଞ୍ଚିବା ହେଉଛି ବିଜ୍ଞ ମନୁଷ୍ୟର କାର୍ଯ୍ୟ । ସଂସାର ଭିତରେ ନିକ୍ଷିପ୍ତ ହୋଇଛି ଯତେବେଳେ, ସେତେବେଳେ ସାଂସାରିକ ବୁଦ୍ଧିରେ ନଶ୍ଵର ଜୀବନଟିକୁ ବଞ୍ଚିବ, ସେଇଥିରୁ ପ୍ରୀତି ଲାଭ କରିବ ଏବଂ ଏହି ଜୀବନଟି ସରିଯିବା ପରେ ଯେପରି ନର୍କରେ ନପଡ଼ି ସ୍ୱର୍ଗକୁ ହିଁ ଯିବ, ସେଥିଲାଗି ତଥାକଥିତ ଧର୍ମର ବରାଦଗୁଡ଼ିକୁ ମାନି କିଛି ନା କିଛି କରୁଥିବ । ଏହି କିଛି ନା କିଛି କରିବାର ସୁଯୋଗ ଯୋଗାଇ ଦେବାପାଇଁ ସଂସାରରେ ଦେଉଳ, ତୀର୍ଥ, ପର୍ବ, ଯାତ୍ରା ଓ ବ୍ରତଗୁଡ଼ିକର ସୃଷ୍ଟି ହୋଇଛି । କେବଳ ଭାରତବର୍ଷରେ ନୁହେଁ, ସମଗ୍ର ପୃଥିବୀରେ ।

 

ମୃତ୍ୟୁର ଡର ପ୍ରବଳ ଭାବରେ ମାଡ଼ି ବସିଲେ ଜୀବନଟା ନ୍ୟାୟତଃ ମୃତ୍ୟୁର ଅଧୀନ ବୋଲି କହିବାରେ ଭାରି ଉତ୍ସାହ ଲାଗେ । ଆଧୁନିକ ଜଗତରେ ଏହି ମୃତ୍ୟୁଭୟଟା ଏକାଧିକ କାରଣରୁ ମଣିଷମାନଙ୍କୁ ଘାରି ରହିଥିବାରୁ ମଣିଷ ଜୀବନ ଅପେକ୍ଷା ମୃତ୍ୟୁ ବିଷୟରେ ହିଁ ଅଧିକ ଭାବୁଛି । ସମ୍ଭବତଃ, ବହୁବିଧ ମୃତ୍ୟୁ ଲାଗି ବହୁ ସରଞ୍ଜାମ ଓ ସାମଗ୍ରୀ ସଜାଇ କରି ରଖି ଦେଇଥିବାରୁ ଆଧୁନିକ ମନୁଷ୍ୟ ସତେଅବା ଏକ ନିପଟ ଅପରାଧୀ ପରି ଜୀବନ ଅପେକ୍ଷା ମୃତ୍ୟୁ ବିଷୟରେ ଅଧିକ ମୁଣ୍ଡ ଖେଳାଉଛି । ଜୀବନରୂପୀ ଫୁଲଟିକୁ ଅନୁଭବ କରିବା ଅପେକ୍ଷା ମୃତ୍ୟୁରୂପୀ ଭୂତଟାକୁ ସିଏ ଅଧିକ ପରିମାଣରେ ଦେଖୁଛି । ଆଧୁନିକ ବାଗରେ କବିତା ଲେଖୁଥିବା କବିମାନେ ସେହି ଅପରାଧବୋଧର ସତେଅବା ସବାଆଗ ଧାଡ଼ିରେ ରହିଛନ୍ତି । ମୃତ୍ୟୁର ଅଧୀନ ଏହି ଅଳ୍ପବଳ ମଣିଷଟିକୁ ସେମାନେ କାଠଘୋଡ଼ା ବୋଲି କହୁଛନ୍ତି । ତା' ଜୀବନକୁ ମିଛ ବାଘର–ଛଇ ବୋଲି ବର୍ଣ୍ଣନା କରୁଛନ୍ତି, ଏକ ନିରର୍ଥକ ମୃଗୟା ବୋଲି ମଣୁଛନ୍ତି । ଜୀବନକୁ ପନ୍ଦର ହଜାର ପ୍ରକାର ଛଦ୍ରମରେ ଭୋଗ କରିବାର ବଜାରମାନ ଆଧୁନିକ ପୃଥିବୀରେ ଯେତିକି ବଢ଼ିବାରେ ଲାଗିଛି, ମଣିଷ ଭିତରର ଫମ୍ପା ଗୁମ୍ଫାଟା ଭିତରେ ମୃତ୍ୟୁ ନାମକ ଭୂତର ଦୃଷ୍ଟି ଭୟଗୁଡ଼ାକ ତାକୁ ସେତିକି ଅସହାୟ କରି ପକାଉଛନ୍ତି ।

 

ମୃତ୍ୟୁ ଏକ ଭୟ, ଜୀବନ ହେଉଛି ଏକ ଚେତନା । ଏଠି ଏହି ସବୁକିଛି ଗୋଟାଏ ସୂତାରେ ବନ୍ଧା ହୋଇରହିଛି, ଏହି ଚେତନାରୁ ଯେଉଁ ବିଶ୍ୱାସଟି ସ୍ୱତଃ ଆମକୁ ଏକ ଅଦମ୍ୟ ଜୀବନ-ପ୍ରତିଷ୍ଠାର ବୋଧ ଆଣିଦିଏ, ସେହି ବିଶ୍ୱାସ ହେଉଛି ଯାବତୀୟ ମୃତ୍ୟୁଭୟର, ଯାବତୀୟ ନିଃସଙ୍ଗତାର ଅମୋଘ ଔଷଧ । ସେହି ଡୋରଟିକୁ ପ୍ରମାଣ କରି ହୁଏନାହିଁ, ଅନୁଭବ କରି ହୁଏ । ଅନୁଭବ ନିବିଡ଼ ହେଲେ ଜୀବନ ଚାକ୍ଷୁଷ ହେବାକୁ ଆରମ୍ଭ କରେ । ଦିଗ୍‍ବଳୟ ବୋଲି ଆମେ ଯେତିକି ଦେଖୁଛୁ, ଯେତିକିର ନକ୍ସାଟିଏ ଆଙ୍କି ପାରୁଛୁ ବା ଯେତିକି ଭୋଗ କରିପାରୁଛୁ, ଜୀବନରୁପୀ ଆମର ଭାବମୟ ଚେତନାଟି ଆମକୁ ସେଥିରେ ଏକ ସଂପ୍ରସାରଣ ସମ୍ଭବ କରିବାର ଅନୁରାଗ ଆଣି ଦେଇଥାଏ । ଡୋରଟିକୁ ଛିଡ଼ାଇ ଆମେ ଯେତେବେଳେ ନିଜ ଗୁମ୍ଫାଟି ଭିତରେ ଆପଣାର ବହୁସ୍ତରୀୟ କାମୁକତାଗୁଡ଼ାକୁ ନେଇ ବଞ୍ଚିବାର ମନ୍ଦ ବୁଦ୍ଧିରେ ପଶିଯାଉ, କେବଳ ସେତିକିବେଳେ ହିଁ ମୃତ୍ୟୁ ଆମକୁ ମାଡ଼ି ବସିବାକୁ ଆସି ପହଞ୍ଚିଯାଏ । ଆପଣାର କେନ୍ଦ୍ରଟିକୁ ଅନୁଭବ କରିବା ସଙ୍ଗେ ସଙ୍ଗେ ଯିଏ ସବୁ କେନ୍ଦ୍ରକୁ, ସମସ୍ତଙ୍କୁ ଏକାଠି ବାନ୍ଧି ରଖିଥିବା ଡୋରଟିକୁ ମଧ୍ୟ ଅନୁଭବ କରୁଥାଏ, ସିଏ କଦାପି ସେଇ ଡୋରର ଦୈର୍ଘ୍ୟ ମାପିବାକୁ ମନକରେ ନାହିଁ । ଡୋରଟିକୁ ଅନୁଭବ କରୁଥିବା ମଣିଷଟି ହେଉଛି ପୂର୍ଣ୍ଣ ଦାୟିତ୍ୱବୋଧ ହିଁ ଆମର ଜୀବନବୋଧକୁ ବଳ ଆଣିଦିଏ । ଆପଣାକୁ ଅଧିକରୁ ଅଧିକ ପରିମାଣରେ ଦେବାର ସମର୍ଥ କରି ହିଁ ଜୀବନ ପଟେ ରହିଥିବା ମଣିଷ ମୃତ୍ୟୁକୁ କାଟି କାଟି ଯାଉଥାଏ । ଏହି ଗୋଟିଏ ଜୀବନରେ ମଧ୍ୟ ତାକୁ କବଳିତ କରିନେବାକୁ ଆସୁଥିବା ସହସ୍ରବିଧ ମୃତ୍ୟୁକୁ ଓ ସହସ୍ରବିଧ କ୍ଳୈବ୍ୟକୁ ଜୟ କରେ ।

 

ଜୀବନ ଓ ମୃତ୍ୟୁ ଭିତରୁ ଆମେ କୋଉଟାକୁ ଅଧିକ ପରାକ୍ରମଶାଳୀ ବୋଲି କହିବା, ସେକଥା ବଡ଼ କଥା ନୁହେଁ । ଜୀବନ ବା ମୃତ୍ୟୁ – ଉଭୟ ମଧ୍ୟରୁ ଆମେ କେଉଁଟିକୁ ବାଛିବା, କାହା ପଟେ ରହିବା, ତାହା ହିଁ ଆମ ଜୀବନର ଅସଲ ମୂଲ୍ୟଗୁଡ଼ିକର ନିର୍ଦ୍ଧାରଣ କରିଦେବ । ମୃତ୍ୟୁ ପଟର ମଣିଷ ଲଣ୍ଡଭଣ୍ଡ ଓ ତରବର ହୋଇ ଏଠି ଦୈତ୍ୟ ପରି ଭୋଗ କରିବ, ସମୟ ସରିଯିବା ପୂର୍ବରୁ ଯଥାସମ୍ଭବ ସବୁ ମାରିନେବ ବୋଲି ଧାଇଁଥିବ ଓ ନିସଃଙ୍ଗ ହୋଇ ରହିଥିବ । ଅପର ପକ୍ଷରେ, ଜୀବନର ପଟରେ ରହିଥିବା ମଣିଷ ଏଠି ଆପଣାକୁ ଦେବ, ଦେଇକରି ଆନନ୍ଦ ପାଇବ । ଧୈର୍ଯ୍ୟ ରଖିଥିବ, ବିଶ୍ୱାସରେ ବଞ୍ଚୁଥିବ ଓ ସବାଆଗ ଡୋରଟିକୁ ହିଁ ଅନୁଭବ କରୁଥିବ । ତେଣୁ, ମୋଟେ ଏକୁଟିଆ ହେବ ନାହିଁ ।

୧୪ । ୧୨ । ୮୯

Image

 

ଅସଲ ବିନ୍ଦୁଟି ଏଇଠି

 

ଏଇଠି ଛିଡ଼ାହେଲେ ଆଗକୁ ଅନାଇ ହେବ, ପଛକୁ ମଧ୍ୟ ଅନାଇ ହେବ । ତେଣୁ ଅସଲ ବିନ୍ଦୁଟି ହେଉଛି ଏଇଠି । ଆମର ବର୍ତ୍ତମାନ ହିଁ ଅତୀତ ଉପରେ ଠିଆ ହୋଇଛି ଏବଂ ଭବିଷ୍ୟତ ଆଡ଼କୁ ଉନ୍ମୁଖ ହୋଇ ରହିଚି । ବର୍ତ୍ତମାନଟିକୁ ଏଡ଼ିବାଲାଗି ଅନେକ ଅତୀତ ଭିତରେ ଯାଇ ଲାଖି ରହିବାକୁ ସବୁବେଳେ ଭାରି ଇଚ୍ଛା କରନ୍ତି । ଆଉ ଥୋକେ ମଣିଷ ବି ଅଛନ୍ତି, ଯେଉଁମାନେ ଏଠୁ ଡେଇଁ ଏକାବେଳକେ ଭବିଷ୍ୟତର ସ୍ୱପ୍ନ ଦେଖୁଥାନ୍ତି, ଭବିଷ୍ୟତ ନାମକ ଏକ ବୃକ୍ଷରୁ ମଣ୍ଡା ତୋଳିବାରେ ବ୍ୟସ୍ତ ଥାଆନ୍ତି । ଏମାନେ ମଧ୍ୟ ବର୍ତ୍ତମାନକୁ ଯଥାସମ୍ଭବ ଏଡ଼ିଯିବାକୁ ଭାରି ସୁଖ ପାଆନ୍ତି । ମାତ୍ର କେବଳ ବର୍ତ୍ତମାନର ପରିପ୍ରେକ୍ଷୀରେ ହିଁ ଅତୀତ ତଥା ଭବିଷ୍ୟତ ଦୁଇଟିଯାକ ଉପରେ ଦୃଷ୍ଟିପାତ କରାଯାଇଥାଏ । ଆମେ ସମସ୍ତେ ଯେଉଁଠାରେ ଠିଆ ହୋଇଛୁ, ସେଇଟି ହୋଇଛି ଆମର ବର୍ତ୍ତମାନ । ଏହି ବର୍ତ୍ତମାନର ଆହ୍ୱାନଗୁଡ଼ିକ ସମ୍ବନ୍ଧରେ ଆମେ ଯେତିକି ଅଥବା ଯେଉଁଭଳି ଭାବରେ ସଚେତନ ହେବା, ଆମର ସେହି ସଚେତନତାର ଦର୍ପଣ ଉପରେ ହିଁ ଆମକୁ ଅତୀତଟିଏ ଦେଖାଯିବ, ଆଗକୁ ଅନାଇ ଭବିଷ୍ୟତଟିଏ ମଧ୍ୟ ଦୃଷ୍ଟିଗୋଚର ହେବ । ଯଦି ଆମେ ଆଦୌ କେଉଁଠି ହେଲେ ଠିଆ ହୋଇନଥିବା, ତେବେ ଆମର ଯାବତୀୟ ଅବଲୋକନରେ ଆଦୌ କୌଣସି ପ୍ରାସଙ୍ଗିକତା ରହିବ ନାହିଁ ।

 

ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଭାରତବର୍ଷରେ ଏହି ବର୍ଭମାନ ସଚେତନତା ହିଁ ଭାରତୀୟ ନବଜାଗରଣର ନେତାମାନଙ୍କୁ ଅତୀତର ପୁନରାବିଷ୍କାର କରିବାଲାଗି ପ୍ରେରିତ କରିଥିଲା । ରାଜା ରାମମୋହନଙ୍କଠାରୁ ସ୍ୱାମୀ ଦୟାନନ୍ଦଙ୍କ ବାଟ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ପର୍ଯ୍ୟନ୍ତ ସେତେବେଳେ ପ୍ରାୟ ସମସ୍ତେ ଭାରତବର୍ଷର ଅତୀତ ଦ୍ୱାରା ଉଦ୍‌ବୁଦ୍ଧ ହୋଇଥିଲେ । ସେମାନେ ସମସ୍ତେ ତତ୍କାଳୀନ ବର୍ତ୍ତମାନରେ ଏକ ବିପୁଳ ପରିବର୍ତ୍ତନ ଆଣିବାକୁ ଇଚ୍ଛା କରିଥିଲେ ଏବଂ ପ୍ରାୟ ସମ୍ପୂର୍ଣ୍ଣଭାବେ ସେହି କାରଣରୁ ହିଁ ସେମାନେ ଅତୀତ ମଧ୍ୟକୁ ଆବଶ୍ୟକ ସ୍ଫୁଲିଙ୍ଗଗୁଡ଼ିକୁ ଆବିଷ୍କାର କରିଯିବା ଲାଗି ମନ ବଳାଇଥିଲେ । ତେଣୁ, ସୁସ୍ଥ ଭାବରେ ବିଚାର କରି ଦେଖିଲେ, ଆମର ବର୍ତ୍ତମାନ ଅତୀତ ଉପରେ ଭରା ଦେଇ ଛିଡ଼ା ହୋଇଛି ଓ ଅପର ପାଖରେ ଭବିଷ୍ୟତକୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଦିଗ ଯୋଗାଇ ଦେବାରେ ଲାଗିଛି ।

 

ସାମାଜିକ ଜୀବନରେ ଏକ ଜାତୀୟତାଭାବ ଉଦ୍‍ବୋଧନ କରି ଆଣିବାରେ ପୃଥିବୀରେ ଅତୀତ ସଚେତନତା ଭାରି କାମ ଦେଇଛି । ଆମ ଭାରତବର୍ଷରେ ମଧ୍ୟ ତାହାହିଁ ଘଟିଛି । ଯେତେବେଳେ ବର୍ତ୍ତମାନ ସମ୍ୱନ୍ଧରେ ସଚେତନତା ବୃଦ୍ଧି ପାଇଛି ସତେଅବା ହାତଗୋଡ଼ ଯୋଗାଇଦେବାକୁ ମଣିଷମାନେ ଅତୀତର ଦ୍ୱାରରେ ଯାଇ ଆଘାତ କରିଛନ୍ତି । ଏ ଜାତି ଦିନେ ଏହିପରି ଥିଲା, ଏତେ କୀର୍ତ୍ତି ଅର୍ଜିଲା ଏହି ଦେଶର ଅମୁକ ବା ସମୁକ ଏଭଳି ଏଭଳି କରିଥିଲା, – ତେଣୁ ବର୍ତ୍ତମାନ ସିଏ କାହିଁକି ପଛରେ ପଡ଼ିରହିବ, କାହିଁକି ନୂତନ ବିଶ୍ଵାସରେ ଆପଣାକୁ ନୁଆ କରି ନ ଗଢ଼ିବ ସେମାନେ ଏହିସବୁ କଥା କହିଛନ୍ତି । ହିନ୍ଦୀର ମୈଥଳୀ ଶରଣ ଗୁପ୍ତଙ୍କଠାରୁ ଆରମ୍ଭ କରି ଓଡ଼ିଆର ନୀଳକଣ୍ଠ ଓ ପଦ୍ମଚରଣଙ୍କ ପର୍ଯ୍ୟନ୍ତ ସାହିତ୍ୟ ଭିତରେ ପ୍ରତ୍ୟେକ ଭାରତୀୟ ଭାଷାରେ ଆମେ ଏହି ଭଳି ଏକ ପ୍ରେରଣାଦାୟକ ଉଦ୍‍ବୁଦ୍ଧକାରୀ ଅତୀତିଚାରଣା ଅବଶ୍ୟ ଦେଖବାକୁ ପାଇବା । ଏହି ଚାରଣାରେ ପ୍ରାୟ ଏକ ପ୍ରୟୋଜନ ପଡ଼ି ଅତିମାତ୍ରାରେ ଏକ ଅତିରଞ୍ଜନ ମଧ୍ୟ ଆସି ପଶିଆସିଛି । ନିଜ ପ୍ରଦେଶର ନଈ, ପାହାଡ଼, ଅରଣ୍ୟ, ପ୍ରାନ୍ତର ଜାତୀୟତାର କବିମାନଙ୍କୁ ସତେଅବା ସାରା ପୃଥିବୀରେ ସବୁଠାରୁ ଅଧିକ ସୁନ୍ଦର ଦେଖାଯାଇଛି । ଓଡ଼ିଶାରେ କବି ମାୟାଧର ମାନସିଂହ ଜ୍ୟୋସ୍ନାବିହାର କରୁକରୁ ବାରବାଟୀକୁ ଅନାଉ ଅନାଉ ଏହି ରାଜ୍ୟର ଅତୀତ ଭିତରେ ଯାଇ ପଶି ଯାଇଛନ୍ତି ଏବଂ ଓଡ଼ିଶାର ବର୍ତ୍ତମାନ ସ୍ଥିତି ବିଷୟରେ କେତେ ଝିଙ୍ଗାସି ହୋଇଛନ୍ତି । ମାତ୍ର, ଉଦ୍ଦେଶ୍ୟ ହେଉଛି ସେଇ ଗୋଟିଏ । ବର୍ତ୍ତମାନ ବିଷୟରେ ଆମ ସମସ୍ତଙ୍କୁ ଅଧିକ ସଚେତନ କରିବା ଲାଗି ଏବଂ ଏକ ଗୌରବହୀନ ବର୍ତ୍ତମାନରେ ପରିବର୍ତ୍ତନ ଆଣିବା ଲାଗି ଆମକୁ ଉଦ୍‍ବୋଧନ ଦେଇଛନ୍ତି । ଜାତୀୟତାକାଳର ଏବେ ସେହିସବୁ କବିତା ପାଠ କଲାବେଳେ ଆମକୁ ତାହା ହୁଏତ ଅତ୍ୟନ୍ତ ଭାବପ୍ରବଣ ବୋଲି ମନେ ହୋଇପାରେ, ଅତ୍ୟନ୍ତ ଚିଟା ବି ଲାଗିପାରେ । ତଥାପି ସେଗୁଡ଼ିକର ଏକ ପ୍ରାସଙ୍ଗିକତା ସେତେବେଳେ ଅବଶ୍ୟ ରହିଥିଲା, ବର୍ତ୍ତମାନ ବିଷୟରେ ସଂପୃକ୍ତ ମନୁଷ୍ୟମାନଙ୍କୁ ସଚେତନ କରାଇବା ଲାଗି ଏକ ବିଶେଷ ପ୍ରାସଙ୍ଗିକତା ରହିଥିଲା ।

 

ବର୍ତ୍ତମାନରୁ ଛାଡ଼ି ପଳାଇବେ ବୋଲି ଅନେକ ମଣିଷ ଯେମିତି ପଛକୁ ପଳାନ୍ତି, ଚାରିପାଖରେ ରାଜତ୍ୱ କରୁଥିବା କଳିଯୁଗଟାକୁ ଆଖି ବୁଜିଦେବେ ବୋଲି ସେମାନେ ଯେମିତି ସେମାନଙ୍କ କଳ୍ପନାର ଏକ ସତ୍ୟଯୁଗ ମଧ୍ୟରେ ବିସ୍ମରଣ ଲୋଡ଼ନ୍ତି, ସେହିପରି ଆଉ ଥୋକେ ଅଛନ୍ତି, ଯେଉଁମାନେ କି ଏକ ଭବିଷ୍ୟତକୁ କୁଣ୍ଢାଇ ଧରି ବର୍ତ୍ତମାନକୁ ଏଡ଼ିଯିବା ପାଇଁ ଭାରି ଉତ୍ସାହୀ ହୋଇ ରହିଥାନ୍ତି । ଏବେ ଏମାନଙ୍କୁ ଭବିଷ୍ୟବାଦୀ ବୋଲି କୁହାଯାଉଛି । ଭବିଷ୍ୟ ବିଷୟରେ ସବୁକିଛି ପଇଟାଇ ରଖୁଥିବା ଯାବତୀୟ ବିଦ୍ୟାକୁ ଏକତ୍ର ଗୋଟାଏ ଘୁମରେ ଭର୍ତ୍ତିକରି ଏବେ Futurology ବୋଲି କୁହାଯାଉଛି । ଅତୀତକୁ ପଳାଇଯିବା ପରି ଭବିଷ୍ୟତର ଏକ କାଳ୍ପନିକ ପ୍ରମୋଦାରଣ୍ୟରେ ଡାଳମାଙ୍କୁଡ଼ି ଖେଳିବା ମଧ୍ୟ ଆଦୌ କମ୍ ଆନନ୍ଦଦାୟକ ହେଉନାହିଁ । ଏଇଟି ଦ୍ୱାରା ମଧ୍ୟ ବର୍ତ୍ତମାନକୁ ବେଶ୍ ପାସୋରି ହେଉଛି । କେବଳ ବୈଜ୍ଞାନିକମାନଙ୍କ ମଧ୍ୟରେ ନୁହେଁ, ଆମ କବିମାନଙ୍କ ମଧ୍ୟରେ ବି ଭବିଷ୍ୟବାଦୀ ସ୍ୱପ୍ନକାମୀ ମୋଟେ କମ୍ ନାହାନ୍ତି । ସେମାନେ ଆଗାମୀ ସମାଜର ସ୍ୱପ୍ନ ଦେଖିଛନ୍ତି, ଏକ ଆଗାମୀ ମନୁଷ୍ୟର ସ୍ଵପ୍ନ ଦେଖୁଛନ୍ତି, ମଣିଷ ଭିତରେ ଦେବତାର ଅବତରଣ ଘଟିବ ବୋଲି କେଡ଼େ ସରାଗ ଓ ସ୍ଵପ୍ନବୋଳା ଭାଷାରେ କହିବାରେ ଲାଗିଛନ୍ତି । ଅତୀତବାଦୀମାନଙ୍କ ପରି ଭବିଷ୍ୟବାଦୀମାନେ ମଧ୍ୟ ଏହିପରି କରି ଭାରି ସୁଖ ପାଉଛନ୍ତି । ବର୍ତ୍ତମାନର ଗୁହଗୁଡ଼ାକୁ ଦେହ ଉପରେ ଗୋଟାସୁଦ୍ଧା ବୋଳି ହୋଇଥିଲେ ମଧ୍ୟ ସେମାନେ ସତେ ଅବା ନିଜ କଳ୍ପନା ମଧ୍ୟରେ ସ୍ୱର୍ଗକୁ ସ୍ପର୍ଶକରି ରହିଛନ୍ତି ଓ ମହାସୁଖ ଲାଭ କରୁଛନ୍ତି-। ବିଚରା ଯେଉଁମାନେ ବର୍ତ୍ତମାନଟିକୁ କିଞ୍ଚିତ୍ ଉଖାରିବା ପାଇଁ ମନ କରୁଛନ୍ତି, ସେମାନେ ଘୋର ନିଃସଙ୍ଗତା ଭୋଗ କରୁଛନ୍ତି । ସେମାନେ କାହାରି ସାଙ୍ଗ ହୋଇପାରୁ ନାହାନ୍ତି । ତେଣୁ, ଏଇଠି ରହି ମଧ୍ୟ ଏଠାରୁ ଅଲଗାହୋଇ ରହିଛନ୍ତି । ଜଣେ ଜର୍ମାନ୍ କବିଙ୍କ ଭାଷାରେ Inner Emigration ନାମକ ଏକ ସ୍ଥିତିରେ ଅଛନ୍ତି । ନିଃସଙ୍ଗତା ନାମକ କାମିନୀର କାମସ୍ପର୍ଶ ଲାଭ କରୁଛନ୍ତି । ସେମାନେ ବି ଏଠି ନାହାନ୍ତି, ବର୍ତ୍ତମାନ ଭିତରେ ନାହାନ୍ତି, ବର୍ତ୍ତମାନକୁ ଏଡ଼ି ରହିଛନ୍ତି ।

 

ବର୍ତ୍ତମାନକୁ ଏଡ଼ି ରହୁଥିବା ମଣିଷମାନେ ଅବଶ୍ୟ ନିଃସଙ୍ଗ ହେବେ । ଜଣେ ଜଣେ ମନୀଷୀ ହୋଇଥିଲେ ମଧ୍ୟ ଅବଶ୍ୟ ନିଃସଙ୍ଗ ହେବେ । ବର୍ତ୍ତମାନକୁ ଏଡ଼ି ରହିବେ ବୋଲି ଯେଉଁମାନେ ଅତୀତ ଅଥବା ଭବିଷ୍ୟତ ଭିତରେ ଯାଇ ପଶିଛନ୍ତି, ସେମାନେ ମଧ୍ୟ ଧର୍ମତଃ ନିଃସଙ୍ଗ ହୋଇ ରହିଛନ୍ତି । ଭାବପ୍ରବଣତାକୁ ସଙ୍ଗୀ କରି ଭାବ ପାଖରେ ନିଃସଙ୍ଗ ହୋଇ ରହିଛନ୍ତି । ଅସଲ ବିନ୍ଦୁଟି ପ୍ରକୃତରେ ଏଇଠି । ଏହି ବିନ୍ଦୁଟିର ଆହ୍ୱାନଗୁଡ଼ିକୁ ସ୍ୱୀକାର କରିବାକୁ ହିଁ ପଡ଼ିବ । ବିଗତ ଚାଳିଶି ବରଷର ସ୍ଵାଧୀନ ଭାରତରେ ସମ୍ଭବତଃ ବର୍ତ୍ତମାନ ଠାରୁ ଏଡ଼ି ରହିବାକୁ ହିଁ ଆମର ନେତୃତ୍ୱଗୁଡ଼ିକ ଭାରି ପ୍ରୟାସ କରି ଆସିଛନ୍ତି । ଅତ୍ୟନ୍ତ ଅକୁଶଳ ଭାବରେ ପ୍ରୟାସ କରି ଆସିଛନ୍ତି । ତେଣୁ କ୍ରମେ ଭାରି ଧରାପଡ଼ି ଯାଉଛନ୍ତି । ରାଜନୀତି ଧରାପଡ଼ି ଯାଉଛି, ଶିକ୍ଷା ଧରାପଡ଼ି ଯାଉଛି, ରାଷ୍ଟ୍ର ଧରାପଡ଼ି ଯାଉଛି, ସାହିତ୍ୟ ମଧ୍ୟ ଧରାପଡ଼ି ଯାଉଛି । ବାସ୍ତବ ନାମରେ ଏକ ନବ୍ୟ ପଳାୟନବାଦ ସାହିତ୍ୟର ଆହ୍ୱାନକ୍ଷେତ୍ରକୁ ଭାରି ଆଚ୍ଛନ୍ନ କରି ରଖିଛି । ଏହି ବିନ୍ଦୁଟିକୁ ଅସଲ ବିନ୍ଦୁ ବୋଲି ମାନିଲେ ଭାରତବର୍ଷର ମଣିଷମାନେ ହିଁ ଆଗକୁ ସବାଆଗ ଦେଖା ଯାଉଥାନ୍ତେ, ମଣିଷ କହିଲେ ନିୟମତଃ ସବୁ ମଣିଷଙ୍କୁ ବୁଝାଉଥାନ୍ତା । ଏହି ଦେଶରେ ଆମେ ଯାହାକିଛି କରୁଥାନ୍ତେ, ତାହା ସବୁ ମଣିଷଙ୍କୁ ଅବଶ୍ୟ ସ୍ପର୍ଶ କରୁଥାନ୍ତା । ପଳାୟନ କରିବାଟା, ଆପଣାର ସାନ ଗାତଟି ଭିତରକୁ ହେଉ ଅଥବା କଳ୍ପନାର କେଉଁ ସ୍ଵର୍ଗକୁ ହେଉ, ସବୁଠାରୁ ବଡ଼ ପ୍ରମାଦ ବୋଲି ଅନୁଭୁତ ହେଉଥାନ୍ତା ।

୨୧ । ୧୨ । ୮ ୯

Image

 

ଏତେ ଆତ୍ମହନୋ ଜନାଃ

 

ମଣିଷ କ'ଣ ହେବାକୁ ଇଚ୍ଛା କରେ, ପୁଣି ହେଉ ହେଉ ପ୍ରକୃତରେ କ'ଣ ହୁଏ, ଏହିସବୁ କଥା ମଣିଷଲାଗି କୁଆଡ଼ୁ ଆଗରୁ ଲେଖାହୋଇ ରହିଥାଏ ବୋଲି ଅନେକ ଶିଷ୍ଟବୁଦ୍ଧି ମଣିଷ ବିଚାର କରିଥାଆନ୍ତି । ଯେମିତି ବିଚାର, ଠିକ୍ ସେହିପରି ବିଶ୍ଵାସ । ବିଚାର ଭିତରେ ସିନା ଅଡ଼ୁଆ ଥାଏ, ମାତ୍ର ବିଶ୍ଵାସ କୁଆଡ଼େ ଏକାବେଳକେ ପାଖକୁ ନେଇଯାଏ । ଏକାବେଳେକେ ଜଳ ଜଳ କରି ଦେଖାଇ ଦିଏ । ସମ୍ଭବତଃ ସେଇଥିଲାଗି ବିଶ୍ୱାସୀ ମଣିଷମାନେ ଡରି ଯାଆନ୍ତି, ବିଚାର ଉପରେ ନିର୍ଭର କରୁଥିବା ମଣିଷ ସଂଶୟ ଭିତରେ ଛନ୍ଦି ହୋଇ ରହିଥାଏ । ମଣିଷମାନଙ୍କ ଭିତରୁ କିଏ କ'ଣ ହେବ ବୋଲି ଯେଉଁ ଖାତାରେ ଲେଖାହୋଇ ରହିଥାଏ, ବିଶ୍ଵାସୀ ମଣିଷମାନେ ସତେ ଯେପରି ସେହି ଖାତାଟିକୁ ନିଜ ଆଖିରେ ଦେଖି କରି ଆସିଥାନ୍ତି ଓ ତେଣୁ ଆମକୁ ବିଶ୍ଵାସ ଦେଇ କଥାଗୁଡ଼ିକୁ କହୁଥାନ୍ତି । ସେହି ଖାତାକୁ କିଏ ଲେଖେ କେଜାଣି ? ସେ ବିଷୟରେ ବିଶେଷ ମୁଣ୍ଡ ନ ଖେଳାଇ ଏକାବେଳକେ ବାଡ଼ି ବୁଲାଇ ଆଣିବା ପରି ଅନେକ ମଣିଷ ତାହାକୁ ଦଇବ ବୋଲି କହନ୍ତି । ନିଜ ବିଶ୍ଵାସ ବଳରେ ସେମାନେ ଅଦୃଷ୍ଟକୁ ସତେଅବା ଦୃଷ୍ଟର ମର୍ଯ୍ୟାଦା ଦେଇଥାଆନ୍ତି ।

 

ଆମ ଭାରତବର୍ଷରେ ଏବେ ମଧ୍ୟ ଅଧିକାଂଶ ମଣିଷ ଆର୍ଥିକ ସ୍ତରରେ ଭାରି ଦରିଦ୍ର ହୋଇ ରହିଛନ୍ତି । ବିଶ୍ଵାସୀ ଭଲମାନେ ଏବେ ମଧ୍ୟ ବିଶ୍ଵାସ କରୁଛନ୍ତି, ଯେ କେବଳ ଅଦୃଷ୍ଟର ବଳରୁ ବା ବରାଦରୁ ସେମାନେ ଏପରି ଅବସ୍ଥାରେ ଅଛନ୍ତି । ସେହି ଅଦୃଷ୍ଟର ଇଚ୍ଛା ହେତୁ ଆଉଥୋକେ ଧନୀ ହୋଇଛନ୍ତି । ସୁନାରେ ରୂପାରେ ବାଟ ଚାଲୁଛନ୍ତି । ସୁନାରୂପା ହଗୁଛନ୍ତି । ଦୈବ ସେମାନଙ୍କୁ କେଡ଼େ ଉଚ୍ଚରେ ରଖିଛି । କାହାକୁ ଧନୀ ଓ କାହାକୁ ନିର୍ଧନ କରିବା ବିଷୟରେ ସେହି ଉପଦ୍ରବୀ ଦଇବଟାର ସତେଅବା ଆଦୌ କୌଣସି ମାପକାଠି ବା ବିଚାରଦଣ୍ଡ ନାହିଁ । ଆଦୌ କୌଣସି ଆଚାର ନାହିଁ । ଆଚାର ନାହିଁ, ତେଣୁ ହୁଏତ କୌଣସି ଭ୍ରଷ୍ଟାଚାର ମଧ୍ୟ ନାହିଁ । ସେଦିନ ଗୋଟିଏ ସଭାରେ ଏହି ସଂସାରର ଜଣେ ଅନୁଭବୀ ବରିଷ୍ଠ ବ୍ୟକ୍ତି ଭାରତବର୍ଷର ଦାରିଦ୍ର୍ୟକୁ ମଧ୍ୟ ଏକ ଆଧିଦୈବିକ ସ୍ତରର ବ୍ୟାପାର ବୋଲି କହି ପକାଇଲେ ଏବଂ ସେଥିରେ କେହି କୌଣସି ପ୍ରକାରେ ବିସ୍ମିତ ହେଲେ ନାହିଁ । ସତେ ଯେପରି ସେହି ବ୍ୟକ୍ତି ନିଜେ ଦଇବର ଦପ୍ତରକୁ ଯାଇ ଖାତାରୁ ସବୁ ଦେଖିକରି ଆସିଥିବାରୁ ଏକଥା କହୁଥିଲେ । ମଣିଷର ମୁଣ୍ଡ ଖରାପ ହେଲେ ସିନା ତାକୁ ଉତ୍ତର ଅଛି ବା ଔଷଧ ଅଛି, କିନ୍ତୁ ଦୈବର ମୁଣ୍ଡ ଖରାପ ହେଲେ ପ୍ରକୃତରେ ଆଉ କିଛିହେଲେ କହିବାକୁ ନାହିଁ । ଦଇବର ଏଭଳି ପ୍ରଭୂତ ବଳ ରହିଥିବାରୁ ସିନା ତାକୁ ପ୍ରବଳ ବୋଲି କୁହାଯାଇଛି । ସଂସାରର ପ୍ରବଳ ମଣିଷମାନେ ପ୍ରକୃତରେ ଦୈବକୁ ପ୍ରବଳ ବୋଲି କହି ସେଥିରୁ କେତେ ଆଶା ପାଇ ଯାଉଛନ୍ତି । ଆପେ ଗୋଟାଏ ଗୋଟାଏ ମହାବଳୀୟାର ହେବାଲାଗି କେତେ ବଳ ପାଇ ଯାଉଛନ୍ତି ।

 

ଦଇବ ବାହାରେ ଅଛି, ମଣିଷ ଭିତରେ ଅସଲ ମଣିଷଟି ରହିଛି । ସାଧନାର ଭାଷାରେ ବଙ୍ଗୀୟ ସାଧକ କବିମାନେ ତାହାକୁ ଦୋସର ବୋଲି କହିଛନ୍ତି । ଆଧୁନିକ ମନୋବିଜ୍ଞାନୀମାନେ ତାହାକୁ the real self ବୋଲି କହିଲେଣି । ଗୀତାରେ ପ୍ରାୟ ଏହି ଭଳି ଏକ ଅର୍ଥବ୍ୟଞ୍ଜନାରେ ସ୍ଵଧର୍ମର କଥା କୁହାଯାଇଛି । ଏହି ସ୍ଵଧର୍ମଟା କୁଆଡ଼େ ଆଗରୁ ପ୍ରତ୍ୟେକ ମଣିଷ ଲାଗି ନିରୂପିତ ହୋଇ ତେଣୁ ଆସିଥାଏ ବୋଲି ଆମ ସନାତନୀ ସଂସାରୀମାନେ କହିଥାନ୍ତି । ସ୍ଵଧର୍ମ ତେଣୁ ଆସେ ନାହିଁ, ତାହା ଆମ ସ୍ଵଭାବ ଦ୍ଵାରା ନିରୂପିତ ହୁଏ । କୌଣସି ଦୁଇଜଣ ମଣିଷଙ୍କର ସ୍ଵଭାବ ଏକାବେଳକେ ଏକାଭଳି ଆଦୌ ନୁହେଁ । ସ୍ଵଭାବର ଭୂମି ଉପରେ ପ୍ରତ୍ୟେକ ମନୁଷ୍ୟ ଅନନ୍ୟ, ସେହି ଭୂମିରେ ସିଏ ସ୍ଵୟମ୍ଭୂ, autonomous; ତା’ର ରଜ୍ଜୁଗୁଡ଼ିକୁ ସିଏ ଯେପରି ଇଚ୍ଛା କରିବ, ସେହିପରି ଭାବରେ ବଳି କ’ଣ ନା କ'ଣଟିଏ ତିଆରି କରିପାରିବ । ସିଏ ଯାହାକିଛି ତିଆରି କରିବ, ତାହାହିଁ ତା'ର ଜୀବନ, ତା'ର ଅନନ୍ୟ ଜୀବନ । ମଣିଷ ମଣିଷ ଭିତରେ ସାମାନ୍ୟଧର୍ମିତା ଅନେକ ରହିଛି । ତା'ର ଶରୀରରୂପୀ ଯନ୍ତ୍ରଟି ହୁଏତ ଅନ୍ୟ ସମସ୍ତଙ୍କ ଭଳି ଏକା ବାଗରେ ଚଳୁଛି; ସବୁ ମଣିଷଙ୍କୁ ଖରା କାଟୁଛି, ଶୀତ ବି କାଟୁଛି । ସବୁ ମଣିଷ ସମାଜ ଭିତରେ ଅଛନ୍ତି, ସମାଜ ନାମକ କଡ଼େଇରେ ଆଉଟା ହୋଇ ସମସ୍ତେ ସାମାଜିକ ହେଉଛନ୍ତି, ଅନ୍ତତଃ ସାମାଜିକ ପରି ଦେଖା ଯାଉଛନ୍ତି । ତଥାପି ସ୍ୱପ୍ନ ଅଲଗା ରହିଛି । ସର୍ବନିୟାମକ ବାସନାଟି ଅଲଗା ହୋଇ ରହିଛି – ସ୍ୱଭାବଟି ଧର୍ମତଃ ଅଲଗା ହୋଇ ରହିଛି । ଆମ୍ବ ଟାକୁଆ ଭିତରେ ଧର୍ମତଃ ଅଲଗା ହୋଇ କ'ଣ ରହିଛି ଯେ ତାକୁ ମାଟିରେ ପୋତିଲେ ସେଥିରୁ ଆମ୍ବଗଛଟିଏ ହେଉଛି ? ଆଉ ଅନ୍ୟ କିଛି ହେଉ ନାହିଁ ? ଜାମୁକୋଳି ମଞ୍ଜି ଭିତରେ ଧର୍ମତଃ ଅନନ୍ୟ ଭାବରେ ଏମିତି କ'ଣ ନିହିତ ଓ ସନ୍ନିବେଶିତ ହୋଇ ରହିଛି ଯେ, ସେଇଟିକୁ ମାଟିରେ ପୋତି ଦେଲେ ସେଥିରୁ ଜାମୁଗଛଟିଏ ହେଉଛି ସିନା, ଆଉ କଦାପି କିଛି ହେଲେ ହେଉନାହିଁ ? କୁହାଯାଇ ପାରିବ ଯେ, ଆମ୍ବଟାକୁଆ ଭିତରେ ତା’ର ସ୍ଵଭାବ ରହିଛି, ଜାମୁକୋଳି ମଞ୍ଜି ଭିତରେ ତା'ର ସ୍ୱଭାବଟି ହିଁ ରହିଛି । ସ୍ୱଭାବଟି ହିଁ ଉଦ୍ଘାଟିତ, ଅଙ୍କୁରିତ ଓ ରୂପାୟିତ ହୋଇ ଆସୁଛି, ତେଣୁ ଆମ୍ବଟାକୁଆରୁ ଆମ୍ବଗଛ ହେଉଛି ଓ ଜାମୁକୋଳି ମଞ୍ଜିରୁ ଜାମୁଗଛଟିଏ ହେଉଛି । ସ୍ଵଭାବ ହେତୁ ସ୍ଵଧର୍ମ ପ୍ରକଟ ହେଉଛି । କ୍ରମେ ଜୀବବିଜ୍ଞାନ ମଧ୍ୟ ଏହି ଅନନ୍ୟତା ଏବଂ ସ୍ୱଭାବନିରୂପିତତା ବିଷୟରେ କହିବାକୁ ଆରମ୍ଭ କଲାଣି ।

 

ମଣିଷମାନଙ୍କୁ, ଆମ ନିଜକୁ ଆମେ ତୁଚ୍ଛା ପଲ ଭିତରେ ଦେଖିବା ନା ଅନନ୍ୟ ରୂପେ ଦେଖିବା ? ପାରମ୍ପରିକ ସମାଜ ମଧ୍ୟରେ ଅବଶ୍ୟ କେତେଜଣ ବିଶେଷ ପୁଙ୍ଗବ ଥାଆନ୍ତି, ଯେଉଁମାନେ କି ଅନ୍ୟ ସମସ୍ତଙ୍କୁ ସତେଅବା ଗାଈପଲ ପରି ଦେଖନ୍ତି । ଆଗକାଳେ କୁଆଡ଼େ ଏଭଳି ମହାଶ୍ଳୋକ ମହାରାଜାମାନେ ରହିଥିଲେ, ଯେଉଁମାନେ କି ପ୍ରଜାମାନଙ୍କୁ ପୁତ୍ରବତ୍ ଦେଖୁଥିଲେ; ଆପଣାକୁ ଅଧୀଶ୍ୱର ରୂପେ ଦେଖୁଥିଲେ, ତେଣୁ ଅନ୍ୟ ସମସ୍ତଙ୍କୁ ଗୁହାଳର ଅଧସ୍ତନ ବୋଲି ଦେଖୁଥିଲେ । ଅନ୍ୟସବୁ ମଣିଷଙ୍କୁ ନିଜର ସମକକ୍ଷ ପରି ଦେଖିବା, ସମଧର୍ମୀ ସହଗାମୀ ପରି ଦେଖିବା, ସିଏ ଏକ ଅଲଗା ଆଚାରର କଥା, ଏକାବେଳକେ ଏକ ଅଲଗା ବିଚାରର କଥା । ଏହି ବିଚାରଟି ମଧ୍ୟରେ ପ୍ରବେଶ ଘଟିଲେ ଓ ତାହାରି ପାଖରେ ସବାଆଗ ଅଙ୍ଗୀକାରବଦ୍ଧ ହୋଇ ରହିଲେ ଆମେ ନିଜକୁ ଗୋଟିସୁଦ୍ଧା ପଲ ଭିତରେ ସାମିଲ କରି ଦେବାନାହିଁ । ପଲ ଭିତରେ ରହିଥିବା, ସମାଜ ଭିତରେ ରହିଥିବା, ତଥାପି ସ୍ୱଭାବ ଦ୍ୱାରା ପରିଚାଳିତ ହେଉଥିବା, ଆପଣାର ଅନନ୍ୟ ବାସନାଦ୍ଵାରା ପରିଚାଳିତ ହୋଇ ଅନନ୍ୟ ହେବାର ପ୍ରୟାସ କରୁଥିବା । ସ୍ୱଭାବ ଅନୁସାରେ ହେବା, ସ୍ଵଭାବ ଅନୁସାରେ ଫୁଟି ଉଠିବା, ତାହାହିଁ ମନୁଷ୍ୟଜୀବନର ଅସଲ ମହିମା । ତାହାହିଁ ମନୁଷ୍ୟଜୀବନର ଅସଲ ସଂଗ୍ରାମ । ଏଇଟି ବ୍ୟତୀତ ଆମେ ଜୀବନରେ ଆଉ ଯେତେସବୁ ସଂଗ୍ରାମରେ ଲଣ୍ଡଭଣ୍ଡ ଓ ନସରପସର ହୋଇ ରହିଥାଉ, ତାହା ବାହାରକୁ ଦେଖିବାକୁ ଆମକୁ ଯେତେଯାହା ଯଶ ଓ ଯେତେଯାହା ସ୍ପୀତି ଆଣି ଦେଉଥାଉ ପଛକେ, ଭିତରେ ଆମକୁ ଭାରି ଦରିଦ୍ର କରି ରଖିଥାଏ । ଭାରି ନିସଙ୍ଗ କରି ରଖିଥାଏ । ଆମର ପୋଷାକୀ ‘ମୁଁ' ଗୁଡ଼ାକ ବହୁଜନ-ପରିବେଷ୍ଟିତ ଓ ବହୁ-ଉପଚାରମଣ୍ଡିତ ହୋଇ ବାହାରେ ସତେଅବା କେଉଁ ବାଦଶାହ ପରି ଫୁଲେଇ ହୋଇ ରହିଥାଆନ୍ତି ସତ, ମାତ୍ର ଆମ ଭିତରଟା ବଡ଼ ନିଃସ୍ୱ ହୋଇ ରହିଥାଏ, ସତେଅବା କେଉଁ ଦୋଚାରୁଣୀ ରାଣୀଟିର ପୋଇଲୀ ହୋଇ ରହିଥାଏ ।

 

ଆମେ ଏହି ଜୀବନରେ କ'ଣଟିଏ ହୋଇଥାନ୍ତୁ, ମାତ୍ର ହେଉ ହେଉ ଆଉ କ’ଣଟିଏ ହୋଇଗଲୁ । ଭଲ ପାଇଥାନ୍ତୁ, ଆପଣାର କରିଥାନ୍ତୁ, ଆପଣାର ହୋଇଥାନ୍ତୁ; ମାତ୍ର ହେଉ ହେଉ ଏହି ଅତିଉତ୍ପୀଡ଼କ ନିଜ ସିଂହାସନଟିର ଗୋଡ଼ରେ ଭାରି ହୀନିମାନ ଭାବରେ ବାନ୍ଧିହୋଇ ରହିଗଲୁ-! ବନ୍ଧୁଟିଏ ହୋଇଥାନ୍ତୁ, ହେଉ ହେଉ ଅତି ଏକୁଟିଆ ବଡ଼ଟିଏ ବା ବହଳଟିଏ ହୋଇ ରହିଗଲୁ । ମଣିଷକୁ ଲୋଡ଼ୁ ଲୋଡ଼ୁ ମଣିଷ ଉପରେ କ୍ଷମତା ବିସ୍ତାର କରୁଥିବା ମହାବିଶାଳ କାପାଳିକଟିଏ ହୋଇ ରହିଲୁ । ସଂସାରରେ ଭଲ ପାଇବାକୁ ବାହାରିଥିଲୁ, ମାତ୍ର କେଉଁ ସଲ ଭିତରେ ପଡ଼ିଯାଇ ସଂସାରଯାକର ସମସ୍ତଙ୍କୁ ବଳାତ୍କାର ଦ୍ଵାରା ନିଜ ଉଆସ ଭିତରେ ଖୁଣ୍ଟରେ ବାନ୍ଧିକରି ରଖିବାର ମହା ଦୁର୍ଯ୍ୟୋଗ ଭିତରେ ପଡ଼ିଗଲୁ । ଆମେ ଖୋଲା ପବନ, ଖୋଲା ଆଲୁଅ ଓ ଖୋଲା ଆକାଶ ଖୋଜି ବାହରିଥିଲୁ, ମାତ୍ର ଆପଣାର ଗୁମ୍ଫାଟି ଭିତରେ ନିର୍ଧୁମ ନାନା ବାତୁଳତା ଏବଂ ଆତୁରତା ମଧ୍ୟରେ ବନ୍ଦୀ ହୋଇ ରହିଲୁ । ଆମ୍ଭୀୟତାକୁ ମନ କରିଥିଲୁ, ମାତ୍ର ଶେଷକୁ ତୁଚ୍ଛା ବିଷୟଗୁଡ଼ିକୁ ଲୋଚନ ବୋଲି ବରିନେଲୁ । ହୁଏତ ଭଲ ଶିକ୍ଷକଟିଏ ହେବାକୁ ବାସନା ରଖିଥିଲୁ, ଧାଇଁ ଧାଇଁ ଶିକ୍ଷାନାମକ ଏକ ଯନ୍ତ୍ର ଭିତରେ ଯାଇ ପଶିଗଲୁ । ଆମେ ଏହି ଦେଶର, ଏହି ପୃଥିବୀର, ଏହି ଗାଆଁ, ବନ ଓ ତୋଟାମାଳର କଲ୍ୟାଣ ମନାସିଲୁ । ମାତ୍ର ଆଗ ନିଜର କଲ୍ୟାଣ କରିବୁ ବୋଲି ଏହି ଯାବତୀୟ କ୍ଷେତ୍ରରେ କେତେ ଅକଲ୍ୟାଣର କାରଣ ହେଲୁ । ମୃତ୍ୟୁଭୀତ ହୋଇ ଜୀବନଟାକୁ ଅକାରଣ କରିଦେଲୁ । ବେତାକୁ ବେତା ପାଠ ପଢ଼ିଲୁ, ବିବେକ ଓ ବିଦ୍ୟାର ଘରେ ମୂର୍ଖ ହୋଇ ରହିଗଲୁ । କାମସୂତ୍ରଗୁଡ଼ାକୁ ମୁଖସ୍ଥ କଲୁ, ହୁଏତ ଆପଣା ଲାଗି ଏକ ଅଭିନବ କାମସୂତ୍ରର ପ୍ରଣୟନ କରିବାକୁ କେଡ଼େ ଆତୁର ହୋଇ ପଡ଼ିଲୁ, ମାତ୍ର ଏଣେ ଅସଲ ସଙ୍ଗ ଓ ସଖ୍ୟକାମନାର ଘରଗୁଡ଼ିକରେ ବନ୍ଧା ହେଲୁ, ନପୁଂସକ ହେଲୁ, ଆପଣାର କୋପନ-ପ୍ରବୃତ୍ତିଗୁଡ଼ାକୁ ଜାହିର କରି ପୃଥିବୀଟାକୁ ଛିନଛତ୍ର କରି ପକାଇଲୁ ! ସତକୁ ସତ କ'ଣ କେଉଁ ଅଦୃଷ୍ଟ ଆମେ ଏହି ଭଳି ହେବୁ ବୋଲି ଆଗରୁ ଲେଖି ରଖିଥିଲା ? ଉପନିଷଦର ଭାଷାରେ ଆମକୁ କେବଳ “ଆତ୍ମୋହନୋ ଜନାଃ' ବୋଲି କୁହାଯାଇ ପାରିବ । ଯିଏ ଆତ୍ମାକୁ ମାରିଦିଏ, ସିଏ ହେଉଛି ଆତ୍ମହନ୍, ଆତ୍ମହନ୍ତା, ଆତ୍ମଘାତୀ । ଆମେ ଆତ୍ମହନ୍ତା ହେଉ ବୋଲି କୋଉ ବିଧାତା କାହିଁକି ଇଚ୍ଛା କରିବ ?

 

ଯେଉଁ ଭଗବାନଙ୍କ ହାତରେ ସଂସାରଯାକର ଡୋରି ରହିଛି, ସିଏ କାହିଁକି ଏପରି ଇଚ୍ଛା କରିବ ? ଆମରି ଭିତରେ ରହିଥିବା ଭଗବାନ କାହିଁକି ଏପରି କରିବ ? ସିଏ ଅଦୃଷ୍ଟର ବୋଲ ମାନିବ ନା ଅଦୃଷ୍ଟ ତା' ବୋଲ ମାନିବାକୁ ବାଧ୍ୟ ହେବ ?

୨୮ । ୧୨ । ୮୯

Image

 

ସଂକଟରୁ ସମ୍ମୋଚନ

 

ଆମେରିକାର ସାମାଜିକ ଜୀବନ ଏକ ଗୁରୁତର ସଂକଟର ସମ୍ମୁଖୀନ ହେବାକୁ ବସିଲାଣି ବୋଲି ଏକ ଓଡ଼ିଆ ଖବରକାଗଜରେ ଖବର ବାହାରିଛି । ଏହି ଖବରଟି ସବାଆଗ ଆମେରିକାର ଖବରକାଗଜରେ ବାହାରିଛି ଓ ସେଠାରୁ ଉଦ୍ଧାର କରାଯାଇ ଓଡ଼ିଆ ଖବରକାଗଜକୁ ଆସିଛି । ଆମେରିକାରେ ଆମେରିକାବାସୀଙ୍କ ଦ୍ୱାରା ଏକ ସର୍ବେକ୍ଷଣ କରାଯାଇ ଆଗକୁ ଏକ ସଂକଟ ଆସୁଛି ବୋଲି ଜଣାଯାଇଛି । ଆମେରିକା ପୃଥିବୀରେ ସବୁଠାରୁ ଅଧିକ ଧନୀରାଷ୍ଟ୍ର; ତେଣୁ ସେଠାରେ କଦାପି କୌଣସି ସଂକଟ ଉପୁଜିବ ନାହିଁ ବୋଲି ଆମ ଦେଶରେ ଯେଉଁମାନଙ୍କର ଧାରଣା ଥିଲା, ସେମାନେ ଏଥିରେ ଆତଙ୍କିତ ହୋଇ ପଡ଼ିଥିବେ । ଅଥବା, ଅନ୍ୟ ପକ୍ଷରେ, ଆମେରିକା ରାଷ୍ଟ୍ର ବା ଏକ ସମୁହ ହିସାବରେ ଅତିରିକ୍ତ ପରିମାଣରେ ଧନୀ ହେବାରୁ ହିଁ ଯେ ସେଠାରେ ଏଭଳି ଏକ ସଙ୍କଟ ଆସି ଦେଖାଗଲା, ଏକଥା ଭାବି ଏ ଦେଶରେ ଅନେକ ଆଦର୍ଶପ୍ରେମୀ ଅବସ୍ତୁବାଦୀ ବ୍ୟକ୍ତି କିଞ୍ଚିତ୍ ହୃଷ୍ଟ ବି ଅନୁଭବ କରୁଥିବେ । ଭାରତବର୍ଷ ଏତେ ଧନୀ ନହୋଇ ଆଉ ଅନ୍ୟକିଛି କିମ୍ବା ଏପରିକି କିଞ୍ଚତ୍ ଦରିଦ୍ର ହୋଇଥାଉ ପଛକେ, ଭାରତବର୍ଷକୁ ଅନ୍ତତଃ କଦାପି ଏହିଭଳି କୌଣସି ସଂକଟର ସାମନା କରିବାକୁ ପଡ଼ିବ ନାହିଁ ବୋଲି ସେମାନେ ତୁମକୁ ସତେଅବା ତୁମ ବାପା ପରି ବୁଝାଇବାକୁ ଆସିବେ । ଅଳପରେ ରହିଲେ ତୁମର ଭାବନା ପ୍ରାୟ ନିୟମତଃ ଉଚ୍ଚରେ ରହିବ ବୋଲି ତୁମକୁ କେତେ ଉଲୁଗୁଣା ଦେଇ କହିବେ । ଭାରତବର୍ଷର ପ୍ରାଚୀନ ମୁନିଋଷିମାନଙ୍କର ଦୃଷ୍ଟାନ୍ତ ବାଢ଼ି ତୁମକୁ ସତେଅବା ଜୟ କରିନେଲେ ବୋଲି ଅନୁଭବ କରିବେ ।

 

ଆମେରିକା ଯୁକ୍ତରାଜ୍ୟରେ ଏବେ କରାଯାଇଥିବା ସର୍ବେକ୍ଷଣଟିରୁ ଜଣା ପଡ଼ିଛି ଯେ ସେହି ଦେଶର ସାମାଜିକ ମୂଳଦୁଆ ଭାଙ୍ଗି ପଡ଼ିବା ଅବସ୍ଥାରେ ଆସି ପହଞ୍ଚିଲାଣି । ଆମେରିକାରେ ଯୁବକ ଯୁବତୀମାନେ ବିଶେଷ ଭାବରେ ଉତ୍‌ଶୃଙ୍ଖଳ ହୋଇ ପଡ଼ିଲେଣି । ସେମାନେ ଆଉ ମୋଟେ ପିତାମାତାଙ୍କର ନିୟନ୍ତ୍ରଣରେ ରହୁନାହାନ୍ତି । ଅତ୍ୟଧିକ ମାଦକଦ୍ରବ୍ୟ ସେବନ କରୁଛନ୍ତି । କ୍ରମେ ଅଧିକରୁ ଅଧିକ ତରୁଣ-ବୟସ ବ୍ୟକ୍ତି ନିଶାଦ୍ରବ୍ୟ ପ୍ରତି ଆକୃଷ୍ଟ ହେଉଛନ୍ତି । ଘରେ ସେମାନେ ନିଜ ବାପାମାନଙ୍କର ସ୍ନେହ ଯେ ପାଉନାହାନ୍ତି, ନିଶାଦ୍ରବ୍ୟ ପ୍ରତି ଆକୃଷ୍ଟ ହେବାର କାରଣରୂପେ ଏଭଳି ଅନୁମାନ କରାଯାଉଛି । ହଁ, ଘରମାନଙ୍କରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଜଣେ ଆଉଜଣଙ୍କର କଥାରେ ମଙ୍ଗୁ ନଥିବାରୁ ଛାଡ଼ପତ୍ରର ଅନୁପାତ ମଧ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ପରିବାରରେ ଅସନ୍ତୋଷ, ନିଶାସେବନର ଆକର୍ଷଣ, ତେଣୁ ସମାଜରେ ହିଂସାଚରଣ ମଧ୍ୟ ବୃଦ୍ଧି ପାଉଛି । ନାନାବିଧ ଅପରାଧ ବୃଦ୍ଧି ପାଉଛି । ତରୁଣମାନେ ହିଁ ଅଧିକତର ସଂଖ୍ୟାରେ ଅପରାଧମାନ କରୁଛନ୍ତି । ଏହିସବୁ ଅଣଆଚାର କେବଳ ଆମେରିକାରେ ସୀମାବଦ୍ଧ ହୋଇ ରହୁନାହିଁ, କ୍ରମେ ମହାସାଗର ଡେଇଁ ଇଉରୋପର ବ୍ରିଟେନ୍, ଫ୍ରାନ୍‌ସ୍ ଓ ଆହୁରି କେତେ ଦେଶକୁ ସଂକ୍ରମିତ ହୋଇ ଆସୁଛି ।

 

ପିଲାମାନେ ବଡ଼ମାନଙ୍କ କଥା ମାନିବେ, ପୁଅଝିଅମାନେ ବାପାମାଆଙ୍କ କଥା ଅବଶ୍ୟ ମାନିବେ, ଇଉରୋପରେ ଏହି କଥାଟି ରୋମସାମ୍ରାଜ୍ୟର ଅମଳରୁ ଚଳିଆସିଛି । ସନ୍ତାନମାନେ ହେଉଛନ୍ତି ବାପାମାଆଙ୍କର ସମ୍ପତ୍ତି । ଭାରତୀୟ ଶାସ୍ତ୍ରୀୟ ନଜିର ଦେଇ ଏହି କଥାଟିକୁ କହିବାକୁ ଗଲେ, ବାପାମାଆମାନେ କେତେ କେତେ ଜନ୍ମର ତପସ୍ୟା କରି ସନ୍ତାନମାନଙ୍କୁ ପାଇଛନ୍ତି । ବିଶେଷକରି ପୁତ୍ର-ସନ୍ତାନଟିଏ ପାଇବାକୁ ଅଧିକ ତପସ୍ୟା କରିବାକୁ ପଡ଼ିଛି । ଫଳଲାଭଟିର ଆଶାରେ ସେମାନଙ୍କୁ କେତେ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି । ତେଣୁ ଫଳଗୁଡ଼ିକ ସେମାନଙ୍କ ସମ୍ପତ୍ତି ହେବ ନାହିଁ ତ ଆଉ କ'ଣ ହେବ ? ରୋମ୍ ସାମ୍ରାଜ୍ୟର ପାଟ୍ରିସିଆନ୍ ବା ସମ୍ଭ୍ରାନ୍ତମାନେ ଏହି କଥାଟିକୁ ଖୁବ୍ ଭଲ ଭାବରେ ବୁଝିଥିଲେ ଏବଂ ତେଣୁ ସେହି ଅନୁସାରେ ଦେଶରେ ଆଇନଗୁଡ଼ିକୁ ଲେଖିଥିଲେ । ରୋମାନମାନଙ୍କର ସେହି ଆଇନ ଅନୁସାରେ ସନ୍ତାନମାନଙ୍କ ଉପରେ ଜଣେ ପିତାର ଅତୁଳ ନିୟନ୍ତ୍ରଣ ରହିଥିଲା । ପିତା ପୁତ୍ରକୁ ଯାବତୀୟ ଦଣ୍ଡ ଦେଇପାରୁଥିଲା, ଏପରିକି ମୃତ୍ୟୁଦଣ୍ଡ ବି ଦେଇପାରୁଥିଲା ଏବଂ ରାଜ୍ୟର ଆଇନ ତାହାର କୌଣସି ପ୍ରତିବାଦ କରୁନଥିଲା । ରାଜ୍ୟର ତତ୍ୱାବଧାରକ ମହନୀୟ ଠାକୁରମାନେ ମଧ୍ୟ ସେହି ଚଳଣିଟିକୁ ଅନୁମୋଦନ କରୁଥିଲେ ବୋଲି ବିଶ୍ଵାସ କରା ଯାଉଥିଲା । କେବଳ ରୋମାନ୍ ଶାସନ ବା ସଭ୍ୟତାରେ ନୁହେଁ, ପୃଥିବୀର ଏକାଧିକ ପ୍ରାଚୀନ ସଭ୍ୟତାରେ ଏହି ରୀତିଟି ଚଳୁଥିଲା । ଈଶ୍ଵରଙ୍କର ପ୍ରୀତ୍ୟର୍ଥେ ଇହୁଦୀରାଜା ଆବ୍ରାହମ୍ ନିଜର ପୁଅକୁ ବଳି ଦେଇଥିଲେ । ଭାରତବର୍ଷରେ ଶୁନଃଶେପ କଥା ମଧ୍ୟ କାହାକୁ ଅବିଦିତ ନଥିବ ।

 

ମନୁଷ୍ୟର ସଭ୍ୟତା ଓ ଚଳଣିଗୁଡ଼ିକ ଯୁଗାନୁକ୍ରମରେ ଗଡ଼ି ଗଡ଼ି ଆମ ଆଧୁନିକ ବିଜ୍ଞାନଯୁଗରେ ଆସି ପହଞ୍ଚିଲାଣି । ଆଗେ ବିଶ୍ୱାସରେ ସବୁ ଚଳୁଥିଲା, ସେକାଳର ବିଶ୍ୱାସୀ ମଣିଷ ବିବର୍ତ୍ତନର ସୁଅରେ ବଦଳି ବଦଳି ଏବେ ବିଜ୍ଞାନରେ ଆସି ପହଞ୍ଚିଲାଣି । ବିଜ୍ଞାନ ମଣିଷକୁ ବଳି ଦିଏନାହିଁ, ବିଜ୍ଞାନ ବିବେକ ଉପରେ ଅର୍ଥାତ୍ ଯଥାର୍ଥ ଅନୁଭବ ଉପରେ ନିର୍ଭର କରି ବାଟ ଖୋଜେ, ପୁରୁଣାଗୁଡ଼ାକୁ ଖିନ୍‍ଭିନ୍ କରି ତା' ଭିତରୁ ନୂଆର ଅନ୍ୱେଷଣ । କରୁଥାଏ, ପୁରୁଣା ପାହାଚଟି ଉପରେ ଗୋଡ଼ ରଖି ତାହା ନୂଆ ଆଉ ଗୋଟିଏ ପାହାଚକୁ ଉଠିଯାଏ । ପୁରୁଣାକୁ ମିଛ ବୋଲି କହେନାହିଁ ସତ, ମାତ୍ର ପୁରୁଣାକୁ କଦାପି କାମୁଡ଼ି କରି ପଡ଼ି ରହେନାହିଁ । ବିଜ୍ଞାନ ମଣିଷକୁ ମଣିଷର ସମ୍ମାନ ଦିଏ । ଆଗେ ଅଧ୍ୟାତ୍ମ ଯେପରି ମଣିଷକୁ ଆଦୌ କୌଣସି କ୍ଷେତ୍ରରେ ସାଲିଶ୍ କରି ପକାଇବାର ଖଳ ଇଚ୍ଛା ପୋଷଣ କରୁ ନ ଥିଲା, ମଣିଷ ଭିତରେ ସତ୍ୟ ବା ଭଗବାନ ଅଛନ୍ତି ବୋଲି କହୁଥିଲା, ଆଧୁନିକ ବିଜ୍ଞାନ ଆମର ଦୃଷ୍ଟିକୁ କ୍ରମଶଃ ସେହିଭଳି ଏକ ସ୍ତରକୁ ଉନ୍ନୀତ ବା ପ୍ରସାରିତ କରି ଆଣିଲାଣି । ଚେତନାର ଏହି ସ୍ତରରେ କେହି କାହାର ଦାସ ଆଦୌ ନୁହେଁ । ଦାସ ହେବା ଅପରାଧ, ଆଉ କାହାକୁ ଦାସ କରି ରଖିବା ମଧ୍ୟ ଅପରାଧ । ଦାସତ୍ୱ ଶାସନ ଦ୍ୱାରା ନୁହେଁ କି ଦାସତ୍ଵ ସ୍ନେହ ଦ୍ଵାରା ନୁହେଁ; କ୍ରୂରତା ଦ୍ଵାରା ନୁହେଁ କିମ୍ବା ମମତା ଦ୍ଵାରା ନୁହେଁ । ଏହିପରି ଏକ ସମ୍ବନ୍ଧଭୂମିରେ ପ୍ରାୟ ଏକ ଅଭିନବ ଚେତନାର ଦାୟାଦ ହୋଇ ଜନ୍ମଲାଭ କରୁଥିବା ସନ୍ତାନମାନେ ବାପାମାଆଙ୍କ କଥା ମାନିବାକୁ ହିଁ କାହିଁକି ଜୀବନାଦର୍ଶ ବୋଲି ଗ୍ରହଣ କରିନେବେ ? ଯେଉଁ ପୃଥିବୀଟି ଆସୁଛି, ତାହାରି ମୂଲ୍ୟବୋଧଗତ ଜ୍ୟାମିତି ଏବଂ ପରିମିତିର ପରିପ୍ରେକ୍ଷୀରେ ବିଚାର କଲେ ସନ୍ତାନମାନଙ୍କ ଉପରେ ପିତାମାତାଙ୍କର ଅଧିକାର ନାହିଁ । ସନ୍ତାନମାନଙ୍କର ପ୍ରତି ସେମାନଙ୍କର ଦାୟିତ୍ୱ ରହିଛି । ସଂସ୍କାରଗତ ବହୁ କାରଣରୁ ଆଧୁନିକ ଜଗତରେ ଥାଇ ମଧ୍ୟ ବହୁ ପିତାମାତା ସେମାନଙ୍କର ସେହି ଦାୟିତ୍ୱଟିକୁ ମୋଟେ ଭଦ୍ର ଭାବରେ ତୁଲାଇ ପାରୁନାହାନ୍ତି । ସେମାନେ ଏବେ ମଧ୍ୟ ପିଲାମାନଙ୍କୁ ଆପଣାର ସମ୍ପତ୍ତି ବୋଲି ଭାବୁଛନ୍ତି । ଏଇଥିରୁ କନ୍ଦଳ ବାହାରୁଛି । ଏହି କନ୍ଦଳକୁ ଅନେକେ ସଂକଟ ବୋଲି କହୁଛନ୍ତି ।

 

ଆଧୁନିକ ପୃଥିବୀରେ ପୁରାତନ ପରିବାରଗୁଡ଼ିକ ଭାଙ୍ଗିଯାଉଛି । ଏକ ଅନ୍ୟ ଓ ଅଧିକ ସ୍ୱୀକାରାତ୍ମକ ଓ ଅଧିକ ଗ୍ରହଣଶୀଳ ପାରିବାରିକତା ଲାଗି ପୃଥିବୀର ମଣିଷ କ୍ରମେ ଅଧିକରୁ ଅଧିକ ତୃଷାର୍ତ୍ତ ହୋଇ ଉଠିଲାଣି ବୋଲି ଏପରି ହେଉଛି । ଆମର ପୁରୁଣା ପରିବାରଗୁଡ଼ିକ ସେହି ତୃଷାର କଦାପି ନିବାରଣ କରି ପାରିବେ ନାହିଁ ବୋଲି ଆଗକୁ ଦେଖି ପାରୁଥିବା ମଣିଷ ଆଗରେ ଅଧିକ ସ୍ପଷ୍ଟ ହୋଇଯାଉଛି । ସେହି ଅଭୀପ୍‍ସିତ ଅନ୍ୟ ପାରିବାରିକତାର ତରାଜୁ ଉପରେ ପକାଇ ଦେଖିଲେ ପାରମ୍ପରିକ ପରିବାରଗୁଡ଼ିକ ପ୍ରାୟ ଅଚଳନ୍ତି ମୁଦ୍ରାପରି ଅନୁଭୂତ ହେବାକୁ ଲାଗିଲେଣି । ପରିବାର ହେଉଛି ଏକ ସାମାଜିକ ଅନୁଷ୍ଠାନ । ମନୁଷ୍ୟର ବହୁ ଅନ୍ତର୍ଗତ ଓ ବାହ୍ୟ ପ୍ରୟୋଜନର ମେଣ୍ଟ ଲାଗି ପ୍ରାୟ ଏକ ସ୍ଵାଭାବିକ ବିବର୍ତ୍ତନର ଧାରାରେ ଏହି ଅନୁଷ୍ଠାନ ଗଠିତ ହୋଇ ଆସିଛି । ନାନା ସମାଜରେ ନାନାଭାବେ ଗଠିତ ହୋଇ ଆସିଛି । ଯୁଗେ ଯୁଗେ ଗଠିତ ହୋଇ ଆସିଛି । ଏବେ ମଧ୍ୟ ଗଠିତ, ବିଘଟିତ ଏବଂ ପୁନର୍ଗଠିତ ହେବାରେ ଲାଗିଛି । ପୁରୁଣା ଗଠନଟି ଭାଙ୍ଗି ଯାଉଛି, କାରଣ ତାହା ଆଧୁନିକ ମନୁଷ୍ୟର ନୂତନ ସମ୍ପ୍ରତ୍ୟୟଗୁଡ଼ିକର ତୃପ୍ତି ଭାଜନ ହୋଇ ପାରୁନାହିଁ ଏବଂ, ଆପଣାର ଅସଲ କର୍ତ୍ତବ୍ୟ ଅଥବା ଉଦ୍ଦେଶ୍ୟଟିକୁ ଭୁଲି ସେହି ପୁରୁଣା ଭାରି ଅଳଙ୍କାରଗୁଡ଼ାକୁ ଗୋଡ଼ରେ ବୋଝପରି ପିନ୍ଧି ବସିଥିବା ପରିବାର ଅନେକ କ୍ଷେତ୍ରରେ ଏକ ନ୍ୟସ୍ତସ୍ଵାର୍ଥର ଭୂମିକା ମଧ୍ୟ ଗ୍ରହଣ କରିବାକୁ ବସିଲାଣି । କିଏ କେଉଁ ପରିବାରରେ ଜନ୍ମଗ୍ରହଣ କରିଛି, ପ୍ରାୟ ଯାବତୀୟ ଦୃଷ୍ଟିକୋଣରୁ ତାହା ଏକ ଆକସ୍ମିକତା ହୋଇଥିଲେ ମଧ୍ୟ ପରିବାର-ଭାବନାଟିରେ ଅବମୂଲ୍ୟନ ଘଟାଇ ତାହା ଉପରେ କେତେ ଭଳି ମିଛ ମମତ୍ଵର ମୋହକୁ ବୋଳି ଦିଆଯାଉଛି ଓ ବୃହତ୍ତର ସଂସାର ଲାଗି ବହୁ ଅନିଷ୍ଟକୁ ଡାକି ଅଣାଯାଉଛି । ଭଗବାନଙ୍କର ଖାତାରେ ଆମ ପରିବାରଗୁଡ଼ିକର ଏକ ତାଲିକା ରହିଛି ବୋଲି କ’ଣ ଆମେ ପ୍ରକୃତରେ ବିଶ୍ଵାସ କରୁଛୁ ? ତେବେ, ଅମୁକ ପରିବାରରେ ଜନ୍ମ ହେବାଟା ଜଣେ ମଣିଷର ଭାଗ୍ୟ ଅଥବା ଅମୁକ ବିଖ୍ୟାତ ବ୍ୟକ୍ତି କୌଣସି ପରିବାରରେ କନ୍ମଗ୍ରହଣ କରିଥିବାଟା ସେହି ପରିବାର ଲାଗି ଏକ ମହାଭାଗ୍ୟ ବୋଲି ଆମେ କାହିଁକି ମିଛଟାରେ କହି ପୃଥିବୀରେ ଭ୍ରମ ବଢ଼ାଉଛୁ ? ମନୁଷ୍ୟର ପ୍ରଭାବ ବା ଅଭିବୃଦ୍ଧି ଲାଗି ମନୁଷ୍ୟର ସଂସାରରେ ବହୁ ଅନୁଷ୍ଠାନ ସୃଷ୍ଟି ହୋଇଛି । ଧର୍ମର ସୃଷ୍ଟି ହୋଇଛି, ସାମାଜିକ ଅନୁଷ୍ଠାନଗୁଡ଼ିକର ସୃଷ୍ଟି ହୋଇଛି, ଏକ ସାମାଜିକ ଅନୁଷ୍ଠାନ ରୂପେ ପରିବାରର ସୃଷ୍ଟି ହୋଇଛି । ଯାବତୀୟ ସାମାଜିକ ଅନୁଷ୍ଠାନ ପରି ପରିବାରର ମଧ୍ୟ ଏକ ବିବର୍ତ୍ତନଧାରା ଅବଶ୍ୟ ରହିଛି । ପ୍ରୟୋଜନ ଅନୁସାରେ ବିବର୍ତ୍ତନ, ନୂତନ ଯୁଗବିବେକରୁ ନୂତନ ଗଠନର ଆବଶ୍ୟକତା ଓ ତେଣୁ ପୁରାତନ ଗଠନଟିର ବିଘଟନ । ଯୁଗ ଯୁଗରୁ ସୃଷ୍ଟି ଏହିମତେ ଚଳି ଆସିଛି । ଏହି ଦୃଷ୍ଟିରୁ ବିଚାର କଲେ ଆମେ ଆମର ସଂସ୍କାରଗତ ଅନେକ ଭାବପ୍ରବଣତାରୁ ନିଜକୁ ମୁକ୍ତ କରି ଆଣିପାରିବା ଓ ଅଧିକ ସୁସ୍ଥ ଓ ମୋହମୁକ୍ତ ଭାବରେ ପରିବାରର ବିଚାର କରିପାରିବା ।

୪ I ୦୧ ।୯୦

Image

 

ସଙ୍କଟରୁ ସମ୍ମୋଚନ (୨)

 

ପରିବାର କହିଲେ ଘରକୁ ବୁଝାଏ । ମୋ' ଘର ଅର୍ଥାତ୍‍ ମୋ’ର ପରିବାର । ପୁରୁଷପ୍ରଧାନ ସମାଜରେ ପୁରୁଷର ପରିବାର, ସ୍ତ୍ରୀପ୍ରଧାନ ସମାଜରେ ସ୍ତ୍ରୀ’ର ପରିବାର । ପରିବାରରେ ମୁଁ, ମୋ’ର ଦାରା ଓ ସୁତ ଓ ନିକଟ ରକ୍ତସମ୍ପର୍କୀୟ ଆଉ କେତେଜଣ ମଣିଷ । ସଂସାରର ଏକ ଅନ୍ୟ ଅଧିକ ଯୁକ୍ତିଯୁକ୍ତ ଅର୍ଥ ରହିଥିଲେ ହେଁ ଜଣେ ବ୍ୟକ୍ତିର ସଂସାର କହିଲେ ପାରମ୍ପରିକ ବ୍ୟାକରଣରେ କେବଳ ତା ପରିବାରକୁ ବୁଝାଇ ଆସୁଥିଲା ଏବେ ମଧ୍ୟ ପୃଥିବୀରେ ଯେଉଁସବୁ ଦେଶରେ ପାରମ୍ପରିକ ସମାଜଟା ହିଁ ଏକ ପବିତ୍ର ବେଢ଼ା ପରି ହୋଇ ରହିଛି, ସେସବୁ ଦେଶରେ ସଂସାର କହିଲେ କେବଳ ପରିବାରକୁ ହିଁ ବୁଝାଉଛି । ମାତ୍ର ସଂସାର କ'ଣ ପ୍ରକୃତରେ ସେତିକି ? ରକ୍ତର ସମ୍ପର୍କଟା କ'ଣ ମଣିଷର ସବାବଡ଼ ସମ୍ପର୍କ ? ଜାତୀୟତାବାଦର ଷଡ଼ଯନ୍ତ୍ର ଭିତରେ ପଡ଼ି ପୃଥିବୀରେ ଏବେ ପ୍ରାୟ ସବୁ ଦେଶରେ ଅଧିକାଂଶ ମଣିଷ ସବାଆଗ ନିଜ ଦେଶକୁ ଦେଖୁଛନ୍ତି ଓ ତା'ପରେ ଯାଇ ପୃଥିବୀକୁ ଦେଖୁଛନ୍ତି । ସାମନ୍ତବାଦୀ ସମାଜରେ ମଣିଷମାନେ ଅତ୍ୟନ୍ତ ଅଭ୍ୟସ୍ତ ଭାବରେ ସବାଆଗ ନିଜ ପରିବାରକୁ ହିଁ ସଂସାର ବୋଲି ମାନୁଛନ୍ତି ଓ ତା'ପରେ ଯାଇ ଆଦୌ କୌଣସି ବୃହତ୍ତର ସଂସାର ରହିଛି ବୋଲି ସଜ୍ଞାନ ହୋଇ ପାରୁଛନ୍ତି । ନିତାନ୍ତ ଗରଜରେ ନ ପଡ଼ିଲେ ହୁଏତ ସାଧାରଣତଃ କେହିହେଲେ ନିଜ ବୃତ୍ତ ଏବଂ ବେଭାରଟି ଭିତରେ ସେହି ବୃହତ୍ତର ସଂସାରଟିକୁ ବିଚାରକୁ ନେବାକୁ ରାଜି ହେଉନାହାନ୍ତି ।

 

ପରିବାର କ’ଣ ଏକମାତ୍ର ସାମାଜିକ ଅନୁଷ୍ଠାନ, ଯାହାକୁ ଆଶ୍ରା କରି ମଣିଷ ବଞ୍ଚି ରହିଛି-? ପରିବାର ସହିତ ଗୋଷ୍ଠୀ ରହିଛି, ଗାଆଁ ରହିଛି, ଦେଶଟିଏ ରହିଛି । ଦେଶକୁ ଏକ ରାଷ୍ଟ୍ର ଚଳାଉଛି, ରାଷ୍ଟ୍ରର ତତ୍ୱାବଧାନରେ ଏକ ଅର୍ଥନୀତି ମଧ୍ୟ ଚାଲିଛି । ପରିବାର ପରି ଗୋଟିଏ ଗୋଟିଏ ଅନୁଷ୍ଠାନ ହିସାବରେ ବ୍ୟକ୍ତି ଲାଗି ଏଗୁଡ଼ିକ ମଧ୍ୟ କ'ଣ ଅପରିହାର୍ଯ୍ୟ ନୁହନ୍ତି ? ଗାଆଁ ଓ ଗୋଷ୍ଠୀ ଅଲକ୍ଷଣା ହେଲେ, ଦେଶ, ରାଷ୍ଟ୍ର ଓ ରାଷ୍ଟ୍ର ଦ୍ୱାରା ପରିଚାଳିତ ଅର୍ଥନୀତି ଅଲକ୍ଷଣା ହେଲେ କ'ଣ ପରିବାରମାନେ ତଥାପି ସୁଲକ୍ଷଣ ହୋଇ ରହିପାରିବେ ? ବରଂ, ଆମ ଦେଶର ଦୃଷ୍ଟାନ୍ତ ଦେଖାଇ ଅତ୍ୟନ୍ତ ନିର୍ଭୁଲ ଭାବରେ କୁହାଯାଇ ପାରିବ ଯେ, ଏଠି ମନୁଷ୍ୟମାନେ ଏହି ପରିବାର ନାମକ ଗାତ ଭିତରେ ଏଡ଼େ ଐକାନ୍ତିକ ସରାଗରେ ପଶିକରି ରହିଛନ୍ତି ବୋଲି ଗୋଷ୍ଠୀ, ଦେଶ ଓ ରାଷ୍ଟ୍ର ମଧ୍ୟ ଦିନୁଁ ଦିନ ଅଧିକରୁ ଅଧିକ ଅଲକ୍ଷଣା ହେବାରେ ଲାଗିଛି । ପରିବାର ନାମକ କୁଞ୍ଚାଟିକୁ ଭର୍ତ୍ତିକରି ରଖିବାଲାଗି ମଣିଷ ଏଠି ସବୁ ପ୍ରକାରର ଅପରାଧ କରୁଛି ଓ ପରିବାରଧର୍ମର ପାଳନ ପାଇଁ ସେ ତାହା କରୁଛି ବୋଲି ସେ ଆପଣାକୁ କେଡ଼େ ନିର୍ମଳ ଭାବରେ କ୍ଷମା ଦେବାରେ ଲାଗିଛି । ଖାଲି ସାଧାରଣ ମଣିଷମାନେ ହିଁ ନୁହନ୍ତି, ପରିବାର ପାଖରେ ଅତ୍ୟନ୍ତ ଆସକ୍ତ ଓ ଆତୁର ଭାବରେ ଛନ୍ଦିହୋଇ ରହିଛି ବୋଲି ଏଠି ନେତା ମଧ୍ୟ ଅଲକ୍ଷଣା ହେଉଛି, ଦାୟିତ୍ୱହୀନ ହେଉଛି । ପରିବାରର ଘୁମଗୁଡ଼ାକୁ ଅଧିକରୁ ଅଧିକ ପେଟୁଆ କରିବାର ମତଲବରେ ଚାକିରିଆମାନେ କେତେ ଚୋରି ନ କରୁଛନ୍ତି ! ଏପରିକି ଚୋରମାନଙ୍କୁ ଧରିବା ଲାଗି ଖାସ୍ ନିଯୁକ୍ତ ହୋଇ ରହିଥିବା ବାବୁ ଓ ମହାବାବୁମାନେ ମଧ୍ୟ କେତେ ଚୋରି ନ କରୁଛନ୍ତି । ଏହାକୁ କେବଳ ଏକ ନୈତିକ ପ୍ରଶ୍ନ ବୋଲି କହି ନିଲଠା ଭାବରେ ସଭାରେ ଓ ଇସ୍କୁଲ ପିଲାଙ୍କ ଆଗରେ କେତେଟା ଉପଦେଶ ଦେଇ ବା କେତେଟା ଭାବପ୍ରବଣ କଥା କହି ଆମେ କଦାପି କାମ ସାରିଦେଇ ପାରିବା ନାହିଁ । ଆମ ସାମାଜିକ ସଙ୍ଗଠନ ଓ ସମାଜ ଦୃଷ୍ଟିରେ ପଶି ଯାଇଥିବା ଦୁର୍ବୁଦ୍ଧିଗୁଡ଼ାକୁ ଠାବ ନ କଲେ ଓ ସେହିଠାରେ ଦୃଢ଼ ଭାବରେ କିଛି ପ୍ରତିକାର ନ କଲେ ଆମକୁ ଆଦୌ କୌଣସି ସମାଧାନ ମିଳିବ ନାହିଁ ।

 

ପୁରାଣର କଥା ଅନୁସାରେ ପୂର୍ବେ ଏକ ରତ୍ନାକର ଦସ୍ୟୁ ଥିଲା, ଯିଏ କି ତା' ପରିବାରର ସୁଖ ନିମନ୍ତେ ଯାବତୀୟ ଅପରାଧ କରୁଥିଲା । ଅତ୍ୟନ୍ତ ନିର୍ମଳ ମନରେ ସିଏ ତାହା କରୁଥିଲା । ବର୍ତ୍ତମାନ ସମାଜରେ ଆମେ ସବୁଯାକ ପାରୁଆ ମଣିଷ ରତ୍ନାକର ସାଜିଛୁ । ରତ୍ନାକର ବିଚରା ତ ତେଣେ ଜଙ୍ଗଲ ଭିତରେ ତା’ ପାଇଟି କରୁଥିଲା । ଆମେ ସାମ୍ପ୍ରତିକ ଜୀବନର ସକଳ କ୍ଷେତ୍ରକୁ ଲୁଟି କରିବାର ଏକ ଜଙ୍ଗଲରେ ପରିଣତ କରି ସାରିଲୁଣି । ଗୁହାଳଠାରୁ ମନ୍ଦିର ପର୍ଯ୍ୟନ୍ତ ସବୁଠାରେ ଯାଇ ପଶିଗଲୁଣି । ସାହିତ୍ୟ, ସଂସ୍କୃତି, ଶିକ୍ଷା, ଧର୍ମ ଓ ଧର୍ମାଳୟ ସବୁକିଛିକୁ ଗ୍ରାସ କରିବାକୁ ବସିଲୁଣି । ସୁସ୍ଥ ପରିବାର ଏକ ଆବଶ୍ୟକ ସାମାଜିକ ଅନୁଷ୍ଠାନ ହିସାବରେ ବୃହତ୍ତର ଆହୁରି ଅନ୍ୟ ଆନୁଷ୍ଠାନିକ ବୃତ୍ତଗୁଡ଼ିକର ଅନୁପୂରକ ହୋଇ ରହନ୍ତା । ପରିବାର ସଂସାରମୁହାଁ ହୋଇ ରହନ୍ତା, ତେବେ ଯାଇ ତା’ର ଅସଲ ପରିମଳଟି ମଧ୍ୟ ରହିପାରନ୍ତା । ଆମେରିକା ପ୍ରଭୃତି ବିକଶିତ ରାଷ୍ଟ୍ରମାନଙ୍କରେ ତରୁଣୀମାନେ ନାନାଭାବେ ସେହି ପାରମ୍ପରିକ ପରିବାର ବିରୋଧରେ ପ୍ରତିବାଦ ଜ୍ଞାପନ କରୁଛନ୍ତି । ଆପଣାର ଅବଚେତନରେ ସେମାନେ ହୁଏତ ଏକ ଅନ୍ୟ ଅଧିକ ପ୍ରଶସ୍ତ ପାରିବାରିକତାର କାମନା କରୁଛନ୍ତି ବୋଲି ଚଳି ଆସିଥିବା ପରିବାରଟା ସେମାନଙ୍କ ମନକୁ ପାଉନାହିଁ । ସେମାନେ ସତେ ଅବା ଆଉ କୌଣସି ବୃହତ୍ତର ଆତ୍ମୀୟତା ଦ୍ଵାରା ଯେତେ ପରୋକ୍ଷ ଭାବରେ ହେଲେ ମଧ୍ୟ ପ୍ରବୁଦ୍ଧ ହେବାକୁ ଇଚ୍ଛା କରୁଛନ୍ତି ବୋଲି ପରିବାର ନାମରେ ଚଳୁଥିବା ଅସନା ଅଳ୍ପତାଗୁଡ଼ାକୁ ଅତିକ୍ରମ କରିଯିବାକୁ ଚାହୁଁଛନ୍ତି । ପୁରୁଣା ପରିବାରର ପ୍ରତୀକ ପିତାମାତାଙ୍କର ନିୟନ୍ତ୍ରଣରେ ରହିବାକୁ ଓ ସେହିମାନଙ୍କର ବୋଲ ମାନିବାକୁ ନିଜର ଈପ୍‍ସିତ ଅନ୍ୟ ଜୀବନଟି ଲାଗି ସେମାନେ ଆଦୌ ଯଥେଷ୍ଟ ବୋଲି ଅନୁଭବ କରୁ ନାହାନ୍ତି । ଏହାକୁ ଆମେ ସଙ୍କଟ ବୋଲି କହିବା ନା ଏକ ନୂଆ ସିନ୍ଦୁରା ଫାଟିବାର ପ୍ରାକ୍‌ଯନ୍ତ୍ରଣା ବୋଲି କହିବା ?

 

ଆମ ଆଧୁନିକ ପୃଥିବୀରେ ସ୍ନେହ ଆଉ କେଉଁଠି ରହିଛି ଯେ ପରିବାରମାନଙ୍କରେ ପୁଅ ଝିଅମାନେ ବାପାମାଆଙ୍କର ସ୍ନେହ ପାଉ ନାହାନ୍ତି ? ପାଠଶାଳାରେ ସ୍ନେହ ନାହିଁ । ଜୀବିକାର୍ଜନର କ୍ଷେତ୍ରରେ ସ୍ନେହ ନାହିଁ । ରାଜନୀତିରେ ସ୍ନେହ ନାହିଁ । ଆଦର୍ଶଗୁଡ଼ାକ ପଛରେ ଧାଇଁବାର କ୍ଷେତ୍ରରେ ଯାବତୀୟ ଅନ୍ଧତା ଓ ମତ୍ତତା ଭର୍ତ୍ତି ହୋଇ ରହିଛି ସିନା, ସ୍ନେହ କେଉଁଠି ହେଲେ ନାହିଁ । ସାହିତ୍ୟରେ ଗଳ୍ପ ଓ କବିତା ଛଳରେ, ରଙ୍ଗମଞ୍ଚରେ, ଉପଦେଶ ଦିଆଯାଉଥିବା ସଭାମାନଙ୍କରେ ସ୍ନେହର କଥା କୁହାଯାଉଛି ସିନା, ସ୍ନେହ ନାହିଁ । ସମ୍ପର୍କରେ କେଉଁଠି ହେଲେ ସ୍ନେହ ନାହିଁ । ସମସ୍ତେ କେଉଁ ପାଜି ନିଶାର କବଳ ଭିତରେ ଯାଇ ପଡ଼ି ଯାଇଥିବା ପରି ନିତାନ୍ତ ବାଣିଜ୍ୟିକ ହୋଇ ରହିଛନ୍ତି । କ୍ଷମତାର ହସନ୍ତ ଜିହ୍ୱାଗୁଡ଼ାକ ଲହ ଲହ ହେବାରେ ଲାଗିଛି । ମଣିଷ ଭିତରେ ରହିଥିବା ସ୍ନେହକାଙ୍ଗାଳ କୋମଳ ସଙ୍ଗ ଓ ସଖ୍ୟକାମୀଟି ମୁହଁ କାଢ଼ି ଏତେ ଟିକିଏ ବାହାରକୁ ଅନାଇ ଦେବାମାତ୍ରକେ ସତେବା ଏକାବେଳକେ ତା' ମୁହଁରେ ବହୁ ଚପେଟିକା ଆସି ବାଜିଯାଉଛି । ନିର୍ଧୂମ କପଟୀମାନେ ପ୍ରେମର କଥା କହୁଛନ୍ତି, ନିର୍ଧୂମ କ୍ଷୁଦ୍ରମାନେ ବୃହତ୍ତର ପରିଚ୍ଛଦ ପିନ୍ଧି ସଂସାରଟାକୁ ଅବର୍ଜିଆ କରି ରଖିଛନ୍ତି । ଘରେ ବାପାମାଆ ଏହିପରି ଏକ ସଂସାର ପାଇଁ ଅନୁରୂପ ଭେଷ ପିନ୍ଧିବାକୁ ନିଜ ପିଲାମାନଙ୍କୁ ଫୁସୁଲାଉଛନ୍ତି । ପିଲାଙ୍କ ଭିତରେ ଦହି ପକାଉଥିବା ସଂଶୟ ଓ ଦରଦଗୁଡ଼ାକୁ ବୁଝୁଥିଲେ ସିନା ସେମାନେ ପିଲାଙ୍କୁ ସ୍ନେହ କରି ପାରୁଥାଆନ୍ତେ ? ବିଚରା ବାପାମାଆମାନେ ବି ତ ବାଧ୍ୟ ହୋଇ ସେହି ପୁରୁଣା ପୃଥିବୀଟା ସହିତ ପ୍ରୀତିବଦ୍ଧ ହୋଇ ରହିଥିବା ପରି ପାକୁଳି କରିବାରେ ଲାଗିଛନ୍ତି । ମାଣକୁ ଛଅମାଣ କରିବାକୁ ଜୀବନର ପ୍ରଧାନତମ ଯଶଃ ବୋଲି ମଣୁଛନ୍ତି । ସ୍ନେହ କରିବାକୁ ବେଳ କାହିଁ ? ଜୀବନଟାକୁ ସେମାନେ ଏକାନ୍ତ ନଶ୍ଵର ବୋଲି ଜାଣି ସାରିଲେଣି । ତେଣୁ ଯେଝା ସିଂହାସନରେ ବନ୍ଧାହୋଇ ଜୀବନକୁ ଯଥାସମ୍ଭବ ଭୋଗ କରିନେବାକୁ ହିଁ ସେମାନେ ସତେବା ବ୍ୟବହାରିକ ପୁଣ୍ୟ ବୋଲି ଗଣିଲେଣି । ସେମାନଙ୍କୁ ସ୍ନେହ କରି ଆସିବ କୁଆଡ଼ୁ ?

 

ତେବେ ସଙ୍କଟର ସମାଧାନ କେଉଁଠାରେ ? ସମ୍ମୋଚନରେ ହିଁ ସମାଧାନ । ପୃଥବୀଯାକ ତରୁଣଶକ୍ତି ବର୍ତ୍ତମାନ ସେହି ସମ୍ମୋଚନର କାମନା କରୁଛି । ପୁରାତନ ତଥାକଥିତ ଚଳନ୍ତି ଗୁଡ଼ାକରୁ ହିଁ ଏକ ସଙ୍କଟର ଜନ୍ମ ହୋଇଛି । ତେଣୁ ସେହି ଚଳନ୍ତି ଭିତରେ ଛନ୍ଦି ହୋଇ ରହିଲେ ସମାଧାନ କଦାପି ମିଳିବ ନାହିଁ । ତାଳି ପକାଇଲେ ଆଉ ମୋଟେ ଚଳିବ ନାହିଁ । ଆମେରିକାରେ ଚଳିବ ନାହିଁ କି ଭାରତବର୍ଷରେ ଚଳିବ ନାହିଁ । ଆମେରିକାରେ ଯେଉଁ ସଙ୍କଟ, ଭାରତବର୍ଷରେ ମଧ୍ୟ ମୂଳତଃ ସେହି ସଙ୍କଟ । ଆମେରିକାରେ ଯେଉଁ କପଟ, ଭାରତବର୍ଷରେ ମଧ୍ୟ ସେହି କପଟ । ସେହି କପଟର ସମ୍ମୁଖୀନ ହେବାକୁ ପଡ଼ିବ । କପଟର ସମ୍ମୁଖୀନ ହୋଇପାରିଲେ ଯାଇ ଉପସ୍ଥିତ ସଙ୍କଟରୁ ସମାଧାନ ମିଳିବ । ଆମେରିକାରେ ମିଳିବ, ଭାରତବର୍ଷରେ ମଧ୍ୟ ମିଳିବ । ପରିବାରର ଗାତ ଭିତରୁ ବାହାରି ଏକ ବୃହତ୍ତର ଓ ଅଧିକ ପ୍ରଶସ୍ତ ପାରିବାରିକତାକୁ ସକ୍ରିୟ ଭାବରେ ମନ କଲେ ଯାଇ ତାହାର ସମାଧାନ ହେବ । ଘର ଯଥେଷ୍ଟ ହେଉନାହିଁ ବୋଲି ଏବର ତରୁଣ ରାସ୍ତାକୁ ବାହାରିଛି । ରାସ୍ତା ହେଉଛି ତା’ର ଅଭିଳଷିତ ସେହି ବୃହତ୍ତର ଘରଟିର ପ୍ରତୀକ । ତରୁଣ ଯେତେବେଳେ ଫେରିବ, ସେତେବେଳେ ସିଏ ଆମର ଏହି ପୁରୁଣା ଘରଗୁଡ଼ାକୁ ମୋଟେ ଫେରି ଆସିବ ନାହିଁ ।

୧୧ I୦୧ ।୯୦

Image

 

ସଙ୍କଟରୁ ସମ୍ମୋଚନ (୩)

 

ପୃଥିବୀ ଉପରକୁ ସଙ୍କଟ ମାଡ଼ି ଆସୁନାହିଁ, ପୃଥିବୀ ଉପରୁ ସଙ୍କଟ ଦୂର ହୋଇଯାଉଛି । ପରବର୍ତ୍ତୀ ଭବିଷ୍ୟତ ବୋଲି ପ୍ରାୟ ଆବହମାନ କାଳରୁ ଯାହାର ସ୍ଵପ୍ନ ଦେଖା ହୋଇ ଆସିଛି, ମନୁଷ୍ୟସମାଜର ଦ୍ରଷ୍ଟାମାନେ ଯୁଗେ ଯୁଗେ ମନୁଷ୍ୟର ସର୍ବୋତ୍ତମ ଉତ୍‌କ୍ରାନ୍ତି ବୋଲି ଯାହାର କଳ୍ପନା କରିଛନ୍ତି ଏବଂ ସେହି ଉତ୍‌କ୍ରାନ୍ତି ଲାଗି ଯେଉଁ ମୂଳଦୁଆଟିକୁ ଅବଶ୍ୟମ୍ଭାବୀ ବୋଲି ଘୋଷଣା କରି ଆସିଛନ୍ତି, ଆଧୁନିକ ତାରୁଣ୍ୟ ବର୍ତ୍ତମାନ ସତେଅବା ତାହାକୁ ହିଁ ପ୍ରତ୍ୟକ୍ଷ ଓ ସାକାର ଭାବେ ଅନୁଭବ କରିବାକୁ ଆରମ୍ଭ କଲାଣି । ଏବଂ ସେଇଥିଲାଗି ପୁରୁଣାଗୁଡ଼ାକୁ ପ୍ରତ୍ୟାଖ୍ୟାନ କରିବା ବ୍ୟତୀତ ତା ପାଖରେ ଆଉ କୌଣସି ଅନ୍ୟ ଗତି ନାହିଁ । ସାଢ଼େ ଚାରିଶହ ବର୍ଷ ତଳେ ତତ୍କାଳୀନ ଅନେକ କପଟକୁ ଅସ୍ୱୀକାର କରି ଇଉରୋପର ମାଟିନ୍ ଲୁଥର ଯେପରି ଦାଣ୍ଡରେ ଛିଡ଼ା ହୋଇ ମସ୍ତକ ସିଧା କରି ସଂପୂକ୍ତ ସମସ୍ତଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ ନିର୍ମମ ଭାବରେ ଏକ ଘୋଷଣା କରିଥିଲେ, ଏବର ତରୁଣ ସତେଅବା ଠିକ୍ ସେହିପରି ich kann nicht anders ବୋଲି କହିବାକୁ ଆରମ୍ଭ କଲାଣି । ତା’ଭିତରେ ଅନାଗତ ଈପ୍‍ସିତଟି ଲାଗି ସତେ ଯେପରି କିଏ ସତକୁ ସତ ରାଜି ହୋଇଗଲାଣି; ତେଣୁ ପୁରୁଣାଗୁଡ଼ିକ ପ୍ରତି ସିଏ ନିର୍ମମ ହିଁ ହେଉଛି । ପୁରୁଣା ଭିତରେ ସିଏ ନିଜର ପରିବାର ଓ ବାପାମାଆଙ୍କୁ ଦେଖୁଛି, ତା' ଦେଶରେ ଚାଲୁଥିବା ରାଜନୀତିକୁ ଦେଖୁଛି, ପୃଥିବୀକୁ ପ୍ରାୟ ଅକଳ କରିଦେଇ ମାଡ଼ି ବସିଥିବା ମିଛ ଆଦର୍ଶ, ମିଛ ଧର୍ମ ଓ ମିଛ ବାଦଗୁଡ଼ାକୁ ଦେଖୁଛି । କୁରୁକ୍ଷେତ୍ରରେ ସେହି ସମରାରମ୍ଭ ସମୟରେ ଅର୍ଜୁନ ଯେପରି ଚାରିଆଡ଼କୁ ଅନାଇ ପୁରୁଣା ଓ ପାଷଣ୍ଡର ପ୍ରତିନିଧିତ୍ୱ କରୁଥିବା ବିଚରା ଗୁରୁଜନମାନଙ୍କୁ ଦେଖିଥିଲା, ପ୍ରାୟ ସେହିପରି । ଅର୍ଜୁନ ସିନା ତଥାପି ଅବସାଦ ଭିତରେ ପଡ଼ିଯାଇଥିଲା, ଏବର ତରୁଣ କଦାପି ସେହି ଅବସାଦର ଶିକାର ହେବ ନାହିଁ । ତା’ର କୃଷ୍ଣଙ୍କୁ ସିଏ ନିଜ ଭିତରେ ହିଁ ଅନୁଭବ କରୁଛି, ସେହିଠାରୁ ସେ ଶକ୍ତି ପାଉଛି, ତେଣୁ ବାହାରେ ବସିଥିବା ଓ କୃଷ୍ଣ ବୋଲାଉଥିବା ସାରଥିର ବଚନ ଲାଗି ଅପେକ୍ଷା କରିବାକୁ ତାର ଆଉ କୌଣସି ଅବଶ୍ୟକତା ନାହିଁ ।

 

ପୁରୁଣାମାନେ ହିଁ କହୁଛନ୍ତି ଯେ ସଙ୍କଟ ମାଡ଼ି ଆସୁଛି । ନିତାନ୍ତ ସତକଥା ଯେ ସେମାନଙ୍କ ପାଇଁ ସଙ୍କଟ ମାଡ଼ି ଆସୁଛି । ସାନ ସାନ ଅହଂଗୁଡ଼ିକ ଲାଗି ସଙ୍କଟ ମାଡ଼ି ଆସୁଛି, ସାନ ସାନ ଲୋଭ ଓ ସାନ ସାନ ଭୟଗୁଡ଼ିକୁ କୁଟାକାଠି ରୂପେ ବ୍ୟବହାର କରି ସେମାନେ ଯେଉଁ ନୀତିଗୁଡ଼ିକୁ ରଚନା କରିଥିଲେ ଏବଂ ନାନା ସ୍ଵାର୍ଥର ଅଭିଧାନ ଅନୁସାରେ ସେହିଗୁଡ଼ିକୁ ହିଁ ସଂସାର ବୋଲି କହୁଥିଲେ, ସେହି ନୀଡ଼ଗୁଡ଼ିକ ଲାଗି ସଙ୍କଟ ମାଡ଼ି ଆସୁଛି । ସେହି ନୀଡ଼ଗୁଡ଼ିକ ଆଉ କଦାପି ରହିବ ନାହିଁ । ମଣିଷର କ୍ଷୁଦ୍ର ସୁଖଲାଳସା ଭିତରେ ପଶି ଯେଉଁ ଧର୍ମଗୁଡ଼ିକ ମଧ୍ୟ କାଳକ୍ରମେ କ୍ଷୁଦ୍ର ହୋଇ ଆସିଥିଲେ, ବ୍ୟକ୍ତିଗତ ପୁଣ୍ୟ ଓ ବ୍ୟକ୍ତିଗତ ଫଳଲାଭକୁ ହିଁ ଯେଉଁମାନେ ଶକ୍ତିହୀନ ସାଧୁ ଏବଂ ଶକ୍ତିହୀନ ଗୁରୁମାନଙ୍କର ତୁଣ୍ଡରେ ଜୀବନର ସବୁଯାକ ଆକାଂକ୍ଷା ବୋଲି କହି ମିଛ ପ୍ରଚାର କରୁଥିଲେ, ସେହି ଧର୍ମଗୁଡ଼ିକର ଦିନ ମଧ୍ୟ ସରିଆସୁଛି । ପୃଥିବୀର ପ୍ରାୟ ସବୁ ସମାଜରେ ଏପରି ଅନେକ ମଣିଷ ଥାଆନ୍ତି, ଯେଉଁମାନେ କି, ଯାହା ଆସୁଛି, ତାହାକୁ ଆଦୌ ଦେଖିପାରନ୍ତି ନାହିଁ । ଯାହା ଥିଲା, ତାହାକୁ ହିଁ ଦେଖନ୍ତି ଓ ବର୍ତ୍ତମାନର ଭୂମି ଉପରେ ତାହାରି ସ୍ମରଣରେ ଝୁରି ହେଉଥାନ୍ତି । ଆମର ଏହି ସ୍ଥାନୀୟ ଡିହ ଓଡ଼ିଶାରେ ମଧ୍ୟ ବହୁତ ବ୍ୟକ୍ତି ରହିଛନ୍ତି, ଯେଉଁମାନେ କି ଅତୀତଟାକୁ ଗୁଣି ହେଉଥାନ୍ତି, ଗଙ୍ଗାଠାରୁ ଗୋଦାବରୀ ଯାଏ ସ୍ଵପ୍ନ ଦେଖୁଥାନ୍ତି, ଗଜପତିମାନଙ୍କୁ ଝୁରି ହେଉଥାନ୍ତି ଏବଂ ସ୍ୱୟଂ ବର୍ତ୍ତମାନଟାକୁ ତୁଚ୍ଛା ଏକ ପଙ୍କ-ପୋଖରୀରେ ପରିଣତ କରି ରଖିଥାନ୍ତି । ସେମାନେ ହଜାରେ ବର୍ଷର ବୁଢ଼ାଟାକୁ ଝୁରି ହୋଇ ବାଣ ମାରନ୍ତି, ଆକାଶକୁ ବେଲୁନ ଛାଡ଼ନ୍ତି, କପାଳରେ ଖାନ୍‍ଦାନୀ ଚନ୍ଦନ ମାରି ସଭା କରନ୍ତି ଏବଂ ଆଗକୁ ମୋଟେ ଦେଖିପାରନ୍ତି ନାହିଁ । ସେମାନେ କେବଳ ସଙ୍କଟ ଦେଖନ୍ତି । ସଙ୍କଟ ହିଁ ଦେଖନ୍ତି, କାରଣ ଆପଣାର ତାରୁଣ୍ୟକୁ ବହୁ ଅବିଶ୍ୱାସ ଏବଂ ବିଫଳତାବୋଧ ମଧ୍ୟରେ ହରାଇ ପକାଇ ଥାଆନ୍ତି । ବର୍ତ୍ତମାନ ବୋଲି କୁହାଯାଉଥିବା ଏସବୁ କେତେ କଣ ଭାଙ୍ଗିବ, ବୁଢ଼ା ଶୁଆମାନେ ଆମକୁ ପଢ଼ାଇ ଆସିଥିବା ପାଠଗୁଡ଼ାକ ଆଗତପ୍ରାୟ ପୃଥିବୀ ଲାଗି ନିତାନ୍ତ ଅନିଷ୍ଟକାରୀ ବୋଲି ସାବ୍ୟସ୍ତ ହେବେ । କପଟୀ ମାୟାବାଦୀମାନେ ଏଠି ସତ୍ୟ ଓ ସ୍ଥାୟୀତ୍ୱ ନାମରେ ଯେତେ ଯେତେ ମାୟାକୁ ଭିଆଇ ରଖିଛନ୍ତି, ସେଗୁଡ଼ିକ ଅସ୍ୱୀକୃତ ହେବେ ମଣିଷର ସ୍ୱପ୍ନ ତଳି ଛୁଇଁବ । ଖାଲି ଆକାଶରେ ଉଡ଼ି କଦାପି କୌଣସି ଭ୍ରମ ସୃଷ୍ଟି କରିବା ନାହିଁ । ପାଠଗୁଡ଼ାକ, ସ୍ଵପ୍ନଗୁଡ଼ାକ କେବଳ ବହି ଭିତରେ ବନ୍ଧା ହୋଇ ରହିବ ନାହିଁ । ଶ୍ରଦ୍ଧାର ବାହନରେ ଭୂଇଁ ଉପରେ ଅବତରଣ କରିବ ।

 

ଆମ ବର୍ତ୍ତମାନ ଅନୁରକ୍ତିର ପାଚେରୀଗୁଡ଼ାକ ଭବିଷ୍ୟତଟିକୁ ଧରି ରଖିବାକୁ ଆଦୌ ସମର୍ଥ ହେବେ ନାହିଁ । ସେହି ମୂଳଭୂତ ଅସମର୍ଥତାକୁ ଘୋଷଣା କରି ପୃଥିବୀରେ ଏକ ସଙ୍କଟ ଆମ ଉପରକୁ ପ୍ରକୃତରେ ମାଡ଼ିଆସୁଛି । ଆମର ଏହି ଚିହ୍ନା ନିରାପତ୍ତାଗୁଡ଼ିକର ପ୍ରତୀକରୂପୀ ଘରଟି ମୋଟେ ରହିବ ନାହିଁ । ଆମ ଚିହ୍ନା ରାଜନୀତିର ଫିସାଦଗୁଡ଼ିକ ଏବେ ଭାରି ଧରା ପଡ଼ିଯିବ । ଆମର ସାନ ସାନ ଠାକୁରମାନେ ଓ ଆନୁଗତ୍ୟମାନେ ଏଣିକି ଭାରି ଧରା ପଡ଼ିଯିବେ । ଖାଲି ଆମେରିକାରେ ନୁହେଁ, ପୃଥିବୀଟା ଯାକ ଧରା ପଡ଼ିଯିବେ । ଆମେ ଯଦି ପ୍ରକୃତରେ ଏକ ଅନ୍ୟ ପୃଥିବୀର ଆକାଂକ୍ଷା ରଖିଥିବା, ତେବେ ଆମେ ମଧ୍ୟ ଚାଲ ଜାଣି ଜାଣି ଧରା ପଡ଼ିଯିବା । ଆଗାମୀ ଅବତାରର ଆଗମନ ସମ୍ମୁଖରେ ଚଳନ୍ତି ଅବତାରଟି ଯେପରି ଜାଣିଶୁଣି ନିଜକୁ ଧରିପକାଇ ଦିଏ, ଏକଥା ପ୍ରାୟ ସେହିପରି ହେବ । ଆପଣାକୁ ଅନ୍ତତଃ ଆପଣା ପାଖରେ ଧରାପକାଇ ଦେଇ ପାରିଲେ ଯାଇ ଆମେ ନୂତନ ଆହ୍ୱାନଗୁଡ଼ିକର ସମ୍ମୁଖରେ କି ପ୍ରାସଙ୍ଗିକତା ରଖି ପାରିବା, ତାହାର ହୁଏତ କିଞ୍ଚିତ୍ ପରିମାଣରେ କାମରେ ଆସିପାରିବା । ଆଗାମୀ କାଳଦେବତାଙ୍କର କାର୍ଯ୍ୟସାଧନାରେ କିଞ୍ଚିତ୍ ପରିମାଣରେ ନିମିତ୍ତ ହୋଇ ପାରିବା । ନିମିତ୍ତ ହୋଇ ପାରିଲେ ଯାଇ ଆମ ନିଜ ଜୀବନରେ ମଧ୍ୟ ଏକ ବିମୋଚନ ସମ୍ଭବ ହେବ ।

 

ଏଥର ପୃଥିବୀରେ ଅନେକ ନୂଆ ନୂଆ ପ୍ରଶ୍ନ ପଚରାଯିବ । ମଣିଷ ଭିତରର ତରୁଣ ମଣିଷ ଭିତରେ ରହିଥିବା ବୃଦ୍ଧଟିକୁ ହିଁ ଏହି ପ୍ରଶ୍ନଗୁଡ଼ିକୁ ପଚାରିବ । ମଣିଷ ଭିତରର ଶିଶୁ ମଣିଷ ଭିତରେ ଆସନରେ ବସିଥିବା ଗୁରୁଜନଟିକୁ ପ୍ରଶ୍ନ ପଚାରିବ । ଏହି ପ୍ରଶ୍ନଗୁଡ଼ିକ ରାଜନୀତିରେ ପଚରାଯିବ, ସାହିତ୍ୟରେ ପଚରାଯିବ, ଆମ ଗୋଷ୍ଠୀ-ଜୀବନର ଯାବତୀୟ କ୍ଷେତ୍ରରେ ପଚରାଯିବ । ମଣିଷ ଭିତରେ ନ୍ୟାୟତଃ ସବୁଦିନେ ଶିଶୁଟିଏ ଲୁକ୍‍କାୟିତ ହୋଇ ରହିଥିଲା ସତ, ମାତ୍ର ମଣିଷ ଭିତରର ବ୍ୟୁହଟିକୁ ଘେରି ରହି କାଳକୁ ମୁଠା ଭିତରେ ରଖିଥିବା ସାତଟା କି ସତରଟା ରଥୀ ତାକୁ ଚାରିଆଡ଼ୁ ଘେରିକରି ରହିଥିଲେ । ସିଏ ଅଛି ବୋଲି ମଣିଷ ଯେପରି ଆଦୌ କୌଣସି ପ୍ରତ୍ୟୟ ପାଇ ନପାରିବ, ସେଥିଲାଗି କେତେ ଅସତ୍ୟର କୁଜ୍‍ଝଟିକା ସୃଷ୍ଟି କରି ରଖିଥିଲେ । ଏକାଧିକ କାରଣରୁ ଏବେ କୁଜ୍‍ଝଟିକାଗୁଡ଼ିକ ଅପସାରିତ ହୋଇ ଯାଉଛନ୍ତି । ଶାଶ୍ୱତ ଶିଶୁଟି କ୍ରମେ ଆପଣାକୁ ଆବିଷ୍କାର କରୁଛି । ଶାଶ୍ଵତ ଶିଶୁ ଅର୍ଥାତ ଶାଶ୍ୱତ ଶକ୍ତି । ସେହି ଶକ୍ତି ହେଉଛି ତାରୁଣ୍ୟର ଶକ୍ତି । ଯେଉଁ ଭି । ମୁହୂର୍ତ୍ତଟି ଆସୁଛି, ସେହି ଶକ୍ତି । ଏକ ଅଭୂତପୂର୍ବ ଆତ୍ମ-ଆବିଷ୍କାର ଏବଂ ଅଭୂତପୂର୍ବ ପାରସ୍ପରିକତାର ଶକ୍ତି । ଯେଉଁ ବ୍ୟକ୍ତି ଆପଣାକୁ ଯଥାର୍ଥ ଭାବେ ଆବିଷ୍କାର କରେ, ଆପଣାର ରାଜନୀତିକ ଖଳସୂତ୍ରଗୁଡ଼ିକର ଯାବତୀୟ ସଂଜ୍ଞାଠାରୁ ଅଧିକ ମୂଲ୍ୟବାନ ବୋଲି ଯିଏ ଅନୁଭବ କରିବାକୁ ଆରମ୍ଭ କରେ, କେବଳ ସେଇ ପାରସ୍ପରିକତାର ଯଥାର୍ଥ ବ୍ୟଞ୍ଜନା ତଥା ସମ୍ଭାବନାଗୁଡ଼ିକର ସନ୍ଧାନ ମଧ୍ୟ ପାଇଯାଏ । ସେତେବେଳେ ଆତ୍ମତ୍ୱ ଅପରତ୍ୱକୁ ବା ସମୁହତ୍ଵକୁ ଆଉ ମୋଟେ ଭୟ କରେ ନାହିଁ । ସମୂହତ୍ୱ ମଧ୍ୟ ଆତ୍ମତ୍ୱ ବା ବ୍ୟକ୍ତିତ୍ୱକୁ ଆଦୌ କୌଣସି ସାମ୍ପ୍ରଦାୟିକ ଅଳ୍ପତା ବା ଉଗ୍ରତା ଭିତରେ ବାନ୍ଧି ପକାଇବାକୁ ସାହସ କରେ ନାହିଁ ।

 

ଉପସ୍ଥିତ ସଙ୍କଟଟି ଆମ ସମସ୍ତଙ୍କର ସମ୍ମୋଚନର କାରଣ ହେଉ । ଆମ ସମସ୍ତଙ୍କର ଜୀବନରେ ଏକ ଯଥାର୍ଥ ମୋହ ଭଙ୍ଗର କାରଣ ହେଉ । ଆପଣାର ନୂତନ ଆବଶ୍ୟକତା ଅନୁସାରେ ନୂତନ ଅସ୍ପୃହା ଏବଂ ଆସ୍ପର୍ଦ୍ଧା ନେଇ ତାହା ଆମର ସାମାଜିକ ଅନୁଷ୍ଠାନଗୁଡ଼ିକୁ ନୂତନ କରିନେବାରେ ଆମକୁ ଉଦ୍‍ବୁଦ୍ଧ କରାଉ; ଧର୍ମ, ରାଜନୀତି, ଶାସନ, ପରିବାର, ଗୃହ ପ୍ରଭୃତି ଆମର ଯାବତୀୟ ସମ୍ବନ୍ଧକ୍ଷେତ୍ରରେ ତାହା ଏକ ଭବିଷ୍ୟମୁଖୀ ଉଦ୍‌ବେଳନର ସୃଷ୍ଟି କରାଇ ଆଣୁ ସେହି ଉଦ୍‌ବେଳନ ହିଁ ଆମର ଆଖିକୁ ନୂଆ କରିଦେବ, ଆମ ଦେଖିବା ଭିତରେ ନୂଆ ନୂଆ ପ୍ରସ୍ଥ ପ୍ରଦାନ କରିବ । ତା'ପରେ ଆମେ ଆଉ କଦାପି ବସ୍ତୁଗୁଡ଼ାକର ଅଧୀନ ହୋଇ ରହିବାକୁ ପସନ୍ଦ କରିବା ନାହିଁ, ତା'ପରେ ବସ୍ତୁବାଦର ଭୂତ ଆମକୁ ଆଉ କୌଣସି ପ୍ରକାରେ ମାଡ଼ି ବସିବାକୁ ଆସିବ ନାହିଁ । ପିତୁଳାଗୁଡ଼ାକ ଆମକୁ ଆଉ ପରସ୍ପରଠାରୁ କଦାପି ବିଚ୍ଛିନ୍ନ କରି ରଖି ପାରିବେ ନାହିଁ । ରାଜନୀତି ଏବଂ ସ୍ଥାନୀୟ ନୀତିବାଦିତାର ଭୂଗୋଳମାନେ ହୃଦୟର ଭୂଗୋଳକୁ ବାଟ ଛାଡ଼ିଦେବେ । ତା'ପରେ ବୀରମାନେ ହିଁ ଏହି ପୃଥିବୀକୁ ନୁଆ କରି ଗଢ଼ିବେ । ଭୀରୁମାନେ ନାକୋଇ ହୋଇ ପଳାଇବେ, ଅଥବା ସଂଗ୍ରହାଳୟ ଭିତରେ ଆଗାମୀ ବଂଶଧରର ସାମୟିକ ବିନୋଦନ ଲାଗି ସାଇତା ହୋଇ ରହିବେ । ଆଗାମୀ ଚେତନା ହେଉଛି ଏହି ବୀରର ଚେତନା, ମଣିଷ ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ସାହସୀଟିର ଚେତନା । ବିବର୍ତ୍ତନବାଦୀ ଓ ବିଜ୍ଞାନୀମାନେ ମଧ୍ୟ ଏବେ ସେହି ଚେତନାର କଥା କହିଲେଣି । ଆଧ୍ୟାତ୍ମିକତା ଏବେ ଧର୍ମଗୁଡ଼ାକୁ ଛାଡ଼ି ବିଜ୍ଞାନୀମାନଙ୍କର ସଙ୍ଗ ଲୋଡ଼ିବାକୁ ମଧ୍ୟ ଅଧିକାରୁ ଅଧିକ ମନ କଲାଣି । ଏହି ସଙ୍କଟଟିକୁ ସିଏ ନିଶ୍ଚୟ ଅତିକ୍ରମ କରିଯିବ ।

୧୮ । ୧ । ୯୦

Image

 

Unknown

ଏସବୁ ବଦଳିବ କିପରି ?

 

ଦେଶ ନାମକ ଏକ ରାଜନୀତିକ ଅନୁଷ୍ଠାନରେ ମଣିଷର, ସବୁ ମଣିଷଙ୍କର ପାଳି ପଡ଼ିବା ଭଳି ଅଥବା ସବୁ ମଣିଷଙ୍କର ଉଦ୍ୟମକୁ ଏକତ୍ର ସମସ୍ତଙ୍କର ଉଦୟ ଓ ଅଭିବୃଦ୍ଧି ଲାଗି ଲଗାଇ ପାରିବା ଭଳି ଦେଶରେ ଏବେଯାଏ ପ୍ରାୟ କୌଣସି ସାହସୀ ପଦକ୍ଷେପ ନିଆ ଯାଇନାହିଁ । ଏ ଦେଶକୁ ଏବେ ମଧ୍ୟ ପ୍ରଧାନତଃ ଅମଲାମାନେ ଚଳାଉଛନ୍ତି । ଅମଲାମାନଙ୍କର ପ୍ରାୟ କୌଣସି ରାଜନୀତିକ ଆଦର୍ଶ ନ ଥାଏ । ସାମାଜିକ ଆଦର୍ଶ ତ ରହିବା ଆହୁରି ଦୂରର କଥା । ସେମାନେ କର୍ମରେ ନିଯୁକ୍ତ ହୋଇଥାନ୍ତି, ନିଯୁକ୍ତ ହୋଇଥାନ୍ତି ବୋଲି ବେତନ ବି ପାଆନ୍ତି । ତଳୁ ଉପରଯାଏ ଅଳପରୁ ଅଧିକ ବେତନର ବରାଦ ହୋଇଥାଏ । ଅମଲାମାନେ ଗୋଟିଏ ଯନ୍ତ୍ରକୁ ଚଳାଇବା ନିମନ୍ତେ ନିଯୁକ୍ତ ହୋଇଥାନ୍ତି । ଯନ୍ତ୍ରର ମଧ୍ୟ କୌଣସି ଲକ୍ଷ୍ୟରେ ପହଞ୍ଚିବାର ଯୋଜନା ନ ଥାଏ । ଯନ୍ତ୍ରକୁ ମଣିଷମାନେ ନିର୍ଦ୍ଦେଶନା ଦିଅନ୍ତି, ଯନ୍ତ୍ର ସେହି ଅନୁସାରେ ଚାଲେ । ଯେଉଁମାନେ ନିର୍ଦ୍ଦେଶନା ଦିଅନ୍ତି, ସେମାନଙ୍କୁ ରାଜନୀତିର ପରିଭାଷାରେ ନେତା ବୋଲି କୁହାଯାଏ । ଭାରତବର୍ଷରେ ସ୍ଵାଧୀନତା ଲାଗି ସଂଗ୍ରାମ ଚାଲିଥିବା ବେଳେ ଏଠି ନେତାମାନଙ୍କର ରାଜନୀତିକ ଆଦର୍ଶମାନ ରହିଥିଲା । ଭାରତବର୍ଷ ସ୍ୱାଧୀନ ହେଲାପରେ କ୍ରମେ ସେହି ଆଦର୍ଶମାନେ ହାତଛଡ଼ା ହୋଇ ଯାଇଛନ୍ତି । ବିଶେଷତଃ, ବିଭିନ୍ନ ରାଜନୀତିକ ଦଳ ତରଫରୁ ଯେଉଁ ବଡ଼ମାନେ ସରକାର ଭିତରେ ପଶିଛନ୍ତି, ସେମାନେ ଆଦୌ କୌଣସି ରାଜନୀତିକ କୂଳର ବୋଲି ଏବେ ଆଦୌ ପ୍ରତୀତ ହେଉନାହିଁ । ସରକାର ନାମକ ଦରବାର ଭିତରେ ବିଚରା ସେମାନେ ମଧ୍ୟ କ୍ରମେ ଅମଲାମାନଙ୍କ ଭିତରେ ପାଟ ଅମଲାଙ୍କ ଭଳି ହୋଇଗଲେଣି । ରାଣୀମାନଙ୍କ ଭିତରେ ଯେପରି ପାଟରାଣୀ ଥାଆନ୍ତି, ଇଏ ପ୍ରାୟ ସେହିପରି କଥା ହୋଇଗଲାଣି ।

 

କ୍ଷମତାରେ ରହିବା ଏବେ ପ୍ରାୟ ଗୋଟାସୁଦ୍ଧା ରାଜନୀତିକ ଦଳଗୁଡ଼ିକର ନାୟକମାନଙ୍କର ପ୍ରିୟତମ ଉଦ୍ଦେଶ୍ୟରେ ପରିଣତ ହୋଇଗଲାଣି । ସୁସ୍ଥ ରାଜନୀତିର ନ୍ୟାୟ ଅନୁସାରେ ଏକ ଦେଶର ମଣିଷମାନଙ୍କ ପାଇଁ କୌଣସି ଏକ ଲକ୍ଷ୍ୟ ଭଳି ଲକ୍ଷ୍ୟ ହାସଲ କରିବା ଲାଗି କ୍ଷମତାର ପ୍ରୟୋଜନ ହୋଇଥାଏ । ଏବେ ଭାରତବର୍ଷରେ ଆମ ନାୟକ ଓ ମହାନାୟକମାନେ ସେଭଳି କିଛି ପ୍ରୟୋଜନ ରହିଛି ବୋଲି ଗୋଟାସୁଦ୍ଧା ବିସ୍ମୃତ ହୋଇଗଲେଣି । ସେହି କାରଣରୁ ସେମାନଙ୍କ ବିଷୟରେ ଲୋକସତ୍ୟର ଧାରଣାଟି ମଧ୍ୟ ବଦଳି ଗଲାଣି । ସ୍ୱାଧୀନତା ପୂର୍ବରୁ ଅଥବା ସ୍ୱାଧୀନତା ଲାଭ କରିବାର ପରବର୍ତ୍ତୀ ପାଞ୍ଚ ଦଶ ବର୍ଷରେ ଯଦି ସାଧାରଣ ଭାରତବାସୀଙ୍କୁ ପଚରା ଯାଇଥାନ୍ତା, ତେବେ କ୍ଷମତାଲୋଭ ହେତୁ ନେତାମାନେ ରାଜନୀତି ଅଥବା ସରକାରରେ ରହିଛନ୍ତି ବୋଲି ସେମାନେ କଦାପି କହି ନ ଥାନ୍ତେ । ବର୍ତ୍ତମାନ ଲୋକମାନଙ୍କୁ ପଚାରିଲେ ସେମାନେ ଠିକ୍ ଓଲଟା ହିଁ କହିବେ । କୌଣସି ରାଜନୀତିକ କାରଣରୁ ରାଜନୀତିକ ବରିଷ୍ଠ ତଥା ଗରିଷ୍ଠମାନେ ଆଦୌ ରାଜନୀତି ଅଥବା ରାଜନୀତିକ କ୍ଷମତାରେ ନାହାନ୍ତି । ଅଧିକାଂଶତଃ ଆପଣାର ସମ୍ପତ୍ତି ବଢ଼ାଇବାର ସେମାନେ କ୍ଷମତାରେ ଅଛନ୍ତି ବା କ୍ଷମତା ପାଇବାକୁ ଲାଳାୟିତ ହେଉଛନ୍ତି । ଚାକିରିଆଟିଏ ଯେପରି ଚାକିରିରେ ରହିବାକୁ ପ୍ରାୟ କାମାତୁର ହୋଇ ରହିଥାଏ, ଏହି କଥାଟି ମଧ୍ୟ କ୍ରମେ ପ୍ରାୟ ସେହିପରି ହୋଇଗଲାଣି । କାଳର ପ୍ରଭାବରେ ଯେ ଏମାନେ ଏଭଳି ପ୍ରଫେସନାଲ୍ ହୋଇଗଲେଣି, ସେକଥା ମୋଟେ ନୁହେଁ । ଆପେ ଏକାଧିକ କାରଣରୁ ନିଜର ବୁଦ୍ଧିଗୁଡ଼ାକୁ ନିତାନ୍ତ ଆତ୍ମକାମୀ କରି ଏମାନେ ସତେ ଅବା କାଳଟାକୁ ପ୍ରଫେସନାଲ କରି ପକାଇଲେଣି । ବିଚରା ଅମଲାଟିଏ ହୋଇ ଘରଟି ଭିତରକୁ ଯଥାସମ୍ଭବ ସବୁକିଛି ବୋହି ଆଣିବାକୁ ଜୀବନ ଓ ଯୋଗ୍ୟତାର ଅହୋଧର୍ମ ବୋଲି ଗ୍ରହଣ କରିନେଲେ ସିଏ ଆଉ ଅଧିକ ବା ଅନ୍ୟପ୍ରକାର କ'ଣ ହୋଇ ପାରନ୍ତା ? ଏଣୁ ଏ ଦେଶରେ ଏ ଯୁଗରେ ସତେଅବା ଅମଲାମାନେ ହିଁ ସର୍ବକୁଶଳ ତାନ୍ତ୍ରିକ ହୋଇ ବାହାରିଛନ୍ତି ।

 

ରଜା ପ୍ରଫେସନାଲ୍ ହେଲେ ପ୍ରଜା ପ୍ରଫେସନାଲ୍ ହେବାକୁ ଆଉ କେତେ ବେଳ ଲାଗନ୍ତା ? ତେଣୁ ଭାରତବର୍ଷରେ ସଂପ୍ରତି ପ୍ରାୟ ସମସ୍ତେ ମୂଳତଃ ପ୍ରଫେସନାଲ୍ ହେବାକୁ ଆପଣାର ଆଚରଣ ବୋଲି ଗ୍ରହଣ କରି ନେଲେଣି । ପ୍ରାଚୀନ ଓ ଏପରିକି ପାରମ୍ପରିକ ଭାରତବର୍ଷରେ ବୈଶ୍ୟ ମଧ୍ୟ ପୁରା ପ୍ରଫେସନାଲ୍ ହେବାକୁ ଅଧର୍ମ ବୋଲି ବିଚାରୁଥିଲା । ଏବେ ବ୍ରାହ୍ମଣ ମଧ୍ୟ ପୋଥି ଛୁଇଁ ଭଗବାନଙ୍କ ପାଖରେ ପ୍ରଫେସନାଲ୍ ହୋଇ ପାରିବାର ସଦ୍‍ବୁଦ୍ଧି ପ୍ରାର୍ଥନା କରି ବାହାରିଲାଣି । ବିଦ୍ୱାନମାନେ ବିଦ୍ୟାରୁ ବାହାରି ପ୍ରଫେସନାଲ୍‍ ହେଲେଣି । ପଇସା ବହୁତ ହୋଇଗଲାଣି, ପଇସା ଶସ୍ତା ହୋଇଗଲାଣି । ମଣିଷମାନଙ୍କର ମଥାରେ ସତକୁ ସତ ଯେତିକି ଅକଲ ରହିଛି, ସେମାନେ ତା' ଠାରୁ ଦଶଗୁଣ ଅଧିକ ପଇସା ପାଇବେ ବୋଲି ଅନୁରୂପ ଭାବରେ ବ୍ୟବସାୟିକ ହୋଇ ବାହାରିଲେଣି । ଅଧ୍ୟାପକ ପ୍ରଫେସନାଲ୍ ହେଲାଣି, ସାମ୍ବାଦିକ ପ୍ରଫେସନାଲ୍ ହେଲାଣି, ଆରକ୍ଷୀମାନେ ପ୍ରଫେସନାଲ୍ ହେବାର ଆଦର୍ଶରେ ପ୍ରାୟ ନିୟମତଃ ଅନୁପ୍ରାଣିତ ହୋଇ ଅତ୍ୟନ୍ତ ଚମତ୍କାର ଭାବରେ ନେଇ ଆଣି ଥୋଇ ଜାଣିଲେଣି । ଅଧ୍ୟାପକଙ୍କୁ ଦେଖି ଛାତ୍ରମାନେ ବି ବିଦ୍ୟାଲାଭକୁ ପ୍ରଧାନତଃ ଏକ ପ୍ରଫେସନାଲ୍ ପ୍ରୟୋଜନ ରୂପେ ଗ୍ରହଣ କରିନେଲେଣି । ସେହି ଅନୁସାରେ ପରୀକ୍ଷାଗୁଡ଼ାକରେ ମଧ୍ୟ ପ୍ରତିଭାର ସ୍ଵୀକୃତି ଅପେକ୍ଷା କିଏ କେତେ ଅର୍ଥ ଲଗାଇ ଧାଇଁପାରିଲା, ତାହାରି ଅନୁସାରେ ସଫଳତା ଦେବୀ ସେମାନଙ୍କ ଉପରେ ବା ସେମାନଙ୍କର ପିତାମାତାଙ୍କ ଉପରେ ଆଶୀର୍ବାଦ ବର୍ଷଣ କଲେଣି । ତୁଚ୍ଛା କପଟୀମାନେ ଏବେ ପ୍ରଫେସନାଲ୍ ପ୍ରୟୋଜନ ଦ୍ୱାରା ଉଦ୍‍ବୁଦ୍ଧ ହୋଇ ଶାସ୍ତ୍ରକଥା କହିଲେଣି । ତୁଚ୍ଛା ଜନ୍ତୁଗୁଡ଼ାକ ପ୍ରୀତି, ମୈତ୍ରୀ , ସ୍ନେହ ଓ ସଦ୍ଭାବ ବିଷୟରେ ଭାଷଣମାନ ଦେଉଛନ୍ତି । ସାହିତ୍ୟ ଭିତରେ ବି ପ୍ରଫେସନାଲ୍ ହାଉଆଟା ପ୍ରଚଳ ଆତୁରତା ସହିତ ବୋହିବାକୁ ଆରମ୍ଭ କଲାଣି । ସରକାର ଦେଶର ଦାରିଦ୍ର୍ୟ ଦୂର କରିବାକୁ କିମ୍ବା ଏଠି ସବୁ ପିଲାଙ୍କୁ ଇସ୍କୁଲରେ ଆଣି ବସାଇବାକୁ ଯେତିକି ମଥା ଖର୍ଚ୍ଚ ନ କରୁଛନ୍ତି, ସାହିତ୍ୟ ନିମନ୍ତେ ତା' ଠାରୁ ଅଧିକ ଚିନ୍ତା କରୁଛନ୍ତି ଓ ସାହିତ୍ୟ ଗୁହାଳର ଛେଳିମାନେ କ୍ରମେ ସରକାରୀ ବାଡ଼ିରେ ଆମନ୍ତ୍ରିତ ଭିକାରୀରୂପେ ପ୍ରବେଶ କରି କଅଁଳିଆ ପତର ଖାଇବାଲାଗି ଏବଂ ଉପ୍ରୋଧିଆ ବାକ୍ୟମାନ ଶ୍ରବଣ କରିବା ଲାଗି ଆସି ପହଞ୍ଚି ଯାଉଛନ୍ତି । କର୍ତ୍ତାମାନଙ୍କର ଅନୁଗ୍ରହରେ କର୍ତ୍ତାମାନଙ୍କୁ ଜଗମୋହନ ଉପରେ ଥାପି ପଲ ବାନ୍ଧି ସାହିତ୍ୟ ନାମରେ କୈବଲ୍ୟ ଭୁଞ୍ଜୁଛନ୍ତି । ନିତାନ୍ତ ପ୍ରୟୋଜନାତ୍ମକ ଓ ପ୍ରଫେସନାଲ୍ କର୍ତ୍ତବ୍ୟାନୁରୋଧରେ ପଡ଼ି ଏଗୁଡ଼ିକ ହେଉଛି । ସମସ୍ତେ ମୁଖା ଭିତରେ ବଡ଼ ଅଶ୍ଵସ୍ତି ବୋଧ କରୁଛନ୍ତି ଓ ଯିଏ ଯାହା ମୋଟେ ନୁହେଁ, ତାହା କହିବାକୁ ପ୍ରାୟ ବାଧ୍ୟ ହେଉଛନ୍ତି ସତ, ତଥାପି ସେମାନେ ସତେଅବା ଦେବତାମାନେ ସ୍ଵର୍ଗରୁ ଥାଇ ସେମାନଙ୍କ ଉପରେ କୁସୁମବୃଷ୍ଟି କରୁଥିବା ପରି ଅନୁଭବୁଛନ୍ତି ଏବଂ ତଥାପି, ସଂସ୍କୃତିକୁ ଅପସଂସ୍କୃତି ଆସି ମାଡ଼ିବସିଲା ବୋଲି ହୁରି ପଡ଼ିଛି ।

 

ଏସବୁ ବଦଳିବ କିପରି ? ତୁଚ୍ଛା ଦୁର୍ବୁଦ୍ଧିରେ ପରିଣତ ହୋଇଥିବା ଆମର ଏହି ତତ୍ପରତାଗୁଡ଼ାକୁ ଦୁର୍ବୃଦ୍ଧି ଏବଂ ଦୃଷ୍ଟତା ବୋଲି ଘୋଷଣା କରିବାଲାଗି ଆମର ହୃଦୟଗୁଡ଼ିକ ଉପଯୁକ୍ତ ମାତ୍ରାରେ ସାହସୀ ହୋଇପାରିବ କୋଉଦିନ ? ଗୋଲାମମାନେ ଗୋଲାମିକୁ ହସି, ଖତେଇ ହୋଇ ସୁଆଦିଆ କବିତାସବୁ ଲେଖୁଥିବେ ଓ ତେଣେ ଗୋଲାମିଘରେ ବେବର୍ତ୍ତାପଣ କରୁଥିବେ, ଏଗୁଡ଼ାକ ଆମର ଉଦ୍ଧାର ବା ଉଦୟ ଲାଗି ଆଦୌ କିଛି କରିବ ନାହିଁ । ଏସବୁ ଆମର ସଭାମାନଙ୍କୁ କିୟତ୍‍କାଳ ପର୍ଯ୍ୟନ୍ତ ହୁଏତ ଉତ୍ସାହିତ କରି ପାରିବ ସତ, ମାତ୍ର ଆମ ଜୀବନରେ ସତକୁ ସତ ଘଟିଲାଭଳି କିଛିହେଲେ ଘଟାଇ ପାରିବ ନାହିଁ । ନୀତିକୁ ଝୁରିହେଲେ ଦୁର୍ନୀତି ଯିବନାହିଁ-। କେତେ ମଣିଷ ହୁଏତ କହିବେ ଯେ ମଣିଷର ପ୍ରକୃତି ନବଦଳିଲେ ଏଗୁଡ଼ାକ ମୋଟେ ବଦଳିବ ନାହିଁ । ଭାରତର ଶାସ୍ତ୍ରଜ୍ଞ ଓ ବିଜ୍ଞମାନେ ମଣିଷର ପ୍ରକୃତିକୁ କୁକୁରର ଲାଙ୍ଗୁଳ ସହିତ ତୁଳନା କରିଛନ୍ତି । କୁକୁରର ଲାଙ୍ଗଳକୁ ଯେମିତି ଆଦୌ ସିଧା କରି ହୁଏନାହିଁ, ମଣିଷର ପ୍ରକୃତିକୁ ସେହିଭଳି କଦାପି ବଦଳାଇ ହେବ ନାହିଁ ବୋଲି ସେମାନେ ଆମକୁ ଏକ ଅନୁରୂପ ପରାମର୍ଶ ଦେଇଛନ୍ତି-। ମଣିଷର ପ୍ରକୃତି ବଦଳିଲେ ଯାଇ ମଣିଷର ପୃଥିବୀ ବଦଳିବ, ଏକଥା ଚତୁର ମଣିଷର କଥା । ଉପରେ ଥାଇ ଚତୁର ମଣିଷମାନେ କାଳେକାଳେ ଏହିକଥା କହି ଆସିଛନ୍ତି । ତଥାପି ପୃଥିବୀ ବଦଳିଛି । ମଣିଷର ପ୍ରକୃତି ମଧ୍ୟ ଅବଶ୍ୟ ବଦଳି ପାରିବ ବୋଲି ପୃଥିବୀର ବିଶ୍ୱାସ ମଧ୍ୟ କ୍ରମଶଃ ଦୃଢ଼ରୁ ଦୃଢ଼ତର ହୋଇଛି । ବିଶ୍ଵାସୀ ମଣିଷ ହିଁ ପୃଥିବୀକୁ ବଦଳାଇଛି ଏବଂ ଚତୁର ମଣିଷର, ଧୂର୍ତ୍ତ ମଣିଷର ଚତୁରୋକ୍ତିମାନେ ପଦାରେ ପଡ଼ି ଯାଇଛନ୍ତି । ପୁରୁଣା ଶାସ୍ତ୍ରବଚନଗୁଡ଼ାକ ପରି ପୁରୁଣା ଶାସନଗୁଡ଼ାକୁ ମଧ୍ୟ ଉଦୟକାମୀ ମଣିଷ ଯୁଗେ ଯୁଗେ ପ୍ରତ୍ୟାଖ୍ୟାନ କରି ଆସିଛି ।

 

ମନୁଷ୍ୟ ସଭ୍ୟତାର ଇତିହାସ ହେଉଛି ମୁଖ୍ୟତଃ ସେହି ମୂଳ ଭୂତ ବିଶ୍ଵାସଟି ଉପରେ ଅଧିକରୁ ଅଧିକ ନିର୍ଭର କରିବାର ଏକ ବର୍ଣ୍ଣାଢ଼ୀ ଇତିହାସ । ସେହି ପ୍ରାଚୀନ ଯୁଗରେ ମଧ୍ୟ ମଣିଷସମାଜରେ ଜାନି ଏବଂ ଦିଶାରିମାନେ ଅବଶ୍ୟ ଥିବେ, ଯେଉଁମାନେ କି ମଣିଷର ପ୍ରକୃତି ବଦଳିଲେ ଯାଇ ପୃଥିବୀ ବଦଳିବ ବୋଲି କହିଥିବେ ଓ ସେହି କଥାଗୁଡ଼ାକୁ ଶ୍ଳୋକାକାରରେ ଲେଖି ଶାସ୍ତ୍ରବାକ୍ୟ ଓ ତେଣୁ ଦେବବାକ୍ୟ ବୋଲି ସ୍ଳୋଗାନ୍ ଦେଇଥିବେ । ମନୁଷ୍ୟର ପ୍ରକୃତି ବଦଳିବ ନାହିଁ ଓ ତେଣୁ ଏସବୁ ମୋଟେ ବଦଳିବ ନାହିଁ ବୋଲି ସେମାନେ ତାହାରି ଦ୍ୱାରା ସୂଚିତ କରାଇ ଦେଇଥିବେ ଏବଂ ତଦ୍ୱାରା ମଣିଷ ଭିତରେ ମଣିଷର ବଇରୀ ହୋଇ ରହିଥିବା ତାମସିକତାକୁ କେତେ ପ୍ରୋତ୍ସାହନ ଦେଇଥିବେ । ରାଜଶକ୍ତି ଓ ତାହାଦ୍ଵାରା ଅନୁଗୃହୀତ ଏବଂ ସଂକ୍ରମିତ ଉପରିସ୍ଥମାନେ ଯୁଗେ ଯୁଗେ ତାହାହିଁ କରି ଆସିଛନ୍ତି । ସେମାନେ ଭଗବାନଙ୍କୁ ମଧ୍ୟ ଆପଣା ପଟକୁ କିଣି ନେଇଛନ୍ତି । ଏବେ ମଧ୍ୟ ତାହାହିଁ ହେଉଛି । ଅଧିକାଂଶ ମଣିଷଙ୍କୁ ନୀରବ ଓ ଜଡ଼ କରି ରଖିବା ଲାଗି ଗଣ୍ଡୁଷ-ଆୟତନ ଅନିଚ୍ଛୁକ ଥୋକେ ମଣିଷ ଏସବୁ କରୁଛନ୍ତି । ସାଧାରଣମାନଙ୍କୁ ବଶ ଓ ବାଧ୍ୟ କରି ରଖିବାକୁ ତଥାକଥିତ ଅସାଧାରଣମାନେ ସବୁକାଳେ ଏହି ଚକ୍ରାନ୍ତ କରି ଆସିଛନ୍ତି । ଏବେ ମଧ୍ୟ ସେକଥା ହେଉଛି । ରାଜ୍ୟକୁ ଶନି ଘୋଟି ରହିଛି । ତଥାପି ଇତିହାସ କାଳେ କାଳେ ବଦଳିଛି, ଏଥର ମଧ୍ୟ ବଦଳିବ । ସ୍ଥାନୀୟ ଚେତନାଗୁଡ଼ିକ ଯୁଗସତ୍ୟର ସେହି ଅନିବାର୍ଯ୍ୟତାକୁ ମାନି ଏବେ ବିଶ୍ଵଚେତନାକୁ ଆକାଂକ୍ଷା କଲେଣି । ମଣିଷକୁ ଆଉ ଗଧ କରି ରଖି ହେବନାହିଁ । ପଇସା ଦ୍ୱାରା, କ୍ଷମତା ଦ୍ଵାରା, ସାମନ୍ତବାଦର ଭଳି ଭଳି ବୋଲି ଦ୍ୱାରା ମଧ୍ୟ ମଣିଷକୁ ଯୋଉଠି ସେଇଠି ଯେମିତି ସେମିତି ମୋଟେ ରଖିହେବ ନାହିଁ । ଏହି ପୁରୋଗମନର ଯାତ୍ରାରେ ରାଷ୍ଟ୍ର ନୁହେଁ, ବିଜ୍ଞାନ ମଣିଷର ହାତଗୋଡ଼ ହୋଇ ତାକୁ ସାହାଯ୍ୟ କରିବ, ଅଧ୍ୟାତ୍ମତାର ଆଖି ହୋଇ ବାଟ ଦେଖାଇନେବ । ମଣିଷର ଏହି ପ୍ରତି ନିଶ୍ଚୟ ବଦଳିବ, ଏହାହିଁ ଯାବତୀୟ ଅଧ୍ୟାତ୍ମର ସର୍ବମୂଳ ବିଶ୍ଵାସ ।

୨୫ । ୦୧ । ୯୦

Image

 

ପୃଥିବୀ ତଥାପି ବଦଳିଯିବ

 

ମଣିଷର ପ୍ରକୃତି ଯେମିତି ଥିଲା, ସେମିତି ମୋଟେ ରହିନାହିଁ; ମଣିଷର ପ୍ରକୃତି ବର୍ତ୍ତମାନ ଯେଭଳି ରହିଛି, ଆଗକୁ ଯାଇ ତାହା ଆଦୌ ସେପରି ରହିବ ନାହିଁ । ମନୁଷ୍ୟର ମୂଳ ପ୍ରକୃତି ବିଷୟରେ ନୀତିବାଦରେ, ଧର୍ମ-ବ୍ୟାଖ୍ୟାରେ ଓ ନୈରାଶ୍ୟବାଦୀ କତିପୟ ଦର୍ଶନରେ ଯେତେଯାହା ନିରୁତ୍ସାହିତ କଲାପରି କୁହା ହୋଇଥିଲେ ମଧ୍ୟ ମଣିଷର ପ୍ରକୃତି ବଦଳିବାରେ ଲାଗିଛି-। ମନୁଷ୍ୟ ଶିକ୍ଷା କରୁଛି ଓ ବଦଳୁଛି । ଶିକ୍ଷା କରିବାର ଅପରିମିତ ସାମର୍ଥ୍ୟ, ସମ୍ଭବତଃ ତାହାହିଁ ହେଉଛି ମଣିଷର ଆଦିମତମ ସାମର୍ଥ୍ୟ । ମନୁଷ୍ୟ ଆପଣାର ଅନୁଭବରୁ ଶିକ୍ଷା କରୁଛି, ଆପଣାର ପରିପାର୍ଶ୍ଵରୁ ଶିକ୍ଷା କରୁଛି ଏବଂ ସବୁଠାରୁ ବଡ଼ କଥା ହେଉଛି ଯେ ମନୁଷ୍ୟ ପରସ୍ପରଠାରୁ ମଧ୍ୟ ଶିଖୁଛି । ମଣିଷ ମଣିଷ ଭିତରେ ଦୃଶ୍ୟ ଏବଂ ଅଦୃଶ୍ୟ ଭାବରେ ବୁଦ୍ଧି ଏବଂ ଅନ୍ତର୍ବୋଧଗୁଡ଼ିକ କ୍ଷେତ୍ରରେ ଯେଉଁ ଡୋରସବୁ ଲାଗିରହିଛି, ତାହାରି ସାହାଯ୍ୟରେ ମନୁଷ୍ୟ ସତତ ଶିଖୁଛି, ନିଜର ଅଭିବୃଦ୍ଧି ଘଟାଉଛି, ସୋପାନ ଉଠିଯାଉଛି ଅର୍ଥାତ୍ ବଦଳିଯାଉଛି । ପ୍ରତ୍ୟେକ ମନୁଷ୍ୟ ଭିତରେ ଗୋଟିଏ ଆରଟିର ପରିପୂରକ ହୋଇ ଏକାବେଳେକେ ଦୁଇଭଳି ସାମର୍ଥ୍ୟ ରହିଛି-। ଗୋଟିଏ ହେଉଛି ନିଜର ମୂଳଟିକୁ ଦୃଢ଼ କରି ରଖିବାର ସାମର୍ଥ, ନିଜ ଭୂମିରେ ସୁପ୍ରତିଷ୍ଠିତ ହୋଇ ରହିବାର ସାମର୍ଥ୍ୟ ଏବଂ ଆଉଗୋଟିଏ ହେଉଛି ସମ୍ପ୍ରସାରିତ ହେବାର ସାମର୍ଥ୍ୟ–ଉଭୟ ଅନୁପ୍ରସ୍ଥ ଏବଂ ଅନୁଲମ୍ବ ଭାବରେ ପ୍ରସାରିତ ହେବାର ସାମର୍ଥ୍ୟ । ଅଧିକ ସରଳ ଭାବରେ କହିଲେ, ନିଜ ପାଇଁ ଭୂଇଁଟିଏ ସ୍ୱୀକାର କରିନେଇ ତାହାକୁ ନିଜର ଗୃହ ବୋଲି ମାନିନେବାର ଅନୁରାଗ ଏବଂ ତଥାପି ଆପଣାର ଚେରଗୁଡ଼ିକୁ ସ୍ଥିର ଓ ନିର୍ଭରଯୋଗ୍ୟ କରି ରଖିବା ସଙ୍ଗେ ସଙ୍ଗେ ନୂତନକୁ, ଅଧିକ କାମ୍ୟକୁ ଓ ନୂତନ ସୋପାନଗୁଡ଼ିକୁ ମନ କରିବାର ଅନୁରାଗ । ଯେଉଁ ବ୍ୟକ୍ତି ବା ଯେଉଁ ସମୂହ ଏହି ଦୁଇଟିଯାକ ଅନୁରାଗକୁ ଏକ ଯଥାର୍ଥ ଅନୁପାତ ସହିତ ସକ୍ରିୟ କରି ରଖିପାରିଛି, କାଳ ଉପରେ ସେଇ ଜୟଲାଭ କରୁଛି ।

 

ତେଣୁ ପୃଥବୀ ତଥାପି ବଦଳିଯିବ । ପୃଥିବୀ ଚିରକାଳ ବଦଳି ବଦଳି ଆସିଛି, ପ୍ରତି ମୁହୂର୍ତ୍ତରେ ବଦଳିବାରେ ଲାଗିଛି । ଆଧୁନିକ ଜଗତରେ ରହିଥିବା କେତେକ ବିଶେଷ କାରଣରୁ ବିଗତ ଗୋଟିଏ ଶତାବ୍ଦୀ ହେଲା ଅତି ତୁମୂଳ ପରିବର୍ତ୍ତନମାନ ସତେଅବା ମଣିଷର ମୁଣ୍ଡ ଉପରେ ଆସି ଅଜାଡ଼ି ହୋଇ ପଡ଼ୁଥିବା ପରି ଲାଗୁଥିବାରୁ ସ୍ଥାନୀୟ ମନୁଷ୍ୟ ଜୀବନଗୁଡ଼ିକ ପ୍ରାୟ ଅଚାନକ ବା ଅପ୍ରତ୍ୟାଶିତ ଭାବରେ ପ୍ରାୟ ଅପରିମିତ ନାନା ସମଗ୍ର ପୃଥିବୀସ୍ତରୀୟ ବହୁ ଉଦ୍‌ବେଳନ ଦ୍ଵାରା ସତେଅବା ଦୋହଲି ଯାଉଥିବା ପରି ପ୍ରତୀତ ହେଉଥିବାରୁ ମଣିଷର ଭୟବୋଧ କିଞ୍ଚିତ୍ ବଢ଼ିଯାଇଛି ଓ ତେଣୁ ପୂର୍ଣ୍ଣ ପ୍ରତ୍ୟୟ ସହି, ସମ୍ମୁଖସ୍ଥ ପରିବର୍ତ୍ତନଗୁଡ଼ିକୁ ସେ ଅନେକ ସମୟରେ ସେତେ ସହଜରେ ଗ୍ରହଣ କରିନେଇ ପାରୁନାହିଁ ସତ, ତଥାପି ଏହି ପରିବର୍ତ୍ତନ ଲାଗି ରହିଛି । ମଣିଷ ଅଧିକ ଚେତନାକୁ ମନ କଲେ ନିଜ ଭିତରେ ଚେତନାର ଉଦ୍‍ବୋଧନ-କ୍ଷେତ୍ରରେ ମନୁଷ୍ୟ-ସମ୍ଭାବନାର ମାର୍ଗରେ ଅଧିକ ଐଶ୍ଵର୍ଯ୍ୟ ଏବଂ ଅଧିକ ଶକ୍ତିର ସଙ୍କେତସ୍ପର୍ଶ ପାଇଲେ ମଣିଷର ପୃଥିବୀଟି ବଦଳିଯିବା ଲାଗି ନୂତନ ଅବକାଶମାନ ସୃଷ୍ଟି ହେବାରେ ଲାଗିଛି ଏବଂ ବାହାରେ ଆହୁରି ନାନା କାରଣରୁ ପୃଥିବୀର ବହିଃସ୍ଥିତିଟା ବଦଳିଯିବା ସଙ୍ଗେ ସଙ୍ଗେ ମଣିଷ ତା ଭିତରେ ମଧ୍ୟ ପରିବର୍ଭନ ଲାଗି ନୂତନ ବହୁ ଆହ୍ୱାନକୁ ଅନୁଭବ କରିପାରୁଛି । ବାହାର ସହିତ ଭିତରର ତଥା ଭିତର ସହିତ ବାହାରର ଏହି ନିରନ୍ତର ଡାଇଲଗ୍ – ତାହାହିଁ ଇତିହାସରେ ମନୁଷ୍ୟର ଭିତର ଓ ବାହାର ଯାବତୀୟ ପରିବର୍ତ୍ତନରେ ଉତ୍‍ପ୍ରେରକ ରୂପେ କାର୍ଯ୍ୟ କରିଆସିଛି । ମନୁଷ୍ୟର ପ୍ରକୃତି ଆଗ ସତେଅବା କୌଣସି ଆଧିଭୌତିକ ଅଥବା ଆଧିଦୈବିକ କାରଣରୁ ବଦଳିବ ଓ ତା'ପରେ ଯାଇ ସିଏ ଏବଂ ତା'ର ପୃଥିବୀ ବଦଳିବ, ପରିବର୍ତ୍ତନର କୌଣସି ପ୍ରକ୍ରିୟା ସେଥିଲାଗି ଆଦୌ ଅପେକ୍ଷା କରିନାହିଁ ।

 

ସମଗ୍ର ପୃଥିବୀରେ ଏବେ ବିକଳ୍ପ ବୋଲି ଗୋଟିଏ ନୂଆ କଥା ପ୍ରାୟ ସବୁଠାରେ ଶୁଣିବାକୁ ମିଳୁଛି । ଅର୍ଥାତ୍, ମୁଖ୍ୟତଃ ଯେଉଁ ମାର୍ଗ ବା ଯେଉଁ ରୀତିଗୁଡ଼ିକର ଅନୁସରଣ କରି ମନୁଷ୍ୟ ଓ ତା'ର ପୃଥବୀ ଆଜିଯାଏ ଚଳି ଆସିଥିଲା, ସେହି ମାର୍ଗ ଓ ସେହି ରୀତି ଆଉ ଆଗକୁ ଆଦୌ କାମ ଦେବନାହିଁ । ଆଗକୁ ଯେଉଁ ସମାଜଟି ଆସୁଛି, ପୁରାତନ ସମାଜର ଚଳଣିଗୁଡ଼ିକ ସେଥିରେ ପ୍ରାୟ କୌଣସି କାମ ଦେବନାହିଁ । ଉନ୍ନତି, ପ୍ରଗତି, ଶକ୍ତି ଓ ଅଭିବୃଦ୍ଧି ବିଷୟରେ ସାମନ୍ତବାଦୀ ତଥା ପୁଞ୍ଜିବାଦୀ ନିର୍ଦ୍ଦେଶନା-ଶାସ୍ତ୍ରଗୁଡ଼ିକରେ ଯେଉଁ ପରାମର୍ଶମାନ ଦିଆହୋଇ ଆସିଛି, ଆଗକୁ ସେହି ପରାମର୍ଶ ଏବଂ ସେଗୁଡ଼ିକ ପଛରେ ରହିଥିବା ବିଶ୍ୱାସଗୁଡ଼ିକର ଆଉ କୌଣସି କାର୍ଯ୍ୟକାରୀ ପ୍ରାସଙ୍ଗିକତା ରହିବ ନାହିଁ ବୋଲି ଆଗକୁ ଚିନ୍ତା କରୁଥିବା ପ୍ରାୟ ସମସ୍ତେ ଅନୁଭବ କଲେଣି । ବସ୍ତୁବିଜ୍ଞାନଠାରୁ ଆରମ୍ଭ କରି ସମାଜବିଜ୍ଞାନ ଓ ମନୋବିଜ୍ଞାନ ଲଗାଏତ ଦର୍ଶନର ବ୍ୟାଖ୍ୟାଗୁଡ଼ିକରେ ମଧ୍ୟ ଯାବତୀୟ ସମୀକ୍ଷା ଏବଂ ମୂଲ୍ୟାୟନରେ କ୍ରମଶଃ ତାହା ଅଧିକରୁ ଅଧିକ ପରିମାଣରେ ଅନୁଭୂତ ହେଲାଣି । ପୃଥିବୀ ସତେ ଅବା ଏକ ନୂତନ ଅଧ୍ୟାତ୍ମର ଆହ୍ୱାନର ସମ୍ମୁଖୀନ ହେଲାଣି । ସେଥିଲାଗି ସମସ୍ତେ ଏକ ନୂତନ ବିକଳ୍ପ ଖୋଜିବାକୁ ଆରମ୍ଭ କଲେଣି । ରାଜନୀତିରେ ବିକଳ୍ପ, ଅର୍ଥନୀତିରେ ବିକଳ୍ପ, ସମ୍ବନ୍ଧର ଯାବତୀୟ କ୍ଷେତ୍ରରେ ବିକଳ୍ପ ଏବଂ ସମ୍ବନ୍ଧଗୁଡ଼ିକୁ କାଳେ କାଳେ ଦିଗ୍‌ନିର୍ଦ୍ଦେଶନା ଦେଇ ଆସିଥିବା ନୀତି ଏବଂ ଦୃଷ୍ଟିଗୁଡ଼ିକରେ ମଧ୍ୟ ବିକଳ୍ପ । ପୃଥିବୀ ପରିବେଶ ସହିତ ସଭ୍ୟତାକାମୀ ମନୁଷ୍ୟର ରହି ଆସିଥିବା ସମ୍ବନ୍ଧ କ୍ଷେତ୍ରରେ ମଧ୍ୟ ବିକଳ୍ପ ଖୋଜାହେଲାଣି । ସତକୁ ସତ ବିକଳ୍ପଗୁଡ଼ିକୁ ଖୋଜି ଜୀବନକୁ ତାହାରି ଅନୁସାରେ ପୁନଃଗଠିତ କରିବାକୁ ହେବ ବୋଲି ସବୁଆଡ଼େ ବିଜ୍ଞାନୀମାନେ ମଣିଷକୁ ସାବଧାନ କରି ଦେଉଛନ୍ତି । ଏହି ବିକଳ୍ପ ଲାଗି ମଣିଷ ଭିତରେ ରହିଥିବା ସମ୍ମୁଖକାମୀ ଶିଶୁଟି ମଙ୍ଗିଗଲାଣି ସତ, ମାତ୍ର ପୁରୁଣାଟା ଆଦୌ ମଙ୍ଗୁନାହିଁ । ସେହି ପୁରୁଣା ମନୁଷ୍ୟର ଭିତରେ ରହିଛି, ବାହାରେ ମଧ୍ୟ ରହିଛି । ପୁରୁଣା ରାଜନୀତି ରାଜି ହେଉନାହିଁ, ସଂସାରଟାକୁ ପଣ୍ୟ ବୋଲି ବିଚାରି ଏଠି ବିଗତ କେତେ ଶତାବ୍ଦୀ ଧରି ଲାଭବାନ୍ ବାଣିଜ୍ୟ କରି ଆସିଥିବା ଆମ ବେପାରୀମାନେ ରାଜି ହେଉନାହାନ୍ତି, ଶିକ୍ଷା-ଘରେ ଉଚ୍ଚ ପଦମାନଙ୍କରେ ବସିଥିବା ସାମନ୍ତମାନେ ରାଜି ହେଉନାହାନ୍ତି । ଭୟନାମକ ଦେବତାଟି ଏବଂ ସ୍ୱାର୍ଥନାମକ ଯେଉଁ ଭୂତଟି ମଣିଷକୁ କାମୁଡ଼ି ଧରିଛି, ତାହା ମୋଟେ ରାଜି ହେଉନାହିଁ ।

 

କ୍ଷମତାସୀନମାନେ ମଧ୍ୟ ରାଜି ହେଉନାହାନ୍ତି । ନୂଆ ଧାରାଟିର ପ୍ରବେଶ ଘଟିଲେ ପୁରାତନ କ୍ଷୁଦ୍ର ଖଟୁଲିଗୁଡ଼ିକ ହୁଏତ ଏକାବେଳକେ ଓଲଟି ପଡ଼ିବ, ସେହି ଭୟରେ ସେମାନେ ରାଜି ହେଉନାହାନ୍ତି । ମଣିଷ ଯେତେବେଳେ ପ୍ରାୟ ଦାୟିତ୍ୱହୀନ ଭାବରେ ନିଜ ଉପରେ ଅସଲ ବିଶ୍ୱାସ ନକରି ବାହାରେ ଥିବା ରାଷ୍ଟ୍ର ଓ ବୃହତ୍‌ଶଙ୍କୁଗୁଡ଼ିକ ଉପରେ ଅଧିକ ବିଶ୍ୱାସ କରେ, ସେତେବେଳେ ସେ ଭାରି ଭୟ କରେ । ନିଜର ଭିତରେ ଓ ବାହାରେ ଆଗକୁ ଗୋଟିଏ ପାଦ ମଧ୍ୟ ପକାଇବାକୁ ଗୋଟାସୁଦ୍ଧା ଅରାଜି ହୋଇ ବସିଥାଏ । ରାଷ୍ଟ୍ରମାନେ, ନ୍ୟସ୍ତସ୍ୱାର୍ଥମାନେ ମୁଖ୍ୟତଃ ଏହି ଭୀତମାନଙ୍କୁ ହିଁ ଆପଣାର ପୋଷାହାତୀ ଭଳି କାମରେ ଲଗାଇଥାନ୍ତି । ଏହିସବୁ ଯାବତୀୟ ପ୍ରତିକୂଳତା ସତ୍ତ୍ୱେ ପୃଥିବୀ ତଥାପି ବଦଳି ବଦଳି ଆସିଛି । ଏବେ ମଧ୍ୟ ବଦଳୁଛି । କାଲିକାର ଆଣ୍ଟ ଆଜିକୁ ପାଣି ଫାଟି ଯାଉଛି । କୁଆଡ଼େ କେତେ କ'ଣ ଅଲଗା ପ୍ରକାରର ହୋଇଯାଉଛି । ପୁରୁଣା ବହିଗୁଡ଼ାକର ଗଣିତ ଏବଂ ଅନୁମାନ ସତେଅବା ଆଉ ମୋଟେ କାମ ଦେଉନାହିଁ । ଅନେକ ସମୟରେ ଏହି ପରିବର୍ତ୍ତନ ତଳୁ ଆରମ୍ଭ ହୋଇ ଉପରଟାକୁ ସିଧା ଚକିତ ଏବଂ ବିସ୍ମିତ କରିଦେଉଛି; ପୁଣି କେତେବେଳେ ଉପରେ ମଧ୍ୟ ଜଣଜଣଙ୍କର ଆବିର୍ଭାବ ହେଉଛି, ଯିଏକି ନିଜର ନୂତନ ଅନୁରାଗ ଏବଂ ନୂତନ ଉଦ୍ୟମଗୁଡ଼ିକ ଦ୍ଵାରା ଅଭ୍ୟସ୍ତ ତଳସ୍ତରଟାକୁ ବିସ୍ମିତ କରି ପକାଉଛି । ହଜି ଯାଇଥିବା ବିଶ୍ୱାସଗୁଡ଼ିକ ପୁନର୍ବାର ହାତରେ ଧରିହୋଇ ଗଲାପରି ଲାଗୁଛି । ପୃଥିବୀରେ ଏପରି କୌଣସି ଅସ୍ତ୍ର ନାହିଁ, ଯାହାକି ସେହି ବିଶ୍ୱାସର ଗତିରୋଧ କରିପାରିବ । ଆପଣା ଅପେକ୍ଷା ଅସ୍ତ୍ରଗୁଡ଼ାକରେ ଅଧିକ ବିଶ୍ୱାସ ସ୍ଥାପନ କରିଥିବା ଭୀତ ମଣିଷମାନେ କ୍ଷମତାସୀନ ହୋଇ ସେହି ଅସ୍ତ୍ରଗୁଡ଼ିକୁ ତିଆରି କରିଥିଲେ । ଏବେ ପୃଥିବୀରେ ଆଉ ଗୋଟିଏ ଏପରି ବେଳ ଆସି ପହଞ୍ଚିଥିଲା ପରି ମନେ ହେଉଛି, ଯେତେବେଳେ କି ବିଶ୍ୱାସ ଅବିଶ୍ୱାସକୁ ପରାଜିତ କରିଦେବ ବୋଲି ବଦ୍ଧପରିକର ହୋଇ ବାହାରିଲାଣି । ଭୀତ ଓ ତେଣୁ ହିଂସ୍ର ମଣିଷମାନଙ୍କର କାଳ ସରି ଆସିଲାଣି । ନୂତନ ବିକଳ୍ପଗୁଡ଼ିକର ମୁହୂର୍ତ୍ତ ଆସି ଉପସ୍ଥିତ ହେଲାଣି ।

 

ଏହି ନୂତନ ତରଙ୍ଗ ଭାରତବର୍ଷର ନିଦକୁ ମଧ୍ୟ ଭାଙ୍ଗିଦେବ, ଭାରତବର୍ଷକୁ ଉଦ୍‌ବେଳିତ କରିବ । ଭାରତବର୍ଷରେ ଥୋକେ ମନୁଷ୍ୟ ଅତ୍ୟନ୍ତ ପୈଶାଚିକ ଭାବରେ ଆପଣାକୁ ଅଧିକାଂଶ ମଣିଷଙ୍କୁ ବହୁବିଧ ମାର୍ଗ ଓ ଅମାର୍ଗରେ ଉପେକ୍ଷା ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଜୀବନର ପ୍ରାଥମିକ ମୂଳଦୁଆଗୁଡ଼ିକ ମଧ୍ୟ ଏଠି ଅଧିକାଂଶ ମଣିଷଙ୍କ ପାଇଁ ଅପହଞ୍ଚ ହୋଇ ରହିଛି-। ବହୁନାସିକାଯୁକ୍ତ ଏକ କୁତ୍ସିତ କର୍ମବାଦ ମଣିଷମାନଙ୍କୁ ଗଧ କରି ରଖିଛି । ମନୁଷ୍ୟର ପ୍ରକୃତି କଦାପି ବଦଳିବ ନାହିଁ ଓ ତେଣୁ ବର୍ତ୍ତମାନର ଅନ୍ଧାର ଆଦୌ ଯିବନାହିଁ ବୋଲି ପଣ୍ଡିତମାନେ ଆମକୁ ଭ୍ରମବାଣୀ ଶୁଣାଇବାରେ ଲାଗିଛନ୍ତି । ତଥାପି ଏହି ଭାରତବର୍ଷରେ ମଧ୍ୟ ବିକଳ୍ପର ଖୋଜା ପଡ଼ିଲାଣି । ଅଭ୍ୟସ୍ତ ଓ ଶୀତଳ ନିଦ୍ରାଗ୍ରସ୍ତମାନେ ତଥାପି କଡ଼ ଲେଉଟାଇ ବୃହତ୍ତର ପୃଥିବୀ ଆଡ଼କୁ ଚାହିଁବାକୁ ଆରମ୍ଭ କଲେଣି । ପୃଥିବୀରେ ଯାହାସବୁ ଘଟୁଛି, ତାହାର ଏକ ଅଂଶ ଏହି ଭାରତବର୍ଷରେ ମଧ୍ୟ ଅବଶ୍ୟ ଘଟିବ । ଜମିଟି କ୍ରମଶଃ ତିଆରି ହେବାରେ ଲାଗିଛି । କ୍ଷେତ ତିଆରି ହୋଇଗଲେ ଆବଶ୍ୟକ ବିହନ ମଧ୍ୟ ଏହି ଘରୁ ମିଳିବ, ଏହି ଭାରତବର୍ଷରୁ ମିଳିବ । ନେତୃତ୍ଵର ନବଜନ୍ମ ହେବ । ସେହି ନେତୃତ୍ୱ ଲାଗି କେବଳ ରାଜନୀତିର କ୍ଷେତ୍ରଟା ଆଦୌ କୁଳାଇବା ନାହିଁ । ଏକ ସମଗ୍ର ଉଦ୍‌ବେଳନ ଭାରତବର୍ଷର ଈପ୍‍ସିତ ସମଗ୍ର ପରିବର୍ତ୍ତନଟି ଲାଗି ଅତ୍ୟନ୍ତ ସଚେତନ ଭାବରେ ଅଙ୍ଗୁଳି ନିର୍ଦ୍ଦେଶ କରିଦେବ । ସେହି ନେତୃତ୍ୱଟି ଲାଗି ଆମେ କେବଳ ଅପେକ୍ଷା କରି ରହିବା ନାହିଁ, ଆମେ ସେଥିଲାଗି ପ୍ରସ୍ତୁତ ହେବା । ଭିତରେ ପ୍ରସ୍ତୁତ ହେବା, ବାହାରେ ମଧ୍ୟ ପ୍ରସ୍ତୁତ ହେବା ।

୩୧ I ୦୧ । ୯୦

Image

 

ସତ୍ତ୍ୱସ୍ଥାଃ ଊର୍ଦ୍ଧ୍ୱେ ତିଷ୍ଠନ୍ତି

 

ଆମ ସମାଜରେ ଥୋକେ ତଳେ ଥାଆନ୍ତି, ଆଉ ଥୋକେ ଉର୍ଦ୍ଧ୍ୱରେ ଥାଆନ୍ତି । ଅଧିକମାନେ ଉର୍ଦ୍ଧ୍ୱରେ ଥାଆନ୍ତି, ଅଳପମାନେ ତଳେ ଥାଆନ୍ତି । ସାଧାରଣମାନେ ଏଠି ଥାଆନ୍ତି, ଅସାଧାରଣମାନେ ସେଠି ଉପରେ ଥାଆନ୍ତି । ଯେଉଁ ଅଳ୍ପ କେତେଜଣଙ୍କର ଧନ ଅଧିକ, ପାଠ ଅଧିକ, ଯେଉଁମାନେ ଉଚ୍ଚ ବର୍ଣ୍ଣର, ଯେଉଁମାନେ ଉଚ୍ଚ କ୍ଷମତାରେ ରହିଛନ୍ତି, ସେମାନେ ସମସ୍ତେ ଉର୍ଦ୍ଧ୍ୱରେ ଥାଆନ୍ତି, ଅଲଗା ହୋଇ ଥାଆନ୍ତି, ତଳି ଛାଡ଼ି ରହିଥାନ୍ତି । ଏହି ଉର୍ଦ୍ଧ୍ୱମାନଙ୍କର ସଂଖ୍ୟା ଚିରକାଳ ଅଳପ । ମଣିଷମାନଙ୍କ ଭିତରୁ ଅଧିକତର ଭାଗଟି ତଳେ ଥାଆନ୍ତି, ନିମ୍ନରେ ଥାଆନ୍ତି । ଏଇଟା କ'ଣ ଭଗବାନଙ୍କର ନିୟମ ? ଭଗବାନ ସ୍ଵୟ ଆପଣାକୁ ଏଭଳି ଏକ ନିୟମରେ ବାନ୍ଧି ରଖିଛନ୍ତି ନା ଭଗବାନଙ୍କୁ ବାଡ଼ ଦେଇ ନକ୍‌ସା କାଟି ରଖିଥିବା ଉର୍ଦ୍ଧ୍ୱମାନେ, ବଡ଼ମାନେ ଓ ଅସାଧାରଣମାନେ ତାଙ୍କୁ ତୁଚ୍ଛା ଏହି ପୃଥିବୀର କୌଣସି ପ୍ରୟୋଜନରେ ପଡ଼ି ସେପରି ଗୋଟିଏ ନିୟମ ଦ୍ଵାରା ବାନ୍ଧି ପକାଇଛନ୍ତି ? ଆମ ଦେଶର ଶାସ୍ତ୍ରରେ ତିନିଗୁଣର ବ୍ୟାଖ୍ୟା କରାଯାଇଛି । ଏହି ତିନୋଟି ଗୁଣ ହେଉଛନ୍ତି, ତମୋଗୁଣ, ରଜୋଗୁଣ ଏବଂ ସତ୍ତ୍ୱଗୁଣ । ସତ୍ତ୍ୱଗୁଣଟି ଭଲ, ତେଣୁ ସତ୍ତ୍ୱସ୍ଥମାନେ ସର୍ବଦା ଉର୍ଦ୍ଧ୍ୱରେ ରହିଥାନ୍ତି । ତମୋଗୁଣ, ରଜୋଗୁଣ–ଏଗୁଡ଼ିକ ପ୍ରକୃତ ଅର୍ଥରେ ସମ୍ଭବତଃ ଆଦୌ କୌଣସି ଗୁଣ ନୁହନ୍ତି । ସତ୍ତ୍ୱସ୍ଥ ଶାସ୍ତ୍ରକାରମାନେ ଏଗୁଡ଼ିକୁ ସତେଅବା ଗୋଟିଏ ଗୋଟିଏ ଅବିଗୁଣବତ୍ ବର୍ଣ୍ଣନା କରିଛନ୍ତି । ଏଗୁଡ଼ିକ ସାଧାରଣ ମଣିଷମାନଙ୍କର ଗୁଣ; ଯେଉଁମାନେ ସତ୍ତ୍ୱସ୍ଥ, ସେମାନେ ଅସାଧାରଣ, ସେମାନେ ଉର୍ଦ୍ଧ୍ୱରେ ।

 

ଯେଉଁମାନେ ଉର୍ଦ୍ଧ୍ୱରେ ଥାଆନ୍ତି, ସେମାନଙ୍କ ଦିହରେ କୌଣସି ମଳିଧୂଳି ଲାଗେ ନାହିଁ । ଧର୍ମଶାସ୍ତ୍ରର ବର୍ଣ୍ଣନା ଅନୁସାରେ ସେମାନେ ଭଗବାନଙ୍କର ନିକଟବର୍ତ୍ତୀ ହୋଇ ରହିଥାନ୍ତି । ଭଗବାନ ଅସାଧାରଣ, ତେଣୁ ତାଙ୍କ ନିକଟବର୍ତ୍ତୀ ହୋଇ ରହିଥିବା ସତ୍ତ୍ୱସ୍ଥମାନେ ମଧ୍ୟ ଅସାଧାରଣ । ଜୀବନର ନିରାପଦତମ ସାଧନା ହେଉଛି ତଳୁ ଉପରକୁ ଉଠିଯିବା । ଧୂଳିଠାରୁ ଏପରି ଏକ ନିରାପଦ ଦୂରତା ରକ୍ଷା କରି ରହିବା, ଯେପରି ତୁମ ଦିହରେ ଆଦୌ କୌଣସି ମଳିଧୂଳି ଲାଗିବ ନାହିଁ । ପ୍ରକୃତରେ ସାମନ୍ତବାଦୀ ଉର୍ଦ୍ଧ୍ୱସ୍ଥମାନେ ହିଁ ପୃଥିବୀରେ ଧର୍ମସୂତ୍ରଗୁଡ଼ିକର ଭିଆଣ କରିଥିବେ-। ଏମାନେ ସବାଆଗ ନିଜ କଳ୍ପନାର ଠାକୁରଙ୍କୁ ସବାବଡ଼ ସାମନ୍ତରୂପେ ସବାଉଞ୍ଚ ଆସନରେ ନେଇ ବସାଇଥିବେ । ନିଜକୁ ତାଙ୍କର ଅତ୍ୟନ୍ତ ନିକଟବର୍ତ୍ତୀ ବୋଲି କଳ୍ପନା କରିଥିବେ ଓ ସେହି ଉଞ୍ଚରୁ ଥାଇ ସଂସାରର ଏହି ସାଧାରଣ ତଳ ଓ ବିତଳଗୁଡ଼ିକର ବିଚାର କରିବେ । ଏଇଥିରୁ ପାପ ଓ ପୁଣ୍ୟର ବିଚାରଗୁଡ଼ିକ ପ୍ରସରି ଆସିଥିବ । ପାପରୁ ଦୂରଛଡ଼ା ହୋଇ ରହିବାକୁ ହିଁ ପୁଣ୍ୟ ବୋଲି କୁହାହୋଇଥିବ, ଅଶୁଦ୍ଧତା ଗୁଡ଼ାକରୁ ଦୂରଛଡ଼ା ହୋଇ ରହିବାକୁ ଶୁଦ୍ଧତା ବୋଲି କୁହା ହୋଇଥିବ, ସାଧାରଣଙ୍କଠାରୁ ଦୂରଛଡ଼ା ହୋଇ ରହିବାକୁ ଅସାଧାରଣ ବୋଲି କୁହାହୋଇଥିବ । ତମୋଗୁଣ ତଥା ରଜୋଗୁଣରୁ ଅଲଗା ଓ ଦୂରଛଡ଼ା ହୋଇ ରହିବାକୁ ସତ୍ତ୍ୱଗୁଣ ଏବଂ ସତ୍ତ୍ଵସ୍ଥତା ବୋଲି କୁହା ହୋଇଥିବ । ମାତ୍ର, ଦୂରଛଡ଼ା ହୋଇ ରହିବା, କେବଳ ଏହାହିଁ କ'ଣ ସତ୍ତ୍ୱଗୁଣ ?

 

କେତେ ଦୂରଛଡ଼ା ହୋଇ ରହିଥିବା ମେଘ କେଡ଼େ ସହଜରେ ବୃଷ୍ଟିବିନ୍ଦୁର ସମ୍ଭାର ଆକାରରେ ଏହି ପୃଥିବୀ ଉପରକୁ ଆନତ ହୋଇ ଆସୁଛି । କେତେ ଦୂରଛଡ଼ା ହୋଇ ରହିଥିବା ପରି ଲାଗୁଥିବା ଉର୍ଦ୍ଧ୍ୱର ଏହି ଆକାଶ ଆମର ଏକାବେଳେକେ କେତେ କତିକୁ ଲାଗି ଆସିଛି । ଏହି ଆଲୁଅ, ଏହି ପବନ,–ଏମାନେ ମୋଟେ ଖାଲି ଅନ୍ତରୀକ୍ଷର ନୁହନ୍ତି, ଖାଲି ଉର୍ଦ୍ଧ୍ୱର ମୋଟେ ନୁହନ୍ତି । ଏମାନେ ଆମର କେଡ଼େ କତିରେ ଅଛନ୍ତି, ଆମ ଜୀବନରେ ପିଣ୍ଡଗୁଡ଼ାକୁ ସତକୁ ସତ କେତେ ହାଲୁକା କରି ରଖିଛନ୍ତି । ଫୁଲଟିଏ କ’ଣ ଖାଲି ଧୂଳିକୁ, ଆଶ୍ରୟ କରି ଫୁଟୁଛି, ଖାଲି ମାଟିଟାକୁ ସମ୍ବଳ କରି କ'ଣ ମଞ୍ଜିଟିଏ ଅଙ୍କୁରରେ ପରିଣତ ହେଉଛି, ଧୂସର ପୃଥିବୀଟାକୁ ଶ୍ୟାମଳିମାରେ ଭରି ଦେଉଛି ? ଏହିସବୁ ନିତ୍ୟଲୀଳାରେ କ'ଣ ଆକାଶ, ଆଲୁଅ ଆଉ ପବନର କୌଣସି ଭାଗ ନାହିଁ ? ପବନ ବାଜି ଏଠା ଦେହଟା ଉଲ୍ଲସି ନଉଠୁଥିଲେ ଏହି ପବନକୁ କିଏ ଚିହ୍ନୁଥାନ୍ତା, ଆଲୋକ ବାଜି ଆମ ଆଖିର ପରଦାଗୁଡ଼ିକରେ ଉତ୍ତୋଳନ ଘଟୁ ନ ଥିଲେ ଏହି ଆଲୋକର ବା କି ମର୍ଯ୍ୟାଦା ରହିଥାନ୍ତା ? ଧରିତ୍ରୀକୁ ଏକାବେଳେକେ ଲାଗି କରି ରହି ନ ଥିଲେ ଏହି ଆକାଶର ଆଉ କେଉଁ ସାର୍ଥକତା ରହିଥାନ୍ତା ? ପୃଥିବୀ ଉପରେ ମେଘ ବରଷୁ ନ ଥିଲେ ତାହାକୁ ଏକ ନିଷ୍ପ୍ରୟୋଜନ ବାଷ୍ପପୁଞ୍ଜ ବ୍ୟତୀତ ଆଉ କ'ଣ କୁହାଯାଇ ପାରୁଥାନ୍ତା ? ଏହି ଅଧଃଟା ନ ଥିଲେ ପ୍ରକୃତରେ ଆଉ କାହାର ପରିପ୍ରେକ୍ଷୀରେ ଆମେ ଉର୍ଦ୍ଧ୍ୱ ବୋଲି ଏକ ଜ୍ଞାନର ଅବଧାରଣା ମଧ୍ୟ କରି ପାରୁଥାନ୍ତୁ ? ଏହି ତପୋଭୂମିଟା ଯଦି ଆପଣାର ସମ୍ଭାବନାମୟ ଗର୍ଭ ଭିତରେ ସତ୍ତ୍ୱକୁ ସମ୍ଭାରି ରଖି ନ ଥାନ୍ତା, ତେବେ ସତ୍ତ୍ୱର କୌଣସି କଳ୍ପନା ମଧ୍ୟ କିପରି ସମ୍ଭବ ହୋଇ ପାରୁଥାନ୍ତା ? ଶକ୍ତିମତ୍ତା ନ ଥିଲେ, ରାଜସିକତା ନ ଥିଲେ ସତ୍ତ୍ୱ ସମ୍ଭବତଃ ତୁଚ୍ଛା ଅଥର୍ବ ହୋଇ ବସିଥାନ୍ତା । କଥାଟିର କୋଣ ବଦଳାଇ ଆମେ ଏପରି ମଧ୍ୟ କହିପାରିବା ଯେ ସଂସାରରେ ପ୍ରାୟ ଏକ ଅତିସ୍ୱାର୍ଥପର ଏବଂ ଅତି ନିରାପଦତା-ସଚେତନ ଭ୍ରମରେ ପଡ଼ି ସତ୍ତ୍ୱ ଉର୍ଦ୍ଧ୍ୱସ୍ଥ ହୋଇ ରହିଛି ଏବଂ ସତ୍ତ୍ୱସ୍ଥମାନେ ଉର୍ଦ୍ଧ୍ୱରେ ରହିଛନ୍ତି ବୋଲି ଏଠି ରାଜସିକତା ଯଷ୍ଟିହୀନ ହୋଇ ପଡ଼ିଛି ଏବଂ ତାମସିକତା ଚକ୍ଷୁହୀନ ହୋଇଛି-। ରଜଃ ଏକ ନିରାଟ ଓ ନିପଟ ରାଜସିକତାରେ ପରିଣତ ହୋଇଛି ଓ ତମଃ ମଧ୍ୟ ତାମସିକତା ରୂପେ ଅଭିଶପ୍ତ ହୋଇ ରହିଛି । ଅନ୍ଧକାର ଆପଣାର ଗର୍ଭରେ ସଞ୍ଚିତ ହୋଇ ରହିଥିବା ଅମୃତ ତଥା ଉଜ୍ଜଳର ପରିଚୟ ପାଇ ପାରୁନାହିଁ । ରଜଃ ମଧ୍ୟ କେବଳ ଗୁଡ଼ାଏ ଉଦ୍ଦେଶ୍ୟହୀନ ଗତିଶୀଳତାର ହଟଚମଟ ଭିତରେ ବିଡ଼ମ୍ବିତ ହୋଇ ରହିଯାଇଛି । ଆଉ, ଯେଉଁ ସତ୍ତ୍ୱ ନିଜକୁ ଅତ୍ୟନ୍ତ ନିଷ୍କରୁଣ ଭାବରେ ଏଠୁ ଗୋଟାସୁଦ୍ଧା ଅଲଗା ହୋଇ ରହିଛି, ତାହା ଆପଣାର ଯାବତୀୟ ପ୍ରଭାବ-ସାମର୍ଥ୍ୟକୁ ହରାଇ ବସିଛି । ପୃଥିବୀରେ ଜ୍ଞାନ ଅଛି, ଅଥଚ ପୃଥିବୀର କାମରେ ଲାଗି ପାରୁନାହିଁ । ପୃଥିବୀରେ ବହୁ ସମ୍ବଳ ରହିଛି, ଅଥଚ ପୃଥିବୀର କାମରେ ଲାଗି ପାରୁନାହିଁ । ଉର୍ଦ୍ଧ୍ୱକୁ ଏହି ଅଧଃସହିତ, ଅସାଧାରଣକୁ ସାଧାରଣ ସହିତ, ଜଳକୁ ତୃଷାର୍ତ୍ତ ସହିତ, ଜ୍ଞାନକୁ ଜିଜ୍ଞାସୁ ସହିତ ଏବଂ ଆଲୋକକୁ ଆଲୋକ ଲାଗି ଅପେକ୍ଷା କରି ରହିଥିବା ଅନ୍ଧକାର ସହିତ ସଂଯୁକ୍ତ କରି ଆଣିବା ନିମନ୍ତେ ଶ୍ରଦ୍ଧାର ଯେଉଁ ସେତୁଟି ଆବଶ୍ୟକ, ଆମ ପୃଥିବୀରେ ସେହି ସେତୁଟିର ହିଁ ଅଭାବ ରହିଛି-। ସେତୁଟି ଥିଲେ ହିଁ ପୃଥିବୀରେ ଆତ୍ମୀୟତା ବଢ଼ୁଥାନ୍ତା, ସେତୁଟି ନଥିବାରୁ ତୁଚ୍ଛା କ୍ଷମତାର କୋପନ ଓ କୃରତାଗୁଡ଼ାକ ହିଁ ଏଠି ଆମର ଜୀବନକୁ ଗ୍ରାସ କରି ରହିଛି । ଯେଉଁମାନେ ତଳେ ଅଛନ୍ତି, ବଞ୍ଚିତ ହୋଇ ରହିଛନ୍ତି, ସେମାନେ ଅତ୍ୟନ୍ତ ଅସହାୟ ହୋଇ ରହିଛନ୍ତି । ଏବଂ ଯେଉଁମାନେ ଉର୍ଦ୍ଧ୍ୱରେ ଅଛନ୍ତି, ଜ୍ଞାନ ଭିତରେ ଅଛନ୍ତି, ଦ୍ରବିଣ ଭିତରେ ଅଛନ୍ତି, ସତ୍ତ୍ୱକ୍ଷେତ୍ରରେ ଖରା ପୁଉଁଛନ୍ତି, ସେମାନେ ଅତ୍ୟନ୍ତ ଅଲକ୍ଷଣା ହୋଇ ରହିଛନ୍ତି । ହୃଦୟଗୁଡ଼ାକ ଅତ୍ୟନ୍ତ ଅସନା ହୋଇପଡ଼ିଛି । ସେତୁ ପକାଇବାକୁ ହୁଏତ କାହାରିହେଲେ ବେଳ ନାହିଁ ।

 

ଅସଲ ସତ୍ତ୍ୱ ଉର୍ଦ୍ଧ୍ୱରେ ନ ଥାଏ, ଅସଲ ସତ୍ତ୍ୱସ୍ଥମାନେ ମଧ୍ୟ ଉର୍ଦ୍ଧ୍ୱରେ ନ ଥାନ୍ତି । ସେମାନେ ଏଇଠି ଆମରି ଭିତରେ ରହି ଆମର ପରବର୍ତ୍ତୀ ଜନ୍ମଟି ଲାଗି ଜନନୀ ହୋଇ ରହିଥାନ୍ତି । ଅସଲ ବିବେକ ଉର୍ଦ୍ଧ୍ୱରେ ଅଲଗା ହୋଇ ରହିବାକୁ କେବେହେଲେ ଇଚ୍ଛା କରେ ନାହିଁ, ତାହା ବରଷି ପାରିବା ଲାଗି ଏହି ପୃଥିବୀ ଉପରକୁ ହିଁ ଓହ୍ଲାଇଆସେ । ଅସଲ ଜ୍ଞାନ ଉର୍ଦ୍ଧ୍ୱରେ ଅଲଗା ହୋଇ ରହିବାର ଆଦୌ କୌଣସି ପାଷଣ୍ଡତା କରେ ନାହିଁ, ଏହି ପୃଥିବୀର କାମରେ ଲାଗିବ ବୋଲି ଆପଣାଛାଏଁ ଆମ ହାତରେ ଆସି ଧରାଦିଏ । ଅସଲ ସଜ୍ଜନ ଏହି ପୃଥିବୀରେ ବନ୍ଧୁରୂପେ ଏଇଠି ଆମର ପାଖେ ପାଖେ ରହିବ ବୋଲି ସୁଯୋଗ ଖୋଜୁଥାଏ । ତମ ଓ ରଜର ଏହି ଧୂଳିଘରେ ହିଁ ସତ୍ତ୍ୱର ଅସଲ ଯାହାକିଛି ପରୀକ୍ଷା ହୁଏ । ପାପର ସମ୍ମୁଖୀନ ହୋଇ ହିଁ ପୁଣ୍ୟର ପରୀକ୍ଷା ହୁଏ । ବିଜ୍ଞାନର ଅସଲ ଆକାଂକ୍ଷାଗୁଡ଼ିକ ଏଇଠି ଏହି ପୃଥିବୀର କଲ୍ୟାଣକ୍ଷେତ୍ରକୁ ପ୍ରୟୋଗଶାଳାରେ ପରିଣତ କରି ହିଁ ଆପଣା ଔଚିତ୍ୟର ପ୍ରମାଣ ଦିଅନ୍ତି । ସତ୍ତ୍ୱ ରାଜସିକତା ଅଥବା ତାମସିକତା ସହିତ ଆଦୌ କୌଣସି ସାଲିଶ୍ କରେ ନାହିଁ ସତ, ମାତ୍ର ନିଜ ଭିତରର ଅସଲ ଉତ୍‍ପ୍ରେରକଟିକୁ ଚିହ୍ନିଥିଲେ ତାହା ସେଗୁଡ଼ିକୁ ଆପଣାର ଭୂମିରୂପେ କାମରେ ଲଗାଏ, ମାଟି ଉପରେ ନୂତନ ଅଙ୍କୁରଗୁଡ଼ିକର ଉଦ୍‌ଗମ କରାଇ ଆଣେ । ଏଇଠି ଏହି ମାୟା ଭିତରେ ହିଁ ମର୍ମର ଉଦ୍‍ଘାଟନ ସମ୍ଭବ ହୋଇଆସେ । ଅଧଃକୁ ଭୟ କରୁଥିଲେ ତାହାହିଁ ଉର୍ଦ୍ଧ୍ୱସ୍ଥ ହୋଇ ରହିବାକୁ ଇଚ୍ଛା କରେ ।

 

ଯେଉଁ ଉର୍ଦ୍ଧ୍ୱ ଅଧଃକୁ ଭୟ କରେ, ଯେଉଁ ଆକାଶ ତଳର ଏହି ମୃତ୍ତିକାଟିକୁ ଭୟ କରେ, ଯେଉଁ ଜ୍ଞାନ ଅଜ୍ଞାନକୁ ଭୟ କରେ, ଯେଉଁ ସର୍ଜନମାନେ ଦୁର୍ଜନମାନଙ୍କୁ ଭୟ କରନ୍ତି ଓ ଯେଉଁ ଆଲୋକ ଅନ୍ଧକାରକୁ ଭୟ କରୁଥାଏ, ଏମାନେ ଭଗବାନଙ୍କର ମୋଟେ କୌଣସି କାମରେ ଲାଗି ପାରନ୍ତି ନାହିଁ । ସେମାନେ ଏହି ପୃଥିବୀକୁ ମୋଟେ ବଦଳାଇ ପାରନ୍ତି ନାହିଁ । ସେମାନେ ଆପଣା ଲାଗି ଅଲଗା କରି ସ୍ୱର୍ଗଟାଏ ବାଛିନେଇ ସେହିଠାରେ ଶାନ୍ତିରେ ରହିବାର ପାଞ୍ଚ କରୁକରୁ ବସ୍ତୁତଃ ସତେ ଅବା ଗୋଟାଏ ଗୋଟାଏ ଗୁମ୍ଫା ଭିତରେ ଅଲୋଡ଼ା ହୋଇ ରହିଯାଆନ୍ତି । ଅତ୍ୟନ୍ତ ଦୟନୀୟ ଭାବରେ ବର୍ଜ୍ଜିତ ହୋଇ ରହିଥାନ୍ତି । ଅସଲ ସାଧୁ କେବେହେଲେ ଗାତ ଭିତରେ ଯାଇ ଆଶ୍ରୟ ନିଏ ନାହିଁ ଓ ତାହାକୁ ଆଶ୍ରମ ବୋଲି କହେନାହିଁ । ତେଣୁ ଉର୍ଦ୍ଧ୍ୱତା ଭିତରେ ଏକ ଗଭୀରତାର ବି ସନ୍ଧାନ କରିବାକୁ ହୁଏ, ଅନିକେତତା ମଧ୍ୟରେ ବିଶ୍ଵ ନିକେତନତାର ସନ୍ଧାନ କରିବାକୁ ହୁଏ । ତେବେଯାଇ ଯାବତୀୟ ଅଭ୍ୟୁଦୟ ସମ୍ଭବ ହୁଏ । କାଳେ କାଳେ ସତ୍ତ୍ୱସ୍ଥମାନେ ସଂସାରକୁ ଭୟ କରି ଉର୍ଦ୍ଧ୍ୱକୁ ପଳାଇ ଯାଇଛନ୍ତି ଏବଂ ଜୀବନଦ୍ରୋହୀ ହୋଇ ରହିଛନ୍ତି । ସେମାନଙ୍କର ଅସଲ କ୍ଷେତ୍ରଟି, ଅସଲ ପ୍ରୟୋଗଶାଳାଟି ଏଠି ତଳେ ସେମାନଙ୍କୁ ଅପେକ୍ଷା କରି ରହିଛି । ପିଶାଚମାନେ ଯିବେ ଓ ଭଗବାନଙ୍କର ରାଜ୍ୟଟିଏ ପ୍ରତିଷ୍ଠିତ ହେବ ବୋଲି ପୃଥିବୀ କାଳକାଳରୁ ପ୍ରତୀକ୍ଷା କରିଛି ଏବଂ ପ୍ରତାରିତ ହେବାରେ ଲାଗିଛି । ସେହି ପ୍ରତାରଣାର ଅନ୍ତ ହେଉ । ବିଶ୍ଵଜୀବନକୁ ସେତୁଟିଏ ମିଳୁ । ଭିତରକୁ ଖିଅଟିଏ ମିଳୁ । ଉପେକ୍ଷା ଆତ୍ମୀୟତାରେ ପରିଣତ ହେଉ । ହୃଦୟ ଉପରେ ହିଁ ପରବର୍ତ୍ତୀ ଭବିଷ୍ୟତର ଆସ୍ଥାନଟି ତିଆରି ହେଉ ।

୮ । ୦୨ । ୯୦

Image

 

ଦୁଷ୍ଟ ଭଗବାନଟିଏ

 

ଏହି ବ୍ୟକ୍ତି ଭିତରେ, ପ୍ରତ୍ୟେକ ବ୍ୟକ୍ତି ଭିତରେ ଭଗବାନଟିଏ ରହିଛି । ବ୍ୟକ୍ତି ଶିଷ୍ଟ, ସିଏ ଦୁଷ୍ଟ । ବ୍ୟକ୍ତି କଥା ମାନେ, ସିଏ କଥା ମାନେ ନାହିଁ । ବ୍ୟକ୍ତି କୌଣସି ଗୋଟିଏ ସମାଜକୁ ଆପଣାର ସବୁକିଛି ଭୂମି ବୋଲି ମାନିନେଇ ସେଇଠି ସଂସାର ଜମାଏ, ସାମଗ୍ରୀ ପରେ ସାମଗ୍ରୀ ଠୁଳ କରି ତାହାକୁ ଆପଣାର ବୋଲି କହେ ଓ ତାହାକୁ ସଫଳତା ବୋଲି ମଣେ । ଭିତରର ସେଇଟି କୋଉଠି ହେଲେ ଥୟ ହୋଇ, ଶାନ୍ତ ହୋଇ ଆୟତ୍ତ ମାନି ମୋଟେ ରହି ପାରେନାହିଁ । ସିଏ ସୀମା ଭାଙ୍ଗିବାରେ ଲାଗିଥାଏ, ପାହାଚକୁ ପାହାଚ ଉଠିବାଲାଗି ସତତ ପ୍ରତିବଦ୍ଧ ହୋଇ ରହିଥାଏ । ତେଣୁ ଆଦୌ କୌଣସି ଆୟତନକୁ ସର୍ବଶେଷ ବା ଚୂଡ଼ାନ୍ତ ବୋଲି ସ୍ୱୀକାର କରି ନିଏନାହିଁ । ସିଏ ଧନରେ ବୁଝେ ନାହିଁ, ଜନରେ ବୁଝେ ନାହିଁ, ମାନରେ ବୁଝେ ନାହିଁ କି ଯଶଃରେ ମଧ୍ୟ ବୁଝେ ନାହିଁ । ସାନ ପିଲାଟିଏ ଧୂଳିଘର ପରେ ଧୂଳିଘର ଗଢ଼ି ସେଗୁଡ଼ିକୁ ବାରବାର ଭାଙ୍ଗି ପକାଉଥିବା ପରି ଭିତରେ ଥିବା ସିଏ ଗଢ଼ୁଥାଏ ଏବଂ ଭାଙ୍ଗି ଭାଙ୍ଗି ଚାଲିଥାଏ । ତା'ଠାରେ ଏତେ ବଳ କୁଆଡ଼ୁ ଆସେ କେଜାଣି ? କିଏ ତାକୁ ଏପରି ବଳବାନ୍ କରି ଗଢ଼ିଥାଏ କେଜାଣି ? ମଣିଷର ଅସଲ ବଳ, ଅସଲ ସାଙ୍ଗ କ'ଣ ପ୍ରକୃତରେ ସେଇ ?

 

ଆଦିମ କାଳରେ ମଣିଷ ସେହି ବଳର ଠାବ କରିବାକୁ ବାହାରକୁ ଅନାଉଥିଲା, ତାହାକୁ ପଥରଟାଏ ବା ମୂର୍ତ୍ତିଟାଏ କରି ବସାଇଦେଇ ଠାକୁର କହି ପୂଜା କରୁଥିଲା । କାକୁସ୍ଥକର ହୋଇ ତାକୁ କେତେ କ'ଣ ମାଗୁଥିଲା । ବଳ ମାଗି ଆଣି ରାକ୍ଷସ ହେଉଥିଲା, ମେଦିନୀ କମ୍ପାଉଥିଲା । ସଭ୍ୟତା ଓ ସଂସ୍କୃତିରେ କୁମାଗ୍ରସର ହୋଇ ମଣିଷ ସେହି ବଳକୁ ଏବେ ତା' ନିଜ ଭିତରେ ଆବିଷ୍କାର କରି ଶିଖୁଛି । ସିଏ ବାହାରେ ସତକୁ ସତ ସର୍ବୋତ୍ତମ ଓ ସର୍ବୋଚ୍ଚ ଭାବରେ ଯାହା ହେବ ଅଥଚ ଯାହା ପାଇବ ବୋଲି ଇଚ୍ଛା କରୁଛି, ସିଏ ତା’ର ନିଜ ଭିତରେ ରହିଛି ବୋଲି ଏକ ଅଭିନବ ସତ୍ୟକୁ ସିଏ କ୍ରମେ ଆପଣାର ଅସଲ ଜୀବନସତ୍ୟ ବୋଲି ଚିହ୍ନିବାରେ ଲାଗିଛି । ଅସହାୟ ମଣିଷ ଆଗେ ଅତ୍ୟନ୍ତ ଆର୍ତ୍ତ ଓ ଦୀନ ଭାବରେ ବାହାର ସହାୟ ଖୋଜି ବୁଲୁଥିଲା, ସୁଖ ପାଇବ ବୋଲି ଏକ ସ୍ଵର୍ଗର କଳ୍ପନା କରୁଥିଲା, ଆପଣାର ବହୁ ଖଣ୍ଡିଆ ଓ କ୍ଷତକୁ ଭରାଇ ପାରିବାର ଆଶାରେ ବାହାରେ ଥାଇ ତାକୁ ରଜ୍ଜୁରେ ବାନ୍ଧି ନଚାଉଥିବା ସତେଅବା କେଉଁ କ୍ରୁର ଓ ତେଣୁ ମହାନ୍‌ର ଅନୁଗ୍ରହ ଭିକ୍ଷା କରି ବୁଲୁଥିଲା । ତଥାପି ସଂଶୟୀ ହୋଇ ରହି ଯାଉଥିଲା–ତା’ର ଅସହାୟତା ଆଦୌ କଟୁ ନଥିଲା, ଦୁଃଖ ମୋଟେ ଯାଉନଥିଲା, ତା’ଭିତରେ ତଥା ବାହାରେ କ୍ଷତ ଓ ଖଣ୍ଡିଆଗୁଡ଼ାକ ତାକୁ ସତତ ଭାରି ବିକଳ କରି ରଖିଥିଲେ । ସଭ୍ୟତାରେ ବାଟ ଚାଲି, ସଂସ୍କୃତିରେ ବାଟ ଚାଲି ମଣିଷ ଶେଷକୁ ନିଜ ଭିତରେ ହିଁ ଅସଲ ମୂଳଟିକୁ ଆବିଷ୍କାର କଲା । ତାହାକୁ ହିଁ ଆପଣାର ପରମ ସଦନ ରୂପେ ଆବିଷ୍କାର କଲା ।

 

ପ୍ରତ୍ୟେକ ମନୁଷ୍ୟର ସେଇ ଭିତରେ ହିଁ ତା'ର ସ୍ଵର୍ଗକୁ ବାଟ ପଡ଼ିଛି, ତା’ର ପରମ ଉତ୍ସକୁ ମଧ୍ୟ ବାଟ ପଡ଼ିଛି । ସର୍ବୋଚ୍ଚ ଯାଏ ବାଟ ପଡ଼ିଛି, ଗଭୀରତମ ଯାଏ ବି ବାଟ ପଡ଼ିଛି । ଯାହାର ପାଦ ଦୁଇଟିକୁ ସ୍ପର୍ଶ କରିବ ବୋଲି ସିଏ ଏହି ବାହାରଟାରେ ବାରହଜାର ଭିଆଣ କରି ବୁଲିବାରେ ଲାଗିଥିଲା, ସେହି ପାଦ ଦୁଇଟିକୁ ସିଏ ନିଜର ନିବିଡ଼ତମ ଭିତରେ ହିଁ ପ୍ରତ୍ୟକ୍ଷ କରିବାକୁ ଆରମ୍ଭ କଲାଣି । ତା’ର ସେଇ ନିବିଡ଼ତମ ଭିତରଟି ହେଉଛି ଏକାଧାରରେ ଏକ ବିନ୍ଦୁ ଓ ଏକ ବ୍ୟାପ୍ତି । ଏକାଧାରରେ ଏକ ସଂକେନ୍ଦ୍ରଣ ଓ ଏକ ପ୍ରସାରଣ । ସେଇଠାରେ, ତାହାରି ଦର୍ପଣ ଉପରେ ଦେଖି ପାରିଲେ ଏବଂ ଅନୁଭବ କରି ପାରିଲେ ହିଁ ସିଏ ନିଜକୁ ପାଇବ, ସମସ୍ତଙ୍କୁ ପାଇବ-। ପରସ୍ପରକୁ ପାଇବ, ସଂସାରଯାକକୁ ପାଇବ, ଏହି ସବୁକିଛିକୁ ଗୋଟିଏ ଖିଅରେ ବାନ୍ଧି ରଖିଥିବା ଅନ୍ତରଙ୍ଗ ଧନଟିକୁ ଲାଭ କରି ପାରିବ । ଏହି ଅନ୍ତରଙ୍ଗ ଧନଟି ହେଉଛି ଚେତନାର ଧନ । ଚେତନା ବୋଲି ମଣିଷ ବାହାରେ ଯେତିକି ଜାଣି ଆସିଥିଲା ବା ବୁଝି ଆସିଥିଲା, ଚେତନା କଦାପି ସେତିକି ନୁହେଁ । ଭଗବାନ ବୋଲି କହି ସିଏ ଏପର୍ଯ୍ୟନ୍ତ ଇଷ୍ଟଦେବର ମର୍ଯ୍ୟାଦା ଦେଇ ଯାହାକୁ ରତ୍ନଖଚିତ ଏହି ବାହାର ଖଟୁଲିଗୁଡ଼ିକ ଉପରେ ବସାଇ ଆସିଥିଲା, ଭଗବାନ କେବଳ ସେତିକି ନୁହନ୍ତି । ସିଏ ସଂସ୍କାରବଶ ଭାବରେ ଆପଣାକୁ ଯେତିକିର ଭାଜନ ବୋଲି ଜାଣି ଆସିଥିଲା, ସିଏ କେବଳ ସେତିକି ମୋଟେ ନୁହେଁ । ତା'ର ଏହି ତଥାକଥିତ ଅଳପଟି ଭିତରେ ଭୂମାକୁ ହିଁ ବାଟ ପଡ଼ିଛି, ତା'ର ଚେତନା ପାହାଚ ପାହାଚ ହୋଇ ଉପରକୁ ତଥା ଭିତରକୁ ପ୍ରଲମ୍ୱିତ ହୋଇ ରହିଛି । ଆଗେ ସିଏ ଅଚେତନା ବୋଲି କହି ଯାହାକୁ ଭୟ କରି ଆସିଥିଲା, ସିଏ ପ୍ରକୃତରେ ଏକ ଅଚେତନା ଆଦୌ ନୁହେଁ । ସଂସାରଶିଖା ନାନା ଦରବିଶ୍ଵାସ ଓ ଦରଅବିଶ୍ଵାସ ଫଳରେ ତା' ଚାରିପାଖରେ ତା' ଜାଣତରେ ଏବଂ ଅଜାଣତରେ ଯେଉଁ ପାଚେରୀମାନ ତା'ର ଅତିପ୍ରିୟ କାନ୍ଥସବୁ ହୋଇ ଛିଡ଼ା ହୋଇ ରହିଛି, ସେହିଗୁଡ଼ିକ ତା'ର ଆଖିକୁ ଏପରି ବାରିତ ଏବଂ ଆବଦ୍ଧ କରି ରଖି ଦେଇଛନ୍ତି ବୋଲି ହିଁ ଅସଲଟି ତାକୁ ଏପରି ଅଚେତନା ବୋଲି ପ୍ରତୀତ ହେବାରେ ଲାଗିଛି । ପାହାଚ ଉଠି ଉଠି ସେଠାରେ ଯାଇ ପହଞ୍ଚି ପାରିଲେ ତାହା ଆଉ କଦାପି ଅଚେତନା ହୋଇ ରହିବ ନାହିଁ । କଥାର ଭାଙ୍ଗ ବଦଳାଇ କହିଲେ, ସେତେବେଳେ ତା'ର ଅଚେତନା ଆଉ ଚେତନା ମଧ୍ୟରେ ଆଦୌ କୌଣସି ଭେଦ ରହିବ ନାହିଁ । ସେହି ଅଚେତନା ଏହି ଚେତନା ମଧ୍ୟକୁ ପ୍ରଦୀପ୍ତ ଓ ପ୍ରଲମ୍ବିତ ହୋଇ ଆସିବ ଏବଂ ମଣିଷକୁ ସଦାଚେତନ ଏବଂ ବିଶ୍ୱତନ କରି ରଖିବ । ଆଗେ ମଣିଷ ଯାହାକୁ ଦଇବ ବୋଲି କହି ଆସିଥିଲା, ଏବେ ସିଏ ତାକୁ ଦିବ୍ୟତା ବୋଲି କହିଲାଣି ।

 

ବିଜ୍ଞାନର ଅନୁଭବରେ ଏବଂ ଆମୀୟତାର ଆଲୋଡ଼ନକାରୀ ମାର୍ଗଟିରେ ଆଗକୁ ଆଗକୁ ଯାଇ ମନୁଷ୍ୟ କ୍ରମଶଃ ଦିବ୍ୟତାର ସେହି ପ୍ରସ୍ଥଗୁଡ଼ିକୁ ଆବିଷ୍କାର କରୁଛି । ସେହି ପ୍ରସ୍ଥଗୁଡ଼ିକର କୌଣସି ଅନ୍ତ ନାହିଁ । ସେହି ପ୍ରସ୍ଥଗୁଡ଼ିକର ଆଦୌ କୌଣସି ପ୍ରତିମା ନାହିଁ । ସେହି ପ୍ରତିମାଗୁଡ଼ିକୁ ଭାଙ୍ଗି ମଣିଷ କ୍ରମେ ସେହି ଦିବ୍ୟତାଗୁଡ଼ିକ ପାଖରେ ଯାଇ ପହଞ୍ଚିବାକୁ ମନ କଲାଣି-। ସେଥିଲାଗି ତାକୁ ଯେ ସଂସାର ଛାଡ଼ି ଆଦୌ କୌଣସି ଅଟରୀ କିମ୍ବା କୌଣସି ପର୍ବତଶିଖରକୁ ପଳାଇ ଯିବାକୁ ପଡ଼ିବ ନାହିଁ, ସେହି କଥାଟି ତା' ଆଗରେ କ୍ରମଶଃ ଅଧିକ ସ୍ପଷ୍ଟ ହୋଇ ଆସୁଛି । ମାୟା ଭିତରେ ରହି ହିଁ ସିଏ ମାୟାକୁ କାଟିବ, ପାହାଚ ଉଠି ହିଁ ସିଏ ମାୟାକୁ କାଟିବ । ପରବର୍ତ୍ତୀ ପାହାଚଟି ଲାଗି ଗୋଡ଼ଟିଏ ଉଠାଇ ପାରିବାଦ୍ଵାରା ହିଁ ସିଏ ବର୍ତ୍ତମାନ ପାହାଚଟିର ଅଯଥେଷ୍ଟତା ଘୋଷଣା କରିବ । ପ୍ରତି ପାହାଚ ତାକୁ କେବଳ ଏକ ଲିଭର୍‍ ଯୋଗାଇ ଦେବ, ଧର୍ମତଃ ଏକ rite of passage ପରି କାର୍ଯ୍ୟ କରୁଥିବ । ପାହାଚ ପରେ ପାହାଚ ଅତିକ୍ରମି ଯିବାକୁ ତାହାରି ଭିତରେ ଥାଇ କାଣ୍ଡାରିଟିଏ, ବନ୍ଧୁଟିଏ, ପରମ ମମତାଟିଏ ତାକୁ ସଦାଚଞ୍ଚଳ କରି ରଖିଥିବ । ମାନସୋନ୍ମୋଚନର ଶାସ୍ତ୍ରରେ ବିଜ୍ଞାନୀମାନେ ଏବେ ତାହାକୁ, ସେହି କାଣ୍ଡାରିକୁ ଓ ପରମ ମମତାଟିକୁ der unbewusste Gott ବୋଲି ମଧ୍ୟ କହିଲେଣି । ସିଏ ଏଇଠି ଆମର ଅତି ପାଖରେ ଅଛନ୍ତି, ଆମର ନିତ୍ୟସଙ୍ଗୀରୂପେ ଆମରି ଭିତରେ ରହିଛନ୍ତି । ଆମକୁ ନିରନ୍ତର ଅଥୟ, ଚଞ୍ଚଳ ଓ ସୁଦୂରପିପାସୀ କରି ରଖିଛନ୍ତି । ଆମର ଯାବତୀୟ ତାତ୍କାଳିକ ଶିଷ୍ଟତାକୁ ସତେ ଅବା ଗୋଟାଏ ଫୁଟୁକି ମାରି ଧୂଳିସାତ୍ କରି ଦେଉଛନ୍ତି । ଆମ ଭିତରର ଅଳପଟା ଏଠି ଶାନ୍ତି ଚାହୁଁଛି, ନିରାପତ୍ତା ଚାହୁଁଛି, ଏଇଠି କେତେ କଅଣକୁ ରତ୍ନ ମଣି ସେଗୁଡ଼ାକୁ କାମୁଡ଼ି ପଡ଼ି ରହିବାକୁ ଇଚ୍ଛା କରୁଛି – ତଥାପି ଭିତରର ସେହି ଅସଲ ସିଏ ଆମକୁ ଅସଲ ସିଂହାସନଟିଏ ଉପରେ ଅଧୀଶ୍ୱରର ମର୍ଯ୍ୟାଦା ଦେଇ ନେଇ ବସାଇଛନ୍ତି । ଆମ ଜୀବନର ତାତ୍କାଳିକ ସକଳ ଅନ୍ୱେଷଣକୁ ଏକ ଚିରନ୍ତନ ଅଶାନ୍ତିରେ ପରିଣତ କରି ରଖିଛନ୍ତି ।

 

ସେଇ ଯଦି ସତକୁ ସତ ଭଗବାନ ହୋଇଥିବେ, ତେବେ ସିଏ ନିଶ୍ଚୟ ଭାରି ଦୁଷ୍ଟ ହୋଇଥିବେ । ଆମେ ଏଠି ଅନେକ ଅନେକ ନୃପତିଙ୍କର ବୋଲ ମାନି ଭାଗ୍ୟ ଆଦରି ସୁନାପୁଅ ହୋଇ ରହିବାରେ ଫିସାଦ କରୁଥିବା ସମୟରେ ସିଏ ଆମେ ଆମର ଅସଲ ପ୍ରସ୍ଥଟିରେ କଦାପି କାହାର ଭୃତ୍ୟ ନୋହୁ ବୋଲି ଚେତାଇ ଦେବାକୁ ଆସୁଥିବେ । ତାଙ୍କରି ବୋଲ ମାନିଲେ ଯେ ଜୀବନରେ କଦାପି କୌଣସି ସାହୁର ଖାତକ ହେବାକୁ ପଡ଼େନାହିଁ, ଆମ ଜୀବନର ଗବାକ୍ଷଗୁଡ଼ିକ ଉପରେ ସିଏ ସେହି ସତ୍ୟଟିର ଆଘାତ ଦେଇ ଯାଉଥିବେ । ମଣିଷ ଏଠି ସଂସାରର ବଣିଜ ଚଳିବା ନିମନ୍ତେ ଯେତେ ସବୁ ଅନୁଷ୍ଠାନ ଗଢ଼ିଛି, ସିଏ ନିଜ ସେଗୁଡ଼ିକର ବହୁତ ଉପରେ ବୋଲି ଆମ ଭିତରେ ଦୁଷ୍ଟ ଭଗବାନ ଆମକୁ ବାରବାର କହିବାରେ ଲାଗିଥିବେ । ଦିନ ଆସୁଛି, ଯେତେବେଳେ ମଣିଷ ଏହିସବୁ ଅନୁଷ୍ଠାନ ଭିତରେ ଛାଗଳଟିଏ ସଦୃଶ ବନ୍ଧା ହୋଇ ରହିବାକୁ ସିଧା ମନା କରିଦେବ । ସିଏ କୌଣସି ରାଷ୍ଟ୍ରର ବା ଦେଶର ହୋଇ ରହିବ ନାହିଁ, କୌଣସି ପରିବାରର ଅର୍ଗଳ ଭିତରେ ତାକୁ କଦାପି ଗୋଡ଼ିଛନ୍ଦି ହାତଛନ୍ଦି ଦେଇ ରଖି ଦିଆଯାଇ ପାରିବ ନାହିଁ । ଅନୁଷ୍ଠାନଗୁଡ଼ିକ ଅବଶ୍ୟ ରହିବେ, ସେଗୁଡ଼ିକ ମନୁଷ୍ୟନାମକ ସେହି ମହାବଳୀ ସତତଯାତ୍ରୀର ପରିକର ଏବଂ ପରିଚର୍ଯ୍ୟାକାରୀ ରୂପେ ହିଁ ରହିବେ । ରାଷ୍ଟ୍ରମାନେ ଭୁଷୁଡ଼ି ପଡ଼ିବେ, ଯାବତୀୟ ସଂସ୍କାର ଲାଜରା ହୋଇ ପଛରେ ପଡ଼ି ରହିବ, ମଣିଷ ଆଗକୁ ବାହାରିଯିବ । ବର୍ତ୍ତମାନର ବହୁ ଖଣ୍ଡ ଆଦର୍ଶ ପ୍ରତ୍ୟାଖ୍ୟାତ ହେବାକୁ ବାଧ୍ୟ ହେବେ ।

 

ଭିତରର ଏହି ଯେଉଁ ଦୁଷ୍ଟ ପରମସୁହୃତ୍‌ଟି – ତାଙ୍କର କୋଉ ଧର୍ମ ? ସିଏ ହିନ୍ଦୁ, ମୁସଲମାନ, ଶିଖ ନା ଖ୍ରୀଷ୍ଟିଆନ୍ ? ଯେଉଁମାନେ ଗୋଟିଏ ମନ୍ଦିରକୁ ଭାଙ୍ଗି ଆଉ ଗୋଟାଏ ମନ୍ଦିର ଲାଗି ଶିଳା ସଂଗ୍ରହ କରିବାକୁ ନିଜ ଜୀବନର ପୁଣ୍ୟତମ ପ୍ରସଙ୍ଗରୂପେ ଗ୍ରହଣ କରିଛନ୍ତି ଓ ଧ୍ୱନି ଦେଇ ରାସ୍ତାରେ ବାହାରିଛନ୍ତି, ଯେଉଁମାନେ କୃପାଣ ଧରି ବିଧର୍ମୀମାନଙ୍କୁ ହତ୍ୟା କରି ନିର୍ମମ ରାଷ୍ଟ୍ରଖଣ୍ଡେ ଗଢ଼ିବେ ବୋଲି ଆତତାୟୀର ଅଭଦ୍ର ପରିଚ୍ଛଦ ପିନ୍ଧି ଏଠି ରାଜନୀତି ଭିତରେ ଆସି ପଶିଚନ୍ତି, ଏହି ଦୁଷ୍ଟଟାକୁ ସେମାନେ ପ୍ରକୃତରେ କୋଉ ଚିତା ବା କୋଉ ପଇତା ଦେଇ ଚିହ୍ନିବେ ? ସେମାନଙ୍କ ଭିତରର ଠାକୁରମାନେ ହୁଏତ ଭାରି ଶୀତଳ ହୋଇ ରହିଛନ୍ତି ଓ ତେଣୁ ସେମାନଙ୍କ ଭିତରର ଅସଲ ଦୃଷ୍ଟଟି ଆପାତତଃ ମୂକ ଓ ଅଠାବ ହୋଇ ରହିଛି । ବାହାରେ ଯେଉଁ ଜ୍ୱଳନଗୁଡ଼ିକ ଶାନ୍ତି ହେଲେ ଓ ଯେଉଁ ନାସ୍ତିକତାଗୁଡ଼ିକ ପରାଭବ ଲଭିଲେ ଯାଇ ଭିତରର ସେହି ଅସଲ ଅଶାନ୍ତିଟି ପାଖକୁ ବାଟ ଫିଟିଯାଏ, ସେହି ଜ୍ୱଳନ ହୁଏତ ପୃଥିବୀର ଅନେକଙ୍କୁ ଏବେ ମଧ୍ୟ ମାଡ଼ିବସିଛି, ସେମାନଙ୍କୁ ବହୁ ଉତ୍ତେଜନାର ଦାସ କରି ରଖିଛି । ସେମାନେ ବି ଦିନେ ଆଖି ପାଇବେ । ଭିତରକୁ ଅସଲ ଆଖିଟି ପାଇଗଲେ ବାହାରଟାକୁ ମଧ୍ୟ ମଳମୁକ୍ତ ହୋଇ ଦେଖି ପାରିବେ । ପୃଥିବୀର ସବୁ ମଣିଷ ଯେ ଯଥାଶୀଘ୍ର ଭିତର ଆଡ଼କୁ ଯଥାର୍ଥ ଖିଅଟି ଲଗାଇ ଦେଇ ପାରିବେ, ସେଥିଲାଗି ବିଶ୍ଵମୟ ଅସଲ ଦୁଷ୍ଟଟିର ଷଡ଼ଯନ୍ତ୍ର ଆରମ୍ଭ ହୋଇଗଲାଣି ।

୧୫ । ୦୨ । ୯୦

Image

 

ଜଣେ ଲେଖକ ଯାହା ଚାହେଁ

 

ଅସଲ ଲେଖକ ଖୁସି ହୋଇ ଲେଖେ । ଖୁସି ହେବାର ଏକ ପୂର୍ବକଳ୍ପିତ ଉଦ୍ଦେଶ୍ୟ ରଖି ଲେଖିବାରେ ପ୍ରବୃତ୍ତ ହୋଇଥିବା ଲେଖକକୁ ହୁଏତ କେବେହେଲେ ଖୁସି ମିଳେ ନାହିଁ । ଜୀବନଟିକୁ ଯଥାର୍ଥଭାବେ ବଞ୍ଚିପାରିଲେ ଆମେ ଏକ ସ୍ଵାଭାବିକ ସୁଖର ଅଧିକାରୀ ହୋଇଥାଉ ଏବଂ ସୁଖ, ଅଧିକରୁ ଅଧିକ ସୁଖ ଲାଭ କରିବାର ଏକ ଅତିସଚେତନ ଓ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଜୀବନ ବଞ୍ଚୁଥିବା ହିସାବୀ ମଣିଷମାନେ ଅତ୍ୟନ୍ତ ଦୟନୀୟ ଭାବରେ ସୁଖରୁ ତଥା ସ୍ଵାଭାବିକତାରୁ ବଞ୍ଚିତ ହୋଇ ରହିଥାନ୍ତି । ଲେଖିବାର କ୍ଷେତ୍ରରେ ମଧ୍ୟ ପ୍ରାୟ ସେହିପରି ହୋଇଥାଏ । କିଛି ପାଇବାର ଆଶା କରି ଲେଖି ବାହାରିଲେ ଲେଖିବାର ଅନ୍ତଃପ୍ରସ୍ତୁତିଟି ସତେଅବା ଗୋଟାସୁଦ୍ଧା ପାଣି ଫାଟିଯାଏ । ପୁଞ୍ଜିବାଦୀ ସମାଜରେ ବ୍ରତୀ ମଣିଷ କମ୍, ବାଣିଜ୍ୟିକ ମଣିଷଙ୍କର ସଂଖ୍ୟା ହିଁ ଅଧିକ । ଆପଣାକୁ ଦେଇଦେବାରେ ହିଁ ଜୀବନର ସର୍ବୋଚ୍ଚ ଚରିତାର୍ଥତାକୁ ଲାଭ କରିବାକୁ ମନ କରୁଥିବା ମଣିଷଙ୍କର ସଂଖ୍ୟା ଭାରି କମ୍, ଯଥାସମ୍ଭବ ଅଧିକରୁ ଅଧିକ ପାଇବାକୁ ହିଁ ଜୀବନର ଅସଲ ଗଣ୍ଠିରେ ପରିଣତ କରି ରଖି ସେହି ଅନୁସାରେ ଅତ୍ୟନ୍ତ କୃପଣ ଭାବରେ ନିଜର ଆଦୌ କୌଣସି ଗଣ୍ଠିଲି ଫିଟାଇବାକୁ ମନ ନ କରୁଥିବା ମଣିଷଙ୍କର ସଂଖ୍ୟା ହିଁ ଅତ୍ୟନ୍ତ ବେଶି । ।

 

ସେଦିନ ଗୋଟାଏ ଦରବାରୀ ଅବସରରେ ସାକ୍ଷ୍ୟ ଦେଇ ଜଣେ ଲେଖକ କହିଲେ ଯେ ଜଣେ ଲେଖକ ସବାଆଗ ଯାହା ପାଇବାର କାମନା ରଖିଥାଏ, ତାହା ହେଉଛି ଯଶଃ, ଖ୍ୟାତି ଓ ନାମ । ନାମରୁ ହିଁ ପୌରୁଷର ପ୍ରମାଣ । ଲେଖକ ସବାଆଗ ଯଶ ଚାହେଁ, ତା’ପରେ ପଇସା ବି ଚାହେଁ । ଆଗ ଯଶଃକାମନା, ତା'ପରେ ଅର୍ଥକାମନା । କହିବା ଅନାବଶ୍ୟକ ଯେ ସିଏ ନିଜ ଦର୍ପଣଟି ଉପରେ ନିଜର ରୂପଟିକୁ ଦେଖି ଓ ନିଜର ପିତ୍ତଟିକୁ ପରଖି ଏପରି ଗୋଟିଏ ମନ୍ତବ୍ୟ ପ୍ରକାଶ କରିଥିଲେ । ତାଙ୍କର ମସ୍ତବଡ଼ ଭୁଲଟି ହେଉଛି ଯେ ଯିଏ ଏକ ବ୍ୟକ୍ତିଗତ କାମନାକୁ ସତେଅବା ଏକ ସାଧାରଣ ସତ୍ୟର ଆଭାସ ଦେଇ କହିବାକୁ ଇଚ୍ଛା କରୁଥିଲେ । ଜଣେ ଲେଖକ ହିସାବରେ ମୁଁ ସବାଆଗ ଯଶଃ ଇଚ୍ଛା କରେ, ତା'ପରେ ପଇସାକୁ ଇଚ୍ଛା କରେ ଓ ତା’ପରେ ଯାଇ ଆଉ ଯାହାକିଛି ଇଚ୍ଛା କରେ ବୋଲି କହିଥିଲେ ଯିଏ ଅଧିକ ବିବେକର ପରିଚୟ ଦେଇ ଥାଆନ୍ତେ । ମୁଁ ବିବାହ କରିବା ସମୟରେ ସବାଆଗ ଯୌତୁକ ପାଇବାର କାମନା ରଖିଥିବି ଓ ତା'ପରେ ଯାଇ କନିଆଁକଥା ଭାବିବି ବୋଲି ସିଧା ଭାବରେ ନକହି, ଏବେ ସମସ୍ତେ ଯୌତୁକର କାମନା ସବାଆଗ କରୁଛନ୍ତି ଏବଂ ଯୌତୁକ ନଦେଇ କ'ଣ କେହି କେବେ ଝିଅ ବାହାଘର କଲାଣି ବୋଲି କହିବା ପଛରେ ଯେଉଁ ବାକ୍‌ସତର୍କତା ନିହିତ ଓ ଲୁକ୍‍କାୟିତ ହୋଇ ରହିଥାଏ, ଇଏ ପ୍ରାୟ ସେହିପରି ଗୋଟିଏ କଥା ।

 

ଜଣେ ଲେଖକ ପ୍ରକୃତରେ କ'ଣ ଚାହେଁ ? ଲେଖକର ଚେତନା ଯେଉଁ ସ୍ତରରେ ଥାଏ ସିଏ ସେଇ ଅନୁସାରେ ଏଇଟା ବା ସେଇଟାକୁ କାମନା କରୁଥାଏ ଏବଂ, ସଂସାରର ରୀତି ଅନୁସରଣ କରି ତାହାହିଁ ଠିକ୍ ବୋଲି କେତେ ସନ୍ତର୍ପଣର ସହିତ ଦାବୀ କରୁଥାଏ ଓ କେଡ଼େ ଦୟନୀୟ ଭାବରେ ଧରାପଡ଼ି ଯାଉଥାଏ । ସେହି କାରଣରୁ ହିଁ, ଜଣେ ବ୍ୟକ୍ତି କହୁଥିବା କଥାରୁ ଅସଲ ସତ୍ୟଟି ଯେତେଦୂର ପ୍ରକାଶିତ ନହୁଏ, ସିଏ ନିଜେ ଚେତନାର ଅର୍ଥାତ୍ ଜୀବନସମ୍ବନ୍ଧର କେଉଁ ସ୍ତରରେ ପ୍ରକୃତରେ ରହିଛି, ସେହି କଥାଟି ତା'ଠାରୁ ଅଧିକ ପରିମାଣରେ ଧରା ପଡ଼ିଯାଏ । ପୃଥିବୀର ଅନେକ ଅତିସତର୍କ ବିଜ୍ଞ ଓ ଚତୁର ମଣିଷ ଅନେକ ସମୟରେ ଏହିପରି ଭାବରେ ହିଁ ଧରା ପଡ଼ିଥାନ୍ତି । ଏପରି ଲେଖକ ଅଛନ୍ତି, ଯେଉଁମାନେ କି ନଲେଖିଲେ ଆଦୌ ରହିପାରିବେ ନାହିଁ ବୋଲି ଲେଖୁଥାନ୍ତି । ନିଜ ପହ୍ନାରୁ କ୍ଷୀର ଦୂହାଁ ନହେଲେ ଗାଈ ଯେପରି ଅସ୍ଥିର ବିକଳ ହୋଇପଡ଼େ, ଏହି କ୍ଷେତ୍ରରେ ସେହିଭଳି ଘଟିଥାଏ । ଅନେକ ଲେଖକ ଆପଣାର ଲେଖା ମାଧ୍ୟମରେ ଏକ ବିରେଚନର ଆଶ୍ଵସ୍ତି ଅନୁଭବ କରିଥାନ୍ତି । କିଛି ଲେଖି ପକାଇଲେ ସତେଅବା ନିସ୍ତାର ପାଇ ଯାଉଥାନ୍ତି, ଉଶ୍ୱାସ ହୋଇ ଯାଉଥାନ୍ତି । ଏମାନେ ନିଜ ଗରଜରେ ପଡ଼ି ଲେଖନ୍ତି । ଅନେକ ମଣିଷ ନିଜ ଗରଜରେ ପଡ଼ି ଯେପରି ବିକଳ ହୋଇ ସଂସାର ଛାଡ଼ନ୍ତି ଓ ବାବାଜୀ ହୋଇ ପଳାନ୍ତି, ପ୍ରାୟ ସେହିପରି । ସଂସାର ସେମାନଙ୍କୁ ଏପରି ଅସହନୀୟ ଭାବରେ ତୀର ମାରୁଥାଏ ଯେ, ଅନେକେ ସତେଅବା ଛାଟିପିଟି ହୋଇ ଭଗବାନଙ୍କ ପାଖକୁ ପଳାନ୍ତି । ସେହିପରି, ଅନେକ ଲେଖକ ସଂସାରକୁ ପାରନ୍ତି ନାହିଁ, ଜଞ୍ଜାଳକୁ ପାରନ୍ତି ନାହିଁ, ସେଥିଲାଗି ସାହିତ୍ୟ ଭିତରକୁ ପଳାନ୍ତି । ଏହି ବାଟରେ କବିମାନେ କବିତାକୁ ନିଜର ରାଣୀ ବୋଲି କହନ୍ତି, ଅଥବା କବିତାରୂପକ ରଜା ପାଖରେ ରାଣୀ ହୋଇ ରହିବାକୁ ମନ କରୁଥାନ୍ତି । କିମ୍ବା, ହୁଏତ ଏପରି ମଧ୍ୟ କୁହାଯାଇ ପାରିବ ଯେ, କବିତାକୁ ପର୍ଯ୍ୟାଙ୍କଟିଏ ପରି ମଣି ସେମାନେ ତାହାରି ଉପରେ ଯାଇ ଶୋଇପଡ଼ନ୍ତି । ଅଥବା, ବ୍ୟବସାୟିକ ତଥା ବ ଜୀବନରେ ଏହି ସଂସାରର ଯାବତୀୟ ମହକୁମାରେ ମାତୁଳ ବା ମଉସା ହୋଇ ରହି ମଧ୍ୟ ଆପଣାର ତଥାକଥିତ ନାନ୍ଦନିକ ଜୀବନାଂଶ ଗୁଡ଼ାକର କ୍ଷେତ୍ରରେ ସେହିଭଳି ପର୍ଯ୍ୟଙ୍କଟିଏ ଆଦରି ସେଇଠି ଯାଇ ଶୋଇ ପଡ଼ିଥାନ୍ତି ଏବଂ ଅବସାଦ ମେଣ୍ଟାଉଥାନ୍ତି । ଏପାଖରେ ବହୁକ୍ଷଣ କ୍ରୂର କାମୁକ ପରି ଧାଇଁ ଧାଇଁ ସେପାଖରେ ଘଡ଼ିଏ ଘଡ଼ିଏ ପ୍ରାୟେ କାମିନୀଟିଏ ପରି ଧକେଇ ଆସିବାକୁ ଯାଆନ୍ତି ।

 

ନିଜ ଭିତରେ ଏକ ସ୍ପପ୍ନକୁ ବହନ ଭିତରେ କରିବାର ଅଭିଶାପ ପାଇଥାଆନ୍ତି ବୋଲି କେତେକ ମଣିଷ ଲେଖକ ହୁଅନ୍ତି । ସେହି ସ୍ପପ୍ନଟିର ଅବତାରଣା କରିବା ନିମନ୍ତେ ସାହିତ୍ୟ ଭିତରକୁ ଆସନ୍ତି । ଯନ୍ତ୍ରଟିଏ, ନିମିତ୍ତଟିଏ ହେଇ ଆସନ୍ତି । ବିଧାତା ହାତରେ, କାଳଗୁଡ଼ାକୁ ଭାଙ୍ଗି କାଳଗୁଡ଼ାକୁ ଗଢ଼ୁଥିବା କାଳପୁରୁଷର ହାତରେ ଯନ୍ତ୍ରଟାଏ ହୋଇ ସେମାନେ ଲେଖକ ହୋଇଥାନ୍ତି । ମଣିଷ ପାଇଁ ସେମାନେ ଏକ ଅନ୍ୟ ଭବିଷ୍ୟର ଏବଂ ଉତ୍ତରାଧିକାରର କଳ୍ପନା କରୁଥାନ୍ତି, ପ୍ରତିଷ୍ଠିତ ଯାବତୀୟ ରାଜ୍ୟକୁ ଅସ୍ୱୀକାର କରି ସେମାନେ ଏକ ଅଭିନବ ନୈରାଜ୍ୟର ଅଭିସାରରେ ବାହକ ହୋଇ ବାହାରିଥାନ୍ତି ଓ ତେଣୁ ଆପଣାର ଲେଖାଦ୍ୱାରା ସେହି ସୁସମାଚାରର ଉଦ୍‍ଘୋଷଣା କରିବାକୁ ଇଚ୍ଛା କରୁଥାନ୍ତି । ସେମାନେ ବୋକା ବନନ୍ତି, ତଥାପି ଲେଖନ୍ତି । ଭଲ ପାଉଥାନ୍ତି ବୋଲି ଲେଖନ୍ତି । କାଳଟାକୁ କୁଳୀଷ କରି ପେଟ ଉପରେ ବାନ୍ଧିରଖି ଏତେ ବଡ଼ ହୋଇ ଦେଖା ଯାଉଥିବା ଶ୍ରେଷ୍ଠୀମାନେ ମୂଳତଃ କାତର ଏବଂ ତେଣୁ ଉଗ୍ର ହୋଇ ରହିଥିବା ସମୟରେ ଏହି ଶ୍ରେଣୀର ଲେଖକମାନେ ନିଶଃଙ୍କ ଭାବରେ ସାହସର କଥା କହୁଥାନ୍ତି । ସକଳ ରାତ୍ରି ସତ୍ତ୍ୱେ ସେମାନେ ସିନ୍ଦୁରା ଫାଟିବା ଉପରେ ବିଶ୍ୱାସ ରଖିଥାନ୍ତି, ହିରଣ୍ୟକଶିପୁର ଯାବତ ଉଦ୍ଦଣ୍ଡତା ସତ୍ତ୍ୱେ ତଥାପି ଆପଣାର ଅସଲ ବିଶ୍ୱାସଗୁଡ଼ିକୁ ମୋଟେ ଛାଡ଼ି ପାରନ୍ତି ନାହିଁ ।

 

ଲେଖକ ମୂଳତଃ ଯଶକାମୀ ହେଲେ ଦରବାରକୁ ଯାଏ । ଅର୍ଥକାମୀ ହୋଇ ବଣିଆ ପାଖକୁ ଯାଏ । କଙ୍କଣଲୋଭୀ ବ୍ରାହ୍ମଣ ପରି ବ୍ୟାଘ୍ର ହାବୁଡ଼ରେ ଯାଇ ପଡ଼େ । ନିଜକୁ ମାହାରୀ ପରି ସଜାଇବାରେ ସିଏ କେତେ ସୁଖ ପାଏ । ରଜାଙ୍କ ପୁରସ୍କାର ଓ ପାରିତୋଷିକକୁ ସତେଅବା କାମସ୍ପର୍ଶ ପରି ମନେ କରୁଥାଏ । ଯଶଃରେ କାମନାଗୁଡ଼ାକ ତା' ଜୀବନରେ ସତେଅବା କେଉଁ ବନ୍ଧ୍ୟାନାରୀର କାମାତୁରତା ପରି ତାକୁ ଆତୁର କରି ରଖିଥାଏ । ବାହାରର ଏହି ରଜାମାନଙ୍କୁ ସେ ଯେତେ ରଞ୍ଜାଇ ରଖିବାକୁ ବିଚାର କରୁଥାଏ, ତା' ଭିତରର ଅସଲ ରଜାଟି ତଦ୍ଦ୍ୱାରା ସେତେବେଶି ଅପୂଜା ପଡ଼ି ରହିବାକୁ ବାଧ୍ୟ ହୁଅନ୍ତି ଓ ଅସଲ ଘରେ ସତକୁ ସତ ତାଲା ପଡ଼ିଥାଏ । ଯଶଃର କାମନା ରଖି ଲେଖକ ହୋଇଥିବା ବ୍ୟକ୍ତି ସତେ ଅବା ନିଜ ଲାଳସାର ଡେଣାଗୁଡ଼ିକୁ ବାଜପକ୍ଷୀର ଡେଣାପରି ଫୁଲାଇ ରଖିଥାଏ ଏବଂ ନିଜର ନଖ ସାହାଯ୍ୟରେ ଅଧିକରୁ ଅଧିକ ଯଶଃ ଝାମ୍ପି ଆଣିବାକୁ ପ୍ରାୟ ଏକ ରାଜସିକ ମୃଗୟାରେ ବାହାରି ପଡ଼ିଥାଏ । ସ୍ୱାଧୀନତାର ପରବର୍ତ୍ତୀ ରାଜନୀତି ଯଶଃଲାଳସୀ, କ୍ଷମତାଲାଳସୀ ଏବଂ ଅର୍ଥଲାଳସୀ ହେବା ପରେ ଯେଉଁ ଲେଖକମାନେ ରାଜନୀତିର ଯନ୍ତାଘରେ ଉଚ୍ଚ ଉଚ୍ଚ ହୋଇ ଦିଶୁଥବା ଜାନ୍ତବମାନଙ୍କୁ ଦେଖି ଉଚ୍ଚାଟିତ ହୋଇ ପଡ଼ିଛନ୍ତି, ପ୍ରଧାନତଃ ସେହିମାନେ ସାହିତ୍ୟ ଭିତରେ ରାଜନୀତି କରୁଛନ୍ତି ଓ ଯଶକାମୀ ହୋଇ ରହିଛନ୍ତି । କେତେବେଳେ କାହାକୁ ଉଲ୍ଲସିତ କଲାପରି କ'ଣ ଲେଖିଲେ ଯଶଃ ଓ ପଦଗୁଡ଼ାକ ପ୍ରାୟ ଛେଲା ଛେଲା ନିଜ ଦୁଆରେ ଆସି ଅଲବତ୍‍ ପଡ଼ିବେ, ସେହି କଥାଟିକୁ, ସେମାନେ ଖୁବ୍ ଭଲ କରି ଜାଣିଛନ୍ତି ଏବଂ ତାହାର ନିରାଲମ୍ବ ସୁଯୋଗମାନ ଗ୍ରହଣ କରୁଛନ୍ତି । ଯଶଃକାମୀ ଲେଖକମାନେ ପ୍ରାୟ ପ୍ରୟୋଜନରେ ପଡ଼ି ରଜାଘରେ ବନ୍ଧାହୋଇ ରହିଥାନ୍ତି । ରଜାଙ୍କର ନାଡ଼ୀଟାକୁ ଠିକ୍ ଜାଣିଛନ୍ତି ବୋଲି ଏମାନେ ଭ୍ରମ କରୁଥିବା ସମୟରେ ରଜାମାନେ ସେ ପାଖରେ ଥାଇ ଏମାନଙ୍କର କୋପନସୂତ୍ରଟିକୁ ବେଶ୍ ଆୟତ୍ତ କରି ନେଇଥାନ୍ତି ଓ ଏମାନଙ୍କୁ ବୟସ୍ୟ ପରି ନଚାଇବାରେ ଲାଗିଥାନ୍ତି । ଏମାନେ ଯୁଗଟାର ଦ୍ୟୂତଶାଳାରେ ପଦସ୍ଥ ଭଣ୍ଡ ହୋଇ ବୁଲୁଥାନ୍ତି, ରସାଉଥାନ୍ତି, ରସି ହେଉଥାନ୍ତି ।

 

ଲେଖକ ସବାଆଗ ଯଶଃ ଇଚ୍ଛା କଲେ, ସାହିତ୍ୟର ପରିମଳକୁ ସୁରକ୍ଷିତ କରି ରଖିବାର ପରିପ୍ରେକ୍ଷୀରେ ଏହି ଉକ୍ତିଟିକୁ ହୁଏତ ଏକ ବିପଦଜନକ ଉକ୍ତି ବୋଲି କୁହାଯାଇ ପାରିବ । ଯେଉଁମାନେ ଅନ୍ୟ ପ୍ରତିମାଗୁଡ଼ାକ ପାଖରେ ବିକି ହୋଇ ଗଲେଣି, ସେମାନେ ଛାତିକୁ ଏକାବେଳକେ ନିଧଡ଼କ କରିଦେଇ ହୁଏତ କେତେ ଗାରିମାର ସହିତ ସେହି କଥାଟିକୁ କହିଦେଇ ପାରୁଥିବେ ସତ, ମାତ୍ର ଆପଣା ଭିତରର ସ୍ଵାଭାବିକ ସୃଜନକାରୀ ଶିଶୁଟିକୁ ତାହା ପ୍ରକୃତରେ ଭାରି ଆଘାତ ଦେବ । ସିଏ ଆପଣା ପାଖରେ ଦୋଚାରୁଣୀ ହେବ, ବଜାରର ହେବାର ଫାଶରେ ପଡ଼ି ନିଜର ଅନ୍ତରଙ୍ଗ ଆପଣା ଘରଟିକୁ ଅସ୍ୱୀକାର କରୁଥିବାର ଅପରାଧରେ ଅପରାଧୀ ହେବ । ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ଏକାଧିକ କାରଣରୁ ବର୍ତ୍ତମାନର ଯୁଗଟା ସେହି ଅପରାଧ ନିମିତ୍ତ ଏବେ ଭାରି ପ୍ରଶ୍ରୟ ଦେଉଛି, ମାତ୍ର ଲେଖକ ତଥାପି ବିସ୍ମୃତ ହେବନାହିଁ । କାରଣ, ସାହିଯାକ ସମସ୍ତେ ଡାହୁକ ସାଜି ଗଗନ କମ୍ପାଉଥିବାବେଳେ ରଥସ୍ଥ ଅନ୍ତର୍ଯ୍ୟାମୀ ଯେତେବେଳେ ସାହିତ୍ୟିକ ଓ ଲେଖକ କେଉଁଠି ଅଛି ବୋଲି ଖୋଜି ବାହାରିବେ, ସେତେବେଳେ ସିଏ ସେହି ଆହ୍ୱାନର ଜବାବ ପୁଣି କିପରି ଦେଇ ପାରିବ ?

୨୨ । ୦୨ । ୯୦

Image

 

ଠିକ୍ ଗୌତମଙ୍କ ପରି

 

ଯୁବରାଜ ଗୌତମ ପୃଥିବୀକୁ ବାହାରି ବୃଦ୍ଧ ଦେଖିଲେ, ମଳୁ ଦେଖିଲେ, ମୁର୍ଦ୍ଦାର ଦେଖିଲେ ଓ ସଂସାରତ୍ୟାଗୀ ସନ୍ନ୍ୟାସୀଟିଏ ଦେଖିଲେ । ଦେଖିଥିବା ପ୍ରଥମ ତିନୋଟି ସମସ୍ୟା ନିମନ୍ତେ ସିଏ ଆପଣାର ଚତୁର୍ଥ ପ୍ରତ୍ୟକ୍ଷଟିରେ ତାତ୍କାଳିକ ସମାଧାନଟିଏ ମଧ୍ୟ ପାଇଗଲେ । ସେହି ଆପାତ ସମାଧାନ ତାଙ୍କୁ ତପସ୍ୟା ଲାଗି ପ୍ରବର୍ତ୍ତାଇଲା, ଘର ଛଡ଼ାଇଲା ନଅର ଛଡ଼ାଇଲା । ଗୌତମ ବୋଧିଲାଭ କଲେ, ବୁଦ୍ଧ ହେଲେ । ତୃଷ୍ଣାର ମୁକ୍ତିରେ ଦୁଃଖରୁ ମୁକ୍ତି ବୋଲି ଘୋଷଣା କଲେ, ଏକ ଦୁଃଖାର୍ତ୍ତ ପୃଥିବୀର ଗୁରୁରୂପେ ଘୋଷିତ ହେଲେ । ସାଧାରଣ ସୁବାସ ମାଳୀଠାରୁ ଆରମ୍ଭ କରି ଉଆସରେ ବାସ କରୁଥିବା ରାଜା ବିମ୍ବିସାରଙ୍କ ପର୍ଯ୍ୟନ୍ତ କେତେ କେତେ ବ୍ୟକ୍ତି ତାଙ୍କଦ୍ୱାରା ଦୀକ୍ଷିତ ହେଲେ; ଗୌତମଙ୍କର ପ୍ରେରଣା ଲାଭ କରି ସେମାନେ ସତକୁ ସତ ନିଜର ଯାବତୀୟ ତୃଷ୍ଣାରୁ ମୁକ୍ତ ହୋଇ ପାରିଲେ କି ନାହିଁ କେଜାଣି, ସେମାନେ ସମସ୍ତେ ଏକ ନୂତନ ଧର୍ମର ଅନୁଗାମୀ ହେଲେ । ଅନେକ ସମୟରେ ଆପଣାର ପୁରୁଣା ଧର୍ମଟାକୁ ଛାଡ଼ିଦେଇ ନୁଆ ଧର୍ମଟିଏ ଗ୍ରହଣ କରିନେବା ଦ୍ୱାରା ମଣିଷମାନେ ସତେଅବା ଏକାବେଳକେ ନୂତନ ହୋଇଯିବା ପରି ଅନୁଭବ କରିଥାନ୍ତି ଓ ସେଥିରୁ କେତେ ନା କେତେ ସାନ୍ତ୍ୱନା ଲାଭ କରିଥାନ୍ତି । ଗୌତମ ଆସିଲେ, ଗଲେ; ପୃଥିବୀରୁ ତୃଷ୍ଣା ଗଲା ନାହିଁ କି ଦୁଃଖ ଗଲାନାହିଁ । ଭାରତବର୍ଷର ପାରମ୍ପରିକ ଧର୍ମୀୟତା ଭିତରେ ପଡ଼ି ବୁଦ୍ଧବାଣୀ ଏକ ଧର୍ମରେ ପରିଣତ ହୋଇଗଲା । ଆହୁରି ଟିକିଏ ଛନ୍ଦି ହୋଇ ଆସି ବୁଦ୍ଧଦେବ ଏକ ଭବ୍ୟ ଅବତାରରେ ପରିଣତ ହୋଇଗଲେ । ପ୍ରତିମାତୃଷ୍ଣାର ଜୟଜୟକାର ହେଲା । ଅନେକେ ହୁଏତ ଏକଥା ମଧ୍ୟ କହିବେ ଯେ ଏହାଦ୍ୱାରା ଇତିହାସର ପୁନରାବୃତ୍ତି ହେଲା । ନୂଆ ସଂଘମାନ ଗଢ଼ାହେଲା, ବିହାରମାନ ସାକ୍ଷାତ ମନ୍ଦିର ପରି ଶୋଭା ପାଇଲେ ।

 

ସଂସାର ପାଇଁ ବାଟ ବତାଇବାକୁ ଗୌତମ ସଂସାର ଛାଡ଼ିଥିଲେ । ସଂସାର ଭିତରେ ରହି ମଧ୍ୟ କ'ଣ ସଂସାର ପାଇଁ ବାଟ ବତାଇ ହୁଅନ୍ତା ନାହିଁ ? ପାରମ୍ପରିକ ପୃଥିବୀରେ ସତେଅବା ଏକ ପାରମ୍ପରିକ ଅବସାଦ କିମ୍ବା ବିଷାଦର ଉପେକ୍ଷାଧର୍ମୀ ଧାରାକୁ ଅନୁସରଣ କରି ପୃଥିବୀକୁ ବଦଳାଇବାକୁ ମନ କରିଥିବା ମହାନ୍‌ମାନେ ପୃଥିବୀ ଛାଡ଼ି ବାହାରି ଯାଇଛନ୍ତି । ସେମାନେ ନିକାଞ୍ଚନକୁ ଚାଲି ଯାଇଛନ୍ତି, ଅରଣ୍ୟକୁ ଯାଇଛନ୍ତି, ବିଜନତାକୁ ହିଁ ବୋଧିଲାଭର ଜନନୀପ୍ରାୟ ମଣି ସେମାନେ ସତେ ଅବା ଏକ ଅଦମ୍ୟ ତୃଷ୍ଣାର ସହିତ ଆମର ଅତି ପରିଚିତ ବହୁସ୍ପର୍ଦ୍ଧାମୟ ଏହି ପୃଥିବୀରୁ ଅପସରି ଯାଇଛନ୍ତି । ସେମାନଙ୍କ ଭିତରୁ ଯେଉଁମାନେ ପୃଥିବୀକୁ ଫେରି ଆସିଛନ୍ତି, ପୃଥିବୀର ମଣିଷମାନେ ସେମାନଙ୍କୁ ଏକାବେଳେଳେ ଜଣେ ଜଣେ ମହାପୁରୁଷର ପାହିଆକୁ ଉତ୍ତୀର୍ଣ୍ଣ କରାଇ ନେଇଛନ୍ତି , ଦେବତାର ଆସନ ଦେଇଛନ୍ତି, ଠାକୁର ବୋଲି ପୂଜା କରିଛନ୍ତି । ଠାକୁରମାନଙ୍କ ନାମରେ ବିଭିନ୍ନ ସମ୍ପ୍ରଦାୟ ଗଢ଼ା ହୋଇଛି, ଏବଂ ତଦ୍ଦ୍ୱାରା ବିଚରା ପୃଥିବୀଟିର ଦୁଃଖବୃଦ୍ଧି ପାଇଛି ସିନା, ଆଉ କିଛି ବିଶେଷ ପରିବର୍ତ୍ତନ ହୋଇ ପାରିନାହିଁ ।

 

ତୃଷ୍ଣାକୁ କାଟି ପକାଇଲେ କ'ଣ ସତକୁ ସତ ତୃଷ୍ଣାରୁ ମୁକ୍ତିଲାଭ କରିବା ସମ୍ଭବ ହୁଏ ? ବହୁବିଧ ତୃଷ୍ଣା ଦ୍ୱାରା ଘାଣ୍ଟି ହେଉଥିବା ଏହି ପୃଥିବୀର କନ୍ଦଳ ଓ କୋଳାହଳଗୁଡ଼ିକ ହୁଏତ ବେଳେବେଳେ ଆମକୁ ଏପରି ବିକଳ କରି ପକାଉଥିବ, ଯାହାଫଳରେ କି ଆମେ ଏହି ତୃଷ୍ଣାଗୁଡ଼ାକ ନ ଗଲେ ପୃଥିବୀର କଦାପି ନିସ୍ତାର ନାହିଁ ବୋଲି କହି ପକାଇବାକୁ ବେଶ୍ ଏକ ପ୍ରଲୋଭନ ଅନୁଭବ କରୁଥିବା । ଏକଦା, ଏହି ସଂସାରରୁ ବିଦାୟ ନେଇ ଚାଲିଗଲେ ଯାଇ ହୁଏତ ସଂସାରରୁ ଯାବତୀୟ ଯାତନା ଓ ଯନ୍ତ୍ରଣାରୁ ମୁକ୍ତି ମିଳି ପାରିବ ବୋଲି କେତେ ପାରଦର୍ଶୀ ବୈରାଗୀ ବ୍ୟକ୍ତି କଳ୍ପନା କରିଥିଲେ ଏବଂ ସେହିମାନଙ୍କର ବିହ୍ୱଳ କଳ୍ପନା ଭିତରୁ ହିଁ ସ୍ଵର୍ଗର କଳ୍ପନା ଉଦ୍‍ଭୂତ ହୋଇ ଆସିଥିଲା । ଆମେ ମଲେ ଯାଇ ସ୍ଵର୍ଗକୁ ଯିବା ଏବଂ ଅଖଣ୍ଡ ସୁଖ ଭୋଗ କରିବା ବୋଲି ଭେଷଜ-ବିଧାନଟି ସମ୍ଭବତଃ ଏଇଥିରୁ ହୋଇ ଆସିଥିଲା । ଭାରତୀୟ କେତେକ ଧର୍ମରେ ଅନୁରୂପ ସ୍ଵର୍ଗୋତ୍ସାହୀମାନେ ପୃଥିବୀଟାକୁ ଯେତିକି ଦୁଃଖମୟ ବୋଲି ଚିତ୍ର କରିଛନ୍ତି, ମୃତ୍ୟୁ ପରେ ପୁଣ୍ୟବାନ୍‍ମାନଙ୍କ ପାଇଁ ବରାଦ ହୋଇ ରହିଥିବା ସ୍ୱର୍ଗକୁ ସେତିକି ଅଧିକ ଶୋଭା ଏବଂ ସମ୍ଭାରରେ କେତେ ଉଜ୍ଜ୍ୱଳ ଏବଂ କାନ୍ତିମୟ କରି ଦେଖାଇଛନ୍ତି । ସ୍ୱର୍ଗରେ ତୃଷ୍ଣା ନ ଥାଏ, ମାତ୍ର ତଥାପି ସୁଖପାନର ଆଦୌ କୌଣସି ବିରାମ ନ ଥାଏ । ଏହାଠାରୁ ବଳି ଅହୋଭାଗ୍ୟ ପ୍ରକୃତରେ ଆଉ କ'ଣ ହୋଇପାରେ ? ପେଟରେ ଭୋକ ନ ଥାଇ ପେଟ ଭିତରକୁ ସୁସ୍ୱାଦୁ ଖାଦ୍ୟ ଆଣି ଭୁଞ୍ଜଇ ଦେବାକୁ ସ୍ୱର୍ଗରେ ହୁଏତ ଏକ ଉତ୍ତମ ବିଧି ବୋଲି କୁହାଯାଇ ପାରିବ, ମାତ୍ର ପୃଥିବୀର ମଣିଷମାନେ ଏପରି ଏକ ଅବିଧିକୁ କଦାପି ପସନ୍ଦ କରିବେ ନାହିଁ । ବାସନାରୁ ମୁକ୍ତ ହେଲେ ଯାଇ ଦୁଃଖରୁ ମୁକ୍ତି ମିଳିବ, – ତୁମର ଯଦି ଠାକୁରଟିଏ ହୋଇ ପୃଥିବୀରେ ପୂଜା ପାଇବାକୁ ମନ ଅଛି, ତେବେ ତୁମେ ଅବିଶ୍ରାନ୍ତ ଭାବରେ ଏକଥା କହୁଥାଅ ପଛକେ, ଆମେ ପୃଥିବୀର ମଣିଷମାନେ କଦାପି ତୁମ ବାଟରେ ଯିବୁନାହିଁ । ଆମେ ପୃଥିବୀକୁ ବଦଳାଇବାର ବାସନା ଚିରକାଳ ରଖିଥିବୁ, ପୃଥିବୀରେ ରହି ହିଁ ପୃଥିବୀକୁ ବଦଳାଇବୁ, ଚେତନାରେ ପାହାଡ଼ ଉଠି, ସମ୍ବନ୍ଧରେ ଉତ୍ତରଣ ଘଟାଇ ଆମେ ସ୍ଵର୍ଗଗୁଡ଼ିକର ଏହିଠାରେ ହିଁ ଅବତରଣ ଘଟାଇବୁ ।

 

ସେ ଯୁଗରେ ଗୌତମଙ୍କ ପରି ଆମ ଏଯୁଗରେ ମଧ୍ୟ ନଅରଗୁଡ଼ାକ ଆମକୁ ମୋଟେ ଭଲ ଲାଗୁନାହିଁ । ନଅରଗୁଡ଼ାକ ଅପେକ୍ଷା ଆମକୁ ପୃଥବୀ ଆହୁରି ଅଧିକ ଭଲ ଲାଗୁଛି । ଏହି ପୃଥିବୀରେ ବୁଢ଼ା ଅଛନ୍ତି, ମଳୁ ଅଛନ୍ତି, ପ୍ରତିଦିନ ଏଠାରେ କେତେଲୋକ ମୃତ୍ୟୁମୁଖରେ ପଡ଼ି ଏଠୁ ବିଦାୟ ହୋଇ ଯାଉଛନ୍ତି । ଏଗୁଡ଼ିକୁ, ଆମେ ନିଇତି ଦେଖୁଛୁ, ତଥାପି ଏହି ପୃଥିବୀ ଆମକୁ ଭଲ ଲାଗୁଛି । ଏହି ପୃଥିବୀ ସହିତ ଆମେ ସହସ୍ର ସୂତାରେ ଦୃଶ୍ୟ ଓ ଅଦୃଶ୍ୟ ନାନାଭାବେ ନିଯୁକ୍ତ ହୋଇ ରହିଛୁ । ସେଇଥିଲାଗି ବୈରାଗୀ ହେବାକୁ ଆମ ଆଦୌ ମନ ନାହିଁ । ମଣିଷ ବୁଢ଼ା ହୋଇ ଯାଉଛି, ମଣିଷ ନାନାବିଧ ରୋଗରେ ପଡ଼ି କଷ୍ଟ ପାଉଛି । ସମୟ ହୋଇଗଲେ ମଣିଷ ମରୁଛି – ମାତ୍ର ଏତିକି କ'ଣ ପୃଥିବୀ ବିଷୟରେ ଓ ମଣିଷ ବିଷୟରେ ସବୁଯାକ ସତକଥା ? ଗଛ ବୁଢ଼ା ହୋଇ ଯାଉଛି, ଗଛରେ ପତର ମଧ୍ୟ କଅଁଳୁଛି । ହୁଏତ ଏହି ଋତୁରେ ପତର ଝଡ଼ି ଗଛ ବୁଢ଼ା ହୋଇ ଯାଉଛି ତ ଆଉ ଋତୁରେ ପତର କଅଁଳି କେତେ ଚକ୍ ଚକ୍‍ ଦେଖାଯାଉଛି । ବୁଢ଼ାଙ୍କ ସାଙ୍ଗକୁ ପିଲାଏ ବି ଅଛଛି, କାନ୍ଦ ସାଙ୍ଗକୁ ହସଟିଏ ମଧ୍ୟ ରହିଛି । ଏହି ପୃଥିବୀରେ ଏତେ ସାଙ୍ଗ ଅଛନ୍ତି, ତେଣୁ କୌଣସି କାରଣରୁ ମୋ' ହାତର ବାଡ଼ିଟି ହାତରୁ ଖସିଗଲା ବୋଲି ମୁଁ ନିଃସଙ୍ଗ ହୋଇଗଲି', 'ନିଃସଙ୍ଗ ହୋଇଗଲି' ହୁରି ପକାଇ ମୁଁ କାହିଁକି ଏପରି ରାବ କରିବାକୁ ମନ କରିବି ? ଗୋଟିଏ ବାଡ଼ି ହାତରୁ ଖସିଗଲେ ହୁଏତ ଆହୁରି ସାତଟା ବାଡ଼ି ବଢ଼ାଇ ଦେବାକୁ ଆହୁରି ସାତ ଜଣ ମଣିଷ ମୋ ସାଙ୍ଗରେ ବାଟ ଚାଲୁଛନ୍ତି । ବାଡ଼ି ନପାଇଲେ ଆପଣାର ହାତଗୁଡ଼ାକୁ ବଢ଼ାଇ ଦେବାକୁ ମଧ୍ୟ ସେମାନେ ସତତ ସମ୍ମତ ହୋଇ ରହିଛନ୍ତି । ତେଣୁ ମୁଁ ମଧ୍ୟ ବାସନା ରଖିବି, ସଙ୍ଗର ବାସନା ରଖିବି, ସଖ୍ୟର ବାସନା ରଖିବି । ମୁଁ ମଧ୍ୟ ସ୍ଵପ୍ନ ଦେଖିବି; ଏଇଠି ସ୍ୱର୍ଗଟିଏ ଗଢ଼ିବାର ସ୍ଵପ୍ନ ଦେଖିବାକୁ ଯଦି ତୁଷା ବୋଲି କୁହାଯାଏ, ତେବେ ତୁମେ ମୋତେ ବ୍ୟଭିଚାରୀ ବୋଲି କହ ପଛକେ, ମୁଁ ଅଲବତ ତୃଷ୍ଣା ପଟେ ରହିବି, ବାସନା ପକ୍ଷରେ ରହିବି ।

 

ତୃଷ୍ଣା ଉତ୍ତୋଳିତ ହେଲେ ବାସନାରେ ପରିଣତ ହୁଏ, ବାସନା ଉତ୍ତୋଳିତ ହେଲେ ଆକାଂକ୍ଷାରେ ପରିଣତ ହୁଏ, ଏବଂ ଆକାଂକ୍ଷା ଉତ୍ତୋଳିତ ହେବାକୁ ମନ କଲେ ଏକ ଆସ୍ଫୃହାରେ ପରିଣତ ହୋଇଯାଏ । ସେହି ଆସ୍ଫୃହା, ଉତ୍ତରୋତ୍ତର ଆସ୍ଫୃହା ହିଁ ବିମୋଚନ ଆଣି ଦିଏ, ପରିତ୍ରାଣର କାରଣ ହୁଏ । ଚେତନା ଉତ୍ତୋଳିତ ହେଲେ ତାହା ଏକାତ୍ମତାରେ ପରିଣତ ହୁଏ । ମାୟା ଉତ୍ତୋଳିତ ହୋଇ ଶ୍ରଦ୍ଧାରେ ପରିଣତ ହୋଇଯାଏ । ବେଦନା ଉତ୍ତୋଳିତ ହେଲେ ସମ୍ବେଦନଶୀଳତାରେ ପରିଣତ ହୋଇଯାଏ । ତଥାକଥିତ ଯାବତୀୟ କୃପଣତା ଉତ୍ତୋଳିତ ହେଲେ ଜୀବନ ଏକ ସତକୁ ସତ ସମର୍ପଣ ଲାଗି ଭାଜନ ହୁଏ, ବିଷାଦ ଉତ୍ତୋଳିତ ହୋଇ ଯଜ୍ଞରେ ପରିଣତ ହୁଏ । ନିଃସଙ୍ଗତା ଚୂଲୀରେ ଯାଇ ପଶେ ଆମର ଏହି ରକ୍ତ, ମାଂସ ଓ ରାଗଅନୁରାଗର ଖିଅଗୁଡ଼ିକ ଧନ୍ୟ ହୋଇ ଉତ୍ତୋଳିତ ହୋଇ ପ୍ରୀତିରେ ପରିଣତ ହୋଇଯାଆନ୍ତି । ଅଳପଗୁଡ଼ିକ ଭୂମା ମଧ୍ୟରେ ମୁକ୍ତି ଲାଭ କରନ୍ତି । ଭୂମାରେ ଅବସ୍ଥିତ ହେବାକୁ ହେଲେ ଯେ ଅଳ୍ପଗୁଡ଼ାକୁ ବାଦ ଦେବାକୁ ହୁଏ, ସେ କଥା ଆଦୌ ନୁହେଁ ଅଳପ ଗୁଡ଼ାକର ଚାରିପାଖରେ ଆମେ ବସାଇଥିବା ବାଡ଼ଗୁଡ଼ାକ ଉଠିଯାଇ ପାରିଲେ ଆମେ ହାତ ବଢ଼ାଇବା ମାତ୍ରକେ ଭୂମାକୁ ମଧ୍ୟ ଆପଣାର କରିପାରୁ । ତେଣୁ ସେ ଯୁଗରେ ଯେମିତି ଗୌତମଙ୍କ ଲାଗି ଏକ ଆହ୍ୱାନ ଆସିଥିଲା, ଆମ ଏ ଯୁଗରେ ଆମ ଲାଗି ମଧ୍ୟ ଠିକ୍ ସେହିପରି ଏକ ଆହ୍ୱାନ ଅପେକ୍ଷା କରି ରହିଛି । ଏହି ଆହ୍ୱାନ ତୃଷ୍ଣାକୁ କାଟି ପକାଇବାର ଆହ୍ୱାନ ନୁହେଁ, ପୃଥିବୀ ପ୍ରତି ଏକ ବିରାଗ ପ୍ରଦର୍ଶନ କରି ଏଠୁ ନିକାଞ୍ଚନକୁ ପଳାଇ ଯିବାର ଆହ୍ୱାନ ନୁହେଁ । ଏହା ହେଉଛି ଏଇଠି ରହି ତଥାପି ଆପଣାକୁ ଉତ୍ତୋଳିତ କରି ନେବାର ଆହ୍ୱାନ, ଗୋଟିଏ ବିନ୍ଦୁରେ ରହି ମଧ୍ୟ ଏକାବେଳକେ ସବୁଟିକୁ ଦେଖିପାରିବାର ଆହ୍ୱାନ, ସବୁଟି ଲାଗି ଜୀବନ ବଞ୍ଚି ପାରିବାର ଆହ୍ୱାନ ।

 

ତେଣୁ, ଠିକ୍ ଗୌତମଙ୍କ ପରି । ଦୁଃଖର ଅତିସଚେତନତା ନୁହେଁ, ସମସ୍ତଙ୍କ ଲାଗି ଏଇଠି ଏକ ଅଭିନବ ପୃଥିବୀକୁ ସାକାର କରି ଆଣିବାର ବ୍ୟାକୁଳତା । ଠାକୁର ହେବାରେ ଆମର ଆଦୌ କୌଣସି ଲୋଭ ନାହିଁ । ଯେଉଁମାନେ ନିଜ ଭିତରେ ଅସଲ ଠାକୁରଟି ସହିତ ଖିଅ ଛିଡ଼ାଇ ବସିଥାନ୍ତି, ପ୍ରଧାନତଃ ଅବିଶ୍ୱାସରେ ବାଣିଜ୍ୟ କରି ସୌଦାଗର ହେବାର କାମନା ରଖିଥାନ୍ତି, ସେହିମାନେ ହିଁ ବାହାରେ ଠାକୁରଟିଏ ହେବାର ଅଥବା ଠାକୁରଟିଏ ପୂଜିବାର ଲାଳସା ରଖିଥାନ୍ତି । ଆମେ ସେହିସବୁ କୌଣସି ଭ୍ରମରେ ପଡ଼ିବା ନାହିଁ । ଏହି ପୃଥିବୀଟା ପ୍ରକୃତରେ ଯେଉଁ ଅସଲ ରାଜାର ବିଧାନ ଅନୁସାରେ ଚାଲିବା କଥା, ଆମେ ସବୁ ତାହାରି ସନ୍ତାନ ରୂପେ, ଅସଲ ରାଜପୁତ୍ର ରୂପେ ଏକ ଅନୁରୁପ ସଂକଳ୍ପ ନେଇ ସଂସାର ଭିତରକୁ ବାହାରିବା ଓ ସଂସାର ଭିତରେ ରହି ହିଁ ସଂସାରକୁ ବଦଳାଇଦେବା ।

୧ । ୩ । ୯୦

Image

 

ଅପେକ୍ଷା ମୋଟେ ଯଥେଷ୍ଟ ନୁହେଁ

 

ତ୍ରେତାଯୁଗରେ ଯେତେବେଳେ ରାକ୍ଷସମାନଙ୍କର ଉପଦ୍ରବ ଅତିରିକ୍ତ ହେଲା, ସେତେବେଳେ ଉପଦ୍ରବ ଦୂର କରିବାକୁ ସ୍ୱୟଂ ଭଗବାନ ଆସି ପହଞ୍ଚିଲେ । ରାବଣକୁ ମାରିବା ପାଇଁ ରାମଚନ୍ଦ୍ର ଆସିଥିଲେ । ସେହିପରି ଦ୍ଵାପର ଯୁଗରେ କୃଷ୍ଣ ଆସିଲେ ଓ କଂସକୁ ମାରିଲେ । ଦୁଷ୍କୃତମାନଙ୍କର ନିବାରଣ ପାଇଁ ସାଧୁମାନେ ସ୍ୱୟଂ ଭଗବାନ ଆସିବେ ଓ ଧରଣୀକୁ ଭୟମୁକ୍ତ କରିବେ ବୋଲି ଅପେକ୍ଷା କରି ରହିଥିଲେ । ସ୍ଵୟଂ ସାଧୁମାନେ କେଉଁଠି ଦୁଷ୍କୃତମାନଙ୍କର ବିନାଶ ନିମନ୍ତେ ଅଣ୍ଟାଭିଡ଼ି ବାହାରିଥିଲେ, ଦୁଷ୍କୃତମାନଙ୍କର ମୁହାଁମୁହିଁ ହୋଇଥିଲେ, ସେମାନଙ୍କ ସହିତ ସତକୁ ସତ ଲଢ଼ିଥିଲେ, ଭାରତର ମହାପୁରାଣଗୁଡ଼ିକରେ ସେକଥା କେଉଁଠି ହେଲେ ଲେଖା ହୋଇନାହିଁ-। ଋଷିମାନେ କେଉଁଠି ହେଲେ ସିଧା ଅପଶକ୍ତି ଓ ଅପସଂସ୍କୃତି ସହିତ ଯୁଝି ନାହାନ୍ତି । ତାଙ୍କ ପଟେ ସବୁବେଳେ ସ୍ଵୟଂ ଭଗବାନ ରହିଛନ୍ତି ଓ ସେମାନଙ୍କ ନିମନ୍ତେ ପୃଥିବୀକୁ ଉତ୍ପାତଶୂନ୍ୟ କରି ରଖିଛନ୍ତି । ଋଷିମାନେ କାଳେ କାଳେ ଅପେକ୍ଷା କରି ରହିଛନ୍ତି । ଭାରତବର୍ଷରେ ସଜ୍ଜନମାନେ ଏବେ ମଧ୍ୟ ଅତୀତରେ ସେହି ଋଷିମାନଙ୍କର ଦୃଷ୍ଟାନ୍ତକୁ ଅନୁସରଣ କରୁଛନ୍ତି । ଭାରତୀୟ ସଂସ୍କୃତିରେ ସଜ୍ଜନମାନଙ୍କର, ଭଲମାନଙ୍କର ଏହି ଅପେକ୍ଷା କରି ରହିବାଟାକୁ ହୁଏତ ପ୍ରାୟ ଏକ archetype ବୋଲି କୁହାଯାଇ ପାରିବ ।

 

ଆଧୁନିକ ଯୁଗର ମଠ ମଣିଷ ଗତ ପ୍ରାୟ ଦୁଇ ତିନିଶହ ବର୍ଷ ହେଲା ପୁଅ ଯେଉଁସବୁ ଉପଦ୍ରବ କରିଆସିଛି ଓ ଜୀବନଟାକୁ ପ୍ରାୟ ଆଶାଶୂନ୍ୟ ଭାବରେ ଅଲକ୍ଷଣା କରି ପକାଇଛି, ଏବେ ପୃଥିବୀଯାକର ସଚେତନ ସବାଆଗ ଧାଡ଼ିର ମଣିଷମାନେ ସେଗୁଡ଼ିକର ବିକଳ୍ପ ଖୋଜିବାରେ ଲାଗିଛନ୍ତି । ପୃଥିବୀର ପରବର୍ତ୍ତୀ ଭବିଷ୍ୟତଟି ମୋଟେ ଅତୀତର କୌଣସି ଯୁଗର ଏକ ତାଳିପକା ତାତ୍କାଳିକ ସଂସ୍କରଣ ହେବ ନାହିଁ ବୋଲି ଚେତନାର ପ୍ରାୟ ଅନ୍ୟ ଏକ ସ୍ତରରେ, ମୂଲ୍ୟକଳନାର ଏକାବେଳକେ ଏକ ଅନ୍ୟ ମାପକାଠି ପକାଇ ବିକଳ୍ପଗୁଡ଼ିକର ସନ୍ଧାନ କରାଯାଉଛି । ଜ୍ଞାନରେ ବିକଳ୍ପ, ବିଜ୍ଞାନରେ ବିକଳ୍ପ, ଶକ୍ତି କ୍ଷେତ୍ରରେ ବିକଳ୍ପ ଏବଂ ରାଜନୀତିରେ ବିକଳ୍ପ । ତେଣୁ, ଅର୍ଥନୀତିରେ ମଧ୍ୟ ବିକଳ୍ପ ପାଇବାର ଉଦ୍ୟମ ହେଲାଣି । ଆଗେ ବୃହତ୍‌କୁ ଭବ୍ୟ ଓ ତେଣୁ କାମ୍ୟ ବୋଲି କୁହାଯାଉଥିଲା, ଏବେ କ୍ଷୁଦ୍ରକୁ କାମ୍ୟ ଓ ସୁନ୍ଦର ବୋଲି କୁହାଗଲାଣି । ଆଗେ ଅଧିକରୁ ଅଧିକ ଲାଭ କରାଇବାକୁ ସଫଳ ଅର୍ଥନୀତି ବୋଲି କହି ଡିଣ୍ଡିମ ବାଜୁଥିଲା, ଏବେ ସକଳ ଅର୍ଥନୀତି ମଣିଷମାନଙ୍କର, ସବୁ ମଣିଷଙ୍କର ବହିର୍ଜୀବନଗତ ସମ୍ପନ୍ନତା ସହିତ ଅନ୍ତର୍ଜୀବନଗତ ସ୍ୱାସ୍ଥ୍ୟ ତଥା ଯଥାର୍ଥ କଲ୍ୟାଣର ଚିନ୍ତା ମଧ୍ୟ କଲାଣି । ଆଗେ ରଜା ହିଁ ସବୁଠାରୁ ବଡ଼ ଦିଶୁଥଲେ, ସାମନ୍ତମାନଙ୍କର ସ୍ଥିତିଗୁଡ଼ାକ ହିଁ ସବୁଠାରୁ ଅଧିକ ଉଚ୍ଚ ହୋଇ ରହିଥିଲା । ଅସ୍ତ୍ରଗୁଡ଼ାକୁ ହିଁ ଗନ୍ତାଘରର ସବୁଠାରୁ ଅଧିକ ମଣିମାଣିକ୍ୟ ବୋଲି ବିଚାର କରାଯାଉଥିଲା । ଏକଛତ୍ରବାଦୀ ଜାତୀୟତାକୁ ପୃଥିବୀରେ ସମ୍ଭବ ପ୍ରବୀଣତମ ପୌରୁଷ ବୋଲି ଜୟଧ୍ୱନି ଦିଆ ଯାଉଥିଲା । ଏବେ ରାଷ୍ଟ୍ରପ୍ରଧାନମାନଙ୍କୁ ମଧ୍ୟ ସେଗୁଡ଼ାକ ସତେଅବା ତୁଚ୍ଛା ମାୟା ବୋଲି ପ୍ରତୀତ ହେଲାଣି । ଆଦର୍ଶବାଦର ସୁରାପାତ୍ରଗୁଡ଼ିକ ଆଧୁନିକ ମାନସକୁ ଆଉ ମୋଟେ ଆକୃଷ୍ଟ କରି ପାରୁ ନାହାନ୍ତି । ବିକାଶ କହିଲେ ଏବେ The other development କୁ ବୁଝାଇଲାଣି । ଆଗର ସେହି sphere of influence ଓ ତଦ୍ରୁପ ଆହୁରି ଅନେକ ସ୍ଲୋଗାନର ଅଣ୍ଟା ଭାଙ୍ଗି ଯାଉଥିବା ପରି ମନେହେଉଛି । ଏବେ ସମଗ୍ର ପୃଥିବୀକୁ ସତେଅବା ଗୋଟିଏ ସଦନରୂପେ ଅନୁଭବ କରି ଏକ ecosphere କଥା କୁହାଗଲାଣି । ଗୁଣୀମାନେ, ସାବଧାନମାନେ କହୁଛନ୍ତି, ଏହା ବ୍ୟତୀତ ଏହି ପୃଥିବୀ ତିଷ୍ଠି ରହିବାଲାଗି ଅର୍ଥାତ୍ ମଣିଷ ମଣିଷ ପରି ତିଷ୍ଠି ରହିବାଲାଗି ଆଉ ଆଦୌ କୌଣସି ଅନ୍ୟ ପନ୍ଥା ନାହିଁ, ବିକଳ୍ପ ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ ।

 

କହିବା ଅନାବଶ୍ୟକ, ଏହି ଅନ୍ୟ ଭବିଷ୍ୟତ ଓ ତାହାର ଅଭିନବ କାମ୍ୟ ତଥା ପ୍ରତିଶ୍ରୁତିଗୁଡ଼ିକୁ ନଜରରେ ରଖି ଜ୍ଞାନ ଓ ବିଜ୍ଞାନର ପୁରୁଣା ସଂଜ୍ଞାଗୁଡ଼ାକ ମଧ୍ୟ ବଦଳି ଗଲାଣି । ଜ୍ଞାନ ଓ ବିଜ୍ଞାନର କ୍ଷେତ୍ରରେ ବିକଳ୍ପ ଖୋଜା ଲାଗିଲାଣି । ଶିକ୍ଷାର ପୁରୁଣା ବହୁ ସଂଜ୍ଞାକୁ କ୍ରମେ କୁସଂସ୍କାର ବୋଲି କୁହାଗଲାଣି । ଭୋଗ, ଉପଭୋଗ, ଧନାଢ଼୍ୟତା ଏବଂ ସମର୍ଥତା ସଂଜ୍ଞା ବଦଳି ଯାଉଥିବାରୁ ସୁଖ, ସିଦ୍ଧି ତଥା ଆନନ୍ଦଲାଭର ପ୍ରସ୍ଥଗୁଡ଼ିକ ମଧ୍ୟ ଅଭୂତପୂର୍ବ ଭାବରେ ବଦଳି ଯିବାରେ ଲାଗିଛି । ଭାରତବର୍ଷରେ ମଧ୍ୟ ବାସ୍ତବ ଧକ୍‌କାମାନ ଆସି ବାଜିବାକୁ ଆରମ୍ଭ କଲାଣି । ଗତ ଚାଳିଶି ବର୍ଷର ରାଜନୀତିକ ସ୍ୱାଧୀନତାକୁ ଆମେ ଯେ ଏଠି ସାମୂହିକ ଜୀବନରେ ଯଥାର୍ଥ ବିକଳ୍ପଟିଏ ଖୋଜିବାରେ ଆଦୌ ଯଥେଷ୍ଟ ସାଧୁତାର ସହିତ କାମରେ ଲଗାଇ ପାରିନାହୁଁ, ସେହି କଥାଟି ଭାରତରେ କ୍ରମଶଃ ଅଧିକରୁ ଅଧିକ ମଣିଷ ଆଗରେ ସ୍ପଷ୍ଟ ହୋଇ ଯାଉଛି । ଅବଶ୍ୟ ଯେଉଁମାନେ ତାମସା କରୁଛନ୍ତି, ତାମସା ଦେଖୁଛନ୍ତି ଓ ତାମସାରୁ ଲାଭବାନ୍‍ ହେଉଛନ୍ତି, ସେମାନେ ସବୁକିଛି ବିଲକୁଲ୍‍ ଠିକ୍ ଠିକ୍ ଚାଲିଛି ବୋଲି ଆସ୍ଫାଳନ କରିବାରେ ଲାଗିଛନ୍ତି । ସ୍ୱାଧୀନତା ଓ ସରକାରୀ ନିର୍ମାଣର ଚାଳିଶି ବର୍ଷରେ ଏହି ଦେଶରେ ସାମନ୍ତବାଦଟା ହିଁ ସବାବଡ଼ ଠାକୁର ହୋଇ ପୂଜା ଓ ପ୍ରଶୟ ପାଉଛି । ବାବୁମାନେ ଫମ୍ପାରୁ ଫମ୍ପା ହେବାରେ ଲାଗିଛନ୍ତି । ତଥାପି ଦେଶରେ ପ୍ରାୟ ସବୁଯାକ ଡୋରି ସେହିମାନଙ୍କ ହାତରେ ରହିଛି । ପଇସାବାଲାମାନେ ପଇସା ଖର୍ଚ୍ଚ କରି ଅପସଂସ୍କୃତି ଓ ଅଲାଜୁକତାଗୁଡ଼ାକୁ ଦେଶସାରା ବିଞ୍ଚି ଦେବାରେ ଲାଗିଛନ୍ତି । ଯେଉଁଠି ଚେର ଅଛି ସେଠି ଆକାଶଟିଏ ନାହିଁ; ତମାମ ଆକାଶଟାକୁ ନିଜର ଏକଚାଟିଆ ଚଲାଖି ବଳରେ ଗ୍ରାସ କରି ରହିଥିବା ଦୂରାଗ୍ରହୀମାନଙ୍କର ଆଦୌ କୌଣସି ଚେର ନାହିଁ । ଶିକ୍ଷା ନାମରେ ବାବୁଘରମାନଙ୍କୁ ସୁହାଇଲା ଭଳି ଗୁଡ଼ାଏ ଅଶିକ୍ଷାକୁ ହିଁ ଏ ଦେଶରେ ପିଲାଙ୍କ ଗର୍ଭରେ ଭର୍ତ୍ତି କରି ଦିଆଯାଉଛି । ଧର୍ମରାଜମାନେ ଧର୍ମବକ ହୋଇ ପଶା ଖେଳୁଛନ୍ତି ଓ ପରମସଖା କୃଷ୍ଣଙ୍କର ନାମକୁ ଜପ କରୁଛନ୍ତି-। କୁରୁକ୍ଷେତ୍ରରେ କୁହୁଡ଼ି ଘୋଟି ରହିଛି । ଶକୁନିମାନେ ବହୁପଟ ହୋଇ ସଭାରେ ସମସ୍ତଙ୍କୁ ନଚାଇବାରେ ଲାଗିଛନ୍ତି ।

 

ଏଠି ମଧ୍ୟ ବିକଳ୍ପ ଦରକାର; ଶିକ୍ଷାରେ ଦରକାର, ଶାସନରେ ଦରକାର, ଅର୍ଥନୀତିରେ ଓ ରାଜନୀତିରେ ଦରକାର । ବିକଳ୍ପ ଲାଗି ଅପେକ୍ଷା ରହିଛି ବୋଲି ସଜ୍ଜନମାନେ କହିଲେଣି । ସଜ୍ଜନମାନେ ଅଧ୍ୟାପନା କରୁଛନ୍ତି, ସାହିତ୍ୟ କରୁଛନ୍ତି, ସଂସ୍କୃତି କରୁଛନ୍ତି, ଅତୀବ ପ୍ରେମରେ ଜୟନ୍ତୀ ପାଳନ କରୁଛନ୍ତି; ଏବଂ ଏକ ଚରମ ଉପେକ୍ଷାଭାବ ସହିତ ଅପେକ୍ଷା କରିଛନ୍ତି । ସେମାନେ ସୁଅରେ ନାହାନ୍ତି, ତଟାସୀନ ହୋଇ ସ୍ରୋତଗୁଡ଼ିକର ଅବଲୋକନ କରୁଛନ୍ତି, ପ୍ରବୃତ୍ତିଗୁଡ଼ିକର ଦ୍ରବ୍ୟଗୁଣ ବିଶ୍ଳେଷଣ କରୁଛନ୍ତି ଏବଂ ଅପେକ୍ଷା କରି ରହିଛନ୍ତି । ହୁଏତ ଅତୀତ ଯୁଗର ସେହି ବ୍ରହ୍ମର୍ଷିମାନଙ୍କ ପରି ଅପେକ୍ଷା କରି ରହିଛନ୍ତି । ହୁଏତ ଆଉ କିଛି ଘଟିବ, ଆଉକେହି ଆସି ଆଉକିଛି ଘଟାଇବ, ବିକଳ୍ପରୂପକ ବାଣ ମାରି ଏଠି ମହୀକୁ ଉପଦ୍ରବଶୂନ୍ୟ କରିଦେବ ଏବଂ ତା'ପରେ ସେମାନେ ନୂତନର ବରଣ କରି ଆଣିବା ପାଇଁ କୁଳଗୁରୁମାନଙ୍କ ପରି ବାହାରି ପଡ଼ିବେ । ଏମାନେ ନିଜେ ବିକଳ ହୋଇ ପାରନ୍ତେ ନାହିଁ ? ଅଶିକ୍ଷା, ଅନ୍ୟାୟ, କପଟ ଏବଂ କୃତ୍ରିମତାଗୁଡ଼ିକର ଗୁହାଳରେ ଏମାରେ ନିଜେ ହିଁ ବିକଳ୍ପଟିଏ ହୋଇ ବାହାରି ପାରନ୍ତେ ନାହିଁ ? ବିକଳ୍ପଟିଏ ହେବା ଏବଂ ବିକଳ୍ପ ଲାଗି ଅପେକ୍ଷା କରି ବସିବା–ଦୁଇଟି ମଧ୍ୟରେ ହୁଏତ ବହୁ ଯୋଜନ ଫରକ ରହିଛି । ମୂଳତଃ ଜଣେ ଭକ୍ତ ହିଁ ବିକଳ୍ପ ହୋଇ ପାରିବ, ସତକୁ ସତ ଭଲ ପାଉଥିବା ବ୍ୟକ୍ତିଟିଏ ହିଁ ବିକଳ୍ପ ହୋଇ ବାହାରି ପାରିବ । ତା' ସାଙ୍ଗରେ ଆଉ କେତେଜଣ ମଧ୍ୟ ଅଛନ୍ତି, ଆଦୌ କେହି ଅଛନ୍ତି କି ନାହିଁ, ସେ ସେହି କଥାର ଆଦୌ କୌଣସି ବିଚାର କରିବ ନାହିଁ । ବିପଦର କୌଣସି ହିସାବ କରିବ ନାହିଁ-। ଯଥାର୍ଥ ନିମିତ୍ତମାନେ କେବେହେଲେ ବିପଦର ହିସାବ କରନ୍ତି ନାହିଁ । ହୁଏତ ହାରି ବି ଯାଆନ୍ତି, ତଥାପି ଭବିଷ୍ୟତରେ ଅବଶ୍ୟମ୍ଭାବୀ ବିଜୟଟିର ପଥରେ ସେମାନେ ସେତୁଭଳି କାର୍ଯ୍ୟ କରନ୍ତି ।

 

ଅପେକ୍ଷା କରିବାରେ ନୁହେଁ, ବିକଳ୍ପ ହେବାରେ ହିଁ ହୁଏତ ସାଧୁମାନଙ୍କର ପରିତ୍ରାଣ ସମ୍ଭାବନା ନିହିତ ହୋଇ ରହିଛି । ଉପରୁ ଦେଖିବାକୁ ସିନା ସେମାନେ ଅପେକ୍ଷା କରିଛନ୍ତି, କିନ୍ତୁ ତେଣେ ଭିତରେ ସଢ଼ି ସଢ଼ି ଯାଉଛନ୍ତି । ମେରୁଦଣ୍ଡ ହରାଇବାରେ ଲାଗିଛନ୍ତି । ବିବିଧ ତର୍କ ଓ ଅପତର୍କର ଖଣ୍ଡନ ତଥା ମଣ୍ଡନ ଦ୍ୱାରା ସେମାନେ କାଳଟା ପାଖରୁ ଖସି ବେଶ୍ ଅନ୍ତରାଳରେ ରହି ଯାଉଛନ୍ତି ବୋଲି ଭାବୁଛନ୍ତି ସିନା, ମାତ୍ର ଆପଣାକୁ ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ ପ୍ରବଞ୍ଚିତ କରି ରଖିଛନ୍ତି । ସେମାନେ ଯେ ବିକଳ୍ପ ହୋଇପାରିବେ ନାହିଁ, ଆପଣାର ଆଚରଣ ଦ୍ଵାରା ତାହାରି ପ୍ରତିପାଦନ କରି ଦେଉଛନ୍ତି । ସମଗ୍ର ପୃଥିବୀଟା ଯେତେବେଳେ ହୁ’ ହୁ’ ହୋଇ ବଦଳିବାରେ ଲାଗିଛି, ଭାରତବର୍ଷ ତାହାକୁ କଦାପି ଅସ୍ୱୀକାର କରି ଫାଙ୍କି ଦେଇ ରହିଯିବ ନାହିଁ । ଭାରତବର୍ଷ ମଧ୍ୟ ବଦଳିବ । ଭୀରୁମାନେ ରହିଯିବେ, ଅନିଚ୍ଛୁକ ଓ ଅପେକ୍ଷମାଣମାନେ ସଂଗ୍ରହାଳୟର ପୁରୁଣା ପଥର ହୋଇ ରହିଯିବେ । ଏବଂ ଇତିହାସ କହିବ ଯେ ଯେତେବେଳେ ଆଲୋକ ଆସି ଆମର ଦ୍ଵାର ଉପରେ ଆଘାତ କରିଥିଲା, ସେତେବେଳେ ବହୁ ସମର୍ଥ ଆପଣାକୁ ତଥାପି ଅସମର୍ଥ ବୋଲି ମଣି ଅନ୍ଧାରପଟେ ରହିଲେ, ନିଜର ତଥାକଥିତ ଆୟତନସିଦ୍ଧ ଜୀବନଟିକୁ ବଞ୍ଚାଇ ରଖିବାକୁ ପାଞ୍ଚ କରି ସେମାନେ ମହାଜୀବନକୁ ବାଟ ଓଗାଳି ରଖିଥିଲେ, ଉପେକ୍ଷାକୁ ବାହାରେ ମଧୁର ଭାବରେ ଅପେକ୍ଷା ବୋଲି କହିଲେ । କୃଷ୍ଣଙ୍କ ଲାଗି ଅପେକ୍ଷା ଅଛି ବୋଲି ସିନା କହି ହେଉଥିଲେ, ମାତ୍ର ସତକୁ ସତ ବହୁ ଅନ୍ତର୍ଗତ କାରଣରୁ କଂସଟାକୁ ସହିଯିବାକୁ ହିଁ ନିରାପଦ ବୋଲି ବିଚାର କରୁଥିଲେ-। ସେମାନେ ନିଜ ପଟେ ନଥିଲେ, କଂସପଟରେ ହିଁ ରହିଥିଲେ ।

୮ । ୩ । ୯୦

Image

 

ମୃତ୍ୟୁଭୟରୁ ମୃତ୍ୟୁଦର୍ଶନ

 

ମୃତ୍ୟୁ ସହିତ ପ୍ରକୃତ ଦର୍ଶନ ଘଟିବା ପୂର୍ବରୁ ଅନେକ ମଣିଷ ମୃତ୍ୟୁ ବିଷୟରେ ଦର୍ଶନମାନ ବଖାଣିବାକୁ ଏକ ବିଶେଷ ଅନୁରାଗ ଅନୁଭବ କରିଥାନ୍ତି । ବୁଦ୍ଧି ସହିତ ବୁଦ୍ଧିକୁ ଗଅଣ୍ଠାଇ ଗଣ୍ଠିଗୁଡ଼ାକୁ ଗଣ୍ଠି ସହିତ ଯୋଡ଼ି ଅନେକ ମଣିଷ ଯେଉଁ ସୁଦୃଶ୍ୟ ବସ୍ତ୍ରଟିକୁ ମନେମନେ ବୁଣୁଥାନ୍ତି, ସେମାନେ ଅନେକ ସମୟରେ ତାହାକୁ ହିଁ ଦର୍ଶନ ବୋଲି କହନ୍ତି । ଅନେକ ମଣିଷ ଶତ୍ରୁକୁ ଦେଖି ନ ଥାନ୍ତି, ତଥାପି ଶତ୍ରୁ ବିଷୟରେ ଦର୍ଶନ କାଢ଼ିବାରେ ଲାଗିଥାନ୍ତି । ସତେଅବା ଭାରି ଅନୁଭବୀ ମଣିଷ ପରି ସେମାନେ ଆମକୁ ସଂସାରରେ ଶତ୍ରୁମାନଙ୍କ ପ୍ରତି ସାବଧାନ ରହିବାର ପରାମର୍ଶ ଦେଉଥାନ୍ତି । ବିଶ୍ଵାସ ଅପେକ୍ଷା ଅବିଶ୍ଵାସଟା ହିଁ ପୃଥିବୀର ବଣିଜରେ ଅଳ୍ପବଳ ମଣିଷ ଲାଗି ଅଧିକ ସହାୟକ ବୋଲି ବିଶ୍ଵାସ କରିବାକୁ ସେମାନେ ଆମକୁ ବହୁବାଗରେ ଫୁସୁଲାଇବାରେ ଲାଗିଥାନ୍ତି । ଆପଣାର ବାଲ୍ୟକାଳରେ ମଣିଷର ହେତୁ ହୋଇ ନ ଥାଏ । ସମ୍ଭବତଃ ହେତୁ ହୋଇ ନ ଥାଏ ବୋଲି ସେତେବେଳେ ମଣିଷ ଆଖିରେ ମୃତ୍ୟୁ କମ୍ ଦିଶେ, ଜୀବନଟି ବଡ଼ ଦିଶେ, କେଡ଼େ ଆପଣାର ହୋଇ ଦିଶେ । ବାଲ୍ୟ ସମୟରେ ମଣିଷର ଆକାଶଟା ଯାକ ସତେ ଅବା କେବଳ ଜୀବନରେ ହିଁ ପୂର୍ଣ୍ଣ ହୋଇ ରହିଥାଏ ।

 

ବାଲ୍ୟକାଳ ଗଲେ ଯାଇ ମଣିଷ ଭିତରେ ହେତୁନାମକ ଦ୍ରବ୍ୟଟିର କ୍ରମୋଦ୍‌ଗମ ହୋଇଆସେ । ସଂସାର ଭିତରେ ତାତ୍କାଳିକ ତାଲିମଗୁଡ଼ାକୁ ପାଉପାଉ, ମଣିଷ କ୍ରମେ ହେତୁଦ୍ଵାରା ମଣ ହୋଇଯାଏ । ହେତୁର ଉଦୟ ଅର୍ଥାତ୍ ବୁଦ୍ଧିର ଉଦୟ । ପିଲାଦିନେ ଏହି ହେତୁଗୁଡ଼ାକ ଅବଶ୍ୟ ରହିଥାନ୍ତି, ମାତ୍ର ପ୍ରଧାନତଃ ହୃଦୟ ଦ୍ଵାରା ଢାଙ୍କି ହୋଇ ରହିଥାଆନ୍ତି । ପିଲାଦିନେ ମଣିଷ ହୃଦୟ ଦ୍ୱାରା ଦେଖେ, ହୁଏତ ତା'ପରେ ଯାଇ ହେତୁ ଦ୍ୱାରା ବା ବୁଦ୍ଧି ଦ୍ଵାରା ଚିହ୍ନେ । ଆଗ ହୃଦୟ ଦ୍ୱାରା ଘର ଭିତରକୁ ଡାକିନିଏ, ତାପରେ ଯାଇ କାହାକୁ କୋଉଠି ନେଇ ବସାଇବ, କିଞ୍ଚିତ୍ ହେତୁ ଖଟାଇ ତାହାର ବିଚାର କରେ ଓ ସେହି ଅନୁସାରେ ସ୍ଥାନ ନିରୂପଣ କରିଦିଏ । ବୟସ ବଢ଼ିଲେ ମଣିଷ ସଂସାରରୁ ଆକଟ ପାଏ, ଅନୁଭବୀ ବଡ଼ମାନଙ୍କଠାରୁ ସେ ସତର୍କ ହୋଇ ଶିଖେ, ହୃଦୟଗୁଡ଼ାକୁ ଏଡ଼େ ସାହାଣମେଲା କରି ରଖିବାଟା ଆଦୌ ବିଜ୍ଞତାର ପରିଚୟ ନୁହେଁ ବୋଲି ନୂଆ ପାଠଗୁଡ଼ିକୁ ପଢ଼େ । ସତର୍କ ହୁଏ, ଅନୁଭବଗୁଡ଼ିକୁ କେବଳ ନିଜର ଜାଲି ଦେଇ ଛାଣି କରି ଗ୍ରହଣ କଲେ । ଲୋଚନଗୁଡ଼ିକ ଉପରେ ସତେଅବା ଜାଲ ମାଡ଼ିଯାଏ, ହେତୁର ଉଦୟ ହୁଏ । ବୁଦ୍ଧିର ବଳାତ୍କାର ଆରମ୍ଭ ହୁଏ । ବୃଦ୍ଧି ପ୍ରବୀଣ ହେଲେ ମନୁଷ୍ୟ ଦର୍ଶନ ନାମକ ଏକ ଭୂଇଁ ଭିତରେ ଆସି ପ୍ରବେଶ କରେ । ସବୁ କଥାକୁ ସିଏ ନିଜର ସ୍ଵୀକୃତ ପରୀକ୍ଷିତ ତରାଜୁଗୁଡ଼ିକ ଉପରେ ପକାଇ ତଉଲିବାକୁ ଆରମ୍ଭ କରେ । ଅର୍ଥାତ୍‍, ଦ୍ରବ୍ୟଗୁଡ଼ିକ ସତକୁ ସତ ଯାହା, ସେଗୁଡ଼ିକୁ ସେହି ଭାବରେ ଗ୍ରହଣ ନକରି, ନିଜର ଛାଞ୍ଚଗୁଡ଼ିକରେ ପକାଇ ସିଏ ସେଗୁଡ଼ିକର ମାନ ନିର୍ଦ୍ଧାରଣ କରେ, ସେଗୁଡ଼ିକ ନିଜର ନକ୍‌ସା ଅନୁସାରେ ଗ୍ରହଣ ବା ବର୍ଜନ କରେ ଉଚିତ କିମ୍ବା ଅନୁଚିତ ବୋଲି କହେ । ସମ୍ଭବତଃ ସେତିକିବେଳେ ହିଁ ସିଏ ମରଣକୁ ଜୀବନଠାରୁ ଅଧିକ ବୋଲି ଦେଖେ, ସାବଧାନ ହୁଏ, ଦର୍ଶନ ବୁଣେ । ବୁଦ୍ଧି ଆମର ହୃଦୟଟାକୁ କୌଣସି କାରଣରୁ ଦାବିଦେଲେ ଜୀବନଠାରୁ ଆମକୁ ମରଣଟା ହିଁ ଅଧିକ ଦିଶେ । ଭଲ ପାଇବାର ଦ୍ଵାରଟି କିଳି ହୋଇ ଆସିଲେ ଭୟ କରିବାର ଆବଶ୍ୟକତାଟା ମଣିଷକୁ ଅଧିକରୁ ଅଧିକ ଘାରିଘାରି ପକାଏ ।

 

ମୃତ୍ୟୁକୁ ଯେଉଁମାନେ ଭୟ କରନ୍ତି, ସେମାନେ ହିଁ ପ୍ରଧାନତଃ ମୃତ୍ୟୁକୁ ନେଇ ଦର୍ଶନ କରିବାରେ ଅତ୍ୟନ୍ତ ରୁଚି ଦେଖାନ୍ତି । ମଣିଷ ସଂସାରକୁ ଆସିଛି, ଦିନେ ନା ଦିନେ ଏହି ସଂସାରରୁ ତାକୁ ବିଦାୟ ନେଇ ଯିବାକୁ ପଡ଼ିବ, – ଏହା ଏକ ସତ୍ୟ ଏବଂ ଏଥିରେ କୌଣସି ମଣିଷର ଆଦୌ କିଛି ହେଲେ କରିବାର ନାହିଁ । ତା’ ବୋଲି ମରଣଟା ହିଁ ଯେ ଏକମାତ୍ର ସତ୍ୟ, ଏପରି ଏକ ଅନୁମାନର ପ୍ରତିଷ୍ଠା କରିବାଲାଗି ଦର୍ଶନବାଦୀ ମୃତ୍ୟୁଭୀତମାନେ ଯେତେ ଯୁକ୍ତ ଖଞ୍ଜିଦେଇ ଚେଷ୍ଟା କରୁଥିଲେ ମଧ୍ୟ ସେଥିରେ ତଥାପି ହୃଦୟର ବିବେକ ମୋଟେ ଭଳିଯିବାକୁ ରାଜି ହୁଏନାହିଁ । ମୃତ୍ୟୁ ଯେଉଁଭଳି ସତ୍ୟ, ଜୀବନ ମଧ୍ୟ ଠିକ୍ ସେହି ଭଳି ସତ୍ୟ । ମୃତ୍ୟୁର ବିଧାନକୁ ଏଡ଼ି ଦେବାପାଇଁ ମନୁଷ୍ୟର ଆଦୌ କୌଣସି ବଳ ନାହିଁ । ଥରେ ଜୀବନ ନେଇ ଏହି ପୃଥିବୀକୁ ଆସିବାପରେ କେବଳ ଆତ୍ମହତ୍ୟା କରିବା ବ୍ୟତୀତ ଜୀବନଠାରୁ ପଳାଇ ଯିବାକୁ ମଧ୍ୟ ମଣିଷର କୌଣସି ବଳ ନାହିଁ । ମାତ୍ର, ନିଜ ଜୀବନଟିକୁ ମଣିଷ କିପରି ଗଢ଼ିବ, କିପରି ବଞ୍ଚିବ, ଜୀବନର ବଜାର ଭିତରେ ସିଏ ସବାଆଗ ନିଜର ଗାତଟିକୁ ଦେଖିବ ଅଥବା ଏହି ସବୁକିଛିକୁ ଏକାଠି ଗୋଟିଏ ଡୋର ପକାଇ ଆବୋରି ଧରିଥିବା ଆକାଶଟିକୁ ଆଗ ଚିହ୍ନିବ, ତାହା ପ୍ରଧାନତଃ ମଣିଷ ଉପରେ ହିଁ ନିର୍ଭର କରେ । ଯନ୍ତାଟିଏ ରହିଛି, ମଣିଷ ମନ କଲେ ସେହି ଯନ୍ତାଟି ଭିତରେ ଚମତ୍କାର ଭାବରେ ଖାପ ଖାଇ ଶାନ୍ତ ହୋଇ ରହିଯାଇ ପାରିବ ଅଥବା ସେହି ଯନ୍ତାଟିକୁ ଭାଙ୍ଗି ଅନ୍ୟ ବହୁ ବିମୋଚନ ଆଡ଼କୁ ଆପଣାର ବାଟ କଢ଼ାଇନେଇ ପାରିବ । ବାଟ ଅନେକ ରହିଛି; ଅର୍ଥାତ୍ ସମ୍ଭାବନା ଅନେକ ରହିଛି, ମଣିଷ ମନ କଲେ ସେଥିମଧ୍ୟରୁ କେତୋଟିକୁ ବାଛି ନେଇ ନିଜର ଜୀବନରେ ସାକାର କରିବାଲାଗି ଉଦ୍ୟମ କରିପାରିବ ଅଥବା ଆପଣାକୁ ଗୋଟାସୁଦ୍ଧା ପରିସ୍ଥିତି ହାତରେ ଛାଡ଼ିଦେଇ ପବନ ମୁହଁରେ ଅତ୍ୟନ୍ତ ଅଣଆୟତ୍ତ ଭାବରେ ଉଡ଼ିଯାଇ ବି ପାରିବ । ସିଏ ମନ କଲେ ସହସ୍ର ସଙ୍ଗ ଭିତରେ ମଧ୍ୟ ଆପଣାକୁ ଅତ୍ୟନ୍ତ ପ୍ରତ୍ୟାଖ୍ୟାତ ଏବଂ ନିଃସଙ୍ଗ ଅନୁଭବ କରିପାରିବ ଅଥବା ସତକୁ ସତ କେବେ ସଙ୍ଗହୀନ ହୋଇ ପଡ଼ିଥିଲେ ମଧ୍ୟ ତଥାପି ବିକଳ ହୋଇ ନ ପଡ଼ି ଏପରି ଏକ ପରମସଙ୍ଗର ଅନ୍ୱେଷଣ କରିବ, ଯାହାଫଳରେ ସିଏ ଭୁବନଯାକର ସମସ୍ତ ସଙ୍ଗକୁ ନିଜର ଘରଟି ଭିତରେ ଅନୁଭବ କରିପାରିବେ । ପ୍ରତ୍ୟେକ ମନୁଷ୍ୟର ଏହି ସ୍ଵାଧୀନତା ଅବଶ୍ୟ ରହିଛି । ଏତେ ପରିସର ରହି ମଧ୍ୟ, ଗୋଡ଼ ହାତ ବୁଲାଇବାକୁ, ଆପଣାକୁ ପୂର୍ଣ୍ଣରୁ ପୂର୍ଣ୍ଣତର ଭାବରେ ଦେଇ ଦେବାକୁ, ହୃଦୟର ପ୍ରସାରଣ ଘଟାଇବାକୁ ଏତେ ଅବକାଶ ଥାଇ ମଧ୍ୟ ଜୀବନ ଭିତରେ ଯିଏ ମୃତ୍ୟୁଚିନ୍ତା କରିବ, ବଗିଚାରେ ପଶୁ ପଶୁ ଯିଏ ବଗିଚାଟିରୁ ଦିନେ ବହିଷ୍କୃତ ହୋଇ ଚାଲିଯିବ ବୋଲି ବିଳାପ କରିବାକୁ ଆରମ୍ଭ କରିବ, ଫୁଲଟିଏ ଦେଖି ଦେଖି ଯିଏ ଫୁଲର ନଶ୍ୱରତା ବିଷୟରେ ବଖାଣ କରି ବସିବ, ସେହି ବିଚରାକୁ ଫୁଲ ଆଦୌ କୌଣସି କଥା କହି ପାରିବ ନାହିଁ, ସ୍ୱୟଂ ଫୁଲଟିଏ ହୋଇପାରିବା ତ ତା' ପକ୍ଷରେ ଆହୁରି ଅଧିକ ଦୂରୁହ ବ୍ୟାପାର । ଜୀବନ ତାକୁ କଦାପି କୌଣସି କଥା କହିପାରିବ ନାହିଁ ।

 

ସକାଳ ଓ ସଞ୍ଜରେ ଆକାଶରେ ଏତେ ଏତେ ଭଙ୍ଗ ଚହଟୁଥିଲେ ମଧ୍ୟ ତା' ନିଜ ଜୀବନର ଆକାଶରେ କେବଳ ଧୂସରବର୍ଣ୍ଣ ବ୍ୟତୀତ ତାକୁ ମୋଟେ ଆଉ କିଛିହେଲେ ଦେଖାଯିବ ନାହିଁ । ପ୍ରେମମାନେ ତାକୁ ତୁଚ୍ଛା ଫିକା ଜହ୍ନ ପରି ଦେଖା ଯାଉଥିବେ, ଏବଂ ଫିକା ଜହ୍ନଟାକୁ କିଏ କାହିଁକି ବା ଭଲ ପାଇବାକୁ ମନ କରିବ ? ଅତ୍ୟନ୍ତ ଭୀତ ନହେଲେ କେହି କଦାପି ଏଭଳି ଆତ୍ମକେନ୍ଦ୍ରୀ ହେବନାହିଁ । ଏବଂ, ଆମର ଏହି ସଂସାରରେ ବିଶେଷତଃ ଆତ୍ମକେନ୍ଦ୍ରୀମାନେ ହିଁ ସଚରାଚର ସବୁଠାରୁ ଅଧିକ ହିଂସ୍ର ଓ ସବୁଠାରୁ ଅଧିକ ଉପଦ୍ରବୀ ହୋଇଥାନ୍ତି । ଏହି ଘରଟା ସେମାନଙ୍କୁ ସେମାନଙ୍କର ଲୁବ୍‌ଧତାଗୁଡ଼ାକର ଫରମାସ ଅନୁସାରେ ଆଦୌ କିଛି ଦେଇ ପାରିଲା ନାହିଁ ବୋଲି କ୍ରୁଦ୍ଧ ହୋଇ ସେମାନେ ଘରଟା ଏକାବେଳକେ ଜଳିଯାଉ ବୋଲି ଆପଣାର ବିଟମାନଙ୍କ ପାଖରେ ପ୍ରାର୍ଥନା କରିବାରେ ଲାଗିଥାନ୍ତି । ମୃତ୍ୟୁଭୟକୁ ନାନା ବର୍ଣ୍ଣାଢ଼୍ୟ ପରିଚ୍ଛଦ ପିନ୍ଧାଇ ସେମାନେ ମୃତ୍ୟୁଦର୍ଶନଗୁଡ଼ିକର ବୟନ ଓ ଚୟନ କରିବାରେ ଲାଗିଥାନ୍ତି । ଜୀବନବାସନା ଉପରେ ମୃତ୍ୟୁବାସନାର ବିଜୟ ଏହି କାଟର ଅଭିମାନୀମାନଙ୍କର ଅନୁଗ୍ରହରୁ ହିଁ ହୋଇଥାଏ । ସବୁ ଥାଏ, ତଥାପି ସବୁ ଭାଙ୍ଗି ଭାଙ୍ଗି ପଡ଼ୁଥାଏ । ମୁତ୍ୟୁଭୀତ ମଣିଷମାନେ ଖେଳନା ଛାଡ଼ି ଅସ୍ତ୍ରଗୁଡ଼ାକୁ ହିଁ ଅଧିକ ପସନ୍ଦ କରନ୍ତି, ଆପଣାର ଦର୍ଶନଗୁଡ଼ିକୁ ମଧ୍ୟ ସେମାନେ ଅସ୍ତ୍ରରୁପେ ବ୍ୟବହାର କରନ୍ତି । ସେମାନେ ଏକ ହୀନ ଭୟର ଶିକାର ହୋଇ ଜୀବନଟାକୁ ଜାବୁଡ଼ି ଧରିଥାନ୍ତି ସିନା, ଜୀବନକୁ କେବେହେଲେ ବଞ୍ଚି ପାରନ୍ତି ନାହିଁ । ସଂସାରର ଅଧିକାଂଶ ଅନର୍ଥ ଏହି ଭୀତ ମଣିଷମାନଙ୍କର ଜୀବନକୁ ଜାବୁଡ଼ି ଧରିବାର ଦୁରାଗ୍ରହରୁ ହିଁ ଜନ୍ମଲାଭ କରିଥାଏ ।

 

କବି, ତୁମେ ମରଣକୁ ଡରୁଛ ନା ଜୀବନ ଓ ମରଣ ଭିତରୁ ଜୀବନକୁ ହିଁ ବାଛିଛ ? ନିଜର କବିତା ଭିତରେ ତୁମ ଜୀବନର କଥା ନକହି ତେବେ ଏତେ ଏତେ ଛଦ୍ରମରେ ମରଣର କଥାଗୁଡ଼ାକୁ କାହିଁକି କହିବାରେ ଲାଗିଛ ? ଏହି ସଂସାରରେ କେବଳ ନିଜକୁ ଦେଖୁଛି ବୋଲି ତୁମେ ଏପରି ଭୀତ ହୋଇ ପଡ଼ିଛ । ସଂସାର ଗୋଟାକୁ ଏକା ଗିଳିବ ବୋଲି ମନ କରୁଥିବାରୁ ହୁଏତ ସବୁଠାରେ ଆପଣାକୁ ଏପରି ଦରିଦ୍ର ଓ ବଞ୍ଚିତ ବୋଲି ମନେ କରିବାରେ ଲାଗିଛି । ମୃତ୍ୟୁକୁ ଜୀବନର ଏକ ସାଧନ ବୋଲି ଗ୍ରହଣ କରିନେଇ ପାରିଲେ ତୁମେ ସତକୁ ସତ ବଞ୍ଚିଯାଇ ପାରନ୍ତ ଓ ଆମ ସମସ୍ତଙ୍କ ସହିତ ଶଙ୍କାହୀନ ସହଜ ଭାବରେ ଏକାଠି ହୋଇ ବାହାରି ପାରନ୍ତ । ଶାସ୍ତ୍ରକାରମାନେ ଯାହାକୁ ମହାମରଣ ବୋଲି କହିଛନ୍ତି, ତାହାକୁ ମହାଜୀବନ ବୋଲି ମଧ୍ୟ କହିଛନ୍ତି-

 

ତୁମେ କ'ଣ କେବଳ ଗୋଟାଏ ପାଖକୁ ସବୁଯାକ ପାଖ ବୋଲି କହି ଆପଣାର ନିଜ ସିଂହାସନଟି ସହିତ ଚିରକାଳ ରମଣମତ୍ତ ହୋଇ ରହିବାକୁ ଇଚ୍ଛା କରୁଛ ? ତୁମର ସେହି ସିଂହାସନଟିର ବାହାରେ ମଧ୍ୟ ସଂସାର ରହିଛି, ଆମେମାନେ ମଧ୍ୟ ରହିଛୁ । ଆମେ ଜୀବନପଟେ ରହିଛୁ । ଜୀବନ ଭିତରେ ବାରବାର ନବଜନ୍ମ ଲାଭ କରିବାଲାଗି ଆମେ ସ୍ୱେଚ୍ଛାପ୍ରଣୋଦିତ ଭାବରେ ପଳପଳ ହୋଇ ମରୁଛୁ, ପଳପଳ ହୋଇ ନିଜକୁ ଦେଉଛୁ । ଗଛ ହୋଇ ଆପଣାକୁ ଦେଇପାରୁଛୁ ବୋଲି ଫୁଲ ହେଇ ଫୁଟିବାଲାଗି ଏକ ଦୁର୍ବାର ବିଶ୍ୱାସରେ ବଞ୍ଚି ପାରୁଛୁ । ତୁମେ ମଧ୍ୟ ଆସ, ଆମ ସାଙ୍ଗରେ ବାଟ ଚାଲ । ଆମେ ସମସ୍ତେ ଅଛୁ, ତେଣୁ ଭୟ ଦର୍ଶନର ମୋଟେ କୌଣସି ଆବଶ୍ୟକତା ନାହିଁ ।

୨୨ । ୩ । ୯୦

Image

 

Unknown

ପୃଥିବୀର ମିଆଦ ପାଞ୍ଚ ବରଷ

 

ଭାରତବର୍ଷରେ ପୃଥିବୀକୁ ନେଇ କଳ୍ପର କଳ୍ପନା କରାଯାଇଥିଲା । ଚାରିଟାଯାକ ଯୁଗ ଭୋଗ ହୋଇସାରିବା ପରେ ଏକ ପ୍ରଳୟ ଘଟିବ ବୋଲି କଳ୍ପନା କରାଯାଇଥିଲା ସତ, ମାତ୍ର ପ୍ରଳୟ ପରେ ପୁଣି ସୃଷ୍ଟି ଜାତ ହେବ ବୋଲି ମଧ୍ୟ କେତେ ପ୍ରତ୍ୟୟର ସହିତ ଘୋଷଣା କରାଯାଇଥିଲା । ଅର୍ଥାତ୍ ପ୍ରଳୟ ହେଉଛି ଏକ ସାମୟିକ ବା ମଧ୍ୟବର୍ତ୍ତୀ କାଳର ଘଟଣା । ସୃଷ୍ଟି ହେଉଛି ଏକ ଚିରନ୍ତନ ସତ୍ୟ । ପ୍ରଳୟର ହୁଏତ ଏକ ସାମୟିକ ଆବଶ୍ୟକତା ଅବଶ୍ୟ ରହିଛି । ଜୀବନକୁ ପାହାଚକୁ ପାହାଚ ଉଠାଇ ନେବାଲାଗି ମୃତ୍ୟୁର ଯେପରି ଅନୁକ୍ଷଣ ଏକ ଆବଶ୍ୟକତା ରହିଛି, ଏହି କଥାଟି ପ୍ରକୃତରେ ପ୍ରାୟ ସେହିପରି । ଏହି ପୃଥିବୀ କଳ୍ପକାଳଯାଏ ରହିବ, ଏହିପରି ଏକ ବିଶ୍ୱାସ ନେଇ ଜୀବନ ବଞ୍ଚିବା, ତାହା ଅସଲ ବଞ୍ଚିବା । ଆମେ ନିଜେ ଏହି ପୃଥିବୀରୁ ବିଦାୟ ନେଇ ଚାଲିଯିବା, ତଥାପି ପୃଥିବୀ ରହିବ । ଏକା ପୃଥିବୀ ଲାଗି ଯାବତୀୟ ଧର୍ମ, ଯାବତୀୟ ଉଦ୍ୟମ, ଯାବତୀୟ ଅତିକ୍ରମ ପୃଥିବୀକୁ ଅଧିକରୁ ଅଧିକ ପ୍ରଭବସମର୍ଥ ଅର୍ଥାତ୍ ଅଭ୍ୟୁଦୟ ଲାଗି ପ୍ରସ୍ତୁତ କରିବା, ତାହାହିଁ ଆମ ଜୀବନର ଅସଲ ଶ୍ରେୟଃ । ତେଣୁ ଅସଲ ପ୍ରେୟ । ପୃଥିବୀ ଅର୍ଥାତ୍ ପୃଥିବୀର ମଣିଷମାନେ; କେବଳ ମୁଁ ଏକା ନୁହେଁ, ଏହି ପୃଥିବୀଯାକର ସବୁ ମଣିଷ । ମଣିଷମାନଙ୍କୁ ନେଇ ଅର୍ଥନୀତି, ମଣିଷମାନଙ୍କଲାଗି ରାଜନୀତି । ଯାହା ଅଛି, ଯେତିକି ଅଛି, ତାହାକୁ ଅଧିକରୁ ଅଧିକ ପୁନର୍ଗଠିତ କରି ଅଧିକରୁ ଅଧିକ ଯୋଗ୍ୟ ଅର୍ଥାତ୍ ପ୍ରଭାବ ବା ଅଭ୍ୟୁଦୟର ଅନୁକୂଳ କରିବା, ଏହି ଉଦ୍ୟମ ପଛରେ ଚିରକାଳ ଏକ ସ୍ଵପ୍ନ ନିହିତ ହୋଇ ରହିଆସିଅଛି । ଏହି ସ୍ୱପ୍ନର ପ୍ରେରଣା ମଣିଷକୁ ଚିରକାଳ ଅଳପରୁ ଅଧିକ ଆଡ଼କୁ ଏବଂ ସକୀର୍ଣ୍ଣରୁ ପ୍ରଶସ୍ତ ଆଡ଼କୁ ପ୍ରେରିତ କରି ନେଇଛି-

 

ରାଜନୀତିକ ଯାବତୀୟ ଦର୍ଶନ ପଛରେ ମଧ୍ୟ ସେହି ପ୍ରେରଣା ବଳବତ୍ତର ରହି ଆସିଛି-। ରାଜନୀତିକୁ ସେହି ପ୍ରେରଣା ଦ୍ୱାରା ସଚଳ କରି ରଖିବାଲାଗି ପୃଥିବୀ ଚିରଦିନ ଏକ ଆହ୍ୱାନ ପରି ହୋଇ ରହିଛି । ଏହି ଆହ୍ୱାନର ଶେଷ ନାହିଁ । ତେଣୁ ରାଜନୀତିରେ ଅଭିକ୍ରମର ମଧ୍ୟ ଶେଷ ନାହିଁ । ପୃଥିବୀର ମଣିଷ ଯେତିକି ଯେତିକି ଆପଣା ଜୀବନର ଉଦ୍ଦେଶ୍ୟ ଓ ଉଦ୍ୟମଟି ବିଷୟରେ ସଚେତନ ହୋଇଆସୁଛି, ପୃଥିବୀର ରାଜନୀତି ମଧ୍ୟ ସେତିକି ସେତିକି ପାହାଚ ଉଠି ଉଠି ଯାଉଛି । ପୃଥିବୀରେ ରାଜନୀତିକ ନେତୃତ୍ୱ ମଧ୍ୟ ସେହି ଅନୁସାରେ ବଦଳି ବଦଳି ଯାଉଛି । ଏକଦା ପୃଥିବୀର ପଣ୍ଡିତମାନେ ରାଜାକୁ ନରରୂପୀ ଦେବତା ବୋଲି କହୁଥିଲେ, ସେମାନେ ଏତିକିରୁ ଆହୁରି ଆଗକୁ ଚିନ୍ତା ହିଁ କରିପାରୁ ନଥିଲେ । ମଣିଷର ଇତିହାସ କଡ଼ ଲେଉଟାଇ ବଉଁମାନ ଯୋଉଯାଏ ଆସି ପହଞ୍ଚିଲାଣି, ସେଠାରେ ବିଶ୍ୱ ରାଜନୀତି ଏକ parliament of manର ସ୍ଵପ୍ନ ଦେଖିଲାଣି । ଏକଦା ଯେଉଁ ବାଦ ଏବଂ ଯେଉଁ ଭୂଗୋଳଗୁଡ଼ିକ ମଣିଷର, ମନୁଷ୍ୟଭାବନାର ତଣ୍ଟିକୁ କାମୁଡ଼ି ଧରିଥିଲେ, ସେମାନେ ସେମାନଙ୍କର କାଳ ପୂରିଗଲା ପରି କେତେ ଚମତ୍କାର ଭାବରେ ହଟିଯିବାରେ ଲାଗିଛନ୍ତି । ପୁରୁଣା ସିଂହାସନମାନ ଭାଙ୍ଗି ଯାଉଛନ୍ତି । ପୁରୁଣା ନଅରଗୁଡ଼ାକ ତାକୁ ଅଟକାଇବାକୁ ଆଦୌ କିଛି କରି ପାରୁନାହାନ୍ତି । ଏକ ନୂଆ ସିଂହାସନର ମୁହୂର୍ତ୍ତ ଆସୁଛି ।

 

ସବୁ ମଣିଷଙ୍କର ଆଖିରୁ ସବୁଯାକ ଲୁହ ପୋଛି ପାରିବା ହେଉଛି ତାଙ୍କ ରାଜନୀତିର ସର୍ବପ୍ରଧାନ ଲକ୍ଷ୍ୟ ବୋଲି ମହାତ୍ମା ଗାନ୍ଧୀ ଏକଦା ମତ ବ୍ୟକ୍ତ କରିଥିଲେ । ଏହି ଭାରତବର୍ଷରେ ସିଏ ଏହିକଥା କହିଥିଲେ ଓ ତତ୍କାଳୀନ ଭାରତୀୟ ରାଜନୀତିକୁ ଏକ ନୂଆ ମୋଡ଼ ଦେଇଥିଲେ । ସବୁ ମଣିଷର ଆଖିରୁ ସବୁଯାକ ଲୁହ ପୋଛି ପାରିବା ସମ୍ଭବ ନହେଲେ ମଧ୍ୟ ଅନ୍ତତଃ ଯଥାସମ୍ଭବ ଅଧିକ ମଣିଷଙ୍କର ଆଖିରୁ ଯଥାସମ୍ଭବ ଅଧିକ ଲୁହ ପୋଛିଦେଇ ପାରିବା ଯେକୌଣସି ରାଜନୀତିକ ନେତୃତ୍ୱର ବାସ୍ତବ ଲକ୍ଷ୍ୟ ହୋଇ ରହିବା ଉଚିତ ବୋଲି ଗାନ୍ଧୀ-ଆନ୍ଦୋଳନର ପ୍ରଥମ ଧାଡ଼ିରେ ରହିଥିବା ପଣ୍ଡିତ ଜବାହରଲାଲ ମଧ୍ୟ ଘୋଷଣା କରିଥିଲେ । ଲୁହ ପୋଛିଦେବାର ଅର୍ଥ ହେଉଛି ଦୁଃଖଗୁଡ଼ିକ ଦୂର କରିଦେବା । ଭାରତବର୍ଷର ସାମୂହିକ ଜୀବନରେ ଏପରି ଅନେକ ଦୁଃଖ ଏବେ ମଧ୍ୟ ରହିଛି, ଯାହାକୁ କୌଣସି ଭଗବାନ କଦାପି ଭିଆଇ ନାହାନ୍ତି । ସେହିସବୁ ଦୁଃଖକୁ ସକଳ ପ୍ରମାଣ ସହିତ ମନୁଷ୍ୟକୃତ ବୋଲି କୁହାଯାଇ ପାରିବ । ଆମ ସମାଜରେ ବହୁ ପ୍ରତିକ୍ଷିତ ଅବ୍ୟବସ୍ଥାକୁ ସେଥିଲାଗି ଦାୟୀ କରାଯାଇ ପାରିବ । କେତେକ ପୁରାତନ ବିଧାନ ଓ ବ୍ୟବସ୍ଥା ସେମାନଙ୍କର ପ୍ରାସଙ୍ଗିକତା ଓ ପ୍ରୟୋଜନୀୟତାକୁ ହରାଇ ବସିଥିଲେ ମଧ୍ୟ ନୂତନକୁ ଭୟକରି ଅଥବା ଅଭିଳଷିତ ନୂତନ ବ୍ୟବସ୍ଥାଟିରେ ଆପଣାର ସ୍ଥିତିକୁ ଅତ୍ୟନ୍ତ ଅନିଶ୍ଚିତ ମଣି ଯେତେବେଳେ ରାଜନୀତିକ ନେତୃତ୍ୱ ନୂଆକୁ ବାଟ ଛାଡ଼ି ଦେବାପାଇଁ ରାଜି ହୁଏନାହିଁ, ସେତିକିବେଳେ ରାଜନୀତି ତା’ର ଧର୍ମଟିକୁ ହରାଇ ବସେ । ମନୁଷ୍ୟକୃତ ଅର୍ଥାତ୍ ସାମାଜିକ ଅବ୍ୟବସ୍ଥା ଦ୍ୱାରା ପୁଷ୍ଟ ଓ ସମ୍ବଳିତ ହୋଇ ସାମୁହିକ ଜୀବନକୁ ଜର୍ଜର ଓ ଅସମର୍ଥ ପ୍ରାୟ କରି ରଖିଥିବା ବ୍ୟାଧିଗୁଡ଼ିକୁ ଦୂର କରିବା ହେଉଛି ରାଜନୀତିର କାର୍ଯ୍ୟ ରାଜନୀତିକ ସ୍ୱାଧୀନତାର ଅସଲ ସାର୍ଥକତା ସେଇଠି । ଆମ ରାଷ୍ଟ୍ରୀୟତାର ଅସଲ ଔଚିତ୍ୟମଧ୍ୟ ସେଇଠି ।

 

ସ୍ୱାଧୀନ ଭାରତରେ ଆଗ ଅପେକ୍ଷା ଅଧିକ ରାଜନୈତିକ ଦଳ ରହିଛନ୍ତି । ରାଜନୀତି ଦ୍ଵାରା ଆମ ଦାଣ୍ଡଗୁଡ଼ିକ ଅଧିକ ଦୁଲୁକିବାରେ ଲାଗିଛନ୍ତି । ରାଜନୀତିର ନଅରଚୁଡ଼ାରେ ଅଧିକ ପତାକା ଉଡ଼ୁଛି ଏବଂ ଫାଟକମାନଙ୍କରେ ଅଧିକସଂଖ୍ୟକ ସାରମେୟ ଭୋ’ ଭୋ’ ହୋଇ ଭୁକୁଛନ୍ତି-। ତଥାପି ମନେ ହେଉଛି ସାଂପ୍ରତିକ ଭାରତବର୍ଷରେ ରାଜନୀତି ସତେଯେପରି ତା'ର ଔଚିତ୍ୟଟିକୁ ହରାଇ ବସିଛି !

 

ପୃଥିବୀର ମିଆଦ ବା ପରମାୟୁ ମୋଟେ ପାଞ୍ଚ ବରଷ ବୋଲି ରାଜନୀତିରେ ବିହରଣ କରୁଥିବା ପ୍ରମୁଖ ଓ ପ୍ରମଥମାନେ ଯେ ଭାବୁଛନ୍ତି, ସାଂପ୍ରତିକ ଭାରତବର୍ଷରେ ତାହାହିଁ ଏକ ବଡ଼ ଦୁର୍ଭାଗ୍ୟ । ଏହି ରାଜନୀତିରେ ଯେଉଁମାନେ ପଶୁଛନ୍ତି, ସେମାନେ ସତେ ଅବା ମୋଟେ ପାଞ୍ଚ ବରଷର ଯୋଜନା ନେଇ ପଶୁଛନ୍ତି । ଆହୁରି ଆଗକୁ ଭାବିବା ଲାଗି ସେମାନଙ୍କର ମୁଣ୍ଡ ପାଉନାହିଁ ଅଥବା ମୁଣ୍ଡ ଆଦୌ ସମ୍ମତ ହେଉନାହିଁ । ପାଞ୍ଚଟା ବରଷ ସେମାନଙ୍କ ଲାଗି ଆଦୌ ଏକ ଆହ୍ୱାନ ବୋଲି ଅନୁଭୂତ ହେଉନାହିଁ ଏକ ମଉକା ପରି ଲାଗୁଛି । ସମ୍ଭବତଃ ସେମାନଙ୍କ ଜୀବନର ଏକମାତ୍ର ମଉକା ପରି ଅନୁଭୂତ ହେଉଛି । ଭାରତବର୍ଷକୁ ଏକ ଆହ୍ୱାନ ବୋଲି ଅନୁଭବ କରିବାର ରାଜନୈତିକ ପରିମଳଟିକୁ ସେମାନେ ସତେ ଅବା କୋଉ ଘୁଅଗାଡ଼ିଆ ଭିତରେ ପକାଇଦେଇ ଆସିଛନ୍ତି । ତେଣୁ ନିର୍ବାଚନରେ ଜିଣିବା, ଯେକୌଣସି ପ୍ରକାରେ ଜିଣିବା ସେମାନଙ୍କର ଏକମାତ୍ର ରାଜନୀତି ହୋଇଛି । ସେମାନେ ଦଳରେ ଅଛନ୍ତି ସତ, ମାତ୍ର ତଥାପି ଦଳରେ ନାହାନ୍ତି । କୌଣସି ରାଜନୀତିକ ମତବାଦ ଭିତରେ ତ ଆଦୌ ନାହାନ୍ତି । ସେମାନେ ତୁଚ୍ଛା ନିଜପାଇଁ ରାଜନୀତି ଭିତରକୁ ଆସିଛନ୍ତି । ରାଜନୀତିକୁ ମାରା କରି ରାଜନୀତି ଭିତରକୁ ଆସିଛନ୍ତି । ରାଜନୀତି ପଛକେ ଚୂଲୀକୁ ଯାଉ, ଦେଶ ଚୂଲୀକୁ ଯାଉ, ସେମାନଙ୍କର ସେଥିରେ କୌଣସି ଖେଦ ନାହିଁ, କୌଣସି ଭାବନା ନାହିଁ । ପାଞ୍ଚ ବର୍ଷରେ ଏହି ନଶ୍ଵର ଦରବାରରେ ସେମାନେ ତଥାପି ଅମର ହୋଇ ରହିଯିବାର ଏକ ବିକଳ ବାସନା ଧରି ଲଣ୍ଡ ଭଣ୍ଡ ହେବାରେ ଲାଗିଛନ୍ତି । ପାଞ୍ଚଟା ବର୍ଷ ଭିତରେ ସମ୍ଭବ ହେଲେ ସମଗ୍ର ଦେଶଟାକୁ ନିଜ ଘରକୁ ବୋହିନେବେ ବୋଲି ସେମାନେ ରାଜନୀତିର ଛତ୍ର ଭିତରେ ଆସି ପଶିଛନ୍ତି । କାଳେ ଆଶାରୁ ଅଧିକ ମିଳିବ ଓ ସେମାନେ ଏକୁଟିଆ ଧନଗୁଡ଼ାକୁ ଘରକୁ ବୋହିନେଇ ପାରିବେ ନାହିଁ, ସେଥିଲାଗି ନିଜ କୁଟୁମ୍ବମାନଙ୍କୁ ସାଙ୍ଗରେ ଧରି ରାଜନୀତି ଭିତରେ ଆସି ପଶିଛନ୍ତି । ଏ ମଉକା କ'ଣ ସବୁବେଳେ ମିଳିବ ?

 

ଏଭଳି କେହି ଅମର ହୁଅନ୍ତି ନାହିଁ । ଅଲକ୍ଷଣା ଆତ୍ମକାମୀମାନେ କଦାପି ଅମର ହୁଅନ୍ତି ନାହିଁ । ଅସଲ ଯଜ୍ଞର ମୁହୂର୍ତ୍ତ ଆସିଲେ ତକ୍ଷକମାନଙ୍କ ସହିତ ଇନ୍ଦ୍ରମାନେ ମଧ୍ୟ ଯଜ୍ଞରେ ଆହୁତି ପଡ଼ନ୍ତି । ଭାରତବର୍ଷରେ ମଧ୍ୟ ଏହି ବିଧାନରେ ମୋଟେ କୌଣସି ବ୍ୟତିକ୍ରମ ହେବନାହିଁ । ପାଞ୍ଚଟା ବର୍ଷରେ ଅମର ହୋଇ ବସିବାର ପ୍ରମତ୍ତ କଳ୍ପନା କରୁଥିବା ଏହି ବିଚରାମାନେ ପୃଥିବୀ ମୋଟେ ଆଗକୁ ନଯାଉ ବୋଲି କେତେ ଶ୍ରମ ନ କରିବେ । ପୃଥିବୀ ତଥାପି ଆଗକୁ ଯିବ, ଭାରତବର୍ଷ ତଥାପି ଆଗକୁ ଯିବ । ରାଜନୀତିର ଅସଲ ସ୍ଵପ୍ନଗୁଡ଼ିକ ହିଁ ଅମର ହୋଇ ରହିବେ । ଅସଲ ଓ ସମର୍ପିତମାନଙ୍କ ଲାଗି ଯୁଗ ଯୁଗକୁ ଆହ୍ୱାନ ହୋଇ ରହିଥିବେ । ଯିଏ ଗୋଟାଏ ହାବୁକାରେ ପୃଥିବୀଟାଯାକ ଜୂର କରିନେବାକୁ ଚାହେଁ, ତାକୁ ପୃଥିବୀର, କାଳର ହାବୁକା କୁଆଡ଼େ ଭସାଇ ନେଇ ଚାଲିଯାଏ । ତା’ ସମ୍ପତ୍ତିଗୁଡ଼ାକ ଓ ଅପକୀର୍ତ୍ତିଗୁଡ଼ାକ ଏଇଠି ପଡ଼ିରହେ । ମାତ୍ର ସିଏ ନିଜେ କୁଆଡ଼େ ବିଲୁପ୍ତ ହୋଇରହେ । ପାଞ୍ଚବରଷର ମହାବଳୀମାନେ ପ୍ରପଞ୍ଚର ଆତଯାତ କରୁଥିବା ବିଧାତାର ଗୁହାଳଘରେ କୋଉଠି ଛେଳିଟିଏ ବା ମେଣ୍ଡାଟିଏ ହୋଇ ରହନ୍ତି । ସେମାନଙ୍କୁ କେହି ମନେ ରଖନ୍ତି ନାହିଁ । ଅଯୋଗ୍ୟ ମାଷ୍ଟରଙ୍କୁ ଯେପରି ପିଲାଏ ଅବଲୀଳା କ୍ରମେ ପାସୋରି ପକାନ୍ତି, ମହାକାଳର ରାଜନୀତିରେ ମଧ୍ୟ ଠିକ୍ ସେହିପରି ହୁଏ । ଯେଉଁମାନେ ଏହି ପୃଥିବୀ ଲାଗି ନିମିତ୍ତ ହେବାକୁ ଜୀବନ ବଞ୍ଚନ୍ତି, ସେହିମାନେ ହିଁ ସତକୁ ସତ ପୃଥିବୀକୁ ଅମର କରି ରଖନ୍ତି । ସେମାନେ ଆମ ପୃଥିବୀରେ ଅମର ହୋଇ ରହନ୍ତି । ଯେଉଁମାନେ ସ୍ୱପ୍ନ ଦେଖନ୍ତି, ଆହ୍ୱାନଗୁଡ଼ିକୁ ଶୁଣି ପାରନ୍ତି, ଅସଲ ପରୀକ୍ଷାର ମୂଲ୍ୟାୟନରେ ସେହିମାନେ ହିଁ ନିର୍ବାଚିତ ହୁଅନ୍ତି । ସେହିମାନେ ପୃଥିବୀର ବନ୍ଧୁ ହୋଇ ରହନ୍ତି । ସେମାନେ ରାଜନୀତିରେ ମଧ୍ୟ ସ୍ମରଣୀୟ ହୋଇ ରହନ୍ତି ।

୨୯ । ୦୩ । ୯୦

Image

 

ରାଜନୀତିକ କ୍ଷମତାର ସୀମା

 

କ୍ଷମତାକୁ ଆସିବା ଓ ଯେକୌଣସି ପ୍ରକାରେ କ୍ଷମତାରେ ରହିବା ହିଁ ଯେତେବେଳେ କୌଣସି ଦେଶରେ ରାଜନୀତିର ସର୍ବବୃହତ୍ କାର୍ଯ୍ୟକ୍ରମରେ ପରିଣତ ହୋଇଯାଏ, ସେତେବେଳେ ସେହି ଦେଶରେ ରାଜନୀତିର ସାଧୁତା ବିଷୟରେ ସନ୍ଦେହ ପ୍ରକାଶ କରିବା ଲାଗି ବହୁ ଅବକାଶ ଆସି ପହଞ୍ଚିଯାଏ । ସାଧୁ ତା’ର ସୀମାଗୁଡ଼ିକୁ ସର୍ବଦା ଜାଣିଥାଏ । ଅସାଧୁ ହକ ହକ ହୁଏ । ଅସାଧୁ ରାଜନୀତି ମଧ୍ୟ ଆମ ଦେଶରେ କମ୍ ହକ ହକ ହେଉନାହିଁ । ରାଜନୀତି ଆପଣାର ଅସଲ ଉଦ୍ଦେଶ୍ୟକୁ ହରାଇ ବସିଲେ ରାଜନୀତି ହକ ହକ ହୁଏ । ସାଧାରଣ ନାଗରିକମାନଙ୍କର ପ୍ରାୟ କୌଣସି ରାଜନୀତିକ ଚେତନା ନ ଥିଲେ ରାଜନୀତିକ ନେତାମାନେ ଆପଣାର ସୀମାଗୁଡ଼ିକୁ ମନ କଲା ମାତ୍ରକେ ଡେଇଁଯିବା ସକାଶେ ଅବାଧ ଅନୁକୂଳତା ପାଇଯାଆନ୍ତି । ଭାରତବର୍ଷରେ ସ୍ଵାଧୀନତାସଂଗ୍ରାମ ଲଢ଼ା ହେଉଥିବା ସମୟରେ ରାଜନୀତି ଆଗରେ ଭାରତବର୍ଷର ଏକ ଭବିଷ୍ୟଚିତ୍ର ରହିଥିଲା । ସେହି ଭବିଷ୍ୟଚିତ୍ରଟିକୁ ଏକ ବାସ୍ତବ ଚିତ୍ରରେ ପରିଣତ କରିବା ହିଁ ସ୍ଵାଧୀନ ଭାରତରେ ରାଜନୀତିର କାମ୍ୟତମ କାର୍ଯ୍ୟ ହେବ ବୋଲି ସେତେବେଳର ରାଜନୀତି ସାଧୁତାର ସହିତ ବିଶ୍ୱାସ ମଧ୍ୟ କରୁଥିଲା । ଭାରତବର୍ଷ ସ୍ଵାଧୀନ ହେବା ପରେ ଏକାଧିକ କାରଣରୁ ରାଜନୀତିରୁ ସେହି ବିଶ୍ଵାସ ଓ ସେହି ସାଧୁତାଟି ହାତଛଡ଼ା ହୋଇଯାଇଛି । କ୍ଷମତାକୁ ଆସିବାକୁ ହିଁ ପ୍ରାୟ ସବୁଯାକ କାମ୍ୟ ବୋଲି ଧରି ନିଆଯାଇଛି । କୌଣସି ଏକ ରାଜନୀତିକ ଦଳର ମାଧ୍ୟମରେ ରାଜନୀତି ଭିତରେ ପଶି ନିଜକୁ ଏକାବେଳକେ ତଳୁ ପ୍ରଶିକ୍ଷିତ କରି ଆଣିବା, ଆଉ ଭାରତୀୟ ରାଜନୀତିରେ ସେହି ବେଭାର ମୋଟେ ଚାଲୁନାହିଁ । ଅଣ୍ଡାମାନେ ବି ହଠାତ୍ ଗଞ୍ଜା ହୋଇଯିବାର ସ୍ଵପ୍ନ ଦେଖୁଛନ୍ତି । ଭୋଟ ଲଢ଼ୁଛନ୍ତି, ଭୋଟରେ ଜିତୁଛନ୍ତି ଓ ମଉକା ପାଇ କେଡ଼େ କ'ଣଟାଏ ହୋଇ ଯାଉଛନ୍ତି । ସେମାନେ ରାଜନୀତିର ଅସଲ ପରିମଳ ତଥା ଯୋଗ୍ୟତାଗୁଡ଼ିକର ଘରେ ନିରକ୍ଷର ହୋଇ ରହିଯାଉଛନ୍ତି । ନିରକ୍ଷରମାନେ ସୀମା ଡେଇଁବା, ଆପେ ଯେଡ଼ିକି ନୁହଁନ୍ତି, ଆପଣାକୁ ସେଡ଼ିକି ବା ତା'ଠାରୁ ଆହୁରି ଅଧିକ ବଡ଼ ବୋଲି ଭାବିବା ଅତ୍ୟନ୍ତ ସ୍ଵାଭାବିକ । ଯିଏ କ'ଣ ପାଇଁ ରଥରେ ବସିଛି ଓ କ'ଣ ପାଇଁ ଯୁଦ୍ଧ କରିବାକୁ ଯାଉଛି ସେ ବିଷୟରେ ଗୋଟାସୁଦ୍ଧା ମୁର୍ଖ ହୋଇ ରହିଛି, ତା' ହାତରେ ଖଣ୍ଡାଟାଏ ଧରାଇଦେଲେ ସିଏ ସୀମା ଡେଇଁବ ନାହିଁ ତ ଆଉ କ'ଣ କରିବ ? ରଥରେ ବସିଥିବା ମୂର୍ଖ ସାରଥିକୁ ଆଦୌ ଅପେକ୍ଷା କରିବ ନାହିଁ, ହୁଏତ ସାରଥିକୁ ମୋଟେ ଦେଖିବ ନାହିଁ । ସିଏ କେବଳ ଘୋଡ଼ାଗୁଡ଼ାଙ୍କୁ ଦେଖିବ ଏବଂ ସେହି ଉତ୍‌ଫୁଲ୍ଲତାରେ ନିଜେ ଘୋଡ଼ା ହୋଇ ଆଗକୁ ଦଉଡ଼ି ଦଉଡ଼ି ଯିବାକୁ ବାଇ ହୋଇ ପଡ଼ୁଥିବ ।

 

ଭୋଟରେ ଜୟଲାଭ କରି ରାଜନୀତିର ଲୋକମାନେ କ୍ଷମତାକୁ ଆସନ୍ତି । ସେମାନେ ସରକାର ଗଠନ କରନ୍ତି । ଗୋଟାଏ ଦେଶକୁ ଚଳାନ୍ତି । ଗୋଟାଏ ସରକାର କଣ କରିପାରିବ, ସଚରାଚର ତାହାର ମଧ୍ୟ ସର୍ବଦା ସୀମା ରହିଛି । ଗଣତନ୍ତ୍ରରେ ସମ୍ଭବତଃ ଅନ୍ୟାନ୍ୟ ତନ୍ତ୍ର ଅପେକ୍ଷା ଅଧିକ ସୀମା ରହିଛି । ଗଣତନ୍ତ୍ରରେ ଗଣ ଆଗ, ତା'ପଛରେ ଯାଇ ତନ୍ତ୍ର, ଗଣପାଇଁ ତନ୍ତ୍ର । କେବଳ ଏକ ଅସାଧୁ ତନ୍ତ୍ର ହିଁ ସେହି ସୀମାଟିକୁ ଭୁଲିଯାଏ, ରାଜନୀତିରେ ସୁଖୀ ହୋଇ ରହି ତଥାପି ହାତରେ ରଜୁଗୁଡ଼ାକୁ ଧରିଥିବା ଆତ୍ମଭୋଳାମାନେ ହିଁ ଅସାଧୁ ହୁଅନ୍ତି, ଉତୁରି ପଡ଼ନ୍ତି ଓ ସୀମା ହୁଡ଼ନ୍ତି । ସତେଅବା ସବୁକିଛି କରିଦେବେ ବୋଲି ଭାବନ୍ତି । ସେମାନେ କିଛି କରି ପାରନ୍ତି ନାହିଁ । ଯିଏ ସୀମାଗୁଡ଼ିକୁ ଜାଣେ, କେବଳ ସେଇ କିଛି ନା କିଛି କରିପାରେ । କେବଳ ସେଇ ଭଦ୍ର ହୋଇ ରହିପାରେ ଓ କୌଣସି ଦେଶର ରାଜନୀତିକ ଜୀବନରେ ଏକ ନିମ୍ନତମ ଭଦ୍ରତା ବଜାୟ ରଖିବାରେ ସାହାଯ୍ୟ କରିପାରେ । ସରକାରର ଅସଲ କର୍ତ୍ତବ୍ୟ ହେଉଛି ନାଗରିକ ଜୀବନର ପ୍ରହରୀ ହୋଇ ରହିବା, ନାଗରିକମାନଙ୍କ ଉପରେ ମାଲିକ ହୋଇ ରହିବା ମୋଟେ ନୁହେଁ । ଗୋଟିଏ ଦେଶରେ ନାଗରିକ-ବୃତ୍ତିର ଉତ୍ତରୋତ୍ତର ଅଭିବୃଦ୍ଧି ଲାଗି ଯେଉଁ ନିମ୍ନତମ ଭୂମିଟି ଆବଶ୍ୟକ, ସେଇ ଭୂମିଟିକୁ ଯୋଗାଇଦେବା ହେଉଛି ଏକ ସରକାରର ପ୍ରଥମ କର୍ତ୍ତବ୍ୟ । ସମସ୍ତଙ୍କୁ କାମ ମିଳିବ, ସବୁ ପିଲା ପାଠ ପଢ଼ିବେ, କେହି କାହାରିକୁ ଗିଳି ପକାଇବେ ନାହିଁ, ପ୍ରତିଭାକୁ ପ୍ରୋତ୍ସାହନ ଦିଆଯିବ ଓ ପ୍ରତିଭାକୁ ସ୍ୱୀକୃତି ମିଳିବ, କୌଣସି ଦେଶର ସରକାର ସବାଆଗ ଏହି ବ୍ୟାପାରଗୁଡ଼ିକୁ ଦେଖିବ । ଏଇଥିପାଇଁ ସରକାରର ପୋଲିସ୍, ସରକାରଙ୍କ କର୍ମଚାରୀମାନେ ଏବଂ ସରକାରଙ୍କର ସଚିବାଳୟ । ସରକାର ହେଉଛି ଘୋଡ଼ା, ଗୋଟାଏ ଦେଶର ମଣିଷମାନେ ହେଉଛନ୍ତି ଆରୋହୀ । ଯନ୍ତ୍ର ହେଉଛି ଘୋଡ଼ା, ଯନ୍ତ୍ରକୁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟସାଧନ ପାଇଁ ଚଳାଉଥିବା ମଣିଷ ହେଉଛି ତା'ର ଆରୋହୀ । ଏ ଯୁଗରେ ଯନ୍ତ୍ର ଯେପରି ଅନେକ କ୍ଷେତ୍ରରେ ମଣିଷ ଉପରେ ଘୋଡ଼ା ଚଢ଼ୁଛି, ଅନେକ ଦେଶରେ ସରକାର ମଧ୍ୟ ମଣିଷ ଉପରେ ଘୋଡ଼ା ଚଢ଼ିବାକୁ ମନ କରୁଛନ୍ତି-। ସରକାର ଚୋର ଧରିବେ, ସାଧୁମାନଙ୍କୁ ଅଭୟ ଦେବେ, ନିଜେ ଚୋର ହେବେନାହିଁ । ସରକାର ଦୂର୍ବୁତ୍ତମାନଙ୍କୁ ଦମନ କରିବେ, ସୁପ୍ରବୃତ୍ତିଗୁଡ଼ିକୁ ବାଟ ଛାଡ଼ିଦେବେ, ସ୍ୱୟଂ ଦୁର୍ବୃତ୍ତ ହେବେନାହିଁ । ଶାସନ କମ୍ କରିବେ । ସଂରକ୍ଷଣ ଅଧିକ କରିବେ, ହସ୍ତକ୍ଷେପ କମ୍ କରିବେ, ଅଧିକରୁ ଅଧିକ ଅନୁକୂଳତା ଯୋଗାଇ ଦେଇ ପାରୁଥିବେ । ଯେଉଁ ସରକାର ଯେତେ କମ୍ ଶାସନ କରେ, ଯେତେ କମ୍ ହସ୍ତକ୍ଷେପ କରେ, ଆପଣାର ଭୂମିକାଟିକୁ ତାହା ସେତିକି ଅଧିକ ସୂଚାରୁ ରୂପେ ସମ୍ପାଦନ କରେ ବୋଲି ରାଜନୀତିରେ ଏକ ଅପବାଦ ରହିଛି । କେବଳ କ୍ଷମତାକୁ ଲୋଭ କରୁଥିବା ରାଜନୀତି ଏହି ସଂସ୍କାରଗୁଡ଼ିକୁ ମୋଟେ ମାନେ ନାହିଁ ।

 

ଭଲ ମଣିଷ ଗଢ଼ିବା ରାଜନୀତିର କାମ ନୁହେଁ, ସରକାରଙ୍କର ବି କାମ ନୁହେଁ । ଉପଯୁକ୍ତ ଶିକ୍ଷାର ପଦ୍ଧତିଟିଏ ଖୋଜି ତାହାର ଅନୁଶୀଳନ କରିବା, ଏହା ଶିକ୍ଷାବିତ୍‌ମାନଙ୍କରେ କାମ-। ସରକାରଙ୍କର କାମ ନୁହେଁ କିମ୍ବା ରାଜନୀତିର ମଧ୍ୟ କାମ ନୁହେଁ । ଗୋଟିଏ ଦେଶର ସଂସ୍କୃତି ସରକାରଙ୍କର କାମ ନୁହେଁ, ରାଜନୀତିର କାମ ଆଦୌ ନୁହେଁ, ତାହା ହେଉଛି ସତକୁ ସତ ସଂସ୍କୃତିକାମୀମାନଙ୍କର କାମ । ସାହିତ୍ୟ ମଧ୍ୟ ସାହିତ୍ୟିକର କାମ, ସୃଜନ-ସ୍ରଷ୍ଟାର କାମ, ମାମଲତକାରମାନଙ୍କର କାମ ଆଦୌ ନୁହେଁ । ଆପଣାର ସୀମାଗୁଡ଼ିକୁ ଜାଣିବା ଭଦ୍ର ଓ ସଂସ୍କୃତିସମ୍ପନ୍ନ ରାଜନୀତି ଶିକ୍ଷାରେ, ସଂସ୍କୃତିରେ ଓ ସାହିତ୍ୟରେ କେବେହେଲେ ଆପଣାର ତୁଣ୍ଡ ବଜାଇବାକୁ ଯାଏନାହିଁ । ଆପଣାର ଅସଲ ଧର୍ମ ଓ ଅସଲ ପରିଚ୍ଛଦଟିକୁ ଜାଣିଥିବା ଭଦ୍ର ରାଜନୀତିକ ନେତା ଅଥବା ସରକାରୀ କର୍ତ୍ତା କଦାପି ଏସବୁ କ୍ଷେତ୍ରରେ ସବାଆଗ ସିଂହାସନରେ ଯାଇ ବସି ଯାଏନାହିଁ । ସ୍ଵାଧୀନ ଭାରତରେ ଏସବୁର ବହୁତ ଖିଲାପ କରାଯାଇଛି । ତେଣୁ ଆମରି ବହୁ ପାଷଣ୍ଡତାର ଫଳରେ ଆମ ଯୁଗଟା ଭାରି ହାସ୍ୟାସ୍ପଦ ହୋଇଛି; ଶିକ୍ଷା, ସାହିତ୍ୟ ତଥା ସଂସ୍କୃତି ସତେଅବା କତ୍ତୃତ୍ୱମାନଙ୍କ ଘରେ ରକ୍ଷିତାପ୍ରାୟ ହୋଇ ରହିଛି । ଯୋଗ୍ୟ ମଣିଷମାନେ ଏହି ଅତୀତଟିର ବିଡ଼ମ୍ବନା ଦ୍ୱାରା ବଞ୍ଚିତ ହୋଇ ଭିତରକୁ ପ୍ରବେଶାଧିକାର ପାଇନାହାନ୍ତି, ମାତ୍ର ତେଣେ ସଭାରେ ତୁଚ୍ଛା ଲମ୍ବା ଲମ୍ବା ଚଉକୀଗୁଡ଼ାକ ନିତାନ୍ତ ଅଶୋଭନୀୟ ଭାବରେ ଶବ୍ଦମୈଥୁନ କରିବାରେ ଲାଗିଛନ୍ତି । ମିଛ କନ୍ଦର୍ପମାନଙ୍କର ହୁଗୁଳାପଣ ଦେଖି ସତେଅବା ସ୍ୱୟଂ କନ୍ଦର୍ପ ଲାଜର ହୋଇଯାଉଛି । ତେଣୁ କର୍ତ୍ତାମାନେ ଏଥର ସୀମାଗୁଡ଼ିକୁ ମାନନ୍ତୁ । ରାଜନୀତିର ଲହଡ଼ି ଉପରେ ବସି ଶାସନର ଉଆସଗୁଡ଼ାକରେ ଯାଇ ରଜା ହୋଇଥିବା ବଡ଼ମାନେ ମଧ୍ୟ ସାହିତ୍ୟକୁ ଆସନ୍ତୁ, ସଂଗୀତକୁ ଆସନ୍ତୁ, ଶିକ୍ଷା ଓ ସଂସ୍କୃତିକୁ ଆସନ୍ତୁ । ସେମାନଙ୍କ ପାଇଁ ଏସବୁ ସ୍ଥାନରେ କୌଣସି ବାରଣ ନାହିଁ, ମାତ୍ର ସେମାନେ ଆମ ତୁମଙ୍କ ପରି ଓ ଆମ ତୁମଙ୍କ ଆଗ୍ରହରେ ଆମ ସାଙ୍ଗରେ ଆସି ବସନ୍ତୁ, ଏକାବେଳକେ ଘୋଡ଼ାଙ୍କ ପରି ସବାବଡ଼ ବୀର ହୋଇ ଆମ ମୁଣ୍ଡଗୁଡ଼ାକ ଉପରେ ଆସି ବସିବାକୁ ଆଦୌ କୌଣସି ଚେଷ୍ଟା ନ କରନ୍ତୁ । କେବଳ ଅନ୍ଧମାନଙ୍କୁ କ୍ଷମତା ଅନ୍ଧ କରିପକାଏ, ଅସଲ ଓ ଯଥାର୍ଥରେ ସୀମାଗୁଡ଼ିକ ବିଷୟରେ ସଚେତନ ହୋଇ ପାରୁଥିବା ମଣିଷକୁ କ୍ଷମତା ଅଧିକ ନମ୍ର କରେ । କେବଳ ମିଛ ବୀରମାନେ ମଉକା ପାଇବା ମାତ୍ରକେ ନିଜ କୋପନ ପ୍ରବୃତ୍ତିର ଶିକାର ହୋଇପଡ଼ନ୍ତି ।

 

ନିର୍ବୋଧ ସ୍ତୁତିକାରମାନେ ସଭାରେ ବସିଥିଲେ କୁଆଡ଼େ ରାଜା ମଧ୍ୟ ଉଦ୍ଧତ ହୁଅନ୍ତି, ଅଧିକରୁ ଅଧିକ ସ୍ତୁତି ଶୁଣିବା ଲାଗି ଏକାବେଳକେ ଭଲ୍ଲୁକମାନଙ୍କ ପରି ଉଲ୍ଲସିତ ହୋଇଉଠନ୍ତି । ଭାରତବର୍ଷରେ ଆମର ଶିକ୍ଷା, ସଂସ୍କୃତି, ସାହିତ୍ୟ, ସଂଗୀତ, ଧର୍ମାନୁଷ୍ଠାନ ପ୍ରଭୃତି ଘରେ ତୋଷାମଦକାରୀ ବହୁତ ଅଛନ୍ତି,–ପ୍ରଧାନତଃ ତୋଷାମଦକାରୀ କର୍ତ୍ତାମାନଙ୍କଠାରୁ ଚରୁ ଆଣି ପ୍ରସବସମର୍ଥ ହେବାକୁ ମନ କରୁଛନ୍ତି । ସେମାନେ ମଧ୍ୟ ମଉକା ପାଇଥିଲେ ରାଜନୀତି କରିଥାନ୍ତେ, ଚଉକିରେ ଯାଇ ବସିଥାନ୍ତେ । ସେମାନେ ପ୍ରକୃତରେ ବଡ଼ ଦୁଃଖୀ । ପ୍ରସବ କଲେ ନୁହେଁ, ପଦରେ ବସିଲେ ଯାଇ ସେମାନଙ୍କର ଦୁଃଖରୁ ମୁକ୍ତି । ମାତ୍ର ବିଧାତାକୁ ଅଶେଷ ଧନ୍ୟବାଦ, ଏମାନଙ୍କର ସଂଖ୍ୟା ସବୁ ଯୁଗରେ ଅତ୍ୟନ୍ତ ଅଳ୍ପ । ସେହି ପ୍ରଲୁବ୍‍ଧମାନଙ୍କୁ ଭଗବାନ ସାହା ହୁଅନ୍ତୁ । ସେମାନେ ଆପଣାର ଅସଲ ସମ୍ମାନକୁ ଚିହ୍ନନ୍ତୁ, ଆପଣାକୁ ଏତେ ଅକିଞ୍ଚନ ନ ଭାବନ୍ତୁ, ଚମ୍ପା ସାଆନ୍ତାଣୀ ନ ହୋଇ ସେମାନେ ସତ ସାଆନ୍ତାଣୀ ହୁଅନ୍ତୁ । ସୃଜନଶୀଳତାର, କଳାର, ସାହିତ୍ୟର ଓ ଯାବତୀୟ ସାଧନାର ଏକ ସ୍ୱକୀୟ ଆଭିଜାତ୍ୟ ରହିଛି । ସେମାନେ ସେହି ଆଭିଜାତ୍ୟର ଭାଜନ ହୁଅନ୍ତୁ । ଦେଶର ରାଜନୀତିକୁ ତା’ର ସୀମା ଭିତରେ ରଖିବାର କ୍ଷେତ୍ରରେ ସେମାନଙ୍କର ମଧ୍ୟ ସର୍ବଥା କର୍ତ୍ତବ୍ୟ ରହିଛି । ସେମାନେ ନମ୍ର ହେଲେ, ସଂଯତ ହେଲେ, ବୟସ୍ୟ ନ ହେଲେ ରାଜନୀତିର ରଜାମାନେ ମଧ୍ୟ ସୀମା ଓ ସମ୍ଭ୍ରମ ମଧ୍ୟରେ ରହିବାଲାଗି ଅଧିକ ଅବକାଶ ପାଇବେ ।

୫ । ୪ । ୯୦

Image

 

ଦିନେ ଦିନେ ମନେ ହୁଏ

 

ମଣିଷ ଜନମ ଦୁର୍ଲଭ ଜନମ ବୋଲି ଶାସ୍ତ୍ରମାନଙ୍କରେ ଲେଖା ହୋଇଥିଲେ ମଧ୍ୟ ଦିନେ ଦିନେ କାହିଁକି ଏକାବେଳକେ ଶସ୍ତା ଓ ସୁଲଭ ହୋଇଯିବାକୁ ଭାରି ମନ ହୁଏ । ଭିତରେ କେନ୍ଦ୍ରଟିଏ ରହିଛି ବୋଲି ବିବେକ କହୁଥିଲେ ମଧ୍ୟ ସେହି କଥାଟିକୁ ଏକାବେଳକେ ଭୁଲିଯିବାକୁ ମନ ହୁଏ । ଭୁଲିଯିବାକୁ ସତେଅବା ଭାରି ଭଲ ଲାଗେ । କାହାର ପୋଇଲିଟିଏ ହୋଇ ରହିବାକୁ ହିଁ ସ୍ଵର୍ଗସୁଖ ବୋଲି ଲାଗେ, ସାଆନ୍ତମାନଙ୍କର ଅଜ୍ଞସୁଖ ଲାଭ କରିବାଠାରୁ ଆଉ ଅଧିକ ପୁଣ୍ୟ ବା ଭାଗ୍ୟ କେଉଁଠି ଅଛି ବୋଲି ଆଦୌ ମନେ ହୁଏନାହିଁ । ନିଜ ଶିଖରଟି ଉପରୁ ସଡ଼୍‍ ସଡ଼୍‍ କରି ଖସିଯିବାକୁ ସେତେବେଳେ କେତେ ନା କେତେ ଉଷତ ଲାଗେ । ଘରଚଟିଆର ମୁଣ୍ଡଟି ନ ହୋଇ କୋଉ ଘୋଡ଼ାର ପଛ ଗୋଡ଼ଟାଏ ହେବାକୁ ହିଁ ଅସଲ ବୃଦ୍ଧି ହୋଇ ସତେଅବା ଜଳଜଳ ହୋଇ ଦେଖାଯାଏ । ସମ୍ମାନର ସକଳ ସଂଜ୍ଞା ସେତେବେଳେ ଚୂଲୀକୁ ଯାଏ । ତେଣୁ ଅପମାନ ସତେଅବା କେଉଁ ଆତ୍ମରତିର ସୁଖ ଆଣି ଦିଏ । ସଫଳତା ହିଁ ଏକମାତ୍ର ଶ୍ରେୟଃ ହୋଇ ଦେଖାଯାଏ, ସଫଳମାନଙ୍କର ସଭାରେ ଦୂଆରୀ ହୋଇ ରହିବାକୁ ଭାରି ଇଚ୍ଛା ହୁଏ ।

 

ଏମିତି ମନ କରି କରି ଏ ଦେଶରେ ଆମେସବୁ କୋଉଠୁ ଆସି କୋଉଠି ପହଞ୍ଚିଲୁଣି; କ’ଣ ହୋଇଥାନ୍ତୁ, କିନ୍ତୁ କ'ଣ ଆସି ହେଲୁଣି । ପରସ୍ପରକୁ ମୁତୁରୀ ବୋଲି କହୁଛୁ ସିନା, ମାତ୍ର ମୁତୁରା ହେଁସଟାରୁ ସତେଅବା କେତେ ସୁଆଦ ପାଉଛୁ । ସେହି ସୁଆଦକୁ ଏକାବେଳକେ ଏକା ଏକା ଚାଖିବାକୁ ମନ କରୁଛୁ କି କ'ଣ କେଜାଣି, ଆମେ ପରସ୍ପରକ ଭାରି ଇର୍ଷା କରୁଛୁ । ସମ୍ଭବତଃ ଏହାହିଁ ହେଉଛି ଆମ ଜୀବନରେ ସବୁଠାରୁ ଅଧିକ ହାସ୍ୟାସ୍ପଦତାର ବିଷୟ, ଆମକୁ ନେଇ ବିଧାତାର ବିଚିତ୍ର ଲୀଳା । ଆମେ ସମସ୍ତେ ଏକ ଆରେକୁ ଅନାଇବାରେ, ଏକ ଆରେକୁ ଝିଙ୍ଗାସିବାରେ ଏତେବେଶୀ ବ୍ୟସ୍ତ ରହୁଛୁ ଯେ, ନିଜ ଆଡ଼କୁ ଦେଖିବା ଲାଗି ଆମର ମୋଟେ ବେଳ ହେଉନାହିଁ । ଯୋଉମାନେ ନିଜ ଶିଖରଟି ଉପରୁ ତଳକୁ ଖସି ପଡ଼ିଥାନ୍ତି, ସେମାନେ ନିଜେ ପିନ୍ଧିଥିବା ମୁଖାଟି ତଳୁ ପରସ୍ପର ଆଡ଼କୁ ଅନାଇ ଆନନ୍ଦ ପାଇବା ଲାଗି ଏତେବେଶୀ ମନ କରନ୍ତି କାହିଁକି କେଜାଣି ? ମୁଁ ଯେମିତି ମୁଖାଟାଏ ପିନ୍ଧିଛି, ସମସ୍ତେ ଠିକ୍ ସେମିତି ମୁଖା ପିନ୍ଧିଛନ୍ତି; ଏତିକି କଥା ନିଜକୁ ବୁଝାଇ ଦେଇ ପାରୁଥିଲେ କେଡ଼େ ସହଜରେ ସବୁକଥାର ସମାଧାନ ହୋଇ ଯାଉଥାନ୍ତା । ମାତ୍ର, ଆମରି ଭିତରେ ଥାଇ ରସିକ ଭଗବାନ ଆମର କେଉଁ ସୁକୁଟ ଦେଖିବାକୁ ଇଚ୍ଛା କରୁଥାନ୍ତି କି କ'ଣ କେଜାଣି, ଅନ୍ୟ ଜଣେ ମଣିଷ ମୁଖା ପିନ୍ଧିଥିବାର ଦେଖିଲେ ଆମକୁ ସତେ ଯେମିତି କେଡ଼େ ଆଶ୍ଚର୍ଯ୍ୟ ଲାଗେ । ଆମେ ନିଜେ ମୁଖାଟିଏ ପିନ୍ଧିଛୁ ବୋଲି ଜାଣିଶୁଣି ଭୁଲିଯିବାକୁ ଇଚ୍ଛା କରୁଥାଉ କି କ'ଣ କେଜାଣି, ଆଉ ଜଣକର ମୁହଁଟା ଉପରେ ଲଗା ହୋଇଥିବା ମୁଖାଟାକୁ ମୁଖା ବୋଲି ଧରା ପକାଇ ଦେବାକୁ ଆମେ ସତେ ଅବା ଭାରି ଉଲ୍ଲସିତ ହୋଇପଡ଼ୁ । ଆମ ନିଜ ଭିତରେ ଆମ ଦୋସରଟି ସହିତ ତେଣେ ନିଶ୍ଚୟ କେତେ କଜିଆ ଲାଗି ରହିଥାଏ ।

 

ଜୀବନରେ କେଉଁ ଉତ୍ସାହପ୍ରହରରେ ମୁଁ ବଡ଼ ହୋଇ ଭଲ ଶିକ୍ଷକଟିଏ ହେବାକୁ ମନ କରିଥାଏ । ସେଥପାଇଁ ମୁଁ ନିଜକୁ କେତେ ଯତ୍ନର ସହିତ ଗଢ଼ି ଆଣିଥାଏ, ମୋ' ଆଖି ଆଗରେ ଆଦର୍ଶ ଶିକ୍ଷକଟିଏ ହେବାର କଳ୍ପନାଟି ସତେ ଯେପରି ତାରା ହୋଇ ଜଳୁଥାଏ ଓ ମୋତେ ବାଟ ଦେଖାଇ ଦେଉଥାଏ, ଯୋଗ୍ୟ କରି ନେଉଥାଏ । ଭିତରକୁ ଅନାଇ ଦେଲାବେଳକୁ ଓଷେଇତୀଟିଏ ପରି ଲାଗୁଥାଏ । ମୁଁ ବଡ଼ ହୁଏ, ଶିକ୍ଷକଟିଏ ହୁଏ, ନୂଆ ଉତ୍ସାହରେ, ନୂଆ ବିଶ୍ଵାସର ସହିତ ମୁଁ ଜୀବନଟିଏ ଆରମ୍ଭ କରେ । ଠିକ ପିଲାଟି ପରି ମୁଁ ଭିତରେ କେତେ ଶକ୍ତି ଅନୁଭବ କରୁଥାଏ । ମୋ' କଳ୍ପନା ଅନୁସାରେ ମୁଁ ସବୁକିଛି ସମ୍ଭବ କରିପାରିବି ବୋଲି କେଡ଼େ ସହଜରେ ଅନୁଭବ କରି ପାରିଥାଏ । ସେତେବେଳେ ସବୁକିଛି କେଡ଼େ ହାଲୁକା ଲାଗେ, କେଡ଼େ ତୋରା ହୋଇ ଦିଶୁଥାଏ । ଆପଣାକୁ ସତକୁ ସତ ସମର୍ପିତ କରି ବାହାରି ପାରିଲେ ଯେତିକି ହାଲୁକା ଲାଗିବା କଥା, ଠିକ୍‍ ସେତିକି । ଏହିପରି ହାଲୁକା ହୋଇ ମୁଁ ମନ୍ଦିର ଭିତରେ ପଶେ ମାତ୍ର ତା'ପରେ କୋଉଠି କ’ଣ ଘଟେ କେଜାଣି, ଗୋଡ଼ ରହିଗଲା ପରି ଲାଗେ, ଭିତରେ କ୍ରମେ ସବୁ ଭାରି ଭାରି ଲାଗେ । ଭିତରଟା ବାହାରକୁ କ'ଣ ସବୁ ଶିଖାଇଦିଏ କେଜାଣି, ବାହାରଟା ମଧ୍ୟ ଆଦୌ ଏକ ଚାଲେଞ୍ଜ ପରି ଅନୁଭୂତ ହୁଏନାହିଁ । ସେତିକିବେଳେ ସଂଘବାଲା ଆସନ୍ତି ଓ ମୋର ନରମ କାନଟିକୁ ଧରି ମୋତେ ଅବଲୀଳାକ୍ରମେ ତଳକୁ ଖସାଇ ନିଅନ୍ତି । ନେତାମାନେ କହନ୍ତି ଯେ, ମୁଁ ଶିକ୍ଷକର କାମ ନ କଲେ ମଧ୍ୟ ମୋ'ର ପଦୋନ୍ନତି ହେବ । ମୋଟେ ପାଠ ନ ପଢ଼ାଇଲେ ମଧ୍ୟ ଚକ୍ରବୃଦ୍ଧି ହାରର ଦରମା ବଢ଼ିବ । ମନ୍ତ୍ରୀ ସ୍ୱୟଂ କହିଛନ୍ତି ଯେ ଜଣପିଛା ଏତେ ଟଙ୍କା ବାନ୍ଧିଦେଲେ ସିଏ ଆମକୁ ସରକାରଙ୍କ ଘରେ ଘରଜ୍ୱାଇଁଆ କରି ରଖିବେ । ମନ୍ତ୍ରୀ ଫାଙ୍କି ଦେଲେ ଆମେ ବିରୋଧୀ ଦଳର ସାହାଯ୍ୟ ନେଇ ପାରିବା । ଅଲବତ ନେଇପାରିବା । ସେମାନେ ଆମକୁ ନଚାଉଥିବେ ଓ ଆମେ ମଧ୍ୟ ସେମାନଙ୍କୁ ନଚାଇବାରେ ଲାଗିଥିବା ସଂଘଶକ୍ତି ହିଁ ଏ ଯୁଗରେ ପରମ ଶକ୍ତି ବୋଲି ଆମର ପୂରା ବିଶ୍ୱାସ ହୋଇଯାଏ । ସଂଘ ଆମର ମନକୁ ମୋହିନିଏ । ଆମ ମନକୁ ମଙ୍ଗାଇନିଏ । ଆମେ ଭାବୁ, ଏଣିକି ଆମେ ମୁଣ୍ଡଟାକୁ କାଟି ସଂଘର ଗୋଡ଼ ତଳେ ନେଇ ରଖିଦେବା; ଛିନ୍ନମୁଣ୍ଡ ହେଲେ କ'ଣ ହେଲା, ସଫଳ ତ ହେବା । ସଡ଼୍‍ ସଡ଼୍‍ କରି ତଳକୁ ଖସିଯିବା, ଇଜ୍ଜତ ହରାଇବା ସତ; ମାତ୍ର ମହାନନ୍ଦରେ ରହିବା । ତା'ପରେ ଆନୁଷଙ୍ଗିକ ସକଳ ଅନ୍ୟାଚାରରେ ମଧ୍ୟ ରାଜି ହୋଇଯିବା । ପଇସା ନେଇ ପିଲାମାନଙ୍କର ଭାଗ୍ୟ ନିୟନ୍ତ୍ରଣ କରାଇବା ଭିତରୁ ବିବେକ ନାମକ ବନ୍ଧୁଟି ଯେତେବେଳେ ଚୁମୁଟି ଦେଉଥିବ, ଏକଥା ସମସ୍ତେ କରୁଛନ୍ତି, ମୁଁ କାହିଁକି ନ କରିବି ବୋଲି କହି ତା'ର ମୁହଁକୁ ବନ୍ଦ କରିଦେବା । ବିଚରା ବିବେକ ସଂଘର ମାହାତ୍ମ୍ୟ ବିଷୟରେ କ’ଣ ଜାଣିଛି ? ତେଣୁ ସିଏ ଅଲବତ ଚୁପ୍ ହୋଇ ରହିବ ।

 

ଅସଲ ମଣିଷଟି ପାଇଁ ସାହିତ୍ୟ କ'ଣ କମ୍ ଆକର୍ଷଣର କାରଣ ହୁଏ ? ସାହିତ୍ୟ ଅନ୍ଧାର ଭିତରେ ଉଜ୍ଜଳତା ଆଣିଦିଏ ଓ ତେଣୁ ଆମର ଆଲୋକପିପାସା ଅନ୍ତରତରଟି ସେହି ସାହିତ୍ୟକୁ ନେଇ କେତେ ସ୍ଵପ୍ନ ଦେଖେ, କେତେ ସୌଧ ଗଢ଼ି ସେଠି କେଉଁ ରଜାଟିକୁ ବସାଇ ଜୀବନଯାକ ତାହାରି ପରିକର ହେବାକୁ ଆପେ ଆପେ ପ୍ରସ୍ତୁତ ହୋଇଯାଏ । ସାହିତ୍ୟ ନାମକ ସମ୍ବେଦନାଟି ଆମକୁ ଅକ୍ତିଆର କରିନେଲେ ଆମ ଭିତରର ରତ୍ନାକର ବାଲ୍ମିକୀ ପାଲଟିଯାଏ, ଦସ୍ୟୁ-ବୃତ୍ତି ଛାଡ଼ି ତପସ୍ୟାରେ ବସେ । ସାହିତ୍ୟ କରୁ କରୁ ଆମେ ଦାଣ୍ଡକୁ ଆସୁ, ସଭାରେ ବସୁ । ସଭାରେ ରଜାମାନେ ବସିଥାନ୍ତି । ରଜାଙ୍କ ପାଖରେ ଭାଣ୍ଡମାନେ ଥାଆନ୍ତି । ରାଜସଭାର ପରିମଳ ବାଜି କେଡ଼େ ସାଉଁଳିଆ ଦିଶୁଥାଆନ୍ତି । ସେମାନେ ସାହିତ୍ୟ କରୁ କରୁ ଭାଣ୍ଡ ହୋଇଥାନ୍ତି, ରାଜାନୁଗ୍ରହ ଲାଭ କରି କେଉଁ ଅଲକ୍ଷଣା ଆକାଶର ରାହୁ ପରି ଦିଶୁଥାନ୍ତି । ସାଉଁଳିଆମାନଙ୍କୁ ଦେଖୁ ଦେଖୁ ଆମ ନିଜ ଭିତରେ ମଧ୍ୟ ସତେଅବା କିଏ ସତେ ଯେପରି ସାଉଁଳିଆ ହେବାକୁ ମନ କରେ । ଲାଳୁଆମାନଙ୍କରେ ଲାଳଗୁଡ଼ାକ ସୁରାଖ ପାଇ ଏକାବେଳେକେ ଆମ ଭିତରକୁ ମଧ୍ୟ ବୋହି ଆସିବା ପରି ମନେହୁଏ ଓ ଆମକୁ ସଂକ୍ରମିତ କରେ । ତା'ପରେ ଆମେ ରଜାଙ୍କ ଘରେ ପୋଇଲୀ ହେଉ, ସୁନା ଅଳଙ୍କାର ପିନ୍ଧୁ । ନିଜ ଘରେ ନିଜର ବନ୍ଧୁ ବା ନିଜର ରାଜା ହୋଇ ରହିବାକୁ ତେଣିକି ଆମକୁ ତୁଚ୍ଛା ନିର୍ବୋଧତା ସଦୃଶ ମନେହୁଏ । ପୁରସ୍କାରକୁ ଲୋଭ ହୁଏ ପଦାଧିକାରକୁ ଲୋଭ ହୁଏ, ଭୃତ୍ୟରାଜତନ୍ତ୍ରରେ ସାହିତ୍ୟର କୋଉ ନିଲଠା ସିରପାରେ ହାବିଲଦାର ବା ହେଡ଼ କନେଷ୍ଟବଲଟିଏ ହୋଇ ବସିବାକୁ ମନ ଭାରି ସଲ ସଲ ହୁଏ । ହଠାତ୍ ବିଖ୍ୟାତ ହୋଇ ଗଲାପରି ବୋଧ ହୁଏ । ବିଖ୍ୟାତ ହେବାର ନିଶାରେ ଆମେ କ୍ରମେ ନିର୍ଲଜ ହେଉ, ନିଲଠା ହୋଇ ରହୁ । ଆମ ଭିତରଟା କାନ୍ଦୁଥାଏ ସିନା, ବାହାରଟା କାନରେ ଫୁଲ ଖୋସି ମହାବୟସ୍ୟ ହୋଇ ବୁଲୁଥାଏ-

 

ରାଜନୀତିରେ ନେତା ହେବାକୁ ମନ କଲେ ମଧ୍ୟ ମଣିଷ ତଳକୁ ଖସିଆସେ । ଆଗେ ଅନ୍ୟ ପ୍ରକାର ରାଜନୀତି ଥିଲା । ସେତେବେଳେ ଆପଣାକୁ ତଳୁ ତିଆରି କରି ଆଣିବାକୁ ପଡ଼ୁଥିଲା-। ସେଥିଲାଗି ସମୟ ଲାଗୁଥିଲା । ଅନ୍ତତଃ ନିଜ ପାଖରେ ବାଧ୍ୟ ହୋଇ ରହିବାକୁ ପଡ଼ୁଥିଲା । ନିଜର ବୋଲି ସଚେତନ ଭାବରେ କିଛି ରାଜନୀତିକ ପ୍ରତ୍ୟୟକୁ ଦୂଢ଼ ଭାବେ ଧରି ରଖିବାକୁ ପଡ଼ୁଥିଲା । ଯେଉଁମାନେ ଏଗୁଡ଼ାକୁ ବଦଳାଇ ଦେଲେ, ସେମାନେ ସଡ଼୍‍ ସଡ଼୍‍ ହୋଇ ତଳକୁ ଖସି ଆସିଲେ । ରାଜୀନତିରୁ ହୁଡ଼ିଲେ, ମେଣ୍ଢା ହେଲେ । ଜଣକୁ ନେତା ବୋଲି ମାନିବାକୁ ବିବେକ ବ୍ୟୟ କରିବାର ଆଉ କୌଣସି ଆବଶ୍ୟକତା ରହିଲା ନାହିଁ । ବିବେକର ମୁହଁ ବାନ୍ଧି ହୋଇଗଲା । ଚେତନା ଧୋକା ଖାଇ ମୁହଁ ଲୁଚାଇ ରହିଲା । ଏ ଦେଶ ଆଉ ଆମର ବୋଲି ମନେ ହେଲାନାହିଁ । ଏହି ଦେଶର ଭାଗ୍ୟକୁ ଗଢ଼ିବାର ଦାୟିତ୍ୱରେ ମୋର ମଧ୍ୟ ଦାୟିତ୍ୱ ରହିଛି ବୋଲି ଅନୁଭବ କରିବାର ପ୍ରୟୋଜନ ହିଁ ରହିଲା ନାହିଁ । ସମ୍ମାନ ହରାଇ ଆମେ କେଡ଼େ ସଫଳ ହେଲୁ, ବିଦ୍ୟା ନ ଜାଣି କେଡ଼େ ପାରୁଆ ହୋଇପାରିଲୁ ।

 

ଭାରତବର୍ଷକୁ ଏପରି ଏକ ଯୁଗ ସମ୍ଭବତଃ ଆଉ କେବେହେଲେ ଆସି ନ ଥିଲା । ପ୍ରତ୍ୟେକ ମଣିଷ ଭିତରେ ଏପରି ଏକ ଧର୍ମ ରହିଥାଏ, ଯାହାକୁ କି ସତକୁ ସତ ଆବିଷ୍କାର କରିବାକୁ ହୁଏ । ସେଇଟିକୁ ଆବିଷ୍କାର କରି ତାହାରି ଅନୁସାରେ ବାଟ ଚାଲିବାକୁ ହୁଏ । ବାଟ ଚାଲୁଥିବା ପର୍ଯ୍ୟନ୍ତ ନିଜ କେନ୍ଦ୍ରଟି ସହିତ ଖିଅଗୁଡ଼ିକ ଲାଗି ରହିଥାଏ । ମାତ୍ର ଯେତେବେଳେ ଆମ ଜୀବନରେ କୋଉ ଭୂତଟାଏ ଆସି ପହଞ୍ଚିଯାଏ, ସେତେବେଳେ ସବୁ ଭଣ୍ଡୁର ହୋଇ ରହିଯାଏ । ନିଜକୁ ବଜାରରେ ବିକି ଦେବାକୁ ମନ ହୁଏ । ବିକି ହୋଇ ଯିବାକୁ ସବାବଡ଼ ସଫଳତା ବୋଲି ବିଶ୍ୱାସ କରିବାକୁ ମନ ହୁଏ । ଏହି ଧାରାରେ ଶିକ୍ଷକ ବିକ୍ରି ହୋଇଯାଏ, ଲେଖକ ବିକି ହୋଇଯାଏ, ରାଜନୀତି ମଧ୍ୟ ବିକି ହୋଇଯାଏ । ମୋହଭଙ୍ଗ ହେବାଯାଏ ମହାପରାଭବର ଏହି ଗ୍ରାସ ଭିତରେ ରହିବାକୁ ପଡ଼େ ।

୧୨ । ୪ । ୯୦

Image

 

ସାହିତ୍ୟର ଦୁଃଖ

 

ଆମେ ଲେଖିବା ଲୋକ ଯାହା ଲେଖୁ, ତାହା ହିଁ କ'ଣ ସାହିତ୍ୟ ? ଆମେ କ'ଣସବୁ ଲେଖିବୁ ବୋଲି ମନ କରିଥାଉ ଏବଂ କ'ଣସବୁ ଲେଖିପକାଉ ? ଯାହା ଲେଖିବୁ ବୋଲି ବାହାରି ଅଛୁ, ବହୁ କାରଣରୁ ତାହା ଲେଖାହୋଇ ପାରେନାହିଁ ଏବଂ ହୁଏତ ଯାହା ଲେଖିବୁ ବୋଲି ମୋଟେ ମନେ କରି ନଥିଲୁ, ସତେଅବା ସେହିଗୁଡ଼ାକ ଲେଖି ହୋଇଯାଏ । ଯେଉଁଗୁଡ଼ିକ ଲେଖି ହୋଇଯାଏ, ସେହିଗୁଡ଼ିକୁ ସାହିତ୍ୟ କୁହାଯାଏ । ସେହି ସାହିତ୍ୟର ମୂଲ ହୁଏ । ମୂଲ୍ୟ ସ୍ୱରୂପ ପାରିଶ୍ରମିକ ମିଳେ, ପାରିତୋଷିକ ମିଳେ, ଯଶଃ ମିଳେ, ଅଭ୍ୟୁଦୟ ବି ମିଳେ । ମାତ୍ର ଯାହା ଅଲେଖା ହୋଇ ରହିଗଲା, ତାକୁ କେହି ଜାଣନ୍ତି ନାହିଁ । ସେତେବେଳେ ସାହିତ୍ୟ ସତକୁ ସତ ଭାରି ଦୁଃଖ କରୁଥବ । ଆମେ ତା’ ଦିହରେ ପିନ୍ଧାଇ ଦେଇଅବା ସୁନାଗହଣାକୁ ସେତେବେଳେ ସିଏ କେଡ଼େ ତୁଚ୍ଛା ବୋଲି ମଣୁଥିବ । ଆମରି ଭିତରେ ତା’ ନିଜର ଅସଲ ଛବିଟି ଫୁଟି ପାରିଲା ନାହିଁ ବୋଲି ସାହିତ୍ୟ କେଡ଼େ ଲାଜରା ହେଉଥିବ ।

 

ଯଦି ସାହିତ୍ୟିକ ସାହିତ୍ୟର ଦୁଃଖଟିକୁ ସତକୁ ସତ ବୁଝୁଥାନ୍ତା, ତେବେ ନିଜର ଦୁଖପସରାଗୁଡ଼ାକୁ ଚିତ୍ର କରି ଭଙ୍ଗ କରି ଆଦୌ ରହିବାକୁ ଇଚ୍ଛା କରନ୍ତା ନାହିଁ । ପୃଥିବୀର ଦୁର୍ଭାଗ୍ୟ ଯେ ଅଧିକାଂଶ ସାହିତ୍ୟ ଅତୀତର ଯୁଗରେ ରାଜସଭାରେ ହୋଇଛି ଓ ରଜାମାନଙ୍କର ମନ ତୋଷିବା ପାଇଁ ହୋଇଛି । ସେକାଳରୁ ସାହିତ୍ୟକୁ ଉପଭୋଗ କରିବାର ରାତିଟି ପ୍ରାୟ ଏକ ଅପବାଦ ହୋଇ ଆମ ଅନେକଙ୍କର ଚେତନା ଉପରେ ମେଘ ପରି ଗୁରାଇ ତୁରାଇ ହୋଇ ରହିଛି-। ସାହିତ୍ୟ ଯେପରି ଯଥାସମ୍ଭବ ଅଧିକରୁ ଅଧିକ ଉପଭୋଗ୍ୟ ହୋଇ ପାରିବ, ସେଥିଲାଗି କୁଶଳ କାରିଗରମାନେ ସାହିତ୍ୟକୁ ଶାସ୍ତ୍ର କରି ସେହି ଶାସ୍ତ୍ରରେ ଅଳଙ୍କାରଗୁଡ଼ିକର କଥା କହିଛନ୍ତି । ଅଳଙ୍କାର ନ ହେଲେ ମୋଟେ ସାହିତ୍ୟ ହୋଇ ପାରିବ ନାହିଁ ବୋଲି ସଭାର ଉଲ୍ଲସିତ ପଣ୍ଡିତମାନେ କେତେ କ'ଣ କହିଛନ୍ତି । ସେକାଳର ରାଜାମାନଙ୍କୁ ଏସବୁ ପ୍ରକୃତରେ ଭାରି ଭଲ ଲାଗିଥିବ । ପ୍ରତ୍ୟେକ ମଣିଷ ଭିତରେ ଜଣେ ମଣିଷ ହିସାବରେ ଏକ ଯଥାର୍ଥ ପରିଚୟ ରହିଛି । ଜଣେ ବ୍ୟକ୍ତିର ଏହି ମଣିଷ ହିସାବରେ ପରିଚୟଟିକୁ ଯେତେବେଳେ ସିଏ ଯୋଉ ପଦରେ ବା ଆସନରେ ବସିଛି, ସେଇଟି ସକଳ ସମ୍ଭାର ଓ ସନ୍ତର୍ପଣ ସହିତ ଗୋଟା ସୁଦ୍ଧା ଗିଳି ପକାଉଥିବ, ତାହା ପ୍ରକୃତରେ ଏକ ଭାରି କ୍ରୁର ଓ ମର୍ମନ୍ତୁଦ ଘଟଣା ହେଉଥିବ । ଗୋଟିଏ ଗୋଟିଏ ସମାଜ ରହିଛନ୍ତି, ଯେଉଁଠାରେ କି ମଣିଷର ପଦଟା ତାକୁ ଗିଳି ପକାଇବାର ଦୁର୍ଘଟଣାଟିକୁ ଅସଲ ଭାଗ୍ୟ ବା ଅସଲ ମୃତ୍ୟୁ ବୋଲି କୁହାଯାଇଛି । ମୋ' ଅସଲ ଅନ୍ତଃପରିଚୟ ଠାରୁ ଏକ ନିର୍ଦ୍ଦିଷ୍ଟ ସମାଜରେ ମୋ' ଭୂମିକାଟା ହିଁ ଅଧିକ ମୂଲ୍ୟବାନ ଓ ତେଣୁ ଅଧିକ ସ୍ୱୀକୃତିର ଅଧିକାରୀ । ମଣିଷର ଅସଲ ନିୟତିଗୁଡ଼ିକର ଭୂମିକା ଉପରେ ବିଚାର କରି ଦେଖିଲେ ଏହାକୁ ପ୍ରଧାନତଃ ଏକ ଦୁର୍ଭାଗ୍ୟ ବୋଲି କୁହାଯିବ ।

 

ସାହିତ୍ୟ କ'ଣ କେବଳ ଏକ ଭୂମିକା ମାତ୍ର ? ରାଜାମାନଙ୍କୁ ଖୁସି କରିବାର ଯୁଗରେ ସାହିତ୍ୟ ଲେଖିବା ହୁଏତ ପ୍ରଧାନତଃ ଏକ ଭୂମିକା ହୋଇ ଆସିଥିଲା । ଏକାଧିକ ଦୃଷ୍ଟିରୁ ଆମେ ଭୂମିକାକୁ ଏକ ବଣିଜ ବୋଲି ମଧ୍ୟ କହିପାରିବା । ଆମ ଆଧୁନିକ ଯୁଗରେ ପ୍ରାୟ ଏକ ଅପପ୍ରୟୋଜନରେ ପଡ଼ି ଜୀବନର ସବୁକିଛି କ୍ରମଶଃ ଏକ ବଣିଜରେ ହିଁ ପରିଣତ ହୋଇଯାଉଛି । ଆମ ସାମୁହିକ ସ୍ଫର୍ଦ୍ଧାଗୁଡ଼ିକର କ୍ଷେତ୍ରରେ କେତେକ ସୌଦାଗର ଅଛନ୍ତି, ଯେଉଁମାନେ କି ଅନ୍ୟ ବହୁତଙ୍କୁ ପଣ୍ୟରୂପେ ବ୍ୟବହାର କରି ବଣିଜ କରିବାରେ ଲାଗିଛନ୍ତି । ଅର୍ଥାତ୍, ଅନ୍ୟ ଯାବତୀୟ ପଣ୍ୟ ପରି ମଣିଷ ମଧ୍ୟ ବିକାହୋଇ ପାରୁଛି, କିଣା ହୋଇପାରୁଛି । ମାମଲତକାର ଓ କ୍ଷମତାପନ୍ନମାନେ ବଜାର ବସାଇଛନ୍ତି । ମଣିଷମାନଙ୍କୁ ନେଇ କିଣାବିକା ଚାଲିଛି । କିଣାବିକାର ବେଭାରରେ ଅର୍ଥନୀତି ହେଉଛି, ରାଜନୀତି ହେଉଛି, ଶିକ୍ଷା ନାମରେ ମଣିଷ ଉପରେ ଅଶିକ୍ଷିତ କେତେ କେତେ ଶଗଡ଼କୁ ନେଇ ଗଡ଼ାଇ ଦିଆଯାଉଛି । ସେଠି ସାହିତ୍ୟ କଥା କିଏ ପଚାରୁଛି ? ତେଣୁ ବିଚରା ସାହିତ୍ୟ ମଧ୍ୟ ଏକ ଅନ୍ୟତମ ପଣ୍ୟରେ ଗଣା ହେଉଛି । ସାହିତ୍ୟ କହିଲେ ଜୀବନ-ନିର୍ବାହର ଅନ୍ୟ ବହୁ ଧନ୍ଦା ପରି ଗୋଟିଏ ଧନ୍ଦାକୁ ବୁଝାଉଛି । ସାହିତ୍ୟର ସବୁଠାରୁ ବଡ଼ ଦୁଃଖ ଏଇଠି । ସାହିତ୍ୟ ଦ୍ଵାର ଫିଟାଉ ଥାଆନ୍ତା, ସାହିତ୍ୟ ଆମକୁ ପ୍ରଭବସମର୍ଥ କରାଇ ପାରୁଥାନ୍ତା । ସାହିତ୍ୟ ଆଖିକୁ ପ୍ରସାରିତ କରି ପାରୁଥାନ୍ତା ଏବଂ ଆମର ବହୁ ଭୟମୋଚନର କାରଣ ହୋଇ ପାରୁଥାନ୍ତା । ଏଯୁଗର ମଣିଷ ଆତ୍ମ-ଉନ୍ମୋଚନ ଅପେକ୍ଷା ହାଟରେ ମୂଲ ହେବାକୁ ଅଧିକ ଦରକାରୀ ବ୍ୟାପର ବୋଲି ଗ୍ରହଣ କରି ନେଉଥିବାରୁ ସାହିତ୍ୟ ଦ୍ୱାରା ତାହା ହୋଇ ପାରୁନାହିଁ । ଆମ ଜୀବନର ଅସଲ ଥାନାମାନଙ୍କରେ ତାହା ସତେଅବା ଅଲୋଡ଼ା ହୋଇ ରହିଯାଉଛି । ତଥାକଥିତ ଭୂମିକାଗୁଡ଼ିକ ଆମକୁ ଗିଳିକରି ରହିଥିବାର ଏହି ଯୁଗରେ ସାହିତ୍ୟ ମଧ୍ୟ ପ୍ରାୟ ଏକ ଭୂମିକା ହୋଇ ରହିଯାଉଛି । ଆମର ଅସଲ ମୁହଁଟି ଉପରେ ସତେ ଯେପରି ମୁଖାଟିଏ ହୋଇ ରହିଯାଉଛି ।

 

ଅନେକ ମଣିଷ ନିଜ ଭିତରେ ବହୁ ଆପଣା ଅର୍ଜିଲା କାରଣ ହେତୁ ପ୍ରାୟ ଦୁଇଭାଗ ହୋଇ ରହିଥାଆନ୍ତି । ଗୋଟିଏ ପଟ ଉନ୍ମୋଚନ ଚାହୁଥାଏ, ଆଉ ଗୋଟିଏ ଲୁଚି ରହିବାକୁ ଇଚ୍ଛା କରୁଥାଏ । ପ୍ରାୟ ପ୍ରତ୍ୟେକ ମଣିଷ ଭିତରେ ଗୋଟିଏ ପଟ ଚୋର ଓ ଆଉ ଗୋଟିଏ ପଟ ପୋଲିସ ଅଥବା ଗୋଟିଏ ପଟ ଚାଟ ଓ ଆଉ ଗୋଟିଏ ପଟ ଅବଧାନ ହୋଇ ରହିଥିବା ପରି ପ୍ରାୟ ଏକ ଅନୁରୂପ ଜୀବନରେ ଅନେକ ଡାହାଳିଆ ଆନନ୍ଦ ଓ ଡାହାଳିଆ ସଫଳତା ହୁଏତ ମିଳେ ସତ, ମାତ୍ର ଭିତରେ ଅସଲ ଫୁଲଟି ଝାଉଳି ଯିବାରେ ଲାଗିଥାଏ । ଏହିଭଳି ଏକ ଜୀବନରେ କୌଣସି ସୂର୍ଯ୍ୟଦର୍ଶନ ହୋଇପାରେ ନାହିଁ । ଏହି ଜୀବନରେ ସୂର୍ଯ୍ୟଦର୍ଶନ ଯେ ସମ୍ଭବ, ଭାଗ ଭାଗ ହୋଇ ରହିଥିବା ଏବଂ ସେହିପରି ହୋଇ ରହିବାକୁ ହିଁ ସଫଳତା ଅଥବା ସଜ୍ଜ୍ନନତାର ଉପାସ ବୋଲି ଗ୍ରହଣ କରି ନେଇଥିବା ଜଣେ ବ୍ୟକ୍ତି କ୍ରମଶଃ ସେହି ବିଶ୍ୱାସକୁ ମଧ୍ୟ ହରାଇବାରେ ଲାଗିଥାଏ । ବିଶ୍ଵାସ ହରାଇବାରୁ ହିଁ ନିଃସଙ୍ଗତାର ଏକ କ୍ଷୟକାରୀ ଅନୁଭୂତି ମଣିଷକୁ ଗ୍ରାସ କରେ ଓ ତା'ର ଆଖି ଉପରେ ପରଳ ମଡ଼ାଇଦିଏ । ସିଏ ଦୁଇଟା ଦେଖୁଥାଏ ବୋଲି ଜୀବନକୁ ମଧ୍ୟ ଦୁଇଟା ବୋଲି କହେ । ନିଜ ଭିତରେ ରହିଥିବା ସଙ୍ଗୀଟି ସହିତ ତା'ର ନିତ୍ୟକଳହ ଲାଗି ରହିଥାଏ-। ଅନେକ ସମୟରେ ଏଭଳି ସମିର ବି ସାହିତ୍ୟ ଲେଖିବାକୁ ମନ କରନ୍ତି । କାରିଗରୀର ବହୁ କରାମତି ଦେଖାଇ ଭୂମିକାଗୁଡ଼ାକୁ ରାଣୀ ଓ ରାଜା କରି ସଜାଇ ଦିଅନ୍ତି । ସାହିତ୍ୟ ଭାରି ଦୁଃଖୀ ହୋଇ ଅନାଇ ରହିଥାଏ ।

 

ଭଲ ପାଇବା ମଣିଷ ଆପଣାକୁ ଦିଏ, ଦାବୀ କରେ ନାହିଁ । ସଂସାରକୁ ଭଲ ପାଉଥିବା ମଣିଷ ସଂସାରଠାରୁ ଦାବୀ କରେନାହିଁ, ସଂସାରର ଅଧିକରୁ ଅଧିକ କାମରେ ଲାଗିବାକୁ ହିଁ ସିଏ ଆପଣାର ଯାବତୀୟ ଆନନ୍ଦର କାରଣ ବୋଲି ସ୍ୱୀକାର କରି ନେଇଥାଏ । ଆପଣା ଭିତରେ ରହିଥିବା ଭଲ ପାଇବାର ଏହି ଆକୃତିଟିକୁ ଅଭିବ୍ୟକ୍ତି ଦେବାର କ୍ଷେତ୍ରରେ ସାହିତ୍ୟ ମଧ୍ୟ ଏକ ମାଧ୍ୟମରୂପେ ବ୍ୟବହୃତ ହୋଇପାରେ । ସାହିତ୍ୟକୁ ଆଳ କରି ସ୍ୱାଧୀକାରପ୍ରମତ୍ତ ଏବଂ ଭୂମିକାପ୍ରିୟ ସାହିତ୍ୟିକ ଅର୍ଥାତ୍‌ ସାହିତ୍ୟ-ଲେଖକମାନେ ଯେତେବେଳେ ସଂସାରର ଉଚ୍ଚ ଦରବାରମାନଙ୍କରେ ହାତ ପତାଇ ଅଭିଯୋଗ କରିବାକୁ ଯାଆନ୍ତି, ଆପଣାର ଦୁଃଖ ବଖାଣନ୍ତି, ସେତେବେଳେ ସାହିତ୍ୟ ପ୍ରକୃତରେ ଭାରି ଦୁଃଖ ପାଏ । ସାହିତ୍ୟକୁ ଲୋଡ଼ୁଥିବା ମଣିଷଠାରୁ ସାହିତ୍ୟ ସତେଅବା ଆହୁରି ଆଉ କ’ଣଟିଏ ଆଶା କରୁଆଏ ଓ ନପାଇ ଦୁଃଖୀ ହୁଏ । ସାହିତ୍ୟ ନିବିଡ଼ତା ଆଶା କରେ, ନିଷ୍କପଟତା ଇଚ୍ଛା କରେ । ମୁଖାଗୁଡ଼ାକୁ ହିଁ ସାହିତ୍ୟ ସବୁଠାରୁ ଅଧିକ ଡରେ । ସ୍ୱୟଂ ଭଗବାନ ହୁଏତ ଏହି ମୁଖାଗୁଡ଼ାକୁ ଭାରି ଭୟ କରୁଥିବେ । ସିଏ ମୁଖା ପିନ୍ଧିଥିବା ମଣିଷଙ୍କର କତି ମାଡ଼ୁ ନଥିବେ । ଆମେ ଯଦି ମନ କରିବା, ତେବେ ଆମ ସାହିତ୍ୟକୁ ସାଙ୍ଗରେ ଧରି ଭଗବାନଙ୍କ ଯାଏ ମଧ୍ୟ ଯାଇପାରିବା । ନିଜ ଭିତରେ ସେଯାଏ ଯାଇପାରିବା, ବାହାରେ ଏହି ବିଶ୍ଵଜଗତରେ ମଧ୍ୟ ସେଯାଏ ଯାଇପାରିବା । ମାତ୍ର ମୁଖାଗୁଡ଼ାକ ପ୍ରତି ରହିଥିବା ଆମର ଲୋଭମାନେ ଆମକୁ ଛାଡ଼ିଲେ ଯାଇ ସିନା ସେକଥା ହେବ । ନହେଲେ ଆମେ ଏଣେ ଗାଡ଼ି ଗାଡ଼ି ସହିତ୍ୟ ଲେଖୁଥିବା ଓ ଗାଡ଼ି ଗାଡ଼ି ପୁରସ୍କାର ପାଉଥିବା ସତ, ମାତ୍ର ସାହିତ୍ୟକୁ ଦୁଃଖୀ ରଖି ନିଜକୁ ଦୁଇଭାଗ ବା ବହୁ ଭାଗ କରି ଯେଉଁ ସାହିତ୍ୟ, ସିଏ ପୁଣି କାହିଁକି ସାହିତ୍ୟରେ ଗଣା ହେବ ?

 

ଆମେ ଜୀବନଠାରୁ ଆସନ ଓ ପଦ ପ୍ରଭୃତି ଭୂମିକାଗୁଡ଼ିକୁ ଲୋଡ଼ୁଥିବା ପର୍ଯ୍ୟନ୍ତ ଆମ ସହିତ ଏକାଠି ଯୋଚା ହୋଇ ରହିଥିବା ସାହିତ୍ୟ ପ୍ରକୃତରେ ଭାରି ଦୁଃଖ ପାଏ । ଭିତରେ ନିଃସଙ୍ଗ ହୋଇ ବାହାରେ ତଜ୍ଜନିତ ଯାବତୀୟ ଉପଦ୍ରବ ଦ୍ୱାରା ପୃଥିବୀଟାକୁ କଲବଲ କରୁଥିବା ଲେଖକମାନେ ସାହିତ୍ୟକୁ ସତକୁ ସତ ଏକ ଆଚ୍ଛାଦନ ପରି ବ୍ୟବହାର କରିଥାନ୍ତି ଓ ବହିଃପରିଚ୍ଛଦ ସଦୃଶ ପିନ୍ଧିଥାନ୍ତି । ତାହାରି ତଳେ ନିଜକୁ ଲୁଚାଇ ରଖିବାର ପ୍ରୟାସ କରୁଥିବା ମଣିଷ ମଧ୍ୟ ସାହିତ୍ୟ ପାଇଁ ବହୁ ଦୁଃଖର କାରଣ ହୁଏ । ବାହାରେ ମୁଖାଗୁଡ଼ିକ ରଜା ପରି ହସୁଥାନ୍ତି, ଉଜ୍ଜ୍ୱଳ ଦିଶୁଥାନ୍ତି; କିନ୍ତୁ ଭିତରେ ମୁହଁଟା ଲାଜରା ହୋଇ ରହିଥାଏ ।

୧୭ । ୪ । ୯୦

Image

 

ମୋ’ ଘଣ୍ଟା ଯେତେବେଳେ ବାଜିବ

 

ଭାବାବିଷ୍ଟ ହେଲାପରି ଭଦ୍ରଲୋକ କହିଲେ, ଜୀବନରେ ମୋର ଆଉ କୌଣସି ଆକାଂକ୍ଷା ନାହିଁ, ଲୋଭ ନାହିଁ । ଯେତିକି ଆବଶ୍ୟକ, ଏବେ ମୁଁ ସେତିକି ଉପାର୍ଜନ କରି ତାହାକୁ ହିଁ ଯଥେଷ୍ଟ ମନେ କରୁଛି । ତା'ଠାରୁ ଅଧିକକୁ ଆଦୌ ଆଶା କରୁନାହିଁ । ମୋ ଘଣ୍ଟା ଯେତେବେଳେ ବାଜିବ, ଯେତେବେଳେ ଡାକରା ଆସିବ, ସେତେବେଳେ ଚାଲିଯିବି । ଅଧିକ ପାଇଁ ଆଉ କାହିଁକି ହନ୍ତସନ୍ତ ହେବି, କଲବଲ ହେବି ?

 

ଭଦ୍ରଲୋକ ଅବସର ଗ୍ରହଣ କରିଛନ୍ତି । ରାଜଧାନୀରେ ତାଙ୍କର ନିଜର ଘର, ସେ ସସ୍ତ୍ରୀକ ସେହିଠାରେ ବାସ କରୁଛନ୍ତି । ପୁଅଝିଅମାନେ ବାହା ହୋଇ ଯାହାର ଯିଏ ନିଜ ସଂସାର କଲେଣି, ସଂସାର ଆଦରି ରହିଲେଣି । ବୟସ ଥିବାବେଳେ ଭଦ୍ରଲୋକ ବଡ଼ ଚାକିରି କରିଥିଲେ, କେତେ ଟଙ୍କା କମାଇଥିଲେ, ଗୁଣେ କାମ କରି ହୁଏତ ଛଅ ଗୁଣ ପଇସା ଆଣିଥଲେ, ଗୁଣକ ଥାନରେ ବିଶା ଶହେ ଗୁଣ ସୁଖ କରିଥିଲେ । ସେତେବେଳେ ଆଶାମାନେ ଶାଗୁଣା ହୋଇ ଆକାଶରେ ଉଡ଼ୁଥିଲେ । ସେରମାଣ ସବୁ କିଛି ପୂରି ବହକା ହୋଇ ବାହାରି ପଡ଼ୁଥିଲା । ସେଥିରୁ କେତେ ସୁଖ ମିଳୁଥିଲା । ଅନ୍ୟ ଅନେକଙ୍କଠାରୁ ସେ କେତେ ଅଧିକ ଦିଶୁଥିଲେ । ଅନ୍ୟ ଅନେକଙ୍କଠାରୁ ଅଧିକ ଦିଶିବା, ତାହାହିଁ ତ ସଫଳତା, ତାହାହିଁ ଭାଗ୍ୟ । ବର୍ତ୍ତମାନ ଚତୁର୍ଥ ଆଶ୍ରମକୁ ଆସି ଭଦ୍ରଲୋକ ସେଗୁଡ଼ିକୁ ବିଦାୟ ଦେଇ ସାରିଛନ୍ତି । ବର୍ତ୍ତମାନ ଟିକିଏ ଶାନ୍ତି ଦରକାର । ଏହି ଶାନ୍ତି ବୈରାଗ୍ୟର ଶାନ୍ତି, ବାନପ୍ରସ୍ଥର ଶାନ୍ତି । ଦିନଯାକ ଗୋଳିଆ ପୋଖରୀରେ ପଙ୍କ ପିଇ ପିଇ ସମୟ ହୋଇ ଯିବାପରେ ଘରକୁ ଆସି ନିଦଉ ହୋଇ ବସିଯିବାରେ ଯେଉଁ ଶାନ୍ତି, ଇଏ ଠିକ୍ ସେହିପରି, ଏକ ଶାନ୍ତି । ଅକର୍ମଣ୍ୟର ଶାନ୍ତି, ଅସମର୍ଥତାର ଶାନ୍ତି ।

 

ପ୍ରାଚୀନ ଭାରତବର୍ଷରେ ଋଷିମାନେ ସଂସାରୀମାନଙ୍କ ସକାଶେ ଏହିପରି ଏକ ଶାନ୍ତିର ବରାଦ କରି ଦେଇଥିଲେ । ଆମ ଦେହଗତ ଜୀବନଟା ମଧ୍ୟ ଏପରି ଭାବରେ ଆଗରୁ ବରାଦ ହୋଇ ରହିଛି ଯେ, ଆମକୁ ପ୍ରାୟ ସେହି ଅନୁସାରେ ଚଳିବାକୁ ପଡ଼ୁଥିଲା । ଏବେ ମଧ୍ୟ ଅଧିକାଂଶ ମଣିଷ ଚତୁରାଶ୍ରମର ସେହି ରୁଟିନ୍‌ଟିକୁ ମାନି ଚଳୁଛନ୍ତି । ପିଲାଦିନେ ବାଳୁତ ଅଜ୍ଞାନ ହୋଇ ଦିନ ଯାଉଛି । ବାଳୁତ କାଳ ସରିଗଲା ବେଳକୁ, ଯାବତୀୟ ଅଳିଅଳ ଛାଡ଼ିଗଲା ବେଳକୁ ଯୌବନ ଆସୁଛି, ଆମେ କେତେ ବାଗରେ ଆସି ଗୋଟିଏ ଗୁଳା ଭିତରେ ଆସି ପଡ଼ିଯାଉଛୁ । କେତେ ପ୍ରକାରେ କେଡ଼େ ଅମରାମତା ହେଉଛୁ ସତ, ମାତ୍ର ସେହି ଗୁଳାଟି ଭିତରେ ରହି ହିଁ ଯାହାକିଛି ଅମରମତା ହେଉଛୁ । ଗୁଳା ଭିତରୁ ବାହାରି ଆଉ କିଛି ସ୍ୱପ୍ନ ଦେଖିବାକୁ ବା ହେବାକୁ ଆମ ପରିବେଶ ଆମକୁ କଦାପି ଛାଡ଼ିଦେବ ନାହିଁ ବୋଲି ସତେଅବା ଛାଟ ଧରି ବସିଛି । ଉପରୁ ଦେଖିବାକୁ କିଞ୍ଚିତ ଅମରମତା ହେବାକୁ ଛାଡ଼ିଦେଇ ସେଇ କୌଶଳରେ ଆମ ସମାଜର ବିଧାନଗୁଡ଼ିକ ଆମକୁ ସତେଅବା କେତେ ବାଗରେ ଭୁଲାଇ ବହଲାଇ ଧର୍ସା ଭିତରେ ନେଇ ପକାଇ ଦେଉଛି । ଆମ ବେକର ପଘାକୁ ଆଗ ଟିକିଏ ହୁଗୁଳା କରିଦେଇ ଆମକୁ ସତେଅବା କେତେ ସ୍ଵାଧୀନତା ଓ ଯଥେଚ୍ଛା ଜୀବନ ଦେଉଥିବାର ଭାଣ ଦେଖାଇ ପୁଣି କେତେବେଳେ ପଘାକୁ ଟାଣିନେଇ ଖୁଣ୍ଟରେ ନେଇ ଯେ ବାନ୍ଧି ଦିଆଯାଉଛି, ସେକଥା ଆମେ ଆଦୌ ଜାଣିପାରୁ ନାହୁଁ ।

 

ଆମକୁ ଖୁଣ୍ଟରେ ନେଇ ବାନ୍ଧିଦେବା, ତାହାହିଁ ସଂସାର । ଆମର ଶୁଭାକାଂକ୍ଷୀ ଗୁରୁଜନମାନେ ହିଁ ଆମର ଶୁଭ ମନାସି ଆମର ଭଲ ପାଇଁ ଆମର ଏହି ଖୁଣ୍ଟରେ ଯାଇ ବନ୍ଧା ହେବାରେ ନିମିତ୍ତ ପରି କାର୍ଯ୍ୟ କରୁଛନ୍ତି । ଗୃହସ୍ଥାଶ୍ରମ ହେଉଛି ଏକ ବିକଟ ଆଶ୍ରମ । ଏହି ଆଶ୍ରମରେ ବନ୍ଧା ହୋଇ ଆମେ ସମୁଦାୟ ସଂସାରଟାକୁ ଦୁହିଁଦାହିଁ ଆମ ନିଜ ଘରଟା ଭିତରେ ଆଣି ଭର୍ତ୍ତି କରିବାରେ କେତେ ଆଗ୍ରହ ଦେଖାଉଛୁ ଓ ସେଥିରୁ କେତେ ଆନନ୍ଦ ଲାଭ କରୁଛୁ । ଯିଏ ଯେତେ ଅଧିକ ଆଖି ବୁଜିଦେଇ ପାରୁଛି, ସିଏ ସେତେ ଅଧିକ ଆନନ୍ଦ ପାଉଛି । ଗାତଟି ଭିତରେ ଥାଇ ବାହାରେ ଥିବା ସଂସାରକୁ ଜୁର କରିବା ଓ ତାହାକୁ ଅସ୍ୱୀକାର କରିବାରେ ଲାଗିଥିବା, ତାହାହିଁ ଆମର ସଂସାର । ଏହାକୁ ଆମେ ଜୀବନସଂଗ୍ରାମ ବୋଲି କହୁଛୁ । ସେହି ସଂଗ୍ରାମରେ ଅବିଧିଗୁଡ଼ାକ ମଧ୍ୟ ବିଧି, ଅସୁନ୍ଦରଗୁଡ଼ାକ ମଧ୍ୟ ସୁନ୍ଦର । ଯାହା ଲାଭଦାୟକ, ମେଦବର୍ଦ୍ଧକ, ତାହାହିଁ ସୁନ୍ଦର ।

 

ସଂସାରରେ ଏହି ଅବର୍ଜିଆ ଧର୍ମକୁ ମାନି ଆମର ଜ୍ଞାନ, ଆମର ବୃଦ୍ଧି, ସକଳ ବିବେକ ଓ ସକଳ ମେଧାକୁ ଆମେ ଏହି ଗାତଟିକୁ ଭରାଇବାରେ ହିଁ ଖର୍ଚ୍ଚ କରିଦେଉ । ଭଗବାନଙ୍କୁ ମଧ୍ୟ କେତେ ମିଛ ସନ୍ତର୍ପଣରେ କାମରେ ଲଗାଉ । ସତେଅବା ଆମରି କାମରେ ଲାଗିବେ ବୋଲି ଆମର ଠାକୁରମାନେ ଆମ ହାତପାଆନ୍ତାରେ ମନ୍ଦିରମାନଙ୍କରେ ବୋଲକରା ମୂର୍ତ୍ତିସବୁ ହୋଇ ବସିଥାନ୍ତି ।

 

ସଂଗ୍ରାମରେ ପରାକ୍ରମ ଦରକାର, ଉତ୍ତାପ ଦରକାର । ଉତ୍ତାପ କମି ଆସିଲା ବେଳକୁ ବୈରାଗ୍ୟ । ମାୟାବାଦର ସବୁଯାକ ଜଡ଼ିବୁଟି ଠିକ୍ ଏତିକିବେଳକୁ ଦରକାର । ଶୁଙ୍ଗୀର-ଶତକ ପରେ ବୈରାଗ୍ୟ-ଶତକ ଲେଖାହେବାର ବେଳ ଏତିକିବେଳେ ଆସେ । ବାସନା ଘରେ ବାଧ୍ୟ ହୋଇ ଭଟ୍ଟା ପଡ଼େ, ଲାଙ୍ଗୁଳ ଜାକି ଜୀବନଘରୁ ବାହାରି ଆସିବାକୁ ପଡ଼େ ଏବଂ ଆପଣ ଲାଗି କଣଟିଏ ଆଦରି ନେବାକୁ ହୁଏ । ଘଣ୍ଟା କେତେ ବେଳକୁ ବାଜିବ, କେତେବେଳେ ଡାକରା ଆସିବ, ସେଥିଲାଗି ଅପେକ୍ଷା କରି ରହିବାକୁ ହୁଏ । ଦାନ୍ତଗୁଡ଼ାକ ଏକାବେଳେକେ ଝଡ଼ିଗଲା ପରି ମନେହୁଏ । ତେଣୁ ମଣିଷ ଆଉ କାହାକୁ କାମୁଡ଼ି ପକାଇବା କଥା କାହିଁକି ଭାବିବ ? ତେଣୁ ପରାଭବ ମାନି ନେବାକୁ ହୁଏ । ପନ୍ଦର ହଜାର ଇଚ୍ଛା ରହିଥିଲେ ମଧ୍ୟ ଆଉ ପଛକୁ ଅନାଇବାକୁ ସତ ବଳେନାହିଁ । ସେତେବେଳେ ଅଧସ୍ତନ ସଜ୍ଜ୍ନନମାନେ ଆଉ କଥା ମାନନ୍ତି ନାହିଁ, ଯେଝାର ଯିଏ ଆପଣା ସୁତରରେ ଚାଲିଯାଆନ୍ତି । ଏହିପରି ଏକ ଅବସ୍ଥାକୁ ବାର୍ଦ୍ଧକ୍ୟ ବୋଲି କୁହାଯାଏ । ମୁନିଗଣ ଏହି ଅବସ୍ଥାଟିକୁ ହିଁ କିଞ୍ଚିତ ମଧୁର ଭାବରେ ବାନପ୍ରସ୍ଥ ବୋଲି କହିଛନ୍ତି । ସେତେବେଳେ କିପରି ସମସ୍ତେ ଛାଡ଼ି ଚାଲିଯାଆନ୍ତି, ନିଜର ଦେହଟା କିପରି ଗଳିତ ଓ ପଳିତ ହୋଇ ପେଚାଟିଏ ହୋଇଯାଏ, ଅଦ୍ଭୁତ ଅଳଙ୍କାର ଦେଇ ଅଥଚ ଅତ୍ୟନ୍ତ ଭୟପ୍ରଦର୍ଶନକାରୀ ଭାଷାରେ କୁଶଳ କବିମାନେ ସେଗୁଡ଼ିକର ବର୍ଣ୍ଣନା କରିଯାଇଛନ୍ତି ।

 

ମାତ୍ର, ଡାକରା କ'ଣ କେବଳ ବୁଢ଼ା କାଳକୁ ଆସେ ? ଘଣ୍ଟା କ'ଣ କେବଳ ସେତିକିବେଳେ ବାଜେ ? ଡାକରା ତ ଜୀବନଯାକ ଆସୁଥାଏ, ଆହ୍ୱାନଗୁଡ଼ିକର ଘଣ୍ଟା ସବୁବେଳେ ବାଜୁଥାଏ । ମାତ୍ର ଆମର ନିଜ ସଂସ୍କୃତିର ନିୟନ୍ତ୍ରଣଗୁଡିକ ଆମକୁ ଏପରି ମଣ କରି ରଖିଥାନ୍ତି ଯେ, ଆମେ ସେହି ଡାକରାଗୁଡ଼ିକୁ ମୋଟେ ଶୁଣି ପାରୁନାହିଁ । ଶାସ୍ତ୍ରରେ ଆମ ଜୀବନକୁ ଏକ ଯଜ୍ଞ ବୋଲି କୁହାଯାଇଛି । ଏହାକୁ ଏକ ଆମନ୍ତ୍ରଣ ବୋଲି ମଧ୍ୟ କୁହାଯାଇପାରିବ । ଏହି ଆମନ୍ତ୍ରଣ ହେଉଛି ଯଜ୍ଞରେ ଆସି ବସିବାର ଆମନ୍ତ୍ରଣ । ଗାତରେ ପଶିଥୁବା ମଣିଷ ସେହି ଆମନ୍ତ୍ରଣକୁ ଆଦୌ ଶୁଣିପାରେ ନାହିଁ । ଜୀବନର ସମୁଦାୟ କ୍ଷେତ୍ର ଓ ସମୁଦାୟ ଆୟତନଟିକୁ ପ୍ରକୃତ ଶୃଙ୍ଗାରରେ ପରିଣତ କରି ରଖିବାକୁ ହେଲେ ନିରନ୍ତର ଏକ ବୈରାଗ୍ୟର ମଧ୍ୟ ଆବଶ୍ୟକତା ରହିଥାଏ । ଗଛର ବୈରାଗ୍ୟ କ'ଣ ଗଛ ବୁଢ଼ା ହେଲେ ଯାଇ ଆସେ ? ଫୁଲଟିଏ ଫୁଟାଇବା ସକାଶେ ମଧ୍ୟ ଗଛକୁ ବହୁ ବୈରାଗ୍ୟ ଆଚରଣ କରିବାକୁ ପଡ଼ିଥାଏ । ଆମ ଭିତରୁ ଯେଉଁମାନେ ନିଜ ଜୀବନରେ ଫୁଲଟିଏ ହୋଇ ଫୁଟି ଉଠିବାକୁ ହିଁ ଜୀବନର ସବୁଠାରୁ ବଡ଼ ଐଶ୍ଵର୍ଯ୍ୟ ଓ ଔଜ୍ଜ୍ୱଲ୍ୟ ବୋଲି ଗ୍ରହଣ କରି ନେଇଥାନ୍ତି, ସେମାନେ ସତେଅବା ଚାରିଟିଯାକ ଆଶ୍ରମକୁ ସତତ ବଞ୍ଚୁଥାନ୍ତି । ସେମାନଙ୍କ ଜୀବନରେ ଗୋଟିଏ ଆଶ୍ରମ ଆସେ ନାହିଁ । ସେମାନଙ୍କ ଜୀବନରେ ଭୋଗ ତ୍ୟାଗର ପରିପୂରକ ହୋଇ ରହିଥାଏ । ପାର୍ଥିବ ପରମାର୍ଥର ପରିପୂରକ ହୋଇ ରହିଥାଏ । ଅଧ୍ୟାତ୍ମର କବିମାନେ ବୋଧହୁଏ ଏହିପରି ଗୋଟିଏ ଜୀବନକୁ ଆଖି ଆଗରେ ରଖି ମଣିଷକୁ ନିତ୍ୟ-ଶିଶୁ ବା ଦିବ୍ୟଶିଶୁ ବୋଲି କହିଛନ୍ତି ।

 

ଏହି ସଂସାରରେ ସୁଖ ବା ସ୍ଵର୍ଗ କଦାପି ସମ୍ଭବ ହୋଇପାରିବ ନାହିଁ ବୋଲି ଯେଉଁମାନେ ଏକ କୁଶିକ୍ଷା ପାଇଥାନ୍ତି, ସେହିମାନେ ହିଁ ନିଜପାଇଁ ଗାତଟିଏ ଲୋଡ଼ନ୍ତି ଓ ସୁଖ ନାମରେ ଗାତ ଭିତରେ କଲବଲ ହେଉଥାନ୍ତି । ଅନ୍ୟ ଅନେକଙ୍କୁ କଲବଲ କରିବାରେ ଲାଗିଥାନ୍ତି । ନିଜେ ଦୈତ୍ୟ ହୋଇ ଏତେବଡ଼ ଗଡ଼ ଜିଣିପାରିବେ ବୋଲି କେତେକେତେ ଅନ୍ୟମାନଙ୍କୁ ମୁଷିକ କରି ରଖିଥାନ୍ତି, ନିଜେ ନିର୍ଧୂମ ଆନନ୍ଦ ଭିତରେ ଲଟପଟର ହେବାର ଉପଦ୍ରବକାରୀ କାମନାରେ ଅନ୍ୟମାନଙ୍କ ଲାଗି କେତେ ନିରାନନ୍ଦର କାରଣ ନ ହୁଅନ୍ତି । ମାତ୍ର ଏହି ପୃଥିବୀଟା ମଧ୍ୟ ଆମର ସମ୍ପଦରେ, ଆମର ଜ୍ଞାନରେ, ପ୍ରେମରେ ଓ ସମ୍ବେଦନଶୀଳତାରେ ସତକୁ ସତ ଏକ ସ୍ଵର୍ଗରେ ପରିଣତ ହୋଇପାରିବ ବୋଲି ବିଶ୍ଵାସ କରିପାରିଲେ ନିଜର ଘଣ୍ଟାଟିକୁ ଶୁଣିବାଲାଗି ଆଉ ବାର୍ଦ୍ଧକ୍ୟ ଯାଏ କଦାପି ଅପେକ୍ଷା କରିବାକୁ ପଡ଼ିଲା ନାହିଁ । ଘଣ୍ଟା ନିରନ୍ତର ଶୁଣା ଯାଉଥାନ୍ତା, ଆହ୍ୱାନ ନିରନ୍ତର ଆସୁଥାନ୍ତା । ଯୌବନ କେତେବେଳେ ହେଲେ ଛାଡ଼ି ପଳାଉ ନଥାନ୍ତା । କେତେବେଳେ ହେଲେ ପାକୁଆ ହୋଇଯିବା ପରି ଲାଗନ୍ତା ନାହିଁ । ଜୀବନର ରଥରେ ସେଇ ସାରଥି ହୋଇ ବସିଥାନ୍ତେ ଓ ବନ୍ଧୁପଣରେ ଚିତ୍ତକୁ ହରଣ କରି ନେଉଥାନ୍ତେ । ଏବଂ ଏହିପରି ହୋଇପାରିଲେ ଆମେ ଏହି ପୃଥିବୀକୁ ମଧ୍ୟ ବଦଳାଇ ଦେଇପାରନ୍ତେ । ପରିବର୍ତ୍ତିତ ସେହି ପୃଥିବୀରେ ଗାତ ଭିତରେ ଏକ ଚକ୍ରବର୍ତ୍ତୀ ହୋଇ ରହିବାର ଆଦୌ କୌଣସି ପ୍ରୟୋଜନ ରହନ୍ତା ନାହିଁ । ପୃଥିବୀ ଭଲ ଲାଗନ୍ତା । ପୃଥିବୀର ମଣିଷମାନେ କେଡ଼େ ଭଲ ଲାଗନ୍ତେ ଓ ପୃଥିବୀର ନିୟତି ସହିତ ନିଜକୁ ଗଅଁଠାଇ ରଖି ଆମେ କେତେ ଆନନ୍ଦର ଅଧିକାରୀ ହୋଇପାରନ୍ତେ । ତଥାକଥିତ ବୁଢ଼ାଦିନେ ମଧ୍ୟ ଆମ ଭିତରେ ପିଲାଟିଏ ବଞ୍ଚି ରହିଥାନ୍ତେ, କୁସୁମ ଫୁଟାଉ ଥାଆନ୍ତା, ବାସ ଚହଟାଇ ପାରୁଥାନ୍ତା ।

୨୭ । ୪ । ୯୦

Image

 

ଯୁଦ୍ଧଟାଏ ହୋଇଯିବା ଭଲ

 

କାଶ୍ମୀର ପାଖ ସୀମାନ୍ତରେ ଏବେ କେତେଦିନ ହେଲା ଯେଉଁ ସଂଘାତ ଲାଗିଛି, ବନ୍ଧୁ କଫି ପିଉପିଉ ତାହାରି କଥା କହୁଥିଲେ । ବନ୍ଧୁ ରାଜନୀତି କରନ୍ତି ନାହିଁ, ଯୁଦ୍ଧ ବିଭାଗରେ ଚାକିରୀ ମଧ୍ୟ କରନ୍ତି ନାହିଁ । ମାତ୍ର ରାଜନୀତିର ଖବର ରଖନ୍ତି । ଖୁବ ଖବର ରଖନ୍ତି; ଏବଂ ରାଜନୀତି ବିଷୟରେ ବନ୍ଧୁମେଳରେ ନିଜର ବ୍ୟକ୍ତିଗତ ମତମାନ ବି ଦିଅନ୍ତି । ଖୁବ୍ ଦିଅନ୍ତି । ସେଇ କହୁଥିଲେ ଯେ ସୀମା ଅଞ୍ଚଳରେ ଏହିସବୁ ଝଟାପଟା ଲାଗିବା ଅପେକ୍ଷା ଭାରତବର୍ଷ ଓ ପାକିସ୍ତାନ ମଧ୍ୟରେ ବରଂ ଗୋଟିଏ ଯୁଦ୍ଧ ହୋଇଯିବା ଉଚିତ । ସିଏ ଏକଥା ମଧ୍ୟ କହିଲେ ଯେ ଠିକ୍ କୋଡ଼ିଏ ବର୍ଷ ତଳେ ଏ ଦେଶର ସଦିଚ୍ଛାପୂର୍ଣ୍ଣ ଚକ୍ରାନ୍ତ ଫଳରେ ପାକିସ୍ତାନର ଗୋଟିଏ ଅଞ୍ଚଳ ଯେପରି ପାକିସ୍ତାନରୁ ଅଲଗା ହୋଇ ଆଉ ଗୋଟିଏ ସ୍ଵାଧୀନ ଦେଶରେ ପରିଣତ ହୋଇଗଲା, ପାକିସ୍ତାନ ସେହିକଥା ଅବଶ୍ୟ ମନେ ରଖିଛି ଏବଂ କାଶ୍ମୀରକୁ ଯେକୌଣସି ପ୍ରକାରେ ଭାରତବର୍ଷରୁ ଅଲଗା କରିନେଇ ସେହି ଅପମାନର ପ୍ରତିଶୋଧ ନେବାପାଇଁ ଇଚ୍ଛା କରୁଛି । ସତେବା ଭାରତବର୍ଷର କୋଷ୍ଠୀ ଦେଖି ଘରୁ ଆସିଥିବା ପରି ବନ୍ଧୁ ଏକଥା କହୁଥିଲେ । ପାକିସ୍ତାନର କୋଷ୍ଠୀ ଦେଖିଲେ କି ନାହିଁ କେଜାଣି ?

 

ପାକିସ୍ତାନର ବିରୋଧୀ ହୋଇଥିବାରୁ ଯେ ବନ୍ଧୁ ପାକିସ୍ତାନ ଓ ଭାରତ ମଧ୍ୟରେ ଗୋଟାଏ ଯୁଦ୍ଧ ହେଉ ବୋଲି ଇଚ୍ଛା କରୁଥିଲେ, ସେକଥା ମୋଟେ ନୁହେଁ । ଭାରତବର୍ଷର ହିତ ଚିନ୍ତା କରି ସିଏ ଏହି ଯୁଦ୍ଧ ହେଉ ବୋଲି ଚାହୁଥିଲେ । ଆପଣାର ବଳିଷ୍ଠ କାରଣମାନ ଦର୍ଶାଇ ସିଏ କହୁଥିଲେ ଯେ, ଭାରତବର୍ଷ ଭିତରେ ଅବସ୍ଥାମାନ ଯେପରି ହେଲାଣି, ସେଥରେ ଯୁଦ୍ଧ ଭଳି କୌଣସି ବିଶେଷ ଅବସ୍ଥାର ସମ୍ମୁଖୀନ ନ ହେଲେ ଭାରତବର୍ଷର ନିଦ ଆଦୌ ଭାଙ୍ଗିବ ନାହିଁ । ଏହି ଦେଶରେ ସବୁକିଛି ସବୁଆଡ଼ ହୁଗୁଳା ହୋଇଗଲାଣି । ନେତାମାନଙ୍କର ମୁଣ୍ଡ ଠିକ୍ ନାହିଁ, ଅମଲାମାନେ ହେଣ୍ଡି ମାରୁଛନ୍ତି । ଆଇନ ବୋଲି କିଛି ନାହିଁ । କାରଣ, କେହି ଆଇନ୍ ମାନୁନାହାନ୍ତି-। ବଡ଼ମାନେ ତ ମାନୁନାହାନ୍ତି, ସାନମାନେ ମାନିବେ ବା କାହିଁକି ? ଦେଶରେ ଘୋର ଅରାଜକତା ବ୍ୟାପିଗଲାଣି । ଢେଙ୍କାନାଳଠାରୁ ବିଙ୍ଗିଶାଳ ଯାଏ ଚଢ଼େଇବସାରେ ଢମଣାସାପ ପଶିଥିଲା ପରି ମନେ ହେଉଛି । ଏଠି ଆଉ କେହି କାହାକୁ ଅନାଉ ନାହାନ୍ତି । ଦୟା ମାୟା କିଛି ନାହିଁ । ଦେଶର ଦୂରବସ୍ଥା ରାଜରାଜୁଡ଼ାଙ୍କ ଅମଳଠାରୁ ମଧ୍ୟ ବଳିଗଲାଣି । ବ୍ରିଟିଶ ଅମଳରେ ତ ଶାସନ ବର୍ତ୍ତମାନଠାରୁ ବହୁତ ଗୁଣରେ ଅଧିକ ଭଲ ଥିଲା । କହୁ କହୁ ବନ୍ଧୁ କେତେ କ'ଣ କହିଗଲେ । ଏହି ଦେଶ ବିଷୟରେ ସେ ପ୍ରକୃତରେ ଅତ୍ୟନ୍ତ ଦରଦ ସହିତ ଚିନ୍ତା କରୁଛନ୍ତି ବୋଲି ଜଣା ପଡ଼ୁଥିଲେ ।

 

ବନ୍ଧୁ ଦେଶକୁ ସତେଅବା ଦୋହଲାଇ ଦେଉଥିବା ସନ୍ତ୍ରାସବାଦର କିଞ୍ଚିତ୍ ଚର୍ଚ୍ଚା କଲେ । ବାବରୀ ମସଜିଦ ସାଙ୍ଗକୁ ରାମଜନ୍ମଭୂମିର ପ୍ରସଙ୍ଗ ମଧ୍ୟ ପକାଇଲେ । ଶେଷକୁ ମନ୍ତବ୍ୟ ଦେଇ କହିଲେ ଯେ ଆମେ ସମସ୍ତେ ଭାରି ହୁଗୁଳା ହୋଇଯାଇଛୁ ଏବଂ ଗୋଟାଏ କିଛି ସଙ୍କଟ ଆସି ଆମ ଉପରେ ନ ପଡ଼ିଲେ ଆମର ଏହି ସବୁ ହୁଗୁଳାପଣ ମୋଟେ ଯିବନାହିଁ । ଭାରତ ଓ ପାକିସ୍ତାନ ମଧ୍ୟରେ ଯଦି ଗୋଟିଏ ଛୋଟଖାଟିଆ ଲଢ଼େଇ ଲାଗିଯାଏ, ତେବେ ତଦ୍ୱାରା ସମସ୍ତେ ଚେତିଯିବେ, ହୁଗୁଳାପଣ ଯିବ, ଅରାଜକତା ଦୂର ହେବ । ଏସବୁ ଯୁଦ୍ଧ ସାମୟିକ ନିଶ୍ଚୟ ହେବ, ଛୋଟଖାଟିଆ ମଧ୍ୟ ହେବ । ଛୋଟଖାଟିଆ ଦୁଇଟା ଦେଶ ଭିତରେ ବଡ଼ ସ୍ତରର କୌଣସି ଯୁଦ୍ଧ ଲାଗିବାର କୌଣସି ପ୍ରଶ୍ନ ହିଁ ଉଠୁନାହିଁ; ମାତ୍ର, ସେହି ଯୁଦ୍ଧ ଭାରତବାସୀଙ୍କୁ ଚେଙ୍ଗା କରିଦେବ । ନେତାମାନେ ଚେଙ୍ଗା ହୋଇଯିବେ, ଲୋକମାନେ ବି ଚେଙ୍ଗା ହୋଇଯିବେ । ନେତାମାନେ ଚେଙ୍ଗା ହେଲେ ଅମଲାମାନେ ବି ସିଧା ହେବେ, ସାଧ୍ୟ ଅଲବତ ହେବେ । ଦେଶକୁ ବାଟକୁ ଆଣିବାଲାଗି ସତେଯେପରି ଆଉ କୌଣସି ଅନ୍ୟ ବାଟ ନାହିଁ, କେବଳ ଗୋଟାଏ ଯୁଦ୍ଧ ଲାଗିଲେ ଯାଇ ହାତରୁ ଖସି ଯାଇଥିବା ଦଉଡ଼ିଗୁଡ଼ିକ ପୁନର୍ବାର ହାତକୁ ଆସିଯାଇ ପାରିବ ଓ ସବୁ ସମ୍ପୂର୍ଣ୍ଣ ଭାବେ ସୁଧୁରିଯିବ, ଏହି ଭଳି ଏକ ପୂର୍ଣ୍ଣ ପ୍ରତ୍ୟୟ ସହିତ ବନ୍ଧୁ ନିଜର କଥାଗୁଡ଼ିକୁ କହି ଚାଲିଥିଲେ ମୁଁ ପ୍ରତିବାଦ ନ କରି ଶୁଣି ଯାଉଥାଏ, ବନ୍ଧୁଙ୍କୁ ଉତ୍ସାହ ଦେବାପାଇଁ ଓ ଆପଣା ଚିତ୍ତବିନୋଦନ ପାଇଁ ହୁଁ ମାରିବାରେ ଲାଗିଥାଏ ଏବଂ ମନେମନେ ଭାବୁଥାଏ, ଗୋଟାଏ ଯୁଦ୍ଧଦ୍ୱାରା ଭାରତବର୍ଷର ଯଦି ପ୍ରକୃତରେ ଏତେସବୁ ଲାଭ ହେବ, ତେବେ ଅବିଳମ୍ବେ ପାକିସ୍ତାନ ସହିତ ଏହି ଯୁଦ୍ଧ ଲାଗିଯିବା ଉଚିତ । ପାକିସ୍ତାନରେ ମଧ୍ୟ ବର୍ତ୍ତମାନ କମ୍ ସମସ୍ୟା ଓ କମ୍ ଅରାଜକତା ଲାଗିନାହିଁ । ଭାରତବର୍ଷ ସହିତ ଗୋଟାଏ ମଧ୍ୟମ ବା ଉତ୍ତମ ଧରଣର ଯୁଦ୍ଧ ଲାଗିଗଲେ ତାହା ସେ ଦେଶର ହୁଗୁଳାପଣଗୁଡ଼ାକୁ ଦୂର କରିବାରେ ଅବଶ୍ୟ ବହୁତ ପରିମାଣରେ ସାହାଯ୍ୟ କରିପାରିବ, ହୁଏତ ପାକିସ୍ତାନରେ ମଧ୍ୟ ବର୍ତ୍ତମାନ କେତେକ ବ୍ୟକ୍ତି ନିଶ୍ଚିତ ସେପରି ଚିନ୍ତା କରୁଥିବେ ।

 

ଯୁଦ୍ଧଦ୍ୱାରା ସମାଜର କ'ଣସବୁ ଲାଭ ହୁଏ, ସେହି ବିଷୟରେ ଓଡ଼ିଆରେ ଗୋଟିଏ ଲିଖିତ ପ୍ରବନ୍ଧ ଅଛି । ଜଣେ ପ୍ରଖ୍ୟାତ ଓ ପ୍ରତିଷ୍ଠାପ୍ରାପ୍ତ ବ୍ୟକ୍ତିଙ୍କ ଦ୍ୱାରା ଲିଖିତ ସେହି ପ୍ରବନ୍ଧଟିକୁ ହାଇସ୍କୁଲ ପିଲାଙ୍କର ସାହିତ୍ୟବହି ଲାଗି ନିର୍ବାଚନ ମଧ୍ୟ କରା ହୋଇଥିଲା । ଅର୍ଥାତ୍, ଲଗାୟତ କେତେବର୍ଷ ଧରି ଓଡ଼ିଶାର ପିଲାଏ ପ୍ରବନ୍ଧଟିକୁ ଅଧ୍ୟୟନ କରୁଥିଲେ । ସେଥିରୁ ସେମାନଙ୍କର ପରୀକ୍ଷାରେ ନାନାଭଳି ପ୍ରଶ୍ନ ମଧ୍ୟ ପଡ଼ୁଥିଲା । ବିଗତ କେତୋଟି ଦଶକ ମଧ୍ୟରେ ଯୁଦ୍ଧର ଭୟାବହତା ଯେପରି ବୃଦ୍ଧି ପାଇଲାଣି, ଏବେ ସେଭଳି ଗୋଟିଏ ପ୍ରବନ୍ଧର ସମ୍ଭବତଃ ଆଦୌ କୌଣସି ପ୍ରାସଙ୍ଗିକତା ନାହିଁ । ତଥାପି, ସେକାଳ ପଶି ଏକାଳେ ମଧ୍ୟ କେତେ ମଣିଷଙ୍କର କଳ୍ପନାରେ ଓ ମଥାରେ ଯୁଦ୍ଧର ମହୁ ଲାଗି ରହିଛି । ଏପରି ମହୁ ଲାଗି ରହିଥିବା ବ୍ୟକ୍ତି ଖାଲି ଭାରତବର୍ଷରେ ନୁହେଁ, ବହୁ ଦେଶରେ ଅଛନ୍ତି । ଅତୀତରେ ବିଶ୍ଵଯୁଦ୍ଧମାନ ଲଢ଼ିଥିବା ବୃହତ୍‌ଶକ୍ତିମାନଙ୍କଠାରେ ଯେତେ ନାହିଁ, ନୂଆ ଡାଆଣୀମାନଙ୍କଠାରେ ତା'ଠାରୁ ଅପେକ୍ଷାକୃତ ଅଧିକ ରହିଛି ।

 

ପନ୍ଦରବର୍ଷ ତଳର ଭାରତୀୟ ଜରୁରୀ ଅବସ୍ଥା କଥା ମନେ ପଡ଼ିଯାଉଛି । ଜରୁରୀ ଅବସ୍ଥାକୁ ଏକାଧିକ ଦୃଷ୍ଟିରୁ ପ୍ରାୟ ଏକ ଜ୍ୱରର ଅବସ୍ଥା ବୋଲି କୁହାଯାଇ ପାରିବ । କୌଣସି ଦେଶର ସରକାରଙ୍କୁ ଜ୍ୱର ହେଲେ ସିଏ ସତେଅବା ଅନ୍ୟ କୌଣସି ସମାଧାନ ନଖୋଜି ଗୋଟାଏ ଜରୁରୀ ଅବସ୍ଥା ଜାରି କରି ଦିଅନ୍ତି । ସ୍ୱାଭାବିକ ମତି ହୁଡ଼ିଗଲେ ନିଜ ହାତରେ ସବୁଯାକ କ୍ଷମତା ଅତିଠୁଳ କରି ସତକୁ ସତ ମହାସମର୍ଥ ବୋଲି ଦିଶିବାକୁ ଶାସନକର୍ତ୍ତାମାନେ ଅନେକ ସମୟରେ ଏକ ଅମୋଘ ସମାଧାନ ବୋଲି ଧରି ନେଇଥାନ୍ତି । କୌଣସି ଦେଶର ପ୍ରଜାଙ୍କୁ ଜ୍ଵର ହେଲେ ସେମାନେ ମଧ୍ୟ ଏକ ଜରୁରୀ ଅବସ୍ଥାକୁ ବିଗିଡ଼ି ଯାଇଥିବା ସବୁକିଛିକୁ ସଜାଡ଼ି ପାରିବାର ଅମୋଘ ଉପାୟ ବୋଲି ମାନି ନେଇଥାନ୍ତି । ଡରୁଆମାନେ ସବାଆଗ ମାନି ନିଅନ୍ତି । ଭାରତବର୍ଷରେ ଜରୁରୀ ଅବସ୍ଥା ଜାରି ହୋଇଥିବା ସମୟରେ ଥରେ ଆମ ମହକୁମାରେ ମହାମାନ୍ୟ ସରକାର ଠିକା ଦେଇ ଏକ ସଭା ଡକାଇଥିଲେ । ମଉକା ପାଇ ସରକାରଙ୍କର ଗୋଟାସୁଦ୍ଧା ବୋଲି ଦେଖାଇ ହେବାକୁ ଓ ସେଥିରୁ ଲାଭବାନ୍ ହେବାକୁ ଯେଉଁ ଭୀରୁ ଭଦ୍ରଲୋକମାନେ କିଏ ବୋଲ ବତାଇବା ଆଗରୁ ବୋଲମାନ କରି ଦେବାକୁ ପ୍ରସ୍ତୁତ ହୋଇ ରହିଥିଲେ, ସେହିମାନଙ୍କର କଟୁଆଳପଣରେ ଏହି ସଭା ଡକା ଯାଇଥିଲା । ବଡ଼ ବଡ଼ ସାହିତ୍ୟିକ ଓ ଅଧ୍ୟାପକମାନେ ବକ୍ତା ରୂପେ ଡକାହୋଇ ଆସିଥିଲେ । ସତେଅବା ଛେଳି ହୋଇ ଖୁସୀ ମନରେ ସେମାନେ ସବାଆଗ ଧାଡ଼ିରେ ଦରବାର ମଣ୍ଡାଇ ବସିଥିଲେ । ଜନ୍ତୁରାଣଙ୍କର ଉପସ୍ଥିତିରେ ଭାଷଣମାନ ଆରମ୍ଭ ହେଲା । ଭାଷଣରେ ଜଣେ ଆରକୁ ବଳିଗଲେ । ପ୍ରତ୍ୟେକେ ସତେଅବା ନିଜକୁ ପାଟରାଣୀ ବୋଲି ପ୍ରତିପାଦନ କରିବାକୁ ସକସକ ହେଉଥିବା ପରି କେତେ କଥା କହିଲେ । ଜଣଙ୍କର କଥା ଏବେ ମଧ୍ୟ ମନେଅଛି । ସିଏ ମଣ୍ଡପ ଉପରକୁ ଉଠିବା ମାତ୍ରକେ କହିଲେ ଯେ ତାଙ୍କର ପୂର୍ବବର୍ତ୍ତୀ ବକ୍ତାମାନେ ବସେଇ ଯାହା କହିଲେ, ସିଏ ଏକାବେଳକେ ଅନ୍ତବୁଜୁଳା ଭିତରୁ ସେହି କଥାଟିକୁ ସିଧା କହିଦେବାକୁ ଆସିଛନ୍ତି । ଦେଶରେ ଜାରି ହୋଇଥିବା ଜରୁରୀ ଅବସ୍ଥା ପ୍ରକୃତରେ ତାଙ୍କର ନିଦ ଭାଙ୍ଗି ଦେଇଛି । ଆଗରୁ ସିଏ କେତେ ଫାଙ୍କି ଦେଉଥିଲେ, ଚେଇଁ ଶୋଇଥିଲେ, କର୍ତ୍ତବ୍ୟରେ ଖିଲାପ କରୁଥଲେ । ଜରୁରୀ ଅବସ୍ଥା ତାଙ୍କୁ ସତକୁ ସତ ଚେଙ୍ଗ କରିଦେଲା, ସେ କର୍ତ୍ତବ୍ୟପରାୟଣ ହୋଇପାରିଲେ ।

 

ମୂଳତଃ ଯେଉଁସବୁ ବାଳୁଙ୍ଗାପଣରୁ ଭାରତବର୍ଷରେ ଆମେ ପ୍ରାୟ ସମସ୍ତେ ଏତେ ହୁଗୁଳା ହୋଇ ପଡ଼ିଲୁଣି, ଗୋଟାଏ ଯୁଦ୍ଧକାଳୀନ ଅବସ୍ଥା ଆସି ଆମକୁ ଚେଙ୍ଗା କରିଦେବା ବ୍ୟତୀତ ଆମର ଅଚେତନ ଭାଙ୍ଗିବାର କ'ଣ ଆଉ କୌଣସି ଉପାୟ ନାହିଁ ? ମାଡ଼ୁଆମାନେ କୁଆଡ଼େ ଅନେକ ସମୟରେ କହନ୍ତି ଯେ ମାଡ଼ ନ ଖାଇଲେ ସେମାନେ ମୋଟେ ସାଧ୍ୟ ହେବେ ନାହିଁ । ଆର୍ତ୍ତ ଭକ୍ତମାନେ ଭଗବାନଙ୍କ ଆଡ଼କୁ ପିଠି ଦେଖାଇ ତାଙ୍କୁ ସତେ ଅବା ତାଙ୍କର ମନବୋଧ ହେବାଯାଏ ଛାଟ ମାରିବାଲାଗି ତାଙ୍କୁ ଉସୁକାଇ ଥାଆନ୍ତି । ଏଗୁଡ଼ାକ ବାଟ ନୁହେଁ । ଏଗୁଡ଼ାକ ବାଟ ନୁହେଁ ବୋଲି ଇତିହାସରେ ଅରକୁ ଥର ପ୍ରମାଣ ମିଳିଛି । ଏବେ ମଧ୍ୟ କମ୍ ପ୍ରମାଣ ମିଳୁନାହିଁ-। ସତକୁ ସତ ବଦଳିବା ଲାଗି ଏକ ସମ୍ମତି ଦରକାର, ସମ୍ମତି ସକାଶେ ଉପଯୁକ୍ତ ସାହସ ମଧ୍ୟ ଦରକାର ଏବଂ ସାହସୀ ହୋଇ ପାରିବାଲାଗି ଏକ ଅନ୍ତର୍ଗତ ସାଧୁତା ମଧ୍ୟ ଦରକାର । ଯୁଦ୍ଧ ମଣିଷକୁ ଛାନିଆ କରେ; ସାମୟିକ ଭାବରେ କର୍ମସଚେତନ କରେ ସିନା, ମାତ୍ର ତାହା ଅସାଧୁ ମଣିଷକୁ କଦାପି ସାଧୁ କରିପାରେ ନାହିଁ ।

୪ । ୫ । ୯୦

Image

 

ହିନ୍ଦୁଧର୍ମ ବିପନ୍ନ ହେଉଛି

 

ସମସ୍ତେ କହୁଛନ୍ତି ସବାଆଗ ମୁଁ । ତେଣୁ ମୁଁ ରହିବାର ଅର୍ଥ ହେଉଛି ପୃଥିବୀ ରହିବା । ଅର୍ଥାତ୍, ପୃଥିବୀ ପଛକେ ଭାସିଯାଉ, ମୁଁ ଅଲବତ୍ ରହିବି । ଏହି ଖାରିଆ ଓ ଏକଜିଦିଆ ମନୋଭାବଟାକୁ ଆଜିକାଲି ଆମ ପୃଥିବୀରେ Fundamentalism ବୋଲି କୁହାଯାଉଛି । ପରିସ୍ଥିତିରେ ପଡ଼ି, ଆମ ସାହୀଭାଷାମାନଙ୍କରେ ମଧ୍ୟ ତାହାର ପାରିଭାଷିକ ଅନୁବାଦମାନ କରାଗଲାଣି । ମନେ ହେଉଛି, ରାତି ପାହିବା ପୂର୍ବରୁ ଏମାନେ ବି ଏହି ପୃଥିବୀକୁ ବେଶ୍ କେତେଦିନ ନଚାଇବେ । ମଣିଷ ସତକୁ ସତ ତା' ଘୋଡ଼ା ମାନଙ୍କର ପିଠିରେ ବସିବା ପୂର୍ବରୁ ମଣିଷ ପିଠିରେ ବସି ଆସିଥିବା ଘୋଡ଼ାମାନେ ବେଶ୍ କେତେଦିନ ଉପଦ୍ରବ କରିବେ ।

 

କୌଣସି ଶଙ୍କରାଚାର୍ଯ୍ୟଙ୍କୁ ଭାରତର ଜନତା ସରକାର କୌଣସି ଅଭିଯୋଗ ହେତୁ ଗିରଫ କରିଛନ୍ତି ବୋଲି ଆଉ ଜଣେ ଶଙ୍କରାଚାର୍ଯ୍ୟ ତାକୁ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ଅଧିଷ୍ଠିତ ସରକାର ହିନ୍ଦୁଧର୍ମକୁ ବିପନ୍ନ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଶଙ୍କରାଚାର୍ଯ୍ୟ ବୋଲି ସମସ୍ତେ ସାଧାରଣତଃ ଯାହାଙ୍କୁ ବୁଝନ୍ତି, ସିଏ ଇତିହାସରେ ଜଣେ ଥିଲେ । ସେହି ଶଙ୍କରାଚାର୍ଯ୍ୟ ମାୟାବାଦୀ ଥିଲେ । ମାୟାବାଦୀମାନେ କେବଳ ବ୍ରହ୍ମକୁ ସତ୍ୟ ବୋଲି ଜାଣନ୍ତି-। ଜଗତକୁ ମିଥ୍ୟା ବୋଲି ଘୋଷଣା କରନ୍ତି । ଆଦି ଶଙ୍କରାଚାର୍ଯ୍ୟ ଜଗତଯାକକୁ ମାୟା ଓ ମିଥ୍ୟା ବୋଲି ଘୋଷଣା କରିଥିଲେ ମଧ୍ୟ ଭାରତର ଚାରିଧାମକୁ ଯାତ୍ରା କରିଥିଲେ । ସେଠାରେ ଜ୍ଞାନ ଲଢ଼ି, ଶାସ୍ତ୍ର ଲଢ଼ି ସେ ବିରୋଧୀ ମତବାଦମାନଙ୍କୁ ପରାସ୍ତ କରି ଦେଇଥିଲେ । ବୌଦ୍ଧଧର୍ମ ଉପରେ ସେତେବେଳେ ଭାରତସାରା ଯେଉଁ ଜୟଜୟକାର ହେଲା, ସଂସ୍କୃତ ସାହିତ୍ୟରେ ତାହାକୁ ଶଙ୍କର ଦିଗ୍‍ବିଜୟ ବୋଲି କୁହାଯାଇଛି । ସେହି ନାମରେ କେହି ଏକ ନାଟକ ମଧ୍ୟ ଲେଖିଛନ୍ତି । ଏହି ଦିଗ୍‍ବିଜୟ ନିମନ୍ତେ ଶଙ୍କରାଚାର୍ଯ୍ୟ ଭାରତବର୍ଷର ପରିକ୍ରମା କରିଥିଲେ । ବ୍ରହ୍ମ ସତ୍ୟ ଓ ଜଗତ୍ ମିଥ୍ୟା ବୋଲି ପ୍ରମାଣ କରିବାକୁ ସେ ଧାମଗୁଡ଼ିକରେ ସଭା ମଣ୍ଡାଇ ଥିଲେ ଓ ତର୍କ ଯୁଝିଥିଲେ । ତୁମେ ଯେତେ ଯାହା କହ ପଛକେ, ଦିଗ୍‍ବିଜୟ ଯେ ଆଦୌ ମିଥ୍ୟା ନୁହେଁ, ଶଙ୍କରାଚାର୍ଯ୍ୟ ସେହି ସତ୍ୟର ପ୍ରତିପାଦନ କରାଇ ଦେଇଥିଲେ ଓ ମାୟାଜଗତର ଅଧମ ମନୁଷ୍ୟମାନଙ୍କର ଜୀବନରେ ମାୟା ଲଗାଇ ଦେଇଥିଲେ, ସେମାନଙ୍କ ଆଖିରେ ସେ ଭେଳିକି ଲଗାଇ ଦେଇଥିଲେ ।

 

କଥିତ ଅଛି, ଦିଗ୍‍ବିଜୟ ସାଙ୍ଗ କରି ଶଙ୍କରାଚାର୍ଯ୍ୟ କେଦାରନାଥଠାରେ ଯାଇ ପହଞ୍ଚିଥିଲେ । ହିମାଳୟର ଅନିନ୍ଦିତ ସୌନ୍ଦର୍ଯ୍ୟର ଦର୍ଶନରେ ତାଙ୍କ ମନରେ ମାୟାବାଦ ହୁଏତ ପୁନର୍ବାର ପ୍ରଧାନ ଏବଂ ପ୍ରବଳ ହୋଇ ଉଠିଥିଲା ଓ ସେ ଏହି ମିଥ୍ୟା ସଂସାରକୁ ସତକୁ ସତ ପରିତ୍ୟାଗ କରି ଚାଲିଯିବା ପାଇଁ ବାସନା ପୋଷଣ କରିଥିଲେ । କିମ୍ବଦନ୍ତୀ କହୁଛି, ସେ ହିମାଳୟର ଅଖଣ୍ଡ ତୁଷାର ମଧ୍ୟକୁ ଚାଲି ଯାଇଥିଲେ ଏବଂ ନିଜ ମର ଜୀବନର ଅବସାନ ଘଟାଇଥିଲେ । ବାସନାକୁ ବର୍ଜନ କରିବାର ଉପଦେଶ ଓ ପରାମର୍ଶ ଦେଉଥିବା ସାଧୁମାନେ ଯେତେବେଳେ ସ୍ଵୟଂ ବାସନାର ଫାନ୍ଦରେ ପଡ଼ନ୍ତି, ସେତେବେଳେ ସେମାନେ କୌଣସି ପରିସ୍ଥିତିରେ ମଧ୍ୟ ସେଥିରୁ ଟଳି ଯାଆନ୍ତି ନାହିଁ । ତୁମ ଆମଭଳି ସାନମାନେ ଓ ମାୟାରେ ପଡ଼ି ଘାଣ୍ଟି ହେଉଥିବା ଅବରମାନେ ସିନା ବାରବାର ଟଳିଯାଆନ୍ତି, ବାରବାର ତଳକୁ ଖସି ଆସୁଥିଲେ ମଧ୍ୟ ତଥାପି ପର୍ବତ ଆରୋହଣ କରିବା ଲାଗି ଉଦ୍ୟମ କରୁଥାନ୍ତି, ମାତ୍ର ପ୍ରବରମାନେ କଦାପି ଟଳନ୍ତି ନାହିଁ । ବାସନାର ପୂରଣ କରନ୍ତି, ତେବେଯାଇ ଛାଡ଼ନ୍ତି ଅବଶ୍ୟ ଏକଥା ମଧ୍ୟ ସତ ଯେ ସେମାନଙ୍କର ବାସନା ହୃଦୟରୁ ନିଷ୍ପନ୍ନ ହୋଇନଥାଏ, ହୁଦ୍‌ବିସ୍ତାରର ଅନୁରୋଧରେ ପଡ଼ି ଆପଣାକୁ ଆଦୌ କ୍ରିୟାଶୀଳ କରିନଥାଏ । ସେମାନେ ନିଜର ଯୁକ୍ତି ମଧ୍ୟରୁ ହିଁ ସତ୍ୟରେ ଉପନୀତ ହୋଇଥାନ୍ତି, ଯୁକ୍ତିର ଶାସ୍ତ୍ରମାନ କାଢ଼ିଥାନ୍ତି ତେଣୁ ଶାସ୍ତ୍ରରେ ଜୀଅନ୍ତି, ଶାସ୍ତ୍ରରେ ମରନ୍ତି ।

 

ମାୟାବାଦୀ ଶଙ୍କରାଚାର୍ଯ୍ୟଙ୍କର ତିରୋଧାନ ପରେ ଭାରତବର୍ଷରେ ଶଙ୍କରମଠଗୁଡ଼ିକର ଆବିର୍ଭାବ ହେଲା । ଇତିହାସରୁ ଯେତିକି ସୂଚନା ମିଳୁଛି, ସ୍ୱୟଂ ମୂଳ ଶଙ୍କରାଚାର୍ଯ୍ୟ ଏହିସବୁ ମଠର ସ୍ଥାପନା ହେଉ ବୋଲି ଇଚ୍ଛା ପ୍ରକାଶ କରି ଯାଇଥିଲେ । ମାୟାବାଦ ମୂଳତଃ ଏକ ଦର୍ଶନ ହୋଇ ରହିଅଲା, ସାଧନା ଲାଗି ଏକ ମାର୍ଗ ହୋଇ ରହିଥିଲା; କାଳକୁ ଭଗବାନଙ୍କଠାରୁ ବଡ଼ ବୋଲି ମନେ କରୁଥିବା ଭିକାରୀମାନଙ୍କ କବଳରେ ପଡ଼ି ତାହା ଏକ ସଂପ୍ରଦାୟରେ ପରିଣତ ହେଲା । ସେହି ସଂପ୍ରଦାୟର ବିଶେଷ ବିଶେଷ ସନ୍ତକମାନ ମଧ୍ୟ ରହିଲା । ତତ୍କାଳୀନ ହିନ୍ଦୁ ରାଜାମାନେ ଏହି ସଂପ୍ରଦାୟର ବପୁନ୍ୟାସରେ ନିଶ୍ଚିତ ଅନେକ ସାହାଯ୍ୟ କରିଥିବେ-। ସତ୍ୟ ଏକ ଉପହାସରେ ପରିଣତ ହୋଇଯିବାକୁ ମନ କଲେ ଗଢ଼ଣଗୁଡ଼ିକ ପ୍ରାୟ ଅତ୍ୟନ୍ତ ସୁଚିନ୍ତିତ ଭାବରେ ଗୋଟିଏ ଗୋଟିଏ Establishmentରେ ପରିଣତ ହୋଇ ଯାଆନ୍ତି । ସତ୍ୟର ଗୋଡ଼ଗୁଡ଼ାକୁ ଗୋଦର କରି ରଖିବା ସକାଶେ ମଠ ବସାହୁଏ, ମଠ ନିମନ୍ତେ ସ୍ଥାବର ସମ୍ପତ୍ତିର ବ୍ୟବସ୍ଥା ହୁଏ । ରାଜାମାନେ ଦାନୀପଣ ଦେଖାଇବାକୁ ଆସନ୍ତି । ସତ୍ୟ ପୋଷା ମାନିଯାଏ-। ପଣ୍ଡିତମାନଙ୍କର ଚର୍ବ୍ୟ ଏବଂ ତୋଷ୍ୟରେ ପରିଣତ ହୋଇଯାଏ । ମାୟାବାଦୀମାନେ କେଡ଼େ ସୁନ୍ଦର ଭାବରେ ସଂସାରରେ ମିଶି ଯାଆନ୍ତି । ମାୟା ସଂସାରରେ ପୂଜା ପାଆନ୍ତି । ସେହି ପୁରୁଣା ନାଆଁଟାକୁ ପଗଡ଼ି କରି ବନ୍ଧି ନୂଆ ନୂଆ ପଉରୁଷ ଓ ପ୍ରଗଳ୍‍ଭତାର ହୃଦୟ ଭିତରେ ଆଇ ହସୁଥାଆନ୍ତି । ବଢ଼ିଆ ବଢ଼ିଆ ନାଆଁରେ ହାବେଳିବାଣ ଛୁଟେ । କାହାକୁ ଜ୍ୟୋତିଃପୀଠ କୁହାଯାଏ ଓ ଆଉ କାହାକୁ ଆଉ କ'ଣ କୁହାଯାଏ । ତେଣିକି ଭକ୍ତମାନେ ଖାଲି ଲହଡ଼ି ଭାଙ୍ଗିବାକୁ ତୀର୍ଥକୁ ଯାଆନ୍ତି । ପୃଥିବୀର ଭଳି ଭଳି ଅମର ଧର୍ମରେ ସତ୍ୟଟିଏ, ଦୃଷ୍ଟାନ୍ତଟିଏ ଅଥବା ପ୍ରେରଣାଟିଏ ଏକ ସଂପ୍ରଦାୟରେ ପରିଣତ ହୋଇଗଲେ ସତେଅବା ନିୟମତଃ ଯାହା ଘଟେ, ଭାରତୀୟ ମାୟାବାଦରେ ମଧ୍ୟ ଏକ ଗାଦୀ ନିର୍ଭର ଆନୁଷ୍ଠାନିକତାରେ ପରିଣତ ହେବାର ପ୍ରକ୍ରିୟାରେ ପ୍ରାୟ ସେହି ଘଟଣାଟିର ପୁନରାବୃତ୍ତି ଘଟିଛି । ସତ୍ୟଗୁଡ଼ିକୁ ଘୋଡ଼ାଇ ରଖିବାଲାଗି କାଳେ କାଳେ ଏହି ସଂସାର ଭିତରୁ ହିଁ ସଂସାରୀ ମଣିଷମାନଙ୍କର ଥାଟ ବାହାରିଛି, ତୀର୍ଥମାନେ ଗହଗହ ହୋଇ ଉଠିଛନ୍ତି । ସନ୍ନ୍ୟାସୀମାନେ ଗାଦି ଉପରେ ବସି ଜନବିବେକକୁ ହରଣ କରିଛନ୍ତି ।

 

ହିନ୍ଦୁଧର୍ମରେ ସତକୁ ସତ ଏକ ବାଟ ଚାଲିବାର ପ୍ରେରଣାକୁ ନାନାଭାବେ ଦବାଇ ଦେଇ ଆସ୍ଥାନଗୁଡ଼ାକୁ ଅଧିକାର କରି ବସିଥିବା Establishmentଟା ହିଁ ହିନ୍ଦୁଧର୍ମକୁ ଯୁଗେ ଯୁଗେ ସବୁଠାରୁ ଅଧିକ ବିପନ୍ନ କରିଛି । ରାଷ୍ଟ୍ରନାମକ ସତ୍ୟ ଏକ Establishmentରେ ପରିଣତ ହେଲେ ଯେଉଁପରି ଭାବରେ ର।ଜନୀତିକୁ ଖାଇଯାଏ, ତଥାକଥିତ ଜନନାୟକମାନେ ଏହିପରି ଏକ Establishment ବା ଦରବାର ସହିତ ରମଣସୁଖରେ ମତ୍ତ ହୋଇ ରହିବାକୁ ମନ କଲେ ଯେପରି ଜନଭାଗ୍ୟ ସତେଅବା କେଉଁ ଅସୁରର ଗର୍ଭରେ ଯାଇ ପଡ଼ିଗଲା ପରି ମନେ ହେଉଥାଏ, ଅଧ୍ୟାପକମାନେ Establishment ସହିତ ରମଣ ଇଚ୍ଛା କଲେ ଯେପରି ବିଚରା ବିଦ୍ୟାର୍ଥୀମାନେ ମ୍ଳେଚ୍ଛ ହୁଅନ୍ତି, ସାହିତ୍ୟିକ Establishment ସହିତ ବାହା ହେବାକୁ ହିଁ ଆପଣାର ଅଭ୍ୟୁଦୟପଥ ବୋଲି ଗ୍ରହଣ କରିନେଇ ଯେପରି ସାହିତ୍ୟକୁ ଖାଇଯାଏ ଓ ପ୍ରେମକୁ ବିକିଦେଇ ପୁରସ୍କାରକୁ ଲୋଡ଼େ, ଇଏ ପ୍ରାୟ ସେହିପରି ଏକ କଥା । ପୃଥିବୀର ସତ୍ୟଗୁଡ଼ାକ ଏହିପରି ଭାବରେ କାଳେକାଳେ ଦରବାର ପାଖରେ ବିକି ହୋଇ ଯାଇଛନ୍ତି, ମାୟାକୁ ସତେଅବା ଆପେ ପିଇବାକୁ ମନ କରୁଥିବା ଭାଙ୍ଗର ମସଲା କରି ବ୍ୟବହାର କରିଛନ୍ତି ଓ ସଂସାରଯାକକୁ ଭୁଲାଇ ରଖିଛନ୍ତି । ଅସଲ ସତ୍ୟ ଓ ଅସଲ ଧର୍ମ Establishmentଠାରୁ ଅଲଗା ରହନ୍ତା । ଅସଲ ରାଜନୀତି ଯେପରି Establishment ଠାରୁ ଅଲଗା ରହନ୍ତା, ଏକଥା ପ୍ରାୟ ଠିକ୍ ସେହିପରି । ଭଗବାନ ରୂପେ ପୂଜା ପାଉଥିବା କଣ୍ଢେଇଟାଏ ଦେଖିଲେ କେହି କଦାପି ତାହାରି ବଳରେ ହିଁ ଭଗବାନଙ୍କର ନିକଟବର୍ତ୍ତୀ ହୋଇ ଯାଏନାହିଁ । ସବାଆଗ ନିଜ ଭିତରେ ଅସଲ ଅଧ୍ୟାତ୍ମ-ସ୍ଵର୍ଶଟିକୁ ଲାଭ କରିପାରିଲେ ଭଗବତ୍‌ଦର୍ଶନ ନିମନ୍ତେ କଣ୍ଢେଇଗୁଡ଼ିକୁ କଦାପି ଅପେକ୍ଷା କରିବାକୁ ପଡ଼େ ନାହିଁ । ଆଦୌ କୌଣସି କଣ୍ଢେଇ ନ ଥିଲେ ମଧ୍ୟ ତଥାପି ଭଗବାନଙ୍କର ଦର୍ଶନ ହୁଏ, ଭଗବାନଙ୍କୁ ସଙ୍ଗରେ ନେଇ ବାଟ ଚାଲିହୁଏ, ଭଗବାନଙ୍କ ଲାଗି ଜୀବନଟିଏ ବଞ୍ଚିହୁଏ । ମଠମାନେ, ଗାଦୀମାନେ ଓ ଗାଦୀରେ ଗୋଟିଏ ମାଗି ଆଣିଥିବା ନାମ ଧରି ବସିଥିବା ଓ ସତେଅବା କୌଣସି ପରାକ୍ରମୀ ଖଳରାଜା ପରି ଦିଶୁଥିବା ଅମୁକ ବା ସମୁକମାନେ ଯୁଗେ ଯୁଗେ ମନୁଷ୍ୟ ଭିତରେ ରହିଥିବା ଅଧ୍ୟାତ୍ମଟିର ଅଭ୍ୟୁଦୟକୁ ବାଟ ଓଗାଳି ରହିଛନ୍ତି । ସେମାନେ ମଣିଷମାନଙ୍କର ପ୍ରଶ୍ନ ହୋଇ ରହିବାରେ ସାହାଯ୍ୟ କରି ଆସିଛନ୍ତି, ମଣିଷ ଭିତରେ ନାନା ମିଛ ଜାତି ସୃଷ୍ଟି କରି ମଣିଷକୁ ତା’ର ଅସଲ ସଦନଟି ବିଷୟରେ ବିସ୍ମୃତ କରି ରଖିଛନ୍ତି । ଦୂଆରଟିଏ ଖୋଲିବା ଅପେକ୍ଷା ମନ୍ଦିରଟିଏ ଗଢ଼ିବା ଉପରେ ଅଧିକ ମହତ୍ତ୍ୱର ଆରୋପ କରିଛନ୍ତି ।

 

ପୃଥିବୀର ସନ୍ଥମାନେ ହିଁ ଧର୍ମ ଓ ସଂପ୍ରଦାୟର ଏହି ରାଜସିକତାଗୁଡ଼ାକୁ ସିଧା ଆହ୍ୱାନ କରିବାକୁ ପ୍ରାୟ ଏକ ପରମ କର୍ତ୍ତବ୍ୟ ବୋଲି ଅନୁଭବ କରିଛନ୍ତି । ସେମାନେ ରାଜ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ସଂପ୍ରଦାୟର ପ୍ରତ୍ୟାଖ୍ୟାନ କରିଛନ୍ତି । ଖାଲି ତଥାକଥିତ ଧର୍ମର ପରିସରଗୁଡ଼ିକରେ ନୁହେଁ, ସାମୂହିକ ଜୀବନର ଯାବତୀୟ କ୍ଷେତ୍ରରେ ମଧ୍ୟ ସେମାନେ ଉଦ୍ଧତ ରାଜାମାନଙ୍କର ପ୍ରତ୍ୟାଖ୍ୟାନ କରିଛନ୍ତି । ସେମାନେ ମଠ ଇଚ୍ଛା କରିନାହାନ୍ତି, ସଂପ୍ରଦାୟ ଇଚ୍ଛା କରିନାହାନ୍ତି । ମାତ୍ର, ମଣିଷର ଅଭିପ୍ରେତ ଭାଗ୍ୟଟିକୁ ବିପନ୍ନ କରି ପ୍ରାୟ ସର୍ବଦା ସଂପ୍ରଦାୟକାମୀ ଅନ୍ୟ ଅନୁରକ୍ତିମାନେ ସେହି ସନ୍ଥମାନଙ୍କୁ ମଧ୍ୟ ଠାକୁରରେ ପରିଣତ କରି ନେଇଛନ୍ତି, ବ୍ରହ୍ମକୁ ପ୍ରାୟ ଆଢ଼ୁଆଳ କରି ରଖି ଗାଦୀବ୍ରହ୍ମର ପ୍ରତାରଣାକାରୀ ଅବତାରଣାମାନ କରାଯାଇଛି । ଅସଲ ସନ୍ଥମାନେ ଆରୋହଣ ଇଚ୍ଛା କରିଛନ୍ତି; କେବଳ ନିଜ ପାଇଁ ନୁହେଁ, ସମଗ୍ର ପୃଥିବୀଲାଗି ଆରୋହଣ କାମନା କରିଛନ୍ତି । ସେମାନେ ଉର୍ଦ୍ଧ୍ୱକୁ ବାଟ କାଢ଼ିଛନ୍ତି, ଅନ୍ତରଗଭୀରକୁ ବାଟ କାଢ଼ିଛନ୍ତି । ଯାବତୀୟ Establishmentର କୋପଦୃଷ୍ଟିରେ ପଡ଼ିଛନ୍ତି । ଧର୍ମର ଭେକ ଧାରଣ କରିଥିବା Establishment ମଣିଷକୁ ଗୋଟିଏ ଗୋଟିଏ ଉତ୍ତ୍ୟକ୍ତ ମେଣ୍ଟରେ ପରିଣତ କରି ରଖିଛି । ଉତ୍ତ୍ୟକ୍ତ ମେଣ୍ଢାମାନେ ହିଁ କାଳେ କାଳେ ମନ୍ଦିର ଓ ମସଜିଦ ମଧ୍ୟରେ କଳହ ଲଗାଇ ଦେଇଛନ୍ତି ଏବଂ ସତ୍ୟକୁ ମାୟାର ଢାଙ୍କୁଣିମାନ ଦେଇ ଘୋଡ଼ାଇ ରଖିଛନ୍ତି । Establishment ଦ୍ୱାରା ହିଁ ପୃଥିବୀ ସବୁଠାରୁ ଅଧିକ ପରିମାଣରେ ବିପନ୍ନ ହୋଇଛି । ଏବଂ, ବର୍ତ୍ତମାନ ଯେତେବେଳେ ସମଗ୍ର ପୃଥିବୀରେ ମଣିଷମାନେ ମନ୍ଦିର, ମଠ ଓ ସମ୍ପ୍ରଦାୟଗୁଡ଼ାକର ସୀମାତିକ୍ରମ କରି ଅଧ୍ୟାତ୍ମ ଓ ଅସଲ ମୂଲ୍ୟଗୁଡ଼ିକର ଯଥାର୍ଥ ଘରଗୁଡ଼ିକୁ ଫେରି ଆସିବାକୁ ବାହାରୁଛନ୍ତି, ବୃହତ୍‌ ନାମଧାରୀ କ୍ଷୁଦ୍ର ମଠାଧୀଶମାନେ ତାହାକୁ ହିଁ ଆପଣାଲାଗି ସବୁଠାରୁ ଅଧିକ ବିପଦ୍‌ଜନକ ମଣୁଛନ୍ତି, କ୍ରୋଧର କୁରାଢ଼ି ଉଞ୍ଚାଇବାକୁ ମନ କରୁଛନ୍ତି ।

୧୬ । ୫ । ୯୦

Image

 

Unknown

ଆଜିର ମଣିଷ ଆଜି ପରି

 

କାଲିର ମଣିଷ କାଲିପରି ଥିଲା ଓ ଆଜିର ମଣିଷ ଆଜିପରି ହୋଇଗଲାଣି । ଏହି ଆଜିଟାକୁ ପୁଣି ତିଆରି କରିଛି କିଏ ? ସମୟ ଅନୁସାରେ ସବୁ ବଦଳୁଛି ବୋଲି ଯେଉଁମାନେ କହନ୍ତି, ଏହି ସମୟଟା ପୁଣି କାହାଦ୍ଵାରା ତିଆରି ହେଉଛି ବୋଲି ସେମାନେ କହିବେ ? ସମୟଟାକୁ କ’ଣ ଭଗବାନ ତିଆରି କରିଛନ୍ତି ? କୋଉ ସମୟଟା କିପରି ହେବ ବା ନ ହେବ, ଏହି ପୃଥିବୀର ବାହାରେ ଥିବା କୌଣସି ସେକ୍ରେଟାରିଏଟ୍‌ରେ କ'ଣ ସେହି ବିଷୟରେ ଭଗବାନଙ୍କର ଅମଲାମାନେ କାଗଜପତ୍ର ତିଆରି କରୁଛନ୍ତି ଓ ସେହି କାଗଜ ଅନୁସାରେ ପୃଥିବୀରେ ସମୟ ଓ ବ୍ୟବସ୍ଥା ବଦଳୁଛି ? ମଣିଷ ନିଜେ କ'ଣ ହେବ ବା ନ ହେବ, ଏହି ନିଷ୍ପତ୍ତିଟିରେ କ'ଣ ମଣିଷର କୌଣସି ଭାଗ ନାହିଁ ? କାଲି ତୁଳନାରେ ଆଜିଟା ଖରାପ ହୋଇଯାଉ, ଅର୍ଥାତ୍, କାଲିର ମଣିଷ ତୁଳନାରେ ଆଜିର ମଣିଷ ଅଧିକ ମତଲବୀ ହେଉ, ସତରେ କ'ଣ କୌଣସି ଭଗବାନ ଏକଥା ଇଚ୍ଛା କରୁଥିବେ ଓ ସେହି ଅନୁସାରେ ପୃଥବୀଟାକୁ ଉଠାଉଥିବେ ବା ପକାଉଥିବେ ? ସମୟ ବଦଳିବା ଅନୁସାରେ ମଣିଷ ବି ଅଲବତ ବଦଳିଯିବ ବୋଲି କହୁଥିବା ସିଦ୍ଧାନ୍ତଟି ପ୍ରକୃତରେ ଏକ ମାରାତ୍ମକ ସିଦ୍ଧାନ୍ତ । ଏକ ଅତ୍ୟନ୍ତ ଦାୟିତ୍ୱହୀନ ସିଦ୍ଧାନ୍ତ । କେବଳ ଅତ୍ୟନ୍ତ ଚତୁର ବ୍ୟକ୍ତିମାନେ ହିଁ ଏଭଳି ସିଦ୍ଧାନ୍ତମାନ କରିବାକୁ ମନ କରିଥାନ୍ତି ।

 

ଯୁଗ ବଦଳି ଯିବାରୁ ମଣିଷ ବଦଳିଗଲା ବୋଲି ଯେଉଁମାନେ କହନ୍ତି, ସେମାନେ ଏପରି କହିବାରୁ ଅନେକ ଆତ୍ମଶ୍ଳାଘା ଅନୁଭବ କରିଥାନ୍ତି । ଆପଣାର ବହୁ ଅସମର୍ଥତାକୁ ପାଶୋରି ରହିବାକୁ ସେମାନେ ଏଥିରୁ ବହୁତ ପ୍ରୋତ୍ସାହନ ଲାଭ କରିଛନ୍ତି । ଭାରତବର୍ଷ ଯେ ପାରମ୍ପରିକ ଭାବରେ ଭାଗ୍ୟବାଦୀ ହୋଇ ରହି ଆସିଛି, ଅର୍ଥାତ୍ ଭାଗ୍ୟ ହି ମଣିଷକୁ ସବୁକିଛି କରାଏ, ମଣିଷ କିଛି କରେନାହିଁ ବୋଲି ଏକ ଅଳସ ସିଦ୍ଧାନ୍ତକୁ ଜୀବନତତ୍ତ୍ୱ ବୋଲି ଯେ ମାନି ନେଇଛି, ଏଥିରେ କାଳେ କାଳେ କତିପୟ ଭାଗ୍ୟବାନ୍ ହିଁ ସବୁଠାରୁ ଅଧିକ ଉପକୃତ ହୋଇଛନ୍ତି । ଭାଗ୍ୟବାଦୀ ଜୀବନଦର୍ଶନ ସମାଜର ଅଧିକସଂଖ୍ୟକ ମଣିଷଙ୍କୁ ଅକିଞ୍ଚନ ଓ ଅସମର୍ଥ କରି ରଖିଥାଏ ଏବଂ ସେହି କାରଣରୁ ହିଁ ତାହା ଭାଗ୍ୟବାନ କତିପୟଙ୍କୁ ପ୍ରାୟ ଗୋଟାସୁଦ୍ଧା ବର୍ବର ହୋଇ ରହିବାର ଏକ ନିର୍ଲଜ୍ଜ ପ୍ରଶ୍ରୟ ଯୋଗାଇ ଦେବାରେ ଲାଗିଥାଏ । କାଲି ଯାହା ଥିଲା, ଆଜି ତାହା ନାହିଁ । କାଲିର ଆଦର୍ଶ ଓ ଅଭୀପ୍‍ସାଗୁଡ଼ିକ ଚୁଲୀକୁ ପେଲିଦେଇ ଆଜିଟା ଯେ ଅତ୍ୟନ୍ତ ଓ ପ୍ରାୟ ଅସହ୍ୟ ମାତ୍ରାରେ ମତଲବୀ ହୋଇପଡ଼ିଛି, ଏଥିଲାଗି ଏହି ବର୍ବରମାନେ ହିଁ ପ୍ରଧାନତଃ ଦାୟୀ ହେବେ । ବର୍ବରମାନେ ଭୁଞ୍ଜିବାକୁ ହିଁ ସର୍ବପ୍ରଧାନ ଧର୍ମ ବୋଲି ଗ୍ରହଣ କରି ନେଇଥାନ୍ତି । ବର୍ବରମାନେ ଆପଣାକୁ ଦେଇ ପାରନ୍ତି ନାହିଁ, ଯଥାସମ୍ଭବ ସର୍ବାଧିକ କ୍ଷେତ୍ରରୁ ସର୍ବାଧିକ ସୁଯୋଗଗୁଡ଼ିକୁ ଝୁଣି ନେବାଲାଗି ଉର୍ଦ୍ଧ୍ୱଜିହ୍ୱା ହୋଇ ରହିଥାଆନ୍ତି । ସେମାନେ ସମୟଟାକୁ ବି ଆପଣାର ଅକ୍ତିଆରରେ ରଖିଥାନ୍ତି । ବର୍ବରମାନେ କ୍ଷମତା ଇଚ୍ଛା କରୁଥାନ୍ତି,–ଶାସନର କ୍ଷମତା, ରାଜନୀତିରେ କ୍ଷମତା, ବିଦ୍ୟା ଓ ବିବେକର ଯାବତୀୟ ଘରମାନଙ୍କରେ କ୍ଷମତା, ଧନର କ୍ଷମତା, ଜନସ୍ୱୀକୃତିର କ୍ଷମତା ଓ ସର୍ବୋପରି ମୁଖାମାନ ପିନ୍ଧି ସର୍ବଶ୍ରେଷ୍ଠ ଓ ସବାବଡ଼ ହୋଇ ଦିଶି ପାରିବାର କ୍ଷମତା । ଗତ ଚାଳିଶି ବର୍ଷ ହେଲା ଏହି ବର୍ବରମାନେ ହିଁ ଆମ ସାମୁହିକ ଜୀବନର ଯାବତୀୟ ଅଢ଼ାକୁ ଆତ୍ମସାତ୍ କରି ରହିଛନ୍ତି । ମତଲବୀ ଜୀବନଟା ଯେ ସବୁଠାରୁ ଅଧିକ ଫଳପ୍ରଦ ଜୀବନ, ସେମାନେ ସେହି ବିଷଟିକୁ ଆମ ଦେଶର ଯାବତୀୟ କ୍ଷେତ୍ରରେ ଚକ୍ରାନ୍ତ କଲାପରି ଚରାଇ ଦେଇଛନ୍ତି ଏବଂ ସମୟ ହିଁ ସବୁକିଛି କରୁଛି ବୋଲି ଏକ ଶବ୍ଦଦ୍ୱାରା ସେମାନେ ଏ ଦେଶର ଆକାଶକୁ ଗୋଟାସୁଦ୍ଧା ଆଚ୍ଛନ୍ନ କରି ରଖିବେ ବୋଲି କହି ବୁଲିବାରେ ଲାଗିଛନ୍ତି ।

 

ସମୟ ବଦଳିଗଲା ବୋଲି ମଣିଷ ବଦଳିଗଲା, ଏକଥା ବର୍ବରମାନେ କହନ୍ତି । ମଣିଷ ନିଜେ ମନ କଲେ ତା’ର ସମୟଟାକୁ ମଧ୍ୟ ବଦଳାଇବାର ସଂକଳ୍ପ ଗ୍ରହଣ କରେ ବୋଲି ସେମାନେ ବିଶ୍ୱାସ କରିବାକୁ ମଧ୍ୟ ଭୟ କରିଥାଆନ୍ତି । ମଣିଷ ହିଁ ତା' ବାଟଟିକୁ ବାଛୁଛି; ତେଣୁ ସମୟ ଯେତେବେଳେ ଯେପରି ହେଉଛି, ସେଥିରେ ଏହି ମଣିଷର ହିଁ ସର୍ବମୂଳ ଦାୟିତ୍ୱ ରହିଛି,–ଏହା ହେଉଛି ଏକାବେଳେକେ ଏକ ଅନ୍ୟ ନେତୃତ୍ୱର କଥା, ଏକାବେଳେକେ ଏକ ଅନ୍ୟ ଅଧ୍ୟାତ୍ମର କଥା-। ଏକ ଅନ୍ୟ ଦାୟିତ୍ୱବୋଧର କଥା । ଯେଉଁମାନେ କୌଣସି ସମାଜରେ ଦାୟିତ୍ୱର ସ୍ଥାନମାନଙ୍କରେ ରହିଥାନ୍ତି, ସେମାନେ ହୁଡ଼ିଲେ ସେମାନଙ୍କର ସମୟଟି ମଧ୍ୟ ହୁଡ଼ିଯାଏ । ଭାରତବର୍ଷରେ ଗତ କେତେ ଦଶନ୍ଧି ହେଲା ମୁଖ୍ୟତଃ ଏହାହିଁ ହୋଇଛି । ରାଜନୀତିକ ସ୍ୱାଧୀନତା ନିମନ୍ତେ ଭାରତବର୍ଷରେ ଯେତେବେଳେ ସଂଗ୍ରାମ ଚାଲିଥିଲା, ସେତେବେଳେ ସେହି ଅବକାଶରେ ସାମିଲ ହୋଇଥିବା ସଂଗ୍ରାମୀମାନଙ୍କର ଏକ ଅଭୀପ୍‍ସା ରହିଥିଲା, ଏକ ଭବିଷ୍ୟସ୍ୱପ୍ନ ଥିଲା ଏବଂ ସେହି ଅନୁସାରେ ଭାରତବର୍ଷ ବିଷୟରେ ଏକ ଭବିଷ୍ୟଚିତ୍ର ମଧ୍ୟ ରହିଥିଲା । ପ୍ରଧାନତଃ ଏହି କାରଣରୁ ଆପଣାର ଅଶେଷ ଦୁର୍ବଳତା ସତ୍ତ୍ୱେ ସେତେବେଳେ ଆପଣାକୁ କେଡ଼େ ସବଳ ଲାଗୁଥିଲା । ଆପଣାର ବହୁ ଅପୂର୍ଣ୍ଣତା ସତ୍ତ୍ୱେ ଆପଣା କର୍ମକ୍ଷେତ୍ରରୁ ତଥାପି କେତେକେତେ ପୂର୍ଣ୍ଣତାର ପ୍ରେରଣା ମିଳି ଯାଉଥିଲା । ଆପଣା ଭିତରେ ଯେଉଁ ଅସଲ ମଣିଷଟି ଆପଣାଠାରୁ ବୃହତ୍ତର କୌଣସି ଏକ ଲକ୍ଷ୍ୟର ସାଧନ ଲାଗି ଆପଣାକୁ ଦେଇ ଦେବାଲାଗି ସମ୍ମତ ହୋଇ ରହିଥିଲା, ତାହା ଉପରେ ମଣିଷର ବିଶ୍ୱାସ ରହିଥିଲା । ନିଜ ଭିତରେ ରହିଥିବା ଭଲ ଉପରେ ବିଶ୍ୱାସ କରି ପାରୁଥିବାରୁ ଜଣେ ବ୍ୟକ୍ତି ଅନ୍ୟମାନଙ୍କ ଭିତରେ ମଧ୍ୟ ମୂଳତଃ ରହିଥିବା ଭଲଟି ଉପରେ ବିଶ୍ୱାସ ରଖି ପାରୁଥିଲା-। ଭଲ ଉପରେ ବିଶ୍ଵାସ ଅର୍ଥାତ୍ ଧର୍ମ ଉପରେ ବିଶ୍ୱାସ । ଧର୍ମ ଉପରେ ବିଶ୍ୱାସ ଅର୍ଥାତ୍ ନିଜର ମସ୍ତିଷ୍କଟା ଅପେକ୍ଷା ନିଜର ଦୃଦୟ ଉପରେ ଅଧିକ ବିଶ୍ୱାସ । ଯେଉଁମାନେ ହୃଦୟଟାକୁ ମାରିଦେଇ ମସ୍ତିଷ୍କଟା ଉପରେ ଅଧିକ ବିଶ୍ୱାସ କରନ୍ତି, ସେହିମାନେ ହିଁ ପ୍ରାୟ ସଚରାଚର ପ୍ରୟୋଜନବାଦୀ ହୋଇଥାଆନ୍ତି । ପ୍ରୟୋଜନବାଦୀ ଚାଲାଖ ହୁଏ, ହିସାବୀ ହୁଏ, ମତଲବୀ ହୁଏ । ଏକା ସେଇ ସଂସାରରେ ରହିବ, ବଡ଼ ହେବ, ମୋଟା ଦିଶିବ ଏବଂ ବପୁ ବଢ଼ାଇବ ବୋଲି ଅତ୍ୟନ୍ତ ପ୍ରକୁପିତ ଭାବରେ କାମନା କରିବାରେ ଲାଗିଥାଏ ।

 

ପ୍ରୟୋଜନବାଦୀ ମଣିଷମାନଙ୍କର ଧାତୁ ଗୋଟାସୁଦ୍ଧା ଅଲଗା । ସେମାନଙ୍କର ଦୀକ୍ଷା ଅଲଗା, ସେମାନଙ୍କର ଯାବତୀୟ ଅନୁମାନ ଓ ମୂଲ୍ୟଗତ ନ୍ୟାସଗୁଡ଼ାକ ମଧ୍ୟ ଅଲଗା । ଭାରତବର୍ଷରେ ସ୍ୱାଧୀନତା ପରେ ଏହି ପ୍ରୟୋଜନବାଦୀମାନଙ୍କର ମୁଣ୍ଡରେ ହିଁ ସବୁଯାକ କଳସ ଢଳାହେଲା । ଆହୁରି ଅଧିକ ଯୁକ୍ତିଯୁକ୍ତ ଭାବରେ କହିଲେ, ଏହିମାନେ ହିଁ ପ୍ରାୟ ସବୁଯାକ କଳସକୁ ନେଇ ନିଜ ନିଜ ମୁଣ୍ଡର ମୁଣ୍ଡାଇଲେ । ସେଇମାନେ ରାଜନୀତିର ମଙ୍ଗମାନଙ୍କୁ ପୋଡ଼ିଦେଲେ, ଶାସନ ଭିତରେ ବହୁ ଅସଭ୍ୟତା ଆଣି ପୂରାଇଲେ ଓ ଆମ ଶିକ୍ଷାଘରେ ମଧ୍ୟ ଶାଗୁଣା ହୋଇ ପଶିଲେ । ମଣିଷର ମୁହଁଠାରୁ ମଣିଷର ମୁଖଗୁଡ଼ାକର ଅଧିକତର ଜୟଜୟକାର ହେଲା । ନ୍ୟାୟାଳୟଠାରୁ ଆରମ୍ଭ କରି ପୋଲିସ ଥାନା ଲଗାଏତ ଆମ ଗାଁର ଚଉପାଢ଼ୀ ପର୍ଯ୍ୟନ୍ତ କ୍ରମେ ତୁଚ୍ଛା ପ୍ରୟାଜନବାଦୀମାନଙ୍କୁ ହିଁ ଦେଖିବାକୁ ମିଳିଲା । ତେଣୁ ଏହି ଦେଶରେ କାଲି ଆମେ ଏକ ଅନ୍ୟ ସ୍ଵପ୍ନ ଦେଖିଥିଲେ ମଧ୍ୟ ଆମର ଆଜିଟା ଏକାବେଳକେ ଅନ୍ୟ ପ୍ରକାରର ହୋଇଗଲା । ଏଥିଲାଗି ଆମେ ସମୟଟାକୁ କାହିଁକି ଦାୟୀ କରିବା ? ଭାଗବାନଙ୍କୁ ବା କାହିଁକି ଦାୟୀ କରିବା-? ବାହାରୁ କାଳର କୌଣସି କୁଠାରଦ୍ୱାର ବାଧ୍ୟ ହୋଇ ଆଜିର ମଣିଷ ମତଲବୀ, ଆତ୍ମକାମୀ ଓ ପ୍ରୟୋଜନବାଦୀ ହୋଇନାହିଁ । ସିଏ ଯାହା ଇଚ୍ଛା କରିଛି, ତାହା ହିଁ ହୋଇଛି । ଏବେ ମଧ୍ୟ ଇଚ୍ଛା କଲେ ସିଏ ଅନ୍ୟପ୍ରକାର ବି ହୋଇ ପାରିବ । ବିକଳ୍ପଟିଏ ହେବାକୁ ମନା କରୁଥିବା ମଣିଷ ସ୍ଵୟଂ ଇଚ୍ଛା ଥିଲେ ଅଲବତ ବିକଳ୍ପଟିଏ ହୋଇପାରିବ । ସଂସାରରେ ଅଧିକ ମଣିଷ ଘୃଣା କରି ଆସିଛନ୍ତି-। ତଥାପି ଭଲ ପାଇବାର ଦ୍ଵାରଗୁଡ଼ିକ ଏବେ ମଧ୍ୟ ଉନ୍ମୁକ୍ତ ହୋଇ ରହିଛି । ସଂସାରରେ ଅଧିକାଂଶ ମଣିଷ ସଚରାଚର ଭୟ କରି ଆସିଛନ୍ତି ଓ ଭୀରୁ ହୋଇ ରହିଛନ୍ତି । ତଥାପି ମଣିଷ ଲାଗି ସାହସର ପଥଟି ମୋଟେ ବନ୍ଦ ହୋଇ ଯାଇନାହିଁ ।

 

ଆଧୁନିକ ସାହିତ୍ୟରେ ସମ୍ଭବତଃ ଏହି ପ୍ରୟୋଜନବାଦୀ ଦାୟିତ୍ୱଭୀରୁ ଆତ୍ମକାମୀମାନେ ଏବେ ରାଜା ହୋଇ ବସିଛନ୍ତି । ଆପଣାର ସାହିତ୍ୟଠାରୁ ଆପଣାର ସୁନାରୂପାଗୁଡ଼ାକ ସହିତ ସେମାନେ ସମ୍ଭବତଃ ଅଧିକ ଭାବ ଜମାଇଛନ୍ତି ଓ ତାହାରି ଘରେ ଦୋଚାରୁଣୀ ହୋଇ ରହିବାକୁ ସଫଳ ଜୀବନ ବୋଲି ଭାବୁଛନ୍ତି ବୋଲି ସେମାନେ ପ୍ରୟୋଜନବାଦୀ ହୋଇଛନ୍ତି ଏବଂ ସମୟକୁ ଦୋଷ ଦେବାରେ ଲାଗିଛନ୍ତି । ଆଜିର ମଣିଷଲାଗି ଆଜିକୁ ଦୋଷ ଦେଉଛନ୍ତି । ମିଥ୍ୟାଟାକୁ ହିଁ ସବୁକିଛି ବୋଲି ମାନି ନେଇଛନ୍ତି । ପ୍ରୟୋଜନବାଦୀ ସଚରାଚର ଏହି ମିଥ୍ୟାଟାକୁ ହିଁ ଦେଖୁଥାଏ ଏବଂ ଉଜ୍ୱଳ ଆଳଙ୍କାରିତା ଦେଇ ତାହା ସତେଅବା ସବୁଠାରୁ ଅଧିକ ବଳୀୟାର ବୋଲି ମାନି ନେଇଥାଏ । ମୁଁ ଯାହାକୁ ମାନିନେବି, ମୁଁ ତାହା ଭିତରୁ ବାହାରିବାର ବାଟ ଦେଖାଇ ପାରିବି କିପରି-? ମଣିଷ ଯାହାକୁ ମାନିନିଏ, ସେ ତାହାକୁ ହିଁ ଭାଗ୍ୟ ବୋଲି କହେ । ଆଜିର ମଣିଷ କାହିଁକି ଏପରି ହୋଇଗଲା, ତାକୁ ଉଖାରିବା ଲାଗି ପ୍ରୟୋଜନବାଦୀ ସାହିତ୍ୟିକ ସାହସ ମଧ୍ୟ କରେ ନାହିଁ । ବାସ୍ତବଟାକୁ ମାନିନେବା ଗୋଟିଏ କଥା, ବାସ୍ତବ ଭିତରେ ଏକ ସମ୍ଭାବ୍ୟ ବିକଳ୍ପଟିକୁ ଠାବ କରିବା ସମ୍ପୂର୍ଣ୍ଣରୂପେ ଆଉ ଏକ କଥା ବାସ୍ତବଟା ଦ୍ୱାରା ଉପକୃତ ହେଉଥିବା ସାହିତ୍ୟିକ ହିଁ ବାସ୍ତବଟାକୁ ମାନିନିଏ ।

୨୩ । ୫ । ୯୦

Image

 

ବଦ୍ଧୋଽସ୍ମେର୍ଥନ କୌରବୈଃ

 

କେତେକ ପଣ୍ଡିତ କହନ୍ତି, ନାରୀ ସକାଶେ ଏହି ଜଗତରେ ଯାବତୀୟ କନ୍ଦଳ ଉପୁଜିଛି । ପୁରୁଷ ଭିତରେ କେଉଁଠି ଏପରି କ'ଣ ଅବର୍ଜିଆ କୋପନଟିଏ ଲୁଚି ରହିଛି କେଜାଣି, ନାରୀକୁ ବିଣ୍ଡି କରି ସିଏ ଏହି ସଂସାରରେ ଯାବତୀୟ ଖଳବ ସୃଷ୍ଟି କରିବାକୁ ଆଗଭର ହୋଇ ବାହାରି ଆସିଛି । ନାରୀ ହିଁ ଓଡ଼ିଶାର ପତନର ସବା ବଡ଼ କାରଣ ବୋଲି ଓଡ଼ିଶାରେ ଆମ ଏଯୁଗର ଜଣେ ଇତିହାସ-ଅଧ୍ୟାପକ ମତବ୍ୟକ୍ତ କରିଛନ୍ତି । ଆଉ କିଏ କିଏ କହନ୍ତି ଯେ ଅର୍ଥ ହେଉଛି ପୃଥିବୀରେ ଯାବତୀୟ ଅନର୍ଥର ମୂଳ । ଅର୍ଥରୁ କୁଆଡ଼େ ଅହଙ୍କାର ଆସେ । ସମ୍ଭବତଃ ସେହିଭଳି ଏକ ବିପଦର ଆଶଙ୍କା ରହିଥିବାରୁ ସୁଧୀମାନେ ଯୁଗେ ଯୁଗେ କାମିନୀ ସହିତ କାଞ୍ଚନକୁ ମଧ୍ୟ ପୃଥିବୀର ପ୍ରଧାନ ପ୍ରଧାନ ପାପିଷ୍ଠ ଓ ତେଣୁ ବର୍ଜନୀୟ ବସ୍ତୁଗୁଡ଼ିକ ମଧ୍ୟରେ ଅଗ୍ରଗଣ୍ୟ ବୋଲି କହି ଆମକୁ ଭାରି ସତର୍କ କରି ଦେଇଛନ୍ତି । ଅର୍ଥ ବାନ୍ଧି ପକାଏ; ମୁହଁକୁ ବାନ୍ଧି ପକାଏ, ବିବେକକୁ ମଧ୍ୟ ବାନ୍ଧିପକାଏ ।

 

ମହାଭାରତର ଭୀଷ୍ମ, ଦ୍ରୋଣ,–ଏମାନେ ସେ ଯୁଗରେ କେଡ଼େ କେଡ଼େ ଆସ୍ଥାନରେ ରହିଥିଲେ । ସେମାନଙ୍କୁ ମହାକାବ୍ୟରେ ଜଣେ ଜଣେ ମହାମନା ମନୀଷୀ ବୋଲି ଘୋଷଣା କରାଯାଇଛି । ସେମାନେ ଖାଲି ଧନୁର୍ବିଦ୍ୟାରେ ପ୍ରବୀଣ ନଥିଲେ, ଆହୁରି ଅନେକ ଅନେକ ବିଦ୍ୟାକୁ ହାତମୁଠାରେ ରଖିଥିଲେ । ମୁହଁ ଖୋଲିଦେବା ମାତ୍ରକେ ସେମାନଙ୍କ ପେଟରୁ ନୀତିବାକ୍ୟମାନ ଅଜାଡ଼ି ହୋଇ ପଡ଼ୁଥିଲା । ସମସ୍ତେ ସେମାନଙ୍କୁ ଗୁରୁ ବୋଲି ମାନୁଥିଲେ । ତଥାପି, ଅସଲ ମଉକାବେଳେ ସେମାନେ ଅଧର୍ମ ପଟେ ରହିଲେ । ତୁମ ଆମପରି ସାଧାରଣ ମଣିଷ ଅଜାଣତରେ ସିନା ଅଧର୍ମ ଭିତରକୁ ହୁଡ଼ି ଯାଆନ୍ତି, ମାତ୍ର ଏମାନେ ଜାଣି ଜାଣି ସତେଅବା ଏକ ନିର୍ମଳ ବିବେକର ସହିତ ଅଧର୍ମର ପକ୍ଷ ଗ୍ରହଣ କରିଥିଲେ । ଅଧର୍ମର ନିମକ ଖାଉଥିଲେ, ତେଣୁ ଧର୍ମକୁ ଜାଣିଥିଲେ ମଧ୍ୟ ସେମାନେ ଏହାକୁ ମନ କଲେ ନାହିଁ, ଅଧର୍ମପାଖେ ହିଁ ରହିଗଲେ । କେଡ଼େ ସୁଚିନ୍ତିତ ଭାବରେ ସେମାନେ ଆପଣାର ନିମକଘରଟିକୁ ସବାଆଗ ବୋଲି ମାନି ନେଉଥିଲେ ଓ ତାହାକୁ ହିଁ ଜୀବନର ସର୍ବପ୍ରଧାନ ନିରାପଦ କର୍ତ୍ତବ୍ୟ ବୋଲି ଜାଣୁଥିଲେ । ପଶାଖେଳ ବେଳେ ସେମାନେ ଚୁପ୍ ହୋଇ ବସିଥିଲେ, ଅଧମମାନେ କିପରି ପଶାଖେଳରେ ମାତିଛନ୍ତି, ନିମନ୍ତ୍ରିତ ଭଦ୍ରବ୍ୟକ୍ତି ଭାବରେ ବାହାରୁ ଥାଇ ତାହାକୁ ଅବଲୋକନ କରୁଥିଲେ ଓ ସ୍ଵୟଂ ଉଚ୍ଚରେ, ଉତ୍ତମ ସ୍ଥାନରେ ଅଛନ୍ତି ବୋଲି ହୁଏତ ହୃଷ୍ଟ ମଧ୍ୟ ହେଉଥିଲେ । ସେମାନେ ଛାର ଶକୁନିଟାର ମଧ୍ୟ ପ୍ରତିବାଦ କରି ପାରିଲେ ନାହିଁ । ସେମାନଙ୍କର ଆଖିଆଗରେ ଗୋଟିଏ ଅବଳାକୁ ଆଣି ଅପମାନିତ କରିବାର ପାଷଣ୍ଡ କାର୍ଯ୍ୟ କରାଗଲା, ଅଥଚ ସଂଯମୀମାରେ ତଥାପି ଟଳିଲେ ନାହିଁ, ତୁମ ଆମ ସାଧାରଣ ମଣିଷଙ୍କ ଭଳି ସମସ୍ତ ସହିଷ୍ଣୁତାର ଆକଟକୁ ଅମାନ୍ୟ କରି ଅନାଚାରର ପ୍ରତିବାଦ କଲେ ନାହିଁ, ଅନ୍ତତଃ ନୀରବରେ ସେହି ସ୍ଥାନ ଛାଡ଼ି ଚାଲି ଗଲେନାହିଁ ।

 

ମହାଭାରତ ଯୁଦ୍ଧରେ ମଧ୍ୟ ଏହି ଗୁଣୀମାନେ କୌରବମାନଙ୍କର ପଟରେ ରହିଥିଲେ । ଦୁର୍ଯ୍ୟୋଧନ ଓ ଦୁଃଶାସନମାନେ ସେମାନଙ୍କୁ ଯାଉଣୁ ଆସୁଣୁ ଟାହି କରୁଥିଲେ, ଧମକ ଦେଉଥିଲେ-। ପଣ୍ଡିତମାନେ ସେହି ସବୁକିଛି ସହ୍ୟ କଲେ । ସେମାନେ ସେହି ଅନ୍ୟାୟପଟେ ରହି ଯୁଦ୍ଧ କଲେ, ଅର୍ଥପ୍ରତି ଆପଣାର ଆନୁଗତ୍ୟ ଦେଖାଇଲେ । ଧର୍ମଠାରୁ ଯେ ରଜାମାନେ ଅନେକ ଅଧିକ ବଡ଼, ସେହି କଥାଟିର ଦୃଷ୍ଟାନ୍ତ ହୋଇ ରହିଲେ । କୌରବମାନେ ଅର୍ଥଦ୍ୱାରା ସେମାନଙ୍କୁ ବାନ୍ଧି ରଖିଛନ୍ତି ବୋଲି ସେମାନେ ସ୍ୱୀକାର ମଧ୍ୟ କରୁଥିଲେ । ଅର୍ଥ ଯେ ମଣିଷକୁ ଏପରି ବାନ୍ଧି ପକାଏ, ମଣିଷର ସକଳ ବିବେକକୁ ହରଣ କରିନିଏ, ଏହା କ’ଣ ଅର୍ଥର କରାମତି ନା ଅର୍ଥରେ ବାନ୍ଧି ହୋଇଯାଇ ବିବେକ ହରାଉଥିବା ସଂପୃକ୍ତ ମଣିଷମାନଙ୍କର ଭୀରୁତା ? ଆମର ଏହି ଆଧୁନିକ ଯୁଗରେ ଅନ୍ତତଃ କେତେକ ମଣିଷଙ୍କୁ କ'ଣ ଅର୍ଥ କମ୍ ବାନ୍ଧିକରି ରଖିଛି ? ଆମ ଶାସନଘରେ, ଆମ ରାଜନୀତିର ଗହୀରମାନଙ୍କରେ, ଆମ ଶିକ୍ଷାସ୍ଥାନଗୁଡ଼ିକରେ କେତେ କେତେ ମଣିଷ ଅର୍ଥଦ୍ୱାରା ବାନ୍ଧି ହୋଇ ରହିଛନ୍ତି । ବକ୍ତୃତା ଦେଲାବେଳକୁ ସେମାନେ ସେ ଯୁଗର ଭୀଷ୍ମ ଏବଂ ଦ୍ରୋଣମାନଙ୍କ ପରି କେତେ କଥା କହୁଛନ୍ତି, ମାତ୍ର ଆଚରଣରେ ପ୍ରାୟ ଭଗ୍ନଶୀଷ ହୋଇ ରହିଛନ୍ତି । ସାହିତ୍ୟରେ, ସଂସ୍କୃତିରେ, ଧର୍ମସଭାରେ ତଥା ଜୟନ୍ତୀ-ଉତ୍ସବମାନଙ୍କରେ ସେମାନେ କେଡ଼େ ପୁଲକରେ କଥାରେ ଲଉଡ଼ି ଖେଳ ଖେଳୁଛନ୍ତି, ତଥାପି ବଡ଼ ଅସହାୟ ହୋଇ ରହିଛନ୍ତି । ସେମାନେ ଟଙ୍କାରେ ପୋତି ହୋଇ ରହିଥିଲା ପରି ଦେଖା ଯାଉଛନ୍ତି ଏବଂ ଧର୍ମଘରେ, ସାହସ ଘରେ, ପୌରୁଷ ସ୍ଥାନରେ ଧ୍ୱଜଭଙ୍ଗୀ ହୋଇ ରହିଛନ୍ତି ।

 

ଏମାନଙ୍କ ଭିତରେ ଯେଉଁଠି ଅସଲ ସିଂହାସନଟିର ଥାପନା ହୋଇଛି, ସେଠି କୌରବଟିଏ କେଡ଼େ ଗାରିମାରେ ବସିଛି, ସେମାନଙ୍କ ଜୀବନରେ ଅସଲ ଭତ୍ତା ହୋଇ ରହିଛି । କୌରବଟା ଯେ ସେମାନଙ୍କ ଭିତରେ ଜବରଦସ୍ତି ଆସି ସିଂହାସନ ଉପରେ ବସିଯାଇଛି, ସେକଥା ମୋଟେ ନୁହେଁ । ସେମାନେ ସତକୁ ସତ କେଡ଼େ ଶ୍ରଦ୍ଧାରେ କୌରବକୁ ଆଣି ଆପଣା ଭିତରେ ସର୍ବୋଚ୍ଚ କରି ବସାଇଛନ୍ତି, କୌରବକୁ ଅର୍ଥାତ୍ ଅର୍ଥକୁ ହିଁ ଆପଣା ଜୀବନର ବୃହତ୍ତମ ସର୍ବସାର ବୋଲି ମାନିଛନ୍ତି । ଏକାଧିକ ଧ୍ୟେୟ ମଧ୍ୟରୁ ସେମାନେ ଅର୍ଥକୁ ଆପଣାର ପରମ ଧ୍ୟେୟ ବୋଲି ବାଛିଛନ୍ତି ଏବଂ ଲଜ୍ଜା ଢାଙ୍କିବା ଲାଗି ଅର୍ଥ ହିଁ ଏଯୁଗରେ ସବାବଡ଼ ନିୟାମକ ବୋଲି କହିବାରେ ଲାଗିଛନ୍ତି । ଭୀଷ୍ମ ଓ ଦ୍ରୋଣମାନେ ମଧ୍ୟ ହୁଏତ ଏହିପରି ଅର୍ଥକୁ ହିଁ ସବାବଡ଼ ଆସ୍ପଦ ବୋଲି ବାଛିଲେ ଓ ତେଣୁ ଅର୍ଥ ଆଳରେ କୌରବଙ୍କ ପାଖରେ ବନ୍ଧାହୋଇ ରହିଥିଲେ । ସେମାନଙ୍କର ବିଦ୍ୟା ଥିଲା ସାଧାରଣଙ୍କର ତୁଳନାରେ ବହୁଗୁଣ ଅଧିକ ବିଦ୍ୟା ରହିଥିଲା । ମାତ୍ର, ଜୀବନରେ ସେମାନେ ଅର୍ଥକୁ ସବାବଡ଼ ବୋଲି ବାଛିଥିଲେ, ଆସନକୁ ଏବଂ ପଦଗୌରବକୁ ସବାବଡ଼ ବୋଲି ବାଛିଥିଲେ । ଅନ୍ଧ ଧୃତରାଷ୍ଟ୍ରର ଦରବାରରେ ମର୍ଯ୍ୟାଦା ପାଇବେ ବୋଲି ସେମାନେ ସ୍ୱୟଂ ଅନ୍ଧ ହେବାକୁ ଓ ଭୀରୁ ହେବାକୁ ହିଁ ଜୀବନର ବ୍ୟବସାୟିକ ରୂପେ ଗ୍ରହଣ କରି ନେଇଥିଲେ ।

 

ଶ୍ରୀଅରବିନ୍ଦ ଅର୍ଥକୁ ଏକ ଶକ୍ତି ବୋଲି କହିଛନ୍ତି । ପୃଥିବୀରେ ଏହି ଅର୍ଥ କୌଣସି ଦୁଶ୍ଚକ୍ରାନ୍ତ ହେତୁ ଅସୁରମାନଙ୍କ ହାତରେ ପଡ଼ିଯାଇଛି ଓ ତେଣୁ ଯଥାର୍ଥ ଭାବରେ ବ୍ୟବହୃତ ହୋଇ ପାରୁନାହିଁ ବୋଲି ମନ୍ତବ୍ୟ କରିଛନ୍ତି । ହୁଏତ ଆମରି ଭିତରେ ଅସୁରଟିଏ ଅଛି, ଯିଏକି ଆମଭିତରେ ରହିବା ଦେବତାଠାରୁ ଅଧିକ ପ୍ରବଳ ହୋଇ ରହିଛି । ଆମ ଅନେକଙ୍କ ଭିତରେ ରହିବା ଅସୁରଟି ପୃଥିବୀରେ ଅର୍ଥକୁ କବଳିତ କରି ରଖିଛି ଓ ସାମୂହିକ ଅଭ୍ୟୁଦୟର ବହୁ ସମ୍ଭାବନାକୁ ପଣ୍ଡ କରି ପକାଉଛି । ପୃଥିବୀରେ ଭୀଷ୍ମ ଓ ଦ୍ରୋଣମାନେ ପାଟି ବନ୍ଦ କରି ବସିଛନ୍ତି । ଯାହାକିଛି ଦେଖିଲେ ମଧ୍ୟ ପାଟି ବନ୍ଦ କରି ବସିଛନ୍ତି । ଆମରି ଭିତରେ ମଧ୍ୟ ଭୀଷ୍ମ ଓ ଦ୍ରୋଣଙ୍କ ମୁହଁରେ କୋଲପ ପଡ଼ିଛି । ଆମର ବିଦ୍ୟା, ଆମର ଯାବତୀୟ ପ୍ରତିଭା ଓ ପ୍ରତିକା ଅସୁର ପାଖରେ ବାଧ୍ୟ ଓ ପରାଭୂତ ହୋଇ ରହିଛି । ଆମ ଜୀବନର ଅସଲ ତେଲଘଢ଼ିଗୁଡ଼ିକ ଅର୍ଥନାମକ ଅସୁରର ଅକ୍ତିଆରରେ ଯାଇ ରହିଛି । ଅସୁରର ପଟୁଆର ଚାଲିଛି, ପୃଥିବୀଯାକର ବିଦ୍ୟା, ବୁଦ୍ଧି ଓ ଗୁଣ ଘୋଡ଼ା ହୋଇ ତାହାରି ରଥରେ ଯୋଚା ହୋଇଛନ୍ତି ।

 

ତେଣୁ ଦୋଷ ଅର୍ଥ ପାଖରେ ନାହିଁ, ଅର୍ଥକୁ ଅସୁରର ମର୍ଜି ପାଖରେ ଛାଡ଼ି ଦେବାରେ ରହିଛି । ଅର୍ଥର କବଳରୁ ମୁକ୍ତ ହେବା ପୃଥିବୀର ଅସଲ ସମସ୍ୟା ନୁହେଁ, ଭୀରୁତାର କବଳ ଭିତରୁ ବାହାରି ଆସିବା ହେଉଛି ସର୍ବମୂଳ ସମସ୍ୟା । ଅସଲ ବିଦ୍ୟା, ଅସଲ ରାଜନୀତି ଓ ଅସଲ ପ୍ରଜ୍ଞା କଦାପି କୌରବ ଘରେ ବନ୍ଧା ପଡ଼ି ମୁହଁ ବନ୍ଦ କରି ରହିବାକୁ ରାଜି ହେବ ନାହିଁ । ଜୀବନରେ ସମ୍ମାନାସ୍ପଦ ନିଷ୍ପତ୍ତିଟିଏ ନେଇଥିବା ଜଣେ ମଣିଷ କୌରବ ଘରର ଅର୍ଥ ଓ ଅନୁଗ୍ରହ ଭୂଞ୍ଜିବା ଲାଗି କଦାପି ଶିଙ୍କୁଳୀ ପିନ୍ଧିବା ସକାଶେ ଅପର ହାତଗୋଡ଼କୁ ବଢ଼ାଇ ଦେବ ନାହିଁ । ଯୁଗଧର୍ମ ବୋଲି କହି ସିଏ ନିପଟ ପାଷଣ୍ଡତାଗୁଡ଼ାକୁ କଦାପି ଆଦରି ନେବ ନାହିଁ । ଅସଲ ଭୀଷ୍ମ ଓ ଅସଲ ଦ୍ରୋଣ ଉପାସ ରହିବେ ପଛକେ ମହାଜନ ଘରେ, ଅଯୋଗ୍ୟ କୌରବମାନଙ୍କ ଘରେ ଅନ୍ନ ଭୁଞ୍ଜିବାକୁ ଯିବେ ନାହିଁ । ତେବେଯାଇ ସେମାନେ ଆପଣା ଔଜ୍ଜ୍ୱଲ୍ୟରେ ପୃଥିବୀରେ ଯଥାର୍ଥ ସ୍ୱୀକୃତି ପାଇପାରିବେ । ପୃଥିବୀର ବରିଷ୍ଠ ବୈଜ୍ଞାନିକମାନେ କୌରବମାନଙ୍କର ଘୃତାନ୍ନ ଭୁଞ୍ଜିବେ ବୋଲି ବିଜ୍ଞାନକୁ ବିକ୍ରି କରିଦେବାକୁ ମଧ୍ୟ ରାଜି ହୋଇ ଯାଉଛନ୍ତି ବୋଲି ଏକଦା ଆଲବର୍ଟ ଆଇନଷ୍ଟାଇନ୍ କ୍ଷୋଭ ପ୍ରକାଶ କରି କହିଥିଲେ ।

 

ବିଦ୍ୟା, ବିଜ୍ଞାନ, ପ୍ରଜ୍ଞା ଏବଂ ବୁଦ୍ଧିକୁ ଧୃଷ୍ଟ ଓ ଧୂର୍ତ୍ତ କୌରବମାନଙ୍କଠାରୁ ମୁକ୍ତ କରି ଆଣିବା, ଅର୍ଥକୁ ଅସୁରମାନଙ୍କ ହାତରୁ ମୁକ୍ତ କରି ଆଣିବା, – ସମ୍ଭବତଃ ଏହାହିଁ ଆମ ପୃଥିବୀର ସର୍ବବୃହତ୍ ଆହ୍ୱାନ । ରାଜନୀତିକ ଆନ୍ଦୋଳନ ଦ୍ଵାରା ସେହି ମୁକ୍ତି କଦାପି ସମ୍ଭବ ହେବ ନାହିଁ । ବାହାରେ ଏବଂ ଭିତରେ ଆମେ ଅସୁରମାନଙ୍କଠାରୁ ଅସଲ ଦେବତାଟିକୁ ଉଚ୍ଚତର ଓ ମହତ୍ତର କରି ଦେଖିଲେ ଯାଇ ଯୁଗର ଇତିହାସରେ ସେହି ଦିଗରେ ଯଥାର୍ଥ ମୂଳଦୁଆଟିଏ ପଡ଼ି ପାରିବ । ଆପଣାର ସମ୍ମାନକୁ ଆପେ ଚିହ୍ନିଲେ ଓ ସମଗ୍ର ମନୁଷ୍ୟଜାତି ପାଇଁ ଆପଣାର ପ୍ରତିଶୃତି କ୍ଷେତ୍ରରେ ଏକ ସମ୍ମାନିତ ଚିତ୍ର ଆଙ୍କି ପାରିଲେ ଯାଇ ଭୀଷ୍ମ ଓ ଦ୍ରୋଣମାନେ ଆପଣା ଲାଗି ଅସଲ ବିମୋଚନଟିକୁ ସମ୍ଭବ କରିପାରିବେ । ଅସୁରର ଦରବାରଗୁଡ଼ାକ ଭାଙ୍ଗିଯିବ, ଅସଲ ମଣିଷର ଦରବାର ପ୍ରତିଷ୍ଠିତ ହେବ ।

୫ । ୬ । ୯୦

Image

 

ନୈତିକ ମୂଲ୍ୟବୋଧ ଆସୁଛି

 

ସମାଜ ନୀତିରେ ଚଳେ । ଅର୍ଥାତ୍ ସମାଜରେ ଚଳିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତିକୁ ସେହି ସମାଜରେ ଚଳୁଥିବା ନୀତିଗୁଡ଼ିକୁ ମାନିବାକୁ ହୁଏ । ବ୍ୟକ୍ତିର ଜୀବନରେ ମଧ୍ୟ ନୀତି ଥାଏ ସତ, ମାତ୍ର ପୃଥିବୀରେ ଅଧିକାଂଶ ବ୍ୟକ୍ତି ସମାଜରେ ପ୍ରଚଳିତ ହୋଇ ଆସିଥିବା ନୀତିଗୁଡ଼ିକୁ ହିଁ ଜାଣତରେ ଅଥବା ଅଜାଣତରେ ଗ୍ରହଣ କରିନିଅନ୍ତି ଓ ତଥାପି କେଡ଼େ ପୁଲକରେ ନୀତିରେ ରହିଛନ୍ତି ବୋଲି ଜାହିର କରିବାରେ ଲାଗିଥାନ୍ତି । ପୃଥିବୀରେ ଖୁବ୍ କମ୍‌ ସଂଖ୍ୟକ ମଣିଷ ଅଛନ୍ତି, ଯେଉଁମାନେ କି ନିଜ ଜୀବନରେ ନୀତିଗୁଡ଼ିକୁ ଖୋଜିଥାନ୍ତି, ଜୀବନରେ କିଛି ନା କିଛି ନୀତିର ସନ୍ଧାନ ପାଇଥାନ୍ତି ଓ ସେହି ନୀତିରେ ସତକୁ ସତ ରହିଥାନ୍ତି । ବାହାରୁ ନୀତିଗୁଡ଼ିକୁ ଆଣି ଆମ ଉପରେ ମଡ଼ାଇ ଦିଆଯିବା ସମୟରେ ଆମ ଅଧିକାଂଶଙ୍କର ହେତୁ ହୋଇନଥାଏ । ମାନସିକ ହେତୁ ହୁଏତ କିଛି କିଛି ହୋଇଥାଏ, ମାତ୍ର ନୈତିକ ହେତୁ ଆଦୌ ହୋଇନଥାଏ । ସମାଜରେ ଯାହା ଚଳୁଛି, ତାହାକୁ ହିଁ ମାନିନେବା ସବୁଠାରୁ ଅଧିକ ନିରାପଦ ବୋଲି ବୁଝିବାଲାଗି ଖବ ବେଶି ମାନସିକ ବୁଦ୍ଧି ଯେ ଲୋଡ଼ା ହୋଇଥାଏ, ସେକଥା ଆଦୌ ନୁହେଁ । ଜଣେ ସାଧାରଣ ମଣିଷର ଚତୁରତା ଟିକକ ଥିଲେ କାମ ଚଳିଯାଏ । ସଚରାଚର ବୋକାମାନେ ହିଁ ଏକଥା କରିପାରନ୍ତି ନାହିଁ : ସମାଜ ପାଇଁ ଅଡ଼ୁଆ ହୁଅନ୍ତି, ନିଜପାଇଁ ମଧ୍ୟ ସେମାନେ କମ୍ ଅଡ଼ୁଆ ସୃଷ୍ଟି କରନ୍ତି ନାହିଁ ।

 

ବହୁବିଧ ସମାଜ, ବହୁବିଧ ନୀତି । ସେହି ଗୋଟିଏ ତଥାକଥିତ ସମାଜରେ ବହୁବିଧ ବର୍ଗ ଓ ତେଣୁ ବହୁବିଧ ନୀତି । ବହୁବିଧ ସ୍ୱାର୍ଥ, ତେଣୁ ବହୁବିଧ ନୈତିକତା । କୋଉଟା ଠିକ୍ କେଉଟା ଭୁଲ ସେକଥା ଯଥାର୍ଥ ନିକିତିରେ ପକାଇ କିଏ ତଉଲି କହିପାରିବ ? ଯିଏ ହିନ୍ଦୁ ଘରେ ଜନ୍ମ ହେଲା, ସିଏ ହିନ୍ଦୁଧର୍ମର ନୀତିକୁ ମାନିଲା, ହିନ୍ଦୁଧର୍ମର ବହିଗୁଡ଼ିକୁ ସିଏ ପବିତ୍ର ବୋଲି ମଣି ମୁଣ୍ଡରେ ମାରିଲା । ଯିଏ ମୁସଲମାନ ଧର୍ମ, ଖ୍ରୀଷ୍ଟିଆନ୍ ଧର୍ମ ବା ସେହିପରି ଆଉ କୌଣସି ଧର୍ମର ଘରେ ଜନ୍ମ ହେଲା, ସିଏ ମଧ୍ୟ ତା ଧର୍ମ ବୋଲି ଗୋଟିଏ ଗୋଟିଏ ବୋକଚାକୁ ପିଠିଉପରେ ପକାଇଲା । ତା'ର ବହିଗୁଡ଼ାକ ଅଲଗା ହୋଇଗଲା, ତାର ଉପାସନାସ୍ଥଳ ଅଲଗା ହୋଇଗଲା, ଉପାସନାର ମାର୍ଗ ମଧ୍ୟ ଅଲଗା ହୋଇଗଲା । ତା’ ପଇତାରୁ ତାକୁ ଚିହ୍ନିହେଲା । ପୃଥିବୀରେ ଚିରକାଳ ଏହି ପଇତାଗୁଡ଼ାକୁ ହିଁ ପବିତ୍ର ବୋଲି କୁହାହୋଇ ଆସିଛି । ମଣିଷ ସ୍ଵୟଂ ଯେତେ ପବିତ୍ର ନୁହେଁ, ତା' ପଇତା ତା'ଠାରୁ ଅଲବତ ଅଧିକ ପବିତ୍ର ବୋଲି ଗୁଣୀ ଧର୍ମବିନ୍ଧାଣିମାନେ ତାକୁ ତା'ର ପିଲାଦିନରୁ ତା କାନରେ କହି ଆସିଛନ୍ତି । ମଣିଷର ପଇତା ପବିତ୍ର ବୋଲି ମଣିଷ ପବିତ୍ର, ପୃଥିବୀର ନୀତିଭୁଷଣ୍ଡମାନେ ଯୁଗେ ଯୁଗେ ମଣିଷକୁ ଏକଥା କହି ଆସିଛନ୍ତି ଏବଂ ତାକୁ ମଣ କରି ରଖି ଆସିଛନ୍ତି । ମଣିଷ ପବିତ୍ର ବୋଲି ତା’ର ପଇତା ମଧ୍ୟ ପବିତ୍ର,–ଏକଥା ପୃଥିବୀରେ ଖୁବ କ୍ୱଚିତ୍ କୁହାହୋଇଛି ।

 

ମୁଁ ହିନ୍ଦୁ ଘରେ ଅଥବା ମୁସଲମାନ ଘରେ ଜନ୍ମ ହୋଇଛି । ପ୍ରଧାନତଃ ସେହି ସଂକୃତିକୁ ବିଣ୍ଡ କରି ମୁଁ ନିଜକୁ ହିନ୍ଦୁ ବା ମୁସଲମାନ ବୋଲି ପରିଚୟ ଦେଇଆସିଛି । ନିଜର ପରିଚୟ ନିଜେ ପାଇବା ପୂର୍ବରୁ ମୁଁ ମୋ' ଉପରେ ମଡ଼ାହୋଇ ରହିଥିବା ପୋଳୁହଟାକୁ ହିଁ ମୋର ଅସଲ ପରିଚୟ ବା ଅସଲ ଔଚିତ୍ୟ ବୋଲି କହିବାକୁ ଅନୁରୂପ କେତେ ପାଠ ଓ କେତେ ଶାଠରେ ମଣ ହୋଇ ରହିଛି । ଯୋଉ ଘରେ ଜନ୍ମ ହୋଇଛି, ସେହି ଘରର ଶାସ୍ତ୍ରଗୁଡ଼ିକୁ ପଢ଼ିଛି ଏବଂ ନପଢ଼ି ଥିଲେ ମଧ୍ୟ, ସେହ ଶାସ୍ତ୍ରଗୁଡ଼ିକ ଯେ ଅତ୍ୟନ୍ତ ପବିତ୍ର, ତାହା ବିଶ୍ୱାସ କରିବାଲାଗି ମୋତେ ଶିଖାଇ ଦିଆଯାଇଛି । ପିଲାକାଳରେ ଗୁରୁଜନମାନଙ୍କ ସହିତ ମୁଁ ଯେଉଁ ଦେଉଳକୁ ଯାଇଛି, କେଡ଼େ ଅତ୍ୟାନୁରାଗରେ ମୁଁ ସେହି ଦେଉଳର ପାଦୁକା ପାଇଛି ଏବଂ କେଡ଼େ ସ୍ୱାଭାବିକ ଭାବରେ ଖାସ୍ ସେହି ପାଦୁକାର ପାବନୀଶକ୍ତି ଉପରେ ବିଶ୍ୱାସ କରି ଶିଖିଛି । ବଡ଼ ହୋଇ, ସେହି ମୁଗ୍‍ଧ ବିଶ୍ୱାସଟି ସହିତ ନାନାବିଧ ନାଟକୀୟତାକୁ ଯୋଡ଼ିଦେଇ ମୁଁ ମୋ’ ନିଜ ଧର୍ମଟାକୁ ହିଁ ପୃଥିବୀର ସବାମୂଳ ଏ ବୋଲି କହିଶିଖୁଛି, ବିଶ୍ଵାସ ଭିତରେ ରାଜନୀତିର ଔଦ୍ଧତ୍ୟ ପୁରାଇ ତାହାକୁ ପୃଥିବୀର ଏକମାତ୍ର ଯଥାର୍ଥ ଧର୍ମ ବୋଲି କହିବାକୁ ମଧ୍ୟ ମୋତେ ତେଣିକି ଆଉ ଆଦୌ ଅସୁଖ ଲାଗୁନାହିଁ । ନିଜକୁ ଏକମାତ୍ର ସୁଲକ୍ଷଣ ବୋଲି ଦେଖୁଥିବା ମଣିଷ ଆଉ ସମସ୍ତଙ୍କୁ ମ୍ଳେଚ୍ଛ ବୋଲି ଦେଖେ । ନିଜକୁ ଏକମାତ୍ର ଧର୍ମସ୍ଥ ବୋଲି କହୁଥିବା ଅତ୍ୟୁତ୍ସାହୀଟି ପୃଥବୀଯାକର ଅନ୍ୟ ସମସ୍ତଙ୍କୁ କାଫେର ବୋଲି କହେ । ସେ ଗୋଟାସୁଦ୍ଧା ନିଜ ଭଗବାନଟିକୁ ନେଇ ଘରସଂସାର କରେ । ଆଉ ଆଉ ଭଗବାନମାନଙ୍କଠାରୁ ଦୂରରେ ରହିଥାଏ । ନିଜ ଭିତରେ ଅତ୍ୟନ୍ତ ସ୍ପର୍ଶକାତର ହୋଇ ରହିଥାଏ । ତେଣୁ ବାହାରେ ନିଜକୁ ଶୁଦ୍ଧ ବୋଲି କହି ଭଙ୍ଗି ଦେଖାଉଥାଏ । ନିଜ ଭିତରେ ନିଜର ଗଣ୍ଡିଟି ସହିତ ବାନ୍ଧି ହୋଇ ରହିଥାଏ । ନିଜ ଚେତନାନୁରାଗର ଅସଲ ଗଣ୍ଠିଟି ସହିତ ନିଜକୁ ବାନ୍ଧିପାରି ନଥାଏ ବୋଲି ସଂସାରରେ ଅରକ୍ଷିତ ଓ ଉଗ୍ର ହୋଇ ବୁଲୁଥାଏ ।

 

ଅଧିକାଂଶ ମଣିଷଙ୍କ ଉପରେ ନୀତି ଓ ନୈତିକତା ଅଧିକତର ପରିମାଣରେ ଉପରୁ ଲଦାହୋଇ ରହିଛି, ବାହାରୁ ଲଦା ହୋଇ ରହିଛି । ଅଧିକାଂଶ ସମାଜରେ ଚଳୁଥିବା ପ୍ରାୟ ଯାବତୀୟ ନୀତି ଓ ନୈତିକତା ଉପରୁ ଓ ବାହାରୁ ଲଦା ହୋଇଛି । ଅଧିକାଂଶ ମଣିଷ ସମ୍ଭବତଃ କିଛି ଖୋଜିନାହାନ୍ତି ଓ କିଛି ପାଇନାହାନ୍ତି । ଯେଉଁଠି ଖୋଜା ନ ଥାଏ, ଖୋଜିକରି କୌଣସି ପାଇବା ମଧ୍ୟ ନଥାଏ, ସେଠି ଆଦୌ କୌଣସି ଯଥାର୍ଥ ନୈତିକ ମୂଲ୍ୟବୋଧର କୌଣସି ଅବକାଶ ରହିବ କି ? ଇସ୍କୁଲପିଲା ତା' ଅବଧାନଙ୍କ ଭୟରେ ବିଚରା କେତେ ନୀତି ମାନୁ ନ ଥାଏ ଓ କେତେ ନୀତିକୁ ମୁଖସ୍ଥ କରି ରଖି ନ ଥାଏ । ଅବଧାନଙ୍କ ଆଖିରେ ବାଧ୍ୟ ଚାଟଟିଏ ଭଳି ଦେଖାଯିବା ନିମନ୍ତେ ସେ ବିଚରା କେତେ ସାଧନା କରୁ ନ ଥାଏ ! ଗୁରୁ ହିଁ ଅଧିକାଂଶ ସ୍ଥଳରେ ଶିଷ୍ୟନାମକ ଘୋଡ଼ା ଉପରେ ସଇସ ହୋଇ ବସିଥାନ୍ତି । ଘୋଡ଼ା ମୁଖା ପିନ୍ଧିଥାଏ ବୋଲି ମାନୁଥାଏ, ପୁଣ୍ୟର୍ଜନ ଓ ଗୁଣାନୁଶୀଳନ କରୁଥାଏ । ପିଲାଦିନଟା କଟିଗଲେ ନୀତିଗୁଡ଼ାକ ବି ଖସିପଡ଼ନ୍ତି । ଗୋଡ଼ଗୁଡ଼ାକରୁ ଶିଙ୍କୁଳୀ ଫିଟି ଗଲାପରି ଲାଗେ । ଏକ ନୀତିଦରିଦ୍ର ପୃଥିବୀରେ ସେହି କାରଣରୁ ଗୋଡ଼ରୁ ଶିକୁଳୀଗୁଡ଼ାକ ଫିଟିଯିବାକୁ ହିଁ ସ୍ଵାଧୀନତା ବୋଲି କୁହାଯାଏ । ଆମ ପୃଥିବୀରେ ଯେ ସାମାଜିକ କାରବାର, ଧର୍ମ, ରାଜନୀତି ଓ ଅନ୍ୟ ପ୍ରାୟ ଯାବତୀୟ ବ୍ୟାପାରରେ ଏବେ ସ୍ୱେଚ୍ଛାଚାରିତା ବଢ଼ୁଛି, ଅରାଜକତା ଓ ଉଗ୍ରତାମାନେ ବଢ଼ୁଛନ୍ତି, ଆମେ ଯେ ବାଧ୍ୟ ହୋଇ କେତେଟା ନୀତିକୁ ମାନୁଛୁ ଓ ନିଜ ଜୀବନରେ ସତକୁ ସତ କୌଣସି ଯଥାର୍ଥ ନୀତି ମଧ୍ୟକୁ ଆମର କୌଣସି ଉପନୟନ ହୋଇନାହିଁ, ଆମେ ଏହାକୁ ସେଥିଲାଗି ବହୁ ପରିମାଣରେ ଦାୟୀ କରିପାରିବା । ଅନ୍ଧ ମଣିଷର ବାଟ ଚାଲିବାର କ୍ଷେତ୍ରରେ କୌଣସି ଦାୟିତ୍ୱ ନ ଥାଏ । ବୋଲ ମାନୁଥିବା ମଣିଷର ନୀତିର କ୍ଷେତ୍ରରେ ମଧ୍ୟ କୌଣସି ଦାୟିତ୍ୱ ନଥାଏ । ମାନିବାରୁ ହିଁ ସବୁଯାକ ସ୍ୱୀକୃତି ମିଳେ, ତେଣୁ ମାନିବା ଦ୍ୱାରା ହିଁ କାମ ଚଳିଯାଏ । ଆମକ ବାହାରଟା ଆମର ଦାୟିତ୍ୱହୀନ ହିଂସ୍ର ଭିତରଟାକୁ ଲୁଚାଇ ରଖିବାରେ ହୁଏତ ଭାରି ସାହାଯ୍ୟ କରୁଥାଏ । ଅସୁରମାନେ ମଠାଲୁଗା ପିନ୍ଧି ଜଗତକୁ ଶାସ୍ତ୍ରୋପଦେଶ ଦେବାରେ ଲାଗିଥାନ୍ତି ।

 

ନୈତିକ କ୍ଷେତ୍ରରେ ଅସଲ ମୂଲ୍ୟବୋଧ ଆସୁଛି । ଏପରି ଏକ ବ୍ୟବସ୍ଥା ଆସୁଛି, ଯେତେବେଳେ କି ମଣିଷର ସମାଜ ତା' ଭିତରର ବ୍ୟକ୍ତିତ୍ୱଟିକୁ ବିକଶିତ କରାଇ ଆଣିବାଲାଗି ଅନୁକୂଳ ହୋଇ ରହିଥିବ । ସମାଜ ମଣିଷ ଉପରେ କୌଣସି ଦୌରାତ୍ମ୍ୟ କରିବ ନାହିଁ । ତଥାକଥିତ ବରିଷ୍ଠମାନେ ଅନ୍ୟମାନଙ୍କୁ କୌଣସି ଗୁଳାରେ ପକାଇ ଦେବାର ଆଉ କୌଣସି ଉପଦ୍ରବ କରିବେ ନାହିଁ । ସେତେବେଳେ ବହୁତଙ୍କୁ ବଞ୍ଚିତ କରି ଥୋକେ ମଣିଷ ସବୁଯାକ ସଂସ୍କୃତିକୁ ଉପଭୋଗ କରିବାଲାଗି ମୋଟେ ପୁଙ୍ଗବପଣ ଦେଖାଇବେ ନାହିଁ । ସେତେବେଳେ କପଟୀ, ଅହଙ୍କାରୀ ମଣିଷକୁ ହିଁ ସବୁଠାରୁ ବଡ଼ ଅପରାଧୀ ବୋଲି କୁହାଯିବ । ପ୍ରତ୍ୟେକ ବ୍ୟକ୍ତି, ତା' ନିଜ ଜୀବନର ନୀତିଟିକୁ ପ୍ରଧାନତଃ ନିଜେ ଖୋଜିବ, ଆଉଜଣେ ବ୍ୟକ୍ତିର ସେହି ଭଳି ଖୋଜିବାରେ ଆଦୌ କୌଣସି ପ୍ରକାରେ ବାଧକ ନ ହୋଇ ସେ ଆପଣାର ବାଟଟିକୁ ପୂର୍ଣ୍ଣ ସ୍ୱାଧୀନ ଭାବରେ ଖୋଜିବ, କୌଣସି ପ୍ରକାରେ ବାଧ୍ୟ ନ ହୋଇ ଖୋଜିବ । କୌଣସି ପ୍ରକାରେ ପ୍ରମତ୍ତ ଅଥବା ଶଙ୍କିତ ନ ହୋଇ ଖୋଜିବ । ନିଜର ସେହି ଖୋଜିବାର ପରିଧିଗୁଡ଼ିକ ବିସ୍ତାରିତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ସିଏ ଆପଣାର ଭିତରେ ଥିବା ଅସଲ ଚେରଗୁଡ଼ିକୁ ଛୁଇଁ ପାରିବାଲାଗି ସାହସ କରିବ । ସେହି ଚେରଗୁଡ଼ିକ ହିଁ ତାକୁ ଉର୍ଦ୍ଧ୍ୱଗୁଡ଼ିକର ବାରତା ଆଣି ଦେଇଯିବେ । ଗଭୀରତାଗୁଡ଼ିକ ବିସ୍ତାରିତ ହେବାର ବାରତା ଆଣିଦେବେ । ସବୁ ମଣିଷଙ୍କୁ ଏହିଭଳି ଏକ ଭୂମି ଯୋଗାଇଦେବା ନିମିତ୍ତ ଅନୁକୂଳ ଉପବନ୍ଧଗୁଡ଼ିକୁ ସୃଷ୍ଟି କରି ରଖିବା ହିଁ ସମାଜର, ସାମୁହିକ ଯାବତୀୟ ବ୍ୟବସ୍ଥାର ଅସଲ ଆଗ୍ରହ ହୋଇ ରହିବ ।

 

ଅସଲ ମୂଲ୍ୟବୋଧର ଆହ୍ୱାନଟି ସେତିକିବେଳେ ଯାଇ ସଚଳ ହେବ, ଜୀବନର ଅସଲ ପ୍ରେରଣାଗୁଡ଼ିକ ସେତିକିବେଳେ ଅନୁଭୂତ ହେବ । ସେତେବେଳେ ଏହି ଛାଞ୍ଚଗୁଡ଼ିକ ତଥାପି ରହିଥିବେ, ମାତ୍ର ମଣିଷ ଉପରେ ମୋଟେ କୌଣସି ଦୌରାତ୍ମ୍ୟ ଦେଖାଇ ପାରୁନଥିବେ । ହିନ୍ଦୁଧର୍ମ ଥିବ, ମୁସଲମାନ ଧର୍ମ ଥିବ, ପଇତାମାନେ ବି ରହିଥିବେ, ଶାସ୍ତ୍ରାନୁରାଗ ରହିଥିବ । ମାତ୍ର, ମୋ'ରିଟାକୁ ହିଁ ଏକମାତ୍ର ସତ୍‌ଦ୍ରବ୍ୟ ବୋଲି କହିବାର ହାସ୍ୟାସ୍ପଦତା ମୋଟେ ନଥିବ । ଗୁରୁମାନଙ୍କର ପ୍ରାଦୁର୍ଭାବ ସେତେବେଳେ ଅନେକ ପରିମାଣରେ କମିଯିବ । ବ୍ୟକ୍ତିଗତ ତଥା ସାମୁହିକ ପ୍ରଶ୍ନଗୁଡ଼ିକର ନିଷ୍ପତ୍ତି ସେତେବେଳେ ଭଦ୍‍ବୁଦ୍ଧ ବ୍ୟକ୍ତିମାନଙ୍କର ହୃଦୟ ଭିତରେ ହେବ, କୌଣସି ଉତ୍ତେଜିତ ସଭାରେ କଦାପି ହେବ ନାହିଁ । ବହିଗୁଡ଼ାକ ମନନର ବସ୍ତୁ ହୋଇ ରହିଥିବେ ସିନା, ମାତ୍ର ଆଦୌ କୌଣସି ଯୁଦ୍ଧ ଲଢ଼ିବାରେ କଦାପି ନିମିତ୍ତ ପରି ବ୍ୟବହୃତ ହେବେ ନାହିଁ । ନୀତିବାନ୍ ମଣିଷ ସେତେବେଳେ କୌଣସି ପତାକା ଧରି ନଥିବ ସତ, ମାତ୍ର ତଥାପି ନୀତିରେ ବାଟଟିଏ ଚାଲୁଥିବ ।

୧୪ । ୬ । ୯୦

Image

 

ଦାରିଦ୍ର୍ୟର ଗବେଷଣା

 

ସଂସାରରେ ଅନେକ ମଣିଷ ସୁଖ ଚାହାନ୍ତି । ଆହୁରି ଅନେକେ କେବଳ ନିଜ ପାଇଁ ସେହି ସୁଖକୁ ଚାହାନ୍ତି । ଏମାନେ ସେଥିଲାଗି କେତେ କ'ଣ ହୁଅନ୍ତି, ବଡ଼ରୁ ଆହୁରି ବଡ଼ ଦିଶିବେ ଏବଂ ତଦ୍ୱାରା ସୁଖୀ ହୋଇ ପାରିବେ ବୋଲି କେତେ କ'ଣ ଗିଳି ପକାଇବାକୁ ମନ କରୁଥାଆନ୍ତି । ମାତ୍ର, ଏମାନଙ୍କର କଲିଜା ଭିତରେ କେଉଁଠି କ'ଣଟାଏ ବିଣ୍ଡି ହୋଇଯାଇଥାଏ କେଜାଣି, ସୁଖ ପାଇବେ ବୋଲି ସେମାନେ ଯେତିକି ଅଧିକ ଧାଇଁବାରେ ଲାଗିଥାନ୍ତି, ନିଜ ଭିତରେ ସେତିକି ନାତ ଖାଉଥାନ୍ତି । ବାହାରେ ଯେଡ଼େ ଜକଜକ ଦେଖା ଯାଉଥିଲେ ମଧ୍ୟ ଭିତରେ ଭାରି ଦୁଃଖୀ ହୋଇ ରହିଥାନ୍ତି ।

 

ପୃଥିବୀରେ କେତେ ପ୍ରକାରର ସୁଖ, ସେହି ଅନୁସାରେ କେତେ ପ୍ରକାରର ଦୁଃଖ । କେତେ ସ୍ତରର ତୃଷ୍ଣା ଏବଂ ସେହି ଅନୁସାରେ କେତେ ପ୍ରକାରର କଲବଲ ଏବଂ ସେହି ଅନୁସାରେ କେତେ ପ୍ରକାରର ଅସନ୍ତୋଷ ଏବଂ କେତେ ପ୍ରକାରର ହନ୍ତସନ୍ତ । ଯେଝା ହନ୍ତସନ୍ତ ଅନୁସାରେ ଯେଝା ଠାକୁର, ଯେଝା ହନ୍ତସନ୍ତ ଅନୁସାରେ ଯେଝା ଯେଝାର ଆଦର୍ଶ । ମଣିଷମାନେ କ'ଣ ଆଉ ମାହାଳିଆରେ ଆପଣା ଆପଣାର ଠାକୁରମାନଙ୍କୁ ସଙ୍କଟମୋଚନ ବୋଲି କହିଛନ୍ତି ଓ ଆଦର୍ଶଗୁଡ଼ାକ କ'ଣ ମାହାଳିଆରେ ଅଫିମ ପରି କାର୍ଯ୍ୟ କରେ ବୋଲି କୁହାଯାଇଛି ? ଭିତରେ କେତେ ଛଟପଟ ଓ ବାହାରେ କେଡ଼େ ଆଡ଼ମ୍ୱର । ବାହାରେ କୋଠା, ବାଡ଼ି, ଘୋଡ଼ା ଆଉ ଗାଦି; ବାହାରେ କ୍ଷମତା, ପଦ, ଆସନ ଏବଂ ଥାକ ଥାକ ହୋଇ ସଜା ହୋଇଥିବା ମର୍ଯ୍ୟାଦାଗୁଡ଼ାକ । ଏବଂ ଭିତରେ କେତେ ମୂଷାମାଟି ଓ କେତେ ବିଲେଇଘୁଅ । କେଡ଼େ ଅରକ୍ଷିତଟିଏ ବିଚରା ଅଥଳ ଜଳରେ ଉବୁଟୁବୁ ହେଉଛି, କୂଳ ପାଉନାହିଁ କି ଥଳ ପାଉନାହିଁ । ଅହରହ କେତେ ଯୁଦ୍ଧରେ ଯେପରି କେବଳ ହାରିବାକୁ ହିଁ ପଡ଼ୁଛି । ଯିଏ ବାହାରେ ଜିତି ଜିତି ଭିତରେ କେବଳ ହାରି ହାରି ଯିବାରେ ଲାଗିଥାଏ, ବିଚରା ତା’ଠାରୁ ଏହି ପୃଥିବୀରେ ଆଉ ଅଧିକ ଦରିଦ୍ର କିଏ ଅଛି ? ବାହାରେ ସାହିତ୍ୟ, ବାହାରେ ସଂସ୍କୃତି, କେଡ଼େ ଢମରେ ଭାଷଣ ଓ କେତେ ଛଦ୍ରମରେ ଶବ୍ଦମୈଥୁନ; ଏବଂ ଭିତରେ ଆପଣା ଆଗରେ ଆପଣା ଆଖିରେ କେଡ଼େ ଛୋଟ ହୋଇ ଦିଶୁଥିବ ଓ ସେଥିଲାଗି ଅନ୍ୟମାନଙ୍କ ସହିତ ସତେ ଆପଣାର ତୁଳନା କରି କେଡ଼େ ଛୋଟ ଓ ସାନ ହୋଇ ରହିଥିବ । ଆମ ଆଧୁନିକ ତମସା ଓ ଆଧୁନିକ ବ୍ୟବସ୍ଥାଗୁଡ଼ାକର ଦେହ ଉପରୁ ବସ୍ତ୍ରଟାକୁ କାଢ଼ିନେଲେ ସତେ ଯେପରି ଏହିପରି ଏକ ବିଡ଼ମ୍ୱନା ହିଁ ଆମକୁ ସବୁଠାରୁ ଅଧିକ ଦରିଦ୍ର କରି ରଖିଛି ବୋଲି ଗୋଟାସୁଦ୍ଧା ଧରା ପଡ଼ିଯିବ ଏବଂ ମୁହଁଟାକୁ ଲୁଚାଇ ରଖିବାକୁ ଆମେ ଉପରେ ଯେଉଁ ମୁଖାଗୁଡ଼ାକୁ ପିନ୍ଧିଛୁ, ସେହି ମୁଖାହିଁ ସମ୍ଭବତଃ ଆମକୁ ସବୁଠାରୁ ଅଧିକ ଭୀରୁ କରି ରଖିଛି । ବିଚରା ଭୀରୁଟିଏ ଯେ ବାହାରେ ବହୁବିଧ ଭୟରେ ଉତ୍ତେଜିତ ଓ ଉଗ୍ରହୋଇ ରହିଥାଏ ତା ନୁହେଁ, ସିଏ ଭିତରେ ମଧ୍ୟ ଆପଣା ଖେଞ୍ଚାରେ ଆପେ ଧର୍ଷିତ ହେବାରେ ଲାଗିଥାଏ ଏବଂ ସେହି ଧର୍ଷଣରୁ ସତେଅବା କେତେ ଆନନ୍ଦ ପାଉଥାଏ । ଆପଣାକୁ ଅସମର୍ଥ, ନପୁଂସକ କହି ଗାଳି ଦେଉଥାଏ ସତ, ମାତ୍ର ନପୁଂସକ ହୋଇ ରହିଛି ବୋଲି ସତେଅବା କେଡ଼େ ଆନନ୍ଦ ଲାଭ କରୁଥାଏ । ତାହାରି ଭିତରେ ସତେ ଅବା କେଉଁ ଅତ୍ୟୁଗ୍ର କୋପନାତୁର ନାରୀ ତା' ଭିତରର ନପୁଂସକଟାକୁ ଗାଳି ଦେବାରେ ଲାଗିଥାଏ । ସେଥିରୁ ସତେଅବା କେତେ ବା କେତେ କ୍ଷତିପୂରଣ ମିଳିଯାଏ । ବାହାରେ କେତେ କେତେ ଅସଫଳତା ଏବଂ ଅସମର୍ଥତାର ଗ୍ଳାନିଗୁଡ଼ିକ ସତେ ଯେପରି ଭିତରେ ସେହିଭଳି ଏକ ପ୍ରକ୍ରିୟାର ଆଶୀର୍ବାଦରୁ ମେଣ୍ଟି ଯାଉଥିବା ପରି ମନେ ହେଉଥାଏ । ଆଧୁନିକ ବହୁ ଅସଙ୍ଗତିପୂର୍ଣ୍ଣ ଆମର ଏହି ପୃଥିବୀରେ ଯେଉଁମାନେ ତଥାପି ଉପରେ ଅଛନ୍ତି, କ୍ଷମତାରେ ଅଛନ୍ତି, ଅବର୍ଜିଆ ରଥଯାତ୍ରାମାନଙ୍କରେ ସୁଦୃଶ୍ୟ ପୋଷାକମାନ ପିନ୍ଧି ଛେରାପହଁରା କରିବାରେ ଲାଗିଛନ୍ତି, ସେମାନେ ଏହି କାଟର ସୁଖରେ ଦୈତ୍ୟପରି ମଜି ରହିଛନ୍ତି । ସେମାନେ ଭିତରର ଦାରିଦ୍ର୍ୟଗୁଡ଼ିକୁ ବାହାରର ଚାକଚକ୍ୟ ଦ୍ୱାରା ଘୋଡ଼ାଇ ରଖିବାକୁ ଇଚ୍ଛା କରୁଛନ୍ତି, ନିଜ ଭିତରର ବହୁ ଅସଙ୍ଗତିକୁ ବାହାରର ବହୁ ଗହଳି ଭିତରେ ଭୁଲିଯିବାକୁ ଇଚ୍ଛା କରୁଛନ୍ତି ଏବଂ ଆପେ ବହୁ ଅସୁନ୍ଦରତାର କାରଣ ହୋଇଥିଲେ ମଧ୍ୟ ଅସୁନ୍ଦରଗୁଡ଼ାକ ଭିତରେ ତଥାପି ଯଥାସମ୍ଭବ ଅଧିକ ସୁନ୍ଦର ଦିଶିପାରିବେ ବୋଲି ସୁନାରୂପାର ସାଧନା କରିବାରେ ଲାଗିଛନ୍ତି ।

 

ସ୍ୱାଧୀନ ଭାରତରେ ଯେଉଁମାନେ ଏହି ଦେଶକୁ ନୂତନ ଓ ଲକ୍ଷ୍ମୀମନ୍ତ କରି ଗଢ଼ିବାରେ ନେତୃତ୍ୱ ନେଇଥାନ୍ତେ ଓ ଯାବତୀୟ ଔଚିତ୍ୟ ସହିତ ନିମିତ୍ତ ହୋଇ ବାହାରି ପାରିଥାନ୍ତେ, ସେମାନେ ଅଧିକାଂଶତଃ ସେହିଭଳି ଏକ ସୁନାରୂପାର ସାଧନାରେ ରହିଗଲେ । ସାରାଦେଶଟାକୁ ଅଲକ୍ଷଣୀ କରି ସ୍ୱୟଂ ଲକ୍ଷ୍ମୀମନ୍ତ ହେବାର ସାଧନା କରିବାରେ ରହିଗଲେ । ସେମାନେ ନିଜର କୋପନଗୁଡ଼ାକୁ ଦେଖାଇ ହୋଇ ତାହାକୁ ହିଁ ରାଜନୀତି ବୋଲି କହିଗଲେ, ରାଜନୀତିର ଇଜ୍ଜତ ନେଲେ । ଏମାନେ ଭିତରେ ବର୍ବର ହେଲେ, ଉପରେ ମନ୍ଦିର ତୋଳାଇଲେ; ଭିତରେ ଲମ୍ପଟ ଓ କାମୁକ ହେଲେ ଏବଂ ବାହାରେ ବାହାବେଦୀମାନଙ୍କରେ ପ୍ରାୟ ସବୁଠାରେ କର୍ତ୍ତା ହୋଇ ବସିବାକୁ ମନ କଲେ । ଭିତରେ ନିପଟ ଅଶିକ୍ଷିତ ହୋଇ ରହିଲେ, ନିଜ ଭିତରେ ରହିଥିବା କେଉଁ ଫୁଲେଇଟାକୁ ହିଁ ଭଲ ପାଇଲେ ଏବଂ ବାହାରେ ଶିକ୍ଷାଯନ୍ତ୍ରଟାକୁ ଦଖଲ କରି ବସିଲେ, ଯଥାର୍ଥ ଶିକ୍ଷାର କୁଳ ବୁଡ଼ାଇଲେ । ଭିତରେ ଆପଣାର ସିଙ୍ଗଗୁଡ଼ାକ ବ୍ୟତୀତ ଏମାନେ ସତେଅବା ମୋଟେ କିଛି ହେଲେ ଦେଖି ପାରିଲେ ନାହିଁ । ମାତ୍ର ବାହାରେ ସଂସ୍କୃତିର କଥା କହିଲେ, ସାହିତ୍ୟର ଉନ୍ନତିରେ ଜାତିର ଉନ୍ନତି ବୋଲି କହି ଆମ ଗଡ଼ିଆମାନଙ୍କରେ କେଡ଼େ କେଡ଼େ ହାବୁକାମାରି ବାହାରିଲେ । ବିବରାମାନେ ଭିତରେ ଭାରି ଦୁଃଖୀ ହୋଇ ରହିଥିବାରୁ ହୁଏତ ବାହାରେ ଏତେ ଏତେ ଅଲକ୍ଷଣା ମାମଲତକାରୀ ଭିତରେ ଏପରି ପ୍ରମତ୍ତ ହୋଇ ବୁଲିଲେ, ଆମ ସମସ୍ତଙ୍କୁ ବୋକା ବନାଇଲେ । ପୃଥିବୀ ଏକ ଅଭିନବ ମାନବିକ ବିପ୍ଲବ ଲାଗି ପ୍ରସ୍ତୁତ ହୋଇଥିବା ସମୟରେ ଏମାନେ ଦେଶଟାକୁ ରାତିର ନାନାବିଧ ଖୁଣ୍ଟମାନଙ୍କରେ ବାନ୍ଧି ରଖିଲେ । ଭିତରଟାକୁ ନିର୍ମଳ ଭାବରେ ଶୂନ୍ୟ ରଖି ସେମାନେ ବାହାରଟାକୁ କେଡ଼େ ଦକ୍ଷତାର ସହିତ ଢୋଲ ପରି ବଜାଇ ପାରିଲେ ଏବଂ ସେହି ଉତ୍ତୁଙ୍ଗ ଶବ୍ଦଗୁଡ଼ାକ ଦ୍ଵାରା ଯାବତୀୟ ଆନ୍ତରିକତାକୁ କୁଆଡ଼େ ମନ କୁଆଡ଼େ ପୋତି ପକାଇଲେ । ଗୋଟିଏ ସମୂହ ଚାଲି ପାରିବାକୁ ହେଲେ ଯେଉଁ ସର୍ବନିମ୍ନ ସାଧୁତା ଓ ସର୍ବନିମ୍ନ ପ୍ରତ୍ୟୟ ଦରକାର, ସେହି ସାଧୁତା ଓ ସେହି ପ୍ରତ୍ୟୟକୁ ସେମାନେ କେଡ଼େ ବିଚକ୍ଷଣ ଭାବରେ ଅପହରଣ କରିନେଲେ-

 

ଏମାନଙ୍କ ଖୁଆଡ଼ ଭିତରେ ପଶିବାଲାଗି ମଉକା ଖୋଜୁଥିବା ପର୍ଯ୍ୟନ୍ତ ଆମେ ଏମାନଙ୍କର ସାମନା କରିପାରିବା ନାହିଁ । ଯୁଗଟା ଯେଉଁଭଳି ହୋଇଛି ଓ ତଥାକଥିତ ହାଉଆଟା ଯେପରି ଭାବରେ ବହୁଛି, ତାହାରି ଭିତରୁ ଚଲାଖି ଶିଖି ଆମେ କଦାପି ଯୁଗଟାର ମୋଡ଼କୁ ବଦଳାଇ ପାରିବା ନାହିଁ କିମ୍ବା ହାଉଆ ଭିତରେ ପଶି ଯାଇଥିବା ଜୀବାଣୁମାନଙ୍କୁ ନଷ୍ଟ କରି ପାରିବା ନାହିଁ । ଆମରି ଭିତରେ କାମୁକଟିଏ କାମନାରେ ଛଟପଟ ହେଉଥିବା ପର୍ଯ୍ୟନ୍ତ କାମୁକତାକୁ ଦୂର କରିବାରେ କୌଣସି କ୍ଷେତ୍ରରେ ଆମେ କୌଣସି କାମରେ କଦାପି ଆସି ପାରିବା ନାହିଁ । ଆପଣା ଭିତରେ ରହିଥିବା ଅସଲ ଐଶ୍ଵର୍ଯ୍ୟଗୁଡ଼ିକୁ ଚିହ୍ନିଲେ ଯାଇ ଆମେ ହୁଏତ ଏହି ଦିଗରେ କୌଣସି ଅଧିକାରର ଯୋଗ୍ୟ ହୋଇପାରିବା ! ଐଶ୍ଵର୍ଯ୍ୟଗୁଡ଼ିକ ଆମରି ଭିତରେ ରହିଛି, ମାତ୍ର ବହୁ ଗଭୀରରେ ଯାଇ ରହିଛି । ଭୀରୁ ଭିତରେ ଅନେକ ଗଭୀରରେ ଏକ ସାହସୀ ମଧ୍ୟ ରହିଛି । ଖାପ ଖାଇ ଯାଉଥିବା ଅଳ୍ପାଶୀ ମଣିଷଟିଏ ଭିତରେ ବହୁ ଗଭୀରରେ ଅସହିଷ୍ଣୁ ବିଦ୍ରୋହୀ ଓ ବିପ୍ଳବୀଟିଏ ମଧ୍ୟ ରହିଛି । ଆପଣାର ଅତୃପ୍ତତାଗୁଡ଼ାକୁ ତୃପ୍ତ କରିବାର ଡହକ ଭିତରେ ପଡ଼ି ବାହାରେ ଯିଏ ଭଳି ଭଳି ମୂର୍ତ୍ତି ବସାଇ ରଖିଛି ଓ ସେହିଗୁଡ଼ିକର ପୂଜା କରି ସବୁ ପାଇଯିବ ବୋଲି ତୋଡ଼ ଦେଖାଉଛି, ତାହା ଭିତରେ ବହୁ ଗଭୀରରେ ଠାକୁରଟିଏ ରହିଛି । ଠାକୁରଟିଏ, ଯିଏ ସହଜରେ ମୋଟେ ମଙ୍ଗେ ନାହିଁ, ଯିଏ ମୁଖାଗୁଡ଼ାକୁ ସତକୁ ସତ ଘୃଣାକରେ, ଆପଣାକୁ ହୀନ ବୋଲି କହିବାକୁ ଯିଏ ସବୁଠାରୁ ବଡ଼ ଅପରାଧ ବୋଲି ମନେକରେ । ପରସ୍ତଗୁଡ଼ାକୁ ଖୋଲିଲେ ଯାଇ ଆମେ ଅସଲ ପଦ୍ମଟିର ଭେଟ ପାଇବା, ଆମ ଜୀବନର ଅସଲ ସ୍ୱୀକୃତି ଆମକୁ ସେଇଠାରୁ ମିଳିବ ।

 

ସେହି ସ୍ୱୀକୃତିଟି ହିଁ ଆମର ଯାବତୀୟ ଦାରିଦ୍ର୍ୟକୁ ଦୂର କରିପାରିବ । ସେହି ସ୍ୱୀକୃତିର ଦର୍ପଣ ଉପରେ ଆପଣାକୁ ଚିହ୍ନୁ ଚିହ୍ନୁ ଆମେ ଅନ୍ୟମାନଙ୍କୁ ମଧ୍ୟ ଉଚିତ ଭାବରେ ଚିହ୍ନିବାର ବାଟ ପାଇଯିବା । ଜ୍ୟେଷ୍ଠ ଓ କନିଷ୍ଠ ଭିତରେ ସବାଆଗ ବନ୍ଧୁଟିଏ ଭୋଟିବାର ବାଟ ପାଇଯିବା । ବନ୍ଧୁ ପାଇ ଆମକୁ ଖାଇ ଖାଇ ଯାଉଥିବା ଇର୍ଷାକୁ ନିଃସଙ୍ଗତା-ବୋଧଟାକୁ ମଧ୍ୟ ଆମେ କ୍ରମଶଃ କାବୁ କରିନେଇ ପାରିବା । ବନ୍ଧୁଟିଏ ପାଇଲେ ଆମର ସାହିତ୍ୟ ବଦଳିଯିବ, ଆମର ସଖ୍ୟଗୁଡ଼ିକ ମଧ୍ୟ ନୂଆ ନୂଆ ପରିଧି ଲୋଡ଼ିବାକୁ ଆରମ୍ଭ କରିବ । ସେହି ପରିଧି ବଢ଼ିବାରେ ଲାଗିଥିବ । ନିଜେ କେନ୍ଦ୍ରସ୍ଥ ହୋଇ ରହିଥିବା ପର୍ଯ୍ୟନ୍ତ ପରିଧିଗୁଡ଼ିକୁ ବଢ଼ାଇବାରେ ଆମକୁ ତେଣିକି ମୋଟେ ଡର ଲାଗିବ ନାହିଁ । ପରିଧି ବଢ଼ାଇବା ଦ୍ୱାରା ହିଁ ଦାରିଦ୍ର୍ୟ ଯିବ । ନିଜର ପରିଧିକୁ ବଢ଼ାଇବାକୁ ରାଜି ହୋଇ ପାରୁଥିବା ମଣିଷ ଆମ ପୃଥିବୀରେ ଅନେକ କାମରେ ଲାଗି ପାରିବ ଏବଂ ଏହି ପୃଥିବୀର କାମରେ ଲାଗିବାଠାରୁ ବଳି ତା' ପକ୍ଷରେ ଅଧିକ ଧନାଢ଼୍ୟତା ଆଉ ପ୍ରକୃତରେ କ'ଣ ହୋଇପାରେ-?

୨୮ । ୬ । ୯୦

Image

 

ଏ କାଳର ଅସଲ କାଳମାନେ

 

ଯିଏ ଯେଉଁ କାମରେ ନିଯୁକ୍ତ ହୋଇଥାଏ, ସିଏ ତାହାକୁ ପାରିବ ବୋଲି ସେଠାରେ ନିଯୁକ୍ତ ହୋଇଥାଏ । ଯିଏ ହଳ କରି ଜାଣେ, ତାହାକୁ ହିଁ ହଳିଆ ରୂପେ ନିଯୁକ୍ତ କରା ଯାଇଥାଏ । ହଳିଆ ହୋଇ ରହିଥିବ, ମାତ୍ର ହଳ କରି ଆସୁ ନଥିବ, ଏଇ ପୁଣି କି କଥା । ଠାକୁରପୂଜା ଜାଣି ନ ଥିବ, ଅଥଚ ଦେଉଳରେ ପୂଜାରୀ ଭାବରେ ନିଯୁକ୍ତ ହୋଇଥିବ, ଏହାକୁ କଦାପି ବ୍ୟବସ୍ଥା ବୋଲି କୁହାଯିବ ନାହିଁ । ଆମ ଦେଶରେ ଯେଉଁମାନେ ଶାସନର ପ୍ରାୟ ସର୍ବୋଚ୍ଚ ସ୍ଥାନମାନଙ୍କରେ ରହନ୍ତି, ସେମାନଙ୍କ ପରିଚୟରେ ଆସିଲେ ମନରେ ସାଧାରଣତଃ ଏହିଭଳି ପ୍ରତିକ୍ରିୟାମାନ ହୋଇଥାଏ । ଆମ ଦେଶର ଉନ୍ନୟନ ସକାଶେ ସେମାନେ ନିଯୁକ୍ତ ହୋଇଛନ୍ତି ! ସେମାନଙ୍କୁ ସତେ ଯେପରି ଆଦୌ କେହିହେଲେ ନିଯୁକ୍ତ କରିନାହାନ୍ତି, ସତେ ଅବା ସେମାନଙ୍କ ପାଖରେ ଅସାଧାରଣ ଗୁଣ ଓ ପ୍ରତିଭାମାନ ରହିଛି ବୋଲି ସେମାନଙ୍କୁ ବରଣ କରି ଅଣାଯାଇଛି, ଆମ ସର୍ବୋଚ୍ଚ ଅମଲାମାନଙ୍କୁ ଦେଖିଲେ ଅଧିକାଂଶତଃ ତାହାହିଁ ମନେ ହୋଇଥାଏ । ସେମାନଙ୍କ ଭିତରୁ କିଏ ଶିକ୍ଷା ବିଭାଗରେ ଥାଏ ତ କିଏ ସ୍ୱାସ୍ଥ୍ୟ ବିଭାଗରେ ଥାଏ । କିଏ ଆଦିବାସୀଙ୍କର ମାରଫତରେ ରହିଥାଏ ତ ଆଉ କିଏ ଏକାବେଳେକେ ଗୋଟାଏ ଗୋଟାଏ ଜିଲ୍ଲାର ମାରଫତରେ ମଧ୍ୟ ରହିଥାଏ । ସେମାନେ ଆଜି ଏଠି ଅଛନ୍ତି ତ କାଲି ସେଠାକୁ ଡେଇଁ ପଡ଼ନ୍ତି । ଆଜି ନଗର ଉନ୍ନୟନରେ ଥାଆନ୍ତି ତ କାଲି ଅରଣ୍ୟ-ଉନ୍ନୟନକୁ ଡେଇଁ ପଡ଼ନ୍ତି । ସେମାନେ ସତେଅବା ସବୁ କମକୁ ପାରୁଆ ବୋଲି ସେମାନଙ୍କୁ ପ୍ରାୟ ଆଖିବୁଜି ଆଜି ଏ ବିଭାଗରୁ କାଲି ସେ ବିଭାଗକୁ ଡିଆଁଇ ନିଆଯାଏ । ସେମାନଙ୍କର ସମ୍ପର୍କରେ କିଏ ଆସିଲେ ବେଳେ ବେଳେ କାହାଣୀର ଶ୍ୱେତହସ୍ତୀମାନଙ୍କର କଥା ମନେ ପଡ଼ିଯାଏ । ନିଜକୁ ପଚାରିବାକୁ ଇଚ୍ଛା ହୁଏ, ଏହିମାନଙ୍କୁ ଆଖି ଆଗରେ ରଖି ଆମ ପୃଥିବୀରେ କେବେ ଶ୍ୱେତହସ୍ତୀର କଳ୍ପନା କରାଯାଇଥିଲା କି ?

 

ସେଦିନ ମୁଁ ଏହିଭଳି ଦଳେ ଶ୍ୱେତହସ୍ତୀଙ୍କର ହାବୁଡ଼ରେ ପଡ଼ିଗଲି । ସେମାନଙ୍କର ଏହି ପ୍ରଶିକ୍ଷଣକ୍ରମରେ କିଛି କହିବାକୁ ଓ କିଛି ଆଲୋଚନା କରିବାକୁ ମୋତେ କୁହା ଯାଇଥିଲା । ସେମାନଙ୍କ ମଧ୍ୟରେ ତରୁଣ ଓ ଅଭିଜ୍ଞ, ନବୀନ ଓ ପ୍ରବୀଣ ଉଭୟେ ଥିଲେ । ଭାରତବର୍ଷର ଉନ୍ନୟନ ବିଷୟରେ ଆଲୋଚନା ହେଉଥିଲା । ଏବେ ସରକାରୀ ଭାଷାରେ ଯେଉଁମାନଙ୍କୁ ଏକ ନିତାନ୍ତ ପଣ୍ୟଧର୍ମୀ ମିଜାଜରେ ମାନବସମ୍ବଳ ବୋଲି କୁହାଯାଉଛି, ସେହିମାନଙ୍କର ବିକାଶ ବିଷୟରେ ଆଲୋଚନା ହେଉଥିଲା । ଭାରତର ଅଧିକାଂଶ ମଣିଷ ବହୁ ବର୍ଷ ହେଲା ଅତ୍ୟନ୍ତ ହୀନବଳ ଅଥବା ହତବଳ ହୋଇ ପଡ଼ିଛନ୍ତି । ସେମାନଙ୍କୁ ତଥାପି ସମ୍ବଳରୂପେ ବିକଶିତ କରି ଆଣିବାକୁ ଦୟାବାନ୍ ସରକାର ଦେଶରେ କେତେ ଯୋଜନା କରିଛନ୍ତି । ଦେଶଟା ଯେତେବେଳେ ଏକ ଏଡ଼େବଡ଼ ଦେଶ, ସେତେବେଳେ ଯଥାସମ୍ଭବ ଅଧିକ ରାଜକୀୟ ଆଡ଼୍‌ଡ଼ାଚଉଡ଼ାରେ ଯୋଜନାମାନ ତିଆରି ହୋଇଛି ଏବଂ ସେହି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ନିମନ୍ତେ ସରକାରଙ୍କ ହାତୀଶାଳରେ କେତେ ହାତୀ ରଖାଯାଇଛନ୍ତି । ମାତ୍ର ଗତ ତିନିଚାରିଟା ଦଶକରେ ଏହି ବରାଦମାନ ଏପରି ବାଟମାରଣା ହୋଇ ଯାଇଛନ୍ତି ଯେ ଯେଉଁମାନଙ୍କ ଲାଗି ଯୋଜନା ହେଉଛି, ସେମାନେ ବୋକାଙ୍କ ପରି ଅନାଇ ରହିଛନ୍ତି ଓ ହାତୀମାନେ ଧଳାହାତୀରେ ପରିଣତ ହୋଇ ଯାଇଛନ୍ତି । ଅନେକ ସମୟରେ ଦିଅଁଙ୍କ ଲାଗି ନିଯୁକ୍ତ ହୋଇଥିବା ପଣ୍ଡାମାନେ ଯେପରି ଦିଅଁଙ୍କଠାରୁ ଅଧିକ ଉଜ୍ଜ୍ୱଳ ଦିଶନ୍ତି ଓ ଅଧିକ ଶୋଭା ପାଉଥାନ୍ତି ଅଥଚ ଦିଅଁଙ୍କ ଘରେ ମୂଷାମାନେ ପଶି ମାଟି ଗାଳୁଥାନ୍ତି, ଇଏ ପ୍ରାୟ ସେହିପରି ଏକ କଥା । ଧଳାହାତୀମାନେ ସରକାରୀ ରୁଟିନ୍ ମୁତାବକ ପ୍ରଶିକ୍ଷଣ ନିମନ୍ତେ ଆସନ୍ତି । ସତେଅବା ଏକ ସ୍ଥାନ-ପରିବର୍ତ୍ତନର ସଉକରେ ସେମାନେ ଗୁଣ୍ଡିଚା ଘରକୁ ଆସିଥାନ୍ତି । ଦିନାକେତେ ପ୍ରଶିକ୍ଷଣର ଆନନ୍ଦ ଲାଭ କରି ପୁନର୍ବାର ଦେଉଳକୁ ଫେରି ଯାଆନ୍ତି ।

 

ସେଦିନ ମୁଁ ଏପରି ଏକ ଯୋଜନା କରି ଯାଇଥିଲି ଯେ ମୁଁ ଆଗ କିଛି କହିବି ନାହିଁ । ସେମାନଙ୍କୁ ପ୍ରଶ୍ନ ପଚାରିବି ଓ ସେମାନେ ଉତ୍ତର ଦେବେ, ଏବଂ ସେମାନଙ୍କ ଠାରୁ ମିଳିଥିବା ଭତ୍ତରଗୁଡ଼ିକୁ ଏକତ୍ର ଭିତ୍ତି କରି ମୁଁ ପରେ ହୁଏତ କିଛି କହିବି । ଏମିତିରେ ହୁଏତ ପ୍ରଆମ ଅଧଘଣ୍ଟାଏ ନଷ୍ଟ ହେବ, ମାତ୍ର ତଦ୍ୱାରା ବକ୍ତା ଏବଂ ଶ୍ରୋତା ମଧ୍ୟରେ ଏକ ଭଲ ଭାବଗତ ଯୋଗସୂତ୍ର ସମ୍ଭବ ହୋଇପାରିବ । ମୁଁ ଯାହା ଭାବିଥିଲି, ଠିକ୍ ସେହିପରି କଲି । ଯେଉଁସବୁ ଉନ୍ନୟନ ଯୋଜନାକୁ କ୍ଷେତ୍ରମାନଙ୍କରେ ସବା ଉପରେ ଥାଇ କାର୍ଯ୍ୟକାରୀ କରିବା ସକାଶେ ସରକାର ସେମାନଙ୍କୁ ନିଯୁକ୍ତ କରିଛନ୍ତି, ସେଗୁଡ଼ିକ ସତକୁ ସତ ସଫଳ ହେବ ବୋଲି ସେମାନେ ବିଶ୍ୱାସ କରୁଛନ୍ତି କି ବୋଲି ମୁଁ ସେମାନଙ୍କୁ ପ୍ରଶ୍ନ କରିଥିଲି । ଏହି ପଶ୍ନଟି ସତେଅବା ମହୁଫେଣାରେ ଡାଙ୍ଗ ମାରିଦେଲା ପରି କାର୍ଯ୍ୟ କଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ତତ୍‍କ୍ଷଣାତ୍ ଭଅଁ ଭଅଁ ହୋଇ ଉଠିଲେ । ସତେଅବା ମୋତେ ଦଂଶନ କରିବାକୁ ମାଡ଼ି ଆସିଲେ । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା, ଏହିସବୁ ଯୋଜନା ଆଦୌ କାର୍ଯ୍ୟକାରୀ ହୋଇପାରିବ ନାହିଁ । ଅର୍ଥାତ୍ ହୁଏତ ଅନନ୍ତ କାଳପାଇଁ ଏହିସବୁ ଯୋଜନା ଚାଲିଥିବ । ଶିବେଇ ସାଆଁତରାମାନେ ଠିକା ନେଇ ଧାଁ ଧପଡ଼ କରୁଥିବେ । ତଥାପି ମଣିଷମାନେ ଅର୍ଥାତ୍ ଦେଶର ଅସଲ ସମ୍ବଳମାନ ହତବଳ ହୋଇ ରହିଥିବେ । ସେମାନଙ୍କର ଉତ୍ତର ଶୁଣି ସେଦିନ ମୁଁ ସତରେ ଅବାକ୍ ହୋଇଗଲି । ସେମାନେ ଯେଉଁ ଘରଟିର ଦାୟିତ୍ୱରେ ଅଛନ୍ତି, ସେହି ଘରଟି ନିଶ୍ଚୟ ଭୁଷୁଡ଼ି ପଡ଼ିବ ବୋଲି ଯଦି ସେମାନେ ଏଡ଼େ ଦୃଢ଼ଭାବରେ ବିଶ୍ୱାସ କରୁଛନ୍ତି, ତେବେ ସେମାନେ ସେହିସବୁ ଦାୟିତ୍ୱରେ ରହିଛନ୍ତି ବା କାହିଁକି ? ଦରମା ପାଉଛନ୍ତି ବା କାହିଁକି ?

 

ହାତୀମାନେ ସମ୍ଭବତଃ ହାତୀ ହୋଇ ରଜାଘରେ ରହିବା ଦିନଠାରୁ ଏପରି ଏକ ତେଢ଼ା କଥା ଶୁଣିନଥିଲେ । ତେଣୁ ପଲଟାଯାକ ତତ୍‌କ୍ଷଣାତ୍ ବିଦ୍ରୋହ କରି ଉଠିଲେ । ସେମାନଙ୍କର କ୍ରୁଦ୍ଧ ଶବ୍ଦାଘାତରେ ସାନ ପ୍ରକୋଷ୍ଠଟି ଗୋଟାସୁଦ୍ଧା କମ୍ପିତ ହୋଇ ଉଠିଲା । ସେମାନଙ୍କର ଅସଲ ଅଥାନଗୁଡ଼ିକରେ ଅର୍ଥାତ୍ ଅସମର୍ଥତାର ଗଣ୍ଠିଗୁଡ଼ିକରେ ହୁଏତ ଯେତେ ଯାହା ଗ୍ଳାନି ଓ ଲଜ୍ଜା ଲୁକ୍‌କାୟିତ ହୋଇ ରହିଥିଲା, କ୍ରୋଧର ରୂପ ଧରି ଏକାବେଳେକେ ବାହାରକୁ ବାହାରି ଆସିଲା । କିଏ କହିଲେ, ମନ୍ତ୍ରୀ ଯଦି ତାଙ୍କ ଦାୟିତ୍ୱମାନ ନ ତୁଲାଇ ଦରମା ନେଉଛନ୍ତି ଓ ଦରମା ସହିତ ଫରମାଗୁଡ଼ାକୁ ବି ଛାଡ଼ୁ ନାହାନ୍ତି, ଆମେ କାହିଁକି ନ ନେବୁ ? ଆଉ କିଏ କହିଲେ, ଆମ କାମଟିକୁ ତୁଲାଇ ପାରିଲୁ ନାହିଁ ବୋଲି ଯଦି ଆମେ ଇସ୍ତଫା ଦେଇ ବାହାରି ଆସିବୁ, ତେବେ ଆମ କୁଟୁମ୍ବର ପୋଷଣ କିଏ କରିବ ? ଏହିପରି କେତେ କ'ଣ ବାଣ ଅପରାହ୍ନର ସେହି ପ୍ରକୋଷ୍ଠଟିକୁ ସତେଅବା ବିଦ୍ଧ କରିବାକୁ ଲାଗିଲା । ମୁଁ ମଝିରେ ଛିଡ଼ା ହୋଇଥାଏ । ବାଣଗୁଡ଼ିକ ମୋତେ ବିଦ୍ଧ ନ କରି ସତେ ଅବା ଯାହା ପାଖରୁ ଛଡ଼ା ହୋଇଥିଲେ, ସେହିମାନଙ୍କ ପାଖକୁ ଫେରି ଯାଉଥାନ୍ତି ଓ ସେହିମାନଙ୍କୁ ହିଁ ବିଦ୍ଧ କରୁଥାନ୍ତି । ସତକୁ ସତ ତାହାହିଁ ହେଲା । ସେମାନେ ଆଖର ଅବଶ ହୋଇପଡ଼ିଲେ । ନିଜ ବାଣର ଆଘାତରେ ନିଜେ ପୋତି ହୋଇପଡ଼ିଲେ ।

 

ଏମାନଙ୍କୁ ଅମଲା ବୋଲି କୁହାଯାଏ । ଅମଲାମାନଙ୍କ ଭିତରେ ଯେଉଁମାନେ ଅଧିକ ଉଚ୍ଚରେ ଥାଆନ୍ତି, ଭୃତ୍ୟ-ରାଜତନ୍ତ୍ରରେ ସେମାନଙ୍କୁ ହାକିମ ବୋଲି କୁହାଯାଏ । ସେମାନେ କାଗଜପତ୍ରରେ ଏହି ଦେଶଟାକୁ ଚଳାନ୍ତି । କାମ କରାନ୍ତି, କାମଗୁଡ଼ିକ ସଫଳ ବା ବିଫଳ ହେବା ବିଷୟରେ ସେମାନଙ୍କ ଭିତରେ ଖୁବ୍‌ ବେଶୀ ଦାୟିତ୍ୱବୋଧ ନଥାଏ । ଜଣେ ଜାଗ୍ରତ ମନୁଷ୍ୟ ହିସାବରେ ଏକ ଅଙ୍ଗୀକାରବଦ୍ଧତା ରହିବା ଓ ଆହୁରି ଦୂରର କଥା । ଜଣେ ଜଣେ ବ୍ୟକ୍ତି ହିସାବରେ ସେମାନଙ୍କ ମଧ୍ୟରୁ କହାରି କାହାରି ହୁଏତ କିଞ୍ଚିତ୍‌ ନିର୍ଦ୍ଦିଷ୍ଟ କୌଣସି ବିଶ୍ୱାସ କିମ୍ବା ସ୍ୱପ୍ନ ଥାଇପାରେ । ମାତ୍ର ସେଗୁଡ଼ିକୁ ଲୁଚାଇ ରଖି କଳର କବଜା ପରି ଜୀବନ ଧାରଣ କରିବାକୁ ଏକ ଉତ୍ତମ ହାକିମର ଲକ୍ଷଣ ବୋଲି କୁହାଯାଏ । ଗୋଟାଏ ଦେଶ ପ୍ରତି ଗୋଟାଏ ଜନସମୂହ ପ୍ରତି ସେମାନଙ୍କର କୌଣସି ପ୍ରତିବଦ୍ଧତା ନଥାଏ, କେବଳ ସେମାନଙ୍କ ଉପରେ ରହିଥିବା ଅଧିକ ବଡ଼ କବ୍‌ଜାଗୁଡ଼ାକ ଲାଗି ସେମାନଙ୍କର ଯାହା ଟିକିଏ ଉତ୍ତରଦାୟିତ୍ୱ ରହିଥାଏ, ସେମାନଙ୍କୁ ଖୁସୀ କରି ରହିଥିବା ପର୍ଯ୍ୟନ୍ତ ଧଳାହାତୀ ହେବାରେ ଆଉ ଆଦୌ କୌଣସି ବାଧା ନ ଥାଏ ।

 

ଏକ ରାଜନୀତିକ ଓ ସାମାଜିକ ଆଦର୍ଶ ଅନୁସାରେ ସ୍ୱାଧୀନ ଭାରତବର୍ଷର ପୁନର୍ଗଠନ ହୋଇଥାନ୍ତା । ଧଳା ହାତୀମାନେ ସେହିସବୁ ଆଦର୍ଶରେ କୌଣସି ଧାର ଧରନ୍ତି ନାହିଁ । ଦେଶ ବୁଡ଼ିଗଲେ ମଧ୍ୟ ସେମାନେ ଅବଶ୍ୟ ରହିବେ; ଯିଏ କ୍ଷମତାକୁ ଆସିଲା ବାର କାଗଜପତ୍ରକୁ ସେମାନେ ସଜାଡ଼ି କରି ରଖିଥିବେ, ନିରାପଦରେ ରହିବେ, ସତେ ଏହିପରି ଏକ ଦୁରାଗ୍ରହ ଆମର ହାତୀମାନଙ୍କୁ ଆହୁରି ଅନମନୀୟ କରି ରଖିଥାଏ । ରାଜନୀତିକ ନେତାମାନେ ମଧ୍ୟ ସତେଅବା ଧର୍ମତଃ ଜଣେ ଜଣେ ସବା ଉପରେ ରହିଥିବା ଅମଲାଙ୍କ ପରି ଆଚରଣ କରିବାକୁ ହିଁ ରୀତି ବୋଲି ଆଦରି ନେଇଛନ୍ତି । ରାଜନୀତି କୁଆଡ଼େ ଗଲାଣି, ବାମ ଓ ଡାହାଣ ସମସ୍ତେ ଏବେ ପ୍ରାୟ ଏକାଭଳିଆ ଦିଶିଲେଣି । ତେଣୁ ଅମଲାମାନଙ୍କର ବା କାହିଁକି କୌଣସି ଅଙ୍ଗୀକାରବଦ୍ଧତା ରହିବ-? ତୁଚ୍ଛା ମୁଣାଟାଏ ହେବାରେ ଯଦି ଏତେ ସଫଳତା ରହିଛି, ସେତେବେଳେ କାହିଁକି କିଏ ରାଜନୀତିକୁ ମନ କରିବ ? କାହିଁକି କିଏ ଭବିଷ୍ୟକୁ ନେଇ ସ୍ୱପ୍ନକୁ ଫଳାଇବା ଲାଗି ଏକ ଆହ୍ଵାନରୂପେ ଗ୍ରହଣ କରିବ ?

୧୨ । ୭ । ୯୦

Image

 

ଦୈତ୍ୟ ଭିତରର ଦୋସରଟି

 

ଆମ ଜୀବନରେ ଯେତେବେଳେ ଆମ ଦୈତ୍ୟଟା ହିଁ ଆମ ଭିତରର ଦେବତାକୁ ଅତ୍ୟଧିକ ପରିମାଣରେ ମାଡ଼ି ବସିଥାଏ, ସମ୍ଭବତଃ ସେତିକିବେଳେ ଆମେ ସାହିତ୍ୟକୁ ଜୀବନଠାରୁ ଅଲଗା ବୋଲି କହୁ ଏବଂ ଏହି ଅସତ୍ୟଟାକୁ ସତ୍ୟ ବୋଲି ପ୍ରମାଣ କରିବା ପାଇଁ ଯୁଦ୍ଧ ଲଢ଼ି ବାହାରିଥାଉ । ଆମେ ହୁଏତ ଆମେ ହୁଏତ ଧରି ନେଇଥାଉ ଯେ ଆମ ଭିତରେ ପ୍ରକୃତରେ ନଅଭାଗ ହେଉଛି ଦୈତ୍ୟ ଏବଂ ମୋଟେ ଭାଗେ ହେଉଛି ଦେବତା । ଦୈତ୍ୟ ଓ ଦେବତା ଭିତରେ ଆମେ ସଚରାଚର ଦୈତ୍ୟଟାକୁ ହିଁ ଅଧିକ ପରିଶ୍ରମୀ ବୋଲି ମାନି ନେଇଥାଉ । ଦେବତା ସହିତ ଗୋପନରେ ଭେଟ ହେବାକୁ ଯାଉ, ମାତ୍ର ଦୈତ୍ୟଟା ସହିତ ହିଁ ଘର କରି ରହିଥାଉ । ଆମ ଜୀବନର ଯାବତୀୟ ଦେଣନେଣ ଦୈତ୍ୟର ବେଭାରରେ ଚାଲିଥାଏ । ଦେବତାଟି ପାଟକନା ଭିତରେ ଗୁଡ଼ାଇ ହୋଇ ରହିଥାଏ । ଅକଳରେ ପଡ଼ି କିମ୍ୱା ବାଧ୍ୟ ହୋଇ ଯେ ଆମେ ଏପରି କରୁ ସେକଥା ଆଦୌ ନୁହେଁ, ଦେବତାଠାରୁ ଦୈତ୍ୟଟିକୁ ଅଧିକ ଆଦରି ନେଇଥାଉ ଓ ସତକୁ ସତ ଦୈତ୍ୟର ପଟେ ହିଁ ରହିଥାଉ ବୋଲି ଆମେ ସେହିପରି କରୁ । ଦେବତା ପଟେ ରହିବା ମୋଟେ ସହଜ ନୁହେଁ; ଦେବତା ପଟେ ରହିଲେ ଅଧିକ ଦେବାକୁ ପଡ଼େ, ଅଧିକ ହେବାକୁ ପଡ଼େ, ଅଧିକ ପରିମାଣରେ କାମରେ ଲାଗି ପାରିବାକୁ ନିଜ ଜୀବନର ଲକ୍ଷ୍ୟ ବୋଲି ଗ୍ରହଣ କରିନେବାକୁ ପଡ଼େ-। ମାତ୍ର ଦୈତ୍ୟ ଆମଠାରୁ ସେପରି କୌଣସି ଦାବି କରେନାହିଁ । ଆମକୁ ଗୋଟାସୁଦ୍ଧା ହୁଗୁଳା କରି ଛାଡ଼ି ଦେଇଥାଏ, ଭୋଗ ଓ ସମ୍ଭୋଗ ଭିତରକୁ ଛାଡ଼ି ଦେଇଥାଏ, ବିଶୁଦ୍ଧ ଦାୟିତ୍ୱହୀନତା ଭିତରକୁ ଛାଡ଼ି ଦେଇଥାଏ । ନିଜେ ଆଦୌ କିଛି ନ ହୋଇ ସବୁକିଛି ହୋଇଥିଲା ପରି ଦେଖାଇହେବା, ଆମ ଭିତରର ଆମର ଅତି ପ୍ରିୟ ଦୈତ୍ୟଟି ଆମକୁ ନିରନ୍ତର ସେହି ମନ୍ତ୍ରଣା ଦେବାରେ ଲାଗିଥାଏ ।

 

ଆମେ ଦୈତ୍ୟପଟେ ରହିଥାଉ, ତେଣୁ ସମଗ୍ର ସଂସାରଟା ମଧ୍ୟ ଦୈତ୍ୟପଟେ ରହିଛି ବୋଲି ଆମକୁ ସବୁବେଳେ ଦେଖା ଯାଉଥାଏ । ନିଜ ଭିତରେ ଦୈତ୍ୟଟା ଲାଗି ବାଟ ଛାଡ଼ି ଦେଇଥିବାରୁ ଜଗତଯାକ ସେହି ଦୈତ୍ୟ ପଟେ ରହିଛି ବୋଲି ଆମେ ମଧ୍ୟ ବିଶ୍ଵାସ କରିଥାଉ । ଆମ ଶାସ୍ତ୍ରମାନେ ବି ଆମକୁ କହିବାରେ ଲାଗିଥାନ୍ତି ଯେ ସତ୍ୟଯୁଗ ହୁଏତ ଦିନେ ଥିଲା, ସତ୍ୟ ଯୁଗ ଆଉ କଦାପି ଆସିବ ନାହିଁ, ତେଣୁ ଆମକୁ କଳିଯୁଗର ରୀତିରେ ହିଁ କଳିଯୁଗଟାକୁ ବଞ୍ଚିବାକୁ ପଡ଼ିବ-। ଏହିପରି ଭାବରେ ଆମ ସମସ୍ତଙ୍କର ସମର୍ଥନ ପାଇ କଳିଯୁଗଟା ହିଁ କେତେ ଦର୍ପରେ ବାନା ଉଡ଼ାଇ ରାଜତ୍ୱ କରିବାରେ ଲାଗିଥାଏ । ଆମକୁ ନିମିତ୍ତ କରି ଆମରି ମାଧ୍ୟମରେ ସଂସାରଟାକୁ ମଣ କରି ରହିଥାଏ । ଆମ ଭାଗ୍ୟବାଦୀମାନେ ଆମକୁ ଏଥିଲାଗି ଅନୁକୂଳ ଆଣ୍ଟମାନ ଯୋଗାଇ ଦେବାରେ ଲାଗିଥାନ୍ତି । ଆମ ଭିତରର ଦୈତ୍ୟଟା ହିଁ ସତେ ଅବା ତା ନିଜର ମନୋରଞ୍ଜନ ଲାଗି ଆମକୁ ସାହିତ୍ୟ ଲେଖିବା ଲାଗି ପ୍ରବର୍ତ୍ତନା ଦିଏ । ଆଗେ ରାଜାମାନେ ନିଜ ସଭାରେ ମନ୍ତ୍ରୀ ଓ ସେନାପତିମାନଙ୍କ ସମେତ ଯେମିତି କେତେଜଣ ପଣ୍ଡିତଙ୍କୁ ମଧ୍ୟ ରଖୁଥଲେ, ଆମ ଜୀବନସଭାରେ, ସେହିପରି ଦୈତ୍ୟର ମନୋରଞ୍ଜନ ଲାଗି ସାହିତ୍ୟିକଟିଏ ରହିଥାଏ । ସେହି ସାହିତ୍ୟିକ କବିତା ଲେଖେ, ଗପ, ଉପନ୍ୟାସ, ନାଟକ ଓ ଆହୁରି କେତେ କ'ଣ ଲେଖିବାରେ ଲାଗିଥାଏ ଓ ସଭାଟିକୁ ଆନନ୍ଦ ଦେବାରେ ଲାଗିଥାଏ । ଗଞ୍ଜେଇ ଖାଇବା ଭିତରେ ଯଦି ମହାଦେବ ମନେ ପଡ଼ି ଯାଉଛନ୍ତି ଓ ଗଞ୍ଜୋଡ଼ମାନଙ୍କ ମଧ୍ୟରେ ଏକ ଚମତ୍କାର ପ୍ରୀତିର ଅବତାରଣ କରିପାରୁଛନ୍ତି, ତେବେ ଆମ ଜୀବନରୂପୀ କୋରଡ଼ଟା ତାହାକୁ ଭିତରେ ଦୈତ୍ୟର ପରିତର୍ପଣ ସହିତ କିଞ୍ଚିତ ସାହିତ୍ୟ ରହିଲେ କ୍ଷତି କ'ଣ – ଏହିପରି ନ୍ୟାୟରେ ଆମେ ସାହିତ୍ୟର ରମଣ କରିବାକୁ ମନ କରୁ ଏବଂ ତାହାକୁ ସୃଜନଶୀଳତା ବୋଲି କହିଥାଉ । ଦୈତ୍ୟ ଦ୍ୱାରା ଶାସିତ ଆମ ଜୀବନରୂପୀ ନିର୍ଧୂମ ମରୁଭୂମି ଭିତରେ ଆମ ସାହିତ୍ୟକାରିତାକୁ ଆମେ ମରୁଉଦ୍ୟାନର ଆଖ୍ୟା ଦେଇଥାଉ । ମରୁଭୂମି ସବୁ କାଳକୁ ଅବଶ୍ୟ ରହିବ, ତେଣୁ ତାହାରି ଭିତରେ ଘଡ଼ିଏ ମନୋରଞ୍ଜନ ଏବଂ ଆଉ ଚାରିଘଡ଼ି ବିସ୍ମରଣ ଲାଗି ସାହିତ୍ୟ ନାମକ ମରୁଦ୍ୟାନଟିଏ ରହିଲେ କ୍ଷତି କ’ଣ ?

 

ଆମ ଦୈତ୍ୟରୂପୀ ଜୀବନ ଭିତରେ ସତେଅବା ଭାରି ସରୁ ସୂତାଟିରେ ଲଟକି ରହିଅବା ଆମର ଦୋସରଟି ହେଉଛି ଆମର ସାହିତ୍ୟ, ଆମର ଅବର୍ଜିଆ ଜୀବନଗଭାର ଆମ ସାହିତ୍ୟ ହେଉଛି ସୁଦୃଶ୍ୟ ଫୁଲଟିଏ । ଆମ କର୍କଶ ଓ କଠିନ ବହୁ ଉପଦ୍ରବକାରୀ ଲାଳସାଗୁଡ଼ିକ ମଧ୍ୟରେ ଆମ ସାହିତ୍ୟ ହେଉଛି କୋମଳ ଲତାଟିଏ । କାର୍ଲମାର୍କସ୍‌ଙ୍କଠାରୁ ଶବ୍ଦନେଇ କହିଲେ, ଆମକୁ ନିମିତ୍ତ କରି ଚରାଚର ପ୍ରଭୁତ୍ୱ ବିସ୍ତାର କରି ରହିଥିବା ଏହି ଜଗତମୟ ହୃଦୟହୀନତା ମଧ୍ୟରେ ଆମ ସାହିତ୍ୟ ହେଉଛି ଅଶେଷ ସାନ୍ତ୍ୱନାଦାୟୀ ହୃଦୟଟିଏ । ପ୍ରାଚୀନ ତତ୍ତ୍ୱକାରମାନେ ସମ୍ଭବତଃ ସେଇଥିଲାଗି ସାହିତ୍ୟ ଅର୍ଥାତ୍ କାବ୍ୟକୁ । କୋମଳା ବନିତାଟିଏ ସହିତ ତୁଳନା କରିଛନ୍ତି ଓ ଦୈତ୍ୟର ଆଶ୍ରୟ ବ୍ୟତୀତ ତାହା କଦାପି ତିଷ୍ଠି ପାରିବ ନାହିଁ ବୋଲି ଆପ୍ତବାକ୍ୟ ଶୁଣାଇ ଯାଇଛନ୍ତି-। ଦୈତ୍ୟର ତୃଷ୍ଠା ନିବାରଣରେ କାମିନୀ ପରି ଆମ ସାହିତ୍ୟ ମଧ୍ୟ କାମରେ ଆସିବ ବୋଲି ଦୈତ୍ୟର ରାଜତ୍ଵକୁ ମାନି ନେଇଥିବା ପ୍ରବରମାନେ କେତେ ଭବ୍ୟ ଭାବରେ ବର୍ଣ୍ଣନା କରିଯାଇଛନ୍ତି-। କାମିନୀସଙ୍ଗର ସ୍ୱତନ୍ତ୍ର ଅବସରମାନ ରହିଥିବା ପରି ବୁଦ୍ଧିଯୁକ୍ତ ଜୀବନରେ ସାହିତ୍ୟର ମଧ୍ୟ ଏକ ସ୍ୱତନ୍ତ୍ର ଅବସର ସୃଷ୍ଟି କରାଯାଇ ଆମ ଭିତରର ସେହି ଦୋସରଟିର ଅର୍ଚ୍ଚନା କରାଯାଉଛି । ଯାହାକୁ ତା’ର ସ୍ୱତନ୍ତ୍ର ସ୍ଥାନଟିଏ ଓ ଅବସରଟିଏ ଛାଡ଼ି ଦିଆଯାଇଛି, ସିଏ ଆମର ସମଗ୍ର ଜୀବନ ଉପରେ, ଆମର ଦୈତ୍ୟାନୁରାଗଗୁଡ଼ାକ ଉପରେ ଯେପରି କୌଣସି ହସ୍ତକ୍ଷେପ କରିବାକୁ ନ ଆସେ, ସେଥିଲାଗି ଆମ ଭିତରର ଦୈତ୍ୟଟି ସବୁ ପ୍ରକାରର ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରିଛି । କାଳିସା ଲାଗିବ ତ ଘଡ଼ିକ ପାଇଁ ଲାଗୁ, ନିରୋଳାରେ ଲାଗୁ, ସେଥିରେ ଦୈତ୍ୟର ଆଦୌ କୌଣସି କ୍ଷତି ହେବନାହିଁ । କିନ୍ତୁ ସେହି କାଳିସୀ ଆମ ଭପରେ ଆଦୌ କୌଣସି ହସ୍ତକ୍ଷେପ ନ କରୁ । ଦୈତ୍ୟଟି ତା' ବାଟରେ ଯାଇପାରୁଛି ବୋଲି ସିନା ଏହି ସଂସାର ରହିଛି । ଦୈତ୍ୟଟିକୁ ପୂରାପୂରି ହଟାଇଦେଲେ, ଅଥବା ଆମ ସାହିତ୍ୟ ଦୈତ୍ୟଟିକୁ ଶାସନ କରିବାକୁ ଇଚ୍ଛା କଲେ ବର୍ତ୍ତମାନର ଜୀବନ କଦାପି ଚାଲି ପାରିବ ନାହିଁ ଏବଂ ଜୀବନ ନ ଚାଲିଲେ ସାହିତ୍ୟ ବା କିପରି ଚାଲିବ ? ତେଣୁ ଦୈତ୍ୟଟା ହିଁ ପ୍ରଧାନ ହୋଇ ରହିଥାଉ । ଦୋସରାଟାକୁ ଦଣ୍ଡେ ବା ଘଡ଼ିଏ ନାଚିବାକୁ ଡେଇଁବାକୁ ଅଥବା ଧୂଳିରେ ଗଡ଼ିବାକୁ ଅବସର ମିଳୁ । ସଂସ୍କୃତି ଜୀବନଠାରୁ ଅଲଗା ହୋଇ ରହିଥାଉ, ଆନନ୍ଦ ଅନ୍ନଠାରୁ ଭିନେ ଘର କରି ରହିଥାଉ । ପ୍ରେମ ନାମରେ ଚଉପଦୀ ଓ ଚତୁର୍ଦ୍ଦଶପଦୀ ଲେଖା ହେଉ ପଛକେ, ମାତ୍ର ତାହା ଆମର ଏହି ନିତିଦିନର ଦୈତ୍ୟକରଣାକୁ କୌଣସି ପକାରେ ଗ୍ରାସ କରିବାକୁ ନ ଆସୁ । ଦୋସର ଦ୍ୱିତୀୟ ସ୍ଥାନରେ ରହୁ, ତାହାହିଁ ରୀତି, ତାହାହିଁ ସମାଧାନ ।

 

ଆମ ଭିତରେ ଆମ ଅପେକ୍ଷାରେ ସମ୍ଭାବନାମୟ ଦେବତାଟିଏ ରହିଛି; ଆମ ଅନୁରାଗର ଯେଉଁସବୁ ବାଟକୁ ଆମେ ସେହି ଦେବତା ଲାଗି ଉଗାଳି ରଖିଛୁ, ତାହାହିଁ ଦୈତ୍ୟ ହୋଇ ଆମ ଉପରେ ଉପଦ୍ରବ କରୁଛି ଓ ଆମ ଜୀବନର ଏତେଗୁଡ଼ାକ ଜାଗା ମାଡ଼ି ବସିଛି ବୋଲି ଆମେ ଯେଉଁଦିନ ଦେଖିବାକୁ ସମର୍ଥ ହେବା, ସେଦିନ ଆମକୁ ମାଧ୍ୟମ କରି ଆମ ସାହିତ୍ୟର ଭୂମିକା ମଧ୍ୟ ବଦଳିଯିବ । ଆମଲାଗି ସେତେବେଳେ ସଂସ୍କୃତିର ପରିଭାଷା ମଧ୍ୟ ବଦଳିଯିବ । ଅସଲ ଥାନରେ ଆମର ଶୁଭ ବାସନାଗୁଡ଼ିକୁ ନେଇ ବସାଇ ପାରିଲେ ଆମ ଭିତରେ ଦୈତ୍ୟକୁ ହୁଏତ ଖୋଜିଲେ ମଧ୍ୟ ମିଳିବ ନାହିଁ ଏବଂ ଆମ ଭିତରୁ ଦୈତ୍ୟଟା ଅପସରି ଗଲେ ଆମ ଜୀବନରେ ଭୀରୁ ହୋଇ ରହିବାର ସକଳ ଆବଶ୍ୟକତା ମଧ୍ୟ ଦୂର ହୋଇଯିବ । ଭୀରୁତା ଦୂର ହୋଇ ପାରିଲେ ହିଁ ଭିତରେ ଦେବତାର ଦର୍ଶନ ସମ୍ଭବ ହୁଏ । ସେତେବେଳେ ସାହିତ୍ୟର ମଧ୍ୟ କେବଳ ଏକ ଦୋସର ହୋଇ ରହିବାର ଦୁର୍ଗତି ଦୂର ହୋଇଯାଏ । ସାହିତ୍ୟ ଆମ ଜୀବନକୁ ଆଲୋକିତ କରିବାର ମାଧ୍ୟମ ହୋଇ ଏକ ସମ୍ପୂର୍ଣ୍ଣ ନୂତନ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଆରମ୍ଭ କରେ । ଯିଏ ଆଲୋକିତ ହୁଏ, କେବଳ ସେଇ ଆଲୋକିତ କରିପାରେ । ତାହାରି ଦ୍ୱରା ହିଁ ପୃଥିବୀ ବଦଳେ । ଧୂର୍ତ୍ତତାମାନେ ଲାଜରେ ପୁଚ୍ଛ ଜାକି ପଳାୟନ କରନ୍ତି । ଆମକୁ ନିମିତ୍ତ କରି ଏପରି ଏକ ପ୍ରକ୍ରିୟା ଏହି ସଂସାରରେ ଯେ ସମ୍ଭବ ହୋଇପାରିବ, ଜୀବନରେ ଏହି ବିଶ୍ୱାସଟିକୁ ବହନ କରି ବାଟ ଚାଲୁଥିବା ସାହିତ୍ୟ ବିଷୟରେ ମଧ୍ୟ ଆମର ଦୃଷ୍ଟିଭୂମିଟି ବଦଳି ଯିବାକୁ ଆରମ୍ଭ କରିବ । ପଳାୟନ ନୁହେଁ, ବିସ୍ମରଣ ନୁହେଁ; ସେତେବେଳେ ପ୍ରୀତି ହିଁ ଆମ ଜୀବନର ସର୍ବମୁଖୀ ଗବାକ୍ଷରୂପେ ଗୃହୀତ ହୋଇ ଆସିବ । ଆମର ସାହିତ୍ୟ ଆମକୁ ବଦଳାଇ ଦେବାର ଏକ ସାଧନରେ ପରିଣତ ହେବ । ପୃଥିବୀ ଉପଦ୍ରବମୁକ୍ତ ହେବ ।

୧୯ । ୭ । ୯୦

Image

 

ଅସ୍ତିତ୍ଵବାଦୀର ବିବାଦ

 

ଜୀବନରେ ଆଦର୍ଶଟିଏ ଥିଲେ ମଣିଷ କ୍ୱଚିତ୍ ଆଦର୍ଶବାଦୀ ହୁଏ । ନିଜର ଆଦର୍ଶଟିକୁ ସେ ବଞ୍ଚିବାକୁ ଚେଷ୍ଟା କରୁଥାଏ । ସେହି ବଞ୍ଚିବାରେ ତା’ଲାଗି ନିତି ନୂଆ ଆକର୍ଷଣ ଏବଂ ଆହ୍ୱାନ ଭର୍ତ୍ତି ହୋଇ ରହିଥାଏ, ତାକୁ ସଦା ଉଦ୍ୟତ ଓ ସଦା ଗତିଶୀଳ କରି ରଖିଥାଏ । ନିଜର ଆଦର୍ଶଟିକୁ ନେଇ ଏକ ବାଦର ନିର୍ମାଣ କରିବାକୁ ତାକୁ ମୋଟେ ଫୁରସତ ମିଳେ ନାହିଁ । ସାମ୍ୟକୁ ନେଇ ସାମ୍ୟବାଦଟିଏ ଗଢ଼ିବା, ସିଏ ମଧ୍ୟ ସେଇ ଏକ କଥା । ଏକଦା ସତକୁ ସତ ସମତା ନାମକ ଏକ ଜୀବନମୂଲ୍ୟରେ ବିଶ୍ୱାସ କରୁଥିବା ଓ ସେହି ମୂଲ୍ୟଟିର ପ୍ରତିଷ୍ଠା ନିମନ୍ତେ ଏକ ନିଷ୍ଠାପର ବିପ୍ଲବୀର ଜୀବନପଣ ନେଇ ବାହାରିଥିବା ବ୍ୟକ୍ତିମାନେ ସାମ୍ୟବାଦର ଅତ୍ୟୁତ୍ସାହ ଓ ଅତ୍ୟାତୁରତା ଭିତରେ ପଡ଼ି କିପରି ଦିଅଁଟାକୁ ମାଙ୍କଡ଼ କରି ପକାଇଲେ, ତାହାର ପ୍ରମାଣ ଆମକୁ ଏବେ ପ୍ରାୟ ପ୍ରତିଦିନ ମିଳୁଛି । ସାମ୍ୟରୁ ସାମ୍ୟବାଦ, ସେହିପରି ଗାନ୍ଧୀରୁ ମଧ୍ୟ ଗାନ୍ଧୀବାଦ । ଗାନ୍ଧୀ ଏହି ପୃଥିବୀରେ ବଞ୍ଚିଥିଲେ, କେତୋଟି ଜୀବନମୂଲ୍ୟକୁ ଅପରିହାର୍ଯ୍ୟ ବୋଲି ଗ୍ରହଣ କରି ନେଇ ସେ ନିଜ ଜୀବନରେ ସେଗୁଡ଼ିକର ପ୍ରୟୋଗ କରୁଥିଲେ । ତାଙ୍କର ସେହି ପ୍ରୟୋଗ ସମ୍ପ୍ରସାରିତ ହୋଇ କ୍ରମେ ସାମୂହିକ ସମ୍ବନ୍ଧଗୁଡ଼ିକର କ୍ଷେତ୍ରକୁ ମଧ୍ୟ ଆଲୋଡ଼ିତ କଲା । ସେଇଥିରୁ ଏକ ନୂତନ ରାଜନୀତି ବାହାରିଲା, ଏପରିକି ସମଗ୍ର ପୃଥିବୀ ଲାଗି ଅନ୍ୟାୟର ପ୍ରତିରୋଧ କରିବାର କ୍ଷେତ୍ରରେ ଏକ ନୂତନ ସଂଗ୍ରାମରୀତି ମଧ୍ୟ ବିକଶିତ ହୋଇ ଆସିଲା । ଗାନ୍ଧୀଙ୍କ ପରେ ଗାନ୍ଧୀବାଦୀମାନେ ଆସିଲେ, ଗାନ୍ଧୀଜୀବନର ଆହ୍ୱାନଟିକୁ କେଡ଼େ ନିଷ୍ଠାର ସହିତ ବିକୃତ କରିଦେଲେ । ଏବେ ତ ଭାରତବର୍ଷରେ ଗାନ୍ଧୀବାଦୀ ବହୁତ ଅଛନ୍ତି, ମାତ୍ର ସେହି ଅସଲ ଆହ୍ୱାନଟି ଦୃଷ୍ଟିଗୋଚର ହୋଇ ପାରୁନାହିଁ ।

 

ଈଶ୍ୱରଙ୍କୁ ନେଇ ଈଶ୍ୱରଲାଳସୀ ପ୍ରବର ମଣିଷମାନେ କେତେ ଯେ ବାଦ ବାହାର କରିଛନ୍ତି ତା’ର ସୁମାରି ନାହିଁ । ଯିଏ ସତକୁ ସତ ଈଶ୍ଵରଙ୍କ ପାଲରେ ପଡ଼େ, ଈଶ୍ଵର ତା'ଲାଗି ନିରନ୍ତର ଏକ ଆହ୍ୱାନ ରୂପେ ଅନୁଭୂତ ହୁଅନ୍ତି । ପାଲରେ ପଡ଼ିବା ଅର୍ଥ ଭଲ ପାଇବା । ଈଶ୍ୱରଙ୍କୁ ବିନା କାରଣରେ ଭଲ ପାଇବା, ତାହାର ଅନ୍ୟନାମ ହେଉଛି ଈଶ୍ୱରଙ୍କର ପାଲରେ ପଡ଼ିଯିବା । ପାଲରେ ପଡ଼ିଯିବାର ଅର୍ଥ ବାଟଟିଏ ଚାଲିବା । ଏକାବେଳକେ ଖୁସି ହୋଇ ତାଙ୍କର ହୋଇଯିବା ଓ ତାଙ୍କରି ଲାଗି ବଞ୍ଚିବା । ମାତ୍ର, ଆମ ପୃଥିବୀରେ ଯୁଗେ ଯୁଗେ ଅନେକ ମଣିଷ ବାହାରିଛନ୍ତି, ଯେଉଁମାନେ କି ନିଜର ବୁଦ୍ଧିସାମର୍ଥ୍ୟ ପ୍ରୟୋଗ କରି ଈଶ୍ୱରଙ୍କୁ ପାଲରେ ପକାଇବାକୁ କେତେ ଚେଷ୍ଟା କରିଛନ୍ତି । ଈଶ୍ୱର ଦର୍ଶନକୁ ନାନା ଅନ୍ତର୍ଗତ କାରଣରୁ ଏଡ଼ିବାକୁ ଚେଷ୍ଟା କରିଯିବା ବ୍ୟକ୍ତିମାନେ ହିଁ ଈଶ୍ୱରଙ୍କୁ ପେଣ୍ଠ ପରି ବ୍ୟବହାର କରି ଦାର୍ଶନିକତାର ବଣିଜ କରିଛନ୍ତି । ଦର୍ଶନ ଭିତରେ ଚାହାଣି ଗୁଡ଼ାକ ଆଗରୁ ନାନା ବାଦର ନ୍ୟାୟ ଅନୁସାରେ ଥାକ ଥାକ ହୋଇ ରହିଥାଏ କି କ'ଣ କେଜାଣି, ସେହିଗୁଡ଼ାକରୁ ହିଁ ସମ୍ପ୍ରଦାୟଗୁଡ଼ିକର ସୃଷ୍ଟି ହୋଇଛି, ଧ୍ୱଜା ଉଡ଼ିଛି, ଯୁଦ୍ଧ ଲାଗିଛି, ବହୁବିବାଦ ଭିତରେ ମଣିଷମାନେ ଈଶ୍ୱରଙ୍କୁ କୁଆଡ଼େ ମନ କୁଆଡ଼େ ପୋତି ପକାଇଛନ୍ତି । ମନୁଷ୍ୟର ଯାତ୍ରା-ଇତିହାସରେ ସମ୍ଭବତଃ ଏଇଟା ହେଉଛି ଏକ ସବୁଠାରୁ ବଡ଼ ବିଡ଼ମ୍ବନା, ସବୁଠାରୁ ବଡ଼ ପ୍ରହେଳିକା । ଆଗରେ ଉଜ୍ଜ୍ଵଳ ତାରାଟିଏ ଦେଖି ବାଟ ଚାଲିବା, ଏଥିରେ ବାଦର ପୁଣି କି ପ୍ରୟୋଜନ ରହିଛି, ବିବାଦର ମଧ୍ୟ କାହିଁକି କ'ଣ ପ୍ରୟୋଜନ ରହିଛି ?

 

ଠିକ୍ ସେହିପରି ଅସ୍ତିତ୍ୱରୁ ଅସ୍ତିତ୍ଵବାଦ । ଆମର ଜୀବନ ହେଉଛି ଆମ ପ୍ରତ୍ୟେକଙ୍କ ଲାଗି ଗୋଟିଏ ଆହ୍ୱାନ । ଆହ୍ୱାନ ଏବଂ ସେହି କାରଣରୁ ଏକ ଆକର୍ଷଣ । ଜୀବନକୁ ଆପଣା ଅଭୀପ୍‍ସା ଅସଲ ସୂତ୍ରଟି ପକାଇ, ଗୋଟାସୁଦ୍ଧା ଛନ୍ଦି ହୋଇ ଓ ତଥାପି ଜୀବନଠାରୁ ଆପଣା ସାର୍ତ୍ତିକିଆ ଭାବରେ ସ୍ୱତନ୍ତ୍ର କିଛି ଦାବୀ ନ କରିବା ଅଥଚ ଆଠ ପହରଯାକ ନିବିଡ଼ ଓ ସଦାଯୁକ୍ତ ଭାବରେ ବଞ୍ଚିବା – ତାହାରି ଅର୍ଥ ଜୀବନକୁ ଭଲ ପାଇବା । ଭଲ ନ ପାଇ ପାରୁଥିବା ମଣିଷମାନେ ସଚରାଚର ଜିରାରୁ ଶିରା କାଢ଼ନ୍ତି । ବାହାରୁ ଥାଇ ସେମାନେ ଜୀବନ ଭିତରକୁ ବନସୀ ପକାନ୍ତି, ଓଦା ମୋଟେ ହୁଅନ୍ତି ନାହିଁ । ସବୁଠାରୁ ବଡ଼ ମାଛଗୁଡ଼ିକୁ ନିଜେ ସବାଆଗ ମାରିନେବେ ବୋଲି ହକାରି ହେଉଥାନ୍ତି । ସେମାନେ ହିଁ ଅଧିକାଂଶ କ୍ଷେତ୍ରରେ ଅସ୍ତିତ୍ୱବାଦୀ ହୁଅନ୍ତି, ଅସ୍ତିତ୍ୱ ସହିତ ବିବାଦ ଲଗାନ୍ତି, ଆପଣାକୁ ହନ୍ତସନ୍ତ କରାନ୍ତି । ଏହି ହନ୍ତସନ୍ତ ହେବାରୁ କେତେଭଳି ଦାର୍ଶନିକତା ବାହାରେ, ଦାର୍ଶନିକତା ବହୁ ସମ୍ପ୍ରଦାୟର କୋଳାହଳ ସୃଷ୍ଟି କରିବାରେ ଭାରି ସାହାଯ୍ୟ କରେ । ଭିତରେ ତେଣେ ପଞ୍ଜୁରୀଟି ଖାଲି ପଡ଼ିଥାଏ । ପକ୍ଷୀଟି ମୋଟେ ପଞ୍ଚୁରୀ ଭିତରେ ନ ଥାଏ, ତେଣୁ ତୁଚ୍ଛା ପଞ୍ଜୁରୀଟାକୁ ଭଲ ପାଇବାର ଦହଗଞ୍ଜାଟା ମଣିଷକୁ ବିବାଦୀ କରି ପକାଏ । ଆପଣା ସହିତ ବିବାଦ ଏବଂ ପୃଥିବୀ ସହିତ ବିବାଦ । ଯିଏ ଆପଣା ଭିତରେ ଆପଣା ସହିତ ବିବାଦରେ ରତ ଥାଏ, ପୃଥିବୀ ସହିତ ମଧ୍ୟ ତା'ର ବିବାଦ ଲାଗି ରହିଥାଏ । ବାହାରେ ଗୁଡ଼ାଏ ଦାବୀ କରି ଯିଏ ବିଚରା ଆପଣା ପାଖରେ ରୁଷି ବସିଥାଏ, ହୁଏତ ସେଇ ଜଣେ ସଫଳ ଅସ୍ତିତ୍ଵବାଦୀ ହିସାବରେ ପୃଥିବୀଯାକ ଲାଞ୍ଜ ବାଡ଼େଇ ଦେଇ ଚାଲିଯିବାରୁ ସବୁଠାରୁ ଆନନ୍ଦ ପାଏ । ଭଲ ପାଉଥିବା ମଣିଷକୁ ପାରିହୁଏ, ମାତ୍ର ରୁଷି ବସିଥିବା ମଣିଷକୁ ସ୍ୱୟଂ ଭଗବାନ ମଧ୍ୟ ପାରନ୍ତି ନାହିଁ । ଯାହାକୁ ଭଗବାନ ମଧ୍ୟ ପାରନ୍ତି ନାହିଁ, ପୃଥିବୀରେ ସେହି ମଣିଷ ହିଁ ନିଃସଙ୍ଗ ହୁଏ ।

 

ଅର୍ଥାତ୍, ସତେଅବା ବାହାରେ ବାହାରେ ଛିଡ଼ା ହୋଇଥିଲେ, ପୃଥିବୀରେ ସତେଅବା ଗୋଟାଏ କେଉଁ ଦୁର୍ଗ ଜୟ କରି କ'ଣ ମନ କ'ଣ ପରି ଦିଶିବାକୁ ହିଁ ଆପଣାର ପରମପଣ ବୋଲି ଭ୍ରମ କରୁଥିଲେ ମଣିଷ ଅସ୍ତିତ୍ୱବାଦୀ ହୁଏ । ସିଏ ନିଜ ହାତରେ, ହୁଏତ ନିଜ ବୁଦ୍ଧିରେ ଜୀବନ ସହିତ ଲାଗିଥିବା ତାର ଡୋରଟିକୁ ଛିଡ଼ାଇ ଦିଏ ଏବଂ ଡୋର ଛିଡ଼ିଗଲା ବୋଳି ଅଭିଯୋଗ କରେ, ଶ୍ଲେଷ କରେ । ସେଇଥିରୁ ହିଁ ଆପଣା ସହିତ ପୃଥିବୀ ସହିତ, ଭବବାନଙ୍କ ସହିତ ଯାବତୀୟ ବିବାଦର ସୂତ୍ରପାତ ହୁଏ । କେତେ ଠେଁଷାଠେଁଷି ଲାଗି ରହିଥାଏ, କେତେ ବଳ କଷାକଷି ହେଉଥାଏ । ସେଥିରୁ ହିଁ ଅସ୍ତିତ୍ୱବାଦ ନାମକ ଏକ ଘର୍ମାକ୍ତ ଦାର୍ଶନିକତା ଜନ୍ମଲାଭ କରେ, ସତେଅବା ସିଆଡ଼ୁ ରୁଷି କରି ଆସିଥିବା କୌଣସି ନବାବପୁଅ ପରି ତାହା କେତେ ଉପଦ୍ରବ କରେ-। ଆମ ପୃଥିବୀରେ ଇତିହାସ ଅବଶ୍ୟ କହିବ ଯେ ଭଲ ପାଇବା ଅପେକ୍ଷା ଅଲଗା ହୋଇ ରହିବାରୁ ହିଁ ଏଠି ଅଧିକ ଉର୍ବର ଦାର୍ଶନିକତାଗୁଡ଼ିକ ସମ୍ଭୁତ ହୋଇଛି, ପ୍ରୀତି ଅପେକ୍ଷା ପ୍ରତ୍ୟାଖ୍ୟାନ ହିଁ ମଣିଷକୁ ତୁଚ୍ଛା ବୃଦ୍ଧି ଭିତରେ ପାରିଜାତ ତୋଳୁଥିବା ବହୁ ବିଚିତ୍ର ଦାର୍ଶନିକତା ଆଡ଼କୁ ପ୍ରବୁଦ୍ଧ କରି ନେଇଚି । ପାଖକୁ ଆସି ସତକୁ ସତ କାହାର ହୋଇଯିବା ଅପେକ୍ଷା ପଳାୟନ କାରିବାରୁ ହିଁ ଦାର୍ଶନିକତାରେ ରମଣ କରୁଥିବା ବ୍ୟକ୍ତିମାନେ ଅଧିକ ପ୍ରେରଣା ଲାଭ କରିଛନ୍ତି । ଆଧୁନିକ ପୃଥିବୀରେ ଏହିପରି କେତେ କେତେ ବାଦ ଓ ବିବାଦର ବହୁ ଅମଳକ୍ଷମ କର୍ଷଣମାନ ଚାଲିଛି ଓ ତେଣେ ଆମରି କ୍ଷମତାକାମୀ ଉଗ୍ର ପୁଙ୍ଗବମାନେ ବାହାରି କେତେ ପରାକ୍ରମ ସହିତ ପୃଥିବୀରେ କେତେ ଉପଦ୍ରବ କରିବାରେ ଲାଗିଛନ୍ତି । ସମସ୍ତେ ସାଙ୍ଗ ଖୋଜୁଛନ୍ତି, ମାତ୍ର ପ୍ରାୟ ସମସ୍ତେ ନିଃସଙ୍ଗ ହୋଇ ପଡ଼ିଲେ ବୋଲି ଅଭିଯୋଗ କରୁଛନ୍ତି । ଅଭିଯୋଗରେ ଅଳଙ୍କାର ଲାଗି ଅଭିନବ ଧିସାମାନଙ୍କର ଉଦ୍‌ଭାବନ କରି କବିତା ଲେଖାଯାଉଛି, ମଞ୍ଚରେ ନୂଆ ଉଦ୍‌ଭଟତାର ରଟନା କରି ନାଟକମାନେ ଅଭିନୀତି ହେଉଛି । ସ୍ୱୟଂ ସାଙ୍ଗଟିଏ ହେବା ପୂର୍ବରୁ ସେମାନଙ୍କୁ କାହିଁକି ସାଙ୍ଗଟିଏ ମିଳିଲା ନାହିଁ ବୋଲି ଅସ୍ତିତ୍ଵବାଦୀମାନେ ବିଳାପ କରିବାରେ ଲାଗିଛନ୍ତି ।

 

ତେଣୁ, ଆଗ ନିଃସଙ୍ଗତାର ଉପଦ୍ରବୀ ବାଡ଼ିଟିକୁ ବୁଲାଇ ସାଙ୍ଗ ଖୋଜି ବାହାରିଲେ ଆମକୁ କେହି ସାଙ୍ଗ ମିଳିବେ ନାହିଁ । ଆମେ ଈଶ୍ଵରଙ୍କୁ ଗୋଟାସୁଦ୍ଧା ଫାଡ଼ି ଦେବାକୁ ବାହାରିଲେ ମଧ୍ୟ ସିଏ କଦାପି ଆମ ଲାଗି ସାଙ୍ଗଟିଏ ହୋଇ ପାରିବେ ନାହିଁ । ଆମେ ଆଗ ସାଙ୍ଗଟିଏ ହୋଇ ପାରିଲେ ଯାଇ ଆମକୁ ସାଙ୍ଗ ମିଳିବେ । ନିଜ ଭିତରେ ଆମେ ନିଜର ସାଙ୍ଗ ହୋଇ ରହିବା, ମୋଟେ କୌଣସି କନ୍ଦଳ କରିବା ନାହିଁ । ସଂସାରରେ ସମସ୍ତଙ୍କୁ ଆଖି ଆଗରେ ରଖି ବାଟ ଚାଲିବା, କାହାକୁ ମାଡ଼ି, ମକଚି, କେଉଁ ସୁଖଭଣ୍ଡାର ପାଖରେ ଆଗ ଯାଇ ପହଞ୍ଚି ଯିବାର କରାମତି ଗୁଡ଼ିକୁ ମୋଟେ ମନ କରିବା ନାହିଁ-। ତେବେ ଯାଇ ବାଦ ଓ ବିବାଦର ଯାବତୀୟ ଫାଶରୁ ମୁକ୍ତ ହୋଇ ପାରିବା, ଅସଲ ବିମୋଚନ ତାହାକୁ ହିଁ କୁହାଯିବ ।

୨୬ । ୭ । ୯୦

Image

 

ଇଂରାଜୀ ମାଡ଼େ କାହାକୁ ?

 

ଶ୍ରୋତା ଓଡ଼ିଆ, ବକ୍ତା ମଧ୍ୟ ଓଡ଼ିଆ । ସଭା ହେଉଛି, ସେମିନାର ହେଉଛି, ଅଥବା ଏହିସବୁ ନାମରେ ଉତ୍ସବଟାଏ ହେଉଛି । ବକ୍ତା ଇଂରାଜୀରେ କହିବାକୁ ଆରମ୍ଭ କରନ୍ତି । ଶ୍ରୋତାମାନଙ୍କୁ ବିଷୟ ସହିତ ନୁହେଁ, ଗୋଟିଏ ଭାଷା ସହିତ ସଂଗ୍ରାମ କରିବାକୁ ପଡ଼େ । ସଂଗ୍ରାମ କରୁ କରୁ ଢ଼ୁଳ ମାଡ଼ି ଆସେ । ବକ୍ତା ସତେଅବା ପରମ ଉତ୍ସାହରେ ଇଂରାଜୀ ଝାଡ଼ୁଥାନ୍ତି ଏବଂ ଆପଣକୁ ଅତ୍ୟନ୍ତ ଅସହାୟ ଅନୁଭବ କରୁଥାନ୍ତି । ଗାଁ କଲେଜ ନିତାନ୍ତ ମଫସଲ ଅଞ୍ଚଳ । ସେଠାକୁ ହାତୀ ଅତିଥି ଅଥବା ଘୋଡ଼ା ଅତିଥି ହୋଇ କଟକ ବା ଭୁବନେଶ୍ୱରରୁ ବକ୍ତା ଯାଆନ୍ତି । ସତେଅବା କେଉଁ କୁବେର ଦେବତାଙ୍କର ଜମିଦାରୀରୁ ବିଦ୍ୟାବିଭାଗରେ ଚାକିରି କରିଥିବା ମାର୍ତ୍ତଣ୍ଡ ସଦୃଶ ଗାଁ ତୋଟାରୁ ଏଇ କଲେଜରେ ଆସି ପହଞ୍ଚି ଯାଇଥାନ୍ତି । ସେମାନେ ଇଂରାଜୀରେ ବକ୍ତୃତା ଦିଅନ୍ତି । ବିଚରା ଗାଁ କଲେଜର ପିଲାମାନେ ପେଣ୍ଟ କମିଜ ପିନ୍ଧିଥିଲେ ମଧ୍ୟ ବକ୍ତୃତାର ରାମବିଷ୍ଣୁ ବୁଝି ପାରନ୍ତି ନାହିଁ । ତଥାପି ଉତ୍ସବଟାର ଭାଉ ମୋଟେ ଉଣା ହୋଇ ଯାଏ ନାହିଁ । ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ପ୍ରାୟ ବିଶାଶହେ କଲେଜରେ ଏହିପରି ହୁଏ । ବକ୍ତାମାନେ ବିନୟରୁ ହିଁ ବକ୍ତୃତା ଆରମ୍ଭ କରିଦିଅନ୍ତି । ସେମାନେ ଗେହ୍ଲା ଇଂରାଜୀରେ ପାଟି ମଳି ମଳି କହନ୍ତି ଯେ କଲେଜ ବା ବିଶ୍ୱବିଦ୍ୟାଳୟରେ ଇଂରାଜୀରେ ପାଠ ପଢ଼ାଇ ସେମାନେ ଓଡ଼ିଆ କହିବାର ଅଭ୍ୟାସଟିକୁ ଛୁଆବେଳର କେଉଁ ମାଟିତଳେ ଛାଡ଼ି ଦେଇ ଆସିଛନ୍ତି । ଅର୍ଥାତ୍ ଓଡ଼ିଆ କହିବାର କୌଣସି ଅଭ୍ୟାସ ସେମାନଙ୍କର ନାହିଁ । ତେଣୁ ଇଂରାଜୀରେ କହିବାକୁ ବାଧ୍ୟ ହେଉଛନ୍ତି । ଭାରତବର୍ଷକୁ ଆସି ବିଚରା ଇଂରାଜୀ ଭାଷାର ଏ ଦୁର୍ଦ୍ଦଶା ବା ଅସମର୍ଥତା ଦେଖି ସେତେବେଳେ ପ୍ରକୃତରେ ଭାରି ବିକଳ ଲାଗେ । କୌଣସି କୁଣିହା ଆସି ଆମ ଘରେ କେଡ଼େ ଉତ୍ସାହରେ କ'ଣ ସବୁ କହି ଯାଉଛନ୍ତି-। ଅଥଚ ତାଙ୍କର କଥାକୁ ଆମେ କେହି ବୁଝି ପାରୁନାହୁଁ । ଏପରିକି ତାଙ୍କ ହାତକୁ ପାଣି ଗିଲାସେ ମଧ୍ୟ ବଢ଼ାଇ ଦେଇ ପାରୁନାହୁଁ ଏବଂ ସିଏ ବକି ବକି ଥକ୍‌କା ହୋଇ ଯେମିତି ପରଲୋକ ହୋଇ ଆସିଥିଲେ, ସେମିତି ପରଲୋକ ହୋଇ ଫେରି ଯାଉଛନ୍ତି । ଆମର ନିଜର ହୋଇ ପାରୁନାହାନ୍ତି । ଏସବୁ ଦେଖି ପ୍ରକୃତରେ ଭାରି ବିକଳ ଲାଗେ । ଇଂରାଜୀ ଭାଷା ଭିତରେ କ'ଣ ଏଭଳି କିଛି ଅବଶକାରୀ ଅପଶକ୍ତି ରହିଛି, ଯାହାକି, ଆମେ ଇଂରାଜୀ ଗାଡ଼ିଆରେ ଯାଇ ପଶିବା ମାତ୍ରକେ ଆମକୁ ଯାବତୀୟ ଭାଷା, ଏପରିକି ଆମେ ସମସ୍ତେ ନିଜ ନିଜ ଘରେ କହୁଥିବା ଭାଷାଟି ବିଷୟରେ ମଧ୍ୟ ଏଡ଼େ ଅସମର୍ଥ କରି ପକାଉଛି । ଏକଥା ଭାବି ବଡ଼ ବିକଳ ଲାଗେ, ଅଥବା ସ୍ୱୟଂ ବକ୍ତା ବା ସିଏ ଫୁଲେଇ ପଣ ଶିଖି ଆସିଥିବା ତାଙ୍କ ସିରସ୍ତାମାନଙ୍କରେ ଏପରି କ'ଣ ରହିଛି, ଯାହାକି ସେମାନଙ୍କୁ ଏତେ ଅସମର୍ଥ କରି ରଖିଛି ? ଯାହାଫଳରେ କି ଓଡ଼ିଆ ଶ୍ରୋତାଙ୍କ ଆଗରେ ହାବୁଡ଼ି ଯିବା ଫଳରେ ସେମାନେ ସ୍ୱୟଂ ଓଡ଼ିଆ ହୋଇ ମଧ୍ୟ ଓଡ଼ିଆ କହିପାରୁ ନାହାନ୍ତି ଓ ଇଂରାଜୀରେ କାମ ସାରି ଦେଉଛନ୍ତି ?

 

ଗୋଟିଏ ଭାଷା ଶିଖିଲେ କ'ଣ ଆଉ ଗୋଟିଏ ଭାଷା ସତକୁ ସତ ପାଶୋରି ହୋଇଯାଏ ? ଆଉ ଗୋଟିଏ ଭାଷାର ବ୍ୟଞ୍ଜନ ଚାଖିବାକୁ ମନ କଲେ କ'ଣ ପ୍ରକୃତରେ ସର୍ବପ୍ରଥମେ ଶିଖିଥିବା ନିଜ ଭାଷାଟି ଗୋଟାସୁଦ୍ଧା ହଜମ ହୋଇ ଭିତରୁ ବାହାରି ଚାଲିଯାଏ ? ସ୍ୱାଭାବିକ ମଣିଷର କ୍ଷେତ୍ରରେ ସମ୍ଭବତଃ ଏହାର ଠିକ୍ ଓଲଟା ହୁଅନ୍ତା । ଅର୍ଥାତ୍ ଆମେ ଶିଖୁଥିବା ଦ୍ଵିତୀୟ ଭାଷାଟି ଆମର ପ୍ରଥମ ଭାଷାଟିକୁ ଅଧିକ ସମୃଦ୍ଧ କରନ୍ତା, ଆମେ ତା’ପରେ ଶିଖିବାକୁ ମନ କରୁଥିବା ତୃତୀୟ ଭାଷାଟି ମଧ୍ୟ ପ୍ରଥମ ଓ ଦ୍ୱିତୀୟ ଭାଷାମାନଙ୍କୁ ସମୃଦ୍ଧ କରନ୍ତା । ବିଶେଷ କରି ଇଂରାଜୀ ଭଳି ଏକ ପୃଥିବୀସ୍ତରୀୟ ଭାଷା ଶିଖିପାରିବା ଫଳରେ ଆମର ଭାଷାଗତ ବ୍ୟୁତ୍ପତ୍ତିର କ୍ଷେତ୍ରରେ ଆମେ କେତେ ଅଧିକ ପ୍ରଶସ୍ତ ଓ କେତେ ଅଧିକ ସମର୍ଥ ହୋଇପାରନ୍ତୁ । ଇଂରାଜୀ ଭାଷା ଏପରି ଏକ ସ୍ପାର୍ଶାନୁରାଗୀ ଓ ଗ୍ରହଣଲୋଭୀ ଭାଷା ଯେ ସେଇଟିକୁ ସତକୁ ସତ ନିଜର କରି ପାରିଲେ ଆମେ କଦାପି ଅନ୍ୟ ଭାଷାଗୁଡ଼ିକ ବିଷୟରେ ଏତେ ଦୟନୀୟ ଭାବରେ ସ୍ପର୍ଶକାତର ହୋଇ ପଡ଼ନ୍ତୁ ନାହିଁ । ନିଜ ଭାଷାର ଖୁଣ୍ଟଟିକୁ ମଜବୁତ ରଖିଥିଲେ ଏବଂ ସେହି ଖୁଣ୍ଟଟିକୁ ପ୍ରକୃତରେ ଆପଣାର ଅସଲ ଖୁଣ୍ଟ ବୋଲି ମାନୁଥିଲେ ଆମେ ଆହୁରି କେତେ ଭଲ ଭାବରେ ଇଂରାଜୀ ଭାଷାକୁ ମଧ୍ୟ ଶିଖି ପାରିଥାନ୍ତୁ । ରଙ୍କୁଣୀ ଇଲିଶିମାଛ ଗିଳିଥିଲା ପରି ମୋଟେ ହସ୍ତସନ୍ତ ହୁଅନ୍ତୁ ନାହିଁ ଅଥବା ନିଜର ଅସମର୍ଥତାକୁ ଏଡ଼େ ହାସ୍ୟାସ୍ପଦ ଭାବରେ ପଦାରେ ପକାଇ ଦିଅନ୍ତୁ ନାହିଁ । କୌଣସି କଲେଜରେ ଛାତ୍ର ସଂସଦର ଉପସଭାପତିଟିଏ ଯେତେବେଳେ ସଭା ସାଙ୍ଗ ହେଲା ବେଳକୁ ସମବେତ ସମସ୍ତଙ୍କୁ ଧନ୍ୟବାଦ ଦେବ ବୋଲି ଠିଆ ହୋଇ ଥଙ୍ଗଥଙ୍ଗ ହୋଇ ଇଂରାଜୀରେ ଲେଖି ଆଣିଥିବା କେଇପଦ ଧିସାକୁ ବିକଳ ହୋଇ ଗାଇଯାଏ ଏବଂ ହାସ୍ୟାସ୍ପଦ ହୁଏ, ଇଏ ପ୍ରାୟ ସେହିଭଳି କଥା । ଓଡ଼ିଆଙ୍କର ଅଥବା ଉତ୍କଳ ଜନନୀଙ୍କର କେଉଁ ପାପ ଫଳରେ ଓଡ଼ିଶାରେ ଆମକୁ ଏଭଳି ହାସ୍ୟାସ୍ପଦ ହେବାକୁ ପଡ଼ିଥାଏ କେଜାଣି ?

 

ଶ୍ରୋତାମାନେ ସମସ୍ତେ ଓଡ଼ିଆ ହୋଇ ମଧ୍ୟ ଯେଉଁ ଓଡ଼ିଆ ବକ୍ତା ତଥାପି ଇଂରାଜୀରେ କହୁଛି, ସିଏ ଆପେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ବୋଲି ଦେଖାଇ ହେବାକୁ ମନ କରୁଛି । ଭାରତବର୍ଷର ସ୍ଵାଧୀନତାଲାଭ ପରେ ମଧ୍ୟ ଥୋକେ ମଣିଷ ଏହିପରି ଆପଣାକୁ ସମଗ୍ର ଦେଶର ଲୋକଧାରା ଠାରୁ ଅଲଗା କରି ରଖିଲେ ଓ ଦେଶପାଇଁ କାଳ ହେଲେ । ଆଗେ ଗାଆଁରେ ନାଟ ହେଲାବେଳେ ଗାଆଁଯାକର ଲୋକ ହେଁସ ଉପରେ ଅଥବା ଭୂଇଁ ଉପରେ ବସୁଥିଲେ, ମାତ୍ର ବାବୁଘରର ବାବୁ ଓ ଭୁଆସୁଣୀମାନଙ୍କ ପାଇଁ ଯେପରି କାଠ ଚଉକୀ ବା କାଠ ବେଞ୍ଚ ପଡ଼ୁଥିଲା, ଇଏ ପ୍ରାୟ ସେହିପରି କଥା । ସେହି ବେଞ୍ଚ ଓ ଚଉକୀ ଉପରେ ସେମାନେ ସତେ କେଡ଼େ ଅଲଗା ହୋଇ ଦିଶୁ ନଥିଲେ ଓ ସେମାନେ ନିଜକୁ ଏହିପରି ଅଲଗା କରି ରଖିବାକୁ ଯେ ଭଲ ପାଉଛନ୍ତି, ସେକଥା ପ୍ରମାଣ କରି ଦେଖାଇ ଦେଉ ନଥିଲେ ? ଆଇନ ଅନୁସାରେ ଆମ ଦେଶର ରାଜାମାନେ ଯାଇ ସାରିଥିଲେ ମଧ୍ୟ ତଥାପି ସେମାନଙ୍କ ଭିତରୁ ବାର ଚଉଦ ପଣ ଏବେ ମଧ୍ୟ ରଜା ହୋଇ ରହିଛନ୍ତି, ଅଲଗା ଦିଶିବାକୁ ମନ କରୁଛନ୍ତି ଓ ସତେ ଅବା ଭାରତର ନାଗରିକ ହେବାକୁ ଅମଙ୍ଗ ହୋଇ ରହିଛନ୍ତି । ଇଂରାଜୀ ଭାଷା ମଧ୍ୟ ସେହିପରି ଆମ ଦେଶର ଥୋକେ ମଣିଷଙ୍କୁ ଦେଶଠାରୁ ଅଲଗା କରି ରଖିଛି, ସତକୁ ସତ ଏକ ଅସମର୍ଥତାକୁ ଅତିସାମର୍ଥ୍ୟର ମିଛ ଖୋଳ ଭିତରେ ସ୍ଫୀତ ଓ ଅତ୍ୟନ୍ତ ଦୟନୀୟ କରିରଖିଛି । ହାକିମେ ଇଂରାଜୀରେ ଲଟପଟ ହେଉଛନ୍ତି, ମଣିଷମାନଙ୍କଠାରୁ ଅଲଗା ହୋଇ ରହିଛନ୍ତି । ଆମ ଅଧ୍ୟାପକମାନେ ଇଂରାଜୀ ଭାଷାର ମୋଟା ମୋଟା ପିତଳକଡ଼ା ଗୁଡ଼ାକୁ ନାକରେ ତୁଣ୍ଡି କରି ପିନ୍ଧିଛନ୍ତି ଓ ଛାତ୍ରମାନଙ୍କଠାରୁ ଅଲଗା ହୋଇ ରହିଛନ୍ତି । ଯେଉଁ ଯଥାର୍ଥ ବିଦ୍ୟା ଆପଣାକୁ ଦେଇ ପାରିବା ଦ୍ଵାରା ହିଁ ଅଧିକ ସମୃଦ୍ଧ ହୁଏ, ସେହି ବିଦ୍ୟାଠାରୁ ମଧ୍ୟ ଅଲଗା ହୋଇ ରହିଛନ୍ତି । ଆପଣା ଭିତରର ପୋଲା ଓ ଫମ୍ପାଗୁଡ଼ାକୁ ସେମାନେ କେଡ଼େ ବାଗରେ ଲୁଚାଇ ରଖିଛନ୍ତି । ଆପଣାର କେଉଁ ଅସହଜ ଭାବସ୍ଥାନ ଓ ଭାବଦେହା ଗୁଡ଼ାକୁ ଏକ ଅସ୍ୱାଭାବିକ ଉଗ୍ରତା ସହିତ ଲୁଚାଇ ରଖିଛନ୍ତି । ସେମାନେ ଆମ ଲୋକସମ୍ବନ୍ଧଗତ ଅନେକ କ୍ଷେତ୍ରରେ ପରିମଳକୁ ଦୂଷିତ କରି ରଖିବାରେ ହିଁ ସାହାଯ୍ୟ କରୁଛନ୍ତି ।

 

ଯଦି ଆମେ ଓଡ଼ିଆ ମେଳରେ ଓଡ଼ିଆ କହି ପାରୁଥାନ୍ତେ, ତେବେ କେଡ଼େ ଅଲଗା ପ୍ରକାରର ହେଉଥାନ୍ତା । ଆମ କହୁଥିବା କଥାକୁ ଆମ ଶ୍ରୋତାଏ ବୁଝି ପାରୁଥାନ୍ତେ, ତଦ୍ୱାରା ଏକ ସାର୍ଥକ ଡାଇଲଗ୍‌ର ସୃଷ୍ଟି ହୋଇ ପାରୁଥାନ୍ତା ଓ ସେଥରୁ ସମ୍ପୃକ୍ତ ସମସ୍ତେ ଉପକୃତ ହେଉଥାନ୍ତେ । ଆମେ କହୁଥିବା ବା ପଢ଼ୁଥିବା ପାଠ ସତକୁ ସତ ଆମ ଭିତରକୁ ପଶି ପାରୁଥାନ୍ତା । ଏକ ଅନ୍ୟ ଭାଷାରେ ବକ୍ତୃତା ଦେଇ, ପାଠ ପଢ଼ାଇ ଓ ସରକାରୀ ଶାସନର ଗୋଡ଼ରେ ଢିଙ୍କିଆ ପକାଇ ଏକ ଲୋକଜୀବନ ଓ ଲୋକସମୃଦ୍ଧିର ସମ୍ଭାବନାଗୁଡ଼ିକୁ ଆମ ଅସମର୍ଥ ବାବୁମାନେ ବିଡ଼ମ୍ବିତ ଓ ପ୍ରତାରିତ କରି ରଖୁନାହାନ୍ତି ତ ? ଆମେ ଏହାର ପ୍ରତିକାର ସ୍ୱରୂପ କ'ଣ କରିପାରିବା ? ଆମେ ନେଉଳଭାଇ ହେବା । ସତେଅବା ପଣ କଲାପରି ଆମେ ଓଡ଼ିଆ ହିଁ କହିବା । ଭେରେଷା ସାଧବମାନେ ସମସ୍ତେ ଇଂରାଜୀ ଆଢ଼ୁଆଳରେ ଆପଣାକୁ ଲୁକ୍‍କାୟିତ ରଖିବାକୁ ଯାବତୀୟ ଦୟନୀୟ ଚେଷ୍ଟା କରୁଥିଲେ ମଧ୍ୟ ଆମେ ତଥାପି ଓଡ଼ିଆରେ କହିବା । ବିକା ହୋଇ ଯାଇଥିବା ଆମ ରାଜଦରବାର ଓ ଉଚ୍ଚ ବିଦ୍ୟାର ଅବସରମାନଙ୍କରେ ଆମେ ଓଡ଼ିଆରେ ହିଁ ଆପଣାକୁ ବ୍ୟକ୍ତ କରିବା । ବିଶ୍ୱଯାକର ଆହରଣ କରି ଆଣିଥିବା ବିଦ୍ୟା ଓ ବିଚାରଗୁଡ଼ିକୁ ଆମେ ପ୍ରକୃତରେ କ'ଣ ହଜମ କରି ପାରିଛୁ, ଆପଣାକୁ ଓଡ଼ିଆ ଭାଷାରେ ବ୍ୟକ୍ତ କରି ଆମେ ଆପଣା ପାଖରେ ତାହାରି ପରୀକ୍ଷା ଓ ପ୍ରମାଣ ଦେବା । ବିଦ୍ୟାବନ୍ତର ସର୍ବମୂଳ ଶ୍ରଦ୍ଧାଗୁଡ଼ିକ ହାସଲ କରିପାରିଲେ ଯାଇ ଆମେ ସତକୁ ସତ ଏକ ଶକ୍ତିଶାଳୀ ବିକଳ୍ପ ହୋଇପାରିବା ।

୧୭ । ୮ । ୯୦

Image

 

ମନ୍ଦିରଭିତ୍ତିକ ନାସ୍ତିକତା

 

ଆଗେ ପ୍ରଧାନତଃ ରାଜାମାନେ ମନ୍ଦିର ତୋଳାଉଥିଲେ । ପ୍ରଜାଙ୍କ ଖଜଣାରୁ ତୋଳାଉଥିଲେ । ଓଡ଼ିଶାର ଜଣେ ପ୍ରଖ୍ୟାତ ଐତିହାସିକ ଲେଖିଛନ୍ତି ଯେ ଓଡ଼ିଶା ଗଜପତି ରାଜାମାନେ ବିଭିନ୍ନ ପଡ଼ୋଶୀ ରାଜ୍ୟ ଉପରେ ବିଜୟ ହାସଲ କରି ଯେଉଁସବୁ ଧନସମ୍ପତ୍ତି ଲୁଟି ଆଣୁଥଲେ, ମୁଖ୍ୟତଃ ସେହି ଅର୍ଥରେ ଏଡ଼େ ଏଡ଼େ ମନ୍ଦିରମାନ ନିର୍ମାଣ କରାଇ ଦେଉଥିଲେ । କେବଳ ଓଡ଼ିଶାରେ ନୁହେଁ, ଭାରତବର୍ଷର ସବୁ ଅଞ୍ଚଳରେ ସମ୍ଭବତଃ ରାଜାମାନଙ୍କର ମନ୍ଦିର ଗଢ଼ାଇବା ପଛରେ ଏହି କାହାଣୀଟି ରହିଛି । ପ୍ରଜାଙ୍କୁ ନେଇ ରାଜା । ତେଣୁ ପ୍ରଜାରଞ୍ଜକ ହେବାକୁ ହିଁ ପଡ଼ିବ । ପ୍ରଜାରଞ୍ଜନ କରିବାର ଅର୍ଥ ହେଉଛି ପ୍ରଜାମାନଙ୍କର ମନକୁ ଭୁଲାଇ କରି ରଖିବା । ପ୍ରଜାମାନଙ୍କର ମନକୁ ଠାକୁରଙ୍କ ଆଡ଼େ ଭୁଲାଇ ରଖିବା । ଗଜପତି ଓ ତା’ ପୂର୍ବର ଗଙ୍ଗମାନଙ୍କ ରାଜତ୍ଵ ଅମଳରେ ପ୍ରଜାମାନଙ୍କ ଉପରେ ବହୁ ପ୍ରକାରର କର ବସିଥିଲା । ତଜ୍ଜନିତ ଜନକ୍ଷୋଭକୁ ଆଶ୍ୱାସନା ଦେଇ ରଖିବା ଲାଗି ଆମ ରାଜାମାନଙ୍କର ମନ୍ଦିରନିର୍ମାଣ-ପ୍ରୀତି କମ୍ ସହାୟତା କରିନଥିବ । ରାଜାମାନେ ସବାଆଗ ରାଜା, ତା' ପରେ ଯାଇ ଭକ୍ତ । ଅସଲ ଭକ୍ତି ଜାଗୃତ ହେଲେ ରାଜ୍ୟ ତଥା ସିଂହାସନ ପିତା ଲାଗିବା କଥା । ରାଜ୍ୟଜୟ କରିବା ପାଇଁ ମନ ହେବା ତ ଆହୁରି ଅଧିକ ଦୂରର କଥା । ହଁ, ଭଗବାନଙ୍କୁ ନିଜ ଉଚ୍ଚ ଓ ଅତ୍ୟୁଚ୍ଚ ଆକାକ୍ଷାଂଗୁଡ଼ାକର ଚରିତାର୍ଥ ଲାଗି ଏକ ବ୍ୟବହାର୍ଯ୍ୟ କ୍ରୀଡ଼ନକ ପରି, ଛାଗଳ ପରି ବ୍ୟବହାର କରିବା, ସିଏ ହେଉଛି ଏକ ଅନ୍ୟ ଧାତୁର ଆଗ୍ରହ ।

 

ରାଜାମାନଙ୍କର ଅନୁଗ୍ରହରୁ ଭାରତବର୍ଷରେ କେତେ କେତେ ମନ୍ଦିର ରହିଛି । ଭଗବାନଙ୍କୁ କେତେ କଳାତ୍ମକ ବାଗରେ ମୂର୍ତ୍ତି କରି ବସାଇ ଦିଆଯାଇଛି । ଭଗବାନ ଯଦି ଗୋଟିଏ ହୋଇଥାନ୍ତେ, ତେବେ ମନ୍ଦିର ନିର୍ମାଣକାରୀମାନଙ୍କର ତୃଷା ହୁଏତ ମୋଟେ ମେଣ୍ଟି ପାରି ନଥାନ୍ତା-। ତେଣୁ ଭଗବତ୍‌-କଳ୍ପନାରୁ ଶିରାପ୍ରଶିରା ବାହାର କରି, ଧର୍ମଚେତନାକୁ ପଚାଶହଜାର ସରିରେ ବାଣ୍ଟି କେତେ କେତେ ଦେବଦେବୀଙ୍କର ଉପାସନା ଭିଆଯାଇଛି । ଉପାସନାଗୁଡ଼ିକୁ ସମ୍ପ୍ରଦାୟମାନେ ଅତ୍ୟନ୍ତ ଦର୍ପିଷ୍ଠ କରିବାରେ ସାହାଯ୍ୟ କରିଛନ୍ତି । ମଣିଷମାନଙ୍କର ପ୍ରୀତ୍ୟର୍ଥେ ଭଗବାନ ପଣ୍ଡିତ ଓ ଶାସ୍ତ୍ରକାରମାନଙ୍କ ହାତରେ ପଡ଼ି ଖଣ୍ଡ ଖଣ୍ଡ ହୋଇ ଯାଇଛନ୍ତି । ଏବେ ମଧ୍ୟ କମ୍ ହେଉନାହାନ୍ତି । ହିନ୍ଦୁ ଧର୍ମରେ କେବେ ଭଗବାନଙ୍କୁ ତିନିଖଣ୍ଡ କରି ତ୍ରିମୂର୍ତ୍ତିରେ ପରିଣତ କରାଯାଇଥିଲା । ଏବେ ସେହି ତ୍ରିମୂର୍ତ୍ତି ତିନି ନିୟୁତ ମୂର୍ତ୍ତିରେ ପରିଣତ ହୋଇ ସାରିଲେଣି । ଅନେକ ଭିତରୁ ଏକକୁ ଆସିବା, ଡାଳଗୁଡ଼ିକୁ ଛାଡ଼ି ମୂଳକୁ ଆଶ୍ରା କରିବା,–ଭାରତୀୟ ସନ୍ଥସାଧନା ଓ ଭାରତୀୟ ଅଧ୍ୟାତ୍ମରେ ଏହି କଥାଟିକୁ ବାରମ୍ବାର ବହୁ ଉଦବୋଧନ ସହିତ ଘୋଷଣା କରାଯାଇଛି । ଏକକୁ ଆହୁରି ଅଧିକ ଦୂରାଗ୍ରହ ଏବଂ ଧେଟପଣ ସହିତ ଅନେକରେ ପରିଣତ କରିବା ସତେଯେପରି ଯୁଗେ ଯୁଗେ ପୌତ୍ତଳିକ ନାସ୍ତିକମାନଙ୍କର ଜିଦ୍ ହୋଇ ରହିଆସିଛି । ଠାକୁର ଓ ଠାକୁରାଣୀମାନଙ୍କ ଗୋଳରେ ପୃଥିବୀ କମ୍ପୁଛି ।

 

ପ୍ରସିଦ୍ଧ ରାମେଶ୍ଵର ମନ୍ଦିର ଦକ୍ଷିଣ ଭାରତୀୟ ସ୍ଥାପତ୍ୟଠାଣିରେ ତିଆରି ହୋଇଥିବା ଏକ ପ୍ରାଚୀନ ଏବଂ ବିଶାଳ ମନ୍ଦିର । ଭିତରେ ଗୋପୁରମ୍ ମଣ୍ଡପମ୍ ଓ ଆହୁରି କେତେ କ’ଣ । ଗର୍ଭମନ୍ଦିରରେ ପିତଳ ତୋରଣଦ୍ଵାର ଦୀପମାଳାର ଔଜ୍ଜ୍ୱଲ୍ୟରେ ଚକଚକ କରୁଛି । ଯାତ୍ରୀମାନଙ୍କର କାମନାତପ୍ତ କୋଳାହଳ ଦ୍ୱାରା ଭିତରର ସେହି ସାନ ପୃଥିବୀଟି ଫାଟି ପଡ଼ୁଛି । ତଥାପି ଯଦି ଆଖି ବୁଲାଇ ତୋରଣସ୍ତମ୍ଭ ଉପରେ ଇଂରାଜୀରେ ଖୋଦା ହୋଇଥିବା କଥାଗୁଡ଼ିକୁ ଆମେ ପଢ଼ିବାକୁ ଇଚ୍ଛା କରିବା, ତେବେ ବହୁ ଶାସ୍ତ୍ରୋକ୍ତ ଭିତରେ ସ୍ଵାମୀ ବିବେକାନନ୍ଦ ରଚନାରୁ ଆମକୁ ଗୋଟିଏ ଉଦ୍ଧୃତି ମଧ୍ୟ ଅବଶ୍ୟ ପାଠ କରିବାକୁ ମିଳିବ ।

 

“ଭଗବାନ ମନ୍ଦିର ଭିତରେ ନାହାନ୍ତି’’ ଉଦ୍ଧୃତିଟି ଏହିପରି ଭାବରେ ଆରମ୍ଭ ହୋଇଛି ଏବଂ ‘‘ତାଙ୍କୁ ଖୋଜିବାକୁ ହେବ ଏବଂ ଉପଲବ୍‍ଧି କରିହେବ" ପ୍ରଭୃତି ଓଜସ୍ୱିନୀ କଥାରେ ତାହାର ଉପସଂହାର କରାଯାଇଛି । ମୁଁ ହତବାକ୍ ହୋଇ ଏପରି ବେରସିକତା କରି ଗୋଟିଏ ମନ୍ଦିର ଭିତରେ ଏକ ମୂର୍ତ୍ତିର ବହୁରାଜସିକ ପୂଜାର୍ଚ୍ଚନାର କୋଳାହଳ ଭିତରେ କିଏ କାହିଁକି ଏହି କଥାଗୁଡ଼ିକୁ ଏଠାରେ ଆଣି ଖୋଦାଇଟାକୁ ମନ କଲା, ସେହି କଥାଟି ହିଁ ଭାବୁଥିଲି । ମାତ୍ର, ଯେଉଁ ବିବେକାନନ୍ଦ ପୃଥିବୀଲାଗି ଏକ ଗୁହାମୁକ୍ତିର ଉଦବୋଧନ ଦେଇଥିଲେ, ଆମେ ଇତି ମଧ୍ୟରେ ତାଙ୍କୁ ମଧ୍ୟ ମନ୍ଦିର ଭିତରକୁ ଆଣି ମୂର୍ତ୍ତି କରି ବସାଇ ଦେଲୁଣି; ଚନ୍ଦନ, ଫୁଲ, ଧୂପ ଓ ଭୋଗରାଗ ଦେଇ ତାଙ୍କୁ ମଧ୍ୟ ଆମ ଆଧୁନିକ ମନକୁ ପାଇବା ଭଳି ଏକ ଦେବତାରେ ପରିଣତ କରି ଦେଲୁଣି, ପର ମୁହୂର୍ତ୍ତରେ ମୋର ସେକଥା ମଧ୍ୟ ମନେ ପଡ଼ିଗଲା ।

 

ପୌତ୍ତଳିକତାର କାନିତଳେ ଭାରତବର୍ଷରେ ବହୁବିଧ ନାସ୍ତିକତା ପ୍ରାୟ ଏକ ଅଭୟ ପ୍ରଶ୍ରୟ ଲାଭ କରି ଦୈତ୍ୟ ଭଳି ବଢ଼ିବାରେ ବହୁ ମଉକା ପାଇ ଆସିଛି, ଏବେ ମଧ୍ୟ ପାଉଛି । ଏବେ ରାଜନୀତିକୁ ହିଁ ନିଜ ଜୀବନର ମୁଖ୍ୟ ଉତ୍ସାହ ଓ ଉତ୍ତେଜନା ରୂପେ ଗ୍ରହଣ କରିଥିବା ଅନ୍ୟ ମଣିଷମାନେ ମଧ୍ୟ ବଜାରର ଏହି ଜଳବାୟୁଟିର ପରିପୂର୍ଣ୍ଣ ସୁଯୋଗ ନେଇ ସେହି ପୌତ୍ତଳିକତାକୁ ପ୍ରାୟ ଏକ ସ୍ଲୋଗାନରେ ପରିଣତ କରି ଆମକୁ ଭଣ୍ଡାଇବାକୁ ପତାକା ଧରି ବାହାରିଲେଣି । ମନ୍ଦିରଗୁଡ଼ିକ ପଥରରେ ତିଆରି ହୋଇଥାଏ, ମନ୍ଦିରମାନଙ୍କୁ ମଣିଷ ଗଢ଼ିଥାଏ । ତେଣୁ ପଥର ଓ ମଣିଷ ପରି ଏହି ମନ୍ଦିର ମଧ୍ୟ ଦିନେ ନା ଦିନେ ଭାଙ୍ଗିବ, ଗଢ଼ା ହେଉଥିବ ଓ ଭାଙ୍ଗୁଥିବ । ଭଗବାନ ଯେ ଇତିହାସର କୌଣସି ଗୋଟିଏ ସ୍ଥାନରେ ଜନ୍ମଗ୍ରହଣ କରିଥାନ୍ତି, ସେକଥା ସମ୍ପ୍ରଦାୟୀ ଭଗବଦ୍ ବିଚ୍ୟୁତମାନେ ହିଁ ମିଛ ଉତ୍ସାହର ତାଣ୍ଡବ ସୃଷ୍ଟି କରି କହିବାକୁ ମନ କରିଥାନ୍ତି । ପୁରାଣରେ ଭଗବାନଙ୍କୁ ବହୁ କାହାଣୀର ଶରବ୍ୟ ପୁତ୍ତଳି କରି ବ୍ୟବହାର କରାଯାଇଛି । ଅସଲ ଆଧ୍ୟାତ୍ମିକତାକୁ ଭୁଲାଇବା ମତଲବରେ ଧର୍ମୋପନ୍ୟାସଗୁଡ଼ିକର ରଚନା କରାଯାଇଛି, ବହୁ ଅଲୌକିକତାର ଗୁଲିଗପକୁ ଯୋଡ଼ି ଦିଆଯାଇ ଅନ୍ୱେଷୀ ମଣିଷମାନଙ୍କର ଆଖିକୁ ଜଳକା କରି ରଖିବାର କୌଶଳ କରାଯାଇଛି । ମଠ ଓ ସମ୍ପ୍ରଦାୟର ମନୁଷ୍ୟେଶ୍ଵରମାନେ ଏହି ଅପରଚନା ଗୁଡ଼ିକୁ ସତେଅବା ଏକ ଉଦ୍ଦଣ୍ଡ ଜୀବନ୍ୟାସ ଦେଇ ରଖିବା ଲାଗି ଭାରି ସାହାଯ୍ୟ କରିଛନ୍ତି । କେବଳ ଭାରତବର୍ଷରେ ନୁହେଁ, ପୃଥିବୀର ବହୁ ଦେଶରେ ଏକଥା ହୋଇଛି, ହେଉଛି । କେବଳ ହିନ୍ଦୁଧର୍ମରେ ନୁହେଁ; ପୃଥିବୀର ଏକାଧିକ ଧର୍ମାଙ୍ଗ ଭିତରେ ଏକଥା ହୋଇଛି, ହେଉଛି । ତଥାପି, ଧର୍ମକୋଟରର ସମସ୍ତ କୋପନସ୍ୱଭାବ ପରିତ୍ୟାଗ କରି ଆଧ୍ୟାତ୍ମିକତା ମଧ୍ୟକୁ ଫେରିଆସିବାର ଆହ୍ୱାନ ଅନ୍ୟ ବହୁ ଧର୍ମର ତୁଳନାରେ ହିନ୍ଦୁଧର୍ମର ଇତିହାସରେ ସମ୍ଭବତଃ ଅଧିକ ଥର ଶୁଣିବାକୁ ମିଳିଛି । ଭଗବାନଙ୍କୁ ନାସ୍ତିକତାର କବଳରୁ ମୁକ୍ତ କରି ଆଣିବା ନିମନ୍ତେ ନୂତନ ଉଦବୋଧନମାନ ଦିଆଯାଇଛି । ହୁଏତ, ବର୍ତ୍ତମାନ ଭାରତବର୍ଷରେ ସେହିଭଳି ଏକ ଆବଶ୍ୟକତା ଆହୁରି ଥରେ ଆସି ପହଞ୍ଚିଛି ।

 

ମନ୍ଦିରଗୁଡ଼ିକୁ ନିଠ କରି ଧର୍ମମାନେ ପ୍ରତାପ ଦେଖାଉଥିବା ପର୍ଯ୍ୟନ୍ତ ଆମ ବିବେକର ମଞ୍ଜିକୁ ଏକ ବ୍ୟଭିଚାରୀ ନାସ୍ତିକତା ହିଁ କେଡ଼େ ସୂତରରେ କାମୁଡ଼ି ଧରିଥିବ । ରାଜନୀତିର ଅସୁରମାନେ ଓ ଅଧୀଶମାନେ ମଉକା ପାଇ ଆମକୁ ଗୋଟାସୁଦ୍ଧା ଗିଳି ପକାଇବାକୁ ଆସୁଥିବେ । ମନୁଷ୍ୟମାନେ ସେମାନଙ୍କର ଅସଲ ଭୋକ ଓ ଅସଲ ଉଜ୍ଜ୍ୱଳତାଗୁଡ଼ିକ ଭୁଲି ରହିଲେ ଯେଉଁ ନ୍ୟସ୍ତସ୍ୱାର୍ଥ ଶିବିରଗୁଡ଼ିକର ସର୍ବାଧିକ ଲାଭ ହେବ, ସେହିମାନେ ହିଁ ସଙ୍ଗଠନ କରି ନାନା ନାସ୍ତିକତାକୁ ଏକ ତଥାକଥିତ ଆନ୍ଦୋଳନର ରୂପ ଦେବାକୁ ଚେଷ୍ଟା କରୁଥିବେ । ଭାରତବର୍ଷରେ ଏବେ ଏହି ପ୍ରବଳମାନଙ୍କୁ ଦେଖି ମନେ ହେଉଛି, ସତକୁ ସତ ଏକ ନୂତନ ମୁହୂର୍ତ୍ତ ଆସନ୍ନ ହୋଇ ଆସୁଛି । ଗତ ଶତାବ୍ଦୀର ମଧ୍ୟଭାଗରେ ଦେଶର ପ୍ରାୟ ପ୍ରତ୍ୟେକ କୋଣରେ ଯେପରି ଏକ ବିମୋଚନକାରୀ ଆନ୍ଦୋଳନ ପ୍ରାୟ ବିସ୍ଫୋଟିତ ହୋଇ ଉଠିଥିଲା, ଆଧ୍ୟାତ୍ମିକତା ଯେପରି ବହୁ ଧର୍ମାନ୍ଧତାକୁ ଲଜ୍ଜିତ କରିଦେଇ ଆମ ସମସ୍ତଙ୍କ ପାଇଁ ଭବିଷ୍ୟତ ମଧ୍ୟକୁ ଏକ ରାସ୍ତା ବାହାର କରି ଆଣିଥିଲା, ବର୍ତ୍ତମାନ ସେହିଭଳି ଏକ ମୁହୂର୍ତ୍ତ ଓ ଆଗମନ ଲାଗି ପ୍ରସ୍ତୁତି ଚାଲିଛି, ତାହାରି ଅପେକ୍ଷା ରହିଛି । ତାହା ରାଜନୀତିରେ ମଧ୍ୟ ହସ୍ତକ୍ଷେପ କରିବ, ମାରୀଚମାନଙ୍କୁ ଘଉଡ଼ାଇ ଦେବ, ତଥାପି ଆମକୁ ରାଜନୀତିରୁ ଅନେକ ଅଧିକ ଏକ ସମଗ୍ରତର ଜୀବନ-ପ୍ରତିଷ୍ଠାର ଆହ୍ୱାନ ଆଣିଦେବ । ଭାରତବର୍ଷ ସେହି ନେତୃତ୍ୱ ଲାଗି ବିଶ୍ଵାସର ସହିତ ଅପେକ୍ଷା କରି ରହିଛି ।

୨୨ । ୮ । ୯o

Image

 

ଜୁଆଙ୍ଗ ମାନେ ନିଜେ କହନ୍ତୁ

 

ଓଡ଼ିଶାର ଜୁଆଙ୍ଗଗୋଷ୍ଠୀ ଏକଦା ନୃତତ୍ତ୍ୱବିତ୍‍ମାନଙ୍କ ପାଇଁ ବିରଳ ମୃତ୍ତିକା ହୋଇ ରହିଥିଲେ । ଏବେ ସେମାନଙ୍କର ସେହି ସ୍ୱାତନ୍ତ୍ର୍ୟ ନଷ୍ଟ, ହୋଇଯାଉଛି ବୋଲି ଖବରକାଗଜରେ ହୁରି ପଡ଼ିଲାଣି । ବିଧାନସଭା ଯାଏ ମଧ୍ୟ କଥା ଗଲାଣି । ସରକାରଙ୍କ ମନ୍ତ୍ରୀ କହୁଛନ୍ତି, ଜୁଆଙ୍ଗ ଗାଆଁଗୁଡ଼ିକର ସର୍ବବିଧ ଉନ୍ନତି ସାଧନ କରିବା ନିମନ୍ତେ ଓଡ଼ିଶା ସରକାର ପ୍ରବଳ ପଇସା ଖରଚ କରିଛନ୍ତି ଓ ଏବେ ମଧ୍ୟ କମ୍ କରୁନାହାନ୍ତି । ଛଅନମ୍ବର ଜାତୀୟ ରାଜପଥ ଜୁଆଙ୍ଗ ଅଞ୍ଚଳର ପ୍ରାୟ ପେଟ ଭିତରେ ଏପଟରୁ ସେପଟ ଭେଦ କରିଯାଇଛି । ଅର୍ଥାତ୍, ସରକାର ଆଧୁନିକ ପୃଥିବୀ ଓ ତା'ର ମହାକର୍ଷଣ ଗୁଡ଼ାକୁ ନେଇ ଏକାବେଳକେ ଜୁଆଙ୍ଗମାନଙ୍କର ଘରେ ନେଇ ପହଞ୍ଚାଇ ଦେଇଛି-
 

ପ୍ରାୟ ତିରିଶ ବର୍ଷତଳେ କେତେକ ଛାତ୍ରଙ୍କୁ ନେଇ ମୁଁ କେନ୍ଦୁଝରର ଜୁଆଙ୍ଗପୀଢ଼କୁ ଯାଇଥିଲି । ଆମେ ସେଠାରେ ପନ୍ଦରଦିନ ରହିଲୁ । ସାଙ୍ଗରେ ଥିଲେ ପୁନା ଗୋଖଲେ ପ୍ରତିଷ୍ଠାନର ବିଖ୍ୟାତ ଅର୍ଥନୀତି ଅଧ୍ୟାପକ ବନ୍ଧୁ ଦିୱାନଚନ୍ଦ ବଧୁଓ୍ୱା । ତାଙ୍କର ମାର୍ଗଦର୍ଶନରେ ଛାତ୍ରମାନଙ୍କ ସାହାଯ୍ୟରେ ଆମେ ସେଠାରେ ଏକ ସାଧାରଣ ସର୍ବେକ୍ଷଣ ମଧ୍ୟ କରିଥିଲୁ । କାହାରି ଲାଗି କୌଣସି ଡିଗ୍ରୀ ହାସଲ କରାଇବା ସେହି ଅଧ୍ୟୟନର ଉଦ୍ଦେଶ୍ୟ ନଥିଲା । ଏହି ପୃଥବୀରେ ଆମ ଜୀବନ ସରହଦକୁ ଲାଗି ବିଚିତ୍ର ମନୁଷ୍ୟ ଗୋଷ୍ଠୀମାନେ ଅଛନ୍ତି । ବାହାରୁ ଦେଖିଲେ ତାଙ୍କର ଜୀବନରୀତି ଅଲଗା, ସାମୁହିକ ଜୀବନମୂଲ୍ୟଗୁଡ଼ିକର ଭାବନା ମଧ୍ୟ ଅଲଗା । ତଥାପି, ଆମଠାରୁ ଯେତେ ବିଚିତ୍ର ଓ ଭିନ୍ନ ହେଲେ ମଧ୍ୟ ସେହି ଗୋଷ୍ଠୀର ଏକ ସ୍ଵକୀୟ ସଂହତି ରହିଛି, ଜୀବନକଳନାର କ୍ଷେତ୍ରରେ ଏକ ଅଭାବନୀୟ ସମଗ୍ରତା ମଧ୍ୟ ରହିଛି ଏବଂ ସର୍ବୋପରି, ଜୀବନ ବଞ୍ଚିବାର ଏକ ସ୍ୱତଃସ୍ଫୁର୍ତ୍ତତା ଏବଂ ତଜ୍ଜନିତ ଆନନ୍ଦ ମଧ୍ୟ ରହିଛି । ସେହି ସମାଜରେ କେହି କାହାରିକୁ ଦଳି ଦେଉନାହିଁ । ପଛରେ ପକାଇଦେଇ ଅର୍ଥାତ୍ ପ୍ରତାରିତ କରି କେବଳ ନିଜେ ଆଗକୁ ଚାଲିଯିବାକୁ ଏବଂ ବଡ଼ ହୋଇ ଦିଶିବାକୁ ମନ କରୁନାହିଁ – ଏହିଗୁଡ଼ିକର ଅନ୍ତର୍ଗତ କାରଣ ଏବଂ ଏହିଭଳି ଏକ ସରଳ, ସ୍ୱଳ୍ପପ୍ରସ୍ଥ ଅଥଚ ସୁସଂଗତ ଯୌଥ-ଜୀବନ ପଛରେ ସେଠାକାର ବିଶେଷ ସମାଜ-ସାଂସ୍କୃତିକ ଗଠନର କେତେଦୂର କେଉଁସବୁ ଅବଦାନ ରହିଛି, ମୁଖ୍ୟତଃ ସେଗୁଡ଼ିକ ଜାଣିବା ଅଭିପ୍ରାୟରେ ଆମେ ସର୍ବେକ୍ଷଣଟିଏ କରିବା ନିମନ୍ତେ ସେଠାକୁ ଯାଇଥିଲୁ । ଆମ ପନ୍ଦର ଦିନର ରସିଦ ଆମେ କାନ୍ଧରେ ବୋହିକରି ନେଇ ଯାଇଥିଲୁ । ଆମେ ସରକାରଙ୍କର ରାଜସ୍ୱ କିମ୍ବା ଜଙ୍ଗଲ ବିଭାଗର ଲୋକ ନୋହୁଁ, ଆମେ ଥାନାବାବୁ ନୋହୁଁ –ହଠାତ୍ ଏକଥା ଜାଣି ସେଠାରେ ଆମେ ପହଞ୍ଚିବା ମାତ୍ରକେ ଜୁଆଙ୍ଗମାନେ ଟିକିଏ ଆଚମ୍ବିତ ହୋଇ ଯାଇଥିଲେ । ଆମେ ସେମାନଙ୍କ ଗାଆଁର ମଣ୍ଡଘରେ ରହିଲୁ । ମଣ୍ଡଘର ଅର୍ଥାତ୍ ସର୍ବସାଧାରଣ ଘର । ଗାଆଁକୁ ଅତିଥି ଆସିଲେ ସେହି ଘରେ ରହନ୍ତି । ଅତିଥି ଅର୍ଥାତ୍ ସରକାରୀ ବିଭାଗର ଅତିଥିମାନେ । ସେମାନଙ୍କର ଶିବିର ପଡ଼ିଲେ କିଛିଦିନ ଲାଗି ଅଞ୍ଚଳଟାଯାକ ଜୁର ହୋଇଯାଏ ।

 

ମଣ୍ଡଘରେ କିଏ କାଠ ଯୋଗାଇ ଦେବ, କିଏ ପାଣି ଦେବ, କିଏ ବାସନ ମାଜିଦେବ, ଗାଆଁ ତରଫରୁ ମାସକୁ ମାସ ନିର୍ଦ୍ଧାରିତ ହୋଇ ରହିଥାଏ । ମଣ୍ଡଘରକୁ ଲାଗି ଏ ପାଖରେ ଧାଙ୍ଗଡ଼ା ଘର ଓ ସେ ପାଖରେ ଧାଙ୍ଗଡ଼ୀମାନଙ୍କର ଘର । ରାତିରେ ଗାଆଁଯାକର ଧାଙ୍ଗଡ଼ା ଧାଙ୍ଗଡ଼ୀ ଏହି ସାମୂହିକ ନିବାସରେ ରହନ୍ତି । ରାତି ଅଧଯାଏ ବାଜା ବାଜେ, ନାଚ ହୁଏ । ବାଜାମାନ ସର୍ବସାଧାରଣ ସମ୍ପତ୍ତି, ଶିକାରର ସରଞ୍ଜାମଗୁଡ଼ିକ ମଧ୍ୟ ଅଧିକାଂଶ ସର୍ବସାଧାରଣ ସମ୍ପତ୍ତି; ଅର୍ଥାତ୍ ସମସ୍ତଙ୍କର ସମ୍ପତ୍ତି । ଆମ ପବ୍ଲିକ୍‌ ସେକ୍ଟର ପରି ସରକାରୀ ସମ୍ପତ୍ତି ନୁହେଁ । ଯେଉଁଠି ବ୍ୟୁରୋକ୍ରାସି ବା ଅମଲାତନ୍ତ୍ର ବୋଲି କିଛି ନାହିଁ, ସେଇଠାରେ ହିଁ ଶାସନ, ସାମୂହିକତା ଓ ସାର୍ବଜନୀନତା ସତକୁ ସତ ଅନେକ ବ୍ୟଭିଚାରରୁ ମୁକ୍ତ ହୋଇ ରହିଥାଏ । ଗୋଟାଏ କ୍ଷେତ୍ରରେ ଜୁଆଙ୍ଗର ସାମୂହିକ ସଂସ୍କୃତି ପୃଥିବୀର ଅନ୍ୟାନ୍ୟ ଅନେକ ସମାଜଠାରୁ ଅନନ୍ୟ । ପ୍ରୀତି-ସମ୍ବନ୍ଧର ଔପଚାରିକ ଜୀବନରେ ସେଠାରେ ପୁରୁଷ ନାରୀକୁ ଆକୃଷ୍ଟ କରେ । ତେଣୁ ସାମୂହିକ ଶୃଙ୍ଗାରର ସବୁଯାକ ଧନ୍ଦା ପୁରୁଷ ହିଁ କରୁଥାଏ । ପୁରୁଷ ଆପଣାକୁ ସଜାଏ । ମୁଣ୍ଡର ବାଳକୁ ଚକ୍‌ ଚକ୍‌ ତେଲ ସରସର କରି ରଖିଥାଏ । ସେଥିରେ ପୁଣି ନିଜେ କେତେ ଯତ୍ନରେ ତିଆରି କରିଥିବା ଚିତ୍ରଖୋଦିତ ପାନିଆଟିଏ ଖୋସି ରଖିଥାଏ । ସମ୍ଭବତଃ ଏହି ଗୋଟିଏ କାରଣରୁ ଜୁଆଙ୍ଗର ଗୋଷ୍ଠୀଜୀବନରେ ଏପରି ଅନେକ ଚଳଣି ରହିଥାଏ, ଯାହା ଆମ ଅନ୍ୟ ଅନେକଙ୍କର ନୀତିଗତ ଆଖିଗୁଡ଼ିକ ଲାଗି ବହୁ କୌତୁହଳର ସୃଷ୍ଟି କରିଥାଏ । ଆମେ ମୂଲ୍ୟ ଦେଉଥିବା ମାନଦଣ୍ଡଗୁଡ଼ିକୁ, ସତେଅବା ଚାଲେଞ୍ଜ୍‌ କରୁଥିବା ପରି ମନେ ହୁଏ ।

 

ଜୁଆଙ୍ଗ ମଣିଷ ଆମ ଆଖିରେ ଅତ୍ୟନ୍ତ ଦରିଦ୍ର । ତା' ନିଜ କାରଣରୁ ଯେ ତାକୁ ଏହି ଦାରିଦ୍ର୍ୟ ଭୋଗ କରିବାକୁ ହେଉଛି, ଅର୍ଥାତ୍ ତା ନିଜର ପରମ୍ପରାଗତ ସ୍ଥାନୀୟ ଅର୍ଥନୈତିକ ସଂସ୍କୃତି ତା’ର ଦୂରବସ୍ଥାକୁ ଦୂର କରି ପାରୁନାହିଁ ବୋଲି ଯେ ସେ ଦରିଦ୍ର, ସେକଥା କଦାପି ଗାର କାଟି କହିଦେଇ ହେବନାହିଁ । ବାହାରର ଆମ ସଂସ୍କୃତି ଓ ଧୂର୍ତ୍ତତାଗୁଡ଼ାକ ତାକୁ ଶୋଷଣ କରୁଛନ୍ତି ବୋଲି ସେ ଦରିଦ୍ର । ଆମେ ଧୂର୍ତ୍ତମାନେ ବେଳେବେଳେ ହିତୈଷୀର ଚଉକୀ ଉପରେ ବସି ଗୁରୁଜନର ଭୂମିକା ନେଇ ସେମାନଙ୍କୁ ଆମ ବାଗରେ ସମ୍ପନ୍ନ ଓ ସଭ୍ୟ ହେବାକୁ ଇଚ୍ଛା କରୁଛୁ ବୋଲି ସେମାନେ ଦରିଦ୍ର । ଆମ ଧୂର୍ତ୍ତମାନଙ୍କର ମାନଦଣ୍ଡରେ ତଥାପି ଧନୀ ହୋଇ ଦେଖା ଯିବାପାଇଁ ସେମାନଙ୍କ ମଧ୍ୟରୁ କେତେଜଣ ସଦ୍ୟ ସିଆଣିଆ ସ୍ୱପ୍ନ ଦେଖିବାକୁ ଆରମ୍ଭ କଲେଣି ବୋଲି ତଥାକଥିତ । ଆର୍ଥିକ ପରିବର୍ତ୍ତନର ଆଘାତଗୁଡ଼ିକ ସେମାନଙ୍କର ସାମାଜିକ ମୂଳଦୁଆକୁ ଅଧିକରୁ ଅଧିକ ଭୁଷୁଡ଼ାଇ ପକାଇବାରେ ଲାଗିଛି । ଓଡ଼ିଶାରେ ଅଣଆଦିବାସୀ ସଭ୍ୟତାକାଂକ୍ଷୀମାନେ ଯେପରି ଏକାବେଳକେ ସମ୍ପନ୍ନତାର ସହର ଦେଖି ବାଇଆ ହୋଇଯିବାରୁ ସେମାନଙ୍କର ଗାଆଁଗୁଡ଼ାକ ବିଗତ ଚାଳିଶି ବର୍ଷ ଭିତରେ ବିକରାଳ ଓ ବିକଳାଙ୍ଗ ହୋଇ ଭୁଷୁଡ଼ି ପଡ଼ୁଛନ୍ତି ଓ ଗାଆଁ ଓ ସହର ଉଭୟ ଜୀବନ ନିମିତ୍ତ ବହୁ ସାଂଘାତିକ ବିଡ଼ମ୍ବନାକୁ ଡାକି ଆଣୁଛନ୍ତି, ଇଏ ପ୍ରାୟ ସେହିପରି ଏକ କଥା । ଆର୍ଥିକ ଧନାଢ଼୍ୟତା ସମ୍ଭବତଃ ପୃଥିବୀର କୌଣସି ଆଦିବାସୀ ସମୂହର ଯଥାର୍ଥ ସୁଖର ସଂଜ୍ଞା ହୋଇ ରହିନଥିଲା । ଆମେ ଯେଉଁମାନେ ଜୀବନ ଓ ସଂସ୍କୃତିର ଅସଲ ଉପବୀତଗୁଡ଼ିକୁ ହୁଏତ କୋଉଁଦିନୁ ହରାଇ ବସିଲୁଣି, ପଇସା ବଳରେ କୋଠା ତୋଳି ସୁନାର ହୁଙ୍କା ଗଢ଼ି ତାହାକୁ ହିଁ ସର୍ବୋତ୍ତମ ଉପଲବ୍‌ଧି ବୋଲି ଭାବିବାରେ ଲାଗିଛୁ ଏବଂ ପୃଥିବୀଯାକର ମଣିଷ ନିଶ୍ଚୟ ଯେକୌଣସି ପ୍ରକାରେ ଆମରି ଗାଡ଼ ଭିତରେ ଆସି ପଶିବେ ବୋଲି ବିଶ୍ୱାସ କରୁଛୁ, ହୁଏତ ଆମେ ହିଁ ଏଠି ଓଡ଼ିଶାରେ ଜୁଆଙ୍ଗଘରେ ମଧ୍ୟ ବିଷ ପୂରାଇ ଦେଲୁଣି ।

 

ସ୍ୱାଧୀନତା ପୂର୍ବରୁ ଗାଆଁର ଜମି ଉପରେ ଜୁଆଙ୍ଗ ଗାଆଁର ସାମୁହିକ ମାଲିକାନା ରହିଥିଲା । ସବୁ ବର୍ଷ ଫସଲ ବୁଣାହେବା ପୂର୍ବରୁ ସେହି ଋତୁଟି ପାଇଁ ଜୁଆଙ୍ଗ କେଉଁ ପଦରଟିକୁ ଚାଷ କରିବ, ଏକାଠି ବସି ତାହାର ଫଇସଲା ହୋଇ ଯାଉଥିଲା । ସ୍ୱାଧୀନତା ପରେ ଯେତେବେଳେ ଭୁବନେଶ୍ୱରକୁ ନୂଆ ରାଜାମାନେ ଆସିଲେ, ସେତେବେଳେ ଭୂରାଜସ୍ୱ ଦେଇ ଜୁଆଙ୍ଗମାନେ ତାଙ୍କ ଗାଆଁ ଲାଗି ଏକାଠି ଗୋଟିଏ ପାଉତି କଟାହେଉ ଓ ବ୍ୟକ୍ତିଗତ ଭାବରେ କାହାକୁ ପାଉତି ଦିଆନଯାଉ ବୋଲି ଦାବୀ କରିଥିଲେ । ଓଡ଼ିଶାର ପ୍ରଶାସନକୁ ସେତେବେଳେ ଏହି ସମସ୍ୟାକୁ ନେଇ ବେଶ୍‌ ସେ ଅସୁବିଧାରେ ପଡ଼ିବାକୁ ହୋଇଥିଲା । ଭୁବନେଶ୍ଵରର ମଧ୍ୟସ୍ଥତା ଫଳରେ ଅବଶ୍ୟ ସେଠାରୁ କ୍ରମେ ବିଭୀଷଣମାନେ ବାହାରିଲେ ଏବଂ କୁମେ ଜୁଆଙ୍ଗ-ପୀଢ଼ ଜାତୀୟ ରାଜସ୍ୱ ବ୍ୟବସ୍ଥାର ମହାସ୍ରୋତରେ ଆସି ଯୋଗ ଦେଲା । ସେହି ସ୍ରୋତ ଭିତରକୁ ଆସି ବୁଡ଼ିମଲା ।

 

ନିଜର ପୁରୁଣା ଚଳଣି ଓ କାଇଦାଗୁଡ଼ିକୁ ଅକ୍ଷତ ରଖିବେ ବୋଲି ଜୁଆଙ୍ଗମାନେ ଯେ ଯାବତ୍‍ଚନ୍ଦ୍ରାକେ ଦରିଦ୍ର ହୋଇ ରହିବେ, ସେକଥା ମୋଟେ ନୁହେଁ । ଦାରିଦ୍ର୍ୟ ଯିବ, ଶୋଷଣ ଦୂର ହେବ, ଅଥଚ ଚେରଗୁଡ଼ିକ ଦମ୍ଭ ହୋଇ ରହିବ, ଆପଣାର ଭୂଇଁଟି ଆପଣାକୁ ତଥାପି ଭଲ ଲାଗିବ-ମାତ୍ର, ଏକଥା କିପରି ହେବ, କେଉଁଭଳି ତା' ଲାଗି ଏକ ଯଥାର୍ଥ ସମ୍ମାନାସ୍ପଦ ମୂଳଦୁଆ ପଡ଼ିବ, ସେକଥା ଜୁଆଙ୍ଗପୀଢ଼ର ଜୁଆଙ୍ଗ ସ୍ଥିର କରୁ । ଜୁଆଙ୍ଗର ପିଲା କି ପାଠ ପଢ଼ିବ, ମାତ୍ର ଭୁବନେଶ୍ୱରରୁ ଜିପ୍‌ରେ ଲଦା ହୋଇ ଯାଉଥିବା ପାଠକୁ ସିଏ ଆଦୌ ପଢ଼ିବ କି ନାହିଁ, ସେକଥା ସେ ଆପେ ସ୍ଥିର କରୁ । ତା'ର ନିଷ୍ପତ୍ତି ହୁଏତ ଆମ ଭଦ୍ର ଓ ଗ୍ରସ୍ତମାନଙ୍କୁ ଆଦୌ କାମ୍ୟ ବୋଲି ଲାଗିବ ନାହିଁ । ମାତ୍ର, ବହୁ ଭ୍ରାନ୍ତି ମଧ୍ୟଦେଇ ଆପଣାର ଏକ ସୁସ୍ଥ ଭବିଷ୍ୟର ନିର୍ମାଣ କରିବା ଲାଗି ଜୁଆଙ୍ଗ ନିଜେ ବାହାରୁ । ତେବେ ସେ ଆମ ସଭ୍ୟମାନଙ୍କୁ ମଧ୍ୟ ବାଟ ଦେଖାଇ ପାରିବ ।

୪ । ୯ । ୯୦

Image

 

ରାଜନୀତି ଓ ସଂସ୍କୃତି

 

ନାନା ଆବଶ୍ୟକତାର ତାଡ଼ନାରେ କେତେକ ମଣିଷ ରାଜନୀତିରେ ପଶିଥାନ୍ତି । ବିଶେଷ କରି, ଭାରତବର୍ଷ ପରି ଆପଣାର ଅସଲ ଧାତୁରେ ସାମନ୍ତବାଦୀ ଓ ଆଖିଦୃଶିଆ ଭାବରେ ଅର୍ଥକରୀ ହୋଇ ରହିଥିବା ରାଜନୀତି ଯେତେବେଳେ ଏବେ ପ୍ରାୟ ଗୋଟାସୁଦ୍ଧା ପ୍ରଫେସନାଲ ହୋଇଗଲାଣି, ସେତେବେଳେ ଜୀବନଟାକୁ ଲାଭବାନ୍‍ କରିବାର ସତେଅବା ଗୋଟାଏ ହାଟ ପରି ବିଚାରୁଥିବା ସାମନ୍ତମାନେ ରାଜନୀତିରେ ପଶିବାକୁ ଭାରି ମନ କରିବା ଅତ୍ୟନ୍ତ ସ୍ଵାଭାବିକ । ରାଜନୀତି କରିବା ଅର୍ଥାତ୍ ଯଥାସମ୍ଭବ ଅଧିକ ଶୀଘ୍ର ରାଜନୀତି ଭିତରେ କୌଣସି ଏକ କ୍ଷମତାସ୍ଥାନରେ ଆସି ବସିଯିବା ଏବଂ ତା’ ପରେ ଯଥାସମ୍ଭବ ଅଧିକ ଲାଭବାନ୍‍ ହେବା । ଲାଭବାନ୍‍ ହେବାର ଅର୍ଥ କେବଳ ପଇସା କମାଇବା ମୋଟେ ନୁହେଁ । ଗୋଟାଏ ଦେଶରେ ଅଧରୁ ଅଧିକ ମଣିଷ ଅର୍ଥର କ୍ଷେତ୍ରରେ ଯେତେବଳେ ପ୍ରାୟ ଅଧାକାଙ୍ଗାଳ ହୋଇ ରହିଛନ୍ତି, ସେତେବେଳେ ପ୍ରାୟ ଏକ ଅପବିଧାତାର ନିୟମ ଅନୁସାରେ ଅର୍ଥ ହାତକୁ ଆସିଲେ ଯଶ ମଧ୍ୟ ବଳେବଳେ ଆସିବ । ଆପଣ ତା’ପରେ ସମାଜସେବା କ୍ଷେତ୍ରରେ ପ୍ରାୟ ରାତାରାତି ଗୋଟାଏ କର୍ଣ୍ଣ ଅଥବା ଦ୍ରୋଣ ହୋଇ ବାହାରି ପାରିବେ, ଏବଂ ସଂସ୍କୃତି ଏବଂ ସାହିତ୍ୟର କ୍ଷେତ୍ରରେ ମଧ୍ୟ ଉଭା ହେଉ ହେଉ ଘଟୋତ୍କଚ ପରି ବିରାଟ ଏବଂ ଦିଶାଳ ଦେଖାଯିବେ ।

 

ସ୍ୱାଧୀନ ଭାରତବର୍ଷରେ ବିଧାୟକ ପ୍ରଣୟନ କରାଯାଇ ଯେତେବେଳେ ପୂର୍ବର ଗଡ଼ଜାତ ରାଜାମାନଙ୍କର ରାଜପଣକୁ କାଟି ଦିଆଗଲା, ସେତେବେଳେ କେତେ କେତେ ରାଜା ରଜନୀତି କଲେ । ହାତରେ ଆଖିଦୃଶିଆ ଧନ ଥିଲା, ତେଣୁ ହୁ’ କରି ଆସି ରାଜନୀତିରେ ପଶିଗଲେ । ସେମାନେ ବି ଦଳ ଗଢ଼ିଲେ, ଏକ ଗଣତନ୍ତ୍ର-ଶାସନରେ ସେମାନେ ବି କମ୍ ମାମଲାତକାରୀ କଲେ ନାହିଁ । ଜଣେ ବ୍ୟକ୍ତି ସମ୍ଭବତଃ କୌଣସି ରାଜନୀତିକ ଆଦର୍ଶ ବା ଅନ୍ତତଃ କୌଣସି ରାଜନୀତିକ କାର୍ଯ୍ୟକ୍ରମରେ ବିଶ୍ୱାସ କରୁଥାଏ ଓ ସେହି କାରଣରୁ ସେ ପ୍ରାୟ ଟାଣି ହୋଇ ଆସିଲା ପରି ରାଜନୀତି ଭିତରକୁ ଆସେ । ପ୍ରଥମକାଳୀନ ସ୍ୱାଧିନତାପୂର୍ବ ରାଜନୀତିରେ ଯେଉଁମାନେ ପୁରୋଭାଗରେ ରହିଥିଲେ, ଆମ ସ୍ୱାଧୀନତା-ସଂଗ୍ରାମରେ ନେତୃତ୍ୱ ନେଇଥିଲେ, ସେମାନେ ହୁଏତ ସମସ୍ତେ ସେହିପରି ଏକ ଆକର୍ଷଣରେ ପଡ଼ି ରାଜନୀତିକୁ ଆସିଥିଲେ । ଭାରତବର୍ଷ ସ୍ଵାଧୀନ ହେବା ପରେ ସତେଅବା ବିଧାନଟି କ୍ରମେ ବଦଳିଗଲା । ଆଦୌ କୌଣସି ରାଜନୀତିକ ଆଦର୍ଶ ବା ରାଜନୀତିକ ବିଶ୍ୱାସ ନ ଥାଇ ମଧ୍ୟ ଅନେକେ ରାଜନୀତି ଭିତରେ ଆସି ପହଞ୍ଚିଗଲେ । ସେହି ବିଶ୍ଵାସ ଅନୁସାରେ ଆପଣାକୁ ଆଗ ଯଥେଷ୍ଟ ପରିମାଣରେ ଯୋଗ୍ୟ ବା ପ୍ରସ୍ତୁତ କହିବାର କୌଣସି ପ୍ରଶ୍ନ ହିଁ ଉଠୁ ନଥିଲା । ଏବେ ମଧ୍ୟ ଭାରତୀୟ ରାଜନୀତି ମୁଖ୍ୟତଃ ଏହିଭଳି ଅନ୍ୟ-ସଉକୀମାନଙ୍କର ପ୍ରାଦୁର୍ଭାବରେ ଅତ୍ୟନ୍ତ ଜଘନ୍ୟ ଭାବରେ ହନ୍ତସନ୍ତ ହେଉଛି । କିଏ ଯେ କୋଉ ସ୍ୱରରେ ରାଜନୀତି ଭିତରେ ପଶିଯାଉଛି ଓ ପଶିଯିବା ମାତ୍ରକେ କେଡ଼େ ଡେଙ୍ଗା ଦେଖାଯାଉଛି, ରାଜନୀତିକ ବିବେକର କୌଣସି ବାଡ଼ି ମଧ୍ୟ ତାକୁ ଆଉ ମାପିବାର ସାହସ କରି ପାରୁନାହିଁ । ଭାରତର ଅନେକ ଅତ୍ୟାବଶ୍ୟକ ପରିବର୍ତ୍ତନରେ ରାଜନୀତି ନିମିତ୍ତ ହୋଇ ପାରିବ ବୋଲି ହୁଏତ କାଳ ଅପେକ୍ଷା କରିଥିଲା । ମାତ୍ର ରାଜନୀତିକ ନେତୃତ୍ୱଗୁଡ଼ାକ ପରିବର୍ତ୍ତନର ପଥରେ ମୁଖ୍ୟତଃ ବୋଝ ହୋଇ ରହିଲା ।

 

ପ୍ରଫେସନାଲ୍‌ ରାଜନୀତି ନାନା ସ୍ୱଭାବଗତ କାରଣରୁ ବହୁନ୍ମୁଖ ଓ ବହୁଦନ୍ତ ହେବାକୁ ଅତ୍ୟନ୍ତ ଅବର୍ଜିଆ ଉତ୍ସାହମାନ ଦେଖାଇଥାଏ । ହାତରେ କ୍ଷମତାର ଦଣ୍ଡ ଧରିଥିବା ହେତୁ ତାହା ଲୋକଜୀବନର ପ୍ରାୟ ସବୁଯାକ କ୍ଷେତ୍ରକୁ ହସ୍ତ ଅଥବା ପଦ ପ୍ରସାରଣ କରିବାକୁ ପ୍ରୟାସ କରିଥାଏ-। ନଖଗୁଡ଼ାକ ପ୍ରଲମ୍ବିତ ହୋଇ କୁଆଡ଼େ, ମନ କୁଆଡ଼େ ଯେ ମାଡ଼ିଯାଆନ୍ତି, ତାହାର କୌଣସି ବାଇସ ରହେନାହିଁ । ଯଥାର୍ଥ ନେତୃତ୍ୱର ଏକ ସମ୍ଭ୍ରମ ରହିଥାଏ; ଏହାର ଅର୍ଥ ହେଉଛି, ଯଥାର୍ଥ ନେତୃତ୍ୱ ତା’ର ସୀମାଗୁଡ଼ାକୁ ଜାଣିଥାଏ । ନେତୃତ୍ୱ ହୁଣ୍ଡା ହେଲେ ସୀମାଗୁଡ଼ାକ ଏକାବେଳେକେ ପାସୋରିଯାଏ । ତା'ପରେ ସବୁ ଘରେ ଯାଇ ପଶିବାକୁ ଏକ ସ୍ୱାଧିକାର-ପ୍ରମତ୍ତତା ଏତେ ପ୍ରବଳ ଭାବରେ ଆପଣାକୁ ଜାରି କରି ବାହାରେ ଯେ ସମ୍ଭ୍ରମର କୌଣସି ଗାର ମାନିବାକୁ ଆଉ ବେଳ ନଥାଏ । ଏଭଳି ରଜାମାନଙ୍କୁ ସେମାନଙ୍କର ବୟସ୍ୟ ଓ ଭାଣ୍ଡମାନେ ମଧ୍ୟ ମିଳିଯାଆନ୍ତି-। ଆଗେ ଅର୍ଥାତ୍‍ ପୌରାଣିକ କାଳରେ ରାଜାମାନେ ପଣ୍ଡିତମାନଙ୍କୁ ଲୋଡ଼ୁଥିଲେ । ଭାରତର ସେହି ପରମ୍ପରାଟି ମୋଗଲ ଅମଳ ପର୍ଯ୍ୟନ୍ତ ପ୍ରାୟ ଅକ୍ଷୂର୍ଣ୍ଣ ରହିଥିଲା । ମାତ୍ର, ସ୍ୱାଧୀନ ଭାରତରେ ସତେ ଅବା ସମ୍ଭ୍ରବଗତ ଆଉ କୌଣସି ବାରଣ ରହିଲା ନାହିଁ । ସିଏ ବା ସେମାନେ ଆମ ଘରେ ଆସି ପଶିବା ପୂର୍ବରୁ ଆମେ ଆଗ ଯାଇ କାହିଁକି ବାରନାରୀର ଭେଶ ପିନ୍ଧି ତାଙ୍କୁ ଡାକି ଆଣିବା ଲାଗି ତାଙ୍କ ଦୁଆରେ ଯାଇ ପହଞ୍ଚି ଯିବାନାହିଁ, ଆମ ପଣ୍ଡିତମାନଙ୍କର, ସଜ୍ଜନମାନଙ୍କରେ ଏଭଳି ନୂଆ ବୁଦ୍ଧିଟିଏ କ୍ରମେ ଅଙ୍କୁରିତ ହୋଇ ଆସିଲା । ସେମାନେ ମଲ୍ଲୀମାଳଟିଏ ଗୁନ୍ଥି, ଚଉକୀ ଉପରେ ଯିଏ ବସିଛି, ତାକୁ ତାହାରି ଗଳାରେ ନେଇ ଗଳାଇଦେବେ ଓ ତାହାକୁ ହିଁ ଶ୍ୟାମ ବୋଲି ଆଦରି ନେବେ ବୋଲି ଏକ ଅନ୍ୟ ବିଦ୍ୟାରେ ବଳିୟାର ହେବାର ଅଭ୍ୟାସ କଲେ । ରାଜନୀତି ଓ ସଂସ୍କୃତି ଏହାଦ୍ଵାରା ଉଭୟେ ଭଣ୍ଡୁର ହେଲେ । ପରିମଳ ବୋଲି ଆଉ କିଛି ରହିଲା ନାହିଁ ।

 

ଆମ ରାଜନୀତି ଆମ ସଂସ୍କୃତିର ଅନ୍ତର୍ଗତ ହୋଇ ରହିଥାନ୍ତା । ସାମୁହିକ ପରିମଳଗୁଡ଼ିକ ଜୀବନବାଚୀ ଯେଉଁ ମୂଲ୍ୟବୋଧଗୁଡ଼ିକ ଦ୍ୱାରା ପରିଚାଳିତ ହୁଏ, ତାହାହିଁ ସଂସ୍କୃତି-। ଆମ ରାଜନୀତି ମଧ୍ୟ ସେହି ପରିମଳର ଅଧୀନ ବା ଅନ୍ତର୍ଗତ ହୋଇ ରହି ଯାଇଥିବା ଉଚିତ । ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ, ଏମାନେ ସର୍ବପ୍ରଥମେ ଜଣେ ଜଣେ ସଂସ୍କୃତିସ୍ଥ ମନୁଷ୍ୟ ଥିଲେ । ସେଥିଲାଗି, ସେମାନେ ଯେଉଁ ରାଜନୀତିରେ ଥିଲେ ବା ଯେଉଁ ରାଜନୀତି କରୁଥିଲେ, ସେଥିରେ ମଧ୍ୟ ଏକ ସଂସ୍କୃତି-ଅନୁକୂଳ ପରିମଳ ରହିଥିଲା । ସେମାନଙ୍କର ସ୍ୱପ୍ନ ଆଦୌ କୌଣସି ପ୍ରଫେସନାଲ୍‌ର ସ୍ୱପ୍ନ ନ ଥିଲା । ତେଣୁ ସେମାନେ ଆମ ସାଥିରେ, ଆମର ଅତି ପାଖରେ ରହିଥିବା ପରି ଅନୁଭବ ହେଉଥିଲା । ଏବେ ରାଜନୀତି କରୁଥିବା ପ୍ରବର ଓ ଅବରମାନେ ଆମଠାରୁ କେତେ ଦୂରରେ ଯାଇ ରହିଛନ୍ତି , ସତେଅବା ନିଜର କୌଣସି ଏକ ସ୍ଵତନ୍ତ୍ର ଧନ୍ଦାରେ ବ୍ୟସ୍ତ ହୋଇ ରହିଛନ୍ତି, ଦୂରରୁ କେଡ଼େ ପୃଥୁଳ ହୋଇ ଦେଖା ଯାଉଛନ୍ତି । ଆମ ସାମୂହିକ ଜୀବନର ସବୁଯାକ ବଡ଼ ଚଉକୀରେ ସେମାନେ ସତେ ଅବା କୌଣସି ବଳାତ୍କାରୀ ସମ୍ବିଧାନ ବଳରେ ଉପବେଶନ କରିଛନ୍ତି ଏବଂ କେଡ଼େ ପ୍ରଚଣ୍ଡ ଭାବରେ ଆମ ଜୀବନର ଦାଣ୍ଡଗୁଡ଼ିକୁ କାମୁଡ଼ି ଧରିଛନ୍ତି । ରାଜନୀତିକୁ ସର୍ବଜନ-ସଂସ୍କୃତିର ଏକ ବୃତ୍ତର ପରିମଳ ଦ୍ୱାରା ପରିଚାଳିତ କରିବା ପରିବର୍ତ୍ତେ ସେମାନେ ଆମ ସଂସ୍କୃତିର ଯାବତୀୟ ସନ୍ତକ ଓ ସଂସାଧନର କ୍ଷେତ୍ରକୁ ଆସି ମାଡ଼ି ବସିଛନ୍ତି । ଯଥାର୍ଥ ଓ ମୂଲ୍ୟସଂଯୁକ୍ତ ରାଜନୀତି ଦ୍ଵାରା ଆମ ଦେଶରେ ଯେତିକି ହାସଲ କରି ହୁଅନ୍ତା, ଭାରତବର୍ଷର ଭାଗ୍ୟରେ ହୁଏତ ସେତିକି ମଧ୍ୟ ସମ୍ଭବ ହୋଇ ପାରୁନାହିଁ ଏବଂ, ଏଣେ ସେମାନଙ୍କର ଅନୁପ୍ରବେଶ ଏବଂ ଉପଦ୍ରବ ଦ୍ଵାରା ଶିକ୍ଷା, ସାହିତ୍ୟ, ସଂସ୍କୃତି, ସଦ୍ଭାବନା ଓ ସଦ୍‌ବିଶ୍ୱାସ ପ୍ରଭୃତି ସଂସ୍କୃତିର ଅନ୍ୟ ଅଧିକ ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ମଧ୍ୟ ଗୋଟିଏ ଗୋଟିଏ ଗୁହାଳରେ ପରିଣତ ହୋଇ ରହିଛି । ଗଉଣୀ ଗଉଣୀ ଟଙ୍କା ଖରଚ ହେଉଚି । ମାତ୍ର ଘରଗୁଡ଼ିକ ବଡ଼ ମର୍ମନ୍ତୁଦ ଭାବରେ ମାରା ହୋଇ ରହିଛନ୍ତି ।

 

ରାଜନୀତିକୁ ଯେଉଁ ନେତୃତ୍ୱ ତା'ର ପ୍ରକୃତ ସୀମା ଭିତରକୁ ଫେରାଇ ଆଣି ପାରିବ, ଅର୍ଥାତ୍ ଯେଉଁ ରାଜନୀତି ସଂସ୍କୃତିର ବୋଲ ମାନୁଥିବ ଓ ହୁଣ୍ଡା ହେବାକୁ ଅସମ୍ମାନଜନକ ବୋଲି ବିଚାରୁଥିବ, ଭାରତବର୍ଷ ନିମନ୍ତେ ଅତ୍ୟନ୍ତ ଜରୁରୀ ଭାବରେ ସେହିଭଳି ଏକ ନେତୃତ୍ୱ ଦରକାର । କେବଳ ଜଣେ ସଂସ୍କୃତିସ୍ଥ ମନୁଷ୍ୟ ହିଁ ସାଧୁ ହୋଇପାରେ । ସାଧୁ ମଣିଷମାନେ ସମ୍ଭ୍ରମ ମାନି, କୌଣସି ଏକ ଧୃବତାରାକୁ ନେତ୍ର ସମ୍ମୁଖରେ ରଖି ଏକଦା ରାଜନୀତି କରୁଥିଲେ ବୋଲି ରାଜନୀତିରୁ ସମଗ୍ର ଦେଶକୁ ଏତେ ଏତେ ଶ୍ରେୟ ମିଳିପାରିଲା । ଆଜି ମଧ୍ୟ ଭାରତବର୍ଷରେ ଏକାଧିକ ରାଜନୀତିକ ଲକ୍ଷ୍ୟ ହାସଲ ହେବାକୁ ବାକୀ ରହିଛି, ଏକ ସୁସ୍ଥ ରାଜନୀତିକ ସକ୍ରିୟତା ଲୋକସ୍ତରରେ ଆପଣାକୁ ବ୍ୟକ୍ତ କରି ପାରିନାହିଁ ବୋଲି ରାଜନୀତି ଭିତରେ ସାନ ଓ ବଡ଼ ସବୁଯାକ ସିରସ୍ତାରେ ଖଣ୍ଟମାନେ ଚାଣକ୍ୟ ହୋଇ ବୁଲୁଛନ୍ତି । ସ୍ୱାଧୀନତା ସଂଗ୍ରାମ ବେଳେ ବୟାନ କରା ଯାଇଥିବା ଅନେକ ଅନେକ ସ୍ଵପ୍ନ ରାଜନୀତି ଓ ଅର୍ଥନୈତିକ ସ୍ଵପ୍ନଗୁଡ଼ିକ ସମେତ, ଏବେ ମଧ୍ୟ ଅପୂରଣ ହୋଇ ରହିଛି । ତେଣୁ ଭାରତୀୟ ରାଜନୀତି ଘରକୁ ବାହୁଡ଼ି ଆସୁ । ବାହାରେ ମିଛ ଉତ୍ତେଜନାମାନ ସୃଷ୍ଟି ନ କରି ଓ ମଣିଷମାନଙ୍କୁ ସେମାନଙ୍କର ଅସଲ ଭେକରୁ ବିସ୍ତୃତ କରି ରଖିବାର କୁକର୍ମ ନ କରି ସିଏ ନିଜର ଅସଲ ଘରଟିକୁ ଆସୁ । ସଂସ୍କୃତିର ଅଙ୍ଗନଗୁଡ଼ିକରେ ବିଟ ହୋଇ ବସିବାର ମନ ବୃତ୍ତିକୁ ବର୍ଜନ କରୁ । ତେବେ, ଭାରତବର୍ଷର ସଂସ୍କୃତି ନାମକ । ଐତିହ୍ୟରୁ ମଧ୍ୟ ତାକୁ ସୁସ୍ଥ ଓ ବଳିଷ୍ଠ ହୋଇ ରହିବା ଲାଗି ଅନେକ ବଳ ମିଳିବ, ବିଚରା ସଂସ୍କୃତି ମଧ୍ୟ ବହୁ ଅନାବଶ୍ୟକ ଧର୍ଷଣରୁ ପରିତ୍ରାଣ ଲାଭ କରିବ ।

୧୧ । ୯ । ୯୦

Image

 

ଭୋଗବାଦୀର ତ୍ରାସ ଓ ତହିଁରୁ ମୁକ୍ତି

 

ଏକ ପୁଞ୍ଜିବାଦୀ ସମାଜରେ ଭୋଗ ହେଉଛି ସର୍ବୋଚ୍ଚ ଭାଗ୍ୟ ଓ ସର୍ବୋତ୍ତମ ଭାରତବର୍ଷର ସମାଜ ବା ଅନ୍ତତଃ ସେହି ସମାଜର ସୂରୀମାନେ ଗୋଟାଏ ପଟେ ସାମନ୍ତବାଦ ଓ ଆଉ ଗୋଟାଏ ପଟରେ ପୁଞ୍ଜିବାଦକୁ କାମୁଡ଼ି କରି ରହିଛନ୍ତି । ଇଉରୋପରେ ଯେକୌଣସି ଉପାୟ ଦ୍ଵାର ହେଉ ପଛକେ, ସାମନ୍ତବାଦ ପୁଞ୍ଜିବାଦକୁ ବାଟ ଛାଡ଼ି ଦେଇଥିଲା । ସାମନ୍ତବାଦୀ ଅଠାଗୁଡ଼ାକ ତଥାପି ଲାଗି ରହିଥିବାରୁ ବେଶ୍ କେତେଗୁଡ଼ିଏ ଦଶକ ଲାଗି ପୁଞ୍ଜିବାଦ ସାମ୍ରାଜ୍ୟବାଦ ନାମରେ ଫୁଲିଲା, ପୃଥିବୀଯାକ ଅନର୍ଥ ଭିଆଇଲା, ଆପଣାର ପଣ୍ୟ, ଅସ୍ତ୍ର ଓ ଜାତୀୟତାବାଦକୁ ନେଇ ବାଇ ବି ହେଲା; ମାତ୍ର, ଦୁଇଟା ଆଣ୍ଟ ଯୁଦ୍ଧର ଆବର୍ତ୍ତ ଭିତରେ ପଡ଼ି ତାହାର ଅଣ୍ଟା ଭାଙ୍ଗି ପଡ଼ିଲା, ପୁରୁଣାଟା ଠାରୁ ତା’ର ଅନେକ ସରାଗ ତୁଟିଗଲା । ତଥାକଥିତ ପୁଞ୍ଜିବାଦୀ ଓ ସାମ୍ରାଜ୍ୟବାଦୀ ଦେଶମାନେ ସତେ ଅବା ଝିଅକୁ ମାରି ଜନକଲ୍ୟାଣ ରାଷ୍ଟ୍ରରେ ପରିଣତ ହେଲେ । ବାହାରକୁ ଦେଖିବା ପାଇଁ ଇଉରୋପରେ ଗୋଟିଏ ପାଖରେ ପୁଞ୍ଜିବାଦୀ ସରକାର ରହିଥିଲେ ଓ ଆଉଗୋଟିଏ ପାଖରେ ସାମ୍ୟବାଦୀ ସରକାର ରହିଥିଲେ । ଦୁହେଁ ଦୁହିଁଙ୍କୁ ଭୟ କରୁଥିଲେ । ମଝିରେ ପାଚେରୀ ବସିଥିଲା ଓ ଅସ୍ତ୍ରଧାଡ଼ି ବସାଯାଇ ଓ ଏକ ଉତ୍ତେଜିତ ପ୍ରତିଯୋଗିତାକୁ ହିଁ ତିଷ୍ଠି ରହିବାର ଏକମାତ୍ର ବାଟ ରୂପେ ଗ୍ରହଣ କରି ଦୁହେଁ ସତେଅବା ଶତ୍ରୁରୂପେ ସଜ୍ଜିତ ହୋଇ ରହିଥିଲେ ସତ, ମାତ୍ର ସତେଅବା ଦୁହେଁ ଦୁହିଁଙ୍କୁ ଅନୁକରଣ କରୁଥିଲେ । ଗୋଟାଏ ପାଖରେ ଆମେରିକା ଲଦି ହୋଇ ରହିଥିଲା ଓ ଆରପାଖରେ ରୁଷିଆ । ଦୁଇ ପଟ ଯେ ତଥାପି ପରସ୍ପରର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିଲେ, ଅନ୍ତତଃ ଗତ ଗୋଟାଏ ବର୍ଷର ବିଚାରଗତ ଓ ରାଷ୍ଟ୍ରୀୟ ପରିବର୍ତ୍ତନମାନ ପୃଥିବୀଯାକ ଆମ ସମସ୍ତଙ୍କ ଆଗରେ ସେହି କଥାଟିକୁ ପ୍ରମାଣ କରିଦେଲାଣି ।

 

ଭାରତବର୍ଷକୁ ରାଜନୀତିକ ସ୍ଵାଧୀନତା ଆସିବା ପରେ ଏଠାରେ ପ୍ରତ୍ୟାଶିତ ଓ ପ୍ରତିଶୃତ ପରିବର୍ତ୍ତନଗୁଡ଼ିକ ମୂଳତଃ ପ୍ରାୟ କିଛି ହେଲାନାହିଁ । ମୁଖ୍ୟତଃ ପୁରାତନ ସାମନ୍ତ ପରିବାରମାନେ ସ୍ୱାଧୀନ ଭାରତବର୍ଷର ରାଜନୀତିରେ ସାମନ୍ତପ୍ରାୟ ହୋଇ ରହିଲେ । ଜାତୀୟତାବାଦର ପୁରୁଣା ବୋଲିଗୁଡ଼ାକୁ ଏପରି ଭାବପ୍ରବଣତା ସହିତ ଯାବୁଡ଼ି କରି ଧରାଗଲା ଯେ, ଏକ ସାମାଜିକ ନବଗଠନ ଏବଂ ନବୋନ୍ମୋଚନର ସ୍ୱପ୍ନଗୁଡ଼ାକୁ ଭଣ୍ଡୁର କରି ଦିଆଗଲା । ଯାହାର ନେତୃତ୍ୱରେ ଓ ଯାହାର କଥାରେ ପ୍ରତ୍ୟୟ ରଖି ରାଜନୀତିକ ସ୍ୱାଧୀନତାର ସଂଗ୍ରାମ ଲଢ଼ା ଯାଇଥିଲା, ରାଜନୀତିକ ସ୍ୱାଧୀନତା ହାସଲ ହେବା ପରେ ସେହି ନେତୃତ୍ୱକୁ ଚାରିଆଡ଼େ, ପ୍ରସ୍ତର ଓ ମର୍ମରମୂର୍ତ୍ତିରେ ଛାଇ ଦିଆଗଲା ସିନା, ତାହା ଅଧିକରୁ ଅଧିକ ପ୍ରତ୍ୟାଖ୍ୟାତ ହୋଇ ରହିଲା । ତେଣୁ ଅସଲ ପ୍ରତୟଗୁଡ଼ିକୁ ଭାଙ୍ଗିଦିଆ ଗଲା । ତାକୁ ପ୍ରାୟ କିଛି ହେଲେ ଗଢ଼ା ହେଲା ନାହିଁ, ସବୁ ଉପରୁ ଆଣି ଲଦାଗଲା । ସେହି ପୁରୁଣା ଅମଲାତନ୍ତ୍ର ଆହୁରି ଅଧିକ ନଖ ଓ ଦନ୍ତ ବିସ୍ତାର କରି ରହିଲା । ଜ୍ଞାନଦେଇ ମାଲ୍ୟାଣୀ ପରି, ଅମଲାତନ୍ତ୍ରର ସାମନ୍ତମାନେ ଆମ ନେତାମାନଙ୍କୁ ଦିନରେ ମେଣ୍ଡା ଓ ରାତିରେ ଭେଣ୍ଡା କରି ରଖିଲେ । ପୁରୁଣା ସାମନ୍ତବାଦ ନିଜକୁ ନୂଆ ଦର୍ପରେ ଜାରି କରି ରଖିଲା । କେବଳ ରାଜନୀତିରେ ନୁହେଁ, ଶିକ୍ଷାରେ, ଶାସନରେ, ଯାବତୀୟ ସାମାଜିକ ପୂନର୍ବିଧାନରେ ଉପରୁ ହିଁ ସାମନ୍ତବାଦ ଆପଣାର ବଦାନ୍ୟତା ଦେଖାଇ ଦେଶର ଯାବତୀୟ ସମସ୍ୟାକୁ ଦୂର କରିଦେବ ବୋଲି ହଟଚମଟ ମାରିଲା । ଆବହମାନ କାଳରୁ ଭାରତବର୍ଷରେ ମନୁଷ୍ୟର ଆତ୍ମାକୁ ଭୂତାଇ ରଖିବା ଭାଗ୍ୟବାଦ ଏଠି ଅବଜ୍ଞା ଏବଂ ଉଦାସୀନତାଗୁଡ଼ିକୁ ସତେଅବା ରାଜକୀୟ ସମ୍ମାନ ଦେଇ ରଖିଥିଲା । ଗତ ଚାଳିଶବର୍ଷ ଭିତରେ ଉପରେ କେତେ ଗରିଷ୍ଠଙ୍କର ପୁଷମାସ ଦେଶଟାଯାକକୁ ଅତ୍ୟନ୍ତ ବିମୂଢ଼ ଏବଂ କୃପାର୍ତ୍ତ କରି ରଖିଲା । ଆମ ଦେଶର ସଂଗ୍ରାମୀମାନଙ୍କୁ ମଧ୍ୟ ସରକାର କିଣିନେଲେ । ସେମାନେ ଦରବାର ମାନଙ୍କରେ ନାହାକ ହୋଇ ବସିଲେ । ଏପରିକି, ସର୍ବୋଦୟ ଆନ୍ଦୋଳନ ମଧ୍ୟ ଅଧିକତର ପରିମାଣରେ ସରକାରଙ୍କ ଆଡ଼କୁ ଗୁଞ୍ଜିହୋଇ ରହିଲା । ମହାତ୍ମାଗାନ୍ଧୀଙ୍କ ଦ୍ୱାରା ଏକଦା ପ୍ରଚାରିତ ସତ୍ୟାଗ୍ରହର ବାଣୀ ସତେଅବା ସିନ୍ଦୁକ ଭିତରେ ଯାଇ ରହିଲା । ଗାନ୍ଧୀବାଲାଏ ସଂଗ୍ରାମୀ ପରି ନୁହେଁ, କ୍ରମେ ବାବାଜୀଙ୍କ ପରି ଦିଶିଲେ ଏବଂ ରାଜସଭାମାନଙ୍କରେ ସମ୍ମାନ ପାଇଲେ । ମଠାଧୀଶମାନେ ଧର୍ମରେ ଅଫିମ ଗୋଳିବାର ସାହସ କଲେ । ଭାଗ୍ୟବାନ୍ ଓ ଭାଗ୍ୟହୀନଙ୍କ ମଧ୍ୟରେ ବ୍ୟବଧାନମାନ ଅସୁରର ଆଁ ପରି ବଢ଼ିବାକୁ ଲାଗିଲା ।

 

ଭାରତରେ Consumerism ବା ଅତିରିକ୍ତ ଭୋଗବାଦର ପ୍ରତୀପ କ୍ରମେ ପ୍ରବଳ ହୋଇ ଉଠିଲାଣି ବୋଲି ଏବେ ଓଡ଼ିଶାର ଏକ ସାହିତ୍ୟଗୋଷ୍ଠୀ କ୍ଷୋଭ ପ୍ରକାଶ କରିଛି । ଏହି ଭୋଗବାଦ, ଯାହାକୁ ଉପଭୋକ୍ତାବାଦ ବୋଲି କୁହାଯାଇଛି, ତାହା ଭାରତବର୍ଷର ପାରମ୍ପରିକ ଜୀବନଧାରା ଓ ମୂଲ୍ୟବୋଧକୁ ଗ୍ରାସ କରିବାକୁ ବସିଲାଣି ଓ ଜୀବନ,ସଂସ୍କୃତି ଓ ସାହିତ୍ୟ ଏହାର ମନ୍ଦ ପ୍ରଭାବର ଶିକାର ହେଉଛି ବୋଲି ଖେଦ କରାଯାଇଛି । ଏହା ଅତ୍ୟନ୍ତ ସଜ୍ଜନସୁଲଭ କଥା । ଗୋଷ୍ଠୀ ମତବ୍ୟକ୍ତ କରିଛି ଯେ, ଭାରତୀୟ ଦଳ ସରଳ ଜୀବନଯାପନ ଓ ଉଚ୍ଚତର ଚିନ୍ତାର ଗୁଣଗାନ କରିଆସିଛି । ଥୋକେ ମଣିଷ ସାମଗ୍ରୀର ଅତରିକ୍ତତା ମଧ୍ୟରେ କୁମ୍ଭୀର ପରି ଲଟରପଟର ହେଉଥିବା ସମୟରେ, ଆମ ଦେଶରେ ଯେଉଁମାନଙ୍କ ନିକଟରେ ସାମଗ୍ରୀଗୁଡ଼ିକୁ କ୍ରୟ କରିବାର ସମ୍ୱଳ ନାହିଁ, ସେମାନଙ୍କ ମଧ୍ୟରେ ତାହା ବହୁତର ପ୍ରତ୍ୟାଶାକୁ ଜାଗୃତ କରୁଛି, ଏବଂ ଦେଶର ଅର୍ଥନୀତି ତାହାକୁ ପୂରଣ କରି ପାରୁନାହିଁ । ଫଳରେ, ଏହି ପ୍ରବୃତ୍ତିଟି ଅଧିକ ହେଲେ, ପ୍ରଚଳିତ ସମାଜବ୍ୟବସ୍ଥାରୁ ବୃହତ୍ତର ଜନସଂଖ୍ୟାର ଅନୁରାଗ ହ୍ରାସ ପାଇବ । ଅସ୍ଥିରତା ଓ ଅଶାନ୍ତି ଏହାର କାରଣ ହେବ ଓ ଗୋଟିଏ ପାଖରେ ଭୋଗ ଏବଂ ଅନ୍ୟ ପାଖରେ ଦାରିଦ୍ର୍ୟ ମଧ୍ୟରେ ତୁମୁଳ ସଂଘର୍ଷ ଘଟିବ । ଗୋଷ୍ଠୀର ସାହିତ୍ୟିକମାନେ ଏଥିରେ ଆତଙ୍କ ପ୍ରକାଶ କରିଛନ୍ତି ଓ ଏକ ତଥାକଥିତ ସମନ୍ୱୟ ସମ୍ଭବ କରିବା ଲାଗି ସାହିତ୍ୟରେ ମଧ୍ୟ ଲେଖନୀ ଚାଲୁ ବୋଲି ଉଦ୍‌ବୋଧନ ଦେଇଛନ୍ତି ।

 

ଅତିରିକ୍ତ ଆବଶ୍ୟକତାବୋଧ ଏବଂ ଅତିରିକ୍ତ ବସ୍ତୁଭୋଗ ଭିତରେ ସୁଖସନ୍ତରଣ କରୁଥିବା ଲୋକମାନେ କଦାପି କୌଣସି ସମନ୍ୱୟ ଆଣି ପାରିବେ ନାହିଁ । ସେମାନେ ସାହିତ୍ୟ ଲେଖିପାରିବେ ସତ, ମାତ୍ର ପ୍ରତିଷ୍ଠିତ ଦାମ୍ଭିକତାର ସିଂହାସନ ଗୁଡ଼ାକ ହୋହଲାଇ ଦେଇ ପାରିବେ ନାହିଁ । ଅସ୍ଥିରତା ସେତେବେଳେ ଯାଇ ଯିବ, ଅଶାନ୍ତି ସେତେବେଳେ ଯାଇ ଦୂର ହେବ, ଯେତେବେଳେ ଭାରତର ପ୍ରତ୍ୟେକ ବ୍ୟକ୍ତିଲାଗି ଏଠି ସର୍ବନିମ୍ନ ଅତ୍ୟାବଶ୍ୟକତା ଗୁଡ଼ିକର ପ୍ରତିଶୃତି ଦିଆଯାଇ ପାରିବ । ତେବେଯାଇ ସତକୁ ସତ ଏକ ସମଞ୍ଜସତା ଆସିବ; ଆମ ଅର୍ଥନୀତି ଭିତରେ, ଆମର ଶିକ୍ଷାବ୍ୟବସ୍ଥା ମଧ୍ୟରେ ଓ ଆମ ସାମାଜିକ ବସ୍ତୁ-ଉତ୍ପାଦନ ତଥା ବସ୍ତୁ-ବର୍ଣ୍ଣନର କ୍ଷେତ୍ରରେ ସତକୁ ସତ ସମ୍ବେଦନଶୀଳତାକୁ ଓ ମାନବିକ ନ୍ୟାୟକୁ ସର୍ବାଗ୍ରେ ସ୍ଥାନ ଦିଆଗଲେ ଓ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଏକ ପ୍ରତ୍ୟୟଯୋଗ୍ୟ ଅଗ୍ରଗତି ସମ୍ଭବ ହେଲେ ଯାଇ ଅସ୍ଥିରତା ଯିବ । ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସର୍ବନିମ୍ନ ଆର୍ଥିକ, କର୍ମଗତ ଏବଂ ସାମାଜିକ ନିର୍ଭରର ଦୃଢ଼ ବ୍ୟବସ୍ଥାଟିଏ ସତକୁ ସତ କାର୍ଯ୍ୟକାରୀ ହେଲେ ଯାଇ ଭାରତୀୟ ସାମନ୍ତବାଦୀ କୋପନଗୁଡ଼ାକର ଦାନବୀୟତାକୁ ରୋକାଯାଇ ପାରିବ । ସାହିତ୍ୟ ସାଧୁ ହେଲେ ସବାଆଗ ଏହାକୁ ହିଁ ସର୍ବପ୍ରଥମ ଅଗ୍ରାଧିକାର ଦେଇପାରିବ ଏବଂ, ଆହୁରି ଅଧିକ ଗୋଳମାଳିଆ କଥାଟି ହେଉଛି, ସାହିତ୍ୟିକ ସ୍ୱୟଂ ସାଧୁ ହେବାକୁ ମନ କଲେ ଯାଇ ସେ ଲେଖୁଥିବା ସାହିତ୍ୟ ମଧ୍ୟ ସାଧୁତାର ପ୍ରତିନିଧିତ୍ୱ କରିପାରିବ । ବସ୍ତୁ କଦାପି ମନୁଷ୍ୟକୁ ରାକ୍ଷସ କରେ ନାହିଁ । ଅପର ଅନେକଙ୍କ ଆଡ଼କୁ ଆଖି ବୁଜି ପକାଇ ସମାଜରେ ଋଷିମାନଙ୍କର ଆଶୀର୍ବାଦ ସହିତ ମଧ୍ୟ ଯେଉଁ କ୍ରୁର ବ୍ୟବସ୍ଥା ଜୀବନ ଉପରେ ସବାର ହୋଇ ବସିଥାଏ, ବସ୍ତୁ ତାହାର ହାତରେ ପଡ଼ିଲେ ହିଁ ତାହା ବହୁ ଅନର୍ଥର କାରଣ ହୁଏ ।

 

ସତ୍ୟ ସହିତ ସହଯୋଗ ଅର୍ଥାତ୍‍ ଅସତ୍ୟ ସହିତ ଅସହଯୋଗ । ତେଣୁ ଅସତ୍ୟ ସହିତ ଆମର ନାହିଟା ଲାଗିଥିବା ପର୍ଯ୍ୟନ୍ତ ଆଗେ ଲେଖିଥିବା ବହିମାନେ ଏହି ଜର୍ଜର ରାଜତ୍ୱରେ ଆଦୌ କୌଣସି ପରିବର୍ତ୍ତନ ସମ୍ଭବ କରିପାରିବେ ନାହିଁ । ବେଶି ବହି ଲେଖି ବେଶି ସଂଗଠନ କରି ସମ୍ଭବତଃ ସେହି କାରଣରୁ ହିଁ ଆମେ ଭାରତବର୍ଷରେ ତଥାପି ଆଧୁନିକ ହୋଇ ପାରିଲୁ ନାହିଁ । ଆଧୁନିକ ନୋଳି ଓ ଆଧୁନିକ ବସଣିଗୁଡ଼ିକୁ ପିନ୍ଧିଲୁ ସିନା, ମାତ୍ର ନିଜ ଭିତରେ ଆମକୁ କାମୁଡ଼ି ଧରିଥିବା ନିର୍ମମ ନିଃସଙ୍ଗତାଗୁଡ଼ିକୁ ମୋଟେ ଡେଇଁ ଆସି ପାରିଲୁ ନାହିଁ । ଅନେକ ସମୟରେ ତୁଚ୍ଛା ସାମନ୍ତମାନେ ଆମକୁ କିଣିନେଲେ, ଆମକୁ ଚମ୍ପାସାଆନ୍ତାଣୀ ହେବାର ଲୋଭ ଦେଖାଇଲେ । ଯିଏ ଅନ୍ତତଃ ନିଜ ପାଖରେ ସାଧୁ ହେବ, ନିଜ ଭିତରର ଅସଲ ଅନ୍ତର୍ବାଣୀଟିକୁ ଶୁଣିପାରିବ ଏବଂ ସର୍ବୋପରି, ଗୋଟିଏ ହାତରେ ଶଙ୍ଖ ଧରିଛି ବୋଲି ଆର ହାତରେ ଚକ୍ର ଧରିବାକୁ ଅରାଜି ହୋଇ ବସିବ ନାହିଁ ଓ ଯୁଗର କାଦୁଅଗୁଡ଼ାକୁ ଭୋଗ କରିବାରେ ସତକୁ ସତ ସୁଖ ନପାଇବ, ଯିଏ ନିର୍ଭୟ ହୋଇ ନାହିଁ କରି ଆପଣା ଗ୍ରନ୍ଥଗୁଡ଼ାକ ମଧ୍ୟରୁ ବାହାରି ଆସିପାରିବ, ସେଇ ଏ ଯୁଗର ରକ୍ଷାରେ ସାହାଯ୍ୟ କରିବ । ବୃନ୍ଦାବନରେ ଦୋଚାରୁଣୀ ହେବ ବୋଲି ସିଏ କଦାପି କୁରୁକ୍ଷେତ୍ରରୁ ଦଉଡ଼ି ପଳାଇବ ନାହିଁ । ସେହି ସ୍ଵତନ୍ତ୍ର ସାହିତ୍ୟିକମାନଙ୍କ ଲାଗି ଏହି ନିପୀଡ଼ିତ ଯୁଗଟି ଅପେକ୍ଷା କରି ରହିଛି ।

୨୫ । ୯ ।୯୦

Image

 

ବିନୋଦ କାନୁନ୍‌ଗୋ

 

ବାଟ ତ ଅନେକ ଥାଏ, ମାତ୍ର ସଂସାରର ସବୁ ମଣିଷ ନିଜେ ନିଜ ପାଇଁ ବାଟଟିଏ ଠିକ୍ କରି ପାରନ୍ତି ନାହିଁ । ବାଟଟିଏ ପାଇବାକୁ ହେଲେ ବାଟଟିଏ ଖୋଜିବାକୁ ପଡ଼େ । ବାଟଟିଏ ଖୋଜିବାକୁ ହେଲେ ନିଜର ସ୍ଵଭାବକୁ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ଜାଣିବାକୁ ହୁଏ । ସ୍ଵଭାବରୁ ସିନା ସ୍ଵଧର୍ମ । ଅଧିକାଂଶ ମଣିଷ ହାଉଆରେ ମାତନ୍ତି, ସୁଅକୁ ଡେଇଁ ପଡ଼ନ୍ତି । ବଜାର ଅନୁସାରେ ନିଜକୁ ତିଆରି କରନ୍ତି । ସଫଳତାର ବହୁ ଦରବାରରେ ସେମାନେ ପଣ୍ୟଟିଏ ହୋଇ ରହନ୍ତି ସତ, ମାତ୍ର ମଣିଷଟିଏ ହୋଇ ପାରନ୍ତି ନାହିଁ ।

 

ଭାରତବର୍ଷ ରାଜନୀତିକ ସ୍ୱଧୀନତା ହାସଲ କଲାପରେ ଦେଶର ଅଧିକାଂଶ ସଂଗ୍ରାମୀ ହାଉଆରେ ମାତିଗଲେ, ସୁଅ ଭିତରକୁ ଡେଇଁ ପଡ଼ିଲେ । ଯୋଗ୍ୟତା ନ ଥାଇ ମଧ୍ୟ ଆସନରେ ବସିଲେ । ରାଜନୀତି ଯେ ସବୁଠାରୁ ଅଧିକ ସହଜ ମାର୍ଗ, ଏହିପରି ଏକ ଭ୍ରମରେ ପଡ଼ିଗଲେ । ସେମାନେ ନିଜେ ଭଣ୍ଡୁର ହେଲେ, ଏ ଦେଶରେ ସଂସାରଟାକୁ ମଧ୍ୟ ଭଣ୍ଡୁର କଲେ । ଶ୍ରୀଯୁକ୍ତ ବିନୋଦ କାନୁନ୍‍ଗୋ ହାଉଆରେ ମାତି ନଥିଲେ, ସୁଅକୁ ଡେଇଁ ପଡ଼ିଲେ ମଣିଷ ଦିନକରେ ରଜାଟିଏ କି ମନ୍ତ୍ରୀଟିଏ ହୋଇଯିବ ବୋଲି ତାଙ୍କ ଚାରିପାଖରେ ବହୁ ପ୍ରଲୋଭନ ରହିଥିଲେ ମଧ୍ୟ ମୁଁ ଏ ପ୍ରଲୋଭନରେ ମୋଟେ ପଡ଼ି ନଥିଲ । ଆପଣାର ସ୍ୱଭାବଟିକୁ ଚିହ୍ନି ସ୍ଵଧର୍ମଟିକୁ ଜାଣିବା ଏବଂ ଜୀବନଯାକ ସେହି ସ୍ୱଧର୍ମରେ ରହିବା, ଏହି କଥାଟି ତାଙ୍କୁ ଜୀବନରେ ସୁଖ ଓ ପରିପୂର୍ଣ୍ଣତା ଲାଭକରିବାର ଅସଲ ଚାବିକାଠି ବୋଲି ବୋଧ ହୋଇଥିଲା । ଭିତରୁ ଇଙ୍ଗିତ ପାଇ ସେ ସେହି ବାଟଟିକୁ ଆଦରି ନେଲେ । ଆଦୌ କୌଣସି କୋଳାହଳ ନ କରି ସେହି ବାଟରେ ରହିଲେ । ସେଥିଲାଗି ତାଙ୍କ ଗୋଟିଏ ଜୀବନରେ ଏତେ ଅଧିକ କରିପାରିଲେ । ଆମ ସମସ୍ତଙ୍କୁ ୠଣୀ କରି ଚାଲିଗଲେ । ଆମ ଅନେକଙ୍କ ଲାଗି ପ୍ରେରଣାର ଉତ୍ସ ହୋଇ ରହିଲେ ।

 

ସେ ଗଲାପରେ ତାଙ୍କୁ ଉପଲକ୍ଷ୍ୟ କରି କେତେ ସଭା ହେଲା, କେତେ ବଡ଼ ବଡ଼ ମଣିଷ ବିବୃତ୍ତି ଦେଲେ । ବଜାରରେ ଯାହା ସବୁଦିନ ହୁଏ ତାହାହିଁ ହେଲା । ଜୀବନରେ ଯାବତୀୟ କୋଳାହଳରୁ ଦୂରରେ ରହି ଆପଣାର ସ୍ଵଧର୍ମ ଆଚରଣ କରି ଯାଇଥିବା ମଣିଷଟିକୁ ନିମିତ୍ତ କରି କେତେ କୋଳାହଳ କରାଗଲା । କିଏ କହିଲେ, ସିଏ ଅସମାପ୍ତ କରି ରଖି ଯାଇଥିବା କାର୍ଯ୍ୟଟିକୁ ନିଶ୍ଚୟ ସମ୍ପୂର୍ଣ୍ଣ କରାଯିବ । ସରକାରୀ କେଶରୀମାନେ ସଭାରେ ପ୍ରାୟ ଭାବପ୍ରବଣ ହୋଇ କହିଲେ ଯେ, ଏଥିଲାଗି ଯେତେ ପଇସା ଦରକାର, ସରକାର ତାହା ଅବଶ୍ୟ ଦେବେ । ଅନେକ ବର୍ଷ ତଳେ ସରକାରଙ୍କର ଯନ୍ତ୍ରଶାଳାରେ ଉତ୍ତମ ପଣ୍ଡିତ ଓ ପ୍ରବରମାନଙ୍କୁ ରଖି ଓଡ଼ିଆ ଜ୍ଞାନକୋଷର ରଚନା ନିମନ୍ତେ ବରାଦ ହୋଇଥିଲା । ସରକାର ସର୍ବତ୍ର ସବାଆଗ ପଇସାର ବରାଦ କରିଦିଅନ୍ତି, ଥାକ ଥାକ କରି ମଣିଷମାନଙ୍କୁ ନିଯୁକ୍ତ କରି ଦିଅନ୍ତି ଏବଂ ଭ୍ରମ କରୁଥାନ୍ତି ଯେ ଏଥର କାର୍ଯ୍ୟଟି ଅଲବତ ହୋଇଯିବ । ସ୍ଵଭାବ ଚିହ୍ନି ସ୍ଵଧର୍ମ ଆଚରୁଥିବା ମଣିଷ ପଇସାର ପ୍ରରୋଚନାରେ ଆଦୌ କିଛି କରେ ନାହିଁ । ଏବଂ ପଇସା ଖଞ୍ଜିଦେଲେ ସମର୍ପିତ ମଣିଷମାନେ ବଳେ ବଳେ ଆସି ମିଳିଯିବେ ବୋଲି ବିଶ୍ୱାସ କରୁଥିବା ସରକାରମାନେ ଚିରଦିନ ଅପଦସ୍ଥ ହୁଅନ୍ତି । ଓଡ଼ିଶାରେ ସରକାର ଯାହା କରି ପାରିଲେ ନାହିଁ, ବିନୋଦ କାନୁନ୍‌ଗୋ ତାହା କଲେ । ଭଗବାନ କରନ୍ତୁ ତାଙ୍କ ପରେ ଅସମାପ୍ତ ରହି ଯାଇଥିବା ତାଙ୍କର କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରିବା ଲାଗି ସରକାରଙ୍କ ଦ୍ୱାରା ନିଯୁକ୍ତ ପୃଥୁଳ ପଣ୍ଡିତମାନେ ଆସି ଏହି କ୍ଷେତ୍ରରେ ଆଦୌ କୌଣସି କୋଳାହଳ ନକରନ୍ତୁ । ବିନୋଦ କାନୁନଗୋଙ୍କର କାର୍ଯ୍ୟ ଅବଶ୍ୟ ଚାଲିବ । ହାତରେ କଡ଼ାଏ କଉଡ଼ି ନ ଥିବା ସମୟରେ ସେହି କାର୍ଯ୍ୟ ଯେପରି ଚାଲିଥିଲା, ଆଗକୁ ମଧ୍ୟ ଠିକ୍ ସେହିପରି ଚାଲିବ । ଶାସ୍ତ୍ରରେ ଅଛି ଯେ, ଯିଏ ନିଜେ ସତତ ଚାଲୁଥାଏ, ଆଦୌ କେଉଁଠି ହେଲେ ଅଟକି ଯାଏ ନାହିଁ ସୟଂ ଭଗବାନ ତାର ବନ୍ଧୁରୂପେ ପାଖେ ପାଖେ ରହି ବାଟ ଚାଲୁଥାନ୍ତି । ଯଥାର୍ଥ କାର୍ଯ୍ୟଗୁଡ଼ିକ ଭଗବାନଙ୍କ ଆର୍ଶୀବାଦ ଲାଭ କରିଥାନ୍ତି ।

 

ଶ୍ରୀ ବିନୋଦ କାନୁନଗୋ ଏକୁଟିଆ ଜ୍ଞାନମଣ୍ଡଳର ସମସ୍ତ କାର୍ଯ୍ୟ କରୁଥିଲେ । ତାଙ୍କ କାର୍ଯ୍ୟରେ ତାଙ୍କୁ ଆଉ କେହି ଆସି ସାହାଯ୍ୟ କରନ୍ତୁ ବୋଲି ସିଏ ହୁଏତ ଇଚ୍ଛାକରି ନଥିଲେ । ନିଜେ ଏକୁଟିଆ କାର୍ଯ୍ୟଟିର ସବୁଯାକ ଶ୍ରେୟଃ ନେବାର ଲୋଭ ଅଥବା ଅସୂୟାରେ ପଡ଼ି ସିଏ ଯେ ଏପରି କଲେ, ସେକଥା ନୁହେଁ । ସିଏ ନିଜେ ନିଜର କାର୍ଯ୍ୟଟିକୁ ଯେଉଁଭଳି ଉତ୍ସାହରେ କରୁଛନ୍ତି, ତାଙ୍କର ଏହି ଯୋଜନାଟି ବାରଭାଇ ଆଖଡ଼ାରେ ପରିଣତ ହୋଇଗଲେ କାର୍ଯ୍ୟଟିର ଗତି ମନ୍ଥର ହୋଇଯିବ, ସମ୍ଭବତଃ ଏହି କାରଣରୁ ସିଏ ଆଉ କାହାକୁ ସାଙ୍ଗରେ ନେବାକୁ ଇଚ୍ଛା କରୁ ନ ଥିଲେ-। ପଣ୍ଡିତମାନଙ୍କର ଜାଲରେ ପଡ଼ିଯିବାକୁ ବିନୋଦ କାନୁନ୍‍ଗୋ ପ୍ରାଣେ ଭୟ କରୁଥିଲେ । ଗୋଟିଏ ସାନ କୋଠରୀରେ ସ୍ତୂପ ସ୍ତୁପ କାଗଜତଥ୍ୟ ଭିତରେ ଏକୁଟିଆ ବସି ସିଏ ଯେତିକି ସାଧ୍ୟ କରି ପାରୁଛନ୍ତି, ଏକାବେଳକେ ଆଉ ସାତଜଣ ଆସି ସେହି ପୋଖରୀରେ ପଶିଲେ ପାଣି ଅଧିକ ଗୋଳିଆ ହେବ ଏବଂ କାର୍ଯ୍ୟ ହୁଏତ କିଛି ହେବନାହିଁ ବୋଲି ସେ ସର୍ବଦା ଆଶଙ୍କା କରୁଥିଲେ । ଜଣେ ମଣିଷ ଏକୁଟିଆ ହୋଇ ଜ୍ଞାନକୋଷଟିଏ ତିଆରି କଲେ ସେଥିରେ ଅନିବାର୍ଯ୍ୟତଃ ଯେଉଁସବୁ ଅଭାବ ରହିଯାଏ, ଜ୍ଞାନମଣ୍ଡଳରେ ସେହି ଅଭାବ ଅବଶ୍ୟ ରହିଛି ।

 

‘ଜ୍ଞାନମଣ୍ଡଳ’ ଯେତେବେଳେ ଖଣ୍ଡକୁ ଖଣ୍ଡ ବାହାରିବାକୁ ଲାଗିଲା, ଯେତେବେଳେ ସରକାର ସହାୟକ ହୋଇ ବହିଗୁଡ଼ିକୁ କିଣିନେବେ ବୋଲି ସ୍ଥିର କଲେ, ସେତେବେଳେ ଯାଇ ବିନୋଦ ବାବୁ ବିଖ୍ୟାତ ହେଲେ, ତାଙ୍କ ଘରେ କୋଳାହଳ ପଶିଲା, ସରକାର ତାଙ୍କୁ ଉପାଧି ଦେଲେ । ଦୂରଦର୍ଶନ ତାଙ୍କ ବିଷୟରେ ସ୍ଵତନ୍ତ୍ର ଆଲୋକଚିତ୍ର ପ୍ରସ୍ତୁତ କଲେ । ଓଡ଼ିଆ ଜାତି ତାର ଏହି ଗୁଣୀ ବରପୁତ୍ରଙ୍କୁ କିପରି ଯଥାର୍ଥ ଭାବରେ ଚିହ୍ନିବ, ସ୍ୱୀକୃତି ଦେବ, ସେଥିଲାଗି ବଜାରର, ସଭାମଞ୍ଚର ଅନେକ ଅନେକ ମଣିଷ ତତ୍ପର ହୋଇ ଉଠିଲେ । ଧ୍ୟାନୀର ଧ୍ୟାନ ଭାଙ୍ଗିଗଲା ପରି ବେଳେ ବେଳେ ମନେ ହେଉଥିଲା, ଶ୍ରୀ ବିନୋଦ କାନୁନ୍‍ଗୋ ମଧ୍ୟ ଏହି ନୂତନ ପର୍ଯ୍ୟାୟଟିରେ କିଞ୍ଚତ୍ ସହଯୋଗ ମଧ୍ୟ କରୁଥିଲେ । ସିଏ ଏଣିକି ସଙ୍ଗଠନଆଡ଼କୁ ମନ ବଳାଇଲେ । ଭାରତୀୟ ସ୍ତରରେ ବିଶ୍ଵକୋଷୀମାନଙ୍କୁ ନେଇ ସଂଗଠନ ଗଠିତ ହେଲା । ଅସଲ ଧ୍ୟାନଟି ସତେଅବା ଚହଲିଗଲା । ସମ୍ପୂର୍ଣ୍ଣ ଜ୍ଞାନମଣ୍ଡଳ'ର ଟିପାଗୁଡ଼ିକ ପ୍ରସ୍ତୁତ ହୋଇ ଯାଇଥିଲା । ସେହି ଟିପାଗୁଡ଼ିକରୁ ଯେକୌଣସି ବ୍ୟକ୍ତି ଇଚ୍ଛା କଲେ ଗ୍ରନ୍ଥଗୁଡ଼ିକୁ ପ୍ରସ୍ତୁତ କରିଦେଇ ପାରିବ ବୋଲି ହୁଏତ ବିନୋଦ ବାବୁଙ୍କ ମନରେ ଏକ ଆଶ୍ଵସ୍ତି ବି ଆସିଥିଲା । ଏଣିକି ତାଙ୍କୁ ଆଉ ସାନ ଘରଟି ଭିତରେ ଆବଦ୍ଧ ହୋଇ ରହିବାକୁ ଭଲ ଲାଗିଲା ନାହିଁ । ଭାରତବର୍ଷଯାକ ଯେଉଁଠି ଯିଏ ଏହିଭଳି କାର୍ଯ୍ୟରେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ଏକାଠି ଗୋଟିଏ ସଙ୍ଗଠନରେ ବାନ୍ଧି ରଖାଯିବ ଓ ସେହି ସଙ୍ଗଠନର ସଦର ମହକୁମା ଆମର ଏହି ଓଡ଼ିଶାରେ ରହିବ, ଏହି କଥାଟି ତାଙ୍କୁ ଆକର୍ଷକ ମନେ ହେଲା । ଏହିପରି ଏକ କାର୍ଯ୍ୟର ପ୍ରୟୋଜନ ଅବଶ୍ୟ ରହିଛି, ମାତ୍ର ସେହି କାର୍ଯ୍ୟଟିକୁ ହୁଏତ ଆଉ କେହି କରି ପାରିଥାନ୍ତେ-

 

ତପସ୍ୱୀ ତପସ୍ୟା କରେ । ତଥାପି, ଅନ୍ତାକ୍ଷେତ୍ରରେ ବେଳେବେଳେ କଣ ସବୁ କିଏ ଷଡ଼ଯନ୍ତ୍ର କଲାପରି ଘଟେ, ଯେତେବେଳେ ସଙ୍ଗଠନ ଆଡ଼କୁ ମନ ଧାଏଁ । ଏକାବେଳେକେ ଅନେକଆଡ଼େ ହେବାକୁ ମନ ହୁଏ । ଅନେକ ଆଡ଼କୁ ହେଉ ହେଉ କେତେବେଳେ ଯେ ଅସଲ ନାହିଟି ସହିତ ଲାଗିଥିବା ନାଡ଼ଟି ଛିଡ଼ିଯାଏ, ସେକଥା ମୋଟେ ଜାଣି ହୁଏନାହିଁ । ଚତୁର୍ଦ୍ଦିଗରେ ସମସ୍ତେ ପ୍ରଶଂସାଗାନ କରିବାରେ ଲାଗିଥାନ୍ତି । ଭିତରୁ ସେହି ଅସଲ ଧୀରକଥାଟି ହୁଏତ ଶୁଣା ବି ଯାଏ ନାହିଁ । ସବୁ ଧର୍ମ ସ୍ଵଧର୍ମ ବୋଲି ମନେ ହୁଏ । ଯେକୌଣସି ଧର୍ମକୁ ମୁଁ ଅଲବତ୍ ସ୍ଵଧର୍ମରେ ପରିଣତ କରିପାରିବି ବୋଲି ଏକ ଆଣ୍ଟ ମଧ୍ୟ ସତତ ମନ୍ଦୋତ୍ସାହ ଦେବାରେ ଲାଗିଥାଏ । ବାହାରେ ଏତେସବୁ ବ୍ୟାପାର ଘଟୁଥାଏ ସତ, ମାତ୍ର ଭିତରେ ସ୍ଵଭାବ ଏଗୁଡ଼ିକୁ ଆଦୌ ହଜମ କରିପାରେ ନାହିଁ । ଭିତର ଆଉ ବାହାର ମଧ୍ୟରେ ସତେବା ଏକ ଦ୍ୱନ୍ଦ ଉପସ୍ଥିତ ହୁଏ ଏଇଟି ହେଉଛି ଯେକୌଣସି ମନୁଷ୍ୟର ଜୀବନରେ ସମ୍ଭବତଃ ଅସଲ ଦୁର୍ଗତି, ଗୋଡ଼ ଖସିଯିବାର ଦୁର୍ଗତି ।

 

ଶ୍ରୀଯୁକ୍ତ ବିନୋଦ କାନୁନ୍‍ଗୋ ଆମଠାରୁ ଯେଉଁସବୁ ପ୍ରଶଂସା ପାଇଲେ, ତାହା ତାଙ୍କ ଜୀବନର ଆଦୌ ବଡ଼ କଥା ନୁହେଁ । ସିଏ ଯେ ନିଜ ସ୍ୱଭାବଟିର ହୋଇ ମାନିଲେ, ଭିତରୁ ନିର୍ଭର ପାଇ ସିଏ ଏକା ଏକା ଏତେବେଶୀ ସମ୍ଭବ କରିପାରିଲେ, ଏହାହିଁ ତାଙ୍କ ଜୀବନର ସବୁଠାରୁ ବଡ଼ କଥା । ସଂକୀର୍ତ୍ତନ ଓ କୋଳାହଳର ଯୁଗରେ ସିଏ ଅତ୍ୟନ୍ତ ଉଜ୍ୱଳ ଭାବରେ ଏକ ବ୍ୟତିକ୍ରମ ହୋଇ ରହିବେ ।

 

ଯାବତୀୟ କୋଳାହଳ ଓ ପ୍ରରୋଚନା ସତ୍ତ୍ୱେ ଯେଉଁମାନେ ତଥାପି ଭିତରକୁ କାନ ଡେରି ସ୍ୱଭାବ ସହିତ ଯୋଗସୂତ୍ର ରଖି ପାରୁଥବେ, ବିନୋଦ ବାବୁ ସେମାନଙ୍କୁ ନିଶ୍ଚୟ ପ୍ରଭୃତି ପ୍ରେରଣା ଯୋଗାଇ ଦେଇ ପାରିବେ । ସ୍ଵଭାବକୁ ଚିହ୍ନି ଜୀବନଟିଏ ବଞ୍ଚୁଥିବା ଜଣେ ବ୍ୟକ୍ତି ସଚେତନ ଭାବରେ ହୁଏତ ଜାତିର ବା ଦେଶର କିଛି କରୁ ନ ଥାଏ, ସିଏ କେବଳ ଏକ ଜୀବନ ବଞ୍ଚୁଥାଏ, ଆଦୌ କୌଣସି ପ୍ରକାର କୃପଣତା ନ କରି ଜୀବନଟିଏ ବଞ୍ଚୁଥାଏ, ବାଟ ଚାଲୁଥାଏ । ମାତ୍ର, ତା’ ଦ୍ୱାରା ଦେଶ ଓ ଜାତି ଉଭୟ ପ୍ରଭୂତ ପରିମାଣରେ ଉପକୃତ ହୁଅନ୍ତି । ତାହାର ଅବଦାନ ଆମ ସମସ୍ତଙ୍କୁ ଧନୀ କରେ ଏବଂ ସବୁଠାରୁ ବଡ଼ କଥା ହେଉଛି, ସିଏ ଆମ ଅନେକଙ୍କୁ ଭିତରର ବାଟଟିକୁ ଦେଖାଇଦିଏ । ତଦ୍ୱାରା ଆମକୁ ଆମ ଜୀବନର ବହୁ ପ୍ରମାଦରୁ ରକ୍ଷା କରି ରଖେ । ତେଣୁ ସେ ଆମର ପରମବନ୍ଧୁ ହୋଇ ରହିଥାଏ, ଆମ ଲାଗି ଯାବତୀୟ ଶୁଭବାସନାର ଦ୍ୟୋତକ ହୋଇ ରହିଥାଏ ।

୨ ।୧୦ ।୯୦

Image

 

ସାଧୁସନ୍ଥଙ୍କର ମନ୍ଦିରସେବା

 

‘କରସେବା’ ଶବ୍ଦଟି ଗୁରୁ ନାନକଙ୍କ ଦ୍ୱାରା ପ୍ରଚାରିତ ଶିଖଧର୍ମର । ନାନକ ସନ୍ଥ ଥିଲେ, ଅର୍ଥାତ୍ ସିଏ ସଂସାର ଛାଡ଼ିନଥିଲେ । ସଂସାରର ଉତ୍ତୋଳନ ଏବଂ ଅଭ୍ୟୁଦୟ ନିମନ୍ତେ ଅଧ୍ୟାତ୍ମକୁ ଭୂଇଁଯାଏ ନେଇ ଆସିବା ଉଦ୍ଦେଶ୍ୟରେ ସେ ଆପଣା ନୂତନ ମାର୍ଗଟିର ପ୍ରଚାର କରିଥିଲେ । ମାର୍ଗଟି କାଳର ଦାଉରେ କ୍ରମେ ଧର୍ମରେ ପରିଣତ ହେଲା । ସାମୁହିକ ଅଧ୍ୟାତ୍ମକଲ୍ୟାଣଯୁକ୍ତ କୌଣସି ଏକ କାର୍ଯ୍ୟରେ ସମସ୍ତେ ସମବେତ ହେବେ । କୌଣସି ଦୂରତା ରହିବ ନାହିଁ, କେବଳ ସର୍ବୋଚ୍ଚ ପରମ ପ୍ରଭୁଙ୍କୁ ସ୍ୱୀକାର କରି ଆମେ ସମସ୍ତେ ତାଙ୍କରି ଭୃତ୍ୟରୂପେ ଏକତ୍ର ତାଙ୍କରି କୌଣସି କାର୍ଯ୍ୟରେ ସମ୍ମିଳିତ ହେବା, ଏହାରି ନାମ କରସେବା । ତଥାପି ପଞ୍ଜାବରେ ଯେଉଁଦିନୁ ସନ୍ଥ, ଜ୍ଞାନୀ ଓ ଗ୍ରନ୍ଥୀମାନେ ସତେଅବା ଭଗବାନଙ୍କଠାରୁ ଛୁଟୀ ନେଇ ରାଜନୀତିରେ ପଶିଗଲେଣି, ସେହି ଦିନଠାରୁ ସେହି 'କରସେବା’ର ତାତ୍ପର୍ଯ୍ୟ ମଧ୍ୟ ଲୋକବୋଧରେ ବଦଳି ବଦଳି ଯାଉଛି । କୌଣସି ରାଜନୀତିକ ଆକ୍ରୋଶ ସହିତ ବିଶେଷ କୌଣସି ମତଲବ ହାସଲ କରା ଯାଉଥିବା ତଥାକଥିତ ଆନ୍ଦୋଳନମାନଙ୍କରେ ମଧ୍ୟ କରସେବାକୁ ଏକ ଆୟୁଧ ବା କୌଶଳ ପରି ବ୍ୟବହାର କରାଗଲାଣି-। ଭଗବାନ ଏଡ଼େ ଭଦ୍ର ଯେ, ମଣିଷର ସବୁ କଟାଳକୁ ସେ ସହିଯାଆନ୍ତି । ମଣିଷ ଯେତିକିରେ ରହିବାକୁ ଇଚ୍ଛା କରୁଥାଏ, ସେ ତାକୁ ଆପାତତଃ ସେତିକି ଭିତରେ ଅନ୍ତତଃ ତା' ନିଜର ଅବସାଦ ନ ଆସିବା ପର୍ଯ୍ୟନ୍ତ ଏକ ମୁକ୍ତ ବିହରଣର ପ୍ରମତ୍ତ ପ୍ରତୀତି ଭିତରେ ଛାଡ଼ି ଦେଇଥାନ୍ତି । ଭଗବାନ ପ୍ରକୃତରେ ସବୁ ସହି ପାରନ୍ତି, ମଣିଷ ନିଜେ ଚେତି ଘରକୁ ଫେରି ଆସିବାଯାଏ ଅପେକ୍ଷା କରିଥାନ୍ତି-

 

ଅଯୋଧ୍ୟାରେ ଏକ ବିଶେଷ ମନ୍ଦିରର ନିର୍ମାଣ କରାଯିବ ବୋଲି ଭାରତବର୍ଷର ସାଧୁ ଓ ସନ୍ଥମାନେ କରସେବା କରିବେ ବୋଲି ବାହାରିଲେଣି । ନିୟମତଃ ସଂସାରକୁ ମଥା ଓ ମାୟା କହୁଥିବା ବ୍ୟକ୍ତିମାନେ ସଂସାର ଛାଡ଼ିଥାନ୍ତି, ସାଧୁ ଓ ସନ୍ୟାସୀ ହୋଇଥାନ୍ତି । ଭାରତୀୟ ହିନ୍ଦୁ ଧର୍ମରେ ପ୍ରକୃତରେ ସେହି ରୀତିଟି ଉପନିଷଦ ଓ ବେଦର ଅମଳରୁ ଚଳିଆସିଛି । ସଂସାର ତ୍ୟାଗ କରି ଜଙ୍ଗଲ ଓ ଅରଣ୍ୟକୁ ଯିବାକୁ ହୋଇଛି । ଏହି ଅରଣ୍ୟର ଏକ ପରବର୍ତ୍ତୀକାଳୀନ ବିକଳ୍ପରୂପେ ମଠର ଅଭ୍ୟୁଦୟ ଘଟିଛି । ଇଉରୋପୀୟ ମଧ୍ୟଯୁଗର monastery ଓ ଆମ ହିନ୍ଦୁଧର୍ମର ମଠ । ଅଲଗା ହୋଇ ରହିବାର ଉତ୍ସାହରେ ମଠ ହିଁ ସଂସାରଠାରୁ ଅପେକ୍ଷାକୃତ ଅଧିକ ନିକଟବର୍ତ୍ତୀ ହୋଇ ରହିଥିଲେ ମଧ୍ୟ ଅନେକ ଦୃଷ୍ଟିରୁ ଅରଣ୍ୟ ଭଳି କାମ ଦେଇଛି । ଧର୍ମାଚାରର ଏକ ନଅରର କାମ ହେଇଛି । ବିଲଗବାସୀମାନେ ଏହି ନଅରଗୁଡ଼ିକୁ ପୁରାକାଳର ଆଶ୍ରମତୁଲ୍ୟ ମଣି ହୁଏତ କେତେ ସୁଖ ଲାଭ କରିଛନ୍ତି । ଧର୍ମାଚରଣ ଓ ଧର୍ମସାଧନାର ଉତ୍ସାହ ଅପେକ୍ଷା ସଂପ୍ରଦାୟ ଗଢ଼ି ପୃଥକ୍ ହୋଇ ଦିଶିବାରୁ ଉତ୍ସାହ ନାନା କାରଣରୁ ଅଧିକ ହେବା ସଙ୍ଗେ ସଙ୍ଗେ ମଠ ଗୁଡ଼ିକୁ ମଧ୍ୟ କ୍ରମେ ଅଧିକ ମେଦଯୁକ୍ତ ହୋଇଛନ୍ତି, ଭୂମ୍ୟଧିକାରୀ ହୋଇଛନ୍ତି । ଭାରତବର୍ଷରେ ଅସଲ ଆଧ୍ୟାତ୍ମିକ ଦୃଷ୍ଟିଟି କାଳର ପ୍ରକୋପ ଅନୁସାରେ ଅଧିକରୁ ଅଧିକ ହାତଛଡ଼ା ହେଇ ଯାଉଥିବା ସଙ୍ଗେ ସଙ୍ଗେ ମଠ, ଗାଦୀ ଓ ପୀଠମାନଙ୍କର ପ୍ରତିପତ୍ତି ଭାରି ଅଧିକ ହୋଇଛି । କଳି ଯୁଗରେ ମଣିଷ କେବଳ ସାଧୁସେବା କରି ଭବସାଗର ତରିପାରିବ ବୋଲି ଆମ ମଠ ନିର୍ଭର ସାଧୁ ଓ ସନ୍ୟାସୀମାନେ ସାଧାରଣ ମଣିଷଙ୍କୁ ହିତପରାମର୍ଶ ଦେଇ ଆସିଛନ୍ତି ।

 

ଅଧ୍ୟାତ୍ମରେ ମନ୍ଦିର ବଡ଼ ନୁହେଁ, ଉପଲବ୍‌ଧି ହିଁ ବଡ଼ । ଉପାସନା ବଡ଼ ନୁହେଁ, ତପସ୍ୟା ବଡ଼, ଅଭୀପ୍‍ସା ବଡ଼, ଅନୁରାଗ ବଡ଼ । ଅଧ୍ୟାତ୍ମକୁ ଆଗରେ ରଖି ବାଟ ଚାଲୁଥିବା ବ୍ୟକ୍ତି ମନ୍ଦିର, ମସଜିତ କିମ୍ବା ଗୁରୁଦ୍ୱାର ଭିତରେ ମୋ କୌଣସି ଭେଦ ଦେଖିପାରେ ନାହିଁ । ଯିଏ ସଂସ୍କାରଗତ ନାନା କାରଣରୁ ଯେଉଁ ମାର୍ଗରେ ତାଙ୍କୁ ଭଜୁଥାଉ ପଛକେ, ଅନ୍ତର ଭିତରେ ନିଷ୍ଠା ରହିଥିଲେ ସିଏ ଯେ ଅବଶ୍ୟ ତାଙ୍କରି ସାନିଧ୍ୟ ଲାଭ କରିପାରିବ, ହିନ୍ଦୁଧର୍ମ ତାର ଆଲୋକିତତମ ଏକାଧିକ ପର୍ଯ୍ୟାୟରେ ଓ ଆପଣାର ସନ୍ଦୀପିତତମ ପ୍ରତିନିଧିମାନଙ୍କର ମାଧ୍ୟମରେ ଏକଥା ବହୁବାର କହି ଆସିଛି । ମସଜିଦ୍‍ରେ ଯେଉଁ ଉପାସନା ହେଉଛି, ଗୀର୍ଜା ନା ଗୁରୁଦ୍ୱାରରେ ଯେଉଁ ଭଗବତ୍‌ଚର୍ଯ୍ୟା ହେଉଛି, ତାହା ଭଗବାନଙ୍କ ପାଖରେ କଦାପି ପହଞ୍ଚି ପାରିବ ନାହିଁ ବୋଲି ଧର୍ମରେ ରହିଥିବା କୌଣସି ହିନ୍ଦୁ କଦାପି କହି ପାରିବ ନାହିଁ । କେବଳ ଆତ୍ମଘାତୀ ଉତ୍ତେଜିତମାନେ ହିଁ ଏକଥା କହିପାରିବେ । ଧର୍ମ ଭିତରେ ଅଧ୍ୟାତ୍ମ ଯେତିକି ମାତ୍ରାରେ ରହିଛି ମାନସମାଜର ଅଭ୍ୟୁଦୟ ପ୍ରକ୍ରିୟାରେ, ଅନ୍ତରର ଉଦ୍‌ଘାଟନରେ ଏବଂ ବିବେକର ଉନ୍ମୀଳନରେ ତାହା ସେତିକି ପରିମାଣରେ ହିଁ ସହାୟତା କରିଛି । ଭାଗ ଭାଗ କରି ଦେଖାଇ ଦେଉଥିବା ବାହାରର ଏହି ସନ୍ତକଗୁଡ଼ାକ ଆଦୌ ସେହି ସହାୟତା କରି ପାରିନାହାନ୍ତି । ପୁରତନ ବାଇବେଲର ପୈଗମ୍ବରମାନଙ୍କ ଠାରୁ ଆରମ୍ଭ କରି ଆମ ଏହି ଶତାବ୍ଦୀର ଭାରତବର୍ଷରେ ଶ୍ରୀରାମକୃଷ୍ଣ ପରମହଂସଙ୍କ ପର୍ଯ୍ୟନ୍ତ ଆମେ ଏହି ଅସଲ ସତ୍ୟଟିକୁ ସତେଅବା ସବୁ ଯୁଗର ମଣିଷଙ୍କୁ ସାବଧାନ କରାଇ ଦେବାକୁ ଆସିଥିବା ଏକ ଚେତାବନୀରୂପେ ଅବଶ୍ୟ ଶୁଣିବାକୁ ପାଇବା ।

 

ବାଇବେଲର ଯେଉଁ pharisee ମାନେ ଯୀଶୁଖ୍ରୀଷ୍ଟଙ୍କ ସହିତ ବାଦ ଲଗାଇଥିଲେ ଏବଂ ବହୁବିଧ ପାଖଣ୍ଡ ଦ୍ଵାରା ଅଧ୍ୟାତ୍ମକୁ ପୋତି ପକାଇବାକୁ କେତେ ଉଗ୍ରତା ଦେଖାଇଥିଲେ, ଏକ ବିଡ଼ମ୍ବିତ ଶବ୍ଦବିକୃତିର କବଳରେ ପଡ଼ି ଏବେ ସେମାନଙ୍କୁ ହିଁ fundamentalist ବୋଲି କୁହାଯାଉଛି । ମୂଳୋତ୍ପାଟିତମାନଙ୍କର ମୂଳ କେଉଁଠୁ ଆସିଲା ଯେ ସେମାନେ ନିଜକୁ ମୌଳବାଦୀ ବୋଲି କହିବେ ? ଏହି ମୌଳବାଦ ଏବେ ପୃଥିବୀରେ ତଥାକଥିତ ସବୁ ଧର୍ମରେ ଯାଇ ପଶିଲାଣି ଏବଂ ଆପଣାର ମତଲବ ସିଦ୍ଧ କରିବାଲାଗି ସଂତ୍ରାସବାଦୀ ହେବାକୁ ଭଲ ମଧ୍ୟ ପାଇଲାଣି । ବଜାରରୁ ଶିଖି ତାହା ସେହି ଉପାୟରେ ନିଜକୁ ସବୁଠାରୁ ଅଧିକ ପରାକ୍ରମର ଅଧିକାରୀ ବୋଲି ପ୍ରମାଣ କରି ଦେଖାଇ ଦେବାକୁ ବହାରିଲାଣି । ହିନ୍ଦୁ ପରମ୍ପରାରେ ମୌଳବାଦିତାର ସ୍ଥାନ ନାହିଁ । ତଥାପି, ଦୂରାଗ୍ରହିତାର ଧନୁଯାତ୍ରାରେ ଜୟଲାଭ କରିବାର ମନ୍ଦୋତ୍ସାହରେ ଏବେ ହିନ୍ଦୁଧର୍ମରେ ମଧ୍ୟ ତଥାକଥିତ ମୌଳିବାଦୀ ବାହାରିଲେଣି, ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଜିତିବା ପାଇଁ ସେମାନେ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଅନୁକରଣ କରିବାକୁ ହିଁ ମାର୍ଗ ବୋଲି ଗ୍ରହଣ କରିବାକୁ ବିଚାରିଲେଣି । ଭାରତରେ ଏବଂ ଭାରତ ବାହାରେ ଉଗ୍ରବାଦୀ ଓ ମୌଳବାଦୀମାନଙ୍କର ବିସ୍ମୟକାରୀ ତାତ୍କାଳିକ ତତ୍ପରତା ଦେଖି କେତେକ ହିନ୍ଦୁ ସଂସାରୀ ମଧ୍ୟ ପ୍ରାୟ ଏକ ସଦୃଶ ପୁଲକରେ ସ୍ୱୟଂ ସେହିପରି ହେବାକୁ ନୂଆ ଆଖଡ଼ାରେ ନୂଆ କୁସ୍ତିକସରତ ଶିଖିଲେଣି । ଭାରତୀୟ ରାଜନୀତି ଯେତେବେଳେ ପ୍ରଧାନତଃ ଆଖଡ଼ାଗୁଡ଼ାକର ସୁଆଙ୍ଗରେ ପରିଣତ ହେବାରେ ଲାଗିଛି, ସେତେବେଳେ ସେମାନେ ନିଜର ଆଖଡ଼ାଟିଏ ଗଢ଼ିବେ ନାହିଁ କାହିଁକି ? ସେମାନେ ଅଲବତ ଆଖଡ଼ା ଗଢ଼ିବେ । ଅଲବତ ମନ୍ଦିର ଗଢ଼ିବେ ବୋଲି ଆଖଡ଼ା ଘରୁ ବାଜା ବଜାଇ ଶଙ୍ଖନାଦ କରି ଧନୁତୀର ଧରି ବାହାରିବେ । ଦେଶଯାକରୁ ସମଧର୍ମୀମାନଙ୍କୁ ବରଗି ଆଣି ସେମାନେ ଏକ ନିର୍ଦ୍ଦିଷ୍ଟ ଜାଗାରେ ମନ୍ଦିର ଗଢ଼ିବେ । ଠିକ୍ ସେହିଠାରେ ମନ୍ଦିଟିଏ ଗଢ଼ା ନହେଲେ ସେମାନଙ୍କର ଭଗବାନ ସତେ ଯେପରି ଅପୂଜା ରହିଯିବେ । ସେହି ଘୋର ସଙ୍କଟରୁ ରକ୍ଷା ପାଇବା ସକାଶେ ହିଁ ଏହି କରସେବାର ଡାକରା ।

 

ଏବଂ ସଂସାରୀମାନଙ୍କ ସହିତ ଆମ ସାଧୁସନ୍ଥମାନେ ମଧ୍ୟ କରସେବାରେ ସାମିଲ ହେବାକୁ ବାହାରିଲେଣି । ଭାରତର ଇତିହାସରେ ବିଶେଷତଃ ହିନ୍ଦୁଧର୍ମର ଇତିହାସରେ ଏହା ହେଉଛି ଏକ ପ୍ରଥମ ଘଟଣା । ଆମ ସାଧୁ ଏବଂ ସନ୍ଥମାନେ ଯେ ସେମାନଙ୍କର ପୂର୍ବସୂରୀମାନଙ୍କ ପରି ଆଦୌ ଏତେ ରକ୍ଷଣଶୀଳ ନୁହନ୍ତି, ଏମାନେ ସେହି ପରିବର୍ତ୍ତିତ ସ୍ମୃତିଟିର ପ୍ରମାଣ ଦେବେ । ସନ୍ନ୍ୟାସୀ ସଂସାରୀର ନିକଟବର୍ତ୍ତୀ ହୋଇ ଆସିବା, ଏହା ଏକ ଅତ୍ୟନ୍ତ ଶୁଭ ଲକ୍ଷଣ । ମାତ୍ର, ସନ୍ନ୍ୟାସୀର ଚେତନା ନେଇ ହିଁ ସନ୍ନ୍ୟାସୀ ସଂସାର ପାଖକୁ ଅସିବ । ସସାଂରୀର ଉଗ୍ରତା ନାମକ ପଙ୍କପୋଖରୀରେ ମତ୍ତମାନଙ୍କ ସହିତ ମତ୍ତ ହୋଇ ପହଁରିବାକୁ କଦାପି ଆସିବ ନାହିଁ । ମତ୍ତମାନେ ଯୁଯୁତ୍ସୂ ହୋଇ ପରସ୍ପରକୁ ତୋଡ଼ ଦେଖାଇ ଅସୁର ପରି ପରସ୍ପର ଆଡ଼କୁ ମାଡ଼ି ଆସୁଥିବା ସମୟରେ ସିଏ ଉଭୟଙ୍କର ମଝିରେ ଯାଇ ଠିଆହେବ । ଦ୍ୱେଷ ଓ ଅସୂୟାର, ସ୍ଵାର୍ଥ ଓ କ୍ରୋଧର ସମରଭୂମିରେ ମଧ୍ୟ ସିଏ ଭଗବାନଙ୍କର ପ୍ରତିନିଧି ରୂପେ ଛିଡ଼ା ହେବ । ଦୁଇପଟୁ ଉତ୍ତେଜିତ ଖଡ଼୍‌ଗଗୁଡ଼ାକ ନିଜ ନିଜର ଜୟଜୟକାର କରୁଥିଲେ ମଧ୍ୟ ସନ୍ୟାସୀ ଭଗବାନଙ୍କର ଜୟଧ୍ୱନି କରି ନିଃଶଙ୍କ ଚିତ୍ତରେ ହାତ ଉପରକୁ ଟେକି ଛିଡ଼ା ହେବ । ମନ୍ଦିର ଭିତରେ ମସଜିଦକୁ ଦେଖିବ ଏବଂ ମସଜିଦ ଭିତରେ ମନ୍ଦିରକୁ ଦେଖିବ । କାରଣ ଉଭୟ ସ୍ଥାନରେ ସେ କେବଳ ଭଗବାନଙ୍କୁ ହିଁ ଦେଖିବ ।

 

ଭାରତବର୍ଷର ସାଧୁସନ୍ଥମାନଙ୍କ ଲାଗି ଏହା ଏକ ବିଶେଷ ଆହ୍ୱାନର ବେଳ । ଏକ ଅତ୍ୟନ୍ତ ସଙ୍କଟର ସମୟରେ ଆହ୍ୱାନର ଯଥାର୍ଥ ଜବାବଟିଏ ଦେଇପାରିଲେ ଭାରତବର୍ଷରେ ଏକ ନୂତନ ଯୁଗାରମ୍ଭ ଦିଗରେ ବାଟ ଖୋଲିଯିବ । ଭାରତବର୍ଷରେ କାଳେ କାଳେ ଯାବତୀୟ ସଙ୍କଟର ସର୍ବଶ୍ରେଷ୍ଠ ସମାଧାନ ଏହି ସନ୍ଥମାନେ ହିଁ ଦେଇଛନ୍ତି, ସନ୍ନ୍ୟାସୀମାନେ ହିଁ ଦେଇଛନ୍ତି । ଭାରତୀୟ ରାଜନୀତିକୁ ଅନ୍ତର ଭିତରେ ଅଧ୍ୟାତ୍ମ ଓ ସନ୍ନ୍ୟାସକୁ ଜୀବନର ଉଚ୍ଚତମ ଶେୟଃରୂପେ ଗ୍ରହଣ କରିଥିବା ଜଣେ ସନ୍ନ୍ୟାସୀ ମହାନ୍ ଆତ୍ମା ହିଁ ସଫଳତମ ନେତୃତ୍ୱ ଦେଇଛି । ଭାରତବର୍ଷ ବର୍ତ୍ତମାନ ସେହିପରି ଏକ ପୁନରାଗମନର ଅପେକ୍ଷା କରିଛି । ଭାରତବର୍ଷର ସନ୍ନ୍ୟାସୀ ସେହି ଆହ୍ୱାନର ଜବାବ ଦେଉ ।

୯ । ୧୦ । ୯୦

Image

 

ସମନ୍ୱୟ ଦୁଇ ପାହାଚର

 

ଗୋଟିଏ ଜାଗାରେ ହରି, ଆଉ ଗୋଟାଏ ଜାଗାରେ ହର–ଦୁଇ ଜାଗାରେ ଦୁହିଁଙ୍କର ପୂଜା, ଶାସ୍ତ୍ରର ଦୁଇ ବିଧାନ ଅନୁସାରେ ପୂଜା । ଯଦି କେହି ଦୁହିଁଙ୍କୁ ମିଶାଇ ହରିହର ନାମକ ଏକ ଯୁକ୍ତ କଳ୍ପନାର ଠାବ କରି ପାରିଲା, ସେଥିରୁ ନୂଆ ମୂର୍ତ୍ତିଟିର ଭିଆଣ କରି ପାରିଲା ଓ ଏକ ନୂଆ ମନ୍ତ୍ରମାଳାରେ ସେହି ମୂର୍ତ୍ତିର ପୂଜା ଲାଗି ନୂଆ ସଂସ୍କାରଟିଏ ପ୍ରବର୍ତ୍ତନ କରିଦେଇ ପାରିଲା, ତାହାକୁ ଆମେ ସମନ୍ୱୟ ବୋଲି କହିବା କି ? ଓଡ଼ିଶାରେ ଅନନ୍ତ ବାସୁଦେବ ଅଛନ୍ତି, ମହାବିନାୟକ ପାହାଡ଼ ଉପରେ କେହି ପାଞ୍ଚଟିଯାକ ଦେବତାଙ୍କୁ ନେଇ ଏକାଠି ବସାଇ ଦେଇଛି । ଆମ ଗାଆଁକୁ ଯିବା ବାଟରେ ଅଷ୍ଟଶମ୍ଭୁଙ୍କ ମନ୍ଦିର ରହିଛି । ସେହିପରି ଭାରତବର୍ଷର କେତେ ଦେଉଳରେ ସାତସାତ ପ୍ରକାରର ଗଣେଶ କିମ୍ବା ଓ ଆଠ ଦଶ ପ୍ରକାରର ନୃସିଂହଙ୍କୁ ଏକାଠି ବସାଇ ଦିଆଯାଇଛି-। ଦେବୀପୂଜାର ପର୍ଯ୍ୟାୟରେ ଦେବୀ-ଆରାଧକମାନଙ୍କ ଦ୍ଵାରା ଆରୋପିତ କରାଯାଇଥିବା ମାତୃକାମାନଙ୍କ ମଧ୍ୟରୁ ସାତ ଜଣଙ୍କୁ ନିର୍ବାଚିତ କରି, ସେମାନଙ୍କର ମୂର୍ତ୍ତି ନିର୍ମାଣ କରାଇ ଯଦି ତୁମେ ସେମାନଙ୍କୁ ଗୋଟିଏ ଧାଡ଼ିରେ ନେଇ ବସାଇ ଦେବ ଓ ସେମାନଙ୍କୁ ସପ୍ତମାତୃକା ବୋଲି କହି ଏକ ବିଶେଷ ପୂଜାଭିସାରର ପ୍ରଚଳନ କରାଇ ଦେବ, ତେବେ ତାହାକୁ ଏକ ସମନ୍ୱୟ ବୋଲି କୁହାଯାଇ ପାରିବ କି ? ଏତେ ଯୋଡ଼ାଯୋଡ଼ି ଏବଂ ଏତେ ଗଅଁଠା ଗଅଁଠି ସତ୍ତ୍ୱେ ଭାରତବର୍ଷରେ ପୌତ୍ତଳିକତା ତଥାପି ବଢ଼ିଛି, ଅତ୍ୟନ୍ତ କଳାତ୍ମକ ଭାବରେ ବହୁରଞ୍ଜିତ ହୋଇଛି । ଯାହା ପୌତ୍ତଳିକତାର ବୃଦ୍ଧିରେ ସାହାଯ୍ୟ କରେ, ଆମେ ତାହାକୁ ଆଦୌ ଏକ ସମନ୍ୱୟ ବୋଲି କହିପାରିବା କି ?

 

ଜଗନ୍ନାଥ ସର୍ବପ୍ରଥମେ କ'ଣ ଥିଲେ, ସେକଆ କେହି କହି ପାରିବେ ନାହିଁ । ମାତ୍ର, ବହୁ ପ୍ରାଚୀନ କାଳରୁ ପୀଠଟିଏ ରହିଥିଲା । ପୀଠକୁ ଧର୍ମପ୍ରଚାରକମାନେ ଆସିଥିଲେ, ଆପଣାର ମାର୍ଗକୁ ସର୍ବସାର ମାର୍ଗ ବୋଲି ପ୍ରମାଣ କରି ବାହାରିଥିବା ଦିଗ୍‍ବିଜୟୀମାନେ ଆସିଲେ । ସେମାନେ କେହି ଜଗନ୍ନାଥଙ୍କୁ ନିଜର ଇଷ୍ଟଦେବ ବୋଲି ସ୍ୱୀକାର କରି ନଥିଲେ, ମାତ୍ର ଜଗନ୍ନାଥଙ୍କ ମନ୍ଦିରରେ ନିଜ ମାର୍ଗର କେତେକ ବିଧି ଓ ଉପଚାରକୁ ଆଣି ଯୋଡ଼ି ଦେଇଥିଲେ । ରାଜା ଓ ପଣ୍ଡାଙ୍କର ସ୍ୱୀକୃତି ପାଇଲେ ସେକାଳେ ଏହି ଯୋଡ଼ିବା ଆଦୌ ଆୟାସସାଧ୍ୟ ନଥିଲା । ଜଗନ୍ନାଥ ମନ୍ଦିର ଭିତରକୁ କ୍ରମଶଃ ଯୋଡ଼ାହୋଇ ଆହୁରି କେତେ ଦେବତା ଆସି ପ୍ରବେଶ କଲେ ଓ ଜଗନ୍ନାଥଙ୍କ ବିରାଦର ବଢ଼ାଇଲେ । ସକଳ ଦେବତାମୂର୍ତ୍ତି ମଧ୍ୟରେ ନିଜ ଇଷ୍ଟଦେବଙ୍କୁ ହିଁ ଦେଖିବା,–ଏହା ଯେ ଏକ ସଂକୀର୍ଣ୍ଣତା ହୋଇପାରେ, ସେହି କଥାଟିକୁ କେହି ଅସ୍ୱୀକାର କରି ପାରିବେ ନାହିଁ । ଶ୍ରୀ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ଦେଖୁ ଦେଖୁ କୁଆଡ଼େ ତାଙ୍କର ଆରାଧ୍ୟ କୃଷ୍ଣକୁ ଦେଖିଲେ ବୋଲି ବିହ୍ୱଳ ହୋଇ ଯାଇଥିଲେ । ତାଙ୍କର ସାମସାମୟିକ ଭାବରେ ସେହି ପୁରୁଷୋତ୍ତମ କ୍ଷେତ୍ରରେ ଯେତେବେଳେ ଏପରି ବୈଷ୍ଣବ ମଧ୍ୟ ରହିଥିଲେ, ଯେଉଁମାନେ କି ଜଗନ୍ନାଥଙ୍କୁ ପୂରା ଷୋଳକଳା ବୋଲି ମାନୁଥିଲେ ଏବଂ ନନ୍ଦବଳା କୃଷ୍ଣଙ୍କୁ ତାହାର ମାତ୍ର ଏକ ଷୋଡ଼ଶାଂଶ ବୋଲି କହୁଥିଲେ । ଚୈତନ୍ୟଙ୍କର କେତେ ଅନୁଗାମୀ ତ ଆହୁରି ପାଦେ ଆଗକୁ ଯାଇ ସ୍ୱୟଂ ଚୈତନ୍ୟକୁ ହିଁ ଜଗନ୍ନାଥ ବୋଲି କହିଲେ । ଜଗନ୍ନାଥଙ୍କୁ ଦାରୁବ୍ରହ୍ମ ବୋଲି କୁହାଯାଉଥିବା ସମୟରେ ସେମାନେ ଶ୍ରୀଚୈତନ୍ୟଙ୍କୁ ପରମ ଆନନ୍ଦାତୁର ଭାବରେ ନରବ୍ରହ୍ମ ବୋଲି ଘୋଷଣା କରି ମର୍ତ୍ତ୍ୟର ତରାଜୁରେ କେଡ଼େ ବାଗରେ ଜଣକୁ ଉଣେଇଶି ଓ ଆରଜଣକୁ ବିଶି ବୋଲି କହିବାର ଆଗ୍ରହ ଦେଖାଇଥିଲେ । ଏସବୁ ଦ୍ଵାରା ସମନ୍ୱୟ ଆଦୌ ବୃଦ୍ଧି ପାଇନାହିଁ, ଧର୍ମାଦର ବି ବଢ଼ିନାହିଁ, ସାମ୍ପ୍ରଦାୟିକତା ହିଁ ବଢ଼ିଛି । ଦୂରତା ବଢ଼ିଛି, ତେଣୁ ମୂଳତଃ ଦ୍ୱେଷମାନେ ହିଁ ଭାରି ଆଖିଦୃଶିଆ ହୋଇ ମନ୍ଦିର, ମନ୍ତ୍ର, ଉପାସନା ଓ ଉପବୀତର ବିଭିନ୍ନତାରେ କ୍ରମେ ଅଧିକରୁ ଅଧିକ ଚଣ୍ଡ ହୋଇ ଉଠିଛନ୍ତି ।

 

ଏବେ ଆମ ଗଳି ଓ ବଜାରମାନଙ୍କରେ ଜନରଞ୍ଜନ କରିବା ଉଦ୍ଦେଶ୍ୟରେ ଯେଉଁସବୁ ତଥାକଥିତ ଜଗନ୍ନାଥ ଭଜନ ବିକା ହେଉଛି ଓ ବାଜୁଛି, ସେଥିରେ ଜଗନ୍ନାଥଙ୍କ ଭିତରେ ନନ୍ଦବଳାଙ୍କୁ ବାଉଳା କରି ଦିଆଯାଉଛି ଓ ନନ୍ଦବଳାଙ୍କ ଭିତରେ ଜଗନ୍ନାଥଙ୍କୁ ମଧ୍ୟ ବାଉଳା କରିଦିଆ ଯାଉଛି । ଗୋପପୁରୁ ଗଉଡ଼ପୁଅ ଯେତେବେଳେ ଦଧିଭାର ନେଇ ସିଂହଦ୍ୱାରରେ କବାଟ ଖଡ଼ଖଡ଼ କରି ପଣ୍ଡାପଢ଼ିହାରୀମାନଙ୍କୁ ଡାକୁଛି, ଯିଏ କାଳିଆ ସେଇ କଦମ୍ୱମୂଳିଆ ବୋଲି ଯେତେବେଳେ କେଡ଼େ ଠାଣିରେ ଗାନ କରାଯାଉଛି. ଯେତେବେଳେ ସେକାଳର ମଥୁରାରୁ କଦମ୍ୱଡାଳ ଗୁଡ଼ାକ ସତେଅବା ଆମ ଏକାଳର ପୁରୀ ଦେଉଳ ଉପରେ ମେଘ ହୋଇ ଅଜାଡ଼ି ହୋଇ ପରିଲା ପରି ମନେ ହେଉଛି ତାହା ଅନେକଙ୍କୁ ଏକ ସହଜ ଉଲ୍ଲାସ ଆଣିଦେଉଛି, ମାତ୍ର ଏହାକୁ ମଧ୍ୟ ସମନ୍ୱୟ ବୋଲି କୁହାଯିବ କି ? ସମନ୍ୱୟକୁ ଯଦି ଆମେ ଏକ ତପସ୍ୟାଲବ୍‌ଧ ଦୃଷ୍ଟି ଓ ଉପଲବଧି ବୋଲି ଅନୁଭବ କରିଥିବା, ତେବେ ଏହା ଆମକୁ କଦାପି ଖୁବ୍ ବେଶି ଖୁସୀ କରାଇ ପାରିବ ନାହିଁ ।

 

ଆମ ଭଜନଗୁଡ଼ିକ ଏବେ ଲୋକସଂଗୀତ ପରି କେଡ଼େ ମନମତାଣିଆ ହୋଇ ଲେଖା ହେଲାଣି । ଯାହା ସାଧନାଦ୍ୱାରା ଲବ୍‌ଧ, ନିଜ ଭିତରେ ଏକ ସ୍ୱେଚ୍ଛାକୃତ ପାହାଚ ଉଠିବା ତଥା ନିଜ ବାହାରେ ଏକ ସ୍ୱେଚ୍ଛାକୃତ ସଂପ୍ରସାରିତ ହୋଇଯିବା ଦ୍ୱାରା ଯାହା ସମ୍ଭବ, ଭଗବାନଙ୍କ ସହିତ ବହୁ ସାଂସାରିକ ସମ୍ବନ୍ଧ ଯୋଡ଼ି ଦେଇ ଭଜନଗୁଡ଼ିକର ଏହି ଲୋକାଚାରୀ ପ୍ରବୃତ୍ତିଗୁଡ଼ିକ ତାଙ୍କୁ ସହଜପ୍ରାପ୍ୟ କରି ଦେବାକୁ ଯୁଗେ ଯୁଗେ ଭାରି ଚେଷ୍ଟା କରି ଆସିଛି । ଏହି ପ୍ରୟାସଟି ଦ୍ୱାରା ସାହିତ୍ୟ ବଢ଼ିଛି, ସାହିତ୍ୟ ଭିତରର ମଞ୍ଜୁଳତାକୁ ସତେଅବା ଦେହର ଚମ ଉପରେ ବି ଅନୁଭବ କରି ପାରିଲାଭଳି ଲାଗିଛି; ମାତ୍ର ହୁଏତ କେବଳ ସେତିକି ବ୍ୟତୀତ ଅଧିକ ଚିହ୍ନି ହୋଇପାରି ନାହିଁ । ଭଗବାନଙ୍କୁ କାଳିଆ ସାଆନ୍ତ ବୋଲି ଡାଳିବା ମାତ୍ରକେ ଜୀବନରେ କେବେ ହଳିଆ ହୋଇନଥିବା ଜଣେ ବ୍ୟକ୍ତିର କର୍ଣ୍ଣ ଓ କଣ୍ଠ ନିଶ୍ଚୟ ଏକ ଅଭାବନୀୟ ପୁଲକରେ କ'ଣ ହୋଇ ଉଠିଥିବ, ମାତ୍ର ହୁଏତ କେବଳ ସେତିକି ବ୍ୟତୀତ ଆଉ ଅଧିକ କିଛି ହେଉନଥିବ । ଅସଲ ଗ୍ରହଣଶୀଳତାର ହୃଦୟଗୁଡ଼ିକୁ ତାହା ହୁଏତ ଏକ ମିଛ ପ୍ରବୋଧନା ଦେଇ ଅନୁଦ୍‌ଘାଟିତ କରି ରଖିଥିବ, ସତେ ଅବା ଅସଲ ବ୍ୟାକୁଳତାଗୁଡ଼ିକରୁ ଆମକୁ ଭୁଲାଇ ବା ଭଣ୍ଡାଇ ରଖିବାକୁ ତାହା ଏକ କ୍ଷଣସ୍ଥାୟୀ ଶମକ ବା ଉତ୍ତଜକ ରୂପେ କାର୍ଯ୍ୟ କରୁଥିବ । ଏକାଳରେ ଯେ ଆମେ ଏହିସବୁ ଭଜନକୁ ଓ ପୁଲକକୁ ମନ କରୁଚୁ, ସମ୍ଭବତଃ ସେଥିରୁ ସଙ୍କେତ ମିଳିବ ଯେ, ଆମେ ପ୍ରକୃତରେ ଅସଲ ଆହ୍ୱାନଗୁଡ଼ିକୁ ଓ ଅସଇ ଆମନ୍ତ୍ରଣଗୁଡିକ ମୋଟେ ମନ କରୁନାହୁଁ ।

 

ଭଗବତ୍‌ସାନ୍ନିଧ୍ୟର ଆହ୍ନାନକୁ ଯଥାସାଧ୍ୟ ରକ୍ତମାଂସ ଓ କାମବ୍ୟଞ୍ଜନା ଯୋଗାଇଦେଇ ତାହାକୁ ସତେଅବା ଏକାବେଳକେ ଆମର ହାତ ପାଆନ୍ତାକୁ ନେଇ ଆସିବାକୁ ଏକ ରାଜସିକ ପ୍ରୟାସ ଓଡ଼ିଆ ମଧ୍ୟଯୁଗର ରୀତିକାବ୍ୟ ଅମଳରେ ହୋଇଥିଲା । ରାମ ଓ କୃଷ୍ଣଙ୍କୁ ଆମରି ଭଳିଆ ଗୋଟିଏ ଗୋଟିଏ କୋପନଯୁକ୍ତ ନାୟକରୂପେ ଅବତୀର୍ଣ୍ଣ କରାଇ ଅଣାଗଲା । ମଣିଷର ବହୁ କାମସକ୍ତତାର ପ୍ରୟୋଜନ ପୂରଣ ଲାଗି କୃଷ୍ଣକଳ୍ପାନାଟିକୁ କେଡ଼େ କଲବଲ କରା ଯାଇଥିଲା । କାବ୍ୟଗାରିମାର କୋପନମାନେ ସତେଅବା ମଠାଶାଢ଼ୀ ପିନ୍ଧି ମନ୍ଦିରକୁ ଯାଉଥିବା ପରି ଚେତନାର ଆସ୍ଫୃହାଗୁଡ଼ିକୁ ଗୋଟାସୁଦ୍ଧା ଗିଳି ପକାଇବାକୁ ବାହାରିଲେ । ରାଜାମାନଙ୍କର ଦରବାରକୁ ଏସବୁ ଭାରି ସୁହାଇଲା ସେଥିଲାଗି କବିମାନଙ୍କୁ ଜାଲ ପକାଇ ଦେଇ କବିସମ୍ରାଟ ବା କବିସୂର୍ଯ୍ୟ ବୋଲି କୁହାଗଲା । ଭାବପ୍ରବଣତାମାନେ ଭାବକୁ ଆସି ଗିଳି ପକାଇଲେ । ପ୍ରୀତିମାନେ ଅଳଙ୍କାରର ପାହୁଡ଼ ଓ ନୂପୁର ଲଗାଇ କେତେ ଫୁଲି କେତେ କ'ଣ ଦିଶିଲେ । ମାତ୍ର ପ୍ରୀତିର ଅସଲ ଅନ୍ତରଗୁଡ଼ିକୁ ଛାଡ଼ିଗଲେ । ରୀତି ଗୁଡ଼ାକ ଏବେ ମଧ୍ୟ ପ୍ରୀତି ଉପରେ ଗୋଡ଼ହାତ ଲମ୍ବାଇ କରି ବସିଛି, ସମ୍ପ୍ରଦାୟମାନେ ଜିଜ୍ଞାସା ଉପରେ ଗୋଡ଼ହାତ ଲମ୍ବାଇ ବସିଛନ୍ତି । ମୂର୍ତ୍ତିମାନେ ସତ୍ୟଗୁଡ଼ିକୁ ଆଚ୍ଛାଦିତ କରି ରଖିଛନ୍ତି । ତାଙ୍କୁ ସେଠୁ ଧରିଆଣି ଆମରି ପରି ଏଠି ମହଳ କରି ରଖିବା, ଆମେ ସହଜରେ ବୁଝି ପାରିବୁ ବୋଲି ତାଙ୍କୁ ଆମରି ଛାଞ୍ଚ ଏବଂ ଆମରି ଗାତଗୁଡ଼ାକ ଭିତରେ ଖୁଣ୍ଟଗୁଡ଼ାକରେ ବାନ୍ଧି ରଖିବା, ଏସବୁ ବିଭିନ୍ନ ଧର୍ମରେ, ବିଭିନ୍ନ ସଂସ୍କୃତିରେ ଓ ବିଭିନ୍ନ ସାହିତ୍ୟରେ ହୋଇଆସିଛି ସତ, ମାତ୍ର ଏଗୁଡ଼ିକ ଦ୍ଵାରା ଏକାତ୍ମତାଗୁଡ଼ିକୁ ଭାରି ଫାଙ୍କି ଦିଆଯାଇଛି । ଆଧ୍ୟାତ୍ମିକତାକୁ ଆମ ଜୀବନରୁ ସତେଅବା ଏକାନ୍ତ ନିଷିଦ୍ଧ କରି ରଖାଯାଇଛି ।

 

ଅସଲ ଖିଅଟି ଯୋଡ଼ାହୁଏ ଯେତେବେଳେ ପୃଥିବୀ ଆକାଶ ଭିତରକୁ ସମ୍ପ୍ରସାରିତ ହୋଇଯାଏ ଓ ଆକାଶର ଭିତରକୁ ସମ୍ପ୍ରସାରିତ ବ୍ୟାପି ଦ୍ୱାରା ଧନ୍ୟ ହୁଏ । ଭୂମାକୁ ଅଳପ କରି ଦେଖାଇବା ଦ୍ଵାରା ବହୁବିଧ ବ୍ୟଭିଚାର ହିଁ ସାର ହୁଏ । ଭୂମା ସିନା ଅଳପକୁ ଟାଣନ୍ତି, ମାତ୍ର ଯେତେବେଳେ ଅଳପମାନେ ସ୍ଵାଧିକାର ପ୍ରମତ୍ତ ହୋଇ ଫାଶ ପକାଇ ଭୂମାକୁ ବାନ୍ଧିଆଣି ସତେଅବା ଆପଣାର ଏକ ଜମିଦାରୀ ବୋଲି ଘୋଷଣା କରନ୍ତି, ସେତିକିବେଳେ ପୃଥିବୀ ଉପରକୁ, ଯୁଗ ଉପରକୁ ଓ ଜୀବନ ଉପରକୁ ପ୍ରମାଦ ଆସେ । ଖାଲି ହିନ୍ଦୁଟିଏ ତାର ସକଳ ହିନ୍ଦୁତ୍ୱକୁ ଭୂମିରୂପେ ବ୍ୟବହାର କରି ଏକ ସ୍ୱେଚ୍ଛାକୃତ ହୃଦ୍‌ ବିସ୍ତାର ଦ୍ଵାରା ଯେତେବେଳେ ହିନ୍ଦୁତ୍ୱରୁ ଆହୁରି ଉପରକୁ ଉଠିଯାଏ, ଅର୍ଥାତ୍ ତଥାକଥିତ କେବଳ ହିନ୍ଦୁତ୍ୱର ଏହି ପୁରୁଣା ତମିସ୍ରତାଗୁଡ଼ିକୁ ଭାଙ୍ଗିଦିଏ, ସେତିକିବେଳେ ଯାଇ ଅସଲ ସମନ୍ୱୟ ସମ୍ଭବ ହୁଏ । ହିନ୍ଦୁତ୍ୱଟା ମଧ୍ୟ ଯଥାର୍ଥରେ ସେତିକିବେଳେ ଯାଇ ଧନ୍ୟ ହୁଏ । ସିଡ଼ିଟା ଯଦି ଆମକୁ ଛାତ ଉପରକୁ ଉଠିଯିବା ଲାଗି ବାଟ ଦେଖାଇ ନପାରିଲା, ତେବେ ସେହି ସିଡ଼ିରେ ଆଉ କେଉଁ ସାର୍ଥକତା ରହିଛି ? ଆମ ଧର୍ମମାନେ, ଆମ ମନ୍ଦିର ଓ ମସଜିଦ୍‍ମାନେ ଯଦି ଆମକୁ ଏଗୁଡ଼ିକର ଫାଶ ଭିତରୁ ଆହୁରି ଉପରକୁ କାମନା ଓ କୋପନଗୁଡ଼ିକ ଭିତରୁ ଚେତନା ମଧ୍ୟକୁ ବାଟ ଦେଖାଇ ନ ପାରିଲେ, ତେବେ ଏଗୁଡ଼ିକରେ ଆଉ କି କାରଣ ରହିଛି-? ଏବେ ଆହୁରି ଆଗକୁ ଓ ଆହୁରି ଗଭୀରକୁ ଦେଖି ପାରୁଥିବା ବ୍ୟକ୍ତି ଓ ଅନୁରାଗୀମାନେ God above god, culture beyond culture ଓ Self beyond Self କଥା କହିଲେଣି । ଏହି ଅନ୍ୟ ମେଦିନାଦୃଷ୍ଟିର ପରିପ୍ରେକ୍ଷୀରେ ହିଁ ମେ ଯାବତୀୟ ସମନ୍ୱୟର ଯଥାର୍ଥ ବିଚାର କରିପାରିବା ।

୧୬ । ୧୦ । ୯୦

Image

 

Unknown

ଶୋଚନାର ଯୋଗ୍ୟ ଶୋଚନୀୟ

 

ଆନନ୍ଦ ଦୁଇ ପ୍ରକାରର ଗୋଟିଏ ଭୋଗ କରିବାର ଆନନ୍ଦ, ଆଉ ଗୋଟିଏ ପ୍ରସାରିତ ହୋଇଯିବାର ଆନନ୍ଦ । ଯେତେବେଳେ ସଂସାରରେ ଜଣେ ଜଣେ ମଣିଷଙ୍କୁ ଅଥବା ସମାଜର ଗୋଟାଏ ଶ୍ରେଣୀକୁ ସତେଅବା ସବୁକିଛି ପଣ୍ୟ ପରି ଦେଖାଯାଏ, ଜୀଅନ୍ତା ମଣିଷ ସମେତ ଆପଣାର ଭାଗ୍ୟଟା ମଧ୍ୟ ଗୋଟାଏ ପଣ୍ୟ ପରି ଦେଖାଯାଏ, ସେତେବେଳେ । ଜୀବନଟାକୁ ଶୂକରବତ୍ ଭୋଗ କରିବାକୁ ହିଁ ଜୀବନର ଚରମ ପ୍ରାପ୍ତି ଓ ଯଶଃ ବୋଲି କୁହାଯାଏ । ପ୍ରଧାନତଃ କ୍ଷମତାର ମଣିଷମାନେ ହିଁ ପ୍ରମତ୍ତ ପରି ମନ୍ଥିପକାନ୍ତି । ବର୍ବର ପରି ଭୁଞ୍ଜିବାକୁ ଧାଆନ୍ତି । ସେମାନେ ଯେତେ ଯାହା ଅଳଙ୍କାର ଦେଇ ସାହିତ୍ୟନାମକ ଗଣିକାକୁ ସଜାଇବାରେ ଲାଗିଥିଲେ ମଧ୍ୟ ପ୍ରଧାନତଃ ବିଟଙ୍କ ପରି ଗୋଟିଏ ସମାଜକୁ ଅତ୍ୟନ୍ତ ବର୍ବର ଭାବରେ ଜୁର କରିବାକୁ ବାହାରି ଥାଆନ୍ତି । ସାହିତ୍ୟର ଯାବତୀୟ ସାଧନ ଓ ପ୍ରସାଧନ ଯାଇ ଧନର ଖଟୁଲିରେ ବନ୍ଧା ହୋଇଥାଏ, ତୁଚ୍ଛା ଏକ ଅଭିନୟରେ ପରିଣତ ହୋଇ ରହିଥାଏ । ଅନ୍ୟ ପ୍ରକାରର ସାହିତ୍ୟ ହେଉଛି ହୃଦ୍‌ ବିସ୍ତାରର ସାହିତ୍ୟ, ତତ୍ତ୍ୱବିତ୍ ବିଶ୍ୱନାଥ ମହାପାତ୍ରଙ୍କର ଭାଷାରେ ଚିଦ୍‌ବିସ୍ତାରର ସାହିତ୍ୟ । ଅବଶ୍ୟ ଏକଥା ସତ ଯେ ବିଶ୍ଵନାଥ ସେତେବେଳେ ତାଙ୍କ ସମୟରେ ଯେତିକି ଅର୍ଥପରିସର ଦେଇ ଶବ୍ଦଟିକୁ ବ୍ୟବହାର କରିଥିଲେ, ବର୍ତ୍ତମାନ ପୃଥିବୀର ପରିପ୍ରେକ୍ଷୀରେ ଆମେ କଦାପି ସେତିକିରେ ରହି ପାରିବା ନାହିଁ । ସେତେବେଳର କବି ବା ପୃଥିବୀ ମଧ୍ୟରେ ବର୍ତ୍ତମାନର ବ୍ୟାପ୍ତି କଦାପି ସମ୍ଭବ ହୋଇନଥାନ୍ତା । ସେତେବେଳେ ଭୂମାକୁ ଅନ୍ତରେନ୍ଦ୍ରିୟ ଦ୍ଵାରା ଆଘ୍ରାଣ କରି ହେଉଥିଲା, ହୁଏତ ଏକ ମୂର୍ଚ୍ଛନାମୟ ଉଲ୍ଲାସରୂପେ ସିଦ୍ଧାନ୍ତାକାରରେ ଅନୁଭବ କରି ହେଉଥିଲା । ମାତ୍ର, ଚାରିପାଖରେ ଅନ୍ନଠାରୁ ଆନନ୍ଦ ଯାଏ ସତକୁ ସତ ଏକ ସଂଯୋଜନୀ-ସୂତ୍ରରୂପେ ପ୍ରତ୍ୟକ୍ଷ କରି, ସମଗ୍ର ଜୀବନ ସହିତ ତାହାରି ଡୋରଗୁଡ଼ିକୁ ଗୁନ୍ଥି ଆଣିବାର ଚେଷ୍ଟା କରି ‘ଭୂମୈବ ବିଜିଜ୍ଞାସିତବ୍ୟ’ ବୋଲି କହିବା ଓ ତା'ର ସମଗ୍ର ବ୍ୟଞ୍ଜନାଟିକୁ ଆମେ ବଞ୍ଚୁଥିବା ଜୀବନର ପ୍ରତ୍ୟେକ ଅଳିନ୍ଦ ଓ ପ୍ରତ୍ୟେକ ସମ୍ବନ୍ଧଦ୍ୱାର ଦେଇ ଅନୁଭବ କରିବା, କେବଳ ଆମ ସାଂପ୍ରତିକ ପୃଥିବୀରେ ହିଁ ତାହା ସମ୍ଭବ ହେଲା-

 

ବର୍ତ୍ତମାନ ସାହିତ୍ୟର ଅସଲ ଆହ୍ୱାନଟି ସେଇଠି । ବର୍ତ୍ତମାନ ସାହିତ୍ୟର ଅସଲ ଈଶ୍ୱରୀୟ ଅସନ୍ତୋଷଟି ମଧ୍ୟ ସେଇଠି । ସାହିତ୍ୟ ନାମକ ଗୋଟାଏ ସ୍ଵତନ୍ତ୍ର ଗଡ଼ିଆକୁ ପଳାଇ କବି ସେଇଠି ତାର ସ୍ଵତନ୍ତ୍ର ଅନ୍ୱେଷଣ ଅଥବା ଉଲ୍ଲାସଗୁଡ଼ିକୁ ଭୋଗ କରିବ ନାହିଁ ଏବଂ ବାହାରୁ ବିଟ ପରି ଆମକୁ ମଧ୍ୟ ଅନ୍ତତଃ ଘଡ଼ିକ ଲାଗି ଏଠାରୁ ପଳାଇଯାଇ ଏକ ଭୂମିବିସ୍ମରଣକାରୀ ଉଚ୍ଚାଟ ଅନୁଭବ କରିବାର ମନ୍ତ୍ରଣା ଦେବନାହିଁ । ଆମର ସାହିତ୍ୟ ଆମର ଜୀବନରୂପୀ ସମଗ୍ର ଭୂମିଟିକୁ କର୍ଷଣ କରି ତାହାକୁ ହିଁ ଅଧିକରୁ ଅଧିକ କଲ୍ୟାଣସମର୍ଥ, ପ୍ରଭବସମର୍ଥ ଏବଂ ଉଦ୍‍ଘାଟନ ସମର୍ଥ କରାଇ ପାରିବା ଲାଗି ଆମକୁ ବଳ ଦେବ, ଅନୁଭବ ଦେବ, ଅଭୟ ଆଣିଦେବ । ସାହିତ୍ୟର ସଙ୍ଗ ଆମକୁ ଏହି ବିଶ୍ୱମୟ ଦୃଶ୍ୟ ତଥା ସମ୍ଭାବ୍ୟ ସମଗ୍ର ଜୀବନର ସଙ୍ଗଲାଭ ଆଡ଼କୁ ପରିଚାଳିତ କରିନେବ; ଯେଉଁମାନେ ଶୁଖିଲା କାଠ ହୋଇ ପଡ଼ି ରହିଛନ୍ତି ଓ ଏକ ଆତ୍ମରତିମୟ ଶୀତର୍ତ୍ତାତାର ସଂକୀର୍ତ୍ତନ କରୁଛନ୍ତି, ସେମାନଙ୍କ ପ୍ରାଣ ଭିତରେ ମଧ୍ୟ ତାହା ନୂତନ ଉନ୍ମୋଚନ ଏବଂ ପଲ୍ଲବନ ଘଟାଇ ପାରିବ । ଏବଂ, ଆମ ସାହିତ୍ୟ ଏବେ ତାହା ମୋଟେ କରିପାରୁ ନାହିଁ । ଆମ ସାହିତ୍ୟିକମାନେ ଜୀବନକୁ ଡରି ସଭାରେ ଯାଇ ବସିଛନ୍ତି ଏବଂ ଅଧିକତର କ୍ଷେତ୍ରରେ ବର୍ବରମାନେ ହିଁ ଆମର ଚତୁର୍ଦ୍ଦିଗରେ ସଭା ମଣ୍ଡାଇ ବସିଛନ୍ତି । କ୍ଷମତାର ମଣିଷମାନେ ହିଁ ମଲ୍ଲୀମାଳର ଲୋଭରେ ସାହିତ୍ୟ ଭିତରେ ଶାର୍ଦ୍ଦୁଳବତ୍ ପ୍ରବେଶ କରିବାକୁ ଛକପକ ହେଉଛନ୍ତି । ପଇସା ଦେଇ ସବୁକିଛି କିଣିହେବ ବୋଲି ଏକ ଘୋର ଅନିଷ୍ଟକାରୀ ଅଣବିଶ୍ଵାସ ମଧ୍ୟରେ ପଡ଼ି ଯାଇଥିବା ସୌଦାଗରମାନେ ସାହିତ୍ୟର ସବୁଯାକ ଅଳିନ୍ଦକୁ କିଣି ନେବା ପାଇଁ ଯେଉଁଦିନୁ ଷଡ଼ଯନ୍ତ୍ର କଲେଣି, ସେହି ଦିନଠାରୁ ପରସ୍ପର ପାଖରେ ଘଡ଼ିଏ ଉଶ୍ଵାସ ହୋଇ, ଥିର ହୋଇ ସତକୁ ସତ ଖୋଲା ହୋଇ ବସି ଅନ୍ତରର କବାଟଗୁଡ଼ିକୁ ଖୋଲିଦେଇ ଆପଣା ଭିତରର ସତ ଖୋଲା ହୋଇ ବସି ଅନ୍ତରର କବାଟଗୁଡ଼ିକୁ ଖୋଲିଦେଇ ଆପଣା ଭିତରର ସତକୁ ସତ ସେହି ଅନୁରାଗମୟ ସ୍ପର୍ଶ ସମର୍ଥ ଭାଷାରେ କଥାବାର୍ତ୍ତା ହେବାକୁ, ସାହିତ୍ୟ ମାଧ୍ୟମରେ ସତକୁ ସତ ଏକ dialogue ସମ୍ଭବ କରିବାକୁ ଆଉ କୋଉଠିହେଲେ ଅଭୟଦାୟୀ ଛାଇଜାଗାଟିଏ ଆଖି ଆଗରେ ଦିଶୁନାହିଁ । ସୁନ୍ଦର ହୃଦୟଟିଏର କଥା ତ ଆହୁରି ଆଗକୁ ରହିଛି । ସୁନ୍ଦର ରୂପଟିଏର ମଧ୍ୟ ଏକ ବିମୋଚନକାରୀ ଭୟମୋଚନକାରୀ ଶକ୍ତି ରହିଛି । । ମାତ୍ର ସାହିତ୍ୟିକ ଯଦି ତାର ସାହିତ୍ୟନାମକ ରୂପଟାକୁ ନେଇ ମୂଳତଃ ରୂପଜୀବୀ ହୋଇ ବାହାରିବ, ସେତେବେଳେ ଆମ ଚାରିପାଖରେ ଥିବା ଆକାଶଗୁଡ଼ାକ ଲାଜରେ ମୁହଁ ଲୁଚାଇଦେବା ବ୍ୟତୀତ ଆଉ କ'ଣ କରିପାରିବେ, ଆମ ଭିତରେ ଆମର ଅନ୍ତରଙ୍ଗତମ ହୋଇ ରହିଥିବା ଆତ୍ମାଟିଏ ମଧ୍ୟ ମଉଳିଯିବା ବ୍ୟତୀତ ଆଉ ଅଧିକ କ'ଣ ସମ୍ଭବ ହୋଇପାରିବ ?

 

ବହି କ’ଣ କମ୍ ଲେଖା ହେଉଛି ? ସାହିତ୍ୟ ଓ ସଂସ୍କୃତି ନାମରେ କ’ଣ କମ୍ ସଭା ହେଉଛି ଓ ଯୂଥପତିମାନଙ୍କୁ ବସାଇ କମ୍ ଭାଷଣ ଦିଆଯାଉଛି ? ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ସଂଖ୍ୟା ବହୁଗୁଣିତ ହେଉଛି । ଉଭୟ ସରକାରୀ ଓ ବେସରକାରୀ ବହୁ ଅବସର ସୃଷ୍ଟି କରାଯାଇ ସାହିତ୍ୟ ଏବଂ ସାହିତ୍ୟିକତାକୁ ସତେଅବା ଅଭିସନ୍ଧିମୂଳକ ଭାବରେ ଅତ୍ୟନ୍ତ ପୋଲା ଏକ ଆନୁଷ୍ଠାନିକତାରେ ପରିଣତ କରି ରଖିବାର ରସୋଦ୍ୟମ ଲାଗିରହିଛି । ବେସରକାରୀ ଅନୁଷ୍ଠାନଗୁଡ଼ିକ ମଧ୍ୟ ସରକାରଙ୍କଠାରୁ ବିଭିନ୍ନ ଛଦ୍ରମରେ ଆପଣାର ରମଣ ଓ ବିହରଣ ଲାଗି ଅର୍ଥ ପାଉଛନ୍ତି । ଅର୍ଥ ପାଇ ବିକାହୋଇ ଯାଉଛନ୍ତି । ସାହିତ୍ୟ ସୃଷ୍ଟି ଲାଗି ଆବଶ୍ୟକ ଉତ୍ସାହ ଦେବାକୁ ସରକାର ପ୍ରଥମେ ଏହି ଉଦ୍ଦେଶ୍ୟରେ ଆପଣାର କେତୋଟି ସିରସ୍ତା ଖୋଲିଥିଲେ-। ସେଥିକୁ ସଲା ଦେବାପାଇଁ ସାହିତ୍ୟିକମାନଙ୍କୁ ସରକାର ଡାକିଲେ, ସେମାନେ ସେହି ଭଳି ଡକାହେବାରୁ କି କାମସ୍ପର୍ଶ ଲାଭ କଲେ କେଜାଣି, କ୍ରମେ ଗୋଟିଏ ଗୋଟିଏ ହାକିମ ବା ଅମଲାରେ ପରିଣତ ହୋଇଗଲେ, ସେମାନେ ସେଠାରେ ରହି ସାହିତ୍ୟର ପରିଚର୍ଯ୍ୟା କରିବା ପରିବର୍ତ୍ତେ ପ୍ରଧାନତଃ ନିଜ କିଆରୀକୁ ପାଣି ବୁହାଇଲେ । ସେହିମାନଙ୍କର ମାଧ୍ୟମରେ ସାହିତ୍ୟର ପରିମଳ ବି ଦୂଷିତ ହୋଇଗଲା । ପୁନଶ୍ଚ, ରଜାଙ୍କ ଅନୁଗ୍ରହ ବ୍ୟତୀତ ସାହିତ୍ୟ କଦାପି ସମ୍ଭବ ହୋଇପାରିବ ନାହିଁ ବୋଲି ଏକ ନିପଟ ଅନ୍ଧବିଶ୍ୱାସ ସାହିତ୍ୟିକମାନଙ୍କର ପେଟ ଭିତରେ ସତେଅବା ଚାକୁଣ୍ଡା ପରି ବଢ଼ିବାକୁ ଲାଗିଲା ଓ ସେମାନଙ୍କ ଭିତରୁ ଅତ୍ୟନ୍ତ ଉତ୍କଟ ଭାବରେ କାମୁଡ଼ି ଧରିଲା । ବାହାରେ ଭାରି ପ୍ରଚଣ୍ଡ କରାଇଲା । ସାହିତ୍ୟର ଦୀର୍ଘ ଇତିହାସ କହୁଛି ଯେ, ଅସଲ ସାହିତ୍ୟ Establishmentକୁ ଚୁନୌତି ଦିଏ, ମଣିଷର ପକ୍ଷ ନେଇ ସ୍ଥୂଳ କ୍ଷମତାଧର-ମାନଙ୍କୁ Establishment ଚୁନୌତି ଦିଏ । Establishment ଆଡ଼କୁ କଦାପି ଆଉଜି ପଡ଼େ ନାହିଁ । ଓଡ଼ିଆ ସାହିତ୍ୟର ମଧ୍ୟଯୁଗରେ ପ୍ରୀତି ନାମରେ ତୁଚ୍ଛା ରୀତିର ହୁନ୍ଦର କାଢ଼ି ଆମ ନିଜଠାରୁ ଅଳଙ୍କାରଗୁଡ଼ାକୁ ଅଧିକ ମୂଲ୍ୟ ଦେଇ ଶିଖାଇବାର ଚକ୍ରାନ୍ତ କରୁଥିବା କବିସୂର୍ଯ୍ୟ ଓ କାବ୍ୟମାର୍ତ୍ତଣ୍ଡମାନେ ତାତ୍କାଳୀନ Establishment ଉପରେ କାମିନୀସଦୃଶ ଆଉଜି ପଡ଼ିଥିଲେ-। ଏକ ଅନ୍ୟ ସମାନ୍ତର ଭାବରେ ଅରଣ୍ୟ ଓ କନ୍ଦର ଭିତରେ ଆପଣାକୁ ନିର୍ବାସିତ କରି ରଖିଥିବା ସନ୍ଥମାନେ ହିଁ ଆପଣାର ଏକ ନିଜସ୍ୱ ଉପାୟରେ ସେହି Establishmentକୁ ଚୁନୌତି ଦେବାରେ ଲାଗିଥିଲେ ।

 

ସାହିତ୍ୟ ନାନାବିଧ କାରଣରୁ ଏବେ ନବ୍ୟରୀତିବାଦର ପାଲରେ ଯାଇ ପଡ଼ିଛି । ରଜାମାନେ ସଭାରେ ସବାଉପରେ ବସି ଆମ ସାହିତ୍ୟକୁ ଦୋଚାରୁଣୀ ହେବା ହେତୁ ବିବିଧ ଆପ୍ୟାୟନ ଓ ପୁରସ୍କାର ଯୋଗାଇ ଦେବାରେ ଲାଗିଛନ୍ତି । ଆଗ ତାଙ୍କୁ ଡାକ, ତା’ପରେ ସଭା ମଣ୍ଡାଇ ସାହିତ୍ୟ କର, ତେବେ ବାରମାସ ଯାକ ସାହିତ୍ୟର କାଞ୍ଜିପଟା ଖେଳିବାକୁ ରଜାଙ୍କ ତରଫରୁ ତୁମକୁ ତେନ୍ତୁଳି ମଞ୍ଜି ଯୋଗାଇ ଦିଆଯିବ; ତୁମକୁ ପଦ ଦିଆଯିବ, ଯଶ ଓ ବାନା ଦିଆଯିବ, ଭାର୍ଯ୍ୟାଂ ମନୋରମାଂ ମଧ୍ୟ ଖଞ୍ଜି ଦିଆଯିବ । ଉଆସ ଭିତରେ ଉଆସରୁ ବାଜା ବରାଦ ହୋଇ ସାହିତ୍ୟର ଖଞ୍ଜାମାନଙ୍କରେ ହେଉଥିବା ସାହିତ୍ୟର ଏହି ଭେସରା ଉତ୍ସବଗୁଡ଼ିକର ବାହାରୁ ଥାଇ ସାହିତ୍ୟ ଉପରେ ଦୃଷ୍ଟିପାତ କଲେ ମୁଖ୍ୟତଃ ଏହି ଲଜ୍ଜାଟି ହିଁ ଗିଳି ପକାଇବାକୁ ଧାଇଁ ଆସୁଥିବା ପରି ମନେ ହେଉଛି । ସାମନ୍ତବାଦ ଆଗରେ ଗଣତନ୍ତ୍ର ପୋଇଲୀ ହୋଇ ରହିଛି । ସ୍ୱୟଂ ରାଜାମାନଙ୍କୁ ଯେତେବେଳେ ଲାଜ ମାଡ଼ୁନାହିଁ, ସେମାନେ ବରଣି ହୋଇ ଆସି ବସିଯିବା ମାତ୍ରକେ ସତେଅବା କୋଉ ବିଦ୍ୟାନଗରୀରୁ ଆସିଥିବା ଚିତ୍ରବୀର୍ଯ୍ୟମାନଙ୍କ ପରି ସାହିତ୍ୟ ବିଷୟରେ ଗମ୍ଭୀର ଗରିମାମୟ ଉଦ୍‌ଗାରମାନ କରି ପାରୁଛନ୍ତି, ସେତେବେଳେ ପୋଇଲୀମାନଙ୍କର କୋଉ ଆଣ୍ଟ ଅଛି ଯେ ମାନେ ରମଣସ୍ପର୍ଶ ପାଇବାଲାଗି ମଣିମାନଙ୍କ ପାଖକୁ ଧାଇଁ ନ ଆସିବେ ?

 

କିନ୍ତୁ, This shall also pass away; ସାରା ପୃଥିବୀ ଅତ୍ୟନ୍ତ ଅଭିପ୍ରେତ ଭାବରେ ଯେଉଁ ଅମୃତର ସନ୍ଧାନରେ ବାହାରିଛି, ଆମ ଭାରତବର୍ଷରେ ମଧ୍ୟ ତାହାର ଡାକରା ଦିନେ ନା ଦିନେ ଅଲବତ ଆସି ବାଜିବ । ଦାଣ୍ଡରେ ଆଡ଼ମ୍ବରମୟ ପ୍ରଦର୍ଶନଗୁଡ଼ାକରେ ଅଭିନୟକୁ ଗୁଣ୍ଡାରୂପରେ ସଜାଇ ସାମନ୍ତମାନେ ଯେଉଁ ଧନୁଯାତ୍ରାର ଆୟୋଜନ ମଧ୍ୟରେ ସବାଉପରେ ମଞ୍ଚମାନଙ୍କରେ ଯାଇ ବସିଛନ୍ତି, ଏହି ମନୁଷ୍ୟ ଭିତରର ଈଶ୍ୱରୀୟ ରୁଦ୍ରଶକ୍ତି ତାହାକୁ ଅବଶ୍ୟ ଆସନଚ୍ୟୂତ କରାଇବ । କ୍ଷମତାର ମଣିଷମାନେ ପୃଥିବୀରୁ ବିଦା ହୋଇ ଯାଉଛନ୍ତି, ତେଣୁ ଜୀବନ ସହିତ ସଂଲଗ୍ନ ଯାବତୀୟ କରଣି ଓ ଚଳଣିର ମୂଲ୍ୟସଜ୍ଞାଟି ମଧ୍ୟ ବଦଳି ଯାଉଛି । ଭବିଷ୍ୟତର ସ୍ୱପ୍ନବୃକ୍ଷରେ ଠିକ୍ କଣ ଫଳିବ ବୋଲି ଖଡ଼ି ପକାଇ କଦାପି କହି ହେବନାହିଁ; ମାତ୍ର ଏହି ସାମନ୍ତମାନେ ଯେ ଅବଶ୍ୟ ଯିବେ, ସେଥିରେ କୌଣସି ସନ୍ଦେହ ନାହିଁ । ସାହିତ୍ୟରେ ମଧ୍ୟ ତାହାହିଁ ଘଟିବ, ଭାରତବର୍ଷର ବି ଘଟିବ ।

୨୩ । ୧୦ । ୯୦

Image

 

ସହସ୍ରହସ୍ତ ସଂକିର

 

ଭାରତବର୍ଷରେ ଏପରି ଅନେକ ପୀଡ଼ା-ସଚେତନ ମଣିଷ ରହିଛନ୍ତି, ଯେଉଁମାନେ କି ପୃଥିବୀଟିକୁ ଗୋଟାଏ ଘୋର ପୀଡ଼ାସ୍ଥାନ ବୋଲି ଅନୁଭବ କରନ୍ତି । ସେମାନଙ୍କର ସେହି ଅନୁଭବକୁ ଏକ ଶାସ୍ତ୍ରୀୟ ଅବଲମ୍ବନ ଯୋଗାଇଦେବା ଲାଗି ଭାରତୀୟ ପ୍ରାଚୀନ ତଥା ଆଧୁନିକ ଦର୍ଶନରେ ମଧ୍ୟ ମଣିଷର ମନକୁ ବୁଝାଇଦେଲା ଭଳି ବଖାଣ ଓ ବୟାନମାନ ରହିଛି । ମଣିଷର ଅସଲ ସଦନ କୁଆଡ଼େ ଏଠି ନୁହେଁ, ସେଠି । କୌଣସି ଏକ ସ୍ଫଳନର ସନ୍ତାପ ଭୋଗ କରିବା ଲାଗି ମଣିଷ ସତେଅବା ଅଭିଶାପ ପାଇ ଏଇ ସଂସାରକୁ ଆସିଛି । ଏହିଭଳି ଏକ ଜୀବନଦର୍ଶନର ଉକୁ ହେବା ପଛରେ ଏକାଧିକ କାରଣ ରହିଛି; ମନୋବୈଜ୍ଞାନିକ କାରଣ ରହିଛି, ସାମାଜିକ କାରଣ ମଧ୍ୟ ରହିଛି । ଏହିସବୁ କାରଣର ସଂସ୍କାର ବା କୁସଂସ୍କାରରେ ପଡ଼ି ଅନେକ ମଣିଷ ଅତିମାତ୍ରାରେ ପୀଡ଼ାସଚେତନ ହୁଅନ୍ତି, ଦୁଃଖସଚେତନ ହୁଅନ୍ତି; ଏପରିକି ଆଦୌ କୌଣସି ପୀଡ଼ା ନ ଥାଇ ଏବଂ ଅନ୍ୟ ସହସ୍ର ସହସ୍ର ମଣିଷଙ୍କଠାରୁ ଅନେକ ଅଧିକ ସୁଖରେ ଥାଇ ମଧ୍ୟ ସେମାନେ ଦୁଃଖସଚେତନ ହୁଅନ୍ତି । ସୁଖଠାରୁ ଦୁଃଖକୁ ଅଧିକ ଦେଖନ୍ତି, ଆଲୁଅଠାରୁ ଅନ୍ଧାରକୁ ଅଧିକ ଦେଖନ୍ତି; ନିଜ ଭିତରେ ବି ଆଦୌ କୌଣସି ଆଲୁଅ ଦେଖି ପାରନ୍ତି ନାହିଁ । ସେହି ଆଲୁଅଟି ସହିତ ଏକ ନିର୍ଭରଯୋଗ୍ୟ ଖିଅ ଲଗାଇ ବାଟ ଚାଲିବା ତ ଆହୁରି ଅଧିକ ଦୂରର କଥା । ଭିତରେ ଖିଅଟି ଲାଗି ନଥାଏ, ବାହାରେ ଖିଅଟି ଲାଗିପାରିବ ବା କିପରି । ସେମାନେ ନିଃସଙ୍ଗତାକୁ ହିଁ ଭୋଜନ କରି ଆନନ୍ଦ ପାଆନ୍ତି, ଏକାବେଳେକେ ଏକୁଟିଆ ହୋଇ ସେହି ନିଃସଙ୍ଗତାକୁ ଭୋଜନ କରୁଥାନ୍ତି ।

 

ମନୁଷ୍ୟ ସହସ୍ରହସ୍ତ ହୋଇ ଆପଣାକୁ ବିତରଣ କରିଦେଉ ବୋଲି ବେଦରେ ପରାମର୍ଶ ଦିଆଯାଇଛି । ବିତରଣରେ ହିଁ ସୁଖ, କୃପଣ ହେବାରେ ଦୁଃଖ । ଖାଲି ପ୍ରାଚୀନ ଭାରତୀୟ ବିଦ୍ୟାରେ ନୁହେଁ, ସେଇଠୁ ସୂତ୍ରଟି ଧରି ଗାନ୍ଧୀ, ରବୀନ୍ଦ୍ରନାଥ ଓ ଶ୍ରୀ ଅରବିନ୍ଦଙ୍କ ପର୍ଯ୍ୟନ୍ତ ଆସିଲେ ମଧ୍ୟ ଆମେ ବିତରଣର ସେହି ଆହ୍ୱାନଟିକୁ ଅବଶ୍ୟ ଶୁଣିବାକୁ ପାଇବା । ତପସ୍ୟା ମୋର, ମାତ୍ର ସିଦ୍ଧି ହେଉଛି ସମଗ୍ର ପୃଥିବୀର । ଆପଣାର ତପସ୍ୟାଲବ୍‌ଧ ଜ୍ଞାନକୁ ମୁଁ ସମସ୍ତଙ୍କର କାମରେ ଲଗାଇବି, ତେବେଯାଇ ସତକୁ ସତ ଉଦ୍ଧାର ପାଇବି । ମୁଁ କମାଉଥିବା ଧନ କ’ଣ କେବଳ ମୋ'ର-? ତାହାକୁ ମୋ'ର ବୋଲି କହି ନାନାବିଧ ଉଗ୍ରତା ଏବଂ ଔଦ୍ଧତ୍ୟର ବାଡ଼ି ଧରି ଯାବୁଡ଼ି ବା ଆବୋରି ଧରିଥିବା ପର୍ଯ୍ୟନ୍ତ ହିଁ ଜୀବନର ଯାବତୀୟ ଦୁଃଖ; ଯାବତୀୟ ଖିଅ ଛିଡ଼ିଯିବାର ଆରମ୍ଭ ହିଁ ସେହି ଉଗ୍ରତାରୁ ଓ ସେହି ଦୁଃଖରୁ । ସମ୍ଭବତଃ ମୂଳ ଭୂତ ସେହି ଦୁଃଖ, ସେହି ଭୟରୁ ହିଁ ରାଷ୍ଟ୍ରର ଉତ୍ପତ୍ତି, ପ୍ରଚଣ୍ଡରୁ ପ୍ରଚଣ୍ଡତର ଶାସନଗୁଡ଼ାକର ଉତ୍ପତ୍ତି । ଆମର ସାମ୍ପ୍ରତିକ ଏହି ପୃଥିବୀରେ ଭବିଷ୍ୟତ ପୃଥିବୀଟିକୁ ଜନ୍ମ ଦେବାଭଳି ଏବେ ଯାହାକିଛି ଘଟୁଛି, ଭବିଷ୍ୟବିଧାତାର ହାତରେ ଥିବା ଦର୍ପଣଟି ଉପରେ ବର୍ତ୍ତମାନର ଯେଉଁ ଅନାଗତ ସମ୍ଭାବ୍ୟତାଗୁଡ଼ିକ କମେ ଅଧିକରୁ ଅଧିକ ସ୍ପଷ୍ଟ ଭାବରେ ଉକୁଟି ଉକୁଟି ଯାଉଛି, ସେଥିରେ ମଧ୍ୟ ସେହି ସନ୍ଦେଶଟି ରହିଛି । ସତେଅବା ଆମରି ଭିତରେ ରହିଥିବା ଯୁଗଯୁଗର କେଉଁ ବିଧାତା ଆମକୁ ଆମର ଶୁଭତମ ଓ ଅକୃପଣତମ ମୁହୂର୍ତ୍ତଗୁଡ଼ିକରେ ଆମକୁ ‘ସହସ୍ରହସ୍ତ ସଂକିର’ର ଆହ୍ୱାନସନ୍ଦେଶଟିକୁ ଦେଇଯିବାରେ ଲାଗିଛି । ପୃଥିବୀରେ ଅଧିକରୁ ଅଧିକ ମଣିଷ, ଅଧିକରୁ ଅଧିକ ସମୂହ ସତେଅବା ଅତ୍ୟନ୍ତ ସ୍ୱତଃପ୍ରେରିତ ଭାବରେ ସେହି ସନ୍ଦେଶଟିକୁ ଶୁଣିବାରେ ସମର୍ଥ ହେଉଛନ୍ତି । ଆଗାମୀ ନବପ୍ରଭାତ ବିଷୟରେ ସତେଅବା ତାହାହିଁ ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ପ୍ରମାଣ ବୋଲି ପ୍ରତୀତ ହେବାରେ ଲାଗିଛି ।

 

‘ଶତହସ୍ତ ସମାହର, ସହସ୍ରହସ୍ତ ସଂକିର'–ବେଦବାକ୍ୟଟିର ଏହି ଦୁଇଟିଯାକ ଅଂଶକୁ ଆମେ ଏକାଠି ପ୍ରଣିଧାନ କରିବାକୁ ଚେଷ୍ଟା କରିବା । ଗୋଟିକର ଔଚିତ୍ୟ ମୂଳତଃ ଅନ୍ୟଟିରେ ହିଁ ନିହିତ ହୋଇ ରହିଛି । ଏହି ପୃଥିବୀରେ ଆମେ ଶତହସ୍ତ ହୋଇ ସଂଗ୍ରହ କରିବା ଏବଂ ସହସ୍ରହସ୍ତ ହୋଇ ଆପଣାକୁ ବିତରଣ କରିଦେବା । ସହସ୍ରହସ୍ତ ହୋଇ ବିତରଣ କରିଦେବାରେ ହିଁ ଶତହସ୍ତ ହୋଇ ସଂଗ୍ରହ କରିବାର ଯଥାର୍ଥତା ରହିଛି । ଏହି ପୃଥିବୀରେ ଆମେ ଶତହସ୍ତ ହୋଇ ନେବା ଓ ସହସ୍ରହସ୍ତ ହୋଇ ଦେବା । ସେଇଥିରେ ହିଁ ଆମର ପ୍ରାୟ ସବୁଯାକ ସୁଖ ନିହିତ ହୋଇ ରହିଛି । ମୋ' ତପସ୍ୟା ମୋର, ମାତ୍ର ମୋର ତଥାକଥିତ ସମସ୍ତ ସିଦ୍ଧି ହେଉଛି ଏହି ସମଗ୍ର ପୃଥିବୀର ପ୍ରାପ୍ୟ । ତାହା ମୋର ବ୍ୟକ୍ତିଗତ ସମ୍ପତ୍ତି ଆଦୌ ନୁହେଁ । ଏକଦା ପ୍ରାୟ ଦୁଇ ଶହ ବର୍ଷ ତଳେ ୟୁରୋପରେ ମଣିଷ ଆପଣାର ଭାଗ୍ୟ ବଦଳାଇବା ଲାଗି ଯେଉଁ ସଂଗ୍ରାମ କରିଥିଲା, ସେଥିରେ ସମତା, ସ୍ଵାଧୀନତା ଓ ଭ୍ରାତୃତ୍ୱକୁ ଆପଣାର ତିନୋଟି ଇଷ୍ଟରୂପେ ଗ୍ରହଣ କରିଥିଲା । ବିବିଧ କାରଣରୁ ସେ । ତୃତୀୟ ଇଷ୍ଟଟି ବିଷୟରେ ଉଦାସୀନ ହୋଇ ରହିଗଲା । ତେଣୁ ସମତା ଏବଂ ସ୍ଵାଧୀନତା । ତାକୁ କାଳକ୍ରମେ ଅଧିକତର ଅଂଶରେ କେବଳ ବ୍ୟକ୍ତିବାଦୀ କରି ରଖିଦେଲେ । ବ୍ୟକ୍ତି ବ୍ୟକ୍ତିବାଦୀ ହେଲା, ରାଷ୍ଟ୍ରମାନେ ବି ବ୍ୟକ୍ତିବାଦୀ ହେଲେ । ଏହି ବ୍ୟକ୍ତିବାଦୀ ରାଷ୍ଟ୍ରାନୁଗତ ମଣିଷମାନେ ସତେଅବା କେଉଁ ନୂତନ ରତ୍ନ ପାଇଥିବା ପରି ଜାତୀୟତାବାଦ ନାମକ ଏକ ଅର୍ଦ୍ଧସତ୍ୟର ଉଦ୍‌ଭାବନ କଲେ, ଅର୍ଦ୍ଧସତ୍ୟର ନିଶା ଖାଇଲେ । ସେହି ଅର୍ଦ୍ଧସତ୍ୟ ଆମକୁ କେବଳ ଅଧାବାଟ ଯାଏ ହିଁ ନେଇ ପାରିଲା; ଯେଉଁମାନେ ତାହାକୁ ଏକ ସମ୍ପୂର୍ଣ୍ଣ ଭଗବାନ ରୂପେ ଗ୍ରହଣ କଲେ, ସେମାନେ ଆପଣାଲାଗି କାଳ ହେଲେ, ପୃଥିବୀ ଲାଗି ମଧ୍ୟ କାଳ ହେଲେ । ପୁଞ୍ଜିବାଦ କଲେ, ସାମ୍ରାଜ୍ୟବାଦ କଲେ–ଆମକୁ ଯୁଦ୍ଧରେ ନେଇ ପହଞ୍ଚାଇ ଦେଲେ । ଭାତୃତ୍ୱର ସେହି ତୃତୀୟ ସତ୍ୟଟିକୁ ଅବହେଳା କରିଥିବାରୁ ପୃଥିବୀକୁ ବହୁ ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ିଲା । ଜାତୀୟତାବାଦ ଯେ ଆଦୌ ଯଥେଷ୍ଟ ନୁହେଁ, ଭାରତୀୟ ସ୍ୱାଧୀନତା-ସଂଗ୍ରାମର ଦ୍ରଷ୍ଟା ଓ ନେତାମାନେ ଆମକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ବାରବାର ସେହି କଥା କହୁଥିଲେ । ସ୍ଵାଧୀନତାର ପ୍ରଥମ ପାହାଚଟି ଉପରକୁ ଆସୁ ଆସୁ ଆମେ କେଡ଼େ ଖଳ ଭାବରେ ସେଇଠି ଅଟକି ରହିବାର ଚକ୍ରାନ୍ତ ନକଲୁ ଏବଂ ବ୍ୟକ୍ତି–ସ୍ଵାଧୀନତା ନାମରେ ଅତ୍ୟନ୍ତ ମୁଷ୍ଟିମେୟ ବ୍ୟକ୍ତି ଓ ଶ୍ରେଣୀକୁ ଗେହ୍ଲା, ଉଗ୍ର ଏବଂ ତେଣୁ ପୀଡ଼ିତ ହୋଇ ରହିବାକୁ ଛାଡ଼ି ନଦେଲୁ !

 

ଯଦି ପ୍ରକୃତରେ ସହସ୍ରହସ୍ତ ହୋଇ ଆପଣାର ସମସ୍ତ ଅର୍ଜନକୁ ବିତରଣ କରିଦେବାର ଅଧିକ ମହତ୍ତ୍ୱପୂର୍ଣ୍ଣ ସଂକଳ୍ପଟିକୁ ଆମେ ଗ୍ରହଣ କରିପାରିଥିବା, ତେବେଯାଇ ଆମର ଶତହସ୍ତ ହୋଇ ସଂଗ୍ରହ ଓ ଠୁଳ କରିବାର ଆଦୌ କୌଣସି ଅଧିକାର ରହିବ ! ଭ୍ରାତୃତ୍ୱର ମୂଳଭୂତ ସଂକଳ୍ପଟିକୁ ଜୀବନରେ ସୁଖ ଏବଂ ସମୃଦ୍ଧି ଲାଭ କରିବାର ସର୍ବପ୍ରଥମ ଧର୍ମରୂପେ ଗ୍ରହଣ କରିଥିଲେ ଯାଇ ଆମର ଏହି ଯାବତୀୟ ସଂଗ୍ରହ ତଥା ଅର୍ଜନର ଇଚ୍ଛାକୁ ପ୍ରକୃତରେ ଏକ ସୁସ୍ଥ ଇଚ୍ଛା ବୋଲି କୁହାଯାଇ ପାରିବ । ଭ୍ରାତୃତ୍ୱର ଅସଲ ଖିଅଟି ଆମର ଚେତନାକୁ ସ୍ପର୍ଶ କରି ନଥିଲେ ସମତା ଏବଂ ସ୍ୱତନ୍ତ୍ରତା ଲାଗି ଆମର ଯାବତୀୟ ଉଦ୍‌ବେଗ ଆମକୁ କେବଳ ଅଧିକରୁ ଅଧିକ ଦୁଷ୍ଟ ହେବାରେ ସାହାଯ୍ୟ କରିବ, ଆମକୁ କୀଟତୁଲ୍ୟ ବହୁବିଧ ଲୋଭର କର୍ଦ୍ଦମ ଭିତରେ ହନ୍ତସନ୍ତ ଓ ଉତ୍ତେଜିତ କରି ରଖିଥିବ । ତେଣୁ ମୋ’ ଘରେ ଅନ୍ୟମାନଙ୍କ ଲାଗି ବି ସ୍ଥାନ ରହୁ, ମୋର ଜ୍ଞାନ ଓ ଯାବତୀୟ ଅର୍ଜନରେ ଅନ୍ୟ ସମସ୍ତଙ୍କର ହି ମଙ୍ଗଳ ହେଉ । ସମସ୍ତଙ୍କର ମଙ୍ଗଳକୁ ଏଡ଼ିଦେଇ ଯଦି ମୁଁ ମନ୍ଦ ବୁଦ୍ଧି ଦ୍ୱାରା ତାଡ଼ିତ ବହୁ ତ୍ରାସଦ୍ଵାରା ପ୍ରେରିତ ହୋଇ କେବଳ ତଥାକଥିତ ନିଜର ମଙ୍ଗଳକୁ ହିଁ ଲୋଡ଼ୁଥିବି, ତେବେ ମୋ’ର ଯାବତୀୟ ବହୁବପୁତା ସତ୍ତ୍ୱେ ମୁଁ ତଥାପି ଭାରି ତ୍ରସ୍ତ ଓ ଦରିଦ୍ର ହୋଇ ରହିଥିବି, ଏକ ସନ୍ଦେହାତ୍ମା ହୋଇ ଆପଣାର ବିନାଶ ଆଡ଼କୁ ହିଁ ଧାବିତ ହେବାରେ ଲାଗିଥିବି ।

 

ଭାରତବର୍ଷର ସାମ୍ପ୍ରତିକ ସମାଜରେ ଥୋକେ ମଣିଷ ସମାଜର ସବୁଯାକ ନେତୃତ୍ଵକୁ ମାଡ଼ି ବସିଛନ୍ତି । ଦେଶର ଅଧିକ ଧନ ସେହିମାନଙ୍କ ହାତରେ, ଅଧିକ ପୀଠ ସେହିମାନଙ୍କ ହାତରେ-। ସାମୂହିକ ଜୀବନର ପ୍ରାଙ୍ଗଣମାନଙ୍କରେ ସେହିମାନଙ୍କର ତୋଡ଼ଟା ହିଁ ସବୁଠାରୁ ଅଧିକ ଶୁଣାଯାଉଛି । ଏପରି ଏକ ପ୍ରଦୂଷଣ ଭିତରେ କେଉଁ ଭାତୃତ୍ୱ କିପରି ସମ୍ଭବ ହେବ ? କୃପଣମାନେ ଏହି ଦେଶର ଅଧିକାଂଶ ମଣିଷ କାଙ୍ଗାଳ ହୋଇ ରହିଥାନ୍ତୁ ବୋଲି ଅବଶ୍ୟ ଇଚ୍ଛା କରିବେ । ପ୍ରମତ୍ତ ପାଠୁଆମାନେ ଦେଶର ଅଧିକାଂଶ ମଣିଷ ଅକିଞ୍ଚନ ଓ ଅଧର୍ମ ହୋଇ ରହିଛି ବୋଲି ଅବଶ୍ୟ ଭଗବାନଙ୍କୁ ଡାକୁଥିବେ । ଚଲାଖ ଲୋକମାନଙ୍କ ହାତରେ ରାଜନୀତିର ପ୍ରାୟ ସବୁଯାକ ଅଢ଼ା ରହିଥିବା ପର୍ଯ୍ୟନ୍ତ ଦେଶନିର୍ମାଣ ନାମରେ ଉପରୁ ଦୟାଳୁମାନେ ଦୟା ପ୍ରଦର୍ଶନ କରୁଥିବେ ଓ ତଳୁ ଭାଗ୍ୟହୀନ ହୀନଜନ୍ତୁମାନେ ବିକଳ ହୋଇ ହାତ ପତାଇ ରହିଥିବେ । ଉପରେ ଅଥବା ତଳେ କେଉଁଠି ହେଲେ ମେରୁଦଣ୍ଡ ନଥିବ । ତେଣୁ ଏ ଦେଶରେ ଭାତୃତ୍ଵର ଉଦବୋଧନ ଦେଇ ଏକ ନୂତନ ନେତୃତ୍ୱର ସମାରମ୍ଭ ହେଉ । ଆମ ଦେଶର ଜ୍ଞାନୀ, ଧନୀ, ବିଦ୍ୟାବନ୍ତ ଓ ଭାଗ୍ୟବନ୍ତମାନେ ସହସ୍ରହସ୍ତରେ ବିରତଣ କରିଦେବାକୁ ନିଜ ହୁତ୍‌କ୍ଷେତ୍ରରେ ପ୍ରସ୍ତୁତ ହୋଇ ଯାଆନ୍ତୁ ଓ ତାହା ସେମାନଙ୍କର ବିବେକକ୍ଷେତ୍ରକୁ ସଂକ୍ରମିତ ହୋଇଆସୁ । ତେବେଯାଇ ଏ ଦେଶର ଯାବତୀୟ ସଂଗ୍ରହ ଯଥାର୍ଥରେ କଲ୍ୟାଣକର ହୋଇପାରିବ । ନହେଲେ ଦେଶ ତଳୁ ଓ ଉପରୁ ବହୁ ବର୍ବରତା ଭୋଗ କରିବା ଲାଗି ଉନ୍ମୁକ୍ତ ହୋଇ ରହିଥିବ । ବାହାରେ ଅମାର ବଢ଼ୁଥିବ, କୋଟି କୋଟି ପରିମାଣରେ ଧନ ଖର୍ଚ୍ଚ ହେଉଥିବ । ଏଣେ ଆମ ସାମୂହିକତାର ସଦନଗୁଡ଼ିକରେ ମୂଷାମାନେ ଗାତ କରିବାରେ ଲାଗିବେ । ଏହି ଦୁର୍ଦଶାର ଅନ୍ତ ହେଉ ।

୩୦ । ୧୦ । ୯୦

Image

 

କାଳକୁ କାଳ ଏହି ମତେ

 

ଏ କାଳ ନିରବଧି ଚାଲିଛି, ଚାଲୁଥିବ । ମାତ୍ର, ଆଜିକୁ ପାଞ୍ଚଶହ କିମ୍ବା ପଚାଶ ବର୍ଷ ତଳେ ଯେଉଁ କାଳ ଚାଲିଥିଲା, ବର୍ତ୍ତମାନ କ’ଣ ସେହି କାଳ ଚାଲିଛି ? ଏହି ପଦଟି ଯେତେବେଳେ ଲେଖା ହୋଇଥିଲା, ସେତେବେଳେ କାଳ କହିଲେ ପ୍ରକୃତରେ କେତେ ଅଳପକୁ ବୁଝାଉଥିଲା ! ଅଳପ ଦିଶୁଥିଲା, ତେଣୁ ଅଳପକୁ ବୁଝାଉଥିଲା । ସେତେବେଳର ମଣିଷ ଯଦି ସେକାଳର ସେହି ଅଳପ ଦିଶିବା ଭିତରେ ରହି ଯାଇଥାନ୍ତା, ତେବେ ଆମେ ବିଚରଣ କରୁଥିବା ବର୍ତ୍ତମାନର ଏହି କାଳଟି ଆଦୌ ସମ୍ଭବ ହୋଇ ନଥାନ୍ତା । ମଣିଷର ଭିତରେ ମଧ୍ୟ ଗୋଟାଏ କାଳକୃତ୍ ରହିଛି, ଯିଏକି ବିଧାତାର ଯନ୍ତ୍ରରୂପେ ଆପଣାକୁ ପ୍ରସ୍ତୁତ କରିପାରେ, ବୃହତ୍ତରକୁ ସ୍ୱୀକାର କରିନେଇ ଆପଣା ଭିତରେ ରହିଥିବା ବୃହତ୍ତରଟିର ଆବିଷ୍କାର କରିପାରେ । ପୃଥିବୀରେ ଯୁଗେ ଯୁଗେ ଅଧିକାଂଶ ମଣିଷ କାଳ ହାତରେ କ୍ରୀଡ଼ାନକ ହୋଇ ଆସିଛନ୍ତି – ତାହାର ଆଦୌ କାରଣ ନୁହେଁ ଯେ କେଉଁ ଅପବିଧାତା ସେମାନଙ୍କୁ ସତକୁ ସତ କ୍ରୀଡ଼ନକଟିଏ କରି ରଖିବାକୁ ଇଚ୍ଛା କରୁଛି, ଆପେ ନରହରିର ମର୍ଯ୍ୟାଦା ଲାଭ କରିବ ବୋଲି ସେମାନଙ୍କୁ ମୃଗୀ ପରି ନଚାଇବାକୁ ଭଲ ପାଉଛି-। ତାହାର କାରଣ ହେଉଛି ଯେ ପୃଥିବୀର ଅଧିକାଶଂ ମନୁଷ୍ୟ ଅଳପ ଭିତରେ ରହିଯିବାର ପ୍ରଲୋଭନରେ ପଡ଼ି ଯାଇଛନ୍ତି, ସେମାନେ ଆପଣା ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ବୃହତ୍ତରର ସନ୍ଧାନ ପାଇନାହାନ୍ତି । ଆପଣାର ଅସଲ ବନ୍ଧୁଟିର, ପରମ ବନ୍ଧୁଟିର ଦର୍ଶନ ପାଇନାହାନ୍ତି, ଆପଣା ଭିତରେ ସେହି ଅଭିପ୍ରେତ ଉତୁଙ୍ଗତାଟିର ସ୍ପର୍ଶ ପାଇନାହାନ୍ତି ।

 

ଆହୁରି ଅଧିକ ଯଥାର୍ଥ ଭାବରେ କହିଲେ, ଯେଉଁଭଳି ଏକ ପରିବେଶ ସମ୍ଭବ ହୋଇ ପାରୁଥିଲେ ଏହି ପୃଥିବୀର ଅଧିକାଂଶ ମଣିଷ ଆପଣା ଭିତରେ ସେହି ବୃହତ୍ତର ଓ ଅନ୍ତରଙ୍ଗତାରର ସନ୍ଧାନ ପାଇ ପାରୁଥାନ୍ତେ ଏବଂ ତାହାରି ଆବିଷ୍କାର କରିବାକୁ ହିଁ ଆପଣା ଜୀବନର ସର୍ବୋତ୍ତମ ଉଦ୍ୟମରୂପେ ଗ୍ରହଣ କରିନେଇ ପାରୁଥାନ୍ତେ, ସେହି ପରିବେଶଟି ପୃଥିବୀରେ ସମ୍ଭବ ହୋଇ ପାରିନାହିଁ । ତେଣୁ ଅଧିକାଂଶ ମନୁଷ୍ୟ ଯନ୍ତ୍ର ହେବା ପରିବର୍ତ୍ତେ କ୍ରୀଡ଼ାନକ ହୋଇ ରହିବାର ଦୁର୍ଦ୍ଦଶାରେ ପଡ଼ି ଛଟପଟ ହେବାରେ ଲାଗିଛନ୍ତି । ମଣିଷ ଉପରେ ରାଷ୍ଟ୍ର ରହିଛି, ସମାଜ ନାମରେ ବିତ୍ତଅପହରଣକାରୀ ଭଳି ଭଳି ବିଦ୍ୟା ମଧ୍ୟ ରହିଛି । ତେଣୁ ଫୁଟିଉଠିବା ପରିବର୍ତ୍ତେ ମଣିଷ ମେଣ୍ଢାଟିଏ ହୋଇ ବନ୍ଧାହୋଇ ରହିଛି । ଶାସ୍ତ୍ରମାନଙ୍କରେ ହିମାଳୟ ପରି ଉଚ୍ଚ ଉଚ୍ଚ କଥାମାନ ଲେଖାହୋଇ ରହିଛି ସତ, ମାତ୍ର ଶାସ୍ତ୍ରପାଳମାନେ ମଣିଷର ବାଟକୁ ବାଡ଼ି ପକାଇ ବନ୍ଦ କରି ରଖିବାକୁ ହିଁ ଅଧିକାଂଶତଃ ଫିସାଦ କରି ଆସିଛନ୍ତି । ଆଦର୍ଶମାନେ ଗୋଜିଆ ଗୋଜିଆ ମୁକୁଟ ପିନ୍ଧି କେଡ଼େ ଉଜ୍ଜ୍ୱଳ ଓ ଆକର୍ଷକ ହୋଇ ଦିଶୁଛନ୍ତି, ମାତ୍ର ଉପରେ ଦଣ୍ଡ ଧରି ବସିଥିବା କେଉଁ ଅପନାୟକମାନେ ସେମାନଙ୍କର ସବୁଯାକ ଗୋଡ଼କୁ ଦଉଡ଼ିରେ ବାନ୍ଧି ପକାଇ ସେମାନଙ୍କୁ ଅଡ଼ାଇ ନେବାରେ ହିଁ ଅଧିକ ଚାତୁର୍ଯ୍ୟ ଏବଂ ପରାକ୍ରମ ଦେଖାଇ ଆସିଛନ୍ତି । ପୃଥିବୀରେ ଦେଉଳ ଏବଂ ଉଆସଗୁଡ଼ାକ ଉପରେ ବହୁବିତ୍ତତାର ବାନାମାନେ ଉଡ଼ୁଥିଲେ ମଧ୍ୟ ପୃଥିବୀରେ ଅଧିକାଂଶ ମଣିଷଙ୍କର ଅନ୍ନମୟ କୋଷଟାର ମଧ୍ୟ ଭରଣା ହୋଇ ପାରିନାହିଁ । ମାରଣା ଅର୍ଥନୀତି ଏବଂ ମାରଣା ରାଜନୀତି ମଣିଷ ନାମରେ ଦିଗ୍‌ବିଜୟ କରିବାରେ ଲାଗିଛି ସତ, ମାତ୍ର ମଣିଷ ହାରି ହାରି ଯାଇଛି । ଯେଉଁ ଥୋକେ ମଣିଷ ଅଧିକ ଉଜ୍ଜ୍ୱଳ ଦିଶିବେ ବୋଲି ପୃଥିବୀର ପ୍ରାୟ ସବୁଯାକ ଅକଲକୁ, ବିଦ୍ୟାକୁ ଏବଂ ସମ୍ପତ୍ତିକୁ ମାଡ଼ି ବସିଛନ୍ତି, ସେମାନେ ସଚରାଚର ବର୍ବର ହୋଇଛନ୍ତି । ତେଣୁ ବଜାରଠାରୁ ଆରମ୍ଭ କରି ରାଜନୀତି ଲଗାଏତ ପୃଥିବୀର ବିଦ୍ୟାଳୟଗୁଡ଼ିକ ଯାଏ ଏହି ବର୍ବରମାନଙ୍କର ହିଁ ରାଜତ୍ୱ ଚାଲିଛି । Home rapaxର ରାଜତ୍ୱ ଚାଲିଛି । ପୃଥିବୀର ଜ୍ଞାନ ଓ ବିଜ୍ଞାନ ତାହାରି ପରିଚର୍ଯ୍ୟାରେ ହିଁ ଆପଣାକୁ ଅଧିକତର ପରିମାଣରେ ନିୟୋଜିତ କରି ରଖିଛି । ତେଣୁ ପୃଥିବୀର ଅଧିକତର ମନୁଷ୍ୟ ଭାଗ୍ୟନାମକ ପଥର ତଳେ ବିମୂଢ଼ ଓ ବିବଶ ହୋଇ ରହିଛନ୍ତି-। କାଳକୁ କାଳ ଚକମାନେ ପ୍ରଧାନତଃ ଏହିପରି ଚାଲିବାରେ ଲାଗିଛନ୍ତି ।

 

ବର୍ବରମାନଙ୍କର କାଳ ଯେତେବେଳେ ଅଧିକ ଦର୍ପର ସହିତ ଚାଲୁଛି, ଭଗବାନଙ୍କର ଚକ ସେତେବେଳେ ସତେଅବା ଏକାବେଳେକେ ବନ୍ଦ ହୋଇ ଯାଉଛି । ବିବର୍ତ୍ତନର ଚକ ବନ୍ଦ ହୋଇ ଯାଉଛି । ପ୍ରଧାନତଃ ଅସାମର୍ଥ୍ୟମାନେ ହିଁ ଅସମର୍ଥ ମନୁଷ୍ୟକୁ ବିବିଧ ରଜ୍ଜୁଦ୍ୱାରା ଏପରି ଅବଶ କରି ବାନ୍ଧି ରଖିଛନ୍ତି ଯେ ମଣିଷ ଆଉ ନିଜ ଭିତରକୁ ଅନାଇବା ନିମନ୍ତେ ବି ସାହସ କରି ପାରୁନାହିଁ । ସାହସ କରି ନପାରି ସେ ବର୍ବରତାଗୁଡ଼ାକୁ ହିଁ ଭାଗ୍ୟ ବୋଲି ମାନିନେଉଛି । ଭିତରେ ବୃହତ୍ତରର ପ୍ରତ୍ୟକ୍ଷାନୁଭବ କରିପାରିଲେ ସିନା ସିଏ ବାହାରେ ମଧ୍ୟ ସେହି ବୃହତ୍ତରର ଯନ୍ତ୍ର ହୋଇ ବାହାରି ପାରନ୍ତା, ବିବର୍ତ୍ତନରେ ସତକୁ ସତ ଜଣେ ସହଯୋଗୀର ଭୂମିକା ଗ୍ରହଣ କରି ପାରନ୍ତା । ଯନ୍ତ୍ର ହିଁ ସହଯୋଗ କରିପାରେ, ଅସହାୟ କ୍ରୀଡ଼ାନକ ତାହା କଦାପି କରି ପାରେନାହିଁ । ଯନ୍ତ୍ର ଆପଣାର ଯାବତୀୟ ବଳ ମଧ୍ୟରେ ସେହି ବୃହତ୍ତର ଓ ଶୁଭତମ ବଳର ଅନୁଭବ-ପରିଚୟ ଲାଭ କରିଥାଏ । ପୃଥିବୀର ଅତୀତରେ ପ୍ରାୟ ସକଳ ଯୁଗରେ ଅଧିକସଂଖ୍ୟକ ମଣିଷ ଯନ୍ତ୍ର ହୋଇ ପାରିନାହାନ୍ତି, କ୍ରାଡ଼ାନକର ଦୁର୍ଭାଗ୍ୟକୁ ହିଁ ଭୋଗ କରି ଆସିଛନ୍ତି । ପୃଥିବୀର ଅଧିକତମ ସଂପତ୍ତି ଓ ସଂସ୍କୃତି ପ୍ରଧାନତଃ ମଣିଷକୁ ଏକ କ୍ରୀଡ଼ନକ କରି ରଖିବାରେ ସହାୟତା କରି ଆସିଛନ୍ତି । ସଭ୍ୟତା ଏବଂ ସଂପନ୍ନତା ନାମରେ ଅଧିକାଂଶ କ୍ଷେତ୍ରରେ ମଣିଷର ଗୋଡ଼ରେ ଝୁଣ୍ଟିଆ ପିନ୍ଧାଇ ଦିଆଯାଇଛି-। ଭିତରକୁ ଯେପରି ଆଦୌ କୌଣସି ସଂଯୋଗପଥ ଖୋଲି ନପାରିବ, ସେଥିଲାଗି ରାଜାଧୀଶ ଓ ଜ୍ଞାନାଧୀଶଙ୍କଠାରୁ ଆରମ୍ଭ କରି ଧର୍ମାଧୀଶମାନଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଷଡ଼ଯନ୍ତ୍ର କରି ଆସିଛନ୍ତି-। ଉପନିଷଦ ରଚନା କରିଥିବା ମହାନ୍ ଋଷିମାନେ ଅରଣ୍ୟରେ ଅଲଗା ହୋଇ ରହି ବାହାରର ଆକାଶ ଓ ଅନ୍ତରସ୍ଥ ଆତ୍ମା ଗୋଟିଏ ସୂତ୍ରରେ ଗୁନ୍ଥା ହୋଇ ରହିଛି ବୋଲି ମନ୍ତ୍ରମାନ ଉଚ୍ଚାରଣ କରିଛନ୍ତି ସତ, ମାତ୍ର ସମାଜ ମନୁଙ୍କ ବରାଦ ଅନୁସାରେ ଚାଲିଛି । କାଳକୁ କାଳ ଅଲବତ ଏହିମତେ ଚାଲିବ ବୋଲି ସାଧୁବ୍ୟକ୍ତିର ଡିଣ୍ଡିମ ବଜାଇ ଦିଆଯାଇଛି ।

 

କାଳକୁ କାଳ ମୋଟେ ଏହିମତେ ଚାଲିବ ନାହିଁ । କାରଣ ଉପସ୍ଥିତ ଏହି ଭୂମିଟା ହିଁ ମୋଟେ ମନୁଷ୍ୟ ଲାଗି ଅଭିପ୍ରେତ ଏକମାତ୍ର ଭୂମି ନୁହେଁ । ଅସଲ କାଳ ଅତୀତରେ ଯେପରି ଅନେକ ଭୂମିକୁ ଅତିକ୍ରମ କରି ଆସିଛି, ସିଏ ସେହିପରି ଏହି ଭୂମିଟିକୁ ମଧ୍ୟ ଅତିକ୍ରମ କରି ଚାଲିଯିବ ! ତକ୍ଷକମାନେ ଓ ଇନ୍ଦ୍ରମାନେ କଦାପି ତାର ମାର୍ଗକୁ ଉଗାଳି ରଖି ପାରିବେ ନାହିଁ । ବାଧା ସୃଷ୍ଟି କରିବେ, ବହୁବିଧ ଦାମ୍ଭିକତା ଦ୍ଵାରା ମନୁଷ୍ୟତ୍ୱ ଏବଂ ଦିବ୍ୟତ୍ୱର ଅସଲ ବିଶ୍ଵାସଗୁଡ଼ିକୁ କିୟତ୍କାଳ ପାଇଁ ଅସ୍ପଷ୍ଟ ଏବଂ ଧୂମ୍ରାଭ କରି ରଖିବେ ସିନା, ମାତ୍ର କଦାପି ଅଟକାଇ ରଖି ପାରିବେ ନାହିଁ । ପ୍ରଲୁବ୍‌ଧମାନେ ରହିଯିବେ, । ପ୍ରମତ୍ତମାନେ ବି ରହିଯିବେ; ତଥାପି କାଳର ଚକ ଆଗକୁ ଚାଲିଯିବ, ଲୀଳାର ବୃତ୍ତଟି ବିବର୍ତ୍ତନର ମାର୍ଗ ଧରି ସତେଅବା ଅଭିପ୍ରେତ ହୋଇ ରହିଥିବା ପରି ଆଗକୁ ଆଗକୁ ଗଡ଼ି ଯାଉଥିବ । ଯେଉଁମାନେ ନିଜର ଅନ୍ତର ଭିତରେ ସେହି ଚକଟିକୁ ଅନ୍ତରଙ୍ଗ ଭାବରେ ପ୍ରତ୍ୟକ୍ଷ କରିପାରିବେ, ବାହାରେ ସେହିମାନେ ହିଁ ଯନ୍ତ୍ର ହୋଇପାରିବେ, ଆଗାମୀ କ୍ଷେତ ଲାଗି ସେଇମାନେ ବିହନ ହେବେ । ଏହି ବିହନମାନେ ହିଁ ଯୁଗେ ଯୁଗେ ପୃଥ୍ୱୀବିଧାତାର ଡେଣାଲଗା ପାଦ ହେବାର ମହାଭାଗ୍ୟ ଲାଭ କରିଛନ୍ତି । ବିବର୍ତ୍ତନ-ବିଜ୍ଞାନୀମାନେ ଆଗକୁ ଅନାଇ ପୃଥିବୀ ଲାଗି ଯେଉଁସବୁ ସମ୍ଭାବ୍ୟ ଚିତ୍ରକୁ ଦେଖି ପାରୁଛନ୍ତି, ବିହନମାନେ ହିଁ ସେଥିଲାଗି ନିମିତ୍ତ ହୋଇ ବାହାରିବେ, ଏଠାରେ ଥିବା ଏହି ସବୁକିଛିକୁ ଏକ ଅନୁରୂପ ସଂକଳ୍ପ ଆଣି ଯୋଗାଇଦେବେ-। ଅଳପମାନେ ସେମାନଙ୍କର ପ୍ରାସାଦ ମଧ୍ୟରେ ସମାଧି ଲାଭ କରିବେ, ପଛକୁ ରହିଯିବେ ।

 

ତେଣୁ, କିଏ କୋଉ କାଳକୁ ଆପଣାର ବୋଇତଟିରେ ପାଲ କରି ବାନ୍ଧିବ, ସାଂପ୍ରତିକ ପୃଥିବୀର ମଣିଷମାନଙ୍କୁ ନିଜେ ସେହି ନିଷ୍ପତ୍ତିଟିକୁ କରିବାକୁ ପଡ଼ିବ । କାଳକୁ କାଳ ଏହିମତେ ଅବଶ୍ୟ ଚାଲିବ ବୋଲି ମନ୍ତ୍ର ରଟୁଥିବା ମଣିଷମାନେ ହାତରେ ପାଞ୍ଜି ଧରି ପୃଥିବୀକୁ କେତେ ଚେତାବନୀ ଶୁଣାଇବେ, ନିଜ ଚଉପାଢ଼ୀଗୁଡ଼ିକୁ ସେମାନେ ମୁକ୍ତିମଣ୍ଡପ ବୋଲି କହି କେତେ ଫୁଲେଇ ହେବେ । ସେମାନେ କ୍ରୀଡ଼ନକ ହୋଇ ରହିବାକୁ ହିଁ ନିରାପଦ ମଣିବେ । ଆଗାମୀ ଅସଲ ଯୁଦ୍ଧଟି ସେହି କ୍ରୀଡ଼ନକମାନଙ୍କ ସହିତ ହେବ । କ୍ରୀଡ଼ନକମାନଙ୍କ ସହିତ ଯନ୍ତ୍ରମାନଙ୍କର, ନିମିତ୍ତମାନଙ୍କର ଯୁଦ୍ଧ ହେବ । ଏବେ କିଏ କ୍ଷମତାସ୍ଥାନରେ କ୍ରୀଡ଼ନକ ହୋଇ ରହିଛି, ଆଉକିଏ ବିଦ୍ୟାସ୍ଥାନରେ କ୍ରୀଡ଼ନକ ହୋଇ ରହିଛି, ଭାଗ୍ୟ ହାତରେ କ୍ରୀଡ଼ନକ ହୋଇ ରହିଥିବା ମଣିଷମାନେ ପଲପଲ ହୋଇ ପତାକା ଧରି ବୁଲୁଛନ୍ତି । ସେହିମାନଙ୍କ ସହିତ ହିଁ ନିମିତ୍ତମାନଙ୍କର ଯୁଦ୍ଧ ହେବ । ଅସମ୍ମତମାନଙ୍କ ସହିତ ସମ୍ପତମାନଙ୍କର ଯୁଦ୍ଧ ହେବ । ଅଚେତନତା ସହିତ ଚେତନାର ଯୁଦ୍ଧ ହେବ-। ପୃଥ୍ୱୀ ଉପରେ ନୂତନ ଦିଗ୍‍ବଳୟ ଉନ୍ମୋଚନ ଘଟିବ । କାଳ ହଟିଯିବ, ମନୁଷ୍ୟ ଜିତିବ; ପ୍ରଚଣ୍ଡମାନେ ପରାଭୂତ ହେବେ, ପ୍ରଯୁକ୍ତମାନେ ଜିତିବେ । ପୁରୁଣା ଗଣିତଗୁଡ଼ାକ ଅକାମୀ ହୋଇଯିବ, ଏକ ନୂଆ ଗଣିତରେ ଅନ୍ୟ ଏକ ଭବିଷ୍ୟତର ଆବାହନ ହେବ । ବିଜ୍ଞାନୀମାନେ ତାହାକୁ ହିଁ ମନୁଷ୍ୟର next future ବୋଲି କହିଲେଣି ।

୧୩ । ୧୧ । ୯୦

Image

 

ଗୋଷ୍ଠୀ ଓ ବିବାଦ

 

ସାହିତ୍ୟିକ ଆପଣାକୁ କେବଳ ସାହିତ୍ୟିକ ବୋଲି ଭାବୁଛି । ତେଣୁ ସାହିତ୍ୟ କରୁ କରୁ ଗୋଷ୍ଠୀ ଭିତରେ ଯାଇ ପଶିଯାଉଛି । ଅର୍ଥାତ୍ ଦ୍ୱୀପବାସୀ ହେଉଛି । ଯଦି ସେ ଆପଣାକୁ ମୂଳତଃ ମଣିଷ ବୋଲି ଭାବନ୍ତା, ଯଦି ମୂଳତଃ ଜୀବନକାମୀ ହୁଅନ୍ତା, ତେବେ କଦାପି କୌଣସି ଗୋଷ୍ଠୀ ଭିତରେ ବନ୍ଦୀ ହୋଇ ରହନ୍ତା ନାହିଁ । ବିଚରା ସାହିତ୍ୟ ମଧ୍ୟ ଅନେକ ବିବାଦରୁ ରକ୍ଷା ପାଇପାରନ୍ତା-। ଦୃଷ୍ଟିର ଭେଦ ଅନୁସାରେ ଯେ ଅତ୍ୟନ୍ତ ଅବଶ୍ୟମ୍ଭାବୀ ଭାବରେ ଗୋଷ୍ଠୀ ସୃଷ୍ଟି ହେବ ଏବଂ ସେଥିରୁ ବିବାଦ ଉପୁଜିବ, ତାହାର ଆଦୌ କୌଣସି କାରଣ ନାହିଁ । ଦୃଷ୍ଟିର କ୍ଷେତ୍ରରେ ଏକ ସୁସ୍ଥ ବହୁବିଧତା ରହିଥିଲେ ସେଥିରୁ ଏକ ସୁସ୍ଥ ଡାଇଲଗ୍‌ର ସୃଷ୍ଟି ହେବ ସିନା, ବିବାଦ ହେବ ନାହିଁ-। ଜଣେ ସୁସ୍ଥ ମଣିଷ ମୂଳତଃ ଡାଇଲଗ୍ କାମନା କରିବ ଏବଂ ବିବାଦକୁ ମୋଟେ ଆଗ୍ରହ କରିବ ନାହିଁ । ଯେଉଁ ସମାଜରେ ଏକାଧିକ ସଂସ୍କାରଗତ କାରଣରୁ ପ୍ରାୟ କୌଣସି ଡାଇଲଗ୍‌ ସମ୍ଭବ ହୋଇ ପାରେନାହିଁ, ସେହି ସମାଜରେ ହିଁ ବିବାଦ ଲାଗି ଆବଶ୍ୟକ ଜୀବାଣୁମାନେ କୋଧା ହେବା ପାଇଁ ସୁଯୋଗ ପାଆନ୍ତି । କୋଧା ହୋଇ ସମାଜକୁ ଚରିଯାଆନ୍ତି । ସେମାନେ ସେହି ସମାଜର ସାହିତ୍ୟକୁ ମଧ୍ୟ ଗ୍ରାସ କରନ୍ତି । ସାହିତ୍ୟରେ କେତେ ନା କେତେ ଅସାହିତ୍ୟିକ ନବରଙ୍ଗ ସୃଷ୍ଟି କରିବାରେ ଭାରି ସାହାଯ୍ୟ କରନ୍ତି ।

 

ରାଜନୀତି ଯଦି ଜୀବନକାମୀ ହୁଅନ୍ତା, ତେବେ ରାଜନୀତି ଭିତରେ ଭଳି ଭଳି ଦୃଷ୍ଟି ଓ ମତ ରହନ୍ତା ସତ, ମାତ୍ର ରାଜନୀତି କଦାପି ବିବାଦସର୍ବସ୍ୱ ହୋଇ ରହନ୍ତା ନାହିଁ । ରାଜନୀତି ସମ୍ମୁଖରେ ମଧ୍ୟ ଏକ ଆଦର୍ଶ ରହିଥାଏ; ଅର୍ଥାତ୍ ଏକ ଭବିଷ୍ୟଚିତ୍ର ରହିଥାଏ ଏବଂ ସେହି ଚିତ୍ରଟିକୁ ଧରାତଳକୁ ଲୋକସମ୍ବନ୍ଧ ମଧ୍ୟକୁ ଅବତୀର୍ଣ କରାଇ ଆଣିବାକୁ ଏକ ସଂକଳ୍ପ ମଧ୍ୟ ରହିଥାଏ । ଆଦର୍ଶବାନ୍ ବ୍ୟକ୍ତି ସଂକଳ୍ପବାନ୍ ହୁଏ ଏବଂ ଆପଣାକୁ ପ୍ରଧାନତଃ ଅଧିକରୁ ଅଧିକ ସମର୍ପିତ କରିବା ଦ୍ଵାରା ହିଁ ସଂକଜବାନ୍ ବ୍ୟକ୍ତି ଆପଣାର ଜୀବନରେ ଅଧିକ ପରିପୂର୍ଣ୍ଣତା ଲାଭ କରେ । ତେଣୁ ସତକୁ ସତ ଆଦର୍ଶବାନ୍‌ମାନେ ସଂସାରରେ କଦାପି ବିବାଦୀ ହୁଅନ୍ତି ନାହିଁ, ଏକ ଆରେକୁ କଦାପି ଗିଳି ପକାଇବାର ମନ୍ଦ ଆଗ୍ରହ ରଖନ୍ତି ନାହିଁ । ସେମାନେ ନ୍ୟାୟତଃ ପରସ୍ପରର ପରିପୂରକ ହୁଅନ୍ତି ଓ ପରସ୍ପରକୁ ଆଗକୁ ଆଗକୁ ଯାଉଥିବାର ଦେଖିଲେ ସେମାନେ ସେଥିରୁ କେତେ କେତେ ଉତ୍ସାହ ପାଆନ୍ତି । ମାତ୍ର, ବ୍ୟକ୍ତି ପ୍ରକୃତରେ ଆଦର୍ଶବାନ ହେବାକୁ ହେଲେ ତା' ଭିତରେ ଏକ ସର୍ବନିମ୍ନ ସାଧୁତା ଅବଶ୍ୟ ରହିଥିବା ଦରକାର । ତା’ର ସେହି ସାଧୁତା ଆପଣା ପ୍ରତି, ଆପେ ବାଛି ନେଇଥିବା ପଥଟି ପ୍ରତି ଏବଂ ପଥଚାରଣାଟି ପ୍ରତି । କୋଉଠି ସତକୁ ସତ ଭଲପାଇ ବସିଲେ ଯେପରି ତାହାରି ଐକାନ୍ତିକ ଅନୁରୋଧରେ ପଡ଼ି କାହାକୁ ଘୃଣା କରିବାର କୌଣସି ଆବଶ୍ୟକତା ନ ଥାଏ, ଏହି କଥାଟି ପ୍ରାୟ ସେହିପରି । ଆପଣାଟିକୁ ଅତ୍ୟନ୍ତ ନିଜର ବୋଲି ଦେଖାଇ ପାରିବାକୁ ଆମ ପୃଥିବୀରେ ଅନେକ ମଣିଷ ଅନ୍ୟଗୁଡ଼ିକୁ ପର ବୋଲି ଅନୁଭବ କରନ୍ତି, ପରିପନ୍ଥୀ ବୋଲି ଅନୁଭବ କରନ୍ତି, ଆପଣା ପଥରେ ଏକ ବାଧା ପରି ଅନୁଭବ କରନ୍ତି ଏବଂ ସେଇଟି ସହିତ ଲଢ଼ିବାରେ ଲାଗିଯାଆନ୍ତି । ଲଢ଼ି ଲଢ଼ି ନୟାନ୍ତ ହୁଅନ୍ତି; ଭଲ ପାଇବାଲାଗି, ଶ୍ରଦ୍ଧାରେ ଆପଣାଟିକୁ ସ୍ଵୀକାର କରିନେଇ ବାଟ ଚାଲିବା ସକାଶେ ନିଜ ଅଣ୍ଟାରେ ସବାଆଗ ଯେଉଁ ବଳଟି ରହିଥିବା ଦରକାର, ସେମାନେ ସେହି ବଳକୁ ହରାଇ ବସନ୍ତି । ଅଣ୍ଟାରୁ ଅସଲ ବଳଟି ହଜିଗଲେ ମଣିଷମାନେ ଦୂର୍ଦ୍ଦଣ୍ଡ ହୁଅନ୍ତି । ଦୁର୍ଦ୍ଦଣ୍ଡ ମଣିଷ ଅତ୍ୟନ୍ତ କୁଶଳ ଭାବରେ ପ୍ରହାର କରିପାରେ ସତ, ମାତ୍ର କଦାପି ଭଲ ପାଇ ପାରେନାହିଁ । ଭଲ ପାଇବା ନ ଥିଲେ ଯାବତୀୟ ଆଦର୍ଶ ଏକ ଆଦର୍ଶବାଦିତାରେ ପରିଣତ ହୋଇଯାଏ ।

 

ଆଦର୍ଶବାଦ ନ୍ୟସ୍ତସ୍ୱାର୍ଥକୁ ଜନ୍ମ ଦିଏ । ନ୍ୟସ୍ତସ୍ୱାର୍ଥ ବିବାଦକୁ ପ୍ରେମ କରେ । ଭିତରେ ଆପେ ମୂଳୋତ୍ପାଟିତ ହୋଇଯିବାର ଏକ ଭୟ ତାକୁ ଉପରେ ଭାରି ଉଗ୍ର କରି ରଖିଥାଏ । ଭିତରେ ବିଲୁପ୍ତ ହୋଇଯିବାର ଭୟ ଏବଂ ଉପରେ ଉଗ୍ରତା–ତାହାହିଁ ଯାବତୀୟ ବିବାଦ ଲାଗି ବାଟ ଫିଟାଇ ଦିଏ । ତା'ପରେ ଗୋଷ୍ଠୀମାନେ ଆପଣା ଚାରିପାଖରେ ପାଚେରୀ ଉଠାଇ ସତେଅବା ଦୁର୍ଗଟିଏ ଭିଆଇ ଶତୃ ବିରୋଧରେ ଲଢ଼ି ଯେକୌଣସି ପ୍ରକାରେ ତାକୁ ସଂହାର କରିବା ଲାଗି ଅସ୍ତ୍ର ପକାଇବାରେ ଲାଗିଥାନ୍ତି । ରାଜନୀତିକ ସ୍ୱାଧୀନତା ହାସଲ ହୋଇଯିବା ପରେ ଭାରତବର୍ଷର ରାଜନୀତିକ ନେତୃତ୍ୱ ପ୍ରଧାନତଃ ଏହି ନ୍ୟସ୍ତସ୍ଵାର୍ଥର ପର୍ଯ୍ୟାୟକୁ କ୍ରମଶଃ ଅବନତ ହୋଇ ଆସିଛି । ଯେକୌଣସି ପ୍ରକାରେ କ୍ଷମତାକୁ ଆସିବା ଏବଂ ଯେକୌଣସି ପ୍ରକାରେ କ୍ଷମତାରେ ରହିବା ହିଁ ସତେ ଯେପରି ଆମ ଦେଶରେ ସଂପୃକ୍ତ ରାଜନୀତିକ ଗୋଷ୍ଠୀଗୁଡ଼ିକର ସର୍ବପ୍ରଧାନ ପ୍ରେୟ ଏବଂ ପ୍ରସଙ୍ଗ ହୋଇ ରହିଛି । ରାଜନୀତିକ କ୍ଷମତା କ୍ରମେ ଶାସନର କ୍ଷମତାକୁ ହିଁ ବୁଝାଇ ଆସିଲାଣି ଏବଂ, ଶାସନର କ୍ଷମତା ଏକ ସାମନ୍ତବାଦୀ ଅପସଂସ୍କାର ଦ୍ଵାରା ଜୁଆ ହୋଇ ରହିଥିବା ସମାଜରେ ଅର୍ଥନୈତିକ ଲାଭକୁ ମଧ୍ୟ ବୁଝାଉଛି, ଯଶୋଲାଭକୁ ବୁଝାଉଛି ଆହୁରି କେତେ କ'ଣ ଲାଭ ଓ ଲୋଭକୁ ବୁଝାଉଛି । ରାଜନୀତି ଭିତରେ ଓଷଦ କରିବାକୁ ମଧ୍ୟ ଏତେଟିକିଏ ରାଜନୀତିକ ଆଦର୍ଶ ସତକୁ ସତ ଅଛି ବୋଲି ଆଉ ମନେ ହେଉନାହିଁ । କ୍ଷମତାସୀନ ଦୟା ଦେଖାଇ ଦେଶଟାକୁ ଚିରଦିନ ଆପଣାର ବୋଲକରା କରି ରଖିବ ବୋଲି ହୁଙ୍କାର ମାରୁଛି ଓ ରାଜନୀତିର ଅକଲ ଏବଂ ଇଜ୍ଜତକୁ ମାରା କରି ପକାଉଛି । ସରପଞ୍ଚ ସ୍ତରରୁ ଆରମ୍ଭ କରି ଭୁବନେଶ୍ୱର ଲଗାଏତ ଦିଲ୍ଲୀର ଦରବାରଯାଏ ସଂପୃକ୍ତ ସମସ୍ତେ ସାଆନ୍ତ ହେବାକୁ ହିଁ ଆପଣାର ମୁଖ୍ୟତମ କାମ୍ୟ ରୁପେ ଗ୍ରହଣ କରି ନେଇଛନ୍ତି ଓ ମଉକା ପାଇବା ମାତ୍ରକେ ସରକାରୀ ଦପ୍ତରଠାରୁ ସଭାଗୃହ ଯାଏ ସବୁଠାରେ ଗୋଟାଏ ଗୋଟାଏ ପୂର୍ବକାଳର ସେହି ଗଡ଼ଜାତୀ ରାଜାଙ୍କ ପରି ଦେଖା ଯାଉଛନ୍ତି । ସାଆନ୍ତିଆ ଲଢ଼େଇରୁ ଗୋଷ୍ଠୀମାନେ ଜନ୍ମଲାଭ କରୁଛନ୍ତି । ଜଣେ ଜଣେ ବଡ଼ ଗେଧଙ୍କୁ କେନ୍ଦ୍ର କରି ସାନ ଗେଧମାନେ ଏହି ଗୋଷ୍ଠୀରେ ବୟସ୍ୟ ସାଜୁଛନ୍ତି । ସେଇଥିରୁ ବିବାଦ ଜମୁଛି । ରାଜନୀତି ଚୂଲୀକୁ ଯାଉଛି, ବିବାଦଟା ହିଁ ଠେଙ୍ଗାବାଡ଼ି ହୋଇ ପଦାକୁ ବାହାରି ଆସୁଛି । ଦେଶର ଶିକ୍ଷା-ବ୍ୟବସ୍ଥାଟା ମଧ୍ୟ ସାଆନ୍ତିଆ ଢଙ୍ଗରେ ଏପରି ପୋଚରା ହୋଇ ରହିଛି ଯେ ନିଜ ଦେଶକୁ ଏବଂ ରାଜନୀତିକୁ ବୁଝିବା ଆଗରୁ ନୂଆ ଗୁହ ଖାଉଥିବା ଡାଆଣୀମାନେ ନିଜ ନିଜ ନେତାମାନଙ୍କ ସହିତ ବାନରଯୂଥ ହୋଇ ବାହାରି ପଡ଼ୁଛନ୍ତି ।

 

ପୃଥିବୀର ଧର୍ମଘର ଗୁଡ଼ାକ ଯଦି ସତକୁ ସତ ସବାଆଗ ଧର୍ମକୁ ମନ କରୁଥାନ୍ତେ, ତେବେ ପୃଥିବୀରେ ସେମାନେ ସଂପ୍ରଦାୟ ଅପେକ୍ଷା ଯଥାର୍ଥ ଧର୍ମଚାରଣା ଲାଗି ହିଁ ଅଧିକ ସହାୟତା କରିଥାନ୍ତେ । ବାଟ ଚାଲିବା ଉପରେ ହିଁ ସର୍ବାଧିକ ମହତ୍ତ୍ୱ ଦେଉଥିଲେ ସେମାନେ କଦାପି ଡାଇଲଗ୍‌କୁ ଡରି ନଥାନ୍ତେ । ଏକାଧିକ କାରଣରୁ ପୃଥିବୀରେ ତାହା ହୋଇ ପାରିନାହିଁ । ତେଣୁ ସଂପ୍ରଦାୟ ବଢ଼ିଛି, ବିଜ୍ଞ ପଣ୍ଡିତମାନେ ମଧ୍ୟ ଶ୍ଳୋକ ବୋଲି ସଂପ୍ରଦାୟ ତରଫରୁ ଦିଗ୍‍ବିଜୟ କରି ବାହାରିଛନ୍ତି । ତୁଚ୍ଛା ମନ୍ଦିର ଓ ମସଜିଦ୍‌ଗୁଡ଼ାକୁ ନିଠ କରି ମଦାଳସମାନେ ବିବାଦ ଭିଆଇଛନ୍ତି ଓ ଯାବତୀୟ ଭଗବତ୍‌ଚାରଣାକୁ ବିବାଦର ସେହି ଯଜ୍ଞରେ ଆଣି ଆହୁତି ଦେଇଛନ୍ତି । ଏହି ତଥାକଥିତ ଧର୍ମନିନାଦ ଗୁଡ଼ିକ କ୍ରମେ ରାଜନୀତିକ ମତଲବ ଭିତରକୁ ଆସି କଳୁଷିତ ହୋଇଯାଇଛି । ରାଜନୀତିର ମାଙ୍କଡ଼ମାନଙ୍କୁ ଧର୍ମବ୍ୟାପାରର ସମାଧାନ ନିମନ୍ତେ ଭଲଲୋକ କରି ଡାକି ଅଣାଯାଇଛି । ଏହି ତାମସା ପୃଥିବୀର ପ୍ରତ୍ୟେକ ଧର୍ମରେ ହୋଇଛି, ସତ୍ୟକୁ ପଶାପାଲିରେ ପକାଇ ବିଭିନ୍ନ ବର୍ଣ୍ଣର ଶକୁନିମାନେ କେତେ ନା କେତେ ଆନନ୍ଦ ଲାଭ କରିଛନ୍ତି । ମଣିଷ ସହିତ ମଣିଷକୁ ନିକଟବର୍ତ୍ତୀ କରାଇ ଆଣିବା ପରିବର୍ତ୍ତେ ମଣିଷ ମଣିଷ ଭିତରେ ବହୁବିଧ ଦୂରତାର ଭିଆଣ ହୋଇଛି । ଭେକ, ନାମ, ମୂର୍ତ୍ତି ଓ ପ୍ରତିମାକୁ ଅତିକ୍ରମ କରି ଧର୍ମମାନେ ଆମ ଜୀବନରେ ଭଗବତ୍-ଦର୍ଶନର ପରିମଳଟିର ଶୁଶ୍ରୁଷା କରିଥାନ୍ତେ ସିନା, କ୍ରମେ ବହୁ ବିବାଦ ଏବଂ ବହୁ ଖଳତାର ଷଡ଼ଯନ୍ତ୍ର କରୁଥିବା ପ୍ରତିମା, ଭେକ ଓ ନାମଗୁଡ଼ାକ ହିଁ ଭଗବାନଙ୍କୁ ଗିଳି ପକାଇଛନ୍ତି । ଭଗବାନ ସତେଅବା ଲାଜରା ହୋଇ ନିଜକୁ ଲୁଚାଇ ରଖିଛନ୍ତି, ଏହି ପୃଥିବୀରେ କେବେ ସତକୁ ସତ ଏକ ଯଥାର୍ଥ ଡାଇଲଗ୍ ସମ୍ଭବ ହେବ ବୋଲି ସେ ଅପେକ୍ଷା କରି ରହିଛନ୍ତି । ସତକୁ ସତ ଭକ୍ତଟିଏ ହୋଇପାରିଲେ ସିନା ଆମେ ତାଙ୍କର ଏହି ଦୁର୍ଗତିଟିକୁ ଦେଖି ପାରନ୍ତେ ।

 

ସାହିତ୍ୟିକ ଭିତରେ ଅହଙ୍କାର ପଶିଲେ ସିଏ ଡାଇଲଗକୁ ମନ ନକରି ଗୋଷ୍ଠୀକୁ ଓ ବିବାଦକୁ ଅଧିକ ମନ କରେ । ଗୋଟାଏ ପ୍ରକାରର ପ୍ରମତ୍ତତା ତାକୁ କାବୁ କରିନେଇ ପାରିଲେ ସେ ଆପଣାକୁ କେବଳ ସାହିତ୍ୟିକ ବୋଲି ଦେଖେ, ପୂର୍ଣ୍ଣରୁ ପୂର୍ଣ୍ଣତର ହେବାର ମାର୍ଗରେ ସାହିତ୍ୟକୁ ଏକ ସ୍ଵଧର୍ମପ୍ରେରିତ ସାଧନାଙ୍ଗ ବୋଲି ନଦେଖି ସିଏ ତାକୁ ସତେଅବା କେଉଁ ସିଂହାସନଲାଳସୀର ମୁଣ୍ଡ ଉପରେ ଖୋସା ହୋଇଥିବା ଏକ ପ୍ରଗଳ୍‌ଭତାଲବ୍‌ଧ ମୟୂରପୁଚ୍ଛ ପରି ହିଁ ଦେଖେ । ତା'ପରେ ସାହିତ୍ୟ ଗୋଷ୍ଠୀ ଭିତରକୁ ଲସଡ଼ିପଡ଼େ, ବୟସ୍ୟମାନଙ୍କର ଚାଟୁକାରିତା ମଧ୍ୟକୁ ଲୋଡ଼ିପଡ଼େ । ଠିକ୍ ସେତିକିବେଳେ ଅସଲ ବିବେକମାନେ ଶୋଇ ପଡ଼ିଥିବାର ସୁଯୋଗ ନେଇ କ୍ଷମତାସୀନ ଲୋଲୁପମାନେ ମଧ୍ୟ ସାହିତ୍ୟ ଉପରକୁ ଆଖି ପକାନ୍ତି, ସାହିତ୍ୟଘରେ ଦର୍ପନାରାୟଣୀ ମାର୍କାର ବୃହଦବତାରୀ ଭେଶମାନ ପିନ୍ଧି ଅନ୍ତତଃ ଦଣ୍ଡକ ଲାଗି, ଅନ୍ତତଃ ଏକ ପୋଷାକୀ ବିସ୍ମରଣର ମାଧ୍ୟମରେ ଆପଣାର କ୍ଷୁଦ୍ରତାଜନିତ ସନ୍ତାପଗୁଡ଼ାକୁ ଭୁଲିବାକୁ ଚେଷ୍ଟା କରନ୍ତି । ସେମାନଙ୍କର ନଖ ବାଜି ସାହିତ୍ୟ ବହୁ ଅସାହିତ୍ୟିକତାର କ୍ଷତଦ୍ୱାରା ହତବଳ ହୋଇଯାଏ । ତା'ପରେ ବିବାଦ ହିଁ ସାହିତ୍ୟ ସହିତ ରମଣ କରିବାର ଏକମାତ୍ର ପନ୍ଥା ହୋଇ ରହେ । ସାହିତ୍ୟିକ ବାଟ ହୁଡ଼େ, ଜୀବନକାମୀ ହେବାର ଅଧିକାରକୁ ହରାଇବସେ ।

୨୦ ।୧୧ ।୯୦

Image

 

ନଶ୍ୱର ମାନବଜୀବନ

 

ବ୍ରହ୍ମ ସତ୍ୟ ଜଗତ୍ ମିଥ୍ୟା ବୋଲି ନୂତନ ତତ୍ତ୍ୱଟିଏ ବାହାର କରି ଥୋକେ ପଣ୍ଡିତ ଯେଉଁ ଦିନଠାରୁ ସେହି ତତ୍ତ୍ଵର ରଜ୍ଜୁରେ ଅଲଗା ହୋଇ ଗୁରାଇ ତୁରାଇ ହୋଇ ବସିଲେ ଓ ଆପଣାକୁ ଗଭୀର ଭଗବତ୍‌ନିଷ୍ଠା ସହିତ ମାୟାବାଦୀ ବୋଲି କହିଲେ, ଭାରତବର୍ଷର ଜୀବନରୁ ସତେଅବା ସେହିଦିନଠାରୁ ଭଗବାନ ବିଦା ହୋଇ ଚାଲିଗଲେ । ଭଗବାନ ସତକୁ ସତ କେଉଁ ତତ୍ତ୍ୱଗହ୍ୱର ଭିତରେ ଯାଇ ପ୍ରବେଶ କଲେ କେଜାଣି, ଆମର ଜୀବନରେ ଓ ଆମର ସମ୍ବନ୍ଧରେ ଆଉ କୌଣସି ଭଗବତ୍‌ସ୍ପର୍ଶ ଲାଗି ସ୍ଥାନ ରହିଲା ନାହିଁ । ବ୍ରହ୍ମ ହିଁ ଏକମାତ୍ର ସତ୍ୟ ହୋଇ ଏହି ସଂସାରରୁ ତଡ଼ା ଖାଇଲେ, ତା'ପରେ ସେ ସତେଅବା ଶାସ୍ତ୍ର ଭିତରେ ନିବୁଜ ହୋଇ ରହିଲେ, ଜ୍ଞାତତତ୍ତ୍ୱର ଅହମିକା ଭିତରେ ନିବୁଜ ହୋଇ ରହିଲେ ଏବଂ ପୌତ୍ତଳିକମାନଙ୍କର ରାଜସିକ ଏବଂ ତାମସିକ ନାନାବିଧ ଆପ୍ୟାୟନ ଲାଗି ମନ୍ଦିର ଭିତରେ ନିବୁଜ ହୋଇ ରହିଲେ । ଏହିପରି ନିବୁଜ ହୋଇ ରହିଥିବା ଭଗବାନଙ୍କର ବିହୁନେ ଜଗତଟା ତୁଚ୍ଛା ମିଛ ବୋଲି ପ୍ରତିପାଦିତ ହେଲା ଏବଂ ତୁଚ୍ଛା ମିଛର ଏହି ଗଡ଼ିଆଟାରେ ଥୋକେ ମଣିଷ ସ୍ଵେଚ୍ଛାଚାରୀ ହେବାର ସୁଯୋଗ ଲାଭ କଲେ । କୃଷ୍ଣଙ୍କୁ ପୃଥିବୀରୁ ବହିଷ୍କାର କରିଦେବା ପରେ କଂସାସୁର ଯେତିକି ଆତ୍ମ ପରିତୃପ୍ତି ଲାଭ କରି ଥାଆନ୍ତା, ପ୍ରାୟ ସେତିକି ଆତ୍ମ ପରିତୃପ୍ତି ସହିତ ସଂସାର ମଣ୍ଡଳର କଂସାସୁରମାନେ ସଂସାରକୁ ଭୋଗ କରିବାର ଅନୁମତିପତ୍ର ପାଇଗଲେ । ଭଗବାନ୍ ଯେତେବେଳେ ସଂସାରରେ ନାହାନ୍ତି, ତେବେ ଆମେ ଏଠି ଆଉ ଭୟ କାହାକୁ କରିବା ? ସଂସାରର ଗରିଷ୍ଠମାନେ ଏହି ଯୁକ୍ତିର ଲାଙ୍ଗୁଡ଼ ଧରି ସ୍ୱେଚ୍ଛାଚାରୀ ହେଲେ ଓ କାଳକ୍ରମେ ଭଗବାନଙ୍କ ସମେତ ସମଗ୍ର ସଂସାରକୁ ସତେଅବା ଛେଳି କରି ନିଜ ଦୁଆରେ ଆଣି ବାନ୍ଧି ରଖିଲେ । ଗୋଟାଏ ତତ୍ତ୍ୱଦର୍ଶନକୁ ଆଦୌ କୌଣସି ଦର୍ଶନସାମର୍ଥ୍ୟ ନ ଥିବା ଲୋଭାସକ୍ତମାନେ କିପରି ସଂସାରରେ ଆପଣାର ସ୍ୱେଚ୍ଛାଚାରଗୁଡ଼ିକୁ ଜାରି ରଖିବାର ଏକ ଅତ୍ୟୁପଯୋଗୀ ସାଧନ ରୂପେ ବ୍ୟବହାର କଲେ, ଭାରତୀୟ ଜୀବନ ଇତିହାସ ଉପରେ ଦୃଷ୍ଟିପାତ କଲେ ତାହା ଭାବି ଭାରି ଆଶ୍ଚର୍ଯ୍ୟ ହେବାକୁ ହୁଏ ।

 

ଭାରତବର୍ଷରେ ମାୟାବାଦ ଏକମାତ୍ର ଦାର୍ଶନିକ ବାଦ ନୁହେଁ, ଶଙ୍କରବେଦାନ୍ତ ଏକମାତ୍ର ବେଦାନ୍ତ ନୁହେଁ । ଭାରତର ଷଡ଼୍‌ଦର୍ଶନ ମଧ୍ୟରେ ବେଦାନ୍ତ ପ୍ରକୃତରେ ଛଅଟି ମଧ୍ୟରୁ ଗୋଟିଏ ମତ ବା ଗୋଟିଏ ବ୍ୟାଖ୍ୟା । କେବଳ ଶଙ୍କରାଚାର୍ଯ୍ୟଙ୍କ ବ୍ୟାଖ୍ୟା ବ୍ୟତୀତ ବେଦାନ୍ତର ମଧ୍ୟ ଏକାଧିକ ବ୍ୟାଖ୍ୟା ରହିଛି । ତଥାପି, ଏହି ଭାରତବର୍ଷର ପ୍ରାୟ ସବୁଯାକ ଜୀବନଦର୍ଶନକୁ ଓ ଜୀବନଗତ ଯାବତୀୟ ଅଭିକ୍ରମକୁ ଏବଂ ଜୀବନସମ୍ବନ୍ଧର ସମସ୍ତ ହୃଦୟଟାକୁ ମାୟାବାଦ କାହିଁକି ଓ କିପରି ଏପରି ଗରୁ ହୋଇ ଯେ ଗ୍ରାସ କରି ପକାଇଲା, ଭାରତୀୟ ଜୀବନ-ଦୃଷ୍ଟିର ଆଲୋଚନା କଲାବେଳେ ଶ୍ରୀଅରବିନ୍ଦ ସେଥିରେ ଗଭୀର ବିସ୍ମୟ ପ୍ରକାଶ କରିଛନ୍ତି । ବ୍ରହ୍ମ ସତ୍ୟ ଓ ଜଗତ୍ ମିଥ୍ୟାର ତତ୍ତ୍ୱବାକ୍ୟରେ ପ୍ରତିଭାସର କଥା କୁହାଯାଇଛି । ମାତ୍ର ଅଳପ ଦେଖି ଅଳପକୁ ହିଁ ସକଳ ବୋଲି ଭ୍ରମ କରି ଆମେ କିପରି ପ୍ରତିଭାସ ଭିତରେ ବାନ୍ଧି ହୋଇ ରହୁ ଓ ତେଣୁ ବ୍ରହ୍ମଦର୍ଶନ ବା ସତ୍ୟଦର୍ଶନ କରିପାରୁ ନାହିଁ, ସେହି ବାକ୍ୟଟି ଦ୍ଵାରା ଆମକୁ ତାହାରି ବିଷୟରେ ଅବହିତ କରାଇବାର ଏକ ଉଦ୍ୟମ କରାଯାଇଛି । ସମ୍ୟକ୍ ଭାବରେ ଦେଖିପାରିଲେ ଆମେ ଜଡ଼ ଭିତରେ ମଧ୍ୟ ବ୍ରହ୍ମକୁ ଦେଖିପାରିବା, ଏବଂ ସମ୍ୟକ୍ ଭାବରେ ଦେଖି ନ ପାରିଲେ, ବହୁବିଧ ମୁଗ୍‌ଧତା ଭିତରେ ଆପଣାର ଦୃଷ୍ଟିକାଠିଗୁଡ଼ିକୁ ଆଚ୍ଛନ୍ନ କରି ରଖିଥିବା ଯାଏ ଆମେ ବ୍ରହ୍ମକୁ ମଧ୍ୟ ଏକ ପ୍ରତିଭାସୀ ପୌତ୍ତଳିକତାର ଅତିଚାର ଭିତରେ ଅତ୍ୟନ୍ତ ପ୍ରମତ୍ତ ଭାବରେ ପୋତି ପକାଇବା, ଏତିକି କଥାକୁ ଆମ ଜୀବନଗତ ଯାବତୀୟ ପ୍ରତିବଦ୍ଧତାର ମୀମାଂସକ ସରଣୀ କରି ରଖିଥିବା ପର୍ଯ୍ୟନ୍ତ ଆମେ ଜଗତ ପ୍ରତି, ସେହି ବ୍ରହ୍ମଦ୍ଵାରା ସମ୍ପୂରିତ ହୋଇ ରହିଥିବା ଆମର ଏହି ସମ୍ଭାବନାମୟ ବିପୁଳ ଜୀବନ ପ୍ରତି ଅଧିକରୁ ଅଧିକ ଆକୃଷ୍ଟ ହୋଇ ଆସିବା ସିନା, ଏହି ଜଗତରୁ ବିମୁଖ ହୋଇ ପଳାଇଯିବା କିପରି ? ବ୍ରହ୍ମବାଦୀ ଉପେକ୍ଷାବାଦୀ ହୋଇପାରିବ କିପରି ? ବ୍ରହ୍ମବାଦୀ ସମଗ୍ର ଜଗତଟାକୁ ଆଖି ବୁଜିଦେଇ ଏକ ନିର୍ମମ ଅବଜ୍ଞାର ଗେହ୍ଲାପଣ ଦେଖାଇ କେବଳ ତଥାକଥିତ ନିଜ ମୋକ୍ଷ ଅର୍ଥାତ୍ ନିଜ ସୁଖକୁ ମାଗି ଭଗବାନଙ୍କ ପାଖକୁ ଯାଇପାରିବ କିପରି ? ଶ୍ରୀଅରବିନ୍ଦ ନିଜ ଭାଷାରେ ଏହାକୁ ହିଁ ମାୟାବାଦୀର ନେତି ବୋଲି କହିଛନ୍ତି । କୌଣସି କାରଣରୁ ଏହି ମାୟାବାଦ ଅର୍ଥାତ୍ ଏକ ବିକାରଗ୍ରସ୍ତ ଉପେକ୍ଷାବାଦ ଭାରତୀୟ ଜୀବନଦୃଷ୍ଟିକୁ ଏତେ ପ୍ରବଳ ଭାବରେ କାମୁଡ଼ି ଧରିଛି ଯେ, ବାହାରୁ ଭାରତୀୟ ଦର୍ଶନର ସମୀକ୍ଷା କରୁଥିବା ଆଲୋଚକମାନେ ଏଥିରେ ତୁଚ୍ଛା ନେତି ନେତିର ଏକ ଅନିଷ୍ଟକାରୀ ଜୀବନଦ୍ରୋହୀ ପ୍ରବୃତ୍ତିର ହିଁ ଆଘ୍ରାଣ ପାଇଛନ୍ତି । ପାଶ୍ଚାତ୍ୟ ଜଗତର ବିଖ୍ୟାତ ଦର୍ଶନପ୍ରବକ୍ତା ଆଲବର୍ଟ ସ୍ୱାଇତ୍‌ଜର୍‌ ଭାରତୀୟ ବିଚାର ଓ ଦର୍ଶନ ବିଷୟରେ ଲେଖିଥିବା ଆପଣାର ସମୀକ୍ଷା-ପୁସ୍ତକରେ ଭାରତୀୟ ଜୀବନ-ଦର୍ଶନକୁ ସମଗ୍ରତଃ World and Life Negationର ଏକ ପ୍ରତିନିଧିମୂଳକ ପ୍ରତିମାନ ବା ମଡ଼େଲ୍‌ ବୋଲି ବର୍ଣ୍ଣନା କରିଛନ୍ତି । ଏହି Negation କ’ଣ ଭାରତୀୟ ଦୃଷ୍ଟିକୋଣର ସର୍ବାଗ୍ର ପରିଚୟ ? ଜଗତକୁ ମିଥ୍ୟାମୟ ଓ ବ୍ରହ୍ମବର୍ଜିତ ବୋଲି କୁହାଯିବା ଫଳରେ ଭାରତବର୍ଷରେ ମିଥ୍ୟାଚାରୀମାନଙ୍କର ପ୍ରକୋପ ବୃଦ୍ଧି ପାଇଛି । ଜୀବନକୁ ନଶ୍ୱର ବୋଲି କହୁଥିବା ମାୟାବାଦ ଭାରତବର୍ଷର ଅଧିକାଂଶ ମନୁଷ୍ୟଙ୍କୁ ଭାଗ୍ୟବାଦୀ କରାଇଛି । ଏ ଜୀବନରେ ତୁମେ ଯେତେ ଯାହା କଲେ ମଧ୍ୟ କଦାପି ସୁଖ ପାଇବ ନାହିଁ । କାରଣ ମିଥ୍ୟାମୟ ଜଗତର ସୁଖର ପ୍ରତ୍ୟାଶା ରଖିବା କେବଳ ନିର୍ବୋଧ ମଣିଷର ହିଁ କାର୍ଯ୍ୟ ହେବ । ତେଣୁ ତୁମେ ଏହି ସଂସାରରୁ ବିଦାୟ ନେଇ ଯିବାପରେ ସ୍ଵର୍ଗରେ ଯାଇ ସୁଖଲାଭ କରିବ । ସମ୍ଭବତଃ ଏହି କାରଣରୁ ଭାରତୀୟ ଲୋକ-ପୁରାଣମାନଙ୍କରେ ସ୍ୱର୍ଗ ବିଷୟରେ ଏବଂ ସ୍ୱର୍ଗରେ ଲବ୍‌ଧ ହେଉଥିବା ଅନେକ ସୁଖ ବିଷୟରେ ଏପରି ମନୋରମ ଓ କୋପନପୂର୍ଣ୍ଣ ବ୍ୟାଖ୍ୟାମାନ କରାଯାଇଛି । କ'ଣ କଲେ ତୁମେ ସ୍ଵର୍ଗଲାଭ କରିବ, ମାୟାବାଦର ପୂର୍ଣ୍ଣ ସୁଯୋଗ ନେଇ ଭବନର ପୁରୋହିତତନ୍ତ୍ର ସରଳବିଶ୍ଵାସୀ ମନୁଷ୍ୟମାନଙ୍କର ଚିତ୍ତବିଭ୍ରମ ଲାଗି କମ୍ କର୍ମକାଣ୍ଡର ବ୍ୟବସ୍ଥା କରିନାହିଁ । ମାୟାବାଦ ଅର୍ଥାତ୍ ମାନବଜୀବନକୁ ନଶ୍ୱର ବୋଲି ଘୋଷଣା କରୁଥିବା ଭାଗ୍ୟବାଦ ଭାରତୀୟ ମନୁଷ୍ୟକୁ ଏକ ଅତ୍ୟନ୍ତ ବିରକ୍ତିକର ମାତ୍ରାରେ ସହିଷ୍ଣୁ କରି ରଖିଛି-। ଏଠାରେ ମଣିଷ ସବୁକିଛି ସହିଯାଉଛି । ଦୂରାଚାରୀକୁ ଭଗବାନ ମଲାପରେ ଅବଶ୍ୟ ଦଣ୍ଡ ଦେବେ ବୋଲି ଏକ ମିଛ ସାନ୍ତ୍ୱନା ଦ୍ଵାରା ମୁଗ୍ଧ ହୋଇ ରହି ମନୁଷ୍ୟ ଏହି ଜୀବନରେ ବହୁତର ଦୂରାଚାରକୁ ମୁଣ୍ଡ ପୋତି ସହିଯାଉଛି । ଆପଣା ଜୀବନର ଯାବତୀୟ କାରବାରରେ ସେ ପ୍ରାୟ ଏକ masochist ହୋଇ ରହିଛି । ଆପଣୀକୁ ପୀଡ଼ା ଦେବାରେ ଯେଉଁମାନେ ପରୋକ୍ଷ ଭାବରେ ଏକ ପ୍ରୀତି ଅନୁଭବ କରନ୍ତି, ମନୋବିକାର – ଶାସ୍ତ୍ରରେ ସେହିମାନଙ୍କୁ masochist ବୋଲି କୁହାଯାଏ । masochistର ଭଭା ପାଖଟାରେ ମଣିଷ ଯେତିକି ଆପଣାକୁ କଷଣ ଦେଇ, କଷଣ ସହ୍ୟ କରି ରତିସ୍ପର୍ଶ ଲାଭ କରୁଥାଏ, ତା’ର ପୋତା ପାଖରେ ଏକ sadism ଅତ୍ୟନ୍ତ ସୁନିଶ୍ଚିତ ଭାବରେ ଗର୍ଜନ ତର୍ଜନ କରୁଥାଏ ବୋଲି ମନୋବିଜ୍ଞାନରେ ଯେଉଁ ଅପବାଦ ରହିଛି, ଭାରତୀୟ ଲୋକଜୀବନକୁ ଲକ୍ଷ୍ୟ କଲେ ଅନେକ ପରିମାଣରେ ଆମକୁ ତାହାରି ଏକାଧିକ ନଜିର ମିଳିଯାଏ । ଜୀବନକୁ ଦ୍ୱିଧାବିଭକ୍ତ କରି ରଖିବାର ଲୀଳରେ ମାୟାବାଦ ସମ୍ଭବତଃ ଦ୍ରାକ୍ଷାରିଷ୍ଟ ପରି କାର୍ଯ୍ୟ କରିଥାଏ ।

 

ଈଶ୍ୱରବିଶ୍ୱାସୀ ମାନବଜୀବନକୁ କଦାପି ନଶ୍ନର ବୋଲି କହିବ ନାହିଁ । ଈଶ୍ୱରବିଶ୍ୱାସୀ ପ୍ରତିଭାସ-ସ୍ତରର ସକଳ ଅର୍ଦ୍ଧ-ସତ୍ୟକୁ ଭେଦି କରି ସତ୍ୟର ମର୍ମପ୍ରବେଶ କରିବ । ଖୋଳଗୁଡ଼ାକ ଅଛି ବୋଲି ସେ ଗର୍ଭସ୍ଥ ଅସଲ ସତ୍ୟକୁ କଦାପି ଆଖିଛଡ଼ା କରି ରଖିବ ନାହିଁ । ସତ କଥା କହିଲେ, ଜଣେ ଅବିଶ୍ୱାସୀ ହିଁ ମାନବଜୀବନକୁ ନଶ୍ୱର ବୋଲ କହିବ ଓ ନଶ୍ୱରତା ବ୍ୟତୀତ ଏଠାରେ ଆଉ କିଛିହେଲେ ଦେଖିବାକୁ ସମର୍ଥ ହେବନାହିଁ । ଆପଣାର ଆଖି ଭିତରେ ମଳିନତା ଓ ଖଣ୍ଡିତତା ଭର୍ତ୍ତି ହୋଇ ରହିଥିବା ପର୍ଯ୍ୟନ୍ତ ଆମେ ସଂସାରଟାକୁ ମିଥ୍ୟା ଓ ମାୟା ବୋଲି କହିବାରେ ଲାଗିଥିବା । ଚତୁର ଓ ଆତ୍ମକାମୀ ବ୍ୟକ୍ତିମାନେ ଆପଣା ଘ୍ରାଣନେତ୍ରର ମଇଳା ଓ ବିଭକ୍ତତାଗୁଡ଼ାକୁ ଲୁଚାଇ ରଖିବା ଉଦ୍ଦେଶ୍ୟରେ ସଂସାରଟାକୁ ମିଥ୍ୟା ଓ ମାୟା ବୋଲି କହିବାକୁ ଭାରି ଲାଭଦାୟକ ବୋଲି ମନେ କରିଥାନ୍ତି । ମଇଳା ସଂସାର ଭିତରେ ନଥାଏ, ସେମାନଙ୍କର ନିଜ ଭିତରେ ରହିଥାଏ । ନିଜର ଆଖି ଆଗରେ କୌଣସି ଧୂସର ମିଥ୍ୟାମେଘର ଆଚ୍ଛନ୍ନତାକୁ ସେମାନେ ପ୍ରେୟ ମଣି ଆବୋରି ଧରିଥାନ୍ତି ବୋଲି ସେମାନେ ଆକାଶଟାକୁ ଅସ୍ୱୀକାର କରନ୍ତି ଓ ସୂର୍ଯ୍ୟଦେବ ମୋଟେ ଦିଶୁ ନାହାନ୍ତି ବୋଲି ତତ୍ତ୍ୱର ଲାଙ୍ଗୁଳ ଧରି ଉଦ୍ଦେଶ୍ୟମୂଳକ ଅଭିଯୋଗ କରି ବାହାରି ଥାଆନ୍ତି । ବ୍ରହ୍ମ ଯଦି ପ୍ରକୃତରେ ଆନନ୍ଦମୟ ହୋଇଥିବେ, ତେବେ ଆମର ଏହି ସଂସାର ଭିତରେ ମଧ୍ୟ ଠାବଟିଏ ପାଇବେ ବୋଲି ସେ ଆମର ଚକ୍ଷୁରୁନ୍ମୀଳନ ଲାଗି ଅବଶ୍ୟ ଅପେକ୍ଷା କରି ରହିବେ । ଯଦି ବହ୍ମ ପ୍ରକୃତରେ ଚେତନାମୟ ବା ଚିଦ୍‌ଘନରୂପ ହୋଇଥିବେ, ତେବେ ସେ ଆମ ସମସ୍ତଙ୍କୁ ଚେତନାସଚଳ ଓ ଉଦ୍ୟମଯୁକ୍ତ କରି ରଖିବାରେ ଅବଶ୍ୟ ଆଗ୍ରହ ରଖିଥିବେ । ବହ୍ମ ଯାହା ହୋଇଥାନ୍ତୁ ପଛକେ, ତାଙ୍କଠାରେ ବୈରାଗ୍ୟର, ବିମୁଖତାର ଲେଶମାତ୍ର ହିଁ ନ ଥିବ । ସିଏ ପ୍ରୀତିଯୁକ୍ତ ହୋଇଥିବେ । ଜୀବନପ୍ରୀତିର ସେତୁ ପକାଇ ତାଙ୍କୁ ଧରିପାରିଲେ ଆମେ ନିଜର ଛାତି ଭିତରେ ମଧ୍ୟ ତାଙ୍କୁ ଅନୁଭବ କରିପାରିବା, ଅତ୍ୟନ୍ତ ସାକାର ଭାବରେ ଅନୁଭବ କରିପାରିବା ।

 

ସେତୁଟିଏ ପକାଇ ତାଙ୍କ ସହିତ ଆପଣାକୁ ବାନ୍ଧିବା, ଭିତର ଓ ବାହାର ମଧ୍ୟରେ ରହିଥିବା ଏହି ତଥାକଥିତ ବ୍ୟବଧାନଗୁଡ଼ିକୁ ଅତିକ୍ରମ କରିବା, ତାହାହିଁ ଆଧ୍ୟାତ୍ମିକ ସାଧନା । ଏହି ସଂସାରକୁ ଓ ଜୀବନକୁ ନଶ୍ଵର ବୋଲି କହି, ମାନବଲାଗି କାଳକାଳରୁ ଅଭିପ୍ରେତ ହୋଇ ରହିଥିବା ଈଶ୍ଵରୀୟ ପାରସ୍ପରିକତାକୁ ଅସ୍ୱୀକାର କରି ଆତ୍ମରତି ଓ ଆତ୍ମକାମୀ ହୋଇ ରହିବା, ତାହା ଆମକୁ ସତେଅବା କୌଣସି କୋରଡ଼ ଭିତରେ ରହି ଆପଣାର ତାପଗୁଡ଼ିକ ଦ୍ଵାରା ଆପେ ସିଝିବାରେ ଏକ ଅନ୍ୟକୋପନ ଯୋଗାଇ ଦେଇଥାଏ । ଭାରତବର୍ଷର ମଣିଷ ପ୍ରୀତିଦ୍ଵାରା ବଞ୍ଚି ଶିଖୁ, ପ୍ରୀତିଦ୍ୱାରା ହିଁ ସେ ଆପଣା ମଧ୍ୟରେ ରହିଥିବା ଅନନ୍ତ ସମ୍ଭାବନାର ଆବିଷ୍କାର କରୁ । ସେ ସଂସାର ଭିତରେ ବ୍ରହ୍ମକୁ ଠାବ କରୁ । ପରସ୍ପର ଭିତରେ ବ୍ରହ୍ମକୁ ଠାବ କରୁ । ତେବେଯାଇ ଭାରତବର୍ଷକୁ ସତେଅବା ଗିଳି କରି ରହିଥିବା ମନୁଷ୍ୟକୃତ ଯାବତୀୟ ଅବର୍ଜିଆଗୁଡ଼ାକୁ ସେ ଅବର୍ଜିଆ ବୋଲି କହି ପାରିବାର ସାହସ ଅର୍ଜନ କରିବ, ନିଜର ବଳ ସେ ନିଜ ଭିତରୁ ପାଇବ । ସେହି ବଳରେ ସେ ଏହି ଅବର୍ଜିଆଗୁଡ଼ିକୁ ବଦଳାଇ ଦେଇପାରିବ । ଅନ୍ୟମାନଙ୍କ ସହିତ ଏକତ୍ର ବାଟ ଚାଲିବାର ଓ ପରସ୍ପର ଭିତରେ ବିରାଟର ଆବିଷ୍କାର କରିବାଲାଗି ଆବଶ୍ୟକ ବିଶ୍ୱାସଟିକୁ ଅର୍ଜନ କରିପାରିବ ।

୨୭ । ୧୧ । ୯୦

Image

 

ସଂହତି ଏବେ ମଧ୍ୟ ବହୁ ଦୂର

 

ସଂହତି କ’ଣ ଏକ ରାଜନୀତିକ ଶବ୍ଦ, ଏକ ରାଜନୀତିକ ଆଦର୍ଶ ? ସାଧାରଣତଃ ଏକଛତ୍ରବାଦୀ ଶାସକମାନେ ହିଁ ସଚରାଚର ସଂହତିର କଥା କହନ୍ତି । ଜର୍ମାନୀରେ ମହାପ୍ରଚଣ୍ଡ ହିଟ୍‍ଲର ରାଜତ୍ୱ ବେଳେ ହିଁ ସବୁଠାରୁ ଅଧିକ ବାଣ ମରାହୋଇ ଜାତି ଓ ସଂହତି କଥା କୁହାଯାଉଥିଲା । ସ୍ୱୟଂ ହିଟ୍‍ଲର୍ ତ ଜର୍ମାନୀ ଜାତିପ୍ରତି ତାଙ୍କର ଉଦ୍‍ବୋଧନୀ ସଭାମାନଙ୍କରେ Du bist nichts, dein Volk ist alles – ଜଣେ ବ୍ୟକ୍ତି ହିସାବରେ ତୋର କୌଣସି ମୂଲ୍ୟ ନାହିଁ, ତୋ ଜାତି ହେଉଛି ସବୁକିଛି ବୋଲି କହୁଥିଲେ ଓ ସଭାରେ ସମବେତ ମନୁଷ୍ୟପଲମାନେ ପ୍ରାୟ ପ୍ରମତ୍ତ ଭାବରେ ହାତମୁଠାକୁ ଉପରକୁ ଉଠାଇ Heil Hitler ବୋଲି ଚିତ୍କାର କରୁଥିଲେ ଏବଂ ନେତାଙ୍କ ଉଦ୍‍ବୋଧନର ଜବାବ ଦେଉଥିଲେ । ସେତେବେଳେ ଜର୍ମାନୀ ଦେଶରେ କେଡ଼େ ବଢ଼ିଆ ସଂହତି ନଥିଲା ! ଏବେ ମଧ୍ୟ ଆମ ପୃଥିବୀରେ କୁନି ଏକଛତ୍ରବାଦୀମାନେ ଅଛନ୍ତି, ଯେଉଁମାନେ କି ମଣିଷମାନଙ୍କର ମୁହଁରେ ଅନୁ ଓ ସେମାନଙ୍କର ହାତରେ କର୍ମ ଯୋଗାଇବା ପୂର୍ବରୁ ସେମାନଙ୍କୁ ଜାତୀୟ ସଂହତିର ପାଳ ଖୁଆଇବାରେ ଭାରି ତତ୍ପର ହୋଇ ଲାଗିଛନ୍ତି ! ଆମ ପୃଥିବୀରେ ସାଂପ୍ରତିକ ଭାଷାରେ ଯେଉଁସବୁ ଦେଶକୁ ତୃତୀୟ ବିଶ୍ଵ ବୋଲି କୁହାଯାଉଛି, ସେଠାରେ ମଧ୍ୟ ଶାସକମାନେ ସତେଅବା ଗଗନ ଫଟାଇ ଜାତୀୟ ସଂହତିର କଥା କହୁଛନ୍ତି । ଉପରକୁ ଦେଖିବାକୁ ଏମାନଙ୍କ ମଧ୍ୟରୁ କେତେକ ଦେଶରେ ଗଣତନ୍ତ୍ରର ପଦ୍ଧତିରେ ଶାସନ ଚାଲିଛି ସତ; ମାତ୍ର ସାମନ୍ତବାଦ ତଥାପି ଯାଇନାହିଁ । ଯଦି ଗଣତାନ୍ତ୍ରିକ ସାମନ୍ତବାଦ ବୋଲି ଆମ ପରିଭାଷାରେ ଗୋଟିଏ ନୂତନ ଶବ୍ଦର ଭିଆଣ କରାଯାଇ ପାରେ, ତେବେ ହୁଏତ କୁହାଯିବ ଯେ ଏସବୁ ଦେଶରେ ସେହି ଗଣତାନ୍ତ୍ରିକ ସାମନ୍ତବାଦ ହିଁ ଚାଲିଛି । ପୁରୁଣାଗୁଡ଼ାକ ଆଦୌ ଭାଙ୍ଗିନାହିଁ, ଅଥଚ ନୂଆଟାକୁ ଏକ ଅଭିଲା ଖୋଳ କରି ପିନ୍ଧାଇ ଦିଆଯାଇଛି ।

 

ଗଣତାନ୍ତ୍ରିକ ସାମନ୍ତବାଦ ଅର୍ଥାତ୍‍ ଉନବିଂଶ ଶତାବ୍ଦୀର ଭାଷାରେ ନବବାବୁ ବିଳାସ । ଏହାକୁ ଆମେ ଯଥୋଚିତ ସମ୍ମାନର ସହିତ ଏକ ନବ୍ୟ ସାମନ୍ତବାଦ ମଧ୍ୟ କହି ପାରିବା । ଏହି ସାମନ୍ତବାଦରେ ସର୍ବୋଚ୍ଚ ସ୍ଥାନରେ ବସିଥିବା ରାଜାମାନଙ୍କଠାରୁ ଆରମ୍ଭ କରି ଘୋଡ଼ାଶାଳରେ ଶାସନ ନାମକ ପିଠାର ବିନ୍ଧ ଗଣୁଥିବା ଅମଲାମାନଙ୍କ ପର୍ଯନ୍ତ ସମସ୍ତେ ଆଗ ସାମନ୍ତ, ତା'ପରେ ଯାଇ ଆଉ ଯାହା କିଛି । ଏହି ସାମନ୍ତମାନଙ୍କର ଚେର ଗୁଡ଼ିକ ଦେଶ ସହିତ ଲାଗି ନାହିଁ, ଦେଶର ମଣିଷମାନଙ୍କ ସହିତ ଲାଗିବା ତ ଆହୁରି ଅଧିକ ଦୂରର କଥା । ସାମନ୍ତମାନେ ଭାଷଣ ଦେବା ସମୟରେ ଉଡ଼ାଜାହାଜରେ ବସି ଆକାଶରେ ଉଡ଼ନ୍ତି, ଯୋଜନା କଲାବେଳେ ବହୁ ସବୁଜ ସମ୍ଭାବନାର ସ୍ଵପ୍ନମାନ ଦେଖନ୍ତି ଏବଂ ଉଆସମାନଙ୍କରେ ଜୀବନଯାପନ କରୁଥାନ୍ତି । ସାମନ୍ତମାନେ ସ୍ୱଭାବତଃ ରୋମାଣ୍ଟିକ୍ ନିର୍ଧୂମ୍ ଭୂଇଁଛଡ଼ାମାନେ କାଳେ କାଳେ ଯେମିତି ରୋମାଣ୍ଟିକ୍, ଏମାନେ ମଧ୍ୟ ଠିକ୍ ସେହିପରି ରୋମାଣ୍ଟିକ୍ । ସମ୍ଭବତଃ ସେହି କାରଣରୁ ଏହି ତୃତୀୟ ବିଶ୍ଵର ଅଧିକାଂଶ ଦେଶରେ ଆମେ ଦେଖିବାକୁ ପାଇବା ଯେ ସେଠି ସାହିତ୍ୟ ମଧ୍ୟ ତଥାପି ଆଧୁନିକ ଯୁଗକୁ ଆସିନାହିଁ । ସାହିତ୍ୟ ଭିତରେ ଗୋଟାଏ ତଥାକଥିତ ଆଧୁନିକ ଯୁଗ ରହିଛି ସତ; ମାତ୍ର ସାହିତ୍ୟର ଦୃଷ୍ଟିଟି ଭାରି ରୋମାଣ୍ଟିକ୍ ହୋଇ କଳ୍ପନାର ନାନାବିଧ ବାଟିକାରେ ବିହରଣ କରିବାରେ ଲାଗିଛି । ଭୂଇଁ ଛୁଇଁବାକୁ ମୋ ମନ କରୁନାହିଁ । ହଁ, ଅତ୍ୟନ୍ତ ଯୁକ୍ତିଯୁକ୍ତ ଭାବରେ ଗାଦୀରେ ବସିଥିବା ରାଜାମାନେ ଏହି ସାହିତ୍ୟକୁ ଅଧିକ ବୁଝୁଛନ୍ତି ଓ ସାହିତ୍ୟିକମାନେ ଚନ୍ଦନପାଟୀ ଲଗାଇ ସିଂହାସନୀମାନଙ୍କ ହାତରୁ ଉପାୟନ ଓ ଅନ୍ୟାନ୍ୟ ଅପ୍ୟାୟନମାନ ଗ୍ରହଣ କରୁଛନ୍ତି ସିନା, ମାତ୍ର ଦେଶର ମଣିଷମାନେ ତାହାକୁ ମୋଟେ ବୁଝି ପାରୁନାହାନ୍ତି । ପ୍ରେମରେ ଲୁହ ଗଡ଼ୁଛି, କ୍ଷୋଭରେ ଲୁହ ଗଡ଼ୁଛି, ନିଃସଙ୍ଗତାରେ ଲୁହ ଗଡ଼ୁଛି ସିନା, ମାତ୍ର ସେଗୁଡ଼ାକ ଯାବତୀୟ ପ୍ରେମ, ବେଦନା ଓ ସଙ୍ଗୀନୁଭୂତିର ଭୂଇଁକୁ ଆଦୌ ସ୍ପର୍ଶ କରି ପାରୁନାହିଁ । ଇଉରୋପର ଅନୁକରଣରେ ଏସବୁ ସାହିତ୍ୟରେ ଯୁଗମାନଙ୍କର ସୁମାରି ହେଉଛି ଏବଂ ଇଉରୋପୀୟ ଖୁଣ୍ଟ ଏବଂ ଇଉରୋପୀୟ ପଘାରେ ବନ୍ଧା ହୋଇଥିବା ପାଠପଢ଼ା ସାହିତ୍ୟିକମାନେ ଆପଣାର ଏହି ରମଣଯୁଗଟାକୁ ହିଁ ଅନନ୍ତ ସରାଗରେ ଆଧୁନିକ ଯୁଗ ବୋଲି କହୁଛନ୍ତି ।

 

ତୃତୀୟ ବିଶ୍ୱରେ ବାବୁମାନେ ହିଁ ସଂହତିର କଥା କହୁଛନ୍ତି । ବଞ୍ଚିତମାନେ ବଞ୍ଚିତ ହୋଇ ରହିଛନ୍ତି । ବୋକାମାନେ ସତେଅବା ବିଧାତାର ବିଧାନ ଅନୁସାରେ ବୋକା ହୋଇ ରହିଛନ୍ତି । ସଂହତିକୁ ପ୍ରଣାମ ଜଣାଇବା ନିମନ୍ତେ କେନ୍ଦ୍ର ମସନଦମାନଙ୍କରେ ସଭା ବସୁଛି । ସେଠାରେ ସବାବଡ଼ମାନେ ବକୃତା ଦେଉଛନ୍ତି । ଏହି ଘୋର ସଂକଟ ସମୟରେ ଜାତୀୟ ସଂହତି ଦେଶର ସର୍ବପ୍ରଧାନ ଆବଶ୍ୟକତା ବୋଲି ବଜ୍ରଗମ୍ଭୀର ସ୍ଵରରେ ଘୋଷିତ ହେବାରେ ଲାଗିଛି । ସବା ବଡ଼ମାନେ ପଇସାଘରର କାରବାର କରୁଛନ୍ତି ଯେତେବେଳେ, ସେତେବେଳେ ସେମାନଙ୍କ ବ୍ୟତୀତ ସଂହତିର କଥା କହିବା ଲାଗି ଆଉ କାହାର କାହିଁକି କୌଣସି ଅଧିକାର ରହିବ ? ଆମେ ଯଦି ସଂହତିକୁ ଏକ ଅଟ୍ଟାଳିକା ସହିତ ତୁଳନା କରିବା, ତେବେ ଏହା ଅତ୍ୟନ୍ତ ସହଜବୋଧ୍ୟ କଥା ଯେ, ସେହି ଅଟ୍ଟାଳିକାର ମୂଳଦୁଆ ସବୁଠାରୁ ଅଧିକ ଟାଣ ହୋଇ ତିଆରି ହେବ । ଅଟ୍ଟାଳିକାଟି ଯେଉଁ ଭୁଇଁକୁ ହିଁ ଆଶ୍ରାକରି ତାହା ଏଡ଼େ ଉଚ୍ଚ ହୋଇ ଠିଆହୋଇ ରହିଛି, ସେହି ସ୍ତରରେ ହିଁ ତାହା ସବୁଠାରୁ ଅଧିକ ମଜବୁତ ହୋଇଥିବ । ଜାତୀୟ ସଂହତି କହିଲେ ଯଦି ବସ୍ତୁତଃ ଏକ ଚେତନାକୁ ବୁଝାଏ, ତେବେ ଜାତିର ଅର୍ଥାତ୍‍ ସମାଜର ସବାତଳ ସ୍ତରଗୁଡ଼ିକ ହିଁ ସବୁଠାରୁ ଅଧିକ ସଚେତନ ଓ ସଜାଗ ହୋଇ ରହିଥିବ । ଆମର ତୃତୀୟ ବିଶ୍ଵଟିରେ କୋଉଠି କ'ଣ ଗୋଟାଏ ଅନ୍ଧ ଇଲାକା ରହିଯାଇଛି କେଜାଣି, ସବୁଠାରେ ଏହି ସବାତଳ ସ୍ତରଗୁଡ଼ିକ ହିଁ ଅବହେଳିତ ହୋଇ ରହିଛି । ବହୁ ଉପେକ୍ଷା ଏବଂ ଅବଜ୍ଞାଦ୍ୱାରା ସତେ ଅବା ଅଭିଶପ୍ତ ହୋଇ ରହିଛି । ସେଠି ପେଟକୁ ଦାନା ନାହିଁ, ବାହୁରେ ବଳ ରହିଥିଲେ ମଧ୍ୟ ଜୀବିକା ଅର୍ଜନ କରିପାରିବା ଲାଗି କାମ ନାହିଁ । ମଣିଷମାନଙ୍କର ନିଜର ବୋଲି କହିପାରିବାକୁ ଖଣ୍ଡେ ଡିହ ନାହିଁ ଏବଂ ପିଲାମାନଙ୍କର ମଥା ଲାଗି ପାଠ ମଧ୍ୟ ନାହିଁ । ଉପର ମହଲାଗୁଡ଼ିକର ପାଟଳିପୁତ୍ରରେ ସାମନ୍ତମାନେ ଚଣ୍ଡଧର୍ମ ହୋଇ ବସିଛନ୍ତି ଓ ସେହି ଉପେକ୍ଷା ଅବଜ୍ଞା ଏବଂ ଉଦାସୀନତାଗୁଡ଼ାକର ବରାଦ କରିବାରେ ଲାଗିଛନ୍ତି ଏବଂ ପାଟକନାରେ ଗୁରାହୋଇ ରହିଥିବା ସନନ୍ଦମାନଙ୍କରେ ସଂହତିର ପ୍ରଚାର କରାଯାଉଛି । ଅନୁଗ୍ରହର ଭେଳିକି ଲଗାଇ ଯେତିକି ବିଧାନ ତଳଲାଗି ଉଦ୍ଦିଷ୍ଟ ହୋଇ ଉପରୁ ଆସୁଛି, ମଝିରେ ବସିଥିବା କୁନି ଓ କୁଜି ସାମନ୍ତମାନେ ତାହାକୁ କେଡ଼େ ବାଗରେ ଚଳୁ କରି ଦେଉଛନ୍ତି । ଏହିପରି ଚଳୁ କରିଦେବା ନିମନ୍ତେ ସେମାନେ ସତେଅବା ଉପରୁ ଆବଶ୍ୟକ ଅନୁମତିପତ୍ରଗୁଡ଼ିକୁ ମଧ୍ୟ ହାସଲ କରି ଆଣିଛନ୍ତି । ସଂହତି କଲବଲ ହେବାରେ ଲାଗିଛି ।

 

ସଂହତି ହେଉଛି ଏକ ପରିଣାମ, ଏହା ଏକ କାରଣ ନୁହେଁ । ଆଗ ସଂହତି ଆସିଲ ତା'ପରେ ଯାଇ ଯେ ଗୋଟିଏ ଦେଶକୁ ସୁଚାରୁ ଏବଂ ସୁଦୃଢ଼ ଭାବରେ ନିର୍ମାଣ କରାଯାଇ ପାରିବ, ସେକଥା ଆଦୌ ସତ ନୁହେଁ । ଦେଶକୁ ସୁଦୃଢ଼ ଓ ସୁଚାରୁ ଭାବରେ ନିର୍ମାଣ କରିବା ନିମନ୍ତେ ସତକୁ ସତ ମନ ଦେଲେ ତଦ୍ୱାରା ସାରା ଦେଶରେ ଯେଉଁ ପ୍ରତୀୟ ଜନ୍ମଲାଭ କରିବ, ତାହାର ପରିଣାମ ହେଉଛି ସଂହତି । ପୃଥିବୀର ଯେଉଁସବୁ ଦେଶରେ ସଂହତି ସମ୍ଭବ ହୋଇଛି, ସେଠାରେ ସବାଆଗ ସେହି ପ୍ରତ୍ୟୟଟିର ସୃଷ୍ଟି କରାଯାଇଛି, ତଳୁ ଉପରଯାଏ ମଣିଷଙ୍କ ଲାଗି ସୁଯୋଗ୍ୟ ଭୂମିଗୁଡ଼ିକୁ ଯୋଗାଇ ଦେବାର ଏକ ଆନ୍ତରିକ କର୍ମପନ୍ଥା ଅବଲମ୍ବନ କରାଯାଇ ହିଁ ସେହି ପ୍ରତ୍ୟୟଟିକୁ ସମ୍ଭବ କରାଯାଇଛି । ଉପରଟା ଯେପରି ତଳକୁ ମଧ୍ୟ ଆପଣା ସହିତ ସାମିଲ କରି ଚିନ୍ତା କରିପାରିବ, ସେଥିଲାଗି ସେହିସବୁ ଦେଶରେ ଅତୀତରେ କେତେ ସଂଘର୍ଷ ଓ ବିପ୍ଳବ ମଧ୍ୟ ହୋଇଛି । ଯଥାର୍ଥ ଜାତୀୟ ନେତୃତ୍ୱଟିଏ ସମ୍ଭବ କରିହେବ ବୋଲି କେତେ ଅପନେତୃତ୍ୱ ବିରୋଧରେ ଖଡ଼୍‍ଗ ଉତ୍ତୋଳନ କରାଯାଇଛି । ଗୋଟିଏ ଦେଶର ସମସ୍ତଙ୍କ ଲାଗି ସମାନ ସୁଯୋଗ, ସମାନ ଅଧିକାର, ସମାନ କର୍ତ୍ତବ୍ୟ ଏବଂ ସମାନ ଆଲୋକ – ଆମେ ଏହାକୁ ହିଁ ସାମଗ୍ରିକ ସକଳ ସଂହତି ଲାଗି ଅତ୍ୟାବଶ୍ୟକ ପୂର୍ବଭୂମି ବୋଲି କହିବା । ଯେକୌଣସି ଉପାୟରେ ବା ଯେତେ ଯାହା ଭୁଲ୍‍କରି ହେଉ ପଛକେ, ସବାଆଗ ଏହି ଭୂମିଟିକୁ ହିଁ ସାଧ୍ୟ କରିବାକୁ ହେବ । ଏହି ଭୂମିର ଆହ୍ୱାନଗୁଡ଼ିକର ସବାଆଗ ସମ୍ମୁଖୀନ ହେବାକୁ ପଡ଼ିବ ଓ ସବାଆଗ ସମାଧାନ ବାହାର କରିବାକୁ ହେବ । ତେବେଯାଇ ସେହି ଦେଶରେ ସ୍ୱାଭାବିକ ଭାବରେ ସଂହତି ଆସିବ । ତା'ପରେ ସଂହତି ଲାଗି ଆଉ କୌଣସି ସ୍ୱତନ୍ତ୍ର ପ୍ରଚାର ଅଥବା ସ୍ୱତନ୍ତ୍ର ଉଦ୍‍ଗାର ଆବଶ୍ୟକ ହେବନାହିଁ । ମାତ୍ର ଦେଶର ରାଜନୀତିକ ନେତୃତ୍ୱ ନାନା ଅସମ୍ମତା କିମ୍ବା ଅସମର୍ଥତାର କାରଣରୁ ଏହି ସର୍ବପ୍ରାଥମିକ କଥାଟିକୁ ଟାଳି ରଖିବାର ଚତୁରତା କରୁଥିବା ପର୍ଯ୍ୟନ୍ତ ବହୁ ମିଛ ଧର୍ମ ଓ ମିଛ ଆନ୍ଦୋଳନର ନେତାମାନେ ସେଠାରେ ଉପଦ୍ରବ କରୁଥିବେ ଓ ସେହିମାନେ ହିଁ ସତେଅବା ସବୁଯାକ ସତକଥା କହୁଛନ୍ତି ବୋଲି ଏକ ଭେଳିକି ସୃଷ୍ଟି କରି ରଖିଥିବେ । ମିଛ ନିଆଁଗୁଡ଼ାକୁ ନିଭାଇବାରେ ହିଁ ଶାସକମାନଙ୍କର ସର୍ବାଧିକ ସମୟ ଓ ଶକ୍ତି ବ୍ୟୟିତ ହେବାରେ ଲାଗିଥିବ ।

 

ଯଥାର୍ଥ ନେତୃତ୍ୱର ଅଭାବରୁ ତୃତୀୟ ବିଶ୍ଵର ଦେଶମାନଙ୍କରେ ଆମେ ଆଜି ପ୍ରଧାନତଃ ସେହି ତାମସାମାନ ହିଁ ଦେଖିବାକୁ ପାଇବା । ସେଠାରେ ସରକାରୀ ତଥା ଅଣସରକାରୀ ଉଭୟ କିସମର ସନ୍ତ୍ରାସବାଦ ଆପଣାର ଉପଦ୍ରବ ଲାଗି ପ୍ରାୟ ଏକ ନିରଙ୍କୁଶ କ୍ଷେତ୍ର ପାଇ ସବୁଠାରୁ ଅଧିକ ଗୋଳ ଭିଆଉ ଥିବାର ଦେଖିବାକୁ ପାଇବା । ମାତ୍ର, ଭଗବାନ କରନ୍ତୁ, ଏହି ଗୋଳଗୁଡ଼ାକ ଭିତରେ ଦେଶରେ ବାସ କରୁଥିବା ବହୁସଂଖ୍ୟକ ମଣିଷମାନଙ୍କ ଅସଲ ଆବଶ୍ୟକତାଗୁଡ଼ିକର ପୁରଣ ନିମନ୍ତେ ରହିଥିବା ସର୍ବାଗ୍ର ଅଧିକାରଟି ଯେପରି ପୋତି ହୋଇ ନପଡ଼ୁ । ସାମନ୍ତମାନେ ନିଜର ବଦଳାନ୍ତୁ, ନଅର ଭିତରୁ ବାହାରି ଭୂଇଁକୁ ଆସନ୍ତୁ । ଦେଶଟାକୁ ସେମାନେ ଆପଣା ମହତ୍ତ୍ୱାକାଂକ୍ଷାର ଚାରଣଭୂମି ବୋଲି ନଭାବି କୋଟି କୋଟି ମଣିଷଙ୍କର ଭାଗ୍ୟ ତଥା ଭବିଷ୍ୟତର ମୀମାଂସକ ଭୂମି ବୋଲି ଭାବନ୍ତୁ । ସଂହତିର ଗୀତ ଗାଇ ଶିଖାଇଲେ ସଂହତି ଆସେନାହିଁ, ଭାବପ୍ରବଣତା ଦ୍ଵାରା ଅସଲ ଅଭାବଗୁଡ଼ିକ ମୋଟେ ଦୂର ହୁଏନାହିଁ । ଅନ୍ତତଃ ଆମର ଏହି ଗୋଟିଏ ଦେଶ ଭାରତବର୍ଷରେ ଚାରିଆଡ଼କୁ ଆଖି ପକାଇ ଆମେ ଏହି ସତ୍ୟଟିକୁ ହୃଦୟଙ୍ଗମ କରିବା ଏବଂ ଅସଲ ଭୂଇଁଗୁଡ଼ିକୁ ଲୋଡ଼ି ବାହାରିବା ।

୪ । ୧୨ । ୯୦

Image

 

ପରିଶିଷ୍ଟ

ବିଶ୍ୱଶାନ୍ତି ଲାଗି ରାଷ୍ଟ୍ରସ୍ତରୀୟ ଉଦ୍ୟମ

 

ବିଶ୍ଵଯାକ ମଣିଷ ସମସ୍ତେ ଶାନ୍ତି ଚାହାନ୍ତି । ମନୁଷ୍ୟର ବିକାଶ ଲାଗି ଶାନ୍ତି ଅପରିହାର୍ଯ୍ୟ-। ଏହି ବିକାଶ ମଧ୍ୟରେ ଆର୍ଥିକ ବିକାଶ, ସାମାଜିକ ବିକାଶ ଓ ରାଜନୀତିକୁ ବିକାଶ ସବୁକିଛି ଅନ୍ତର୍ଭୁକ୍ତ ହୋଇରହିଛି । ତା'ର ଆହୁରି ଉପରକୁ ସାଂସ୍କୃତିକ ବିକାଶ, ଆଧ୍ୟାତ୍ମିକ ବିକାଶ ଅର୍ଥାତ୍, ଜଣେ ଜଣେ ସମ୍ମାନଶୀଳ ମଣିଷ ହିସାବରେ ପୃଥିବୀରେ ପ୍ରତ୍ୟେକ ମଣିଷର ବିକାଶ । ପୃଥିବୀଯାକ ସଂଗୃହୀତ ହୋଇ ରହିଥିବା ହିସାବଗୁଡ଼ିକ କହି ଦେଉଛି ଯେ ଅଧିକାଂଶ ମନୁଷ୍ୟ ତଥା ମନୁଷ୍ୟଗୋଷ୍ଠୀ ସେହି ବିକାଶରୁ ଏବେ ମଧ୍ୟ ବହୁ ଦୂରରେ ରହିଛନ୍ତି । ଜୀବନର ସର୍ବନିମ୍ନ ଆବଶ୍ୟକତାଗୁଡ଼ିକ ମଧ୍ୟ ପୃଥିବୀରେ ଅଧିକରୁ ଅଧିକ ମଣିଷଙ୍କ ଲାଗି ଏପର୍ଯ୍ୟନ୍ତ ଉପଲବ୍ଧ ହୋଇପାରି ନାହିଁ । ପୃଥିବୀର ଅଧିକ ମନୁଷ୍ୟ ଏବେ ସୁଦ୍ଧା ଜଣେ ଜଣେ ମନୁଷ୍ୟ ହିସାବରେ ଆପଣାର ଅଧିକାରଗୁଡ଼ିକ ସମ୍ୱନ୍ଧରେ ସଚେତନ ଏବଂ ଜାଗ୍ରତ ହୋଇ ପାରିନାହାନ୍ତି ଏବଂ ଏଣେ ବିଜ୍ଞାନ ମହାକାଶ ମଧ୍ୟକୁ ଯାତ୍ରା କଲାଣି, ଏକବିଂଶ ଶତାବ୍ଦୀରେ ତାହା ଆହୁରି କେତେ କୁଆଡ଼େ ଉଡ଼ିବ ବୋଲି ଏବେଠାରୁ ସ୍ୱପ୍ନମାନ ଦେଖିଲାଣି ।

 

ପୃଥିବୀରେ ଶାନ୍ତି ଲାଗି ଯେତେ ପଇସା ଖର୍ଚ୍ଚ ହେଉନାହିଁ, ଯୁଦ୍ଧ ଲାଗି ତାହାର ତିନିଶହ ଗୁଣ ଅଧିକ ପଇସା ଖର୍ଚ୍ଚ ହେଉଛି । ସଂସାରକୁ ଅଧିକ ଦୃଢ଼କରି ଗଢ଼ିବା ଲାଗି ଓ ମଣିଷକୁ ମଣିଷ ସହିତ ଯୋଡ଼ିବା ଲାଗି ଯେମିତି ପଇସା ଖର୍ଚ୍ଚ ହେଉଛି, ତାହାକୁ ଭାଙ୍ଗିବାଲାଗି ଓ ମଣିଷକୁ ମଣିଷଠାରୁ ଦୂରକୁ ନେଇଯିବା ଲାଗି ତାହାର ହୁଏତ କେତେ ହଜାର ଗୁଣ ଅଧିକ ପଇସା ଖର୍ଚ୍ଚ ହେଉଛି । ଏହିସବୁ ପଇସା ରାଷ୍ଟ୍ରମାନେ ଖର୍ଚ୍ଚ କରୁଛନ୍ତି । ଅଧିକରୁ ଅଧିକ ପଇସା ଖର୍ଚ୍ଚ କରିବାର ପ୍ରତିଯୋଗିତାମାନ ଚାଲିଛି । ନୂଆ ନୂଆ ଅସ୍ତ୍ରର ଉଦ୍ଭାବନ ହେଉଛି । ରାଷ୍ଟ୍ରମାନେ ପରସ୍ପରକୁ ଡରୁଛନ୍ତି ଓ ତେଣୁ ଅଧିକରୁ ଅଧିକ ବାରୁଦ ଓ ବନ୍ଧୁକ ଠୁଳ କରି ରଖିପାରିଲେ ସେମାନେ ଏକ ଆରେକୁ ଡରାଇ ରଖିପାରିବ ବୋଲି ବିଶ୍ୱାସ କରୁଛଛି । ଏହି ରାଷ୍ଟ୍ର ରାଷ୍ଟ୍ର ଭିତରେ ପୁଣି ବିଶ୍ଵଶାନ୍ତି ସକାଶେ କଥାବାର୍ତ୍ତା ଚାଲିଛି । ଶତ୍ରୁଠାରୁ ଅଧିକ ସବଳ ଓ ଶସ୍ତ୍ରଯୁକ୍ତ ନହେଲେ ସେମାନେ ଶତ୍ରୁକୁ ଶାନ୍ତି କଥାବାର୍ତ୍ତା ନିମନ୍ତେ ବାଧ୍ୟ କରି ପାରିବେ ନାହିଁ ବୋଲି ବିଶ୍ୱାସ କରୁଛନ୍ତି । ଯୁଦ୍ଧ ଓ ଶାନ୍ତିର କନ୍ଦଳ ଭିତରେ ପଡ଼ି ପୃଥିବୀର ରାଷ୍ଟ୍ରମାନେ ଦୁଇପଟ ହେଉ ହେଉ କ୍ରମେ କେତେ ପଟରେ ବିଭକ୍ତ ହୋଇଗଲେଣି ।

 

ପୃଥିବୀର ପ୍ରତ୍ୟେକ ମଣିଷ କୌଣସି ନା କୌଣସି ଦେଶର ନାଗରିକ । ପ୍ରତ୍ୟେକ ଦେଶର ସରକାର ବିଶ୍ୱ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଉ ବୋଲି କଦାପି ଇଚ୍ଛା କରୁନାହାନ୍ତି ସତ, ମାତ୍ର ବିଶ୍ୱକୁ ଦେଖିବା ଆଗରୁ ସେମାନେ ନିଜକୁହିଁ ଦେଖୁଛନ୍ତି ଓ ନିଜର ତଥାକଥିତ ସ୍ୱାର୍ଥ ଅର୍ଥାତ୍ ବିଶେଷ ଅସ୍ତିତ୍ୱାଧିକାରଗୁଡ଼ିକୁ ସବାଆଗ ଦେଖୁଛନ୍ତି । ସେଗୁଡ଼ିକୁ ସବାଆଗେ ଦେଖୁଛନ୍ତି ବୋଲି ସେନାବାହିନୀ ରଖିଛନ୍ତି, ବୋମା ତିଆରି କରୁଛନ୍ତି, ସଂସାରର ବଜାରରେ ଏହି ଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ସାଙ୍ଗ କରି ବାହାରୁଛନ୍ତି । ସେମାନେ ମେଣ୍ଟ ବାନ୍ଧୁଛନ୍ତି, ପୃଥିବୀକୁ ଅଧିକରୁ ଅଧିକ ପରିମାଣରେ ଉତ୍ତେଜନାମୟ ଓ ତେଣୁ ବିପନ୍ନ କରି ରଖିବାରେ ସାହାଯ୍ୟ କରୁଛନ୍ତି । ଶକ୍ତିଗୁଡ଼ିକ ବୃହତ୍‍ଶକ୍ତିମାନଙ୍କୁ ଖୁଣ୍ଟପରି ବ୍ୟବହାର କରି ପଘାରେ ବନ୍ଧାହୋଇ ରହୁଛନ୍ତି । କେତେକ ରାଷ୍ଟ୍ର ଏହି ମେଣ୍ଟଗୁଡ଼ିକର ବାହାରେ ରହିଛନ୍ତି ସତ, ମାତ୍ର ସେମାନେ ମଧ୍ୟ ବିଶ୍ୱଶାନ୍ତି ଅପେକ୍ଷା ଆପଣାର ସ୍ୱାର୍ଥକୁ ଆଗ ଦେଖୁଛନ୍ତି । ସେମାନେ ମଧ୍ୟ ଅସ୍ତ୍ର ଲୋଡ଼ୁଛନ୍ତି; ଅସ୍ତ୍ର-ସଉଦା କରୁଛନ୍ତି । ଯୁଦ୍ଧ ପାଇଁ ସବଳ ଓ ସଜ୍ଜିତ ହୋଇ ରହିବାକୁ ହିଁ ନିରାପତ୍ତାର ସର୍ବାଧିକ ବିଶ୍ୱାସଯୋଗ୍ୟ ଉପାୟ ବୋଲି ବିଶ୍ୱାସ କରୁଛନ୍ତି । ଏହିଭଳି ଏକ ବିଶ୍ୱବ୍ୟାପୀ ଚକ୍ରାନ୍ତ ମଧ୍ୟରେ ପଡ଼ି ଆମ ପୃଥିବୀର ଅର୍ଥନୀତି, ରାଜନୀତି, ଜ୍ଞାନ ଓ ବିଜ୍ଞାନ ସତେ ଅବା ମନୁଷ୍ୟବିରୋଧୀ ହୋଇ ରହିବାକୁ ବାଧ୍ୟ ହେଉଛି । ବିଶ୍ୱଯାକର ପ୍ରଜା ରାଷ୍ଟ୍ରମାନଙ୍କ ଦ୍ଵାରା ନିର୍ଦ୍ଧାରିତ କରି ଦିଆଯାଇଥିବା ପାଠ ଓ ବିବେକମାନଙ୍କ ଦ୍ଵାରା ଏଭଳି ଭାବରେ ମଣ ହୋଇ ରହିଛନ୍ତି ଯେ, ସେମାନେ ଏକ ଅଲଗା ବିଶ୍ୱର ସ୍ୱପ୍ନକୁ ଯେଡ଼େ ଉଜ୍ଜ୍ୱଳ ଭାବରେ ଦେଖୁଥିଲେ ମଧ୍ୟ ତଥାପି ପାଚେରୀଗୁଡ଼ାକର ବାହାରକୁ ଯାଇ ସମଗ୍ର ବିଶ୍ଵର ଅଭିବୃଦ୍ଧି ଓ ସମୃଦ୍ଧି ଲାଗି ଉଲ୍ଲେଖଯୋଗ୍ୟ କୌଣସି ଉଦ୍ୟମ କରିବାକୁ ଆଦୌ ସମର୍ଥ ହେଉନାହାନ୍ତି ।

 

ବିଶ୍ୱଶାନ୍ତିର ବିଚାରକ୍ଷେତ୍ରରେ ସମ୍ଭବତଃ ଏହାକୁ ଏକ ବୃହତ୍ ଏବଂ ଦୁର୍ଲଘ୍ୟ ବିଡ଼ମ୍ବନା ବୋଲି କୁହାଯାଇ ପାରିବ । ବିଶ୍ୱର ସାଧାରଣ ମନୁଷ୍ୟ ଶାନ୍ତି ଚାହୁଁଛି, ଅଥଚ ସେହି ଦିଗରେ ଫଳପ୍ରଦ ଭାବରେ ବିଶେଷ କିଛି କରିପାରୁନାହିଁ । ସିଏ ଆପଣା ଘରେ ଯେଉଁ ରାଷ୍ଟ୍ରର ରାଜନୀତିକ ସୀମାଟି ମଧ୍ୟରେ ଜଣେ ନାଗରିକ ହୋଇରହିଛି ଓ ସେହି ନାଗରିକତ୍ୱକୁ ହିଁ ଆପଣାର ସର୍ବପ୍ରଥମ ପରିଚୟ ବୋଲି ଅନୁଭବ କରିବାକୁ ରାଷ୍ଟ୍ରଦ୍ଵାରା ମଣ ହୋଇ ଆସିଛି, ସେହି ରାଷ୍ଟ୍ରହିଁ ତା' ଗୋଡ଼ରେ ଢିଙ୍କିଆ ହୋଇ ରହିଛି । ରାଷ୍ଟ୍ରର ଉତ୍ତୁଙ୍ଗ କର୍ତ୍ତାମାନେ ହିଁ ମଝିରେ ମଝିରେ ବିଶ୍ୱଶାନ୍ତି ସମ୍ବନ୍ଧରେ ଏକକ ଅଥବା ମିଳିତ ବିବୃତ୍ତିମାନ ଦେବାରେ ଲାଗିଛନ୍ତି ଓ ସେଗୁଡ଼ିକ ଦ୍ୱାରା ଏକ ଆରେକୁ ବିଶ୍ୱର ଯାବତୀୟ ଶାନ୍ତି ନଷ୍ଟକାରୀ କାରଣଗୁଡ଼ାକ ବିଷୟରେ ଦାୟୀ କରିବାରେ ଲାଗିଛନ୍ତି । ଏଗୁଡ଼ାକୁ ପୃଥିବୀରେ କୂଟନୀତି ବୋଲି କୁହାଯାଉଛି । ତାହା କ୍ରମେ ଏପରି ଏକ ଔପଚାରିକ ଆଚରଣରେ ପରିଣତ ହେବାକୁ ବସିଲାଣି ଯେ ସେଥିରେ ହୁଏତ କୌଣସି ସାଧୁତା ପରି ଆଦୌ ମନେ ହେଉନାହିଁ ।

 

ବିଗତ ମହାଯୁଦ୍ଧ ପରେ ସମଗ୍ର ପୃଥିବୀକୁ ଏକକରୂପେ ବ୍ୟବହାର କରି ମିଳିତ ଜାତିସଂଘର ଆନୁକୂଲ୍ୟରେ କେତୋଟି ସଂସ୍ଥା ଗଠନ କରାଯାଇଥିଲା । ରାଷ୍ଟ୍ରୀୟତା ବାହାରେ ଅର୍ଥାତ୍ ରାଷ୍ଟ୍ରୀୟତା ନିର୍ବିଶେଷରେ କିପରି ସମସ୍ତ ମାନବଜାତିର ଆର୍ଥିକ, ଶିକ୍ଷାଗତ ତଥା ସାଂସ୍କୃତିକ ଉନ୍ନୟନର କ୍ଷେତ୍ରରେ ସକ୍ରିୟ ଏବଂ ମୂର୍ତ୍ତ ପଦକ୍ଷେପମାନ ଗ୍ରହଣ କରାଯାଇ ପାରିବ, ପ୍ରଧାନତଃ ଏକତ୍ର ବସି ସେହିଗୁଡ଼ାକର ଆଲୋଚନା ଓ ଯୋଜନା କରିବା ସକାଶେ ଏଗୁଡ଼ିକୁ ଅନେକ ସଦିଚ୍ଛା ସହିତ ଗଢ଼ାଯାଇଥିଲା । କହିବା ବାହୁଲ୍ୟ, ରାଷ୍ଟ୍ର ଅର୍ଥାତ୍ ସରକାରମାନେ ହିଁ ଏହିସବୁ ସଭାକୁ ସ୍ୱମନୋନୀତ ପ୍ରତିନିଧିମାନଙ୍କୁ ପଠାଇଥିଲେ । ପ୍ରଧାନତଃ, ଏହି କାରଣରୁ ହିଁ ସେଗୁଡ଼ିକ ଭିତରେ ମୂଷା ପଶିଲେ । ବିଜ୍ଞାନ, ସଂସ୍କୃତି ଏବଂ ଉନ୍ନୟନକୁ ପ୍ରାୟ ଏକ ଆଚ୍ଛାଦନ ରୂପେ ବ୍ୟବହାର କରି ସେଠାରେ ମଧ୍ୟ ରାଜନୀତିର ରଣ ଚାଲିଲା ଏବଂ ରାଷ୍ଟ୍ରମାନଙ୍କ ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଗଲା । ଅସଲ କାର୍ଯ୍ୟଗୁଡ଼ିକ ପଛରେ ପଡ଼ିରହିଲେ । ହୁଏତ କିଛି କାର୍ଯ୍ୟ ଅବଶ୍ୟ ହେଲା, କିନ୍ତୁ ସେଥିରେ ଆଉ କୌଣସି ଜୀଅ ରହିଲା ନାହିଁ । ରାଜନୀତି ଓ ରାଷ୍ଟ୍ରନୀତିର ଉତ୍ତେଜନା ମଧ୍ୟରେ ସେହି ଅନୁଷ୍ଠାନଗୁଡ଼ିକ ଅନୁସରଣିଆ ହୋଇ ରହିଗଲେ ।

 

ଗୋଟାଏ ପାଖରେ ମନୁଷ୍ୟଜାତି ଓ ଆଉଗୋଟିଏ ପାଖରେ ଏହି ରାଷ୍ଟ୍ରମାନେ, ଓ ସେଗୁଡ଼ିକୁ ଚଳାଉଥିବା ସରକାରମାନେ । ରାଷ୍ଟ୍ରମାନେ ପରସ୍ପରକୁ ଭୟ କରୁଛନ୍ତି ଏବଂ ପୃଥିବୀରେ ଶାନ୍ତି ଅପେକ୍ଷା ଯୁଦ୍ଧର କଥା ପକାଇବାକୁ ହିଁ ଚତୁରତା ବୋଲି କୁହାଯାଉଛି ପୃଥିବୀରେ ସବୁଠାରୁ ଅଧିକ ବିଚିତ୍ର କଥା ହେଉଛି ଯେ, ବର୍ତ୍ତମାନ ଏଥିରେ ରହିଥିବା ଅଧିକାଂଶ ଦେଶର ରାଷ୍ଟ୍ର ସେହି ଦେଶର ମଣିଷମାନଙ୍କର ଇଚ୍ଛା ଅନୁସାରେ ଚାଲୁନାହାନ୍ତି । ସେମାନେ ନିର୍ବାଚିତ ସରକାର ନୁହନ୍ତି । ପୃଥିବୀର ଅଧିକାଂଶ ଦେଶରେ ହୁଏତ ସୈନ୍ୟବଳ ଦ୍ୱାରା ହିଁ ଶାସନ ଚାଲିଛି । ସୈନ୍ୟବାହିନୀର ସାମନ୍ତମାନେ ପ୍ରଜାଶାସନର ମାଣଗୁଡ଼ାକୁ ଆପଣା ହାତରେ ରଖିଛନ୍ତି । ପ୍ରଜାମାନେ ସେହି ହାତଗୁଡ଼ିକର ଅନୁଗ୍ରହ ପାଖରେ ପ୍ରାୟ ଅସହାୟ ଓ ଅସମର୍ଥ ହୋଇ ରହିଛନ୍ତି । ଯେଉଁ ଭାଗ୍ୟବାନ ଓ ସଫଳମାନେ ଅସ୍ତ୍ରର ବଳରେ ହିଁ ନିଜ ନିଜ ଦେଶରେ ଗାଦୀରେ ଅଧିଷ୍ଠିତ ହୋଇ ରହିଛନ୍ତି, ଏହି ଅସ୍ତ୍ର-ଉତ୍ତେଜନାର ବିଲୋପ ସାଧନ ଘଟିଲେ ଯାଇ ଯେ ଆମର ଏହି ପୃଥିବୀରେ ଶାନ୍ତି, ପାରସ୍ପରିକ ସଦ୍‍ଭାବନା ଏବଂ ମନୁଷ୍ୟଜାତିର ଯଥାର୍ଥ ଉନ୍ନୟନ ଲାଗି ଏକ ବିଶ୍ଵାସଯୋଗ୍ୟ ସର୍ବପ୍ରଥମ ପାବଚ୍ଛଟିଏ ତିଆରି ହୋଇପାରିବ, ସେମାନେ ସେକଥା ଉପରେ ପ୍ରକୃତରେ ପ୍ରତ୍ୟୟ ରଖିପାରିବେ କିପରି ? ପୃଥିବୀରେ ଅଧିକାଂଶ ରାଷ୍ଟ୍ରରେ ନାୟକ ଅର୍ଥାତ୍ ଶାସକମାନେ ଏବେ ଯେଉଁପରି ଭାବରେ ରାଷ୍ଟ୍ରମାନଙ୍କୁ ଚଳାଉଛନ୍ତି ଓ ମଣିଷମାନଙ୍କୁ ମଣ କରି ରଖିଛନ୍ତି, ତାହାକୁ କୃଚିତ୍ ବିଶ୍ୱଶାନ୍ତିର ଅନୁକୂଳ ବୋଲି କୁହାଯାଇପାରିବ । ନେତୃତ୍ୱ ଅପେକ୍ଷା ସେମାନେ କର୍ତ୍ତୃତ୍ୱ ଉପରେ ହିଁ ଅଧିକ ବିଶ୍ୱାସ କରୁଛନ୍ତି । ନେତୃତ୍ୱ ହିଁ କର୍ତ୍ତୃତ୍ୱ ଅପେକ୍ଷା ଅଧିକ ସମାଦୃତ ହେଉଥିବା ପର୍ଯ୍ୟନ୍ତ ଜାତୀୟତା ଯେକୌଣସି ଦେଶର ମଣିଷମାନଙ୍କ ସକାଶେ ଏକ ଜୀବନ-ଅଭିବୃଦ୍ଧିକାରୀ ସୁସ୍ଥ ପରିବେଶ ସୃଷ୍ଟିକରି ରଖିବାରେ ସାଧାରଣତଃ ଅଧିକ ସହାୟକ ହୋଇ ରହିଥାଏ । ମାତ୍ର, ନାୟକମାନେ ନେତୃତ୍ୱ ପାଇଁ ନାନା କାରଣରୁ ଅପାରଗ ହୋଇ କର୍ତ୍ତୃତ୍ୱ ଉପରେ ହିଁ ଅଧିକରୁ ଅଧିକ ପରିମାଣରେ ନିର୍ଭର କରିବା ଆଡ଼େ ମନ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରୀୟତା ପ୍ରାୟ ସବୁଯାକ ଥାନକୁ ଏକା ମାଡ଼ି ବସିବାକୁ ସତ୍ୟାଗ୍ରହୀ ହୋଇଉଠେ । ସେତେବେଳେ ଆକାଶଗୁଡ଼ାକ ସତେଅବା ମୁଦିହୋଇ ଆସୁଥିବା ପରି ମନେ ହୁଅନ୍ତି । ପୃଥବୀ ବୋଲି ଗୋଟାଏ ବୃହତ୍ତର ଆୟତନ କେଉଁଠି ଅଛି ଓ ସେହି ପୃଥିବୀର ଭାଗ୍ୟ ହିଁ ସତକୁ ସତ ଦେଶର ଭାଗ୍ୟକୁ ନିୟନ୍ତ୍ରଣ କରିବ ବୋଲି ଭାବିବାକୁ ସେତେବେଳେ ପ୍ରାୟ ନିଷିଦ୍ଧ କରି ଦିଆଯାଏ । କ୍ଷମତାମାନେ ହିଁ ସର୍ବେସର୍ବା ହୋଇ ବାହାରନ୍ତି । ପ୍ରଜାର ଜୀବନକୁ ଅତ୍ୟନ୍ତ ଭୟାକୁଳ, ଉଗ୍ର ଏବଂ ଅଳ୍ପାୟତନ କରି ରଖି ଦିଆଯାଏ ।

 

ଆମର ବିଶ୍ୱ ବସ୍ତୁତଃ ଯେତେ ବଡ଼ ହୋଇଥାଉ ପଛକେ, ମନୁଷ୍ୟ ତା’ର ସ୍ଥାନୀୟ ଚେରଗୁଡ଼ିକୁ କଦାପି କାଟିନେଇ ପାରିବ ନାହିଁ । ଆପଣାର ସଂସ୍କୃତି ଓ ଜୀବନସମ୍ୱନ୍ଧଗୁଡ଼ିକୁ ତାକୁ ସ୍ଥାନୀୟ ଭାବରେ ହିଁ ବଞ୍ଚିବାକୁ ପଡ଼ିବ । ଆପଣାର ଦେଶଟିକୁ ଆପଣାର ଦେଶ ବୋଲି ଭଲ ପାଇବାକୁ ପଡ଼ିବ । ଅନେକ ମଣିଷଙ୍କ ସହିତ ତା’ର ଲାଗି ରହିବା ଦୃଶ୍ୟ ଓ ଅଦୃଶ୍ୟ ଅନେକ ଡୋରକୁ ତାକୁ ଏକ ସ୍ଥାନୀୟ ଭୂମିଉପରେ ହିଁ ସାର୍ଥକ ଭାବରେ ଅନୁଭବ କରିବାକୁ ହେବ । ନିଜକୁ ଏହି ସ୍ଥାନୀୟ ବୃତ୍ତଟି ମଧ୍ୟରେ ପୂର୍ଣ୍ଣ ପ୍ରାଣରେ ଆତଯାତ କରାଇ ପାରୁଥିବା ସଙ୍ଗେ ସଙ୍ଗେ ତଥାପି ସିଏ କିପରି ଆପଣାର ଶୁଭେଚ୍ଛାଗୁଡ଼ିକୁ ସମଗ୍ର ବିଶ୍ୱର ଅନୁକୂଳ କରି ରଖିପାରିବ, ବିଶ୍ୱଶାନ୍ତିର କ୍ଷେତ୍ରରେ ସମ୍ଭବତଃ ତାହାହିଁ ହେଉଛି ସର୍ବପ୍ରଧାନ ସମସ୍ୟା । ସିଏ ଗୋଟିଏ ଦେଶକୁ ନିଜର ଦେଶ ବୋଲି ଅବଶ୍ୟ କହିବ, ତାହାକୁ ଆପଣାର ଦେଶ ବୋଲି କହିବ, ସେହି ଭୂମିକୁ ହିଁ ସର୍ବୋତ୍ତମ ଭାବେ ଗ୍ରହଣ କରି ସେହି ଭୂମିଟି ଲାଗି ସର୍ବୋତ୍ତମ ଭାବରେ ତିଆରି ହେବ ଏବଂ ସେଇଥିରେ ଗୌରବ ଅନୁଭବ କରିବ । ଅଥଚ, ଅପର ପକ୍ଷରେ, ନିଜ ଦେଶର ଶାସନଶକ୍ତିକୁ ସିଏ ବିଶ୍ଵଭାଗ୍ୟର ପରିପନ୍ଥୀ ହେବାକୁ ବାଟ ଛାଡ଼ି ଦେବନାହିଁ–ସିଏ ତାହାର ପ୍ରତିବାଦ କରିବ, ଗୋଟିଏ ନିର୍ଦ୍ଦିଷ୍ଟ ଦେଶର ନାଗରିକ ରୂପେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଓ ସେହି ଭୂମିକାଟିରେ ହିଁ ଆପଣା ଜୀବନର ଯୋଗ୍ୟତାଗୁଡ଼ିକର ପ୍ରମାଣ ଦେଇ ପାରୁଥିଲେ ମଧ୍ୟ ସିଏ ତଥାପି ବିଶ୍ୱ ଆଡ଼କୁ କଦାପି ଆଖି ବୁଜି ଦେବନାହିଁ ଏବଂ ତେଣୁ ନିଜ ଦେଶର ଅତ୍ୟଧିକ ପ୍ରମତ୍ତତାଗୁଡ଼ାକୁ ପ୍ରମତ୍ତତା ବୋଲି କହିବା ଲାଗି ତଥାପି ଏକ ବିବେକକୁ ଜାଗରୁକ କରି ରଖିଥିବ–ତେବେ ଯାଇ ବିଶ୍ଵର ଭାଗ୍ୟ ସୁରକ୍ଷିତ ହୋଇ ରହିପାରିବ ।

 

ରାଷ୍ଟ୍ର ଓ ରାଷ୍ଟ୍ରୀୟ ଶାସକମାନେ କଦାପି ସାଧୁତାର ସହିତ ସେହି କାଗରୂକତା ସୃଷ୍ଟି କରିବା ଲାଗି କାର୍ଯ୍ୟ କରିପାରିବେ ନାହିଁ । ଅନ୍ତତଃ ଏକ ଜାଗରୂକ ଜନମତ ଦ୍ୱାରା ବାଧ୍ୟ ନ ହେବାଯାଏ ସେମାନେ କଦାପି ସେହି ବିଷୟରେ ଏକ ଫଳପ୍ରସୂ ଉତ୍ସାହ ଦେଖାଇବେ ନାହିଁ; ଏକ ରାଷ୍ଟ୍ରୀୟତାର ଗଣ୍ଡି ଭିତରେ ରହିଥିଲେ ମଧ୍ୟ ଯେଉଁମାନେ, ଯେଉଁ ବ୍ୟକ୍ତିମାନେ ଓ ଗୋଷ୍ଠୀମାନେ ଆପଣାର ଚେତନାକୁ ଏକ ନିର୍ଦ୍ଦିଷ୍ଟ ରାଷ୍ଟ୍ରର ତଥାକଥିତ ସ୍ୱାର୍ଥର ସୀମା ଭିତରେ ଆବଦ୍ଧ କରି ରଖିବାକୁ ମନା କରିଦେଇ ପାରିବେ–ଆପଣା ଦେଶକୁ ଚିହ୍ନି ସେହି ଚିହ୍ନିବାର ପ୍ରକ୍ରିୟାଟି ଦ୍ୱାରା ଆହୁରି ଅଧିକ ଦୂରକୁ ପ୍ରେରିତ ହୋଇ ଯେଉଁମାନେ ଆପଣା ରାଷ୍ଟ୍ରର ଭାଗ୍ୟକୁ ବୃହତ୍ତର ବିଶ୍ଵର ଭାଗ୍ୟ ମଧ୍ୟରେ ଅନୁଭବ କରିବାକୁ ସମର୍ଥ ହେବ, ହୁଏତ ଅସଲ ନେତୃତ୍ୱ ସେହିମାନଙ୍କ ଦ୍ୱାରା ସମ୍ଭବ ହେବ । ଏହି ନେତୃତ୍ୱର କ୍ଷେତ୍ରଟି କେବଳ ରାଜନୀତି ମଧ୍ୟରେ କଦାପି ଆବଦ୍ଧ ହୋଇ ରହିପାରିବ ନାହିଁ; ମାତ୍ର ତଥାପି ରାଜନୀତିକୁ କଦାପି ଛାଡ଼ି ମଧ୍ୟ ପାରିବ ନାହିଁ । ତାହା ରାଜନୀତିର ଶିକାର ହେବନାହିଁ–ହୁଏତ ଏକ ବିକଳ୍ପ ରାଜନୀତିର ସମ୍ଭାବନା ବିଷୟରେ ପୃଥିବୀର ଅଧିକରୁ ଅଧିକ ମଣିଷକୁ ସତକୁ ସତ ଜିଜ୍ଞାସୁ କରାଇବାରେ ଲାଗିଥିବ । ବିଶ୍ୱଶାନ୍ତି ଲାଗି ଭବିଷ୍ୟତରେ ସେହି ବଳକଷାକଷିରେ ହୁଏତ ସେହିମାନଙ୍କୁ ହିଁ ଯଥାର୍ଥ ସତ୍ୟାଗ୍ରହୀ ବୋଲି କୁହାଯାଇପାରିବ ।

୮ । ୬ । ୮୫

Image

 

Unknown

ସେମାନଙ୍କର ଭାଗ୍ୟରେ ଯାହା ଥିଲା

 

ଉଡ଼ାଜାହାଜ ଅଧାଆକାଶରେ ଫାଟିଲା । କେତେ ମଣିଷଙ୍କର ଜୀବନ ଗଲା । କେତେ ସଂସାର ଉଜୁଡ଼ିଗଲା । ସାରା ପୃଥବୀରେ କେତେ ମଣିଷ ଦୁଃଖ କଲେ । ସମବେଦନା ଜଣାଇଲେ-। ମାତ୍ର ବନ୍ଧୁଙ୍କ ଆଗରେ ସେଦିନ ସେହି କଥାଟିକୁ ପକାଇବା ମାତ୍ରକେ ବନ୍ଧୁ ପ୍ରାୟ ଅବିଚଳିତ ରହି ମୋତେ ସତେ ଅବା ଦମ୍ଭ ଦେଲା ପରି କହିଲେ, "ନାଇଁ, ନାଇଁ । ଆପଣ ଭୁଲ ବୁଝୁଛନ୍ତି । ସେମାନଙ୍କର ଭାଗ୍ୟରେ ଯାହା ଥିଲା, ତାହାହିଁ ଘଟିଲା । ସେମାନଙ୍କର ଭାଗ୍ୟରେ ଆକସ୍ମିକ ମୃତ୍ୟୁ ହେବ ବୋଲି ଆଗରୁ ଲେଖାହୋଇ ରହିଥିଲା । ନହେଲେ, ଏତେ ଆଡ଼ୁ ଏତେ ମଣିଷ ସେହି ଗୋଟିଏ ଉଡ଼ାଜାହାଜରେ ଏକ ନିର୍ଦ୍ଦିଷ୍ଟ ସମୟରେ ଯାଇ ଏକତ୍ର ହୋଇଥାନ୍ତେ କାହିଁକି-? ସେମାନେ ଯେ ସମସ୍ତେ ଅପମୃତ୍ୟୁ ବରଣ କରିବେ, ସେକଥା ବିଧିନିର୍ଦ୍ଦିଷ୍ଟ ହୋଇ ରହିଥିଲା ।

 

ଭାଗ୍ୟବାନ୍‌ମାନେ ହିଁ ସାଧାରଣତଃ ଭାଗ୍ୟବାଦୀ ହୋଇଥାନ୍ତି । ମୋର ବନ୍ଧୁ ସେହିପରି ଜଣେ ଭାଗ୍ୟବାନ୍ ବ୍ୟକ୍ତି, ତେଣୁ ଭାଗ୍ୟବାଦୀ । ମଣିଷର ଭାଗ୍ୟ ହିଁ ସବୁକିଛି କରେ ବୋଲି ସେ ନିଷ୍ଠାପର ଭାବରେ ବିଶ୍ଵାସ କରନ୍ତି । ସିଏ ନିଜ ଜୀବନରେ ଯାହାକିଛି ଅର୍ଜିଛନ୍ତି ବା ପାଇଛନ୍ତି, ତାହାକୁ କେବଳ ତାଙ୍କର ଭାଗ୍ୟ ହିଁ ଆଣି ଦେଇଛି । ଅନେକ ସମୟରେ ଭାଗ୍ୟ ଏବଂ ଭଗବାନଙ୍କୁ ସିଏ ହୁଏତ ଏକାବେଳେକେ ସମତୁଲ କରି ସେଇଆ ବୋଲି ଦେଖିଛନ୍ତି । ଅର୍ଥାତ୍, ଭାଗ୍ୟ ଯାହା, ଭଗବାନ୍ ମଧ୍ୟ ଠିକ୍ ସେଇଆ ବୋଲି ଜୀବନରେ ସ୍ୱୀକାର କରି ନେଇଛନ୍ତି । ସେହିପରି ସ୍ଵୀକାର କରି ନେବାକୁ ହିଁ ଜୀବନରେ ସର୍ବାଧିକ ପରିମାଣରେ ଲାଭଜନକ ବୋଲି ଉପଲବ୍‌ଧି କରିଛନ୍ତି । ଏହିପରି ହେଉହେଉ ସିଏ କାଳକ୍ରମେ ଭାରି ନିର୍ମମ ହୋଇ ପଡ଼ିଛନ୍ତି ।

 

ମୋର ବନ୍ଧୁ ଆଦୌ ଜଣେ ଖରାପ ମଣିଷ ନୁହନ୍ତି । ତାଙ୍କର ମୁଣ୍ଡର ବିଦ୍ୟା ଅଛି, କଣ୍ଠରେ ଦୟା ମଧ୍ୟ ରହିଛି । ନିଜର ଜୀବନରେ ଅଧିକରୁ ଅଧିକ ସଫଳତା ଲାଭ କରିବା ଭଳି ତାଙ୍କର ଯଥେଷ୍ଟ ଉଦ୍ୟମ ରହିଛି, ସଂକଳ୍ପ ମଧ୍ୟ ରହିଛି । ଭଗବାନଙ୍କଠାରେ ତାଙ୍କର ଅଚଳା ଭକ୍ତି । ମଝିରେ ମଧ୍ୟ ନିଜ ବ୍ୟବସାୟର ବାଡ଼ ଭିତରୁ ବାହାରି ଧର୍ମଚର୍ଚ୍ଚା କରିଛନ୍ତି ଓ ଧର୍ମପ୍ରବଚନମାନ କରିଛନ୍ତି । ଜୀବନଯାପନର କାଇଦା ଅତ୍ୟନ୍ତ ସରଳ । ତାଙ୍କୁ ଦେଖିଲେ ଆଉ ଯାହା ବୋଲି ମନେହେବ ସିନା, ନିର୍ମମ ବୋଲି ଆଦୌ ମନେ ହେବନାହିଁ । ସିଏ ଶାସ୍ତ୍ର ପଢ଼ିଛନ୍ତି ଓ ନିଜ ବିଶ୍ଵାସଗୁଡ଼ିକୁ ଆବଶ୍ୟକ ପୁଷ୍ଟି ଯୋଗାଇ ରଖିବାକୁ ଶାସ୍ତ୍ରର ଉକ୍ତିକୁ କାମରେ ଲଗାଇବାର କାଇଦା ମଧ୍ୟ ଜାଣିଛନ୍ତି । ତେଣୁ ନିର୍ମମ ହେଲେ ମଧ୍ୟ ତାଙ୍କର ବିବେକ ଅତ୍ୟନ୍ତ ନିର୍ମଳ ରହିଛି । ନିର୍ମଳ ବିବେକ କଦାପି ଦଂଶନ କରେନାହିଁ । ତେଣୁ ଭିତରେ କେଉଁଠି ପଥର ହୋଇ ଯାଇଥିଲେ ମଧ୍ୟ ମଣିଷ ହୁଏତ ସେକଥା ଅନୁଭବ ହିଁ କରିପାରେ ନାହିଁ ।

 

ବନ୍ଧୁଙ୍କର ପୂର୍ଣ୍ଣପ୍ରସନ୍ନ ମୁଦ୍ରାରେ ବ୍ୟକ୍ତ ହୋଇ ଆସୁଥିବା ନିର୍ମମ କଥାଗୁଡ଼ିକୁ ଶୁଣିବା ସମୟରେ ସେଦିନ ମୁଁ କେତେକ'ଣ ଭାବି ଯାଉଥିଲି । ଅନେକ ଭାବନା ରହିଛି, ଯେଉଁଗୁଡ଼ିକ ଭାବି ପାରିବାକୁ ହେଲେ ମସ୍ତିଷ୍କକୁ ହୃଦୟର ସାହାଯ୍ୟ ନେବାକୁ ପଡ଼ିଥାଏ । ହୃଦୟ ମସ୍ତିଷ୍କର ସହଯୋଗୀ ହୋଇପାରିଲେ ଯେ ତା'ର ଯାବତୀୟ ଭାବନା କିପରି ଅନ୍ୟପ୍ରକାର ହୋଇଯାଏ, ସେତିକିବେଳେ ଯାଇ ସେକଥା ଜାଣିହୁଏ । ହୃଦୟର ବି ଆପଣାର ଯୁକ୍ତିମାନ ରହିଥାଏ । ମସ୍ତିଷ୍କର ଶାସନରେ ସେହିସବୁ ଯୁକ୍ତିର ସମ୍ମୁଖୀନ ହେବା ସବୁବେଳେ ସମ୍ଭବ ହୁଏନାହିଁ । ନାନା କାରଣରୁ ମସ୍ତିଷ୍କ ହୃଦୟକୁ ଡରୁଥାଏ ବୋଲି ହୃଦୟର ସାହାଯ୍ୟ ନିଏନାହିଁ । ହୃଦୟ କାଳେ ତାକୁ ଗିଳି ପକାଇବ ବୋଲି ଆମର ମସ୍ତିଷ୍କଟା ହିଁ ହୃଦୟକୁ ଆଗତୁରା ଯାଇ ଗିଳି ପକାଇଥାଏ । ହୃଦୟ ନଥିଲେ ମଣିଷ ବଡ଼ ଶାନ୍ତିରେ ରହେ, ନିର୍ମମ ହୋଇ ରହିଥାଏ ।

 

ମୁଁ ଭାବୁଥିଲି, ପ୍ରାୟ ମାସକ ତଳେ ବଙ୍ଗଳାଦେଶର ଦ୍ୱୀପାଞ୍ଚଳରେ ସମୁଦ୍ରବାତ୍ୟାର ଶିକାର ହୋଇ ଯେଉଁ ଚାଳିଶି ହଜାର ମଣିଷ ଏଡ଼େ ନିଃସହାୟ ଭାବରେ ମୃତ୍ୟୁମୁଖରେ ପଡ଼ିଲେ, ସେମାନେ କ'ଣ ଏହିପରି ଏକ ଅପମୃତ୍ୟୁର କବଳରେ ପଡ଼ିବେ ବୋଲି ସେହି ଦ୍ୱୀପଗୁଡ଼ିକରେ ଯାଇ ବାସ କରୁଥିଲେ ? ଆପଣାକୁ ଅତ୍ୟନ୍ତ ଦାୟିତ୍ୱହୀନ ବୋଲି ଗ୍ରହଣ କରି ନ ନେଇଥିଲେ କେହି କଦାପି ଏପରି କହିବ ନାହିଁ । ଏହିସବୁ ଦୁର୍ଘଟଣାମାନ ପ୍ରକୃତରେ ଯଦି ବିଧିନିର୍ଦ୍ଦିଷ୍ଟ ହୋଇ ରହିଛି, ତେବେ ଯେଉଁ ବିଧି ସେଗୁଡ଼ିକୁ ନିର୍ଦ୍ଦିଷ୍ଟ କରି ରଖିଛି, ସିଏ ପ୍ରକୃତରେ କାହିଁକି କେତେକ ମନୁଷ୍ୟଙ୍କର ଜୀବନରେ ଏଭଳି ଏକ କ୍ରୁର ଘଟଣା ଘଟୁ ବୋଲି ଇଚ୍ଛା କରୁଥିବେ ? ଏଥିରୁ ଅପରାଧ, ଶାସ୍ତିବିଧାନ ଏବଂ ସ୍ଵର୍ଗନର୍କ ବିଷୟରେ ନାନା ତତ୍ତ୍ୱକଥାର ଅବତାରଣା କରାଯାଇ ପାରିବ । ଧର୍ମମାନଙ୍କରେ ଏସବୁ ତତ୍ତ୍ୱ ସଚରାଚର ଭୁରି ଭୁରି ଭର୍ତ୍ତି ହୋଇ ରହିଛି ଓ ଧର୍ମସ୍ଥମାନଙ୍କୁ ନିର୍ମମ ତଥା ଉପେକ୍ଷାପ୍ରିୟ କରିବାରେ ତାହା ଅନେକ ସମୟରେ ଭାରି ସାହାଯ୍ୟ କରିଛି । ସଂସାରରେ ଯେଉଁମାନେ ବାହାରେ ଉଗ୍ର ଓ ଭିତରେ ଭୀରୁ ହୋଇ ରହିଥାଆନ୍ତି, ବାହାରେ ସଫଳ ହୋଇ ଭିତରେ ଆପଣାର ଅସଲ ଘରମାନଙ୍କରେ ଭାରି ନିଃସ୍ୱ ହୋଇ ରହିଥାଆନ୍ତି, ସେମାନେ ହିଁ ଭଗବାନଙ୍କୁ ସାଧାରଣତଃ ଜଣେ ପ୍ରଚଣ୍ଡ ଦଣ୍ଡଦାତା ବୋଲି କଳ୍ପନା କରିଥାନ୍ତି । ସେମାନଙ୍କର ସେହି ଭଗବାନ ଦଣ୍ଡ ଦିଅନ୍ତି, ପୁରସ୍କାର ଦିଅନ୍ତି । ସେହି ଭଗବାନ ପ୍ରତିଶୋଧ ନିଅନ୍ତି, ପ୍ରତିଶୋଧ ନେଇ ମଣିଷର ଅଣ୍ଟା ଭାଙ୍ଗିଦେଇ ପାରିଲେ ବୋଲି ହୁଏତ ଭାରି ଖୁସି ବି ହୁଅନ୍ତି । ଭଗବାନଙ୍କୁ ଏହି ସଂସାରର ବାହାରେ କଳ୍ପନା କରୁଥିବା ପର୍ଯ୍ୟନ୍ତ ମଣିଷ ଏହିସବୁ ଉପନ୍ୟାସ ରଚନା କରି ନିର୍ମମ ହୋଇ ରହିବାକୁ ଭାରି ଖୋରାକ ପାଉଥାଏ । ମାତ୍ର ତାଙ୍କର ଆଉ ଏକ ପ୍ରକାରର କଳ୍ପନା ମଧ୍ୟ କରାଯାଇ ପାରିବ । ତାଙ୍କୁ ଏହି ସଂସାର ଭିତରେ କଳ୍ପନା କରାଯାଇ ପାରିବ । ପ୍ରତ୍ୟେକ ମଣିଷ ଭିତରେ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ରହି ସେହି ମଣିଷର ପରିଚାଳନା କରୁଛନ୍ତି ବୋଲି କଳ୍ପନା କରାଯାଇ ପାରିବ । ସିଏ ମଣିଷ ଉପରେ କୌଣସି ପ୍ରତିଶୋଧ ନେବାକୁ ମୋଟେ ଇଚ୍ଛା କରୁନାହାନ୍ତି । ମଣିଷର ପାଖେପାଖେ ବନ୍ଧୁ ହୋଇ ରହିଛନ୍ତି ଓ ସେହି ବନ୍ଧୁସ୍ପର୍ଶର ପ୍ରେରଣାରେ ମନୁଷ୍ୟ ନୂଆ ନୂଆ ଚକ୍ଷୁ ଲାଭ କରି ସତତ ଆଗକୁ ଯିବାରେ ଲାଗିଛି । ମଣିଷ ବାରମ୍ବାର ଝୁଣ୍ଟୁଛି, ବଣା ହୋଇ ଯାଉଛି, ଭ୍ରମକୁ ସାର ବୋଲି ମଣୁଛି । ସମ୍ବନ୍ଧକଟା ଏକୁଟିଆ ହୋଇ ରହିବାର ନାନା ପ୍ରକୋପରେ ପଡ଼ି ସିଏ ଯେତେବେଳେ ହିରଣ୍ୟକଶିପୁ ହୋଇ କେଡ଼େ ଗର୍ଜନ କରୁଛି, ସେତେବେଳେ ଭଗବାନ ହୁଏତ ପ୍ରହଲାଦ ହୋଇ ତାକୁ ପାହାଚ ଉଠାଇ ନେବାକୁ ଆସୁଛନ୍ତି । ସତ୍ୟ, ଶିବ ଓ ସୁନ୍ଦର ରୂପରେ ସିଏ ଆମ ଜୀବନର ପ୍ରତ୍ୟେକ ଅବସର ଏବଂ ମୁହୂର୍ତ୍ତକୁ ଭାରି ଆକର୍ଷଣମୟ ଓ ସମ୍ଭାବନାପୂର୍ଣ୍ଣ କରି ରଖିଛନ୍ତି । ଆପଣା ଜୀବନରେ ଭଗବାନଙ୍କର ଏହିପରି ଏକ ଅବସ୍ଥିତିକୁ ଅନୁଭବ କରିପାରିଲେ, ନିର୍ମମ ହେବାଲାଗି, ଭାଗ୍ୟବାଦୀ ଅଥବା କର୍ମବାଦୀ ହେବାଲାଗି ସମ୍ଭବତଃ ଆଉ ଆଦୌ କୌଣସି ପ୍ରୟୋଜନ ରହନ୍ତା ନାହିଁ ।

 

ତେବେ ମହାନୁଭବ ଓ ସମ୍ବେଦନଶୀଳତା ହିଁ ମନୁଷ୍ୟ ମନୁଷ୍ୟ ଭିତରେ ରହିଥିବା ସମ୍ବନ୍ଧ ସମଗ୍ରଟିର ସର୍ବପ୍ରଧାନ ନିର୍ଣ୍ଣାୟକ ରୂପେ ସ୍ୱୀକୃତ ହୋଇ ପାରନ୍ତା । ତେବେ ସମାଜରେ ଆମେ ପ୍ରତ୍ୟେକେ ପରସ୍ପର ପ୍ରତି ମୂଳତଃ ସହାନୁଭୂତିଶୀଳ ହୋଇ ରହିପାରନ୍ତୁ । ତା'ପରେ ଉପେକ୍ଷାର ଯାବତୀୟ ପ୍ରମାଦ କେଡ଼େ ସହଜରେ ମଧ୍ୟ କଟିଯାଇ ପାରନ୍ତା । ଆପଣା ଭିତରେ ନିଜର ସର୍ବୋତ୍ତମ ପ୍ରତିଶ୍ରୃତିଗୁଡ଼ିକୁ ଅନୁଭବ କରିବା ମାତ୍ରକେ ମୁଁ ସେହିଗୁଡ଼ିକର ଦର୍ପଣ ଉପରେ ଅନ୍ୟମାନଙ୍କୁ ଦେଖି ପାରିବାର ସୁରାଖଗୁଡ଼ିକୁ ମଧ୍ୟ ପାଇଯାଆନ୍ତି ଏବଂ ତେଣୁ ଅନ୍ୟମାନଙ୍କ ମଧ୍ୟରେ ରହିଥିବା ସର୍ବୋତ୍ତମ ପ୍ରତିଶ୍ରୃତିଗୁଡ଼ିକୁ ଆବିଷ୍କାର କରି ସବାଆଗ ସେହିଗୁଡ଼ିକର ନିକଟବର୍ତ୍ତୀ ହେବାକୁ ହିଁ ପ୍ରୟାସୀ ହୁଅନ୍ତି । ସେତେବେଳେ ଜଗତର ଦୁଃଖ ମୋର ସମ୍ବେଦନାରୂପୀ ପାତ୍ରଟି ଉପରେ ଅତ୍ୟନ୍ତ ସହଜରେ ଉକୁଟି ଉଠିପାରନ୍ତା । ଅନ୍ୟ ପ୍ରତ୍ୟେକଙ୍କର ଦୁଃଖକୁ ମୁଁ ଜଳଜଳ କରି ଅନୁଭବ କରି ପାରନ୍ତି । ମୁଁ ଏହି ସମଗ୍ର ଜଗତ ଲାଗି ଗ୍ରହଣଶୀଳ ହୋଇ ରହିପାରନ୍ତି । କାହାକୁ ମନ୍ଦଭାଗ୍ୟ ବୋଲି କହି କଦାପି ଆଗକୁ ଅଥବା ଆଉ କୁଆଡ଼େ ପଳାଇଯାଇ ପାରନ୍ତି ନାହିଁ । ସେତେବେଳେ ଶାସ୍ତ୍ରଗୁଡ଼ାକର ବାକ୍ୟ ଅପେକ୍ଷା ଆପଣାର ଏହି ଆବିଷ୍କାର ଉପରେ ହିଁ ଅଧିକ ନିର୍ଭରଯୋଗ୍ୟ ଭାବରେ ବିଶ୍ଵାସ କରିବାକୁ ଇଚ୍ଛା ହୁଅନ୍ତା । ଡୋରାଗୁଡ଼ାକୁ ହିଁ ଜୀବନର ଅସଲ ଔଚିତ୍ୟ ବୋଲି ସ୍ୱୀକାର କରି ନେଇ ହୁଅନ୍ତା ।

 

ପ୍ରତ୍ୟେକ ମନୁଷ୍ୟ ଭିତରେ ଯିଏ ଅଛି, ମୋ ଭିତରେ ମଧ୍ୟ ସେଇ ବିଦ୍ୟମାନ ରହିଛି, ଏହା କେବଳ ଏକ ତତ୍ତ୍ୱ କିମ୍ବା ବିଶ୍ୱାସ ନୁହେଁ–ଜୀବନକୁ ସମଗ୍ରରୂପେ ଅନୁଭବ କରିପାରିଲେ ତାହା ଆମ ଭିତରେ ଏକ ଡୋର ପରି କାର୍ଯ୍ୟ କରିପାରିବ । ପ୍ରାଚୀନ ସମାଜରେ ମଣିଷ ଜୀବନର ଏହି ଡୋରଗୁଡ଼ିକୁ ମାୟା ବୋଲି କୁହାଯାଉଥିଲା । ଏହି ମାୟାସଂସାରରେ କେହି କାହାରି ନୁହେଁ ବୋଲି ଧର୍ମପ୍ରବଚନ ଦିଆ ଯାଉଥିଲା । ତାହାଦ୍ଵାରା ମଣିଷକୁ ତା’ର ଅନୁରାଗଗୁଡ଼ିକର କ୍ଷେତ୍ରରେ ସଂସାରର ସବୁଆଡ଼ୁ ବିଚ୍ଛିନ୍ନ କରି କ୍ରମଶଃ ଭାରି ସରୁଆ ଏବଂ ସଂକୀର୍ଣ୍ଣ କରି ଅଣା ଯାଉଥିଲା । ପ୍ରାଚୀନ କାଳରେ ଏହିପରି ଏକ ହୃଦ୍‌ଭ୍ରମରେ ପଡ଼ି ଯାଇଥିବା ମଣିଷ ଗୋଟାସୁଦ୍ଧା କେବଳ ନିଜର ମୁକ୍ତିକୁ ହିଁ ଲୋଡ଼ୁଥିଲା ଏବଂ ତାହାକୁ ଅସଲ ଧର୍ମ ବୋଲି ମଣୁଥିଲା । ଆଧୁନିକ ମଣିଷ ବି ଗୋଟାଏ ପ୍ରକାରେ କେବଳ ନିଜକୁ ଲୋଡ଼ି ପ୍ରଧାନତଃ ଆତ୍ମସୁଖକାମୀ ହେବାକୁ ସବୁଠାରୁ ଅଧିକ ବ୍ୟାକୁଳ ଭାବରେ ଇଚ୍ଛା କରୁଛି । ସିଏ ନିଜର ସଫଳତା ଲୋଡ଼ୁଛି, ନିଜର କର୍ମକୁ ହିଁ ଲୋଡ଼ୁଛି, ବିତ୍ତ ଓ ବିଭବରେ କେବଳ ନିଜେ ସମସ୍ତଙ୍କଠାରୁ ଉଜ୍ଜ୍ୱଳ ହୋଇ ଦେଖାଯିବ ବୋଲି ପ୍ରାଣପଣେ ଚେଷ୍ଟା କରିବାରେ ଲାଗିଛି । ଏହିପରି ଏକ ଆଧୁନିକ କର୍ମବାଦ ବର୍ତ୍ତମାନ ଆମ ଜଗତରେ ପ୍ରାୟ ଯାବତୀୟ କ୍ଷେତ୍ରରେ ଆସି ଘୋଟି ରହିଛି । ମଣିଷକୁ ନିର୍ମମ କରିଛି । ପାଷଣ୍ଡ କରିଛି । ମଣିଷ ମଣିଷ ଭିତରେ କ୍ରୁର ପ୍ରତିଯୋଗିତାମାନ ଲାଗି ରହିଛି । ଅର୍ଥନୀତିରେ ଲାଗିଛି, ରାଜନୀତିରେ ଲାଗିଛି, ରାଷ୍ଟ୍ରନୀତିରେ ଲାଗିଛି । ବର୍ତ୍ତମାନର ଧାର୍ମିକତାଗୁଡ଼ାକ ମଧ୍ୟ ଏହି ପ୍ରତିଯୋଗିତାକୁ ସମର୍ଥନ କରୁଛନ୍ତି । ବେଳେବେଳେ ଭାରି ଉସୁକାଇ ଦେଉଛନ୍ତି, କେତେବେଳେ ମଣିଷଙ୍କୁ ପ୍ରାୟ ଅନ୍ଧ ବି କରି ଦେଉଛନ୍ତି । ପୃଥିବୀର ଅଧିକାଂଶ କ୍ଷେତ୍ରରେ ବର୍ତ୍ତମାନ ଏହି ଆଧୁନିକ ଭାଗ୍ୟବାଦର ରାଜତ୍ୱ ଚାଲିଛି, ଅତ୍ୟନ୍ତ ନିର୍ମମ ଭାବରେ ଚାଲିଛି ।

 

ଆମେ ସମ୍ବେଦନଶୀଳ ହୋଇ ରହିବାକୁ ହିଁ ଜୀବନର ସର୍ବପ୍ରଧାନ ଆଭିମୁଖ୍ୟ ବୋଲି ସ୍ୱୀକାର କରିନେଇ ପାରିଲେ ଆମ ପୃଥିବୀର ସମ୍ବନ୍ଧଗୁଡ଼ାକ ଅନ୍ୟପ୍ରକାର ହୋଇପାରନ୍ତା । ନିଜେ ସୁଖୀ ହେବାକୁ ଯାଇ ଆମେ ସେତେବେଳେ ଆଉ ଅନ୍ୟମାନଙ୍କର ଅନେକ ଦୁଃଖର କାରଣ ହେବା ପାଇଁ ମୋଟେ ମନ କରନ୍ତୁ ନାହିଁ । ଆପେ ଭାଗ୍ୟବାନ ହୋଇ ରହିବାର ଲୋଭରେ ତୁଚ୍ଛା ଭାଗ୍ୟବାନ୍‌ର ଉପେକ୍ଷାଗୁଡ଼ାକ ଦ୍ଵାରା ଅନ୍ୟ ଅନେକଙ୍କ ବିଷୟରେ ନିର୍ମମ ହୋଇ ରହିବା ଲାଗି ତେଣିକି ଆମକୁ ଆଉ ଆଦୌ ଭଲ ଲାଗନ୍ତା ନାହିଁ । କେବଳ ନିଜର ସୁଖ ଅଥବା ନିଜର ମୁକ୍ତି ଲାଗି ହିଁ ଆମେ କଦାପି ଦେବତାମାନଙ୍କୁ ଲୋଡ଼ନ୍ତୁ ନାହିଁ, ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରି ରଖିବାକୁ ଆଗ୍ରହୀ ହୁଅନ୍ତୁ ନାହିଁ, ଏହି ସଂସାରର ଦୁଃଖଗୁଡ଼ାକ ଆମକୁ ଆମ ନିଜର ଦୁଃଖ ବୋଲି ମନେ ହୋଇ ପାରନ୍ତା । ଜାତି, ଧର୍ମ ଓ ଦେଶ ନିର୍ବିଶେଷରେ ତାହା ସମ୍ଭବ ହୋଇପାରନ୍ତା, ଆତ୍ମା ଆତ୍ମାକୁ ସ୍ପର୍ଶ କରିପାରିବା ଲାଗି ବାଟ ଫିଟି ଯାଆନ୍ତା । ଆମର ଧର୍ମ, ଆମର ରାଜନୀତି ଓ ଆମର ଯାବତୀୟ ଜୀବନାଚାର ଆମକୁ ମୂଳତଃ ସେହି ଦିଗରେ ହିଁ ଉତ୍ସାହିତ କରନ୍ତେ, ପ୍ରେରଣା ଦେଇ ପାରନ୍ତେ । ଗୋଟାଏ ନିର୍ଦ୍ଦିଷ୍ଟ ଦେଶରେ, ଗୋଟିଏ ନିର୍ଦ୍ଦିଷ୍ଟ ରାଷ୍ଟ୍ରର ଆୟତନ ମଧ୍ୟରେ ବାସ କରୁଥିଲେ ମଧ୍ୟ ଆମେ ତଥାପି ଆମର ଅନୁଭବ ଏବଂ ଉଦ୍ୟମଗୁଡ଼ିକର କ୍ଷେତ୍ରରେ ଏକାବେଳକେ ଏହି ସମୁଦାୟ ସଂସାର ଭିତରେ ରହିଥିବା ପରି ମଣୁଥାଆନ୍ତୁ, ଆମରି ଜୀବନକୁ ମାଧ୍ୟମ କରି ସାରା ସଂସାର ମଧ୍ୟ ଆଗେଇ ଯାଇ ପାରୁଥାଆନ୍ତା ।

 

ଆଗକୁ ସେହି ସମ୍ବେଦନଶୀଳତାର ଯୁଗ ଆସୁଛି । ଉପେକ୍ଷାର ଯୁଗ ସରି ସରି ଯାଉଛି-। ଅବଶ୍ୟ ଏକଥା ସତ୍ୟ ଯେ ଦୁଆରଗୁଡ଼ାକୁ ବନ୍ଦକରି ବସିଥିବା ପର୍ଯ୍ୟନ୍ତ ଆମେ କଦାପି ଏଇଟି ସରୁଛି ଓ ସେଇଟି ଆରମ୍ଭ ହେଉଛି ବୋଲି ଅନୁଭବ କରିପାରିବା ନାହିଁ । ଆମେ ରାଜିହେଲେ ଯାଇ ତାହାକୁ ଅନୁଭବ କରିପାରିବା । ସେଥିଲାଗି ଆଜି ପୃଥିବୀଯାକ ନାନା ସ୍ତରରେ ହେଉଥିବା ଉଦ୍ୟମରେ ଅଂଶଗ୍ରହଣ କରିପାରିବା, ବର୍ତ୍ତମାନର ପୃଥିବୀ ସଙ୍କଟ ଭିତରୁ ଆଗକୁ ବାଟ କଢ଼ାଇ ନେଇପାରିବା । ଆମର ଭାଗ୍ୟ ଏହି ପୃଥିବୀର ଭାଗ୍ୟ ସହିତ ଯୋଡ଼ା ହୋଇ ରହିଛି ଓ ସେହି ଭାଗ୍ୟ ଗୋଟିଏ ବିଧାତାର ନିର୍ଦ୍ଦେଶକ୍ରମେ ବିବର୍ତ୍ତିତ ଏବଂ ସମୃଦ୍ଧ ହୋଇ ଚାଲିଛି ବୋଲି ବିଶ୍ୱାସ କରିପାରିଲେ ଆମେ ତା’ପରେ ଆଉ ଭାଗ୍ୟବାଦୀ ଅଥବା କର୍ମବାଦୀ ହୋଇ ରହିବାକୁ ଆଦୌ ମନ କରିବା ନାହିଁ । ଆମ ଜୀବନ ଭିତରକୁ କୌଣସି ଉପେକ୍ଷା ଭାବକୁ ଆସିବାକୁ ହିଁ ଦେବା ନାହିଁ । ସହାନୁଭବ ହିଁ ମନୁଷ୍ୟ ଜୀବନର ସର୍ବପ୍ରଧାନ ଉତ୍‌ପ୍ରେରକ ହୋଇ ରହିଲେ ପୃଥିବୀ ଉପରେ ବର୍ତ୍ତମାନ ପଡ଼ିଥିବା ଉପେକ୍ଷାଜନିତ ଯାବତୀୟ ମନ୍ଦ ଦଶା ଅବଶ୍ୟ କଟି ଯାଇପାରିବ ।

 

ତେଣୁ ଉଡ଼ାଜାହାଜ ଫାଟି ଯେଉଁମାନଙ୍କର ଜୀବନର ଅବସାନ ଘଟିଲା, ସେମାନେ ଠିକ୍‍ ଆମରି ପରି ମଣିଷ ବୋଲି ଆମେ ଅନୁଭବ କରିବା । ଆମେ ସତେଅବା ସେଇମାନଙ୍କ ସହିତ ଗୋଟିଏ ବିଶ୍ୱ ଭିତରେ ଏକାଠି ବାଟ ଚାଲୁଥିଲେ ବୋଲି ଅନୁଭବ କରିବା । ସେମାନଙ୍କର ମୃତ୍ୟୁକୁ ସମବେଦନାର ସହିତ ସ୍ୱୀକାର କରିନେବା । ସମସ୍ତଙ୍କ ସହିତ ବିଶ୍ୱର ଦୁଃଖବେଳେ ଭାଗୀ ହୋଇ ପାରୁଥିଲେ, ଆମେ ପୃଥିବୀରେ ସୁଖ ଓ ଆନନ୍ଦକୁ ବଢ଼ାଇବାରେ ମଧ୍ୟ କ୍ରମଶଃ ଅଧିକରୁ ଅଧିକ ଯୋଗ୍ୟ ଭାବରେ ସାମିଲ ହୋଇ ପାରିବା । ନୀରବ ହୋଇ ଆମେ ମଣିଷର ଦୁଃଖକୁ ନିଜ ଭିତରକୁ ସ୍ୱୀକାର କରିନେବା । ଆମେ ନିଜେ ଯେପରି କଦାପି ଏହିଭଳି କୌଣସି ଦୁଃଖର କାରଣ ହେଲାଭଳି କୌଣସି କାର୍ଯ୍ୟ କ କରିବା, ସେଥିଲାଗି ଆମକୁ ଯଥେଷ୍ଟ ବଳ ଦେବା ଲାଗି ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ।

୩ । ୭ । ୮୫

Image

 

ବୁଦ୍ଧିଜୀବୀ ଦୁର୍ବୁଦ୍ଧିଜୀବୀ

 

ମନୁଷ୍ୟମାତ୍ରକେ ପ୍ରତ୍ୟେକଙ୍କର ବୁଦ୍ଧି ଥାଏ । ସେହି ବୁଦ୍ଧି ଥିବା ଯୋଗୁଁ ହିଁ ମନୁଷ୍ୟ ଇତର ପ୍ରାଣୀଠାରୁ ଅଲଗା ଭାବରେ ବଞ୍ଚେ ଓ ଅଲଗା ଭାବରେ ଜୀବନର ଯାବତୀୟ ବେଭାରରେ ପ୍ରବୃତ୍ତ ହୁଏ ବୋଲି ଆମେ କହିଥାଉ । ଆମର ଶାସ୍ତ୍ରୀମାନେ ବି ଠିକ୍ ସେହିକଥା କହନ୍ତି । ସାଧାରଣଙ୍କ ତୁଳନାରେ ଯେଉଁମାନଙ୍କର କିଞ୍ଚିତ୍‌ ଅଧିକ ବୁଦ୍ଧି ରହିଥିବାର ପରିଚୟ ମଳେ, ସେହିମାନଙ୍କୁ ବୁଦ୍ଧିଆ ବୋଲି କୁହାଯାଏ । ବୁଦ୍ଧିଆ ମଣିଷମାନେ ଅନ୍ୟ ମଣିଷମାନଙ୍କୁ ସାଧାରଣତଃ ନିର୍ବୁଦ୍ଧିଆ ବୋଲି ମନେ କରିଥାନ୍ତି । ଆମ ଭିତରର ଉଚ୍ଚଶିକ୍ଷିତମାନେ ଯେପରି ଅପେକ୍ଷାକୃତ କମ୍ ଶିକ୍ଷିତ ତଥା ବାହାରକୁ ଦେଖିବାକୁ କୌଣସି ଶିକ୍ଷାଲାଭ କରି ନ ଥିବା ଲୋକମାନଙ୍କୁ ସାଧାରଣତଃ ଶିକ୍ଷାହୀନ ବୋଲି ଜ୍ଞାନ କରନ୍ତି, ଇଏ ପ୍ରାୟ ସେହିପରି କଥା ।

 

ବୁଦ୍ଧିଜୀବୀମାନଙ୍କୁ ସାଧାରଣତଃ ବୁଦ୍ଧିଆମାନଙ୍କଠାରୁ ଆହୁରି ଅଧିକ ବୁଦ୍ଧିଆ ବୋଲି ବିଚାର କରାଯାଇଥାଏ । ବୁଦ୍ଧିଜୀବୀମାନେ ବୁଦ୍ଧିର ଜୀବିକା କରନ୍ତି, ଅର୍ଥାତ୍ ବୁଦ୍ଧିକୁ ବିକି ଜୀବିକାର୍ଜନ କରନ୍ତି । ଏହି ବୁଦ୍ଧିଜୀବୀମାନେ ହିଁ ଆମ ସଂସାରକୁ ଚଳାନ୍ତି । ସେଇମାନେ ଛାଟ ଉଞ୍ଚାଇଲେ ତଳେ ଚକମାନେ ଚାଲିବାକୁ ଆରମ୍ଭ କରନ୍ତି । ପୃଥିବୀରେ ଥିବା ଯାବତୀୟ ସମାଜରେ, ଅନ୍ତତଃ ଆଧୁନିକ ସମାଜମାନଙ୍କରେ ଅଧିକାଂଶ ଅନେକ ମଣିଷ ସାମୂହିକ ଜୀବନରୂପୀ ଯାନର ଚକପରି ହୋଇ ରହିଥା’ନ୍ତି । ସେମାନେ ନିଜେ କେବେ ଚାଲିପାରିବେ ବୋଲି ସଚରାଚର ଆଦୌ ବିଶ୍ଵାସ କରାଯାଏ ନାହିଁ । ଚକମାନଙ୍କର ଅନେକ ଉପରେ ଏକ ଅଲଗା ସ୍ୱୀକୃତି ଓ ଅଲଗା ସନ୍ତକ ସହିତ ରଥ ଉପରେ ହୁଏତ ଆଉ କିଏ ବସିଥାଏ, ସେଇ ମନ କଲେ ରଥ ଚାଲେ, ସେଇ ମନ କଲେ ଚକମାନେ ଗଡ଼ିବାକୁ ଆରମ୍ଭ କରନ୍ତି । ରଥକୁ ଚଳାଇବା ନିୟମତଃ ବୁଦ୍ଧିଜୀବୀମାନଙ୍କର ହିଁ କାର୍ଯ୍ୟ ବୋଲି ବୁଦ୍ଧିଆ ଲୋକେ କାଳେ କାଳେ କହି ଆସିଛନ୍ତି ।

 

‘ବୁଦ୍ଧିଜୀବୀ' ଶବ୍ଦଟିକୁ ଶୁଣିଲେ ହଠାତ୍ ମନେ ହୋଇଥାଏ, ସତେ ଯେପରି ସେମାନେ ଗୋଟାସୁଦ୍ଧା ସେହି ବୁଦ୍ଧିରେ ହିଁ ତିଆରି ହୋଇଛନ୍ତି । ଭଗବାନ ହୁଏତ ବିଶେଷ ବୁଦ୍ଧି ଖରଚ କରି ସେମାନଙ୍କୁ ଅଲଗା ବାଗରେ ଗଢ଼ିଛି ଏବଂ ସ୍ୱତନ୍ତ୍ର ଭାବରେ ସଂସାରକୁ ପଠାଇଛି । ସେହି କଥାଟି ହୁଏତ ଆଦୌ ଠିକ୍ ନୁହେଁ । ମଣିଷ ମାତ୍ରକେ ସମସ୍ତଙ୍କର ଶରୀରଟାଏ ଅଛି, ହାତଗୋଡ଼ ଅଛି, ଭିତରେ ଯାବତୀୟ ଆତଯାତର ଅସଲ ଗଣ୍ଡି ଓ କେନ୍ଦ୍ରରୂପେ ହୃଦୟଟିଏ ମଧ୍ୟ ରହିଛି । ଆପଣାର ବୁଦ୍ଧିଧନକୁ ଅତିରିକ୍ତ କାମନାପୂରିତ ଭାବରେ ଦେଖୁଥିବାରୁ ହିଁ ଅନେକ ସମୟରେ ଅନେକ ବୁଦ୍ଧିଜୀବୀ ନିଜ ଭିତରେ ବା ନିଜ ଜୀବନରେ କେବଳ ସେହି ବୁଦ୍ଧିଟା ବ୍ୟତୀତ ଆଉ କିଛିହେଲେ ଦେଖି ପାରୁଛନ୍ତି ବୋଲି ଅନୁଭବ କରି ପାରନ୍ତି ନାହିଁ । ମାତ୍ର, ଅସଲ କଥା ହେଉଛି, ଜଣେ ମଣିଷ ଯେଡ଼େ ବୁଦ୍ଧିଆ ହୋଇଥିଲେ ମଧ୍ୟ ଏବଂ ପ୍ରଧାନତଃ ବୁଦ୍ଧିଟାକୁ ନେଇ ସଂସାରରେ ଯାବତୀୟ ସୌଦାଗରୀ କରୁଥିଲେ ମଧ୍ୟ ତା' ଭିତରେ ତଥାପି ଏକ ଦେହ ଥାଏ ଏବଂ ଏକ ହୃଦୟ ମଧ୍ୟ ରହିଥାଏ । ଏକ ଦେହ ଥିବାରୁ ଦେହର ଦାବୀମାନ ମଧ୍ୟ ରହିଥାନ୍ତି । ସେହିପରି, ହୃଦୟ ଥିବାରୁ ହୃଦୟସ୍ତରର ଦାବୀଗୁଡ଼ିକ ମଧ୍ୟ ସର୍ବଦା ରହିଥାଆନ୍ତି ।

 

ହୁଏତ ଏପରି ହୁଏ ଯେ, ବୁଦ୍ଧିଜୀବୀ ନିଜ ଭିତରେ କେବଳ ବୁଦ୍ଧିଟାକୁ ଦେଖିବ ଓ କେବଳ ତାହାକୁ ହିଁ ଯାହାକିଛି ମାନ୍ୟତା ଦେବ ବୋଲି ନିଷ୍ପତ୍ତି କରି ବସିଥିଲେ ସିଏ ଅଭ୍ୟାସରେ ପଡ଼ି, କ୍ରମେ ତା' ଭିତରେ ଥିବା ଅନ୍ୟ କେନ୍ଦ୍ର ଓ ଅନ୍ୟ ଗବାକ୍ଷଗୁଡ଼ିକୁ ଦେଖି ମଧ୍ୟ ନ ଦେଖିଲା ପରି ଆଚରଣ କରୁଥାଏ । ସେ ସେଗୁଡ଼ିକର ଅବହେଳା କରୁଥାଏ ଏବଂ ଅବହେଳା କରୁଥିବାରୁ କ୍ରମେ କମ୍ ଗୁରୁତ୍ୱର ବୋଲି କହେ । ଦେହ, ବୁଦ୍ଧି ଓ ହୃଦୟ ମଧ୍ୟରେ ବୁଦ୍ଧିର ହିଁ ସର୍ବପ୍ରଧାନ ଭୂମିକା ରହିଛି ଓ ସେହି ବୁଦ୍ଧି ହିଁ ସଂସାରରେ ସବୁକିଛିକୁ ଚଳାଇ ଆସିଛି ଏବଂ ଚଳାଉଛି ବୋଲି ଅଧିକରୁ ଅଧିକ ପରିମାଣରେ ମାନି ନେଉଥିବା ସଙ୍ଗେ ସଙ୍ଗେ ସିଏ ବୁଦ୍ଧି ନ ଥିଲେ ଓ ଏପରିକି ବୁଦ୍ଧିଜୀବୀମାନେ ନ ଥିଲେ ସଂସାରରେ ଆଦୌ କିଛି ହୋଇପାରନ୍ତା ନାହିଁ ବୋଲି ଏଡ଼େ ପାଟିରେ ଘୋଷଣା କରିବାକୁ ଆଗଭର ହୋଇ ବାହାରି ଆସିଥାଏ । ଏହି କିସମର ବୁଦ୍ଧିଜୀବୀ ବର୍ତ୍ତମାନ ଆମ ପୃଥିବୀରେ ଅନେକ ମିଳିବେ, ହୁଏତ ଆବଶ୍ୟକତାରୁ ଅନେକ ଅଧିକ ମିଳିବେ ।

 

ହୃଦୟକୁ ଅସ୍ୱୀକାର କରିବାକୁ ଆରମ୍ଭ କଲେ ବୁଦ୍ଧିଜୀବୀମାନେ ଦୁର୍ବାସା ହୁଅନ୍ତି । ଦେହକୁ ଅସ୍ୱୀକାର କରିବସିଲେ ସେମାନେ ଜଣେ ଜଣେ ଚତୁର ମାୟା ସୃଷ୍ଟିକାରୀ ବ୍ୟତୀତ ଆଉ ଅନ୍ୟକିଛି ହୋଇପାରନ୍ତି ନାହିଁ । ଚକ ଉପରେ ବସିଥାନ୍ତି, ଚକଗୁଡ଼ାକ ଚାଲୁଛନ୍ତି ବୋଲି ଚାଲୁଥାନ୍ତି, ତଥାପି ଚକକୁ ଅବଜ୍ଞା କରିବାରେ ଲାଗି ଥାଆନ୍ତି । ବୁଦ୍ଧି ଦେଇ ହୃଦୟକୁ ଦେଖିବାକୁ ମନେକଲେ ମଣିଷକୁ ଦୁର୍ବାସାଙ୍କର ଦଶା ଭୋଗ କରିବାକୁ ହୋଇଥାଏ । ଦୁର୍ବାସା ବ୍ରହ୍ମର୍ଷି ହୋଇଥିଲେ, ଅର୍ଥାତ୍, ଜ୍ଞାନରୂପୀ ଗରଳକୁ ସିଏ ଏଡ଼େ ଅଧିକ ପ୍ରଚଣ୍ଡ ଭାବରେ ପାନ କରିଥିଲେ ଯେ, କେବଳ ସେହିଗୁଡ଼ିକ ହିଁ ତାଙ୍କର ଦେହସାରା ଓ ହୃଦୟସାରା ଚରିକରି ରହିଥିଲା, ତାଙ୍କ ହୃଦୟକୁ ଗୋଟାସୁଦ୍ଧା କାବୁ କରି ରଖିଥିଲା । ଆପଣା ଭିତରେ କେଉଁଠି ଏକଆଖିଆ, ଏକବାଗିଆ ଓ ଅଭିଶପ୍ତ ହୋଇ ରହିଥିବାରୁ ସିଏ ଯାହାକୁ ତାହାକୁ ଅଭିଶାପ ଦେଇ ପାରୁଥିଲେ । ହୃଦୟର ସମ୍ମୁଖୀନ ହେଲାବେଳେ ତାଙ୍କ ନିଜ ଭିତରଟା ବଡ଼ ଅପମାନଜନକ ଭାବରେ ଭାରି ଲାଜରା ହୋଇ ଯାଉଥିଲା କି କ'ଣ କେଜାଣି, ସେତେବେଳେ ତାଙ୍କର ଲାଜଗୁଡ଼ାକ ବାହାରକୁ କ୍ରୋଧରୂପେ ହିଁ ପ୍ରକଟ ହୋଇ ଆସୁଥିଲା ଓ ସିଏ ସତେଅବା ଭିତରେ ଥିବା କେଉଁ କ୍ରୋଧୀ ଦୈତ୍ୟ ଦ୍ଵାରା ପ୍ରେରିତ ହୋଇ ଅଭିଶାପ ଦେବାଲାଗି ଉଦ୍ୟତ ହୋଇ ପଡ଼ୁଥିଲେ । ହୃଦୟକୁ ଗିଳି ପକାଇଲେ ଜ୍ଞାନୀର ଯାବତୀୟ ଜ୍ଞାନ କ୍ରୋଧରେ ହିଁ ଅବଶେଷ ରହିଯାଏ, ବ୍ରହ୍ମର୍ଷି ବ୍ରହ୍ମଜ୍ଞାନୀମାନେ ଏହି ଦୁର୍ଦ୍ଦଶାରେ ପଡ଼ି ଦୁର୍ବାସା ହୁଅନ୍ତି, ଅର୍ଜନ କରିଥିବା ଜ୍ଞାନଗୁଡ଼ାକୁ ଅଲାଜୁକ କରି ରଖିଥାନ୍ତି । ଭାରି ପଦାରେ ପଡ଼ନ୍ତି ।

 

ହୃଦୟକୁ ଅସ୍ୱୀକାର କଲେ ବୁଦ୍ଧିଜୀବୀ ଓ ଜ୍ଞାନୀମାନେ ବିଶ୍ଵାମିତ୍ର ହୁଅନ୍ତି । ପ୍ରତିଯୋଗିତାକୁ ହିଁ ସକଳ ଜ୍ଞାନାର୍ଜନର ପରମ ଓ ଚରମ ଉତ୍କର୍ଷ ରୂପେ ଗ୍ରହଣ କରି ନିଅନ୍ତି । ପ୍ରତିଯୋଗିତାରେ ଜିତିବାକୁ କିମ୍ବା ହାରିବାକୁ ହିଁ ଆପଣା ଲବ୍‌ଧ ଜ୍ଞାନର ହିସାବ କରନ୍ତି । ଏବଂ ଭିତରେ ସେହି କାରଣରୁ ଅତ୍ୟନ୍ତ ଆତୁର ହୋଇ ରହିଥାନ୍ତି । ବିଶ୍ଵାମିତ୍ର ତପସ୍ୱୀ ଥିଲେ, ଗୁରୁ ଥିଲେ-। ତାଙ୍କ ଭିତରେ ଯେତେ ବୁଦ୍ଧି ରହିଥିଲା, ସେହି ଦୃଷ୍ଟିକୁ ଆଧୁନିକ ସକଳ ମାପକ ଅନୁସାରେ ତାଙ୍କୁ ଅବଶ୍ୟ ଜଣେ ବୁଦ୍ଧିଜୀବୀ ବୋଲି କୁହାଯାଇ ପାରିବ । ମାତ୍ର, ଏତେ ଏତେ ଧନକୁ ବହନ କରି ମଧ୍ୟ, ବିଶ୍ଵାମିତ୍ର ସେହି ପ୍ରତିଦ୍ୱନ୍ଦିତାର ଅଳପ ସ୍ତରଟିରେ ରହିଗଲେ, ପ୍ରତିଦ୍ୱନ୍ଦିତାରେ ହିଁ ସକଳ ଶକ୍ତିକୁ ସାରିଦେଲେ – ଭାରି ଛୋଟ ହୋଇ ରହିଗଲେ । ଆପଣାର ସକଳ ତପସ୍ୟାକୁ ସତେଅବା ମାରା କରି ରଖିଲେ । ସଂସାରର ହରିଶ୍ଚନ୍ଦ୍ରମାନଙ୍କୁ ନିଜର ଅନ୍ତର୍ଦ୍ଧାତୀ ଭିତରେ ହୁଏତ କେଉଁଠି ଭାରି ଈର୍ଷା କରୁଥିଲେ ଓ ତେଣୁ ସେମାନଙ୍କୁ ଅକାରଣରେ ହରକତରେ ପକାଇ ଆପଣାର ଅପାଗଳପଣକୁ ପ୍ରତିପାଦିତ କରି ଦେଉଥିଲେ । ଆପଣାର ବୁଦ୍ଧିଗୁଡ଼ାକୁ ସିଏ ପ୍ରଧାନତଃ ଆପଣାର ବଡ଼େଇ ବୃଦ୍ଧି କରିବାଲାଗି କାମରେ ଲଗାଉଥିଲେ । ଆପଣାଠାରୁ ବୃହତ୍ତର କୌଣସି ଲକ୍ଷ୍ୟର ସାଧନ ଲାଗି ଆପଣାକୁ ତଥା ଆପଣାର ତପୋବୁଦ୍ଧିକୁ କାମରେ ଲଗାଇ ପାରିଲେ ବୁଦ୍ଧିର ମଧ୍ୟ ଯେ ମହତ ବଢ଼େ, ବିଶ୍ଵାମିତ୍ର ସେହି କଥାଟିକୁ ସମ୍ଭବତଃ ଆଦୌ ଶିକ୍ଷା କରି ପାରି ନ ଥିଲେ । ତେଣୁ ଭାରି ନିର୍ବୁଦ୍ଧିଆ ହୋଇ ରହିଗଲେ, ତପସ୍ୟାଗୁଡ଼ାକୁ ସତେଅବା ପାଣିକୁ ପକାଇଦେଲେ ।

 

ହୁଦୟକୁ ଘେନା ନ କଲେ ବୁଦ୍ଧିଜୀବୀମାନେ ଦ୍ରୋଣ ହୁଅନ୍ତି । ଶବ୍ଦଟିର ପରିପୂର୍ଣ୍ଣ ଅର୍ଥରେ ହିଁ ଦ୍ରୋଣକୁ ଜଣେ ବୁଦ୍ଧିଜୀବୀ ବୋଲି କୁହାଯାଇ ପାରିବ । ଦ୍ରୋଣ ନିଜର ବୁଦ୍ଧିକୁ ବିକ୍ରୟକରି ଜୀବିକା ନିର୍ବାହ କରୁଥିଲେ । ଆପଣା ଭିତରେ ରହିଥିବା ହୃଦୟଟିକୁ ଅନୁଭବ କରିବାରେ ସେ କାଳକ୍ରମେ ଏପରି ଅସମର୍ଥ ହୋଇ ପଡ଼ିଥିଲେ ଯେ, ସିଏ ଏକଲବ୍ୟର ହୃଦୟଟିକୁ ମଧ୍ୟ ଆଦୌ ଦେଖି ପାରିଲେ ନାହିଁ । ଭକ୍ତିକୁ ଚିହ୍ନି ପାରିଲେ ନାହିଁ, ନିଷ୍ଠାକୁ ଚିହ୍ନି ପାରିଲେ ନାହିଁ । ଆପଣା ଗୁରୁପଣର ଗରୁ ଦର୍ପଣଟା ଉପରେ ଯେଉଁମାନେ ସଂସାରଟାକୁ ଦେଖି ବାହାରନ୍ତି, ସେମାନେ ସଂସାରର ହୃଦୟକୁ ମୋଟେ ଚିହ୍ନି ପାରନ୍ତି ନାହିଁ । ସେହିମାନେ ହିଁ ଦ୍ରୋଣ ହୁଅନ୍ତି, କୁଳଗୁରୁର ଆସନ ଲାଭ କରିଥିଲେ ମଧ୍ୟ ଅନ୍ତର୍ଗତ ଅସଲ କୁଳୀନତାଗୁଡ଼ିକର ଆଦୌ ଯୋଗ୍ୟ ହୋଇପାରନ୍ତି ନାହିଁ । ଆପଣା ଭିତରେ ସେମାନେ ଭାରି ଖଣ୍ଡିଆ ହୋଇ ବସିଥାନ୍ତି । ହୃଦୟ ନ ଥିଲେ ବୃଦ୍ଧି ଯେ ବଡ଼ ଦୟନୀୟ ଭାବରେ ଖଣ୍ଡିଆ ହୋଇ ରହିବାକୁ ବାଧ୍ୟ ହୁଏ, ପୃଥିବୀର ଇତିହାସରେ ଦ୍ରୋଣ କାଳକାଳ ଲାଗି ତାହାରି–ଏକ ଦୃଷ୍ଟାନ୍ତ ହୋଇ ରହିଥିବେ । ସବୁ ମଣିଷଙ୍କ ଲାଗି ଏକ ସତର୍କବାଣୀ ହୋଇ ରହିଥିବେ ।

 

କେବଳ ନିଜ ଉପରେ ଆଶ୍ରା କରି ରହୁଥିବା ବୁଦ୍ଧି ଦୁର୍ବୁଦ୍ଧିରେ ପରିଣତ ହୁଏ । କେବଳ ବୁଦ୍ଧିଟାକୁ ଦେଖିପାରିବେ ବୋଲି ଆଉ ସବୁଆଡ଼କୁ ଆଖିବୁଜି ରହିଥିବା ବୁଦ୍ଧିଜୀବୀମାନେ ଯାବତୀୟ କ୍ଷେତ୍ରରେ ଦୁର୍ବୁଦ୍ଧିଜୀବୀ ହୋଇ ବିଚରଣ କରୁଥାନ୍ତି । ଅସଲ ବୁଦ୍ଧି ହୃଦୟକୁ ମାନେ, ବିବେକକୁ ମାନେ, ତା’ ଆପଣା ବ୍ୟତୀତ, ଆହୁରି ଅନ୍ୟ ନାନା ଭୂମି ଓ ନାନା ପ୍ରସ୍ଥ ଅବଶ୍ୟ ରହିଛି ବୋଲି ତାହା ସ୍ୱୀକାର କରିବା ସକାଶେ କଦାପି କୁଣ୍ଠିତ ହୁଏ ନାହିଁ । ଅସଲ ବୁଦ୍ଧି ଆପଣାର ସୀମାଗୁଡ଼ିକୁ ଖୁବ୍ ଭଲକରି ଜାଣିଥାଏ । ତେଣୁ ଆଦୌ ଦମ୍ଭ କରେ ନାହିଁ, ଚତୁର ହୋଇ କେବେହେଲେ ପୃଥିବୀଟାକୁ ଗିଳି ଦେବାକୁ ବାହାରେ ନାହିଁ, କେବଳ ଆପେ ରାଜଚକ୍ରବର୍ତ୍ତୀ ହୋଇ ବସିବା ଲାଗି ମୋଟେ ମନ କରେ ନାହିଁ । ଆପଣାର ବୁଦ୍ଧିକୁ ଯଥାର୍ଥ ଭାବରେ ଚିହ୍ନିଥିବା ମଣିଷ କଦାପି କେବଳ ବୁଦ୍ଧିଟାକୁ ନେଇ ଜୀବନର ବଣିଜ କରି ବାହାରେ ନାହିଁ । କେବଳ ଦୁର୍ବୁଦ୍ଧିଜୀବୀ ହିଁ ତାହା କରିଥାଏ-। ତେଣୁ ସଂସାରଟାକୁ ଉଜୁଡ଼ାଇ ଦେବାର ପ୍ରକ୍ରିୟାଟିରେ ତାହାର ସର୍ବଦା ଏକ ସ୍ପଷ୍ଟ ଅବଦାନ ରହିଥାଏ ।

 

ଆମର ବର୍ତ୍ତମାନ ସଂସାରଟାକୁ ସତକୁ ସତ ଏହି ଦୁର୍ବୁଦ୍ଧିଜୀବୀମାନେ ଶାସନ କରୁଛନ୍ତି କି ? ଆମର ଏହି ପୃଥିବୀ ଅଧିକରୁ ଅଧିକ ପରିମାଣରେ ଦିନକୁ ଦିନ ଭାରି ନିର୍ବୁଦ୍ଧିଆ ହେବାରେ ଲାଗିଛି କି କ'ଣ କେଜାଣି, ତା’ର ଅଢ଼ାଗୁଡ଼ାକ କ୍ରମେ ପ୍ରଧାନତଃ ଦୁର୍ବୁଦ୍ଧିଜୀବୀମାନଙ୍କ ହାତରେ ଯାଇ ପଡ଼ିବାରେ ଲାଗିଛି । ଏହି ପୃଥିବୀରେ ଦୁର୍ବୁଦ୍ଧିଜୀବୀମାନେ ହିଁ ଅଧିକରୁ ଅଧିକ ନିରଙ୍କୁଶ ଭାବରେ ପ୍ରବଳ ଓ ଅତିବଳ ହେବାରେ ଲାଗିଛନ୍ତି । ଦୁର୍ବୁଦ୍ଧିଜୀବୀମାନେ ଆମ ଜ୍ଞାନ ଭିତରେ ଅଛନ୍ତି, ବିଜ୍ଞାନ ଭିତରେ ଅଛନ୍ତି, ଶାସନ ଭିତରେ ରହିଛନ୍ତି ଓ ଆମ ଧନ ଭଣ୍ଡାରଗୁଡ଼ାକର ମାଲିକ ହୋଇ ବସିଛନ୍ତି । ସେମାନେ ଆପଣାର ହୃଦୟଟିକୁ କୋଉକାଳୁ ନିଜର ଦୁର୍ବୁଦ୍ଧିଗୁଡ଼ାକ ପାଖରେ ନେଇ ବିକିଦେଇ ଆସିଲେଣି । ତେଣୁ ବିଶ୍ୱବାସୀଙ୍କର ପ୍ରକୃତରେ ଏକ ହୃଦୟ ରହିଛି ବୋଲି ସେମାନେ ଏବେ ସ୍ୱୀକାର କରିବାକୁ ମଧ୍ୟ ରାଜି ହେଉ ନାହାନ୍ତି । ହୃଦୟ ଉପରେ ଘୋଡ଼ା ଚଢ଼ି ଚତୁର ଦୁର୍ବୁଦ୍ଧିଜୀବୀମାନେ ପୃଥିବୀଯାକକୁ କେବଳ ସେହିମାନଙ୍କର ଏକ କ୍ରୁର ସାମଗ୍ରୀରେ ପରିଣତ କରି ରଖିବାଲାଗି କେଡ଼େ ଦର୍ପର ସହିତ ବାହାରି ପଡ଼ିଛନ୍ତି । ସମ୍ମିଳନୀରେ ବସୁଛନ୍ତି, ଅଧିକ କୁଶଳ ଭାବରେ ଶତ୍ରୁତାଗୁଡ଼ାକୁ ଦୋରସ୍ତ କରି ରଖିବେ ବୋଲି ଏକାଠି ବସି ଶାନ୍ତିର ଚର୍ଚ୍ଚା କରୁଛନ୍ତି । ଅଧିକରୁ ଅଧିକ ମଣିଷଙ୍କୁ ଦୀନରୁ ଆହୁରି ଦୀନ କରି ରଖିବାକୁ ସେମାନେ ବୁଦ୍ଧିଆ ସାଆନ୍ତମାନଙ୍କର ସଭା ଡକାଇ ବିଶ୍ଵସମୃଦ୍ଧିର ନାନା କଳ୍ପନାଜଳ୍ପନା କରିବାରେ ଲାଗିଛନ୍ତି ।

 

ଆମ ବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟମାନଙ୍କୁ ଯେଉଁମାନେ ଅଧିକରୁ ଅଧିକ ଶୋଚନୀୟ ଭାବରେ ତଳକୁ ଖସାଇ ଆଣିବାରେ ଲାଗିଛନ୍ତି, ସେହି ଧନାଢ଼୍ୟ ବିଦ୍ୟାବିଳାସୀମାନଙ୍କୁ ଆମେ ବୁଦ୍ଧିଜୀବୀ ବୋଲି କହିବା ନା ଦୁର୍ବୁଦ୍ଧିଜୀବୀ କହିବା ? ଆମ ଧର୍ମସ୍ଥାନମାନଙ୍କରେ ଯେଉଁମାନେ ଟୋପି ପିନ୍ଧି ଗଭା ବାନ୍ଧି ଆମକୁ ଅଧିକରୁ ଅଧିକ ଧର୍ମଛଡ଼ା ହୋଇ ରହିବାରେ ହିଁ ସାହାଯ୍ୟ କରୁଛନ୍ତି, ସେମାନଙ୍କୁ ଆମେ କେବଳ ଦୁର୍ବୁଦ୍ଧିଜୀବୀ ବ୍ୟତୀତ କାହିଁକି ଆଉ ଅନ୍ୟକିଛି କହିବାକୁ ମନ କରିବା ? ହୃଦୟ ନିଜ ସହିତ ସମସ୍ତଙ୍କୁ ମିଶାଇ ଏକାଠି ଦେଖିପାରେ; ପୃଥିବୀକୁ ବେଷ୍ଟିତ କରି ରଖିଥିବା ଆକାଶର ପରିପ୍ରେକ୍ଷୀରେ ପୃଥିବୀକୁ ଦେଖିପାରେ । ତେଣୁ ବୃହତ୍ତର ଭାବରେ ଦେଖିପାରେ, ବୃହତ୍ତର ଭାବରେ ଅନୁଭବ କରିପାରେ ଏବଂ କେବଳ ଆପଣା ଘେର ଭିତରେ ଅବରୁଦ୍ଧ ହୋଇ ରହିବାର କେତେ ପ୍ରମାଦରୁ ମଣିଷକୁ ମୁକ୍ତ କରି ରଖିପାରେ । ବୁଦ୍ଧି ତାହା ମୋଟେ ପାରେ ନାହିଁ, ତଥାପି ଭାରି ପାରିବ ବୋଲି ଦମ୍ଭ କରିବାରେ ଲାଗିଥାଏ । ଏହିପରି ଭାବରେ ହିଁ ତାହା ଏକ ଦୁର୍ବୁଦ୍ଧିରେ ପରିଣତ ହୋଇଯାଏ ।

 

କେବଳ ହୃଦୟର ହିଁ ଡେଣା ରହିଥାଏ । ବୁଦ୍ଧିର ଡେଣା ନ ଥାଏ । ଦୁର୍ବୁଦ୍ଧି ଆଦୌ କୌଣସି ଡେଣାକୁ ସାହସ ହିଁ କରି ପାରେନାହିଁ । ବାହାରେ ମଣିଷର ବୁଦ୍ଧିଗୁଡ଼ାକ ଯେତିକି ପ୍ରମତ୍ତ ଓ ପ୍ରବଳ ହେବାରେ ଲାଗିଥାନ୍ତି, ମଣିଷ ଆପଣା ଭିତରେ ହୁଏତ ସେତିକି ବେଶୀ ଭୀରୁ ହେବାରେ ଲାଗିଥାଏ । ସାହସର ଆସ୍ଥାନ ବୁଦ୍ଧି ନୁହେଁ, ହୃଦୟ । ଆମ ପୃଥିବୀରୁ ହୃଦୟଗୁଡ଼ାକ କ୍ରମେ ମରିମରି ଯାଉଥିବା ସଙ୍ଗେ ସଙ୍ଗେ ଓ ବୁଦ୍ଧି ହିଁ ଅଧିକରୁ ଅଧିକ ପ୍ରବଳ ହେବାରେ ଲାଗିଥିବା ସଙ୍ଗେ ସଙ୍ଗେ ଜଣେ ଜଣେ ମଣିଷ ହିସାବରେ ଓ ଏପରିକି ଗୋଟିଏ ଗୋଟିଏ ଗୋଷ୍ଠୀ ହିସାବରେ ଆମେ ପ୍ରକୃତରେ ଅଧିକରୁ ଅଧିକ ଭୀରୁ ହେବାରେ ଲାଗିଛୁ କି ? ଆମର ଚାଲାଖି ଓ ତଜ୍ଜନିତ ଆପାତ ସଫଳତାଗୁଡ଼ିକର ପଶ୍ଚାତରେ ଆମର ଭୀରୁତାଗୁଡ଼ାକ ହିଁ ଆମ କେନ୍ଦ୍ରର ଅସଲ ସଞ୍ଚାରପଥଗୁଡ଼ିକୁ କାମୁଡ଼ିକରି ରହିଛି କି ? ଦୁର୍ବୁଦ୍ଧିମାନଙ୍କର କବଳ ମଧ୍ୟରୁ ମୁକ୍ତିଲାଭ କରିବାକୁ ହେଲେ ଆମକୁ ସବାଆଗ ସେହି ପ୍ରଶ୍ନଟିର ସମାଧାନ କରିବାକୁ ହିଁ ପଡ଼ିବ । ନିଜର ଅନ୍ତର ଭିତରେ ସମାଧାନ କରିବାକୁ ପଡ଼ିବ, ତଥା ବାହାରେ ଆମ ଯାବତୀୟ ସାନ ବଡ଼ ସକଳ ସମ୍ବନ୍ଧର ଭୂମିରେ ମଧ୍ୟ ଅବଶ୍ୟ ସମାଧାନ କରିବାକୁ ପଡ଼ିବ ।

 

ଦୁର୍ବୁଦ୍ଧିଜୀବୀମାନେ ହିଁ ଆମର ପୃଥିବୀକୁ ଅଧିକରୁ ଅଧିକ ପ୍ରତାପର ସହିତ ଗୋଟିଏ ଅସାଧ୍ୟ ବିଭୀଷିକାମୟତା ଭିତରକୁ ନେଇ ଯାଉଛନ୍ତି, ଆମକୁ ଅଧିକରୁ ଅଧିକ ଅସହାୟ କରି ପକାଉଛନ୍ତି । ଆମ ନିଜ ଭିତରେ ବି ଆମ ଉପରେ ସବାର ହୋଇ କେଉଁଠି ଏକ ଦୁର୍ବୁଦ୍ଧିଜୀବୀ ଅତ୍ୟନ୍ତ ଚତୁରତା ସହିତ ଆତ୍ମଗୋପନ କରି ରହିଛି କି କ’ଣ କେଜାଣି, ପୃଥିବୀର ଦୁର୍ବୁଦ୍ଧିଜୀବୀମାନଙ୍କର ପରାକ୍ରମକୁ ଅସ୍ୱୀକାର କରିବାଲାଗି ଆମେ ନିଜକୁ ଆଦୌ ଭାଜନ କରିପାରୁ ନାହିଁ । ଆପଣାର ଅଚେତନ ମନରେ ଆମେ ସେହି ଦୁର୍ବଦ୍ଧିଜୀବୀମାନଙ୍କ ସକାଶେ କୌଣସି ସହାନୁଭୂତି ଓ ଆଗ୍ରହ ରଖିଥିବା ପର୍ଯ୍ୟନ୍ତ ସଂସାରରୁ ସେମାନଙ୍କର ରାଜତ୍ୱ କଦାପି ଅପସୃତ ହେବ ନାହିଁ । ସେମାନେ ଆମକୁ ଠିକ୍ ସେହିମାନଙ୍କ ପରି ଭୀରୁ କରି ରଖିଥିବେ,–ସମାଧାନଗୁଡ଼ାକୁ କୌଣସି ନୂତନ ସାହସ ଅଥବା ନୂତନ ସଂକଳ୍ପ ଭିତରେ ନଖୋଜି ଅସ୍ତ୍ରଶସ୍ତ୍ର ଭିତରେ ଖୋଜୁଥିବେ, କୁଟିଳତାଗୁଡ଼ାକୁ ଆହୁରି ଅଧିକ କୁଟିଳ କରିବାରେ ଏବଂ ଆପଣାକୁ ଅନ୍ୟ ପକ୍ଷଟିର ତୁଳନାରେ ଅଧିକ ଚତୁର ଏବଂ ଅଧିକ ପାରଙ୍ଗମ କରି ଦେଖାଇବାରେ ହିଁ ବ୍ୟସ୍ତସମସ୍ତ ହୋଇ ରହିଥିବେ । ଅସଲ ନିର୍ଭରଗୁଡ଼ିକ ହାତଛଡ଼ା ହେବାରେ ଲାଗିଥିବ । ଦୁର୍ବୃଦ୍ଧିକୁ ବାହନ କରି ଭୀରୁମାନେ ପ୍ରବଳରୁ ଆହୁରି ପ୍ରବଳ ହେବାରେ ଲାଗିଥିବେ ।

୧୨ । ୦୭ । ୮୫

Image

 

ଅପରାଧ–ବୃଦ୍ଧିର ଅନ୍ୟ କାରଣ

 

ଆମ ସମାଜରେ ଅପରାଧ କ୍ରମେ ବୃଦ୍ଧି ପାଉଛି, ସେହି ବିଷୟରେ ଅପରାଧ ସହ୍ୟ କରୁଥିବା ଏବଂ ଅପରାଧଗୁଡ଼ିକୁ ରୋକିବାଲାଗି ଆନୁଷ୍ଠାନିକ ଉପଚାରରେ କର୍ମନିଯୁକ୍ତ ହୋଇ ରହିଥିବା ଉଭୟ ପକ୍ଷ କଦାପି ପୃଥକ ମତ ପୋଷଣ କରିବେ ନାହିଁ । ଅପରାଧ ପ୍ରକୃତରେ ବୃଦ୍ଧି ପାଉଛି ଏବଂ ସାମାଜିକ ଲୋକମାନଙ୍କର ହିସାବଗୁଡ଼ିକ ଅନୁସାରେ ସମାଜରେ ଅସାମାଜିକ ଲୋକମାନଙ୍କର ସଂଖ୍ୟା ଅତିରିକ୍ତ ପରିମାଣରେ ବୃଦ୍ଧି ପାଉଛି । ବେଳେବେଳେ ମନେହେଉଛି, ହିସାବସ୍ଥ ସଂଖ୍ୟାଗୁଡ଼ିକ ଯଦି ଆଉ କିଛିଦିନ ପର୍ଯ୍ୟନ୍ତ ଏହି ବେଗରେ ବୃଦ୍ଧି ପାଇବାରେ ଲାଗିବ, ତେବେ ହୁଏତ ଅଚିରେ ଦିନେ ଆମ ଭିତରେ ଅସାମାଜିକ ଲୋକମାନେ ସଂଖ୍ୟାରେ ଏତେ ବେଶୀ ବଢ଼ିଯିବେ ଯେ, ଆମେ ତଥାକଥିତ ସାମାଜିକମାନେ ସେମାନଙ୍କ ଭିତରେ କୁଆଡ଼େ ପୋତି ହୋଇଯିବୁ । ଆମମାନଙ୍କ କଥା ହୁଏତ କେବଳ ବହିରେ ପଢ଼ାହେବ, ଗୀତାରେ ଏବଂ କିମ୍ବଦନ୍ତୀରେ ସ୍ମରଣ କରାଯିବ, ମାତ୍ର ଆମେ ନିଜେ ପ୍ରକୃତରେ ଆଦୌ କେଉଁଠି ହେଲେ ନ ଥିବୁ । ଅସାମାଜିକମାନେ ସମାଜରୂପକ ପୋଖରୀରେ ଅଶ୍ୱାରୋହୀ ଓ ଗଜାରୋହୀ ହୋଇ ରହିବେ ଏବଂ ସାମାଜିକମାନେ ହୁଏତ ତୁଚ୍ଛା ଅସାମାଜିକ ଅର୍ଥାତ୍ ଅନାବଶ୍ୟକରେ ଗଣାହେବେ ।

 

ସେଦିନ ଅପରାଧ ବିଷୟରେ ଲେଖାଟିଏ ପଢ଼ୁ ପଢ଼ୁ ଅପରାଧ-ବୃଦ୍ଧିର ଗୋଟିଏ କାରଣ ସମ୍ବନ୍ଧରେ ମଧ୍ୟ କିଛି ଜାଣିବାକୁ ପାଇଲି । ଲେଖକ ଆଗରୁ ଅପରାଧର ଅଙ୍କ କଷି ଉତ୍ତରଟାକୁ ପାଇ ଯାଇଥିବା ପରି କହିଛନ୍ତି ଯେ ଦାରିଦ୍ର୍ୟ ଆଉ ବେକାରୀ ହେଉଛି ଆମ ରାଜ୍ୟରେ, ଆମ ଦେଶରେ ଅଥବା ଆମ ଭୂମଣ୍ଡଳରେ ଅପରାଧବୃଦ୍ଧିର କାରଣ । ଅତ୍ୟନ୍ତ ସ୍ପଷ୍ଟ କଥା ଯେ ଯେଉଁମାନେ ଦାରିଦ୍ର୍ୟ ଏବଂ ବେକାରୀକୁ ହିଁ ଅପରାଧବୃଦ୍ଧିର କାରଣ ବୋଲି ଘୋଷଣା କରନ୍ତି, ସେମାନେ ନିଜେ ଦରିଦ୍ର କିମ୍ବା ବେକାର କଦାପି ନୁହନ୍ତି । ଲକ୍ଷ୍ମୀ ଯେଉଁମାନଙ୍କ ଘରେ ଥାଆନ୍ତି, ଲକ୍ଷ୍ମୀ ନଥିବା ଲୋକମାନଙ୍କୁ ଚିହ୍ନଟ କରିଦେଇ ସେମାନେ ସାଧାରଣତଃ ଅଲକ୍ଷଣା ବୋଲି କହିଥାନ୍ତି । ଲକ୍ଷ୍ମୀମନ୍ତମାନଙ୍କର ଗ୍ରହଣ ମଧ୍ୟରେ ସଚରାଚର ଧରି ନିଆଯାଏ ଯେ ଏହି ଅଲକ୍ଷଣା ମଣିଷମାନେ ହିଁ ଅପରାଧ କରନ୍ତି । ଠିକ୍ ସେହିପରି, ସମାଜରେ ଯେଉଁ ମନୁଷ୍ୟମାନେ କର୍ମନିଯୁକ୍ତ ହୋଇ ରହିଥାନ୍ତି, ଚାକିରି କରିଥାନ୍ତି, ସେମାନେ ସେହିସବୁ ସୁଯୋଗ ଖୋଜୁଥିବା ଅଥଚ ପାଇନଥିବା ମଣିଷମାନଙ୍କୁ ବେକାର ବୋଲି କହନ୍ତି ଏବଂ ଏହି ବେକାରମାନେ ହିଁ ସମାଜରେ ଘଟୁଥିବା ପ୍ରାୟ ସକଳ ଅପରାଧ ଲାଗି ଦାୟୀ ବୋଲି ଉଲୁଗୁଣା ଦେଇ କହନ୍ତି । ସେମାନଙ୍କର ସିଦ୍ଧାନ୍ତଗୁଡ଼ିକୁ ଶୁଣିଲାବେଳେ ମନେ ହୁଏ, ସମାଜର ଅଦରିଦ୍ର ଧନୀମାନେ ସତେ ଯେପରି ଏହି କଥାକୁ ଅତ୍ୟନ୍ତ ସତ୍ୟ ବୋଲି ବିଶ୍ୱାସ କରୁଛନ୍ତି ଯେ ସେମାନେ ଯଦି ଦୁର୍ଭାଗ୍ୟବଶତଃ କୌଣସି କାରଣରୁ ଦେଶରେ ଦରିଦ୍ର ହୋଇ ରହିଥାନ୍ତେ, କିମ୍ବା ଏବେ ମଧ୍ୟ କୌଣସି କାରଣରୁ ଆପଣାର ଧନ ହରାଇ ବସନ୍ତେ ଓ ଦରିଦ୍ର ହୋଇଯାଆନ୍ତେ, ତେବେ ସେମାନେ ଅବଶ୍ୟ ଅପରଧ କରନ୍ତେ, ଅସାମାଜିକ ହୁଅନ୍ତେ । ସେହିପରି, ବର୍ତ୍ତମାନର କର୍ମନିଯୁକ୍ତମାନେ ହୁଏତ ଏ କଥାଟି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଭାବରେ ସନ୍ଦେହ କରୁଛନ୍ତି ଯେ ଯଦି ସେମାନଙ୍କ ପାଖରେ ଚାକିରି ନ ଥାନ୍ତା, ସେମାନେ କର୍ମନିଯୁକ୍ତ ବୋଲି ଯଦି ସେମାନେ କୌଣସି ଜର୍ସି ପିନ୍ଧି ନ ଥାନ୍ତେ ଅଥବା ଏବେ ମଧ୍ୟ ଏକ ବିପର୍ଯ୍ୟୟ ଘଟି ଯଦି ସେମାନେ ବେକାର ହୋଇ ଯାଆନ୍ତେ, ତେବେ ଅବଶ୍ୟ ଅପରାଧ କରନ୍ତେ । ଦରିଦ୍ର ଏବଂ ବେକାରମାନେ ଏଥିରେ ହୁଏତ ମୋଟେ ରାଜି ହେବେ ନାହିଁ ।

 

ଯେକୌଣସି ସମାଜରେ ସବୁଯାକ ଅପରାଧୀ ଆଦୌ ଜଣାପଡ଼ନ୍ତି ନାହିଁ । କାରଣ ସବୁଯାକ ଅପରାଧୀ ଆଦୌ ଧରା ପଡ଼ନ୍ତି ନାହିଁ । ଯେଉଁ ସମାଜରେ ନିୟମତଃ ହାତୀମାନେ ଅପରାଧୀମାନଙ୍କୁ ଧରିବାପାଇଁ ମୁଖ୍ୟ ଦ୍ୱାରମାନଙ୍କରେ ନିଯୁକ୍ତ ହୋଇଥାନ୍ତି, ସେହି ସମାଜରେ ହାତୀମାନେ ଗଳି ଯାଉଥାନ୍ତି, ମାତ୍ର ପିମ୍ପୁଡ଼ିମାନେ ଧରାପଡ଼ନ୍ତି । ଆମ ଦେଶରେ ବା ଆମ ରାଜ୍ୟରେ ପ୍ରକୃତରେ ଯେବେ ଅପରାଧ ହୁଏ, ସେହି ସବୁଯାକ କଦାପି ଥାନାକୁ ଆସେନାହିଁ । ଯେଉଁ ଅପରାଧଗୁଡ଼ିକ ଆସେ, ସେଗୁଡ଼ିକ ପ୍ରକୃତରେ କାହିଁକି ବାହାରେ ଛପି ନ ଯାଇ ଦବି ନ ଯାଇ ଥାନାଯାଏ ଆସେ, ଗବେଷଣାଦ୍ଵାରା ଆମେ ସେ ବିଷୟରେ ହୁଏତ ଅନେକ ତଥ୍ୟ ପାଇପାରନ୍ତେ । ବିଶେଷତଃ, ଯେଉଁ ସମାଜ ନାନା ସାମାଜିକ ତଥା ଆର୍ଥିକ କାରଣରୁ ଉଚ୍ଚ ଓ ନୀଚ ନାନା ପାହାଚରେ ଭାଗ ଭାଗ ହୋଇ ରହିଥାଏ, ଯେଉଁଠି ତଳମାନେ ଉପରମାନଙ୍କ ଉପରେ ଅତ୍ୟନ୍ତ ଅସହାୟ ଭାବରେ ନିର୍ଭର କରି ରହିଥାନ୍ତି ଓ ଉପରମାନେ ସାମାଜିକ ଭାଗ୍ୟରେ କୌଣସି ଗଣତିରେ ମଧ୍ୟ ତଳମାନଙ୍କୁ ସାମିଲ କରିବାକୁ ରାଜି ହୁଅନ୍ତି ନାହିଁ, ସେହି ସମାଜରେ ଅପରାଧ ଓ ଅପରାଧୀମାନଙ୍କର ଭାରି ସ୍ପଷ୍ଟ ଭାବରେ ଏକ ପ୍ରକାର ଜାତିନିର୍ଣ୍ଣୟ ମଧ୍ୟ କରି ଦିଆଯାଇ ପାରେ । ଅନେକେ ଅପରାଧ କରଛି, ତଥାପି ଜାଲରେ ପଡ଼ନ୍ତି ନାହିଁ, ମୋଟେ ଧରା ହୁଅନ୍ତି ନାହିଁ । ଯେଉଁମାନେ ଧରା ହୁଅନ୍ତି, ସେହିମାନଙ୍କୁ ଅପରାଧୀ ବୋଲି ଚିହ୍ନଟ କରି ଦିଆଯାଏ । ଏହିପରି ଚିହ୍ନଟ କରି ଦିଆଯାଇ ପାରୁଥିବା ଦ୍ୱାରା ବିବେକହୀନମାନଙ୍କର ବିବେକକୁ ହୁଏତ କିଛି ଶାନ୍ତି ମିଳେ-। ଅପରାଧ ବଢ଼ି ବଢ଼ି ଚାଲିଥାଏ, ଅପରାଧ ନାନା ମୁଖା ପରିଧାନ କରି ଧୋବ ହୋଇ ବସିଥାଏ, ତଥାପି କଟୁଆଳମାନେ ତାହାକୁ ଚିହ୍ନଟ କରୁନଥାନ୍ତି । ବହିଗୁଡ଼ାକୁ ଅନ୍ୟ ତଥ୍ୟରେ ଭର୍ତ୍ତି କରି ରଖା ଯାଉଥାଏ |

 

ଭାରତବର୍ଷ ଏପରି ଏକ ଦେଶ, ଯେଉଁଠାରେ କି ଅଧିକ ମଣିଷ ଖଟନ୍ତି ଓ ଅଳପ ମଣିଷ ଭୋଗ କରନ୍ତି । ଅଧିକ ମଣିଷ ଶ୍ରମ କରି ସମ୍ପତ୍ତି ଏବଂ ଅୟସଗୁଡ଼ାକୁ ସମ୍ଭବ କରନ୍ତି, ସେହି ସମ୍ପତ୍ତି ପ୍ରାୟ ଅଠରଟା ହାତରେ ଯାବୁଡ଼ି ଧରି ଆମର ଏଠି ଅଳପ ମଣିଷ ସଂସ୍କୃତି କରନ୍ତି, ସାହିତ୍ୟ କରନ୍ତି; ଜୀବନରେ ଆନନ୍ଦ ବୋଲି ସେମାନେ ଯାହାକୁ କହନ୍ତି, ସେହିଗୁଡ଼ାକୁ ଭକ୍ଷଣ କରିବାରେ ଲାଗିଥାଆନ୍ତି । ଏଠାରେ ଅଳପଙ୍କର ଅଧିକ ଥାଏ, – ଅଧିକରୁ ଅଧିକ ରହିଥାଏ ଓ ଆବଶ୍ୟକରୁ ଅନେକ ଅଧିକ ରହିଥାଏ । ଅନେକ ଅଧିକ ଓ ଆବଶ୍ୟକରୁ ଅନେକ କମ୍‌କୁ ଭାଗ୍ୟର ଲିଖନ ବୋଲି ଆଦରି ନେଇଥାନ୍ତି । ଏବଂ, ଏହିପରି ଏକ ଅଚଳଣିକୁ ପାରମ୍ପରିକ ନାନା ତର୍କ ଓ ଧର୍ମ ଦେଇ ଚଳଣି ବୋଲି କୁହାଯାଏ । ଏହିପରି ଏକ ସମାଜରେ ମଧ୍ୟ ଥୋକେ ଭଲରେ ଚଳୁଥିବା ମଣିଷ ନିଜକୁ ସଜ୍ଜନ ବୋଲି ଭାବନ୍ତି ଓ ତେଣୁ ସଂଖ୍ୟାରେ ଅନେକ ଅଧିକ ଅନ୍ୟମାନଙ୍କୁ ଦୁର୍ଜନ ବୋଲି କହନ୍ତି ।

 

ଭାରତବର୍ଷ ସ୍ଵାଧୀନ ହେବା ପରେ ଆମ ଦେଶରେ ମଣିଷର ତଥା ସମାଜର ଭାଗ୍ୟ ବଦଳାଇବା ପାଇଁ ଯାହାସବୁ ହୋଇଛି, ତା' ଦ୍ୱାରା ଧନୀମାନେ ଅଧିକ ଧନୀ ହୋଇଛନ୍ତି ଓ ଦରିଦ୍ରମାନେ ଅଧିକ ଦରିଦ୍ର ହୋଇଛନ୍ତି । ଦ୍ରବ୍ୟମାନ ବହୁଗୁଣିତ ହୋଇଛି, ମାତ୍ର ଗୁଣ ଓ ମୂଲ୍ୟମାନେ ସେହି ଅନୁପାତରେ ଆମ ଅଧିକାଂଶଙ୍କର ଜୀବନ ଭିତରେ ପ୍ରବେଶ କରିବାକୁ ହୁଏତ ଆଦୌ ବାଟ ପାଇନାହାନ୍ତି । ଏକ ଅପଦୃଷ୍ଟିର କବଳରେ ପଡ଼ି ଆମେ କ୍ରମେ ଅଧିକ ଦ୍ରବ୍ୟକୁ ହିଁ ଅନେକ ସମୟରେ ଅଧିକ ଗୁଣ ଓ ଅଧିକ ମୂଲ୍ୟ ବୋଲି ଅନୁଭବ କରିବାକୁ ମନ କରିଛୁ ଓ ତଦ୍ୱାରା ଯେଡ଼େ ସୁକୁମାର ଭାବରେ ହେଲେ ମଧ୍ୟ ଆମ ଭିତରେ ଗୋଟିଏ ବର୍ବରକୁ ସ୍ଥୂଳରୁ ଅଧିକ ସ୍ଥୂଳ ହେବାରେ ପ୍ରଶୟ ବି ଦେଇଛୁ । ଏହି ସ୍ଥୂଳତାରୁ ଅହଙ୍କାର ଆସିଛି, ଉପେକ୍ଷା ଜନ୍ମଲାଭ କରିଛି-। ଅଧିକରୁ ଅଧିକ ଉପଭୋଗକୁ ଅନ୍ୟ ଅନେକଙ୍କୁ ଏବଂ ଦରକାର ପଡ଼ିଲେ ଅନ୍ୟ ସମସ୍ତଙ୍କୁ ବଞ୍ଚିତ କରି ମଧ୍ୟ ଆମେ ଜୀବନର ଅସଲ ସଫଳତା ଏବଂ ଶ୍ରେୟସ୍କରତା ବୋଲି ସ୍ୱୀକାର କରିନେଇଛୁ ।

 

ଯେଉଁମାନେ ଧନୀ ହୋଇଛନ୍ତି, ସେମାନେ ହୁ ହୁ ହୋଇ ଧନୀ ହୋଇଛନ୍ତି, ଧନ କମାଇବାର କୌଣସି ଯଥାର୍ଥ ଯୋଗ୍ୟତା ଏବଂ ଔଚିତ୍ୟ ନ ଥାଇ ମଧ୍ୟ ସେମାନେ ଧନୀ ହୋଇଛନ୍ତି । ଅନ୍ୟମାନେ ଜଳକାଙ୍କ ପରି ଅନାଇ ରହିଛନ୍ତି । ଭାଗ୍ୟ ଏପରି ଅଯୋଗ୍ୟମାନଙ୍କୁ ରାତିକ ଭିତରେ ଏପରି ଭାବରେ ଧନୀ କରିଦିଏ ଏବଂ ଭଗବାନ ସତକୁ ସତ କୃପାକଲେ ଯାଇ ମଣିଷର ଧନ ବଢ଼େ ଓ ମଣିଷମାନେ ଲକ୍ଷ୍ମୀବନ୍ତ ହୁଅନ୍ତି ବୋଲି ବିଶ୍ଵାସ କରିବାକୁ ଆଉ ସେମାନଙ୍କର ଇଚ୍ଛା ହୋଇନାହିଁ । ଏହାରି ଫଳରେ ଯାବତୀୟ ଅସମାନତା ସତ୍ତ୍ୱେ ଆମର ପୁରାତନ ସମାଜକୁ ଯେଉଁ ମିଛ ଯୋଡ଼େଇଗୁଡ଼ିକ ଏକାଠି କରି ଧରି ରଖି ଆସିଥିଲା, ସେଗୁଡ଼ିକ ଆଖର ସତକୁ ସତ ମିଛ ବୋଲି ଦାଣ୍ଡରେ ଧରା ପଡ଼ି ଯାଇଛନ୍ତି । ତା'ପରେ ଅପସଂସ୍କୃତି ଆସି ଘେଟିବାକୁ ଆଉ ମୋଟେ ବିଳମ୍ବ ହୋଇନାହିଁ ।

 

ଯେଉଁମାନଙ୍କ ପାଖରେ ଅଳପ ଅଛି, ସେମାନେ ମଧ୍ୟ ତେଣିକି ବହୁତ ଓ ଆହୁରି ବହୁତ ରହିଥିବା ଲୋକମାନଙ୍କ ଭଳି ହେବାଲାଗି ମନ କରି ବାହାରିଛନ୍ତି । ଲୋଭନୀୟ ବସ୍ତୁଗୁଡ଼ିକ କୁଢ଼ କୁଢ଼ ହୋଇ ଅଳପ ମଣିଷଙ୍କ ପାଖରେ ରହିବାଦ୍ଵାରା ଏବଂ ଏହି ଅଳପସମ୍ପନ୍ନମାନେ ଅଧିକ ଦ୍ରବ୍ୟର ଉପଭୋଗ ଓ ଅଧିକାରିତ୍ୱକୁ ହିଁ ଜୀବନରେ ଅଧିକ ହୋଇ ଦିଶିବାର ସତେଅବା ସର୍ବପ୍ରଧାନ ସନ୍ତକ ବୋଲି ଦେଖାଇ ହେବା ସଙ୍ଗେ ସଙ୍ଗେ ସମାଜରେ ଅନ୍ୟମାନଙ୍କ ଭିତରେ ମଧ୍ୟ ଲୋଭ ପ୍ରବଳ ହୋଇ ଉଠିଛି । ସେମାନେ କାରଣରୁ ବା ଅକାରଣରୁ ହେଉ ପଛକେ, ଆପଣାକୁ ବଞ୍ଚିତ, ଅତ୍ୟନ୍ତ ବଞ୍ଚିତ ବୋଲି ଅନୁଭବ କରିଛନ୍ତି ଏବଂ ଆହୁରି ଗୋଟିଏ ପ୍ରକାରର ବଞ୍ଚନା ଦ୍ୱାରା ସେମାନେ ଏହି ବଞ୍ଚିତ ହେବାର ପ୍ରତିଶୋଧ ନେବାଲାଗି ବାହାରିଛନ୍ତି । ଏହିମାନେ ଅପରାଧ-ବୃଦ୍ଧିରେ ନାୟକର ଭୂମିକା ଗ୍ରହଣ କରିଛନ୍ତି । ଅପରାଧ ଆଉ ମୋଟେ ଅପରାଧ ବୋଲି ମନେ ହୋଇନାହିଁ । ଧରା ନ ପଡ଼ିବା ପର୍ଯ୍ୟନ୍ତ ତୁମକୁ କେହି ଅପରାଧୀ ବୋଲି କହି ପାରିବେ ନାହିଁ, ସଫଳ ହେବାରେ ଲାଗିଥିବା ପର୍ଯ୍ୟନ୍ତ ତୁମେ କଦାପି ଧରା ପଡ଼ିବ ନାହିଁ, ଏବଂ, ସଫଳ ହେବା ହିଁ ତୁମକୁ ଅଧିକରୁ ଅଧିକ ଦ୍ରବ୍ୟର ଅଧିକାରୀ କରାଉଥିବା ପର୍ଯ୍ୟନ୍ତ, ଅପରାଧକୁ ହିଁ ବାରିପଟ ଅସଲ ବାଟ ବୋଲି ଗ୍ରହଣ କରି ନେଇଥିବା ସମାଜଠାରୁ ତୁମେ ସମ୍ମାନ ମଧ୍ୟ ପାଉଥିବ, ଭିତରେ ଏହିପରି ଏକ ପୋକ ପଶି ଆମକୁ ପରିଚାଳିତ କରୁଥିବା ପର୍ଯ୍ୟନ୍ତ ଆମେ ଅପରାଧରେ କହିଁକି ବା ଲଜ୍ଜିତ ଅନୁଭବ କରିବା ? ଫଳରେ, ଅପରାଧୀମାନଙ୍କୁ ଧରିବା ନିମନ୍ତେ ଯେତେ ବଡ଼ ବଡ଼ ହାତୀମାନଙ୍କୁ ପୋଷା ହେବାରେ ଲାଗିଥିବ, ଏଣେ ସମାଜରେ ଅପରାଧଗୁଡ଼ିକ ମଧ୍ୟ ସେତିକି ବଢ଼ିବାରେ ଲାଗିଥିବେ ।

 

ସମାଜ ଭିତରେ ଜଣେ ମଣିଷ କେତେ ଅଧିକ ଅର୍ଥଶାଳୀ ହେବାର ସ୍ୱାଧୀନତା ପାଇପାରିବ, ଅର୍ଥ କମାଇବାର କେତେପ୍ରକାର ବାଟକୁ କୌଣସି ଏକ ସମାଜରେ ପ୍ରକୃତରେ ଗୋଟିଏ ଗୋଟିଏ ବାଟ ବୋଲି ସ୍ୱୀକାର କରାଯାଇ ପାରିବ, ସମାଜ ଓ ସାମାଜିକ ପ୍ରଶାସନର ଗୁଣସ୍ଥାନ ଗୁଡ଼ିକୁ ସେହି ସମାଜର ଦ୍ରବ୍ୟ ଓ ଧନସ୍ଥାନମାନେ ପ୍ରକୃତରେ କେତେଦୂର ଗିଳି ପକାଇବା ସକାଶେ ସ୍ଵାଧୀନତା ପାଇବେ, ଏବଂ ସର୍ବୋପରି ଅଧିକରୁ ଅଧିକ ହେବା, ସୃଷ୍ଟି କରିବା ଏବଂ ଯୋଗ୍ୟତା ଅର୍ଜନ କରିବାକୁ ନୁହେଁ, ଅଧିକରୁ ଅଧିକ ଦ୍ରବ୍ୟ ଜମା କରି ତାହାରି ଉପରେ ବଡ଼ ଅସୁନ୍ଦର ଏବଂ ଅଘଟଣ ଭାବରେ ଜାନୁଗୁଡ଼ାକୁ ଲମ୍ୱା କରି ବସିବାକୁ ଏକ ସାମାଜିକ ଆୟତନରେ କେତେଦୂର ପର୍ଯ୍ୟନ୍ତ ପ୍ରକୃତରେ ସମ୍ଭ୍ରାନ୍ତତା ବୋଲି କୁହାଯିବ, ଅପରାଧଗୁଡ଼ାକର ଗାତରେ ହାତ ପୁରାଇବାକୁ ନିଯୁକ୍ତ ହୋଇଥିବା ବ୍ୟକ୍ତିମାନେ ଆଗ ସେହି କଥାର ବିଚାର କରିବା ଉଚିତ । ମଣିଷର କଲ୍ୟାଣକୁ ହିଁ ସବୁଠାରୁ ବଡ଼ ଲକ୍ଷ୍ୟ ବୋଲି ଗ୍ରହଣ କରିଥିବା ସାମାଜିକ ନେତୃତ୍ୱ ସବାଆଗ ସେହି କଥାଗୁଡ଼ିକର ବିବେଚନା କରିପାରିବା ଉଚିତ । ସେହିପରି ଏକ ବିବେଚନା ଲାଗି ସମ୍ମତ ହୋଇ ପାରିବା ଉଚିତ, ସମର୍ଥ ଓ ଯୋଗ୍ୟ ହୋଇ ପାରିବା ଉଚିତ ।

 

ଭାରତୀୟ ସମାଜରେ ଆଗେ ମଧ୍ୟ ଦରିଦ୍ର ମାନେ ରହିଥଲେ, ତଥାପି ସେତେବେଳେ ଏକ ପାରସ୍ପରିକତା ରହିଥିଲା । ବର୍ତ୍ତମାନ ଆମ ଆଧୁନିକ ଅହଂକାମିତାଗୁଡ଼ାକ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ କାଳକାଳର ସେହି ପାରସ୍ପାରିକତା ତୁଟି ତୁଟି ଯାଉଛି । ଅନ୍ତତଃ ସମାଜସ୍ତରୀୟ ବିଧାନ ଏବଂ ବ୍ୟବସ୍ଥାଗୁଡ଼ିକର କ୍ଷେତ୍ରରେ ଯେପରି ଏକ ପାରସ୍ପରିକତା ଯଥାସମ୍ଭବ ଅଧିକ ନ୍ୟାୟପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହୋଇ ରହେ, ଇଉରୋପୀୟ ଜନମଙ୍ଗଳ ରାଷ୍ଟ୍ର ଏବଂ ରାଜନୀତିକ ନେତୃତ୍ୱ ସେଥିଲାଗି ଅଧିକରୁ ଅଧିକ ଉଦ୍ୟମଶୀଳ ହୋଇ ରହିବାକୁ ଚେଷ୍ଟା କରୁଛି । ତେଣୁ ସାମାଜିକ ଜୀବନର ଅନ୍ତତଃ ବାହ୍ୟ ସ୍ତରରେ ଏକ ସଂହତି ଓ ପାରସ୍ପରିକ ଆସ୍ଥା ସେଠାରେ ସମ୍ଭବ ହୋଇ ପାରୁଛି । ସେଗୁଡ଼ିକର ବିକଳ୍ପରୂପ ଦେଖାଇ ପାରିବାକୁ ଭାରତବର୍ଷରେ ସେପରି କିଛି ଆଜି ମଧ୍ୟ ନାହିଁ । କାଗଜଗୁଡ଼ାକରେ କେତେକେତେ ନିୟମ ରହିଛି, ମାତ୍ର ସେହିସବୁ ନିୟମଘରକୁ ଜଗି ରହିଥିବା କଟୁଆଳମାନେ ଧରା ନ ପଡ଼ିବାର ସକଳ ବ୍ୟବସ୍ଥାକୁ ଭାରି ପକ୍‌କା କରି ରଖି ନିୟମଗୁଡ଼ାକୁ ଦିନରାତି ଲଂଘନ କରିବାରେ ଲାଗିଛନ୍ତି । ହୁଏତ, ଏହିସବୁ ପରିପ୍ରେକ୍ଷୀରେ, ଏପରି ମଧ୍ୟ କୁହାଯାଇ ପାରିବ ଯେ, ଦରିଦ୍ରମାନଙ୍କ ତୁଳନାରେ ଅଦରିଦ୍ରମାନେ ହିଁ ଅଧିକତର ସଂଖ୍ୟାରେ ଆମ ଦେଶରେ ଅପରାଧ ବୃଦ୍ଧିରେ ସହାୟତା କରିବାରେ ଲାଗିଛନ୍ତି । ବଡ଼ ବଡ଼ କର୍ମରେ ନିଯୁକ୍ତ ହୋଇ ରହିଥିବା ବ୍ୟକ୍ତିମାନେ ହିଁ ଆମ ଦେଶର ବେକାରମାନଙ୍କ ଅପେକ୍ଷା ଅପରାଧବୃଦ୍ଧିର ଏକ ଅନୁକୂଳ ଜଳବାୟୁକୁ ଦେହସୁହା କରି ରଖିବାରେ ଅଧିକ ସହଯୋଗ କରୁଛନ୍ତି ।

 

ତେଣୁ, ଏହିସବୁ କ୍ଷେତ୍ରରେ ଆମ ସମସ୍ତଙ୍କର ଆହୁରି ଅଧିକ ଗଭୀରକୁ ଯାଇ ଦୁର୍ବୃତ୍ତିଗୁଡ଼ାକର କାରଣମାନ ଅନୁସନ୍ଧାନ କରିପାରିବା ଉଚିତ । ନିଜର ଦର୍ପଣ ଉପରେ ଅନ୍ୟମାନଙ୍କୁ ଦେଖିବାର ବୃତ୍ତିଟିକୁ ଅତ୍ୟନ୍ତ ଅଯଥେଷ୍ଟ ବୋଲି ମନେକରି ଅନ୍ୟମାନଙ୍କର ଦର୍ପଣରେ ନିଜର ମଧ୍ୟ ସମୀକ୍ଷା କରିପାରିବା ଉଚିତ । ମାତ୍ର, ଆମ ଭିତରୁ କେବଳ ଆପଣା ବେକରେ ଘଣ୍ଟି ବାନ୍ଧିବାକୁ ସାହସ କରୁଥିବା ବ୍ୟକ୍ତିମାନେ ହିଁ ତାହା କରିପାରିବେ ।

୨ । ୮ । ୮୫

Image

 

ବିଗଳିତହର୍ଷଂ ଭାରତବର୍ଷଂ

 

ଭାରତବର୍ଷର ଇତିହାସ ବୋଲି ଲୋକେ ଆମ ଦେଶରେ ଯେଉଁସବୁ ବହି ପଢ଼ନ୍ତି, ସେଗୁଡ଼ିକରେ ଲେଖା ହୋଇଛି ଯେ, ଆଗେ ଭାରତବର୍ଷ ବହୁତ ସୁଖରେ ଥିଲା । ଅର୍ଥାତ୍‍, ଲୋକମାନେ ସୁଖରେ ଥିଲେ, ରାଜାମାନେ ଭଲ ଥିଲେ । ଲୋକମାନଙ୍କୁ ସୁଖରେ ରଖିଥିଲେ । ରାଜତନ୍ତ୍ରରେ ଲୋକଜୀବନରେ ଯେତିକି ଅଭୟ ଓ ଯେତିକି ନିରାପତ୍ତା ରହିବା କଥା, ସେହି ଅତୀତ ଯୁଗରେ ଭାରତବର୍ଷରେ ସେତିକି ଅଭୟ ଓ ସେତିକି ନିରାପତ୍ତା ଅବଶ୍ୟ ଥିଲା ।

 

ଭାରତବର୍ଷ କହିଲେ ଏହି ଶତାବ୍ଦୀରେ କ୍ରମେ ଯାହା ବୁଝାଇଲା ଓ ବର୍ତ୍ତମାନ ଯାହା ବୁଝାଉଛି, ସେକାଳେ ଭାରତବର୍ଷ ମୋଟେ ତାହା ନଥିଲା । ଭାରତବର୍ଷରେ ରାଜ୍ୟ ଓ ଉପରାଜ୍ୟମାନେ ରହିଥିଲେ ଓ ସେଗୁଡ଼ିକ ଭିତରେ ସର୍ବଦା ବାଦ ଓ ବିବାଦ ଲାଗି ରହିଥିଲା । କେବଳ ଅଧିକ ରାଜ୍ୟାଞ୍ଚଳ ଜୟ କରିବାର ଉଚ୍ଚ ଲାଳସା ହେତୁ ନୁହେଁ, ଅତି ସାନ ସାନ ମାନ ଓ ଅପମାନକୁ ନେଇ ମଧ୍ୟ ସେତେବେଳେ ଯୁଦ୍ଧ ଲାଗି ଯାଉଥିଲା । ଏହିସବୁ ଯୁଦ୍ଧରେ ଯିଏ ପ୍ରଧାନତଃ ଅସ୍ତ୍ରବଳରେ ହିଁ ଜୟଲାଭ କରୁଥିଲା, ସିଏ ରାଜଚକ୍ରବର୍ତ୍ତୀ ବୋଲାଉଥିଲା । ରାଜସୂୟ ଯଜ୍ଞର ଆୟୋଜନ ବି କରୁଥିଲା ।

 

ଭାରତବର୍ଷର ଇତିହାସରେ ଏହି ରାଜା ବା ମହାରାଜାମାନେ ମୋଟେ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ନୂହନ୍ତି । ଏସବୁଠାରୁ ଆହୁରି ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି ଯେ, ଏହି ଦେଶ କୌଣସି ଗୋଟିଏ ଜାତିର କିମ୍ବା ଗୋଟିଏ ଧର୍ମର ନଥିଲା । ଏହି ଦେଶର ରାଷ୍ଟ୍ର ଆଉ ଧର୍ମ ପରସ୍ପରକୁ ଗିଳି କଦାପି ଜନଜୀବନ ଓ ଜନମାନସ ଉପରେ ଗୁଡ଼ାଏ ଦୌରାତ୍ମ୍ୟ ଦେଖାଇବାର ସାହସ କରିନଥିଲେ-। ଏହି ଭୂମିରେ ଏବେ ଯେତେ ମଣିଷ ବାସ କରୁଛନ୍ତି, ସେମାନଙ୍କର ପୂର୍ବପୁରୁଷ ପ୍ରାୟ ସମସ୍ତେ ବାହାରୁ ଏହି ଦେଶକୁ ଆସିଛନ୍ତି । କଳାମାନେ ଆସିଛନ୍ତି, ସାବନାମାନେ ଆସିଛନ୍ତି, ପୀତ ଆସିଛନ୍ତି, ଶ୍ଵେତ ଆସିଛନ୍ତି । ପ୍ରଥମେ ସେମାନଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ ଲାଗିଛି ସତ, ମାତ୍ର ପାଣିର ଗୋଳିଆ ଅଂଶ କ୍ରମେ ତଳକୁ ବସିଯାଇ ପାଣି ସ୍ୱଚ୍ଛ ହୋଇ ଦିଶିଲା ପରି ଭାରତବର୍ଷରେ ଏପରି ଏକ ପାରସ୍ପରିକତା ବିକଶିତ ହୋଇ ଆସିଛି, ପୃଥିବୀର ଆଉ କୌଣସି ଭୂମି ଅଥବା ଭୂଖଣ୍ଡରେ ଯାହାର ହୁଏତ ପଟାନ୍ତର ଦେଖିବାକୁ ମିଳିବ ନାହିଁ । ସେହି ପାରସ୍ପରିକତାର ସମ୍ମୁଖରେ ଭାରତରେ ଯାବତୀୟ ପ୍ରକାରର ସଂକୀର୍ଣ୍ଣତା ଓ ଏକାନ୍ତବାଦିତା ପ୍ରାୟ ପରାଜିତ ହୋଇ ରହିଛି ।

 

ଆମର ସେହି ସୁନା ଫଳୁଥିବା ଭାରତବର୍ଷରେ ମନୁଷ୍ୟକୃତ ନାନା ଦୁଃଖ ଯେ ତଥାପି ରହିଥିଲା, ତାହାକୁ ନାନା ଭାବପ୍ରବଣତାର ବଶବର୍ତ୍ତୀ ହୋଇ ବିସ୍ମରି ଦେବାକୁ ଚେଷ୍ଟା କରୁଥିବା ପର୍ଯ୍ୟନ୍ତ ଆମେ ଆମ ଭୂମିଟି ପାଖରୁ ଆମ ଅଙ୍ଗୀକାରବଦ୍ଧତାର କ୍ଷେତ୍ରରେ ଭାରି ବିଚ୍ୟୁତ ଓ ଛିନ୍ନ ହୋଇ ରହିଥିବା, ଏହି ଭୂମିରେ ବିଚରଣ କରୁଥିଲେ ମଧ୍ୟ ଏଇଟିଠାରୁ ଭାରି ଦୂର ହୋଇ ରହିଥିବା ଓ ତେଣୁ ଏହି ଭୂମି ସହିତ ଲାଗି ରହିଥିବା ଆମର ଅସଲ ଡୋର ଏବଂ ଦାୟିତ୍ୱଗୁଡ଼ିକ ବିଷୟରେ ଭାରି ଅସଚେତନ ହୋଇ ରହିଥିବା ଭାରତବର୍ଷରେ ସୁନା ଫଳୁଥିଲା, ତଥାପି ଭାରତବର୍ଷର ଅଧିକ ମଣିଷ ଦରିଦ୍ର ଥିଲେ, ଅକିଞ୍ଚନ ଓ ଅଗଣ୍ୟ ହୋଇ ରହିଥିଲେ । ଜାତିଗତ ବ୍ୟବଧାନ ଓ ସୋପାନନ୍ୟାୟକୁ ଭଗବାନଙ୍କର ବିଧାନ ସହିତ ନେଇ ଯୋଡ଼ି ଦିଆଯାଇଥିଲା ଏବଂ ଅନେକ ମଣିଷଙ୍କୁ ଅଧିକରୁ ଅଧିକ ସହ୍ୟ କରିବାକୁ ପ୍ରବର୍ତ୍ତନା ଦେଇ ଅଳପଙ୍କୁ ଅଧିକ ଭୋଗ କରିବା ସକାଶେ ବାଟ ଛାଡ଼ି ଦିଆଯାଇଥିଲା । ଜୀବନ-ଚଳଣିର ଅଧିକତର କ୍ଷେତ୍ରରେ ଧର୍ମର ଯାବତୀୟ ଉତ୍ସାହ ଏବଂ ପ୍ରେରଣାକୁ ଏକ ଭାଗ୍ୟବାଦ ବା କର୍ମବାଦର ଗୁଳା ଭିତରେ ଆଣି ମାଡ଼ି ଦିଆ ଯାଇଥିଲା । ଏଠି ମଣିଷକୁ ସୁଖ ମିଳିବ ନାହିଁ, ଏଠାରେ ସୁଖ ଲୋଡ଼ିବା କେବଳ ମରୀଚିକା ପଛରେ ହିଁ ଦଉଡ଼ିବା, – ସତ୍ୟ ଏଠାରେ ନାହିଁ, ସତ୍ୟ ସେଠାରେ ରହିଛି, ବ୍ରହ୍ମ ସତ୍ୟ, ସେହି ସତ୍ୟ ଏହି ପୃଥୀପ୍ରତିଭାସର ବାହାରେ ରହିଛି, ତେଣୁ ଏହି ଜଗତ ହେଉଛି ତୁଳା ଏକ ମିଥ୍ୟ-ମାୟାବାଦର–ଏହିପରି ଏକ ଚତୁର ଲୋକୋପଯୋଗୀ ସଂସ୍କରଣ ଏହି ଦେଶରେ ଦୀର୍ଘ କେତେ କେତେ ଶତାବ୍ଦୀ ଧରି ଅନେକ ମଣିଷଙ୍କର ସ୍ପୃହାଗୁଡ଼ାକୁ ଭାରି ଅଳପ ଭିତରେ ଛନ୍ଦି ରଖିଥିଲା । ତେଣୁ ଏଠି ଚିରକାଳ ଅଳପ ମଣିଷ ଭୋଗ କରୁଥିଲେ, ଶାସ୍ତ୍ର ପଢ଼ୁଥିଲେ, ସଂସ୍କୃତିକୁ ଭୁଞ୍ଜୁଥିଲେ ଏବଂ ଭାଗ୍ୟବନ୍ତ ବୋଲି ସ୍ୱୀକୃତ ହେଉଥିଲେ । ଅନେକ ମଣିଷ ବଞ୍ଚିତ ହୋଇ ରହିଥିଲେ ।

 

ଏବଂ ଧର୍ମର ଅନୁଜ୍ଞାଗୁଡ଼ିକ ଭାରତବର୍ଷରେ ମନୁଷ୍ୟାକାଂକ୍ଷାର ଦ୍ଵାର ଗୁଡ଼ିକୁ ଏପରି ଅର୍ଗଳ ଦେଇ ବନ୍ଦ କରି ରଖିଥିଲା ଯେ, ଅଧିକାଂଶ ମଣିଷ ତାହାକୁ ନିୟତି ବୋଲି ମାନି ନେଇଥିଲେ । ଏହି ଦେଶରେ ସମ୍ପଦ ଥିଲା, ଶାସ୍ତ୍ର ଥିଲା, ଅତ୍ୟୁଦାର ବିଚାରମାନ ରହିଥିଲା, -ମାତ୍ର ଅଧିକାଂଶ ମଣିଷ ଏସବୁଥିରୁ ବାହାରେ ରହିଥିଲେ । ସେହି ପରମ୍ପରା ବିରୁଦ୍ଧରେ ଭାରତର ସନ୍ଥମାନେ ନାନା ଯୁଗରେ ସ୍ୱର-ଉତ୍ତୋଳନ କରିଥିଲେ ସତ, ମାତ୍ର ସନ୍ଥମାନଙ୍କୁ କାଳକ୍ରମେ କେତେକ ସମ୍ପ୍ରଦାୟରେ ପରିଣତ କରିନେଇ ମୂଳ କର୍ତ୍ତୃତ୍ୱ ଗୁଡ଼ାକର ଚାତୁରୀ ସେଗୁଡ଼ିକୁ ବେଶ୍ ଶୀତଳ କରି ପକାଉଥିଲା । ଅନ୍ଧାରକୁ ଓ ଅବଜ୍ଞାଗୁଡ଼ାକୁ ସତେଅବା ମଜବୁତ ହୋଇ ରହିବାରେ ଭାରି ସହାୟତା କରୁଥିଲା । ଅନେକ ସମୟରେ ଏହି ଶୀତଳତାଗୁଡ଼ାକୁ ହିଁ ସମନ୍ୱୟ ବୋଲି କୁହାଯାଉଥିଲା; ପଣ୍ଡିତମାନେ ସମ୍ମାନ ପାଉଥିଲେ, ଗୁରୁମାନେ ପୂଜା ପାଉଥିଲେ, ଦେଉଳ ପଛକୁ ଦେଉଳ ତୋଳା ହେବାରେ ଲାଗିଥିଲା ଓ ରାଜାମାନେ ଅଧିକରୁ ଅଧିକ ଦୟା ଓ ବତ୍ସଳତା ଦେଖାଇ ପ୍ରଜାରଞ୍ଜନ ରୂପକ ଯଶରେ ଯଶସ୍ୱୀ ହେଉଥିଲେ ସତ, ମାତ୍ର ତଥାପି ଅଧିକାଂଶ ମଣିଷ ଅକିଞ୍ଚନ ହୋଇ ରହିଥିଲେ ।

 

ଉନବିଂଶ ଶତାବ୍ଦୀରେ ଏହିପରି ଏକ ପ୍ରାଚୀନ ଓ ପରମ୍ପରାକଠିନ ଭାରତବର୍ଷ ସହିତ ଇଉରୋପର ସଂଘାତ ଘଟିଲା । ଇଉରୋପୀୟ ଆଗନ୍ତୁକମାନେ ପୂର୍ବଗାମୀ ଅନ୍ୟମାନଙ୍କ ପରି ଭାରତବର୍ଷକୁ ଆପଣାର ସ୍ଥାୟୀ ଭୂମିରୂପେ ଗ୍ରହଣ କରିନେବାକୁ ଆଦୌ ଚିନ୍ତା କରିନଥିଲେ । ସେମାନଙ୍କର ଏକ ନିଜସ୍ୱ ଭୂମି ଥିଲା । ସେମାନେ ସେଠାରୁ ଏଠାକୁ ପଳାଇ ଆସିନଥିଲେ, ତେଣୁ ଇଉରୋପୀୟମାନଙ୍କ ସହିତ ସଂଘାତଟି ଅପେକ୍ଷାକୃତ ଅଧିକ କଠୋର ହୋଇଥିଲା । ତାହାହିଁ ଭାରତବର୍ଷରେ ଏକ ନବଜାଗରଣକୁ ଜନ୍ମ ଦେଲା । ଏହି ଭୂମିରେ ଏକ ନୂତନ ଉଦ୍‍ବୋଧନର ଅବକାଶ ଆଣି ଦେଇଥିଲା । ଇଉରୋପର ଦର୍ପଣ ଉପରେ ଭାରତବର୍ଷ ଏହି ଭୂମିର ମଣିଷକୁ ଆବିଷ୍କାର କଲା । ତାହାହିଁ ପରବର୍ତ୍ତୀ ସଂଗ୍ରାମଗୁଡ଼ିକରେ ସର୍ବପ୍ରଧାନ ପ୍ରଚୋଦନା ହୋଇ ରହିଲା । ସେହି ସଂଘାତକୁ ପ୍ରାୟ ଏକ ସମନ୍ୱୟର ଶ୍ରଦ୍ଧା ଦେଇ ଯେଉଁମାନେ ସାମନା କରି ବାହାରିଲେ, ସେମାନଙ୍କୁ କେବଳ ଜଣେ ଜଣେ ପୁନଃପ୍ରଚଳନବାଦୀ ବୋଲି କଦାପି କୁହାଯାଇ ପାରିବ ନାହିଁ । କାରଣ ସେମାନଙ୍କର ଦୃଷ୍ଟି ସମକ୍ଷରେ ଭାରତବର୍ଷକୁ ନେଇ ଏକ ଭବିଷ୍ୟସ୍ୱପ୍ନ ମଧ୍ୟ ରହିଥିଲା । ସେହି ସ୍ୱପ୍ନର ଭୂଚିତ୍ରରେ ଭାରତବର୍ଷର ମନୁଷ୍ୟ ହିଁ ସବୁଠାରୁ ବଡ଼ ହୋଇ ଦିଶୁଥିଲା ।

 

ଗୋଟିଏ ଦେଶ କହିଲେ ସେଥରେ ଥିବା ନଈନାଳ, ପାହାଡ଼ ପର୍ବତ, ଅରଣ୍ୟ, ପ୍ରପାତ କିମ୍ବା ସାଗର ଓ ମହାସାଗରକୁ ବୁଝାଏ ନାହିଁ । ଗୋଟିଏ ଦେଶ କହିଲେ ତାହାର ଯଥାର୍ଥତମ ତାତ୍ପର୍ଯ୍ୟରେ ସେହି ଦେଶରେ ବାସ କରୁଥିବା ମଣିଷମାନଙ୍କୁ ହିଁ ବୁଝାଏ – ସେହି ସଂଘାତର ଆହ୍ୱାନଗୁଡ଼ିକର ତତ୍କାଳୀନ ଭାରତବର୍ଷରେ ଜନ୍ମ ନେଇଥିବା ମନୀଷୀମାନେ ସାହସର ସହିତ ସେହି କଥାଟିର ଘୋଷଣା କରିଥିଲେ । ଭାରତବର୍ଷର ଗଗନତଳେ ସମ୍ଭବତଃ ପ୍ରଥମ ଥର ପାଇଁ ଏତେ ସ୍ପଷ୍ଟ ମୂର୍ତ୍ତ ଭାବରେ ସେହି କଥାଟିର ଘୋଷଣା ହେଲା । ମଣିଷ କହିଲେ ଏହି ଭୂମିରେ ସର୍ବପ୍ରଥମ ଥର ପାଇଁ ପ୍ରତ୍ୟେକ ମଣିଷକୁ ବୁଝାଇଲା । ଏହି ନୂତନ ଆବିଷ୍କାର ଏକ ନୂତନ ଭୂମିର ଉଦ୍‍ଘାଟନ କରାଇଲା । ତାହାରି ତରଙ୍ଗମାନ ଦାନା ବାନ୍ଧି ଏକ ଜାତୀୟ ଜାଗରଣ ଜନ୍ମ ଲାଭ କଲା, ଏକ ଜାତୀୟ ଚେତନାର ଉନ୍ମେଷ ଘଟିଲା । ତାହାରି ଏକ ଅନ୍ୟତମ ଅଭିବ୍ୟକ୍ତି ସ୍ୱରୂପ ଭାରତବର୍ଷର ରାଜନୀତିକ ସ୍ୱାଧୀନତା ଲାଗି ମଧ୍ୟ ଏକ ସଂଗ୍ରାମ ଆରମ୍ଭ ହୋଇଗଲା । ଏହି ସଂଗ୍ରାମର ପ୍ରଥମ ବୀରମାନେ କେବଳ ରାଜନୀତିକ ବ୍ୟକ୍ତି ନଥିଲେ । ସେମାନେ ଆପଣା ସ୍ୱପ୍ନ ଚିତ୍ରଗୁଡ଼ିକର କେନ୍ଦ୍ରରେ ସବାଆଗ ମଣିଷକୁ ଦେଖୁଥିଲେ । ତୁଚ୍ଛା ରାଜନୀତିକ ଆନ୍ଦୋଳନମାନ ସଚରାଚର କ୍ଷମତାକାମୀମାନଙ୍କ ଦ୍ଵାରା ହୋଇଥାଏ । ଏମାନେ ପୁରୁଣାମାନଙ୍କୁ ଡାକନ୍ତି, ସଂଗ୍ରାମରେ ଜିତି ସ୍ୱୟଂ କ୍ଷମତାର ଅଧିକାରୀ ହୁଅନ୍ତି । ଭାରତୀୟ ରାଜନୀତିକ ସ୍ୱାଧୀନତା-ସଂଗ୍ରାମରେ ଯେଉଁମାନଙ୍କର ପ୍ରେରଣା ଆରମ୍ଭରୁ ପ୍ରାୟ ଶେଷ ଯାଏ ନେତୃତ୍ୱ ଦେଇ ଆସିଥିଲା, ସେମାନେ କେହିହେଲେ କ୍ଷମତାର ମଣିଷ ନଥିଲେ; ସେମାନେ କ୍ଷମତାକାମୀ ନଥିଲେ, ସେମାନେ ଭାରତୀୟ ମଣିଷର ଉଦୟ ଇଚ୍ଛା କରୁଥିଲେ ।

 

ଆମ ସମସ୍ତଙ୍କ ସୌଭାଗ୍ୟ ଯେ, ଏହିପରି ଏକ ସଂଗ୍ରାମକୁ ଆମେ ଉତ୍ତରାଧିକାର ସୂତ୍ରରେ ପାଇଛୁ । ଅଯୋଗ୍ୟମାନେ ହିଁ ଉତ୍ତରାଧିକାରକୁ ଭୋଗ କରନ୍ତି । ଅସଲ ଦାୟାଦମାନେ ତାହାର ଯୋଗ୍ୟ ହୁଅନ୍ତି । ସମଗ୍ର ପୃଥିବୀରେ ଅଧିକାଂଶ ଦେଶରେ ମନୁଷ୍ୟର ଯାହା ସମସ୍ୟା, ଆମର ଏଠାରେ ମଧ୍ୟ ପ୍ରାୟ ତାହାହିଁ ସମସ୍ୟା । ଅନ୍ନଉତ୍ପାଦନର ସମସ୍ୟା, ନାନା ପ୍ରାଚୀନ ଓ ଅନିଚ୍ଛୁକ ଅନମନୀୟତାରୁ ଉପୁଜି ଆସିଥିବା ଅନ୍ୟାୟଗୁଡ଼ିକର ସମସ୍ୟା, ଏବଂ ସର୍ବୋପରି, ପ୍ରତ୍ୟେକ ମନୁଷ୍ୟକୁ ମନୁଷ୍ୟର ସମ୍ମାନ ଦେଇ ସ୍ୱୀକାର କରିବାର ସମସ୍ୟା । ଆମ ଆଗକୁ ଯେଉଁ ଅନ୍ୟ ଯୁଗଟି ଆସୁଛି, ସେହି ଯୁଗରେ ଯିଏ ଆପଣାକୁ ସେହି ସମସ୍ୟାଗୁଡ଼ିକର ସମାଧାନ ଖୋଜିବାର ଅନୁକୂଳ କରି ନଗଢ଼ିବ, ତାହାକୁ କେବଳ ବର୍ବର ବୋଲି ହିଁ କୁହାଯିବ । ଏକଦା ଭାରତ ସମେତ ସମସ୍ତ ପୃଥିବୀରେ ସାମନ୍ତବାଦ ବୋଲି ଏକ ବ୍ୟବସ୍ଥା ସମାଜକୁ କାବୁ କରି ରଖିଥିଲା, ଯାହାକି ମଣିଷକୁ ଅସ୍ୱୀକାର କରୁଥିଲା | ମାରିନେବାର ତସ୍ମରକୁ ତାହା ବୀର ବୋଲି କହୁଥିଲା, ଅନେକକୁ ବଞ୍ଚିତ କରି ରଖି ନିଜର ଗଉଣୀଗୁଡ଼ାକୁ ଭର୍ତ୍ତି କରିବାକୁ ହିଁ ପୁରୁଷାର୍ଥ ବୋଲି କହୁଥିଲା । ସାମନ୍ତବାଦର କାଳ ଶେଷ ହୋଇଗଲାଣି, ତଥାପି ତାହାର ଅବଶେଷମାନ ନାନା ନୂତନ ଛଦ୍ମ ନାମରେ ନୂତନର ବାଟକୁ ଓଗାଳି ଠିଆ ହୋଇଛନ୍ତି, ନାନା ନୂତନ ଆକର୍ଷଣ ଦେଖାଇ ଅନ୍ତତଃ କେତେକ ମଣିଷକୁ ବଣା କରି ରଖିବାର ପ୍ରୟାସ ଲଗାଇଛନ୍ତି । କେତେ ପ୍ରକାରର ନୂଆ ନୂଆ ହାଣ୍ଡିରେ ଆମ ଦେଶରେ ମଧ୍ୟ ସେହି ସାମନ୍ତବାଦ ତଥାପି ଆହୁରି ଗୋଟାଏ ବା ଦୁଇଟା ଯୁଗ ଲୁଚିକରି ରହିଯିବ ବୋଲି ଚାତୁରୀ କରୁଛି । ଆମ ଦେଶରେ ଜ୍ଞାନରେ ସାମନ୍ତବାଦ ରହିଛି, ଗୁଣରେ ସାମନ୍ତବାଦ ରହିଛି, ଆମ ପାରସ୍ପରିକ ସମ୍ବନ୍ଧରେ ନାନା ଘରେ ସେହି ସାମନ୍ତବାଦ ପଶି ଆମକୁ ଭୁଲାଇ ଆଉ କୁଆଡ଼େ ନେଇଯିବ ଓ ଭେଣ୍ଡାମାନଙ୍କୁ ମେଣ୍ଢା କରି ରଖିବ ବୋଲି ଫିକର ଲଗାଇଛି-। ମଣିଷକୁ, ପ୍ରତ୍ୟେକ ମଣିଷକୁ, ଆମର ଯାବତୀୟ ମାନଚିତ୍ରରେ କେନ୍ଦ୍ରରୂପେ ଗ୍ରହଣ କରି ରଖିଥିଲେ ଯାଇ ଆମେ ସେହିସବୁ ଫାଶରୁ ଆପଣାକୁ ମୁକ୍ତ ରଖି ପାରିବା, ଯଥାର୍ଥରେ କେତେ ଗୌରବର ଭାଜନ ହୋଇପାରିବା ।

 

ପୃଥିବୀରେ ସମ୍ପନ୍ନ ଦେଶ ଅନେକ ରହିଛି । ସମ୍ପନ୍ନରୁ ଅତିସମ୍ପନ୍ନ ଦେଶମାନେ ରହିଛନ୍ତି-। ଗୋଟିଏ ଦେଶକୁ ଯେତେ ଅଧିକ ସମ୍ପନ୍ନ କରି ତିଆରି କରିବା କଥା, ସେହି ଦେଶ, ସେହି ସବୁ ଗାରକୁ ଆସି ଛୁଇଁ ସାରିଲାଣି ବୋଲି ସେହି ଦେଶର ରାଷ୍ଟ୍ର ଓ ଜନଗଣ ଉଭୟେ ବିଶ୍ୱାସ କରୁଛନ୍ତି । ତେଣୁ ସେମାନଙ୍କର ଆଗକୁ ଯିବାକୁ ଆଉ କୌଣସି ଅଧିକା ବାଟ ନାହିଁ, ସେଠାରେ ପର୍ବତ-ଶିଖର ବୋଲି ଆଦୌ କିଛି ନାହିଁ । ତେଣୁ ଅବସାଦ ହିଁ ଭାଗ୍ୟ ହୋଇ ରହିଛି । ଆପଣାର ଅଟ୍ଟାଳିକାଟିକୁ ଆଉ ଅନ୍ୟ ଗୋଟିଏ ଅଟ୍ଟାଳିକା ଆସି କାଳେ ଭାଙ୍ଗି ପକାଇବ, ସେମାନେ ଏହିପରି ଏକ ଭୟଦ୍ଵାରା ତାଡ଼ିତ ହୋଇ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବରେ ଶତ୍ରୁମାନଙ୍କୁ ନିରସ୍ତ୍ର କରି ରଖିବାର ଅସ୍ତ୍ରମାନ ତିଆରି କରିବାରେ ଲାଗିଛନ୍ତି । ହଜାରଗୁଣ ଅଧିକ ଭୋଗ କରିବ ଓ ଦଶହଜାର ଗୁଣ ଭୀତ ଓ ତ୍ରାସପୀଡ଼ିତ ହୋଇ ଅସ୍ତ୍ରାଗାରଗୁଡ଼ାକୁ ଅଧିକରୁ ଅଧିକ ଭୟପ୍ରଦ କରିବାରେ ଲାଗିଥିବ, ଏଥିରୁ ଅବସାଦ ହିଁ ଭୋଗିବାକୁ ପଡ଼ିବ ନାହିଁ ତ ଆଉ କ'ଣ ହେବ ? ଭାରତବର୍ଷରେ ଆମରି ମହାଭାଗ୍ୟ ଯେ, ଆମର ଅସଲ ଶତ୍ରୁମାନେ ଆମରି ଦେଶରେ ରହିଛନ୍ତି ଓ ସେମାନେ ଆମଠାରୁ ଆହୁରି ଅନେକ ବର୍ଷର ସଂଗ୍ରାମ ଓ କମୌଦ୍ୟମ ଦାବୀ କରୁଛନ୍ତି । ଦାରିଦ୍ର୍ୟ, ଅଜ୍ଞାନ, ଅନ୍ୟାୟ, ଅସମ୍ମାନ–ଏମାନେ ହେଉଛନ୍ତି ଆମର ଶତ୍ରୁ । ଏମାନେ ଆମର ଭିତରେ ଅଛନ୍ତି-। ଆମ ଭିତରୁ ଅନେକଙ୍କୁ ବଳହୀନ କରି ରଖିଛନ୍ତି, ଆମ ଆଗରେ ବୃହତ୍ତମ ଆହ୍ୱାନ ହୋଇ ରହିଛନ୍ତି ।

 

ଏହି ଦେଶରେ ଆମର ଆହୁରି ଅନେକ ବାଟ ଯିବାର ଅଛି । ତାହାହିଁ ଆମ ଭାଗ୍ୟ, ତାହାହିଁ ଆମକୁ ଅନବସନ୍ନ କରି ରଖିଥିବ, ଉଦ୍ୟମଶୀଳ କରି ରଖିଥିବ । ଆମକୁ ଆତ୍ମକାମୀ ନକରାଇବା ଦିଗରେ ତାହା କବଚ ପରି କାର୍ଯ୍ୟ କରିବ । ଯେଉଁସବୁ ଦେଶ ସବୁକିଛି ହାସଲ କରି ସାରିଲେଣି ବୋଲି ଭାବୁଛନ୍ତି, ସେମାନେ କ୍ରମେ ବୁଢ଼ା ହୋଇ ଯାଉଛନ୍ତି । ପୃଥିବୀ ଛାଡ଼ି ଚନ୍ଦ୍ର ଅଥବା ଆଉ କେଉଁ ଗ୍ରହକୁ ଯିବାର ଯୋଜନା କରୁଛନ୍ତି । ଯେଉଁମାନଙ୍କର ଆହୁରି ଅନେକ କିଛି ହାସଲ କରିବାକୁ ରହିଛି, ପୃଥିବୀକୁ ସେହି ତରୁଣମାନେ ହିଁ ସମ୍ଭାଳିବେ । ସେହିମାନଙ୍କର ଦିନ ଆସୁଛି । ସାମନ୍ତମାନଙ୍କ ପରେ ମଣିଷମାନଙ୍କର ଦିନ ଆସୁଛି । ଭାରତବର୍ଷର ମହାଭାଗ୍ୟ ଯେ, ସିଏ ଏହି ତରୁଣମାନଙ୍କର ପଟେ ରହିବ, କ୍ଳାନ୍ତମାନଙ୍କର କଥା ମାନିବ ନାହିଁ ।

୧୫ । ୮ । ୮୫

Image

 

ସର୍ବଧର୍ମ-ପ୍ରାର୍ଥନା

 

ଜଗତରେ ଧର୍ମ ଅନେକ ରହିଛି, ଧର୍ମ ଅନୁସାରେ ପ୍ରାର୍ଥନାମାନ ମଧ୍ୟ ରହିଛି । ପତ୍ୟେକ ଧର୍ମରେ ଭଗବାନଙ୍କର ବିଭିନ୍ନ ପ୍ରକାର ନାମକରଣ ହୋଇଛି । ସେହି ନାମଗୁଡ଼ିକୁ ବିଗହରେ ପରିଣତ କରି ଦେବତାମାନଙ୍କର କଳ୍ପନା କରାଯାଇଛି ଓ ସେହି ଦେବତାମାନେ କାଳକ୍ରମେ ଗୋଟିଏ ଗୋଟିଏ ଠାକୁର ରୂପେ ପୂଜା ପାଇ ଆସୁଛନ୍ତି । ସେହିସବୁ ପୂଜାରୁ ମଣିଷ ପ୍ରେରଣା ପାଇବ ଓ ଯଥାର୍ଥ ପଥରେ ଚାଲିବ ବୋଲି ଏହି ଠାକୁର ଓ ସେମାନଙ୍କର ନାନା ପୂଜାବିଧିର ଉଦ୍ଭାବନ ଏବଂ ଆୟୋଜନ ହୋଇଥିଲା । ଏବେ, ଅର୍ଥାତ୍ ମଣିଷ ଆପଣାର ଜୀବନକୁ ଏକ ସମ୍ପଦ ବୋଲି ନଭାବି ଯେତିକି ଅଧିକ ପରିମାଣରେ ପ୍ରାୟ ଏକ ବଣିଜ ବୋଲି ଭାବୁଛି, ସେହି ଅନୁସାରେ ଧର୍ମସ୍ଥ ପ୍ରେରଣାଟି ଗୌଣ ହୋଇ ଯାଉଛି, ପୂଜା, ବିଧି ଏବଂ ପ୍ରାର୍ଥନାଗୁଡ଼ିକ ହିଁ ପ୍ରଧାନ ହେବାରେ ଲାଗିଛନ୍ତି । ଚତୁର ମଣିଷମାନେ ଧର୍ମକୁ ଜୀବନ-ବଣିଜରେ ସତେଅବା ଏକ ପଣ୍ୟରୂପେ ବ୍ୟବହାର କଲେଣି । ଅସଲ ପ୍ରେରଣାଟିକୁ ଲାଭ କରିବାକୁ ଯଦି ସଂସାରର ଅଧିକ ମଣିଷ ଧର୍ମରେ ପ୍ରବିଷ୍ଟ ହେଉଥାନ୍ତେ, ତେବେ ଏହି ଧର୍ମମାନେ ହୁଏତ କେଉଁଦିନରୁ ସଂସାରରୁ ବିଦା ହୋଇ ଯାଇ ସାରନ୍ତେଣି । ଧର୍ମକୁ ନେଇ ଧର୍ମଶାସ୍ତ୍ରୀ ଓ ଧର୍ମଭୀରୁମାନଙ୍କ ଭିତରେ ଯେଉଁସବୁ ବାଦ କାଳେ କାଳେ ଲାଗିଆସିଛି, ସେସବୁର କୋଉକାଳୁ ଅବସାନ ଘଟି ସାରନ୍ତାଣି । ତାହା ହୋଇଥିଲେ ଆମ ସଂସାରରେ ହୁଏତ ସାହସୀମାନେ ହିଁ ଅଧିକ ସଂଖ୍ୟାରେ ରହିଥାନ୍ତେ । ଭୀରୁମାନଙ୍କର ସଂଖ୍ୟା ଆଦୌ ଏତେ ବେଶି ହୋଇ ରହି ନଥାନ୍ତା । ସଂସାରରେ ଏତେ ଦ୍ୱେଷ ଏବଂ ତଜ୍ଜନିତ ଦୂଷିତତାମାନ ଆଦୌ ନଥାନ୍ତା, ଶ୍ରଦ୍ଧା ବୋଲି ଏକ ସମ୍ପଦକୁ ଲୋକମାନେ ନିଜ ଜୀବନରେ ପ୍ରକୃତରେ ବଞ୍ଚି ପାରୁଥାନ୍ତେ ।

 

ପ୍ରେରଣା ଯେ ସବୁ ଧର୍ମର ମୂଳ, ଉପରକୁ ଥାପନା ହୋଇ ରହିଥିବା ଦେବତାମାନେ ଯେ ଧର୍ମର ଆଦୌ ସର୍ବପ୍ରଧାନ ଉପଜୀବ୍ୟ ନୁହନ୍ତି, ସଂସାରର ସନ୍ଥମାନେ କାଳେ କାଳେ ସେକଥା କହି ଆସିଛନ୍ତି । ଭାରତର ସନ୍ଥମାନେ ମଧ୍ୟ ଠିକ୍ ସେହି କଥାମାନ କହିଛନ୍ତି । ତଥାପି ଅଧିକାଂଶ ମଣିଷକୁ ସେହି ପ୍ରେରଣା-ଦିଗଟା ଆଦୌ ଖୁବ୍ ବେଶି ଆକୃଷ୍ଟ କରି ପାରିନାହିଁ । ଅଧିକାଂଶ କ୍ଷେତ୍ରରେ ଧର୍ମ ରାଷ୍ଟ୍ରାୟତ୍ତ ହୋଇଛି, ରାଜାମାନେ ଆପଣାକୁ ଧର୍ମର ରକ୍ଷକରୂପେ ଘୋଷଣା କରିଛନ୍ତି । ସେମାନେ ମନ୍ଦିର ତୋଳିଛନ୍ତି, ସନନ୍ଦ ଦେଇ ଠାକୁରମାନଙ୍କ ଲାଗି ଅନ୍ନାଦି ଅନୁଷ୍ଠାନଗୁଡ଼ିକର ବ୍ୟବସ୍ଥା କରି ଦେଇଛନ୍ତି,–ମଣିଷମାନଙ୍କର ଆଖିରେ କାଳକ୍ରମେ ରାଜା ଓ ଠାକୁର ସତେ ଅବା ଗୋଟିଏ ପକ୍ଷର ବୋଲି ପ୍ରତୀୟମାନ ହୋଇଛନ୍ତି । ରଜାମାନଙ୍କ ଭିତରେ ଲଢ଼େଇ ଲାଗିଲାପରି ଦେଉଳ ଦେଉଳ ଭିତରେ ଅର୍ଥାତ୍ ଧର୍ମ ଧର୍ମ ଭିତରେ ମଧ୍ୟ ଲଢ଼େଇ ଲାଗିଛି-। ଭକ୍ତି ଉଗ୍ର ହୋଇଛି, ପ୍ରାୟ ଏକ ଦ୍ୱେଷ ଏବଂ ଅସହିଷ୍ଣୁତାରେ ପରିଣତ ହୋଇଛି । ଧର୍ମରାଷ୍ଟ୍ରମାନେ ସାମ୍ରାଜ୍ୟ ବିସ୍ତାର କରିଛନ୍ତି, ମ୍ଳେଚ୍ଛମାନଙ୍କୁ ନିପାତ କରିବା ପାଇଁ ଡାକରା ଦେଇଛନ୍ତି । ପ୍ରେରଣାମାନେ ଲାଜରା ହୋଇ ଅନ୍ତରାଳକୁ ପଳାଇଛନ୍ତି । ସଂସାରର ରୀତି ଅନୁସାରେ ଧର୍ମ ଧର୍ମ ଭିତରେ ବଡ଼ ଓ ସାନର ବିଚାରଭେଦ ପ୍ରବେଶ କରିଛି । ଆପଣାକୁ ବଡ଼ ଓ ଅନ୍ୟମାନଙ୍କୁ ସାନ ବୋଲି ପ୍ରତିପାଦିତ କରିବାକୁ ପ୍ରାୟ ପ୍ରତ୍ୟେକ ଧର୍ମରେ ବୀରମାନେ ଜୟପତାକା ଉଡ଼ାଇ ବାହାରି ପଡ଼ିଛନ୍ତି । ମଣିଷକୁ ଉଚ୍ଛନ୍ନ କରିଛନ୍ତି । ଧର୍ମର ଜୟ ଜୟକାର ହୋଇଛି, ମାତ୍ର ଅଧିକାଂଶ ମଣିଷ ଅନ୍ଧକାର ଭିତରେ ପଡ଼ି ରହିଛନ୍ତି ।

 

ସାମ୍ରାଜ୍ୟବାଦୀ ଶାସକ ଭାରତର ବିଭିନ୍ନ ଧର୍ମକୁ ଆଳ ପରି ବ୍ୟବହାର କରି ରାଜନୀତିର ଖେଳ ଖେଳୁଥିବା ସମୟରେ ଏକଦା ମହାତ୍ମା ଗାନ୍ଧୀ ଲୋକମାନଙ୍କୁ ଧର୍ମର ଅସଲ ପ୍ରେରଣାଟି ପାଖକୁ ଫେରାଇ ଆଣିବାକୁ ସର୍ବଧର୍ମ-ପ୍ରାର୍ଥନାର ପ୍ରବର୍ତ୍ତନ କରିଥିଲେ । ତଦ୍ଦ୍ୱାରା ସେ ଭାରତୀୟମାନଙ୍କୁ ତାଳଗୁଡ଼ାକୁ ଛାଡ଼ି ମୂଳକୁ ଫେରି ଆସିବା ପାଇଁ ଉଦ୍‍ବୋଧନ ଦେଇଥିଲେ । ମହାତ୍ମାଗାନ୍ଧୀ ଯଥାର୍ଥରେ ଜଣେ ଧର୍ମସ୍ଥ ମନୁଷ୍ୟ ଥିଲେ । ଧର୍ମର ପ୍ରେରଣାକୁ ହିଁ ସେ ଧର୍ମର ସର୍ବପ୍ରଧାନ ସମ୍ପଦ ବୋଲି ଗ୍ରହଣ କରୁଥିଲେ, ତଦନୁରୂପ ଏକ ଜୀବନଟିଏ ବଞ୍ଚିବାକୁ ହିଁ ଆପଣାର ସର୍ବପ୍ରଧାନ ଶ୍ରେୟଃ ବୋଲି ବିଚାର କରୁଥିଲେ । ସିଏ ଡାଳଗୁଡ଼ିକୁ ମୋଟେ ଅସ୍ୱୀକାର କରୁ ନଥିଲେ ସତ, ମାତ୍ର ଅସଲ ମୂଳଟିର ସମଗ୍ରତର ଭୂମି ଉପରେ ହିଁ ଡାଳଗୁଡ଼ିକର ବିଚାର କରୁଥିଲେ-। ଧର୍ମ ଯେ ଆଦୌ ଏକ ଅଫିମ ନୁହେଁ, ତାହା ଯେ ମନୁଷ୍ୟ-ସମାଜରେ ଏକ ସନ୍ଦୀପନକାରୀ ପାରସ୍ପରିକତାର ଶକ୍ତିରୂପେ କାର୍ଯ୍ୟ କରିପାରେ ଏବଂ ମନୁଷ୍ୟକୁ ଏକ ନୂତନ ଆଖି ପ୍ରଦାନ କରି ତାକୁ ଏକ ଉଚ୍ଚତର ବ୍ୟାକୁଳତା ଏବଂ ଜୀବନଶ୍ରଦ୍ଧାର ଆହ୍ୱାନ ମଧ୍ୟକୁ ଉନ୍ନତ କରି ନେଇ ଯାଇପାରେ, ମହାତ୍ମା ଗାନ୍ଧୀ ଭାରତୀୟମାନଙ୍କୁ ସେହି ସତ୍ୟଟିର ପ୍ରତିପାଦନ କରି ଦେଖାଇ ଦେବାକୁ ସର୍ବଧର୍ମ-ପ୍ରାର୍ଥନାର ଅଭିନବ ପ୍ରୟୋଗଟି ପ୍ରବର୍ତ୍ତନ କରିଥିଲେ । ତାଙ୍କର ଚାରିପାଖରେ ଅବିଶ୍ୱାସ ଓ ଉଗ୍ରତା ଭର୍ତ୍ତି ହୋଇ ରହିଥିବା ସମୟରେ ସେ ସ୍ଵୟଂ ବିଶ୍ୱାସରେ ଥିଲେ, ଶ୍ରଦ୍ଧାରେ ଥିଲେ, ବାହାରର ଭେକ ଓ ସନ୍ତକର ଯାବତୀୟ ବିଭିନ୍ନତା ସତ୍ତ୍ୱେ ସିଏ ମଣିଷକୁ ମୂଳତଃ ମଣିଷ ବୋଲି ସ୍ୱୀକାର କରୁଥିଲେ । ଗାନ୍ଧୀ ସନ୍ତକଗୁଡ଼ାକୁ ଦେଇ କଦାପି ମଣିଷର ବିଚାର କରୁନଥିଲେ, ମଣିଷକୁ ଗ୍ରହଣ କରୁଛନ୍ତି ବୋଲି ହିଁ ତାର ସନ୍ତକଗୁଡ଼ାକୁ ଗ୍ରହଣ କରୁଥିଲେ । ଏହିପରି ସେ କେଡ଼େ ସହଜରେ ସନ୍ତକଗୁଡ଼ାକୁ ଡେଇଁଯାଇ ପାରୁଥିଲେ ।

 

ମହାତ୍ମା ଗାନ୍ଧୀଙ୍କ ପରେ ସର୍ବଧର୍ମ-ପ୍ରାର୍ଥନା ଏକ ବିଧିରେ ପରିଣତ ହୋଇଗଲା । ଗାନ୍ଧିଜୀଙ୍କର ପ୍ରେରଣାରେ ଆପଣାକୁ ଅନୁପ୍ରାଣିତ ହୋଇଥିବା ପରି ଅନୁଭବ କରିଥିବା ବିଶେଷ ସମ୍ପ୍ରଦାୟଟି ଆଶ୍ରମଗୁଡ଼ିକର କାର୍ଯ୍ୟକ୍ରମରେ ସେହି ପ୍ରାର୍ଥନାକୁ ନିତ୍ୟାହ୍ନିକ ବିଧିର ଏକ ବିଶେଷ ଅଙ୍ଗରୂପେ ଗ୍ରହଣ କରିଥିଲା । ସନ୍ଥ ବିନୋବା ବିଭିନ୍ନ ଧର୍ମର ନାମଗୁଡ଼ିକୁ ନେଇ ଗୋଟିଏ ବିଶେଷ ଭଜନ ଲେଖିଲେ । କୌଣସି ଗୋଟିଏ ନାମକୁ ମଧ୍ୟ ସିଏ ତାଙ୍କର ସେହି ଗୁଚ୍ଛଟି ଭିତରୁ ବାଦ ଦେଇ ନଥିଲେ । ଗାନ୍ଧିଜୀଙ୍କ ମୃତ୍ୟୁ ଅନ୍ତେ ରାଷ୍ଟ୍ରୀୟ ଆକାଶବାଣୀ ପ୍ରତୀକାତ୍ମକ ଭାବରେ ଶୁକ୍ରବାରକୁ ଶୁକ୍ରବାର ଯେଉଁ ବିଶେଷ ପ୍ରାର୍ଥନାଟିକୁ ନିୟମ ଓ ନିଷ୍ଠାର ସହିତ ଚଳାଇଲେ, ତାହାକୁ ମଧ୍ୟ ସର୍ବଧର୍ମ ପ୍ରାର୍ଥନା ବୋଲି କୁହାଗଲା । ଏକ ଶୁକ୍ରବାରରେ ମହାତ୍ମାଙ୍କର ନିଧନ ଘଟିବାରୁ ସେହି ଦିନଟି ହିଁ ଏହି ବିଶେଷ ପ୍ରାର୍ଥନା ପାଇଁ ଉର୍ଦ୍ଦିଷ୍ଟ ହୋଇ ରହିଲା । ଏଥିରେ ବିଭିନ୍ନ ଧର୍ମରୁ ନିର୍ବାଚିତ କରି ଅଣା ଯାଇଥିବା କେତେକ ଶ୍ଳୋକ ଓ କେତେକ ଉକ୍ତିକୁ ଏକାଠି କରି ବେଶ୍ କେତେ ମିନିଟ୍ ଲାଗି ଗୋଟିଏ କାର୍ଯ୍ୟକ୍ରମ ରଚନା କରାଯାଇଥିଲା । ସେହି କାର୍ଯ୍ୟକ୍ରମ ଏବେ ମଧ୍ୟ ଚାଲୁ ରହିଛି । ପ୍ରାୟ ଏକ ବିଧିସ୍ୱରୂପ ଚାଲୁ ରହୁଛି, କୌଣସି ବ୍ୟତିକ୍ରମ ହେଉନାହିଁ ।

 

ଅଲଗା ଅଲଗା ଡାଳକୁ ଏକାଠି ଗୋଟିଏ ଗଦାରେ ଜମା କରି ରଖିଲେ ତାହାକୁ ମୂଳ ବୋଲି ଭାବିବାରେ ଅନେକ ସମୟରେ ଅନେକ ପ୍ରମାଦ ନିହିତ ହୋଇ ରହିଥାଏ । ଏକ ଏକ ମିଶି ଅଙ୍କରେ ଅନେକ ହୁଅନ୍ତି ସତ, ମାତ୍ର ତଦ୍ୱାରା ଯେ “ଏକେମେବ ଦ୍ୱିତୀୟ ଅଙ୍କର ଅବଶ୍ୟ ସନ୍ଧାନ ମିଳେ, ଶାସ୍ତ୍ରକାରମାନେ ବା ବିଧିକୁ ମାନୁଥିବା ଅନୁରକ୍ତମାନେ ଯେଡ଼େ ଉତ୍ସାହରେ ଯାହା କହିଲେ ମଧ୍ୟ ତଥାପି ସେକଥା ଦାବୀ କରାଯାଇ ପାରିବ ନାହିଁ । ସବୁ ଡାଳ ସେହି ଗୋଟିଏ ଗଛର ସତ, ମାତ୍ର କେତେ ପ୍ରକାରର ବିଚ୍ଛିନ୍ନତାବୁଦ୍ଧିର କବଳରେ ପଡ଼ି ଯେଉଁ ଡାଳଗୁଡ଼ାକ ସତେଅବା କଟା ହୋଇ କୋଉ କାଳରୁ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି, ବିଭିନ୍ନ ହୋଇ ରହିବାରୁ ହିଁ ଅଧିକ ପରିତୃପ୍ତି ଲାଭ କରୁଛନ୍ତି ଏବଂ ଏପରିକି ବେଳେବେଳେ ଆପଣାକୁ ହିଁ ମୂଳ ବୋଲି ଘୋଷଣା କରିବାକୁ ସ୍ୱଧର୍ମାନୁରାଗର ଚରମ କରାମତି ବୋଲି ବିଚାର କରୁଛନ୍ତି, ସେଗୁଡ଼ିକୁ ଗୋଟିଏ ପଦରେ ଅଥବା ଗୋଟିଏ ପୁଚ୍ଛରେ ଏକତ୍ର କରି ଆଣିଲେ ତାହାକୁ ଯେ ଅସଲ କେନ୍ଦ୍ରଟିକୁ ସତକୁ ସତ ସ୍ପର୍ଶ କରିବା ବୋଲି କୁହାଯିବ, ସେକଥା ଆଦୌ ନୁହେଁ । ତାହାଦ୍ୱାରା ବିଧିରକ୍ଷା ହେଉଥିବ ସତ, ମାତ୍ର ଆମ ଘରର ଅସଲ ଅନ୍ଧାର ଓ ଅସଲ ଅନ୍ଧତାଗୁଡ଼ିକୁ ଦୂର କରିବାରେ ତାହା ହୁଏତ ଆଦୌ କୌଣସି ସାହାଯ୍ୟ କରିବ ନାହିଁ । ଗଣ୍ଠି ଫିଟିଲେ ଯାଇ ମଣିଷ ଅସଲ ସମନ୍ୱୟର ଭାଜନ ହୋଇଥାଏ, ଗଣ୍ଠିଗୁଡ଼ାକୁ ବହି ଭିତରୁ ସାଉଁଟି ଆଣି ଏକାଠି ଗୋଟାଏ ବଡ଼ ଗଣ୍ଠି ପକାଇ ତାହାକୁ ହିଁ ସମନ୍ୱୟ ବୋଲି ପଲଟାଇ ରଖିବାର ଯେତେ ଚେଷ୍ଟା କରୁଥିଲେ ମଧ୍ୟ ତାହା ହୁଏତ ଆମକୁ ପାଦେ ହେଲେ ଅଗ୍ରସର କରାଇନେଇ ପାରିବ ନାହିଁ ।

 

ସବୁ ଧର୍ମକୁ ଏକାଠି ଗୋଟାଏ ବୋକଚା ଭିତରେ ବାନ୍ଧି ରଖିବାରେ ଚେଷ୍ଟା କଲେ ତାହା କଦାପି ସର୍ବଧର୍ମରେ ପରିଣତ ହୋଇଯିବ ନାହିଁ । ଖଣ୍ଡିଆଗୁଡ଼ାକୁ ଏକାଠି ଗୋଟାଏ ଥାନରେ ଜମା କରି ଗଦା କରି ଦେଖାଇଲେ ତାହା ଯେ ଆଦୌ ଅସଲ ସମଗ୍ରତାଟିର ଦ୍ୟୋତନା ଆଣି ଦେବ ନାହିଁ, ଏହା ହେଉଛି ପ୍ରାୟ ସେହିପରି ଗୋଟିଏ କଥା । ତେଣୁ ଏହି ତଥାକଥିତ ସର୍ବଧର୍ମ-ପ୍ରାର୍ଥନାରୁ ଆମକୁ ଯେ ଆଦୌ ଅସଲ ସଦନର ପରିଚୟ ମିଳିବ ନାହିଁ, ବିଧିଗୁଡ଼ାକୁ ଯେତେ ପବିତ୍ର ବୋଲି ମାନୁଥିଲେ ମଧ୍ୟ ଆମକୁ ସେକଥା ଅବଶ୍ୟ ସ୍ୱୀକାର କରିବାକୁ ହେବ । ମୁଁ ସେଦିନ ପ୍ରାୟ ସେହିପରି ଏକ ଦୃଶ୍ୟ ଦେଖିଆସିଲି । ସର୍ବପ୍ରଥମେ ଜଣେ ମୁସଲମାନ କୋରାନ୍ ପାଠ କଲେ, ତା'ପରେ ପାଦ୍ରୀ ଆସି ଖ୍ରୀଷ୍ଟିଆନ୍‌ ମନ୍ତ୍ର ବୋଲିଲେ, ବୌଦ୍ଧ ଭିକ୍ଷୁ ତ୍ରିଶରଣର ଆବୃତ୍ତି କଲେ, ଶିଖ ପୁରୋହିତ ଗ୍ରନ୍ଥସାହେବରୁ କେତୋଟି ଉକ୍ତିର ଉଚ୍ଚାରଣ କଲେ, ଏବଂ ଏହି ସମଷ୍ଟିଟିକୁ ସତେଅବା ଏକ ଅସ୍ୱାଦ୍ୟ ବୈଚିତ୍ର୍ୟ ଆଣି ଦେବାଲାଗି ମଝିରେ ଉପନିଷଦ, ଗୀତା ଏବଂ ସଂହିତାମାନଙ୍କରୁ ପଦମାନ ଆଣି ଭର୍ତ୍ତି କରାଯାଇଥିଲା । କେହି ହୁଏତ କାହାରି ଧର୍ମରେ ବିଶ୍ୱାସ କରୁ ନଥିଲେ, ହୁଏତ ଏକ ଅପରକୁ ମ୍ଳେଚ୍ଛ କିମ୍ବା କାଫେର ବୋଲି ବିଶ୍ଵାସ କରୁଥିଲେ ଏବଂ ସେହି ସର୍ବଧର୍ମ-ପ୍ରାର୍ଥନାରେ ଶ୍ରୋତାରୂପେ ସମବେତ ହୋଇଥିବା ଅନ୍ୟ ବ୍ୟକ୍ତିମାନେ ଜଣେ ପରଲୋକଗତ ବ୍ୟକ୍ତିଙ୍କର ଦଶାହ ଉପଲକ୍ଷେ ସେଠାରେ ଆସି ଏକତ୍ର ହୋଇଥିଲେ । ସେମାନେ ଆପଣା ଧର୍ମର ଚିହ୍ନା ପଦଗୁଡ଼ିକ ବୋଲାହେବା ସମୟରେ ହୁଏତ ଧର୍ମବତ୍ସଳଙ୍କ ପରି ପ୍ରସନ୍ନ ଦେଖା ଯାଉଥଲେ, ମାତ୍ର ଅନ୍ୟ ପ୍ରସଙ୍ଗମାନ ଅଭିନୀତ ହେଉଥିବା ସମୟରେ ଯେତେ ଅନ୍ୟମନସ୍କ ହେବାପରି ବୋଧ ହେଲେ ମଧ୍ୟ ତଥାପି ଧୈର୍ଯ୍ୟ ଧରି ବସିଥିଲେ । ସେମାନେ ବିଧି ମାନୁଥିଲେ । କେତେବେଳେ କିଏ କ'ଣ କରୁଛି ବୋଲି ଜାଣିବାକୁ ପରସ୍ପର ଆଡ଼କୁ ବଙ୍କେଇ ବଙ୍କେଇ ଦେଖୁଥିଲେ । ଖାଲି ବିଧି ମାନିବାଟା ଅନେକ ସମୟରେ ଏହିପରି ଏକ ଅଭିନୟରେ ବି ପରିଣତ ହୋଇପାରେ ।

 

କେବଳ ନିଜ ଧର୍ମଟିକୁ ଯାବୁଡ଼ି ଧରିଥିବା ବହୁସଂଖ୍ୟକ ମଣିଷ ଆମ ପୃଥିବୀରେ ରହିଛନ୍ତି । ସବୁ ଯୁଗରେ ସେମାନେ ବହୁସଂଖ୍ୟାରେ ଥିଲେ, ଏବେ ମଧ୍ୟ ଅଛନ୍ତି । ସବୁ ଧର୍ମକୁ ସମ୍ମାନ ଦେଖାଇବା ଓ ଶୁଦ୍ଧ କରିବା ଆଦୌ ଏକ ଗାଣିତିକ ବିଧି ନୁହେଁ ଯେ ଆମେ ଏକ ପ୍ରତିନିଧିମୂଳକ ନ୍ୟାୟରେ ପାଞ୍ଚଟା ଧର୍ମର ସନ୍ତକକୁ ଏକାଠି ଗୋଟିଏ ଜାଗାରେ ଆଣି ଛନ୍ଦି ଦେଲେ ତଦ୍ଦ୍ୱାରା ତାହା ଅବଶ୍ୟ ସମ୍ଭବ ହୋଇଯିବ । ଧର୍ମତାତ୍ତ୍ୱିକତାର ମୂର୍ତ୍ତିକାରମାନେ ମୂର୍ତ୍ତିଗୁଡ଼ାକୁ ଏକାଠି ଯୋଡ଼ି ସେହିଭଳି କେତେ ସମନ୍ୱୟର ପ୍ରୟାସ କରିଛନ୍ତି, ତଥାପି ସମନ୍ୱୟ ସୁଦୂରପରାହତ ହୋଇ ରହିଛି । ଏହି ଏକକ ଧର୍ମଗୁଡ଼ାକୁ ଡେଇଁଗଲେ ହୁଏତ ଏକ ଧର୍ମ ରହିଛି ଏବଂ କେବଳ ତାହାକୁ ହିଁ ଜୀବନରେ ବେତନାରୂପେ, ପ୍ରେରଣାରୂପେ ଭରି ରଖିପାରିଲେ ଏବଂ ସେହି ଅନୁସାରେ ଜୀବନ ବଞ୍ଚିପାରିଲେ ଯଥାର୍ଥ ସମନ୍ୱୟ ସମ୍ଭବ ହୋଇ ପାରିବ । ସେହି ସମନ୍ୱୟ ହିଁ ଶ୍ରଦ୍ଧା ଆଣିଦେବ, ପାରସ୍ପରିକ ସମ୍ମାନର ଏକ ଭୂମିକୁ ସମ୍ଭବ କରି ପାରିବ, ଆମ ଠାକୁରମାନଙ୍କର ଇଜ୍ଜତକୁ ଫେରାଇ ଆଣିବ । ଆମ ଦେଶରେ, ପୃଥିବୀର ପ୍ରତ୍ୟେକ ଦେଶରେ, ଏପରି ଅଧିକରୁ ଅଧିକ ଶ୍ରଦ୍ଧାବାନ୍‌ ମଣିଷଙ୍କର ଏକାନ୍ତ ଆବଶ୍ୟକତା ରହିଛି, ଯେଉଁମାନେ କି ନିଜ ନିଜର ଧର୍ମରେ ଅବଶ୍ୟ ରହିଥିବେ ସତ, ମାତ୍ର ତଥାପି ତାହାରି ଭିତରେ ହିଁ କଦାପି କିଳି ହୋଇ ନଥିବେ, ସେମାନେ ନିଜ ଧର୍ମର କାନ୍ଧ ଉପରେ ଗୋଡ଼ ଦେଇ ଅତ୍ୟନ୍ତ ସହଜରେ ତାହାର ବାଡ଼ଟିକୁ ଡେଇଁଯାଇ ପାରୁଥିବେ, ସଂସାରର ପ୍ରତ୍ୟେକ ମଣିଷକୁ ଏକ ସ୍ୱୀକାରାତ୍ମକ ଆତ୍ମୀୟତା ଦ୍ଵାରା ଚିହ୍ନିନେଇ ପାରୁଥିବେ–ଅସଲ କେନ୍ଦ୍ରଟିକୁ ସ୍ୱୀକାର କରି ପାରୁଥିବାରୁ ହିଁ ଏହି ଯାବତୀୟ ବୃତ୍ତଗୁଡ଼ିକ ମଧ୍ୟ ଅନ୍ତର୍ଗତ ଭାବରେ ଚିହ୍ନି ପାରୁଥିବେ-

 

ସେଦିନ ମୁଁ ଭାବୁଥିଲି, ପ୍ରତିନିଧମୂଳକ ନ୍ୟାୟରେ ବିଭିନ୍ନ ଭେକର ଏହି ବ୍ୟକ୍ତିମାନଙ୍କୁ ଗୋଟା ହୋଇ ଏଠାକୁ ମୋଟେ ଅଣାଯାଇ ନଥାନ୍ତା; ଏହି ସଭାଟି ମଧ୍ୟରେ ସେମାନଙ୍କର ସଂଖ୍ୟା ଯେତେ ଅଳ୍ପ ହୋଇଥାଉ ପଛକେ, ଏଭଳି ବ୍ୟକ୍ତିମାନେ ରହିଥାନ୍ତେ, ଯେଉଁମାନେ କି ପ୍ରକୃତରେ ନିଜ ନିଜ ଧର୍ମର ବାଡ଼ଗୁଡ଼ିକର ସେପାଖକୁ ଯାଇ ଅସଲ କେନ୍ଦ୍ରଟିର ସମୀପବର୍ତ୍ତୀ ହୋଇ ପାରିଛନ୍ତି ଏବଂ ଏହି ଯାବତୀୟ ଧର୍ମ ଓ ସନ୍ତକ ଭିଆଣ ସତ୍ତ୍ୱେ ପ୍ରତ୍ୟେକ ମଣିଷର ଅସଲ ପରିଚୟଟିକୁ ଲାଭ କରି ପାରିଛନ୍ତି । ସେମାନେ ଆପଣା ଭିତରେ ଆପଣାର ଯଥାର୍ଥ ମହିମାଟିକୁ ଆବିଷ୍କାର କରି ପାରିଛନ୍ତି ଓ ଯାବତୀୟ ସୂତ୍ରବାହ୍ୟିକତାର ନିର୍ବିଶେଷରେ ଅନ୍ୟ ପ୍ରତ୍ୟେକ ମଣିଷ ଭିତରେ ସେହି ମହିମାର ଠାବ କରି ବାହାରିଛନ୍ତି । ହୁଏତ ସେହି କ୍ଷେତ୍ରରେ ସେହି ପ୍ରାର୍ଥନା-ସଭାଟି ଅଧିକ ଯଥାର୍ଥତା ସହିତ ସର୍ବଧର୍ମ-ପ୍ରାର୍ଥନାର ଏକ ସଭା ହୋଇ ପାରିଥାଆନ୍ତା । ଗୋଟି ଗୋଟି କରି ସବୁ ଦୁଆରୀଙ୍କୁ ବାହାର ନକଲେ ମଧ୍ୟ ତଥାପି ସେଥିରୁ ଏକ ସମଗ୍ରତା ଏବଂ ସଂବନ୍ଧତାର ପରିଚୟ ଅବଶ୍ୟ ମିଳିଥାନ୍ତା ।

୭ । ୧୨ । ୮୫

Image

 

ମୁଣ୍ଡବ୍ୟଥାକୁ ଔଷଧ ଅଛି

 

ଆମର ଏକାଳରେ ଆମର ସବୁ ବଡ଼ ପାଠଗୁଡ଼ାକ ଯେଉଁଠାରେ ପଢ଼ାହେଉଛି, ଆମେ ତାହାକୁ ମହାବିଦ୍ୟାଳୟ ବୋଲି କହୁଛୁ । ତା'ଠାରୁ ଆହୁରି ବଡ଼ ବିଦ୍ୟାସ୍ଥାନ ଓଡ଼ିଶାରେ ତିନୋଟି ଥାନରେ ଅଛି, ସେଗୁଡ଼ିକୁ ଆମେ 'ବିହାର' ବୋଲି କହୁଛୁ । ବିହାର ବୌଦ୍ଧ କାଳର ଗୋଟିଏ ଶବ୍ଦ । ବିହାରରେ ସେତେବେଳେ ଶିକ୍ଷାଦାନ ଓ ଶିକ୍ଷାର୍ଜନ ହେଉଥିଲା ସତ, ମାତ୍ର ଭିକ୍ଷୁମାନେ ହିଁ ସେଠାରେ ଶିକ୍ଷାଲାଭ କରୁଥିଲେ । ଭିକ୍ଷୁମାନେ ସଂସାରକୁ ଛାଡ଼ି ବିହାରକୁ ଆସିଥିଲେ । ଆମର ଯେଉଁ ପୁଅ ଓ ଝିଅମାନେ ଏବେ ଆମର ବିହାର ତଥା ମହାବିଦ୍ୟାଳୟମାନଙ୍କରେ ପାଠ ପଢ଼ୁଛନ୍ତି, ସେମାନେ ମଧ୍ୟ କେତେକ ଦୃଷ୍ଟିରୁ ସଂସାରକୁ ଛାଡ଼ି ଆସିଛନ୍ତି ସତ, କିନ୍ତୁ ମାତ୍ର କେତେଟା ବର୍ଷ ପାଇଁ ସେମାନେ ସଂସାର ଛାଡ଼ିଛନ୍ତି । ସେମାନେ ପାଠ ପଢ଼ି ଆସିଛନ୍ତି । ପାଠ ସାରି ସେମାନେ ସମସ୍ତେ ସଂସାରକୁ ଫେରିଯିବେ, ନିଜର ଅର୍ଜିଲା ପାଠଦ୍ଵାରା ସଂସାରର କାମରେ ଲାଗିବେ, ବିଗିଡ଼ାଗୁଡ଼ାକୁ ସଜାଡ଼ିବେ, ପୁରୁଣାକୁ ନୂଆ କରି ଗଢ଼ିବେ, କୁତ୍ସିତିକୁ ସୁନ୍ଦର କରିବେ ଓ ସୁନ୍ଦରକୁ ଅଧିକ ସୁନ୍ଦର କରିବେ । ଏହି ଦୃଷ୍ଟିରୁ ବିଚାର କରି ଦେଖିଲେ, ସେହି ବିହାର ଗୁଡ଼ିକରେ କ'ଣ ଘଟୁଛି ବା ନଘଟୁଛି ଏବଂ କ’ଣ ହେଉଛି ବା ନ ହେଉଛି, ସେ ବିଷୟରେ ବିଭିନ୍ନ ସମୟରେ କିଛି ନା କିଛି କହିବାର ଅଧିକାର ସଂସାରର ଅବଶ୍ୟ ରହିଛି । ବିହାରକୁ ଯିଏ ଯେତେ ଯୁକ୍ତି ଦେଇ ସତେଅବା ଏକ ଦ୍ୱୀପ ବୋଲି ବିଚାର କରୁଥାଆନ୍ତୁ ପଛକେ, ସେହି ବିହାର ସଂସାର ସକାଶେ ହିଁ ରହିଛି, ସଂସାର ତାକୁ ଦରକାର କରୁଛି ବୋଲି ତାହା ରହିଛି ।

 

କିନ୍ତୁ ସେହି ବିଦ୍ୟାଳୟ ଓ ବିହାରମାନଙ୍କରେ ଏବେ ସଂସାରଛଡ଼ା ଘଟଣାମାନ ଘଟୁଛି । ହୁଏତ ନୀରବରେ ସବୁବେଳେ ସେହିପରି କିଛି ନା କିଛି ଘଟୁଛି ଏବଂ ବେଳେ ବେଳେ ଗୋଟାଏ ଫମ୍ପା ଠୁଙ୍ଗା ଫାଟିଲାପରି ତାହା ବାହାରକୁ ମଧ୍ୟ ଧରା ପଡ଼ିଯାଇଛି । ମନେ ହେଉଛି, ସେଠାରେ ସମ୍ପୃକ୍ତ ସମସ୍ତଙ୍କୁ ବାନ୍ଧି ରଖିଲା ଭଳି ସାଧାରଣ ସୂତାଟିଏ ଆଉ କୋଉଠି ହେଲେ ନାହିଁ, ଯାହାଫଳରେ କି ଯେଝା ବାଗରେ ଯିଏ ଚାଲିବାରେ ଲାଗିଛନ୍ତି, ଯେଝା ସନ୍ଧିରେ ଯିଏ ଲୁଚିଛନ୍ତି । ଉପରେ ସମସ୍ତେ ବାବୁ ପରି ଦିଶୁଛନ୍ତି, କେହି ଗୋଟିଏ ହେଲେ ମୋଟେ କାହାଠାରୁ ସାନ ବୋଲି ଦିଶୁନାହାନ୍ତି; ମାତ୍ର ସମସ୍ତଙ୍କର କାନ୍ଧ ଉପରେ ଚଢ଼ି ସତେ ଅବା ସବୁ ନୂଆ ପ୍ରକାରର ଅଶିକ୍ଷିତପଣିଆ ସେଠାରେ କ୍ରମଶଃ ଅବର୍ଜିଆରୁ ଆହରି ଅଧିକ ଅବର୍ଜିଆ ହୋଇ ବଢ଼ିବାରେ ଲାଗିଛି । ଅଶିକ୍ଷିତମାନେ ଯେଉଁ ଅଶିକ୍ଷିତପଣିଆ ଦେଖାନ୍ତି, ତାକୁ ସହଜରେ ବୁଝିହୁଏ । ତାହାକୁ ଦୂର କରିବା ଲାଗି ହୁଏତ ବାଟ ମଧ୍ୟ ରହିଥିବା ପରି ବୋଧ ହୁଏ; ମାତ୍ର ଯେତେବେଳେ ଶିକ୍ଷିତମାନେ ଅଶିକ୍ଷିତପଣିଆର ପ୍ରଦର୍ଶନ କରନ୍ତି, ସେତେବେଳେ ତାହା ଗୋଟାସୁଦ୍ଧା ଏକ ବିଡ଼ମ୍ବନା ପରି ମନେହୁଏ, ଏକାବେଳକେ ଏକ ବର୍ବରତା ପରି ଅନୁଭୂତ ହୁଏ ।

 

ବିଦ୍ୟାଳୟ ଓ ବିହାରମାନଙ୍କରେ ଛାତ୍ରଛାତ୍ରୀ ଥାଆନ୍ତି । ସେମାନେ ପାଠ ପଢ଼ନ୍ତି । ସେମାନଙ୍କୁ ପାଠ ପଢ଼ାଇବା ନିମନ୍ତେ ଯେଉଁମାନେ ନିଯୁକ୍ତ ହୋଇ ରହିଥାନ୍ତି, ସେମାନଙ୍କୁ ଅଧ୍ୟାପକ ବୋଲି କୁହାଯାଏ । ଅଧ୍ୟାପକ ଏବଂ ଛାତ୍ରମାନଙ୍କୁ ଉଚିତ ମାର୍ଗରେ, ଉଚିତ କ୍ରମରେ, ଉଚିତ ତୁଠରେ ଆଣି ଏକାଠି କରିବା ଲାଗି ସେଠାରେ ଏକ ଶାସନ ମଧ୍ୟ ଥାଏ । ଏହି ତିନୋଟିଯାକ ଦାଣ୍ଡିକୁ ଏକାଠି ଗୋଟିଏ ନ୍ୟାୟ ଭିତରେ ପକାଇ ସବୁକଥା ବୁଝିବାଲାଗି ବଡ଼ରୁ ଆହୁରି ବଡ଼ମାନେ ରହିଥାନ୍ତି । ଅଧ୍ୟାପକ, ଛାତ୍ର ଏବଂ ପ୍ରଶାସନ ଦପ୍ତରକୁ ମିଶାଇ ଏକ ଶାସ୍ତ୍ରୀୟ ଶ୍ରଦ୍ଧାରେ ଯାହାକୁ କୂଳ ବୋଲି କୁହାଯାଏ ତାହାର ସକଳତତ୍ତ୍ଵର ଅବଧାନ କରିବା ଲାଗି କୁଳପତି ଥାଆନ୍ତି ଓ ତାଙ୍କ ଉପରକୁ କୁଳାଧିପତି ରହିଥାନ୍ତି । ସେହି କୁଳାଧିପତିଙ୍କର ମାଧ୍ୟମରେ ରାଷ୍ଟ୍ର ସହିତ ଆମ ଉଚ୍ଚ ଶିକ୍ଷାରୂପକ ଭାଗ୍ୟରେ ଦଉଡ଼ି ଛନ୍ଦା ହୋଇ ରହିଥାଏ । ଏମାନଙ୍କୁ ସମସ୍ତଙ୍କୁ ଯାବତୀୟ ଅବସରରେ ସାହାଯ୍ୟ କରିବା ଲାଗି ଶାସ୍ତ୍ରର ସୁଧର୍ମା ସଭା ପରି ଗୋଟିଏ ବା ଦୁଇଟା ସଭା ରହିଥାଏ । ଏହି ସମସ୍ତଙ୍କର ନାକ ଏକାଠି ହେଲେ ଯାଇ ସବୁ ସୁରୁଖୁରୁରେ ଚାଲେ, ତାହା ନହେଲେ ସବୁକିଛି ଏକାବେଳକେ ବିଗିଡ଼ି ଯିବାର ସତତ ଆଶଙ୍କା ରହିଥାଏ । ଏବଂ, ସମ୍ପୃକ୍ତ ଏହି ସମସ୍ତେ ଶିକ୍ଷାକୁ ହିଁ ସର୍ବମୂଳ ଓ ସର୍ବୋଚ୍ଚ ଗଣ୍ଠି ବୋଲି ମାନୁଥିବା ପର୍ଯ୍ୟନ୍ତ ସେହି ଆଶଙ୍କା ଅନେକ ଦୁରରେ ରହିଥାଏ ।

 

ଏବେ ଶିକ୍ଷାକୁ ଏହିସବୁ ଶିକ୍ଷାଥାନରେ ଅସଲ ନିୟାମକ ଏବଂ ନିର୍ଣ୍ଣାୟକ ବୋଲି ସମ୍ଭବତଃ ସ୍ୱୀକାର କରା ଯାଉନାହିଁ । ସମସ୍ତେ ଘୋଡ଼ା ଉପରେ ବସିଛନ୍ତି ସତ, ମାତ୍ର ବିଚରା ସେହି ଘୋଡ଼ାଟିକୁ କେବଳ ନିଜର ହିଁ ଘୋଡ଼ା ବୋଲି ଧରିନେଇ ସେମାନେ ତାହାକୁ ନିଜ ନିଜର ଛଇ ଅନୁସାରେ ଛୁଟାଇବାରେ ଲାଗିଛନ୍ତି । ଗୋଟିଏ ଘୋଡ଼ା ଏବେ ଏକାବେଳକେ କିପରି ଏତେ ଆରୋହଣକାରୀଙ୍କ କଥା ମାନିବ ? ଅଶିକ୍ଷିତପଣିଆ ଗୁଡ଼ାକ ଏଇଥିରୁ ହିଁ ସୃଷ୍ଟି ହେଉଛି । ମନେ ହେଉଛି, ସେଠାରେ ଯେପରି କେହିହେଲେ ଶିକ୍ଷା ପାଇନାହାନ୍ତି, ସମସ୍ତେ ସବାଆଗ ନିଜପାଇଁ ଅଛନ୍ତି ଓ ଦୟା ହେଲେ ବେଳେବେଳେ ଶିକ୍ଷା ପାଇଁ ରହିଛନ୍ତି ବୋଲି ଆମ ମନରେ ଏକ ପ୍ରତ୍ୟୟ ଜନ୍ମାଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ମୂଳତଃ, ଉତ୍ତେଜନାରେ ଶାସନ ଚାଲିଛି, ଉତ୍ତେଜନାରେ ବେଳେବେଳେ ଶାସନ ଭାଙ୍ଗିଯାଉଛି ଏବଂ ଅରାଜକତା ଘୋଟି ଯାଇଛି । ତା’ପରେ ପ୍ରାୟ ସେହିପରି ଏକ ଉତ୍ତେଜନା ମଧ୍ୟରେ ହୁଏତ ଏକ ଆପାତ ସମାଧାନ ମଧ୍ୟ ହୋଇଯାଇଛି । କିଛିଦିନ ପାଇଁ ସବୁଥିର ହୋଇଯାଇଛି, ଥିର ହୋଇ ଚାଲୁଛି । ତା’ପରେ ପୁଣି ବୋଲୁଅ ପଡ଼ୁଛି, କବାଟମାନଙ୍କରେ ତାଲା ପଡ଼ିଯାଇଛି, ପ୍ରାୟ ସମସ୍ତେ କଂସ ହୋଇ ଦେବକୀ ଓ ବସୁଦେବାନଙ୍କୁ ଘର ଭିତରେ ବନ୍ଦୀ କରି ରଖିବାଲାଗି ବାହାରି ପଡ଼ୁଛନ୍ତି । ବିଜୟର ଉଲ୍ଲାସରେ ସମସ୍ତେ ତୋପ ଫୁଟାଉଛନ୍ତି ।

 

ଏସବୁ ଯେ ଏବେ ହେଉଛି, ତାହା କଦାପି ହଠାତ୍‌ କୌଣସି ଭୌତିକ କାଣ୍ଡର ପରିଣାମ ସ୍ୱରୂପ ହେଉନାହିଁ; ଏସକୁ ଏକ ଦାର୍ଘ ଅସୁସ୍ଥ ପ୍ରକିୟାର ଅବଶ୍ୟମ୍ଭାବୀ ପରିଣାମ ରୂପେ ଘଟୁଛି । ଅଧ୍ୟାପକ ପାଠ ପଢ଼ାଉ ନାହାଁନ୍ତି, ନିଜର ପାଠପଢ଼ାକୁ ବି କୋଉଦିନୁଁ ଭୁଲି ସାରିଲେଣି; ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ବିଦ୍ୟାଗତ ଜିଜ୍ଞାସାଗୁଡ଼ିକ କ୍ରମେ ସାମାଜିକ ଓ ଅନ୍ୟ ନାନା ସ୍ୱୀକୃତିଗତ ଲିପ୍‌ସା ଓ ବିଜୁଗୁପ୍‌ସାରେ ପରିଣତ ହୋଇ ସାରିଲାଣି । ସିରସ୍ତାଗୁଡ଼ିକୁ ବୁଝୁଥିବା ଶାସକମାନେ ହାକିମ ହେଲେଣି । ଗ୍ରନ୍ଥାଳୟ ଗଞ୍ଜେଇଖାନା ପରି ଚାଲିଛି । ପିଲାମାନେ ମଧ୍ୟ, ସେମାନେ ଯେ ଏଠାକୁ ସବାଆଗ ପାଠ ପଢ଼ିବା ସକାଶେ ଆସିଛନ୍ତି,ସେକଥା ଯଥାସମ୍ଭବ ଅଧିକ ପରିମାଣରେ ପାସୋରି ପକାଇବାକୁ ପ୍ରେରଣା ପାଇଲେଣି ଏବଂ କ୍ରମେ ନିଜକୁ ପ୍ରାୟ ସେହି ଅନୁସାରେ ମଣ କରି ରଖିଲେଣି । କାହାର ସତେଅବା ଆଦୌ କେହି ବାପା ମାଆ ନଥିବା ପରି ସମସ୍ତେ ଆଚରଣ କରୁଛନ୍ତି, ଏକାଧାରରେ ଅତି ପ୍ରଚଣ୍ଡ ତଥା ଅତି ଅସହାୟ ବୋଲି ମନେ କରୁଛନ୍ତି । ଏକ ଆରେକୁ ଦୋଷ ଦେବାରେ ଲାଗିଛନ୍ତି ଓ ସେଥିରୁ ଆପଣାର ଅପରାଧଭାଗଟି ଆଡ଼କୁ ଅନ୍ତତଃ ଦଣ୍ଡକ ପାଇଁ ଆଖି ବୁଜି ଦେବାକୁ ହୁଏତ କିଛି ବଳ ମଧ୍ୟ ପାଇ ଯାଉଛନ୍ତି । ଅସନ୍ତୋଷ ଓ ଅସହାୟତା କୁହୁଳିବାରେ ଲାଗିଛି । ସବୁଠାରୁ ଅଧିକ ଦୟନୀୟ କଥା ହେଉଛି ଯେ, ଏଗୁଡ଼ିକରେ ଆଦୌ କେବେ କିଛି ପରିବର୍ତ୍ତନ ସମ୍ଭବ ବୋଲି ବିଶ୍ୱାସ କରିବାକୁ ଆଉ କାହାରି ବଳ ପାଉନାହିଁ । ଏବଂ ମଝିରେ ମଝିରେ ଭିତରର ବିରକ୍ତି ବାହାରେ ନାନା ତାତ୍କାଳିକ ସମସ୍ୟା ଏବଂ ଅସମସ୍ୟାର ଆଳ ଧରି ଏକାବେଳକେ ଏକ ଯୁଦ୍ଧକ୍ଷେତ୍ରର ଅବତାରଣା କରି ଆଣୁଛି ,ଏବଂ ଯୁଦ୍ଧର ଘୋଷଣା କରିଦେଉଛି । ଯେଉଁମାନେ ଏକାଠି ହୋଇ ରହିଥାନ୍ତେ, ପରସ୍ପରର ଗୌରବ ବଢ଼ାଉଥାନ୍ତେ ଓ ପରସ୍ପରର ମହତ ରଖୁଥାଆନ୍ତେ, ସେମାନେ ଖଣ୍ଡାଧରି ବାହାରି ପଡ଼ୁଛନ୍ତି; ନିଜର ଶିକ୍ଷାଘରଟିକୁ ସତେଅବା ଗୋଟାଏ ଜଉଘର ବୋଲି ଭାବୁଛନ୍ତି ଓ ସେଥିରେ ନିଆଁ ଲଗାଇ ଦେଲେ ପାଷାଣ୍ଡ ପ୍ରତିପକ୍ଷମାନେ ସମ୍ପୂର୍ଣ୍ଣ ଭାବରେ ବିନଷ୍ଟ ହୋଇଯିବେ ବୋଲି ବିଶ୍ୱାସ କରୁଥିବା ପରି ବେଭାର ଦେଖାଉଛନ୍ତି ।

 

ଏ ଗହାଳରୁ ପ୍ରକୃତରେ କିଏ ସଫା କରିପାରିବ ? ଗୋଟାଏ ଆଇନକୁ ବଦଳାଇ ପାଞ୍ଚଟା ଆଇନ କଲେ ତାହା କଦାପି ସଫା ହେବନାହିଁ । ଯେତେବେଳେ ଘରଯାକ ସମସ୍ତେ ମଞ୍ଜରୁ ହିଁ ଅବିଶ୍ୱାସୀ ହୋଇଯାଆନ୍ତି, ସେତିକିବେଳେ ହିଁ ସେମାନେ ଅଧିକ ଆଇନ ଓ ଅଧିକ କଟକଣା କରି ଆପଣାର ଅବିଶ୍ୱାସଟାକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରୁଥାନ୍ତି । ଘରଟା ଯେତେବେଳେ ଗୁହାଳ ହୋଇ ସାରିଲାଣି, ସେତେବେଳେ ମୋ’ ନିଜର ମଧ୍ୟ ଗୋଟାଏ ଘୁଷରି ନହୋଇ ଆଉ ଆଦୌ କୌଣସି ଗତି ନାହିଁ ବୋଲି ଅଙ୍କ କଷି ଉତ୍ତର ପାଇ ଯାଇଥିବା କେହିହେଲେ ଏହି ଗୁହାଳକୁ ପୁଣି ଏକ ଘରରେ ପରିଣତ କରିବାରେ ଆଦୌ କୌଣସି ସାହାଯ୍ୟ କରି ପାରିବ ନାହିଁ । ଚାରିଆଡ଼ୁ ଗୋଟାଏ ଗୁହାଳ ପରି ଦିଶୁଥିବା ଏହି ଘରଟି ପ୍ରକୃତରେ ଗୋଟାଏ ଘର ହୋଇ ରହିବ ବୋଲି ମୂଳତଃ ଅଭିପ୍ରେତ ଥିଲା । ଏକଥା ବିଶ୍ୱାସ କରୁଥିବା କେତେକ ମଣିଷ ହିଁ ଘରଟିକୁ ଘରର ଦଶାକୁ ପୁଣି ଫେରାଇ ଆଣିବାରେ ନିର୍ଭର ଭାବରେ କିଛି ସାହାଯ୍ୟ କରିପାରିବେ । ସେହିଭଳି ବିଶ୍ୱାସ ରଖିଥିବା ମଣିଷ ବର୍ତ୍ତମାନ ମଧ୍ୟ ସେହି ବିଦ୍ୟାଳୟ ଓ ବିହାରମାନଙ୍କରେ ଅଛନ୍ତି । ନାନା କାରଣରୁ ସେମାନେ ନିଜର ବିଶ୍ୱାସଟିକୁ ପ୍ରକଟ କରିବାକୁ ସମସ୍ୟାସଙ୍କୁଳ ବୋଲି ଭାବୁଛନ୍ତି ଓ ନିଜକୁ ଅସମର୍ଥ ମନେ କରୁଛନ୍ତି । ତାହା କାଳକ୍ରମେ ହୁଏତ ଏକ ଭୀରୁତାରେ ପରିଣତ ହେବାକୁ ବସିଲାଣି । ଅନିଚ୍ଛୁକମାନଙ୍କର ସମାଜରେ ଭଦ୍ର ଓ ଭୀରୁମାନଙ୍କ ଭିତରେ ହୁଏତ କ୍ରମେ ଆଦୌ କୌଣସି ବ୍ୟବଧାନ ନ ରହିବା ପରି ମନେ ହେବାକୁ ଆରମ୍ଭ କରେ । ଏକ ଅସୁସ୍ଥ ସମାଜ ସେଥିରୁ ପ୍ରକୃତରେ ଅନେକ ବଳ ପାଏ । ଭୀରୁତା ଯାବତୀୟ ଅନ୍ଧାରକୁ ଭାରି ସୁହାଏ ।

 

ବିଶ୍ୱାସୀ ମଣିଷମାନେ ସାହସୀ ହେଲେ ଏକ ବିକଳ୍ପର ଭୂମିକା ଗ୍ରହଣ କରି ପାରିବେ । ଅଧ୍ୟାପକ ବିକଳ୍ପ ହୋଇ ବାହାରିଲେ ଅଧ୍ୟାପନାକୁ ହିଁ ଆପଣାର ସର୍ବପ୍ରଥମ ଅନୁରାଗ ବୋଲି ଗ୍ରହଣ କରିବ, ଅଧ୍ୟାପନାକୁ ହିଁ ସର୍ବପ୍ରଥମ ଆନୁଗତ୍ୟ ଦେବ । ଜଣେ ସତକୁ ସତ ଅଧ୍ୟାପକ ପରି ନିଜର କାମଟି ଲାଗି ସେ ପ୍ରସ୍ତୁତ ହେବ, ପାଠ ପଢ଼ିବାକୁ ଆସୁଥିବା ଛାତ୍ରମାନଙ୍କୁ ଫାଙ୍କି ଦେବାର କୌଣସି ମନ୍ଦବୁଦ୍ଧି କେବେହେଲେ କରିବ ନାହିଁ । ତା'ର ଆଖି ଆଗରେ ଅନ୍ୟ ଅଧ୍ୟାପକମାନେ ଘରେ ବସି ଖରା ପୁଉଁଥିଲେ ମଧ୍ୟ ସେ ତଥାପି ନିଜର ଅଧ୍ୟାପନାରେ କାହାକୁ ହେଲେ ଧୋକା ଦେବନାହିଁ । କୌଣସି ଅନ୍ୟ ରାଜାର ଖାତକ ହୋଇ ରହିବା ଆଗରୁ ସେ ସବାଆଗ ବିଦ୍ୟାର ଖାତକ ହୋଇ ରହିବ । ସେହିପରି ବିଦ୍ୟାର୍ଥୀମାନଙ୍କ ଭିତରୁ ମଧ୍ୟ କେତେକ ବିକଳ୍ପ ହୋଇ ବାହାରିବାକୁ ସାହସ କରିବେ । ସେମାନେ ନିଜର ସର୍ବପ୍ରଥମ ଅନୁରାଗଟିକୁ ବିଦ୍ୟାପାଇଁ ରଖିବେ । ଅମଙ୍ଗ ଅଧ୍ୟାପକମାନଙ୍କର କଟାଳ ସତ୍ତ୍ୱେ ତଥାପି ମଙ୍ଗାଇ କରି ଅସଲ ଜାଗାକୁ ଆଣିବେ । ଆବଶ୍ୟକ ହେଲେ ସେମାନଙ୍କ ଘରେ ଯାଇ ଧାରଣା ଦେବେ, ଦୁଆରବନ୍ଧରେ ବାଟ ଓଗାଳିବେ । ବିହାର ଓ ମହାବିଦ୍ୟାଳୟର ଶାସକମାନେ ଶାସନ କରିବା ଲାଗି ନୁହେଁ, ବିଦ୍ୟାର ଭବ୍ୟରୁ ଭବ୍ୟତର ବିତରଣ ଲାଗି ହିଁ ଶାସନ କରିବେ । ତେଣୁ ସେମାନଙ୍କ ସାମର୍ଥ୍ୟର ଯାବତୀୟ ଗାର ବିଦ୍ୟା ଓ ବିଦ୍ୟାର୍ଥୀମାନଙ୍କର ଆବଶ୍ୟକତା ଦ୍ୱାରା ହିଁ ନିୟନ୍ତ୍ରିତ ହେବ । ଗୋଟିଏ କଥାରେ ସମସ୍ତ କଥାଟିକୁ କହିବାକୁ ଗଲେ, ଏସବୁ କ୍ଷେତ୍ରରେ କତ୍ତୃତ୍ୱ କମ୍ ରହିବ । ନେତୃତ୍ୱ ହିଁ ନିର୍ଣ୍ଣାୟକ ହେବ । ଯାବତୀୟ ନିଷ୍ପତ୍ତିଗ୍ରହଣର କ୍ଷେତ୍ରରେ ସେମାନେ ନିର୍ମମ ବିଧିଗୁଡ଼ାକ ଅପେକ୍ଷା ଅଧ୍ୟାପକ ତଥା ବିଦ୍ୟାର୍ଥୀମାନଙ୍କ ସହିତ ପରାମର୍ଶକୁ ଅଧିକ ମହତ୍ତ୍ଵ ଦେଇ ଶିଖିବେ ।

 

ଆମ ଉଚ୍ଚଶିକ୍ଷାର ବ୍ୟବସ୍ଥାଗୁଡ଼ିକରେ ବାପାମାଆମାନଙ୍କ ଲାଗି କୌଣସି ସ୍ଥାନ ରଖାଯାଇନାହିଁ । ସେମାନଙ୍କର ମତକୁ ମଧ୍ୟ ଅପେକ୍ଷା ରଖାଯାଇ ପାରିବ ଉଚିତ । ତେଣୁ ଅଭିଭାବକ ସମିତିମାନ ରହିବ । ଏକ ଶକ୍ତିଶାଳୀ ଅଭିଭାବକ-ମଞ୍ଚ ଆମ ବିହାର ଓ ବିଦ୍ୟାଳୟମାନଙ୍କୁ ହୁଏତ ଅନେକ ଅନୀତି ଓ ଅବାଞ୍ଛିତ ବ୍ୟକ୍ତିଙ୍କର କବଳରୁ ବଞ୍ଚାଇ ରଖିବାରେ ଅନେକ ସାହାଯ୍ୟ କରିପାରିବ । ଶିକ୍ଷକମାନେ ଥରେ କେରଳରେ ଧର୍ମଘଟ କରିଥିବାରୁ ପିଲାମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଥିଲେ । ବାପାମାଆ ଓ ଅଭିଭାବକମାନେ ଶିକ୍ଷକମାନଙ୍କର ଘରେ ଯାଇ ଧାରଣା ଦେଲେ, “ଆପଣମାନଙ୍କର ସଂଗ୍ରାମ ତ ଆଉ କାହା ସାଙ୍ଗରେ, କିନ୍ତୁ ସେଥିପାଇଁ ପିଲାମାନେ କାହିଁକି ବିନାଦୋଷରେ ବାଧ୍ୟ ହୋଇ ପାଠ ପଢ଼ିବାରୁ ବଞ୍ଚିତ ହେବେ ବୋଲି’’ ସେମାନଙ୍କ ପାଖରେ ଅଭିଯୋଗ କଲେ, ସେମାନଙ୍କୁ ଘରୁ ତଡ଼ି ସ୍କୁଲକୁ ଆଣିଲେ । ଯାହା ସେମାନଙ୍କ ଦ୍ୱାରା ସ୍କୁଲରେ ହୋଇପାରିଲା, ତାହା ଉଚ୍ଚ ଶିକ୍ଷାର ଅନୁଷ୍ଠାନଗୁଡ଼ିକରେ ମଧ୍ୟ ସମ୍ଭବ ହୋଇ ନପାରିବ କାହିଁକି ? ବିହାର ଓ ବିଦ୍ୟାଳୟମାନଙ୍କରେ ସମ୍ପୃକ୍ତ ପ୍ରାୟ ସମସ୍ତଙ୍କୁ ପାଷାଣ୍ଡ ଓ ଅନିଚ୍ଛୁକ କରି ରଖିଥିବା ଯାବତୀୟ ବ୍ୟବଧାନକୁ ଦୂର କରିବା ଲାଗି କେତେଜଣଙ୍କୁ ବିକଳ୍ପ ହୋଇ ବାହାରିବାକୁ ପଡ଼ିବ । ଶହେରେ ମୋଟେ ଦଶଜଣ–ଅଧ୍ୟାପକ, ଶାସକ ଓ ଛାତ୍ର ସମସ୍ତଙ୍କ ଭିତରେ ବିକଳ୍ପ ହୋଇ ବାହାରିଲେ ତାହାହିଁ ହୁଏତ ଆମେ ମିଛଟାରେ ସ୍ୱୀକାର କରି ନେଉଥିବା ଅନେକ ଅପସ୍ରୋତକୁ ଅବଶ୍ୟ ରୋକି ରଖିବାରେ ସମର୍ଥ ହେବା । ଗୁହାଳ ଭିତରେ ଆମ କାମ୍ୟ ଘରଟିର ସ୍ୱପ୍ନ ପୁନର୍ବାର ଅସଲ ନିର୍ଣ୍ଣାୟକ ରୂପେ ପ୍ରତିଷ୍ଠିତ ହେବାର ବାଟଗୁଡ଼ିକ ପୁନର୍ବାର ଖୋଲିଯିବାକୁ ଆରମ୍ଭ କରିବ । ଅର୍ଥାତ୍ ମୁଣ୍ଡବ୍ୟଥାର ଔଷଧ ଅବଶ୍ୟ ଅଛି; କିନ୍ତୁ ଆମର ଏକ ମୁଣ୍ଡ ଅବଶ୍ୟ ଅଛି ବୋଲି ଆଗ ଏକ ବିଶ୍ୱାସ ଦୃଢ଼ୀଭୂତ ହେଲେ ଯାଇ ସେହି ଔଷଧ ଆମକୁ ମିଳିଯାଇ ପାରିବ ।

Image

 

ବିଶ୍ୱାସରୁ ସାହିତ୍ୟ

 

ଜୀବନ ଉପରେ ବିଶ୍ଵାସ, –ତାହାହିଁ ଜୀବନକୁ ନିବିଡ଼ ଭାବରେ ବଞ୍ଚି ପାରିବାର ଅପର ଚାବିକାଠିଗୁଡ଼ିକୁ ଆମ ହାତରେ ଆଣି ଧରାଇ ଦେଇଥାଏ । ପୃଥିବୀର ଅନେକ ମଣିଷ ସେହି ବିଶ୍ୱାସର ଭାଜନ ହୋଇ ପାରନ୍ତି ନାହିଁ । ଜୀବନ ସହିତ ଛକାପନ୍‌ଝା ଖେଳୁଥାନ୍ତି, ଜୀବନର ମେଳାଟା ଭିତରୁ ଯଥାସମ୍ଭବ ଅଧିକ ମାରି ନେଇଯିବେ ବୋଲି ଛକପକ ହେଉଥାନ୍ତି, ଜୀବନକୁ ଜୁର କରି ସତେଅବା ଆଉ କୁଆଡ଼େ ପଳାଇ ଯିବାକୁ ମନ କରୁଥାନ୍ତି । ସେମାନେ ଜୀବନଟାକୁ ସତେଅବା ଏକା ଭୋଗ କରିବାକୁ ଆଣ୍ଟ ରଖିଥାନ୍ତି । ସଫଳ ହୁଅନ୍ତି, ସମାଜର ଜଙ୍ଗଲରେ ଗୋଟାଏ ଗୋଟାଏ ଭାଲୁ ପରି ଦିଶୁଥାନ୍ତି । ସେମାନେ ବି ଲେଖନ୍ତି, ସାହିତ୍ୟ କରନ୍ତି, ପ୍ରତିଷ୍ଠା ଇଚ୍ଛା କରୁଥାନ୍ତି, ଖ୍ୟାତି କିଣନ୍ତି; ଆହୁରି ବହୁବିଧ ଫଳପୁଷ୍ପ ଲାଭ କରିବାର ଆଶାରେ ରଜାଘର ଦେଖି ଯଜମାନି କରିବାକୁ ଯାଆନ୍ତି । ରଜାମାନଙ୍କ ପାଖରେ ବୟସ୍ୟ ହୋଇ ରହିଥାନ୍ତି, ତଥାପି ଅବିଶ୍ୱାସ ଭିତରେ ଥାଆନ୍ତି । ଆତ୍ମରତି ଭିତରେ ରହିଥାନ୍ତି ।

 

ଜୀବନକୁ ଭଲ ପାଇଲେ ସାହିତ୍ୟ ସମ୍ଭବ ହୁଏ ଏବଂ, ଜୀବନ ଉପରେ ବିଶ୍ୱାସ ନ ଥିଲେ ସେହି ଭଲ ପାଇବା ସମ୍ଭବ ହେବ କିପରି ? ଭଲ ପାଇବାର ଅର୍ଥ ହେଉଛି ନିଜକୁ ଦେବା । ନିଜ ଜୀବନରେ, ବିଶ୍ଵର ଜୀବନରେ, ଏଗୁଡ଼ିକର ଯେଉଁ ବୃହତ୍ତର ସମ୍ଭାବନା ପ୍ରଚ୍ଛନ୍ନ ହୋଇ ରହିଛି, ସେଇଟି ଉପରେ ବିଶ୍ୱାସ ରହିଥିଲେ ଯାଇ ଜୀବନକୁ ଯଥାର୍ଥରେ ଭଲ ପାଇହୁଏ । ସେହି ବିଶ୍ଵାସ ହିଁ ଆମ ଭିତରେ ଗୃଢ଼ ହୋଇ ରହିଥିବା ସୃଜନାତ୍ମକତାକୁ ଗତିଶୀଳ କରେ, ଉଦ୍ଧାରିତ କରେ । ସୃଜନାତ୍ମକ ମଣିଷ ତାର ସ୍ଵପ୍ନଗୁଡ଼ିକୁ ହାତ ପାଆନ୍ତାରେ ଅନୁଭବ କରିପାରେ, ଭବିଷ୍ୟତକୁ ବର୍ତ୍ତମାନ ମଧ୍ୟରେ ଦେଖେ । ମଣିଷ ଏହି ସାମ୍ପ୍ରତିକ ପ୍ରସୀମନଗୁଡ଼ିକ ମଧ୍ୟରେ ଯେତିକି ବୋଲି ଦିଶୁଛି, ମଣିଷ ଭିତରେ ସୃଜନାତ୍ମକ ମନୁଷ୍ୟ ତା'ଠାରୁ ଅନେକ ଅଧିକ ଦେଖିବାକୁ ଏବଂ ଆଘ୍ରାଣ କରିବାକୁ ସମର୍ଥ ହୁଏ । ସେହି ଆଘ୍ରାଣ ତାକୁ ବାଇଆ କରେ । ବାଇଆ ହୋଇ ସେ ଭଲ ପାଇ ଶିଖେ । ସେଥିଲାଗି ଆତ୍ମଦାନ କରିବାକୁ ସିଏ ପ୍ରସ୍ତୁତ ହୋଇଯାଏ । ଆତ୍ମଦାନର ଅନ୍ୟ ନାମ ଅଙ୍ଗୀକାରବଦ୍ଧତା । ସେହି ଅଙ୍ଗୀକାରବଦ୍ଧତା ହିଁ ପୃଥିବୀରେ କେତେକ ମଣିଷଙ୍କୁ ସାହିତ୍ୟିକ କରାଏ-। ସେମାନଙ୍କୁ ଅଭିବ୍ୟକ୍ତିର ଏହି ବିଶେଷ ପଥଟିରେ ବାହାର କରାଇ ଆଣେ । ସେମାନଙ୍କୁ ଏକ ଅଭିସାରର ଆନନ୍ଦ ଦିଏ, ଭକ୍ତର ପୁଲକ ଆଣିଦିଏ ।

 

ସମାଜ କହିଲେ କ'ଣ ଖାଲି ସମାଜକୁ ଚଳାଉଥିବା ଶାସନକୁ ବୁଝାଏ ? ଅଙ୍ଗୀକାରବଦ୍ଧତା କହିଲେ କଣ ଖାଲି ସ୍ଲୋଗାନ ଦେବାକୁ ବୁଝାଏ ? ତେବେ, ଅଙ୍ଗୀକାରବଦ୍ଧ ହୋଇଗଲେ ଅବଶ୍ୟ ସ୍ଲୋଗାନ୍‌ ଦେବାକୁ ପଡ଼ିବ ବୋଲି ଥୋକେ ଏପରି ତ୍ରସ୍ତ ହୋଇପଡ଼ନ୍ତି କାହିଁକି କେଜାଣି ? ଭଲ ପାଉଥିବା ମଣିଷ, ସୃଜନାତ୍ମକତାକୁ ହିଁ ଜୀବନର ସବୁଠାରୁ ବଡ଼ ସନ୍ତକ ବୋଲି ଗ୍ରହଣ କରୁଥିବା ମଣିଷ ସମାଜ କହିଲେ ସବାଆଗ ଗୋଟିଏ ଡୋରକୁ ଦେଖେ । ସେହି ଡୋର ପାଖରେ ସେ କୃତଜ୍ଞ ହୋଇ ରହେ । ସେହି ଡୋର କେବଳ ବାହାରେ ମଣିଷ ମଣିଷ ଭିତରେ କେବଳ କେତେଟା ପ୍ରୟୋଜନସିଦ୍ଧ ସମ୍ବନ୍ଧ ଭିଆଇ ରଖିନଥାଏ, ତାହା ଆତ୍ମାକୁ ଆତ୍ମା ସହିତ ମଧ୍ୟ ଯୋଡ଼ି କରି ରଖିଥାଏ । ସଂସାର କହିଲେ ଯେଉଁ ସ୍ଥୂଳମାନେ କେବଳ କେତେ ପ୍ରକାରର କେତେଟା ହାଟ କାରବାରକୁ ବୁଝନ୍ତି, କେବଳ କିଣି ଆଣିବା ଏବଂ ବିକା ହେବା ବ୍ୟତୀତ ଯେଉଁମାନଙ୍କର ଅନ୍ୟ କୌଣସି ଧନ୍ଦା ନ ଥାଏ, ସେମାନଙ୍କ କଥା ଅବଶ୍ୟ ନିଆରା । ଏଭଳି ମଣିଷ ସାହିତ୍ୟ ଭିତରେ ମଧ୍ୟ ଆଆନ୍ତି । ଯୁଗେଯୁଗେ ରହିଥିଲେ, ଏ ଯୁଗରେ ମଧ୍ୟ ଅଛନ୍ତି । ବିକାକିଣାର ଏକ ପଣ୍ୟବାଦକୁ ସିଂହାସନରେ ବସାଇଥିବା ଏ ଯୁଗର ଦାଣ୍ଡଗୁଡ଼ିକରେ ଏଭଳି ମଣିଷ ହୁଏତ ଅଧିକ ସଂଖ୍ୟାରେ ରହିଛନ୍ତି । ସେମାନେ ବିକି ହୋଇ ଯାଆନ୍ତି , ଗଦା ଗଦା ଖ୍ୟାତି ଓ ସ୍ୱୀକୃଡି ଘରକୁ ବୋହି ଆଣନ୍ତି, ଭିତରେ ଖତରା ହୋଇଯାଆନ୍ତି । ଭଲ ପାଇବାର ଧାର ଧାରନ୍ତି ନାହିଁ । ଲେଖନ୍ତି, ମାତ୍ର ଅସଲ ସୃଜନାତ୍ମକତା ଅର୍ଥାତ୍ ଅସଲ ଉଦ୍‍ଘାଟନଗୁଡ଼ିକର କ୍ଷେତ୍ରରେ ବନ୍ଧ୍ୟା ହୋଇ ରହିଯାଆନ୍ତି ।

 

ସାହିତ୍ୟ କହିଲେ କେତେକ ଲେଖକ ସତେଅବା କୌଣସି ଗୁମ୍ଫା ଭିତରେ ଯାଇ ପଶିବାର ଏକ ଭୌତିକପ୍ରାୟ ସାମୟିକ କାଣ୍ଡକୁ ବୁଝନ୍ତି । ଏପରି ଅନେକ ପାଠକ ମଧ୍ୟ ଥାଆନ୍ତି, ଯେଉଁମାନେ କି ଘଡ଼ିଏ କୌଣସି ଗୁମ୍ଫା ଭିତରେ ପ୍ରବେଶ କରିବାର ଅଭିଳାଷ ନେଇ ସାହିତ୍ୟ ପାଖକୁ ଯାଆନ୍ତି । ଏସବୁ ପଛରେ ମଞ୍ଜ ଭିତରେ ଏକ ଅବିଶ୍ଵାସ ରହିଥାଏ, ଏକ ମୋହ ରହିଥାଏ ଏବଂ ମୋହ ତଥା ଅବିଶ୍ୱାସ ଦୁଇଟାଯାକକୁ ମିଶାଇ ଏକ ସ୍ପର୍ଶକାତରତା ମଧ୍ୟ ରହିଥାଏ, ଏଜ ଜୁଗ୍‌ପ୍‌ସା ରହିଥାଏ । ଏମାନେ କହନ୍ତି ଯେ, ଜୀବନର ଏକ ଅନ୍ତରଙ୍ଗ କ୍ଷେତ୍ରରେ କେତୋଟି ଅନ୍ତରଙ୍ଗ ମୁହୂର୍ତ୍ତରେ ହିଁ ସାହିତ୍ୟର ସୃଷ୍ଟିହୁଏ । ଆପଣାର ନିବିଡ଼ ଭାବଗ୍ରନ୍ଥିଗୁଡ଼ିକୁ ଅନୁଭବ କରିବାକୁ ଏବଂ ସେଥିରୁ ଅଭିବ୍ୟକ୍ତି ନାମକ ଫଳଟିଏ ଫଳାଇବାକୁ କୁଆଡ଼େ କବାଟ କିଳି ଘରେ ପଶିବା ଏକାନ୍ତ ଆବଶ୍ୟକ ବୋଲି ଏମାନେ କହନ୍ତି । ବାହାରୁ କାହାର ଛାଇ ପଡ଼ିଗଲେ କାଳେ ଡାଆଣୀ ଛାଡ଼ିଯିବ ବୋଲି ଏମାନେ ଭାରି ଭୟ କରୁଥାନ୍ତି । ସୃଜନାତ୍ମକତାକୁ ସେମାନେ କାଳିସୀ ଲାଗିବାର ଏକ ଅଣଅକ୍ତିଆର ମୁହୂର୍ତ୍ତର ବ୍ୟାପାର ବୋଲି ବୁଝନ୍ତି । ବହୁ ବହିରଙ୍ଗତା ଏକ ଶ୍ରଦ୍ଧାଶୀଳ ସଦାଉନ୍ମୋଚିତ ଦ୍ଵାର ଦେଇ ହୃଦୟ ଭିତରେ ପ୍ରବେଶ କରି ଆମକୁ ଆସ୍ଥାନରୂପେ ବ୍ୟବହାର କରି ଯେ ଆମର ତଥାକଥିତ ଅନ୍ତରଙ୍ଗତାଗୁଡ଼ିକରେ ପରିଣତ ହୁଏ, ସେ କଥାଟିକୁ ସ୍ୱୀକାର କରିବାକୁ ସେମାନେ ଇଚ୍ଛା କରୁନଥାନ୍ତି । ସେମାନେ କାଳିସୀର ହେଲାବେଳେ ଜୀବନଠାରୁ ଆପଣାକୁ ଲୁଚାଇ ରଖିଥାନ୍ତି । ଜୀବନଠାରୁ ଜାଳିସୀ ଉପରେ ଅଧିକ ବିଶ୍ୱାସ ସ୍ଥାପନ କରିବା, ତାହାହିଁ କ'ଣ ସୃଜନଶୀଳତା ? ଡୋରଛିଣ୍ଡା ମଣିଷମାନେ ହିଁ ଏହିସବୁ ଅକୃତଜ୍ଞତାର କଥା କହନ୍ତି । ଲୁଚି ଲୁଚି ସାହିତ୍ୟ ନାମରେ ଅଭିସାର କରନ୍ତି । ବେଳେବେଳେ ଗଣିକା ହେବାକୁ ସାହିତ୍ୟ ବୋଲି କହନ୍ତି ।

 

ବିଶ୍ଵାସରୁ ସାହିତ୍ୟ, ଜୀବନ ଯେତିକି ବଡ଼, ଯେତିକି ସର୍ବସ୍ୱୀକାରୀ, ଆପଣାର ଗ୍ରହଣଶୀଳତାକୁ ସେତିକି ବ୍ୟାପ୍ତ ଓ ବହୁପ୍ରସାରିତ କରି ରଖିବା ହେଉଛି ଜଣେ ସାହିତ୍ୟିକର ଅସଲ ବଳ । ଅହଂମୁକ୍ତ ହେବା ହେଉଛି ସାହିତ୍ୟିକର ଯୋଗମାର୍ଗ । ଅହଙ୍କାରୀମାନେ ହିଁ ସଚରାଚର ଅବିଶ୍ୱାସୀ ହୋଇଥାଆନ୍ତି । ବିଶେଷତଃ, ଯେଉଁ ସମାଜରେ ଜୀବନଟା ଯାକ ଥାକ ହୋଇ ରହିଥିବାରୁ ଆମ ଅନୁରାଗଗୁଡ଼ିକ ମଧ୍ୟ ଥାକ ଥାକ ହୋଇ ରହିଥାଏ, ମଣିଷର ଡୋରଗୁଡ଼ାକ ମଧ୍ୟ ଥାକ ଥାକ ହୋଇ ଲାଗିଥାଏ ଏବଂ ସେହି କାରଣରୁ ସମ୍ବେଦନାମାନେ ମଧ୍ୟ ଥାକ ଥାକ ହୋଇ ରହିଥାନ୍ତି, ସେହିଠାରେ ହିଁ କାଳିସୀକୁ ଆଶ୍ରା କରି କେତେକ ବ୍ୟକ୍ତି ସାହିତ୍ୟିକ ହେବାର ପରମବର ଲାଭ କରିଥାନ୍ତି । ସାହିତ୍ୟ ଏକ ବିଶେଷ ଆଖଡ଼ା ହୋଇ ରହିଥାଏ । ସାହିତ୍ୟିକମାନେ ମଧ୍ୟ ଧର୍ମତଃ ଆପଣାକୁ ସତେ ଅବା ଗୋଟାଏ ଗୋଟାଏ ବିଶେଷ ଜନ୍ତୁ ବୋଲି ମନେ କରୁଥାନ୍ତି । ଏହି ବିଶେଷ ହେବାରୁ ହିଁ ଦମ୍ଭର ଜନ୍ମ ହୁଏ, ନାନାବିଧ ମିଛ ଭାଣର ଜନ୍ମ ହୁଏ–ଗୁମ୍ଫାଗୁଡ଼ାକ ରମଣର ଅସଲ ଥାନ ବୋଲି ବେଶ୍ ଭ୍ରମ ବି ହୁଏ ।

 

ବାହାରର ବୃହତ୍ତର ଜୀବନରୁ ପ୍ରେରଣାର କାଠିଗୁଡ଼ିକୁ ସଂଗ୍ରହ କରି ସାହିତ୍ୟିକ ନିଜ ଭିତରେ ନିଜକୁ ନେଇ କେତେ କେତେ ପ୍ରୟୋଗ କରେ, ପୂର୍ଣ୍ଣସମ୍ମତ ଭାବରେ ସେହି ପ୍ରୟୋଗଗୁଡ଼ିକ ଅନୁସାରେ ଆପଣାକୁ କେତେ ପ୍ରକାରେ ଉକୁଟାଇବାରେ ଲାଗିଥାଏ, ଘଷି ମାଜି ନିବେଦନଯୋଗ୍ୟ କରୁଥାଏ । ଏଥିରୁ ତାକୁ ଯେଉଁ ରତ୍ନଗୁଡ଼ିକ ମିଳେ, ତାହାକୁ ହିଁ ସମସ୍ତଙ୍କ ଲାଗି ବିତରଣ କରିଦିଏ । ବିଶ୍ୱାସ ରଖିଥାଏ ଯେ, ଯାହା ତା’ର ନିଜ ଭିତରେ ତାକୁ ଏବେ ଧନୀ କରି ରଖିଛି, ତାହା ଦିନେ ବୃହତ୍ତର ଜୀବନ ମଧ୍ୟକୁ ବି ସଂକ୍ରାମିତ ହୋଇଯିବ । ସେହି ସମ୍ପ୍ରତ୍ୟୟ ତାକୁ ବଳ ଦେବାରେ ଲାଗିଥାଏ, ତାକୁ ବୁଢ଼ା ହୋଇଯିବାର ବହୁ ପ୍ରମାଦରୁ ବଞ୍ଚାଇ ରଖିଥାଏ । ତା’ର ଅସଲ ଆନୁଗତ୍ୟ ତା'ର ସେହି ସମ୍ପ୍ରତ୍ୟୟଟି ପାଖରେ । ସମ୍ପ୍ରତ୍ୟୟର ସେଇ କ୍ଷେତ୍ରରେ ସାହିତ୍ୟିକ ମୋଟେ କୌଣସି ସାଲିଶ କରିପାରେ ନାହିଁ । ଦୋଚାରୁଣୀମାନେ ହିଁ ସାଲିଶ୍‌ କରନ୍ତି, ପ୍ରତ୍ୟୟଗୁଡ଼ିକର ମୁଷ୍କଛେଦନ କରି ତୋଷାମଦୀ ହୁଅନ୍ତି, ନରକକୁ ଯାଆନ୍ତି । କେଡ଼େ ହାସ୍ୟାସ୍ପଦ ନ ହୁଅନ୍ତି ।

 

ସେହି ବିଶ୍ୱାସଟି ଜୀବନର ଅସଲ ନାଭି ହୋଇ ରହିଥିବା ପର୍ଯ୍ୟନ୍ତ ସାହିତ୍ୟିକ ଦାରିଦ୍ର୍ୟକୁ ଡ଼ରେ ନାହିଁ, ଅଖ୍ୟାତିକୁ ଡରେ ନାହିଁ । ତା’ର ଅସଲ ଡର କୃତିମତାକୁ, ଅଭିନୟକୁ । ଅଭିନୟ ହିଁ ନେତା ହୋଇ ବସିଥିବା ଯେକୌଣସି ଯୁଗରେ ବିଶ୍ଵାସ ବଡ଼ ଯାତନା ଭୋଗ କରେ, ଅନେକ ପରୀକ୍ଷାର ସମ୍ମୁଖୀନ ହୁଏ । ତଥାପି ଟଳେ ନାହିଁ । ଜୀବନ ଉପରେ ବିଶ୍ଵାସ, ଡୋରଟି ଉପରେ ବିଶ୍ଵାସ, ଏକ ଅନ୍ୟ ଭବିଷ୍ୟୋନ୍ମୋଚନ ଉପରେ ବିଶ୍ୱାସ ଏବଂ ସର୍ବୋପରି ଏହିଗୁଡ଼ିକ ଲାଗି ଆପଣାକୁ ଏକ ଯଥାର୍ଥ ନିମିତ୍ତ ରୂପେ ବ୍ୟବହାର କରିପାରିବାର ବିଶ୍ୱାସ: ଏହିଗୁଡ଼ିକ ହିଁ ସାହିତ୍ୟିକକୁ ଶୃଙ୍ଗରୁ ଶୃଙ୍ଗକୁ ଅତିକ୍ରମ କରାଇ ନେଇ ଯାଉଥାଏ ।

୧୨ । ୧୧ । ୮୯

Image